Unknown

 

 

 

 

 

 

 

 

 

 

 

ଗୋଲ୍‍

ଶ୍ରୀ ମିହିର ରାଓ

 

କାହିଁକି ଲେଖିଲି

 

ପ୍ରାୟ ୧୦ ବର୍ଷ ତଳ ଗୋଟିଏ ସନ୍ଧ୍ୟାର ଘଟଣା ।

 

ମୋର ଖେଳ–ପାଗଳ ଦୁଇ ସାନ ଭାଇ–ସୁର ଓ ବୁଲା ଖୁବ୍‍ ଉତ୍ତେଜିତ ହୋଇ ଘରକୁ ଫେରିଥାଆନ୍ତି । ଏକା ସ୍କୁଲରେ ଦୁହେଁ ପଢ଼ନ୍ତି–ସୁର ଉପର କ୍ଲାସରେ ଆଉ ବୁଲା ତଳ କ୍ଲାସରେ । ପାଠ ପଢ଼ିବାକୁ ବସି ଦୁହିଁଙ୍କ ମଧ୍ୟରେ ଆରମ୍ଭ ହେଲା ତୁମୁଳ ବଚସା । ପିଟାପିଟି ହେବାର ଉପକ୍ରମ-। କୌଣସି ପ୍ରକାରେ ଉଭୟଙ୍କୁ ଶାନ୍ତ କରାଇ କଳିର କାରଣ ପଚାରିଲାରୁ ଜଣାପଡ଼ିଲା ଯେ କଳିର ଉତ୍ପତ୍ତି ହୋଇଛି ସେ ଦିନର କ୍ଲାସ ଫୁଟବଲମ୍ୟାଚ୍‍ରୁ । ସୁର କ୍ଲାସ ସଙ୍ଗେ ସେଦିନ ବୁଲା କ୍ଲାସର ମ୍ୟାଚ୍‍ଥିଲା, ଏବଂ ସେ ଖେଳରେ ହାରିଥିଲା ବୁଲା କ୍ଲାସର ଟିମ୍‍ । ବୁଲା ମତରେ ତା କ୍ଲାସ ଟିମ ଭଲ ଖେଳି ମଧ୍ୟ ହାରିବାର ମୂଳରେ ଥିଲା ସୁର କ୍ଲାସ ଖେଳାଳୀଙ୍କର ଫାଉଲ୍ ଖେଳ ଏବଂ ରେଫରୀଙ୍କର ଅନେକଗୁଡ଼ିଏ ତ୍ରୁଟି । ସୁର କିନ୍ତୁ ରେଫରୀଙ୍କ ଯୋଗୁଁ ଯେ ତାହାର କ୍ଲାସ ଟିମ୍‍ ଜିତିଛି, ସେ କଥା ମାନିବାକୁ ପ୍ରସ୍ତୁତ ନୁହେଁ । ବିଜୟରେ ଉତ୍‍ଫୁଲ୍ଲ ସୁର ପରିହାସ କରିଛି ବୁଲାକୁ । କଳିର ସୂତ୍ରପାତ ସେହିଠାରୁ । ଉଭୟଙ୍କ ପାଖରୁ ଖେଳର ବବରଣୀ ଶୁଣିବା ପରେ ଜାଣିଲି ଯେ ମନାନ୍ତର ମୂଳରେ ରହିଛି ଫୁଟବଲ ଖେଳର ନିୟମ ସମ୍ପର୍କରେ ଅଜ୍ଞତା । ସେମାନଙ୍କ ମଧ୍ୟରେ ଏଭଳି ଘଟଣା ଘଟିବା କିଛି ନୂଆ କଥା ନୁହେଁ । ଆଗରୁ ମଧ୍ୟ କେତେ ଥର ଏଭଳି କଳିଗୋଳ ହୋଇଛି । କିନ୍ତୁ ସେ ସନ୍ଧ୍ୟାରେ ସେମାନଙ୍କ ମଧ୍ୟରେ ତିକ୍ତତା ଦେଖି ଆଶ୍ଚର୍ଯ୍ୟ ହୋଇଥିଲି–ଦୁଃଖ ମଧ୍ୟ ଲାଗିଥିଲା ।

 

ସୁର ଓ ବୁଲା–ଦୁହେଁ ଫୁଟବଲ୍‍ ଖେଳ–ଅନ୍ତ ପ୍ରାଣ । ନିଜେ ଖେଳନ୍ତି ଅନ୍ୟମାନଙ୍କର ଖେଳ ଦେଖନ୍ତି ଏବଂ ଖେଳକୁ ମନପ୍ରାଣ ଦେଇ ଉପଭୋଗ କରନ୍ତି । ଖେଳର ହାରଜିତ୍‍ ଉପରେ ସେମାନଙ୍କର ଆନନ୍ଦ ଓ ହତାଶ ଅନେକାଂଶରେ ନିର୍ଭର କରେ । ସେମାନଙ୍କର ଖେଳ, ଖେଳାଳୀ ଓ ସେ ସମ୍ପର୍କୀୟ ଆଲୋଚନା ଓ ଟୀକା ଟିପ୍‍ପଣୀ ଶୁଣିବାକୁ ମଜା ଲାଗେ । କାଁ ଭାଁ କେତେବେଳେ ସେମାନଙ୍କର ଭୁଲ ଧାରଣା ସୁଧାରିବାକୁ ମୁଁ ଚେଷ୍ଟା କରିଥାଏ । କିନ୍ତୁ ସେ ଚେଷ୍ଟା ପଛରେ ନଥାଏ ଆନ୍ତରିକତା, ନଥାଏ ବିଧିବଦ୍ଧ ପ୍ରୟାସ । ସେ ଦିନର ଘଟଣାରୁ ଜଣାଗଲା ଯେ ଖେଳର ନିୟମ ବିଷୟରେ ଅଜ୍ଞ ହେଲେ ପରିଣାମ କିପରି ବିଷଦୁଷ୍ଟ ହୋଇପାରେ ।

 

ସୁର ଓ ବୁଲା–ଆମ ଦେଶର ଛାତ୍ର ସମାଜର ପ୍ରତୀକ ମାତ୍ର । ଏହି ଅଜ୍ଞାନତାର ବ୍ୟାଧି କେବଳ ସେମାନଙ୍କୁ ନୁହେଁ, ସମଗ୍ର ଛାତ୍ର ସମାଜ ଏପରି କି ଯୁବସମ୍ପ୍ରଦାୟକୁ ଘାରୁଛି । ସ୍କୁଲ, କଲେଜ ଏବଂ ରାଜ୍ୟସ୍ତରରେ ବିଭିନ୍ନ ଖେଳ ହେଉଛି–ପ୍ରତିଯୋଗିତାମାନ ମଧ୍ୟ ହେଉଛି । ଅନ୍ୟାନ୍ୟ ରାଜ୍ୟର ବିଖ୍ୟାତ କ୍ରୀଡ଼ା ଦଳ ଓଡ଼ିଶାରେ ଆସି ଖେଳୁଛନ୍ତି, କିନ୍ତୁ ଆମ ପ୍ରଦେଶର ଛାତ୍ର ଓ ଯୁବ ସମ୍ପ୍ରଦାୟ ଯେଉଁ ତିମିରରେ ଥିଲେ, ଏ ପର୍ଯ୍ୟନ୍ତ ସେହି ତିମିରରେ ରହିଛନ୍ତି । ସେମାନଙ୍କର ଏ ଅଜ୍ଞତା ଦୂର କରିବାକୁ ନା ସ୍କୁଲ, କଲେଜ ବା ରାଜ୍ୟସ୍ତରରେ ଚେଷ୍ଟା ହେଉଛି । ଏ ଅବସ୍ଥାରେ ପରିବର୍ତ୍ତନ ନ ହେଲେ, ଦେଶର ଖେଳର ମାନର ଯେ ଉନ୍ନତି ହେବନାହିଁ, ସେ କଥା କହିବା ନିଷ୍ପ୍ରୟୋଜନ ।

 

ସେ ସନ୍ଧ୍ୟାର ଘଟଣା ପରେ ପରେ ମନେ ସ୍ଥିର କଲି ଯେ ଆମ ସ୍କୁଲ ଛାତ୍ରମାନଙ୍କ ଲାଗି ଫୁଟବଲ୍‍ ଖେଳର ନିୟମାବଳୀ ଉପରେ ଖଣ୍ଡିଏ ବହି ଲେଖିବି । ଆସୋସିଏସନ୍‍ ଫୁଟବଲ୍‍ର ନିୟମାବଳୀ ଅନେକ ଦିନୁଁ ଓଡ଼ିଆରେ ପ୍ରକାଶିତ ହୋଇଛି । କିନ୍ତୁ ସେଭଳି ଏକ ନିଛକ ନିୟମ ସମ୍ବଳିତ ବହି ଯେ ଛାତ୍ରମାନଙ୍କ ମଧ୍ୟରେ ଆଦର ଲାଭ କରିବ ନାହିଁ ସେ କଥା ବୁଝିଥିଲି । ତେଣୁ ସୁବିଧା ପାଇଲେ ଗଳ୍ପାକାରରେ ଏ ସମ୍ପର୍କରେ ଖଣ୍ଡିଏ ବହି ଲେଖିବି ବୋଲି ଠିକ୍‍କଲି । ଫୁଟବଲ୍‍ ଖେଳର ନିୟମ ମାତ୍ର ୧୭ଟି । ଅବଶ୍ୟ ତାହାର ଧାରା, ଉପଧାରା ଅନେକ ଏବଂ ସେ ସବୁ ଉପରେ ସର୍ବୋଚ୍ଚ ଆନ୍ତର୍ଜାତିକ ଫୁଟବଲ୍‍ ସଂସ୍ଥା Federation Internationale de Football Association ସଂକ୍ଷେପରେ ଯାହାକୁ FIFA କୁହାଯାଏ, ତାହାର ନିୟମ ପ୍ରଣୟନକାରୀ ସଂସ୍ଥା ଆନ୍ତର୍ଜାତୀୟ ଫୁଟବଲ୍ ଆସୋସିଏସନ୍‍ ବୋର୍ଡ (International Football Association Board)ର ସିଦ୍ଧାନ୍ତ, ବ୍ୟାଖ୍ୟା ଓ ଉପଦେଶମାନ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗଳ୍ପଛଳରେ ଖେଳର ନିୟମ ସଙ୍ଗେ ସଙ୍ଗେ ଏସବୁ ମଧ୍ୟ ଜଣାଇବାକୁ ପଡ଼ିବ । ଏତିକି ନୁହଁ, ପ୍ରତିବର୍ଷ ନିୟମ ଏବଂ ସେଗୁଡ଼ିକର ଧାରା ଓ ଉପଧାରାରେ ଯେଉଁ ପରିବର୍ତ୍ତନ ହେଉଛି, ସେ ଏସବୁ ମଧ୍ୟ ଲେଖାରେ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ ।

 

ଫୁଟବଲ୍‍ ଖେଳ ତ କୋର୍ଟ କଚେରୀ ନୁହଁ ଯେ ବିସ୍ତାରିତ ଜବାବ ସୁଆଲ ପରେ ବିଚାରପତି ସତ୍ୟରେ ଉପନୀତ ହେବେ । ଏଥିରେ ତ ଘଡ଼ିକେ ଘୋଡ଼ା ଛୁଟେ, ଆଖିପିଛୁଳାକେ ପଟ୍ଟପରିବର୍ତ୍ତନ ଘଟେ । ତେଣୁ କେବଳ ଯେ ନିୟମ ଜାଣିଲେ ହେବ ତାହା ନୁହେଁ; ନିୟମଗୁଡ଼ିକର ତାତ୍ପର୍ଯ୍ୟ ଉପଲବ୍‍ଧ କରି ବିଶେଷ ବିଶେଷ କ୍ଷେତ୍ରରେ କିଭଳି ଭାବେ ସେସବୁ ପ୍ରୟୋଗ କରାଯିବ, ତାହା ମଧ୍ୟ ଜାଣିବା ଆବଶ୍ୟକ । ଲେଖା ଜରିଆରେ ଏସବୁ ଶିଖାଇବାକୁ ହେଲେ ଲେଖାରେ ସେ ପ୍ରକାର ଘଟଣାର ବର୍ଣ୍ଣନା କରିବାକୁ ପଡ଼ିବ । ଏସବୁ କଥାକୁ ଲକ୍ଷ୍ୟରେ ରଖି ବହି ଲେଖାରେ ଅଗ୍ରସର ହେଲି । ସେଥିପାଇଁ ଅନେକ ବହିପତ୍ର, ଯଥା–“Referees’ Chart and Players’ guide to laws of the game”, “F.A Guide for reference and Linesmen”, “Know the Game–the Laws of Associaion Football”, “Guide for Referees–FIFA Publication”, “Soccer Quiz” ଇତ୍ୟାଦି ଅନେକ ଇଂରାଜୀ ବହି ଏବଂ କେତେକ ପତ୍ରପତ୍ରିକା ଘଣ୍ଟାଘଣ୍ଟି କରି ଲେଖାର ଗୋଟିଏ ଖସଡ଼ା ପ୍ରସ୍ତୁତ କଲି । କିନ୍ତୁ ମନରେ ସବୁବେଳେ ଗୋଟିଏ ଭୟ ଥାଏ–ଲେଖାଟି ସରଳ ଏବଂ ଉପଭୋଗ୍ୟ ହେଉଛି ତ ? କିଛିଦିନ ପରେ ମୋର ବନ୍ଧୁ ଓଡ଼ିଶା ଅଲମ୍ପିକ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀ ଭୈରବ ଚନ୍ଦ୍ର ମହାନ୍ତି କର୍ଯ୍ୟୋପଲକ୍ଷେ ୨/୩ ଦିନ ପାଇଁ ଦିଲ୍ଲୀ ଆସିଥିଲେ-। ସେତିକିବେଳେ ମୋ ଲେଖାଟି ପଢ଼ାଇ ତାଙ୍କର ମତାମତ ଚାହିଁଲି । ଲେଖାଟା ବନ୍ଧୁଙ୍କର ପସନ୍ଦ ହୋଇଥିଲା । ନିଜର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଲେଖାଟିକୁ ଆମୂଳଚୂଳ ପଢ଼ି ବନ୍ଧୁବର କେତେକ ପରିବର୍ତ୍ତନର ସୂଚନା ଦେଲେ । ଏହା ହେଲା ୧୯୬୦ ମସିହାର ଘଟଣା । ଭୈରବ ବାବୁଙ୍କର ପରାମର୍ଶ ଅନୁସାରେ ଲେଖାଟିର ଅଦଳ ବଦଳ କରି ପୁଣି ଗୋଟିଏ ଖସଡ଼ା ତିଆରି କଲି । ନିୟମର ପ୍ରୟୋଗ ସମ୍ପର୍କୀୟ କେତୋଟି କ୍ଷେତ୍ରରେ ମୋର ସନ୍ଦେହ ଥିଲା; ତେଣୁ ଜାଣିବା ଶୁଣିବା ଏପରି ଜଣେ ବ୍ୟକ୍ତିଙ୍କୁ ଲେଖାଟି ଦେଖାଇ ସେ ସନ୍ଦେହଗୁଡ଼ିକର ଦୂର କରିବାର ସୁଯୋଗ ଖୋଜୁଥିଲି । ୧୯୬୨ ମସିହାରେ କିଛିଦିନ ଛୁଟି ନେଇ ମୋତେ କଟକ ଯିବାକୁ ପଡ଼ିଲା-। ସେତିକିବେଳେ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ଫୁଟବଲ୍‍ ରେଫରୀ ଶ୍ରୀ ଶୈଲେନ୍‍ରାୟଙ୍କୁ ଲେଖାଟି ପଢ଼ାଇ ତାଙ୍କର ପରାମର୍ଶ ଲୋଡ଼ିଲି । ଶ୍ରୀ ରାୟ କେବଳ ଯେ ମୋର ସନ୍ଦେହ ଦୂର କଲେ ତାହା ନୁହଁ, ନିୟମର କେତୋଟି ସୂକ୍ଷ୍ମ ପ୍ରୟୋଗ ବିଷୟ ବିସ୍ତାରିତଭାବେ ବୁଝାଇ ସେଗୁଡ଼ିକୁ ଲେଖାରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଲେ । ଦିଲ୍ଲୀକୁ ଫେରି ବନ୍ଧୁଙ୍କର ପରାମର୍ଶ ଅନୁଯାୟୀ ଲେଖାଟିରେ ଆବଶ୍ୟକୀୟ ପରିବର୍ତ୍ତନ କଲି । ଏତିକିବେଳେ ମୋତେ ଆଉ ଗୋଟିଏ ସୁଯୋଗ ମିଳିଲା । ମୋର ବନ୍ଧୁ ଶ୍ରୀ ନନ୍ଦକୃଷ୍ଣ ଦାଶ ସେତେବେଳେ କାଶ୍ମୀରରୁ ଆସି ଦିଲ୍ଲୀରେ ଥାଆନ୍ତି । କଥାପ୍ରସଙ୍ଗରେ ସେ ଯେତେବେଳେ ମୋ ଲେଖା କଥା ଜାଣିଲେ, ସେତେବେଳେ ସ୍ୱତଃପ୍ରବୃତ୍ତ ହୋଇ କେବଳ ଯେ ଲେଖାଟି ପଢ଼ିଲେ, ତାହା ନୁହେଁ, ଲେଖାଟିକୁ ସଚିତ୍ର କରିବା ପାଇଁ ବାରମ୍ୱାର ଅନୁରୋଧ କଲେ ଏବଂ ଏହାର ଶୀଘ୍ର ପ୍ରକାଶନ ପାଇଁ ଚାପ ଦେଲେ । ଇତିମଧ୍ୟରେ ଶ୍ରୀ ଦାଶ Central Reserve Police ରୁ ଯାଇଁ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ Deputy Director (Physical Education) ହେଲେଣି, କିନ୍ତୁ ବହିର ପ୍ରକାଶନ ପାଇଁ ତାଙ୍କ ଚାପ ତିଳେ ହେଲେ ଉଣା ହୋଇନାହିଁ । ବନ୍ଧୁ ଶ୍ରୀ ଦାଶ ଚାପ ନ ଦେଇଥିଲେ ବୋଧହୁଏ ବହିଟିର ପ୍ରକାଶନ ଆହୁରି ଡେରି ହୋଇଥାନ୍ତା । ଯାହାହେଉ ୧୯୬୬ ମସିହାର ଲେଖାଟିକୁ ସମ୍ପୂର୍ଣ୍ଣ କରି ପ୍ରକାଶ କରିବା ଦିଗରେ ଆଗଭର ହେଲି ଏବଂ ଏ ଦିଗରେ ମୋତେ ଭରସା ଦେଲେ କଟକ ଷ୍ଟୁଡ଼େଣ୍ଟସ୍‍ ଷ୍ଟୋରର କର୍ତ୍ତା ଶ୍ରୀ ଅନନ୍ତ ମିଶ୍ର । ଉପରୋକ୍ତ ବନ୍ଧୁମାନଙ୍କ ଛଡ଼ା ଲେଖାଟିକୁ ସୁପାଠ୍ୟ କରିବା ଦିଗରେ ମୋତେ ଯିଏ ସାହାଯ୍ୟ କରିଛନ୍ତି, ସେ ହେଲେ ମୋର ସାଥି ‘ସ୍ୱରାଜ୍ୟ’ (ଓଡ଼ିଆ)ର ବାର୍ତ୍ତା ସମ୍ପାଦକ ଶ୍ରୀ ଚିନ୍ତାମଣି ମହାପାତ୍ର । ବନ୍ଧୁମାନଙ୍କର ଏହି ଆକୁଣ୍ଠ ସାହାଯ୍ୟ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ।

 

ସ୍ୱାଧୀନ ଭାରତରେ ଖେଳକସରତ୍‍ଏକ ସୌଖୀନ ବିଷୟ ହୋଇ ରହିନାହିଁ । ଜାତି ଗଠନର ଏକ ବିଶିଷ୍ଟ ମାଧ୍ୟମ ବୋଲି ଏହା ପରିଗଣିତ ହେଲାଣି । ଖେଳ କସରତ ଉନ୍ନତି ଲାଗି ସରକାରୀ ଓ ବେସରକାରୀ ଉଭୟ ଦିଗରୁ ପ୍ରୟାସ ହେଉଛି । ସ୍ୱାଧୀନତା ପ୍ରାପ୍ତିର ୧୮ ବର୍ଷ ମଧ୍ୟରେ ଦେଶରେ କ୍ରୀଡ଼ା କସରତ୍‍ର ମାନ ଯେ ଉନ୍ନତ ହୋଇଛି, ସେଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଆନ୍ତର୍ଜାତିୟ ମାନଠାରୁ ବର୍ତ୍ତମାନ ସୁଦ୍ଧା ଏହା ବହୁ ପଛରେ ପଡ଼ିଛି । ଏକ ବଳିଷ୍ଠ ଜାତି ଗଢ଼ିବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ କ୍ଷେତ୍ରରେ ସୁନାମ ଅର୍ଜନ କରିବାକୁ ହେଲେ ଦେଶର ଖେଳାଳୀବର୍ଗଙ୍କୁ ଆହୁରୁ ଉଦ୍ୟମ ଏବଂ ପରିଶ୍ରମ କରିବାକୁ ପଡ଼ିବ । ଆମର ଛାତ୍ର ଓ କିଶୋର ସଂପ୍ରଦାୟକୁ ସବୁ ପ୍ରକାର ସୁଯୋଗ ଏବଂ ତାଲିମ ଦେଇ ଦେଶର ମୂଳଦୁଆ ଟାଣ କରିବାକୁ ହେବ-। ପଥ ଯେ ବନ୍ଧୁର ସେଥିରେ ସନ୍ଦେହ ନାହିଁ । କିନ୍ତୁ ସେହି ବନ୍ଧୁର ପଥ ଆମକୁ ଅତିକ୍ରମ କରିବାକୁ ହିଁ ପଡ଼ିବ । ଫୁଟବଲ୍‍ ଖେଳ ସେହି ଉଦ୍ୟମରେ ସହାୟତା କରିବା ଲାଗି ମୋର ଏ କ୍ଷୁଦ୍ର ପ୍ରୟାସ । ଏ ଲେଖାଟି ଯଦି ସେମାନଙ୍କୁ କିଞ୍ଚିତ୍‍ମାତ୍ରାରେ ସାହାଯ୍ୟକରେ, ତେବେ ମୋ ଶ୍ରମ ସାର୍ଥକ ହୋଇଛି ବୋଲି ମଣିବ ।

 

ନୂଆଦିଲ୍ଲୀ

 

ଶ୍ରୀପଞ୍ଚମୀ

ମିହିର କୁମାର ରାଓ

୨୬ ଜାନୁୟାରୀ, ୧୯୬୮

 

Image

 

ଆହୁରି କେତୋଟି କଥା

 

୧୯୬୮ ମସିହା ଜାନୁୟାରୀଠାରୁ ୧୯୭୦ ନଭେମ୍ୱର, ବ୍ୟବଧାନ ପ୍ରାୟ ତିନିବର୍ଷ । ଏହି ତିନିବର୍ଷ ଭିତରେ ଆହୁରି କେତେକ ପରିବର୍ତ୍ତନ ଘଟିଲାଣି । ୧୯୬୯ ମସିହା ମାର୍ଚ୍ଚ ମାସରୁ ମୁଁ ବଦଳି ହୋଇ କଟକ ଆସିଲିଣି । ନାନାଦି କାରଣରୁ ବହିର ଛାପାକାମରେ ଯେଉଁ ବିଳମ୍ବ ହେଉଥିଲା, ତାହା ଦୂର ହୋଇ ବହିଟି ପ୍ରକାଶ ପାଇବାକୁ ବସିଲାଣି ।

 

ସେତିକି ନୁହେଁ, ଫୁଟବଲ ଖେଳର ନିୟମରେ କେତେକ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଏହି ସମୟ ମଧ୍ୟରେ ହେଲାଣି । ଉଦାହରଣ ସ୍ୱରୂପ କୌଣସି ପ୍ରତିଯୋଗିତାରେ ଗୋଟିଏ ଖେଳ ଏକାଧିବାର ଖେଳାଯିବା ସତ୍ତ୍ୱେ ଅମୀମାଂସିତ ରହିଲେ ମୁଦ୍ରାନିକ୍ଷେପ (Toss) କିମ୍ୱା ଧର୍ମଗୁଳା (Drawing lots from a hat) ପକାଇ ଜୟ ପରାଜୟ ନିଷ୍ପର୍ତ୍ତି କରାଯାଉଥିଲା । କିନ୍ତୁ ୧୯୭୦ ମସିହା ଜୁନ୍‍ମାସରେ ନିଆଯାଇଥିବା ସିଦ୍ଧାନ୍ତ ଅନୁସାରେ ତାହାକୁ ନାକଚ କରି ତା ପରିବର୍ତ୍ତେ ପେନାଲ୍‍ଟି କିକ୍‍ ସାହାଯ୍ୟରେ ଜୟପରାଜୟ ନିଷ୍ପତ୍ତି କରାଯିବ ବୋଲି ସ୍ଥିର ହେଲାଣି ଏବଂ ଚଳିତ ବର୍ଷ ସେପଟେମ୍ୱର ମାସରୁ ଏହା ଆମ ଦେଶରେ ଚାଲୁହେଲାଣି । କଟକରେ ରହିବା ଫଳରେ ଏହି ସବୁ ପରିବର୍ତ୍ତନକୁ ବହିରେ ଅନ୍ତର୍ଭୁକ୍ତ କରିବା ମୋ ପକ୍ଷରେ ସମ୍ଭବ ହୋଇଛି । ଉପରୋକ୍ତ ସିଦ୍ଧାନ୍ତକୁ ଦେଶରେ ଚାଲୁ କରିବାର ନିଷ୍ପତ୍ତି ହେଲାବେଳକୁ ବହିର ଛାପା କାମ ପ୍ରାୟ ଶେଷ ହୋଇ ଆସିଥିଲା । କିନ୍ତୁ ସିଦ୍ଧାନ୍ତର ଗୁରୁତ୍ୱ ଦୃଷ୍ଟିରୁ ତାକୁ ବାଦ୍‍ ଦେବା ଉଚିତ୍‍ ହେବନାହିଁ ବୋଲି ଅନୁଭବ କରି ବହିର ପରିଶିଷ୍ଟରେ ସେ ସିଦ୍ଧାନ୍ତ ଓ ତାହାର ବ୍ୟାଖ୍ୟା ଦେଇଛି ।

 

ବହିର ପ୍ରୁଫ୍‍ ଦେଖିଲାବେଳେ କେତେଗୁଡ଼ାଏ ନିୟମକୁ ଆହୁରି ପ୍ରାଞ୍ଜଳଭାବେ ବୁଝାଇବାକୁ ଚେଷ୍ଟା କରିଛି । ସେଥିପାଇଁ କେତେକ ସ୍ଥାନରେ ପୁନରାବୃତ୍ତି ହୋଇଛି ।

 

ଗଳ୍ପାକାରରେ ଫୁଟବଲ୍‍ର ନିୟମ ବୁଝାଇବା ମୋର ପ୍ରୟାସ ହୋଇଥିବାରୁ ନିୟମଗୁଡ଼ିକ କ୍ରାମାନ୍ୱୟରେ ନ ଦେଇ ଲେଖାର ଆବଶ୍ୟକତା ଦୃଷ୍ଟିରୁ ସେଗୁଡ଼ିକୁ ବହିର ବିଭିନ୍ନ ସ୍ଥାନରେ ଖଞ୍ଜିଛି । ଏହି ବ୍ୟତିକ୍ରମ ଲାଗି ପାଠକମାନଙ୍କର ଅସୁବିଧା ହୋଇପାରେ । ତେଣୁ ସେ ଅସୁବିଧା ଦୂର କରିବା ଲାଗି ଫୁଟବଲ୍‍ ଖେଳର ପ୍ରତ୍ୟେକ ନିୟମ କେଉଁ କେଉଁ ପୃଷ୍ଠାରେ ଅଛି ତାହା ସୂଚୀପତ୍ରରେ ଦର୍ଶାଇଛି ।

 

ନିୟମଗୁଡ଼ିକର ବିଚାର ଆଲୋଚନା ପରେ ସେଗୁଡ଼ିକର ଏକ ସଂକ୍ଷିପ୍ତ ସାର ଏଥିରେ ସଂଲଗ୍ନ କରିଛି । ମୋର ଆଶା ଖେଳାଳୀ ଓ ଖେଳପ୍ରେମୀଙ୍କ ଦ୍ୱାରା ଏହି ସଂକ୍ଷିପ୍ତ ସାର ଆଦୃତ ହେବ ।

 

ଏହାଛଡ଼ା ଆଉ ଗୋଟିଏ ବିଷୟ ପ୍ରତି ମୁଁ ପାଠକପାଠିକାଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ । ଆଜି ପୃଥିବୀ ସାରା ମେଟ୍ରିକ୍‍ ପଦ୍ଧତିର ମାପ ଅର୍ଥାତ୍‍ କିଲୋମିଟର, ମିଟର ଓ ସେଣ୍ଟିମିଟର ଚାଲୁହେଲାଣି । କିନ୍ତୁ ଫୁଟବଲ୍‍ ଖେଳର ମୂଳ ନିୟମରେ ମାପଚୂପଗୁଡ଼ିକ ସେହି ପୁରୁଣା ଗଜ, ଫୁଟ ଓ ଇଞ୍ଚରେ ଦିଆଯାଇଛି । ଏଥିଯୋଗୁଁ ମାପଚୁପରେ ଅସୁବିଧା ଉପୁଜିବା ସ୍ୱାଭାବିବ । ଏହି ଅସୁବିଧା ଦୂର କରିବା ଲାଗି ଫୁଟବଲ ଆଇନ ପ୍ରଣୟନକାରୀ ସର୍ବୋଚ୍ଚ ସଂସ୍ଥା ଆନ୍ତର୍ଜାତିକ ଫୁଟବଲ୍‍ ଆସୋସିଏସନ୍‍ ବୋର୍ଡ (International Football Association Board) ଗଜ, ଫୁଟ, ଇଞ୍ଚକୁ ମିଟରରେ ପରିବର୍ତ୍ତିତ କରିବା ସଂପର୍କରେ ଏକ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି ଓ ସେଥିପାଇଁ ଗୋଟିଏ ସାରଣୀ (table) ଅନୁମୋଦନ କରିଛନ୍ତି । ଏହି ସାରଣୀଟି ଓଡ଼ିଶାର ଖେଳାଳୀ ଓ ଖେଳ ସଂଗଠକଙ୍କର ସୁବିଧା ଲାଗି ଏହି ପୁସ୍ତକରେ ଦିଆଯାଇଛି ।

 

ଶେଷରେ ଯେଉଁମାନଙ୍କର ସାହାଯ୍ୟ ଯୋଗୁଁ ଏହି ବହିଟିକୁ ଯଥାସମ୍ଭବ ନିଖୁଣ ଓ ପଠନଯୋଗ୍ୟ କରିବା ମୋ ପକ୍ଷରେ ସମ୍ଭବ ହୋଇଛି, ସେମାନଙ୍କର ନିକଟରେ କୃତଜ୍ଞତା ପ୍ରକାଶ ନ କରି ରହି ପାରୁନାହିଁ । ବହିଟିକୁ ଛାପାଦୃଷ୍ଟିରୁ ସୁନ୍ଦର କରିବା ଦିଗରେ କଟକ ଷ୍ଟୁଡେଣ୍ଟସ୍‍ଷ୍ଟୋରର ଶ୍ରୀ ନୃସିଂହ ପ୍ରସାଦ ମିଶ୍ରଙ୍କର ଉଦ୍ୟମ ବାସ୍ତବିକ ଉଲ୍ଲେଖଯୋଗ୍ୟ । ଫୁଟବଲ ଖେଳର ସର୍ବାଧୁନିକ ତଥ୍ୟ ଯୋଗାଇ ମୋତେ ବାଧିତ କରିଛନ୍ତି ଓଡ଼ିଶା ଫୁଟବଲ୍‍ ଆସୋସିଏସନ୍‍ର ତରୁଣ ସଂପାଦକ ଶ୍ରୀ ଶ୍ରଦ୍ଧାନନ୍ଦ ଦାଶ ଏବଂ ଉଦୀୟମାନ ରେଫରୀ ଶ୍ରୀ ଜଗତ୍‍ଥଚନ୍ଦ୍ର ଦାନ । ଏହି ସାହାଯ୍ୟ ଲାଗି ମୁଁ ମୋର ତରୁଣ ବନ୍ଧୁମାନଙ୍କ ନିକଟରେ ଋଣୀ ।

 

କଟକ

 

କାର୍ତ୍ତିକ ପୂର୍ଣ୍ଣିମା

ମିହିର କୁମାର ରାଓ

ନଭେମ୍ୱର ୧୩, ୧୯୭୦

 

Image

 

ସୂଚୀପତ୍ର

 

ପ୍ରଥମ ଅଧ୍ୟାୟ

ଖେଳପଡ଼ିଆ (୬), ଗୋଲ ଏରିଆ (୧୦), ପେନାଲଟି ଏରିଆ (୧୧), କର୍ଣ୍ଣର କିକ୍ ଅଞ୍ଚଳ (୧୨),

 

 

ଦ୍ୱିତୀୟ ଅଧ୍ୟାୟ

ବଲ୍‍ (୧୮), ଉପକରଣ ବଲ୍‍ (୨୦), ଖେଳାଳୀଙ୍କ ସଂଖ୍ୟା (୨୪), ଖେଳାଳୀ ପରିବର୍ତ୍ତନ (୨୭), ଖେଳାଳୀର ଉପକରଣ (୨୯), ଖେଳର ସମୟ (୩୨), ଖେଳର ଆରମ୍ଭ (୩୬), ରେଫରୀ ଓ ଲାଇନସ୍‍ ମ୍ୟାନ (୪୦),

 

 

ତୃତୀୟ ଅଧ୍ୟାୟ

 

 

ଚତୁର୍ଥ ଅଧ୍ୟାୟ

 

 

ଗୋଲ୍‍କିକ୍‍(୫୩), ଥ୍ରୋ–ଇନ୍‍(୫୯), ହ୍ୟାଣ୍ଡବଲ୍‍(୬୫), ଫାଉଲ୍‍(୬୭), ପେନାଲ୍‍ଟି କିକ୍‍(୭୦)

 

 

ପଞ୍ଚମ ଅଧ୍ୟାୟ

 

 

ଅଫ୍‍ସାଇଡ୍‍ (୮୭), ଫାଉଲ୍‍ଓ ଅସଦାଚରଣ (୯୪), ସତର୍କୀକରଣ (୧୦୦), ବହିଷ୍କାର (୧୦୨), ଫିଫାର ସିଦ୍ଧାନ୍ତ (୧୦୩), ଫ୍ରି କିକ୍‍(୧୦୮)

 

 

ଷଷ୍ଠ ଅଧ୍ୟାୟ

 

 

କର୍ଣ୍ଣର କିକ୍‍ (୧୧୮), ମୂଳ ନିୟମ (୧୨୯), ଆନ୍ତର୍ଜାତିକ ସଂସ୍ଥା ସିଦ୍ଧାନ୍ତର (୧୩୨), ରେଫରୀଙ୍କ କ୍ଷମତା (୧୩୮), ଖେଳାଳୀମାନଙ୍କୁ ଉପଦେଶ (୧୩୯), ରେଫରୀଙ୍କ ପୋଷାକ (୧୪୦), ଲାଇନ୍‍ସ୍‍ମ୍ୟାନ୍‍ (୧୪୧),

 

 

ସପ୍ତମ ଅଧ୍ୟାୟ

 

 

ଆଦିପର୍ବ (୧୪୭), ସ୍କଟିସ୍‍ ପଦ୍ଧତି (୧୪୯), ପିରାମିଡ୍‍ ପଦ୍ଧତି (୧୪୯), ସ୍ପିଶ୍‍ ବୋଲ୍‍ଟ ପଦ୍ଧତି (୧୫୧), ଥ୍ରୀ–ବ୍ୟାକ୍‍ବା ‘WM’ ପଦ୍ଧତି (୧୫୩) ୪–୨–୪ ପଦ୍ଧତି (୧୫୫), ୩–୩–୪ ପଦ୍ଧତି (୧୫୯), ୪–୩–୩ ପଦ୍ଧତି (୧୬୦), ପେଶାଦାର ଓ ଅପେଶାଦାର ଖେଳାଳୀ (୧୬୩), କେତୋଟି ମନେରଖିବା ବିଷୟ (୧୬୬) ।

 

 

ସଂକ୍ଷିପ୍ତ ସାର

 

 

ପରିଶିଷ୍ଟ

Image

 

ମେଟ୍ରିକ୍‍ ପଦ୍ଧତିରେ ଫୁଟବଲ୍‍ ପଡ଼ିଆ ଓ ସରଞ୍ଜାମର ମାପଚୁପ

 

ଆନ୍ତର୍ଜାତିକ ଫୁଟବଲ ଆସୋସିଏନ୍‍ ବୋର୍ଡ ଫୁଟବଲ ଖେଳର ନିୟମ ଅନୁସାରେ ପଡ଼ିଆର ମାପଚୁପ ସମ୍ୱନ୍ଧରେ ନିମ୍ନରେ ଦିଆଯାଇଥିବା ପରିବର୍ତ୍ତନକାରୀ ସାରଣୀ (Conversion Table) ଅନୁମୋଦନ କରିଛନ୍ତି । ଏହି ସାରଣୀ ଅନୁସାରେ ଗଜ, ଫୁଟ ଓ ଇଞ୍ଚକୁ ନିମ୍ନଲିଖିତ ପ୍ରକାରରେ ମିଟରରେ ପରିବର୍ତ୍ତିତ କରାଯିବ ।

 

୧୩୦ ଗଜ

୧୨୦ ମିଟର୍‍

୧୨୦ ଗଜ

୧୨୦ ମିଟର୍‍

୧୧୦ ଗଜ

୧୦୦ ମିଟର୍‍

୧୦୦ ଗଜ

୯୦ ମିଟର୍‍

୮୦ ଗଜ

୭୫ ମିଟର୍‍

୭୦ ଗଜ

୬୪ ମିଟର୍‍

୫୦ ଗଜ

୪୬ ମିଟର୍‍

୧୮ ଗଜ

୧୬.୫୦ ମିଟର୍‍

୧୨ ଗଜ

୧୧ ମିଟର୍‍

୧୦ ଗଜ

୯.୧୫ ମିଟର୍‍

୮ ଗଜ

୭.୩୨ ମିଟର୍‍

୬ ଗଜ

୫.୫୦ ମିଟର୍‍

୧ ଗଜ

୧ ମିଟର୍‍

୮ ଫୁଟ

୨.୪୪ ମିଟର୍‍

୫ ଫୁଟ

୧.୫୦ ମିଟର୍‍

୨୮ ଇଞ୍ଚ

୦.୭୧ ମିଟର୍‍

୨୭ ଇଞ୍ଚ

୦.୬୮ ମିଟର୍‍

୫ ଇଞ୍ଚ

୦.୧୨୪ ମିଟର୍‍

 

ବୋର୍ଡର ସିଦ୍ଧାନ୍ତ ଅନୁସାରେ ଆନ୍ତର୍ଜାତିକ ଖେଳ (International match) ଲାଗି ପଡ଼ିଆର ସର୍ବୋଚ୍ଚ ମାପ ହେବ–୧୧୦ ମିଟର୍‍ x ୬୪ ମିଟର୍‍ ଓ ସର୍ବନିମ୍ନ ମାପ ହେବ—୧୦୦ ମିଟର୍‍ x ୬୪ ମିଟର୍‍ ।

Image

 

ପ୍ରଥମ ଅଧ୍ୟାୟ

 

‘‘ଦେଖିନେବା ରାଣୀହାଟକୁ କାଲି । ସାନ ପଡ଼ିଆରେ ଖେଳାଇ ଜାଣିଶୁଣି ଆମକୁ ହରାଇ ଦେଇଛନ୍ତି । ଓହ୍ଲାନ୍ତୁ ନା ଆମ ପଡ଼ିଆରେ, ଦେଖିବା କେମିତି ଜିଣିଯିବେ ।’’ କୁଞ୍ଜ ବଡ଼ ପାଟିରେ କହିଲା । ସାର୍‍ ସେତେବେଳକୁ କ୍ଲାସକୁ ଆସି ନ ଥାଆନ୍ତି । ଆସନ୍ତା କାଲିର ମ୍ୟାଚରେ କେମିତି କଅଣ କରାଯିବ, ସେ ବିଷୟରେ ଘମାଘୋଟ ଆଲୋଚନା ଚାଲିଥାଏ, ରେଭେନ୍‍ସା କଲେଜିଏଟ୍‍ର ସପ୍ତମ ଶ୍ରେଣୀରେ । କେତେ ପ୍ରକାର ଆଲୋଚନା–ଗଲା ଶନିବାରର ଖେଳରେ ହାରିବା ପାଇଁ କିଏ ଗୋଲକିପର୍‍ ଫକ୍‍ରୁଦ୍ଦୀନକୁ ଦାୟୀ କରୁଥାଏ ତ କିଏ ଦୋଷ ଦେଉଥାଏ ସେଣ୍ଟର ଫରୱାର୍ଡ ହେରମ୍ୱକୁ ।

 

ନିଜକୁ ସମ୍ଭାଳି ନ ପାରି ସୁର ବଡ଼ ପାଟିରେ କହିଲା, ‘‘ଓଃ ! ହେରମ୍ୱ କଅଣ ନ କଲା ! ଗୋଲ୍‍ପୋଷ୍ଟ ଏକବାରେ ଫାଙ୍କା, ଖାଲି ଗଡ଼େଇ ଦେଲେ ଗୋଲ୍‍। ଆଉ କଅଣ ନା ଏମିତି ଦାନ୍ତ ଭିଡ଼ି ମାରିଲା ଯେ, ବଲ୍‍ପୋଷ୍ଟର କୋଶେ ଉପରେ ଯାଇ ଓଭର୍‍। ଗଧଟାଏ...’

 

‘‘ହଁ, ହଁ, ଥାଉ ଥାଉ ତୋ କରାମତି । ପଡ଼ିଆରେ ଓହ୍ଲାଇଲେ ସିନା ଜାଣନ୍ତୁ, କେତେ ଧାନରେ କେତେ ଚାଉଳ ହୁଏ । କ୍ଲାସରେ ବସି ବାଲିଙ୍ଗି କାଢ଼ୁଛି । ମୋତେ ତ ସମସ୍ତେ ଦୋଷ ଦେଉଛ । ସେ ଲାଇନଗୁଡ଼ାକ କିପରି ଗହିଡ଼ିଆ କରି ଖୋଳା ହୋଇଥିଲା, ସେ କଥା ତ କେହି ବିଚାର କରୁନାହିଁ । ମାରିଲାବେଳକୁ ଗୋଡ଼ ସେ ଲାଇନ୍‍ ଗାଡ଼ିରେ ପଶିଗଲା ବୋଲି ସିନା ବଲ୍‍ ଏମିତି ଉପରକୁ ଉଠିଗଲା–ନ ହେଲେ ଏକବାରେ ନେଟ୍‍ ଫଟାଇ ଦେଇଥାନ୍ତି । ମୁଁ ସିନା ଓଭର୍‍ କରିଦେଲି, ଫକ୍‍ରୁ କାହିଁକି ସେ ବଲ୍‍ଟା ଗୋଡ଼ ଫାଙ୍କରେ ଗଳେଇଲା ?’’

 

ଫକ୍‍ରୁ ଜବାବ ଦେବାକୁ ଯାଉଛି ଠିକ୍‍ ସେତିକିବେଳେ ସାର୍‍ କ୍ଲାସ ଭିତରକୁ ପଶିଆସିଲେ । ସବୁ ପାଟିତୁଣ୍ଡ ଏକବାରେ ବନ୍ଦ, ଯେମିତି କେହି ଜାଣେ ନାହିଁ ।

 

‘‘କିରେ ପିଲାଏ, ଏଟା କଅଣ ମାଛ ହାଟ ପାଇଲ କି ? ସକାଳଟାରୁ କାହିଁକି ଏମିତି ପାଟିତୁଣ୍ଡ କରି ମେଦିନୀ କମ୍ପଉଛ ? କି କଥା ପଡ଼ିଥିଲା କି ?’’ —ସାର୍‍ ପଚାରିଲେ ।

 

କେହି କିଛି କହିବା ଆଗରୁ ହେରମ୍ୱ ଛିଡ଼ା ହୋଇ କହିଲା, ‘‘ସାର୍‍, ଗଲା ଶନିବାର ଦିନ ଆମେ ରାଣୀହାଟ ପାଖରୁ ଯେଉଁ ହାରିଲୁ ସେଥିପାଇଁ କ୍ଲାସଟାଯାକ ମୋତେ ଓ ଫକ୍‍ରୁକୁ ଦାୟୀ କରୁଛନ୍ତି । ଆମେ ଦୁହେଁ କୁଆଡ଼େ ଜାଣିଶୁଣି ଆମ ଟିମ୍‍କୁ ହରାଇଦେଲୁ । କାଲି ରାଣୀହାଟ ସପ୍ତମ ଶ୍ରେଣୀ ସଙ୍ଗେ ପୁଣି ଆମର ଫୁଟବଲ ମ୍ୟାଚ୍‍ ଅଛି–ଆମ ପଡ଼ିଆରେ । ଯିଏ ଖେଳିବ ଖେଳୁ, ମୁଁ କିନ୍ତୁ ଖେଳିବି ନାହିଁ ।’’ କୁଞ୍ଜ ଚଟ୍ କରି ଛିଡ଼ାହୋଇ କହିଲା, ‘‘ଦୋଷ ଦେବୁ ନାହିଁ, ସାର୍‍ ? ଏକବାରେ ଫାଙ୍କା ଗୋଲ୍‍ ସାମନାରେ ପାଇ ହେରମ୍ୱ ବଲ୍‍ଟାକୁ ଓଭର୍‍ କରିଦେଲା । ଫକ୍‍ରୁଟା ଏମିତି ଗଧ ଯେ, ବଲ୍‍ ଧରୁ ଧରୁ ତାହା ଯାଇ ନେଟ୍‍ ଭିତରେ; ଏଗୁଡ଼ାକ କଅଣ ଦୋଷ ନୁହେଁ ? ଏଥିପାଇଁ ସେମାନଙ୍କୁ କଅଣ ତାରିଫ୍‍ କରିବି ?’’ ସେ ପାଖରୁ ମନମୋହନ କଅଣ କହିବାକୁ ଉଠୁଥିଲା, କିନ୍ତୁ ସାର୍‍ ତାକୁ ବସିବାକୁ କହି ପଚାରିଲେ, ‘‘କିରେ ହେରମ୍ବ, ଫକ୍‍ରୁଦ୍ଦୀନ, କୁଞ୍ଜ ଯାହା କହିଲା ତାହା କଅଣ ସତ ? କାହିଁକି ଏମିତି ହେଲା ?’’ ସେ ଦୁହେଁ ଉତ୍ତର ଦେବା ଆଗରୁ କ୍ଲାସ ଟିମ୍‍ର କ୍ୟାପଟେନ୍‍ ସୁରେଶ କହିଲା, ‘‘ସାର୍‍, ଦୋଷ ଦୁହିଁଙ୍କର ଅଛି ସତ–କିନ୍ତୁ ସେମାନଙ୍କ ଠାରୁ ବେଶୀ ଦୋଷ ହେଲା ପଡ଼ିଆର ।’’

 

‘‘କେମିତି ?’’ ସାର୍‍ ପଚାରିଲେ ।

 

‘‘ସାର୍‍, ପଡ଼ିଆଟା ଥିଲା ଲମ୍ୱରେ ଛୋଟ । ସେଥିରେ ପୁଣି ଯେଉଁ ଲାଇନ୍‍ ଖୋଳାଯାଇଥିଲା–ସେଗୁଡ଼ାକ ଏତେ ଗହିଡ଼ିଆ ଯେ, ଥରେ ଗୋଡ଼ ପଶିଗଲେ ମୋଡ଼ିହୋଇ ଭାଙ୍ଗିଯିବ । ତା ଛଡ଼ା ପଡ଼ିଆ ଭିତରେ କେଉଁଠି ଉଇହୁଙ୍କା ତ କେଉଁଠି ଚାକୁଣ୍ଡା ବଣ । ସେ ଭଳି ପଡ଼ିଆରେ କଣ ଫୁଟବଲ୍‍ ଖେଳ ହୁଏ ସାର୍‍ ? ତାହା ଛଡ଼ା ରେଫରୀ ତ ତାଙ୍କଆଡ଼େ–ଆମେ ଜିଣନ୍ତୁ କିପରି ?’’ ସୁରେଶ ପଚାରିଲା ।

 

‘‘ଭଲ କଥା, କାଲି ତ ଆମ ପଡ଼ିଆରେ ରାଣୀହାଟ ସାଙ୍ଗରେ ଖେଳୁଛ–ଦେଖିବି, କେମିତି କଅଣ କରିବ । ଆମ ପଡ଼ିଆଟା ବା କେଉଁ ଗୁଣରେ ଭଲ । ତା’ର କଅଣ ବ୍ୟବସ୍ଥା କରୁଛ ?’’ ସାର୍‍ ପଚାରିଲେ ।

 

‘‘କୁସୁନିଆ (ଗେମ୍‍ସ ପିଅନ)କୁ ଆମ ପଡ଼ିଆ ଠିକ୍‍ କରିବାକୁ କହିଛୁ ।’’ —ସୁରେଶ କହିଲା ।

 

‘‘କୁସୁନିଆ କାହିଁକି ପଡ଼ିଆ ଠିକ୍‍ କରିବ ? ତୁମେ ସବୁ କଅଣ କରୁଛ କି ? ଆଜି ତ ଶନିବାର—ସକାଳୁଆ ସ୍କୁଲ । ତୁମେ ସମସ୍ତେ ଉପରବେଳା ତିନିଟା ବେଳେ ଦଉଡ଼ି, ସୁତୁଲି, ମାପ ଫିତା, ଖଡ଼ିଗୁଣ୍ଡ ଓ କୋଡ଼ି କାଙ୍କ ଇତ୍ୟାଦି ନେଇ ପଡ଼ିଆରେ ହାଜର ଥିବ–ମୁଁ ମଧ୍ୟ ଆସିବ । ସେତେବେଳେ ସମସ୍ତେ ମଶି ପଡ଼ିଆ ତ ସଜାଡ଼ିବା, ତା’ ଛଡ଼ା ଫୁଟ୍‍ବଲ୍‍ ଖେଳର ନିୟମ ଇତ୍ୟାଦି ବିଷୟରେ କଥାଭାଷା ହେବା । କଅଣ ରାଜି ?’’ ସାର୍‍ ପଚାରିଲେ ।

 

ସମସ୍ତେ ଏକ ସ୍ୱରରେ କହିଲେ, ‘ରାଜି’ । ସୁର କହିଲା, ‘‘ସାର୍‍, ଆପଣ ତ କଲେଜରେ ପଢ଼ିଲାବେଳେ କଲେଜ ଟିମରେ ଖେଳୁଥିଲେ । କାଲି ଆପଣ ଆମ ମ୍ୟାଚ୍‍ରେ ରେଫରୀ ହେଲେ ଭଲ ହୁଅନ୍ତା ।’’

 

‘‘ହଉ, ମୁଁ ତୁମ ପ୍ରସ୍ତାବରେ ରାଜି; କିନ୍ତୁ ଭୁଲ୍‍ ତ୍ରୁଟି କଲେ ଛାଡ଼ ପାଇବ ନାହିଁ । ସେ କଥା ଆଜିଠୁ କହିରଖୁଛି । ଏହିକ୍ଷଣି ଖେଳକଥା ଏତିକିରେ ଥାଉ–ଚାଲ ପାଠପଢ଼ା ଆରମ୍ଭ କରିବା ।’’ ସାର୍ କହିଲେ ।

 

ତା’ପରେ କ୍ଲାସରେ ପଢ଼ାଶୁଣା ଚାଲିଲା ।

 

X      x      x      x

 

ଦିନ ସେତେବେଳକୁ ପ୍ରାୟ ତିନିଟା । ଖରା ନଇଁ ଆସିଲାଣି । ‘ବି’ ଟିମ୍‍ ପଡ଼ିଆର ଗୋଟିଏ ମୁଣ୍ଡରେ ସପ୍ତମ ଶ୍ରେଣୀର ଅଧିକାଂଶ ଛାତ୍ର ରୁଣ୍ଡ ହୋଇ ଘମାଘୋଟ ଆଲୋଚନା ଚଳାଇଛନ୍ତି । କାହା ହାତରେ ମାପଫିତା ତ କାହା ହାତରେ ସୁତୁଲି ବିଡ଼ାଏ । କିଏ ଧରିଛି କୋଡ଼ି ତ କିଏ ଧରିଛି କାଙ୍କ, ଫାଉଡ଼ା ଇତ୍ୟାଦି । ବାନରସେନା ସତେ ଯେମିତି ଲଙ୍କାଗଡ଼ ଜିଣିବାକୁ ବାହାରିଛନ୍ତି । ପଡ଼ିଆମୁଣ୍ଡ ଗଛତଳେ ଗୋଟିଏ ପଥର ମୁଣ୍ଡିଆ ଉପରେ ବସିଛି କୁସୁନିଆ । ପାଟିରେ କଳେ ପାନ–ଆଉ ମନକୁ ମନ ବକି ହେଉଛି, ‘‘ଏଁ, ଭାରି ଖେଳାଳୀ ଯେ ୟାଙ୍କ ପାଇଁ ଦିନକ ଆଗରୁ ପଡ଼ିଆ ତିଆରି ହେବ । ଶନିବାରଟାରେ ମଧ୍ୟ ରିହାତି ନାହିଁ । ଯେମିତି ପିଲାଏ, ସେମିତି ମାଷ୍ଟ୍ର । ଦି’ଟା ମୂଲିଆ ଯେ ଲଗାଇଥାଆନ୍ତି, ତା’ର ବାଟ ବି ରଖିଲେ ନାହିଁ । ଏଡ଼େ ବଡ଼ ପଡ଼ିଆ ମୁଁ ଏକା ସଫା କରିବି–ସତେ ଯେମିତି ୟାଙ୍କ ବାଡ଼ିତଳ ରଇତ ।’’ କିଛିକ୍ଷଣ ପରେ ବଡ଼ ପାଟିରେ କହିଲା, ‘‘ଆରେ ପିଲାଏ, କାହିଁକି ଶୁଖିଲାରେ ଏମିତି କଲର୍‍ କଲର୍‍ ହେଉଛି ମ ? ଯାଅ ସେ ଚାକୁଣ୍ଡା ଗଛଗୁଡ଼ାକ ଓପାଡ଼ି ପକାଅ ।’’

 

‘‘ତୁ ଆସୁନୁ । ଆମେ ଚାକୁଣ୍ଡା ଓପାଡ଼ିବୁ, ଉଇହୁଙ୍କା ତାଡ଼ିବୁ–ଆଉ ତୁ ଏଠି ରଜା ହୋଇ ବସିବୁ ନା କଅଣ ? ତୁ ଆ....’’ ହରି ଜବାବ ଦେଲା ।

 

‘‘ଏଁ, ମୋ ଖାଉନ୍ଦ ଅଇଲୋ ! ଯା, ମୁଁ କିଛି କରିବି ନାହିଁ ।’’ ଖିଙ୍କାରି ହୋଇ କହିଲା କୁସୁନିଆ ।

 

‘‘ହଇହୋ, କୁସୁନ ! ପଡ଼ିଆର ମାପ କେତେ କହିଲ ?’’ ଥଟ୍ଟା କରି ପଚାରିଲା

ହେରମ୍ୱ ।

 

‘‘୧୦୦ ଗଜରେ ୫୦ ଗଜ ।’’ ଗମ୍ଭୀର ଭାବେ ଉତ୍ତର ଦେଲା କୁସୁନିଆ ।

 

‘‘ଭାରି ଜାଣିଛୁ ତୁ । ଷ୍ଟେଡିୟମ ଚପ୍ରାସୀ ଚିନ୍ତା କହୁଥିଲା ୧୧୦ ଗଜରେ ୭୫ ଗଜ, ଆଉ ତୁ କହୁଛୁ ୧୦୦ ଗଜରେ ୫୦ ଗଜ ।’’

 

‘‘ହଇହୋ ! ଚିନ୍ତା କଥା ଯଦି ତୁମ ମନକୁ ଏତେ ପାଉଛି, ତେବେ ତାକୁ ଡକାଇ କାମ କରାଉ ନାହଁ । ମୋତେ କାହିଁକି ହଇରାଣ କରୁଛ ? ଖେଳପଡ଼ିଆ ତିଆରି କରି ମୁଣ୍ଡବାଳ ପାଚିଲା, ଆଉ ଏ କାଲିକା ଛୁଆଏ ଆସିଲେ ମୋତେ ପାଠ ପଢ଼େଇବାକୁ.... । କାଳ କଅଣ ହେଲାରେ.... ।

 

କୁସୁନିଆ ଆହୁରି କଅଣ କହିବାକୁ ଯାଉଥିଲା, କିନ୍ତୁ ଠିକ୍‍ ସେତିକିବେଳେ ସାର୍‍ ସାଇକେଲ୍‍ ଚଢ଼ି ପଡ଼ିଆ ପାଖକୁ ଆସିଲେ । ସାଇକଲ୍‍ କରିୟାର୍‍ ରେ ରହିଛି ଇଂରାଜୀ ‘‘ରେଫରୀଜ୍‍ ଚାର୍ଟ’ ବହି ଖଣ୍ଡିଏ । ସାର୍‍ଙ୍କୁ ଦେଖିବା ମାତ୍ରେ କୁସୁନିଆଁ ଧାଇଁଲା ସାଇକେଲ୍‍ ଧରିବାକୁ; କିନ୍ତୁ ତା’ର ଶେଷ କେଇପଦ କଥା ସାର୍‍ଙ୍କ କାନରେ ପଡ଼ିଥାଏ । ସାଇକେଲ୍‍ରୁ ଓହ୍ଲାଉ ଓହ୍ଲାଉ ସାର୍‍ ପଚାରିଲେ, ‘‘କିହୋ କୁସୁନ ! କଅଣ ହୋଇଛି କି ? କାହିଁକି ଏମିତି ଗାଉଁ ଗାଉଁ ହେଉଛ ?’’

 

‘‘କୁହନ୍ତୁ ନାହିଁ ଆଜ୍ଞା, ଏ ପିଲାଏ ମୋତେ ପଡ଼ିଆ ତିଆରି ଶିଖାଇବାକୁ ବସିଲେଣି । ମୋତେ କୁଆଡ଼େ ଆଜ୍ଞା କିଛି ଆସେ ନାହିଁ–ଷ୍ଟେଡିୟମ୍‍ ଚପ୍ରାସୀ ଚିନ୍ତାକୁ କୁଆଡ଼େ ସବୁ ମାଲୁମ୍‍ । ୧୬ ବର୍ଷ ଉମର୍‍ରୁ ଏ କାମ କରି କରି ବୟସ ଆସି ୫୦ ପାଖ ଧରିଲାଣି । ଆଉ ଏମାନେ କହୁଛନ୍ତି.... ।’’

 

କୁସୁନିଆର କଥା ଶେଷ ନ ହେଉଣୁ ହେରମ୍ୱ କହିଲା, ‘‘ସାର୍‍, କୁସୁନିଆ କହୁଛି ଫୁଟବଲ୍‍ ପଡ଼ିଆର ମାପ କୁଆଡ଼େ ୧୦୦ ଗଜରେ ୫୦ ଗଜ ।’’

 

‘‘ଓହୋ, କି କାଳ ହେଲା–ହଇ ହୋ ବାବୁମାନେ, ମୋ କଥାର ମାନେ କଅଣ ସେଇଆ-? ସାନ ପିଲାଙ୍କ ପାଇଁ ପଡ଼ିଆ ମାପ ସାନ ହେବା କଥା–ତା ମାପ ହେଲା ୧୦୦ ଗଜରେ ୫୦ ଗଜ । ଆଉ ବଡ଼ ମଣିଷଙ୍କ ପଡ଼ିଆ ମାପ ହେଲା ୧୧୦ ଗଜରେ ୭୫ ଗଜ । କିଛି ନ ବୁଝି କେମିତି ସାର୍‍ଙ୍କ ପାଖରେ ମୋ ନାଁରେ ଲଗେଇ ଜୁଟେଇ କହୁଛ ମ ? ଆଉ ପାରିହେବ ନାହିଁ ।’’ କୁସୁନିଆ କହିଲା ।

 

ସାର୍‍ ଦୁଇ ପକ୍ଷର କଥା ଶୁଣିବା ପରେ କେଉଁଥିପାଇଁ ଟଣା ଓଟରା ଲାଗିଛି ବୁଝିପାରି କହିଲା, ‘‘କୁସୁନ, ତୁମେ ଯାହା କହୁଛ ତାହା ଏକ ପ୍ରକାର ଠିକ୍‍ । ତେବେ ବହୁତ ଗୁଡ଼ାଏ କଥା ବାକି ରହିଗଲା । ଆଚ୍ଛା, ପଡ଼ିଆ ତିଆରି କରିବା ଆଗରୁ ସେ କଥା ଆଲୋଚନା କରାଯାଉ ।

 

X      X      X      X

 

ସାର୍‍ ବସିଲେ ପଥର ମୁଣ୍ଡିଆଟା ଉପରେ ଓ ତାଙ୍କୁ ଘେରି ବସିଲେ ପିଲାମାନେ ଓ କୁସୁନିଆ । ସାର୍‍ ଆରମ୍ଭ କଲେ–ଫୁଟ୍‍ବଲ୍‍ ପଡ଼ିଆ ଖଣ୍ଡିଏ ଚଉଖୁଣ୍ଟିଆ ସମତଳ ଭୂମି । ଜ୍ୟାମିତି ଅନୁସାରେ ଏହାର ଆକାର ହେଲା ଗୋଟିଏ ଆୟତ କ୍ଷେତ୍ର (Rectangle); ଅର୍ଥାତ୍‍ ଏହାର ବିପରୀତ ଦୁଇ ବାହୁର ଲମ୍ୱ ସମାନ ଏବଂ ସେମାନେ ପରସ୍ପର ସହିତ ସମାନ୍ତରାଳ ଓ ପ୍ରତ୍ୟେକ କୋଣ ଗୋଟିଏ ସମକୋଣ । ଏହାର ଲମ୍ୱ ଓ ପସ୍ଥ ବିଷୟରେ ତୁମ ଭିତରେ ଯେଉଁ ଭିଡ଼ାଓଟରା ଚାଲିଛି, ତାହାର ନିଷ୍ପତ୍ତି ମନମୁଖୀ ଭାବେ ହେବ ନାହିଁ । ସେଥିପାଇଁ ନିର୍ଦ୍ଦିଷ୍ଟ ନିୟମ ଅଛି ।

 

ଫୁଟବଲ ଖେଳର ନିୟମ ଗଢ଼ିବାର ମୁଖ୍ୟ ଦାୟିତ୍ୱ ହେଲା ଇଣ୍ଟରନ୍ୟାଶନ୍ୟାଲ ରେଫରୀଜ୍‍ ଆସୋସିଏସନ୍‍ ବୋର୍ଡ (International Referees’ Association Board) ଏବଂ ଫିଫା (FIFA) ର ରେଫରୀଜ୍‍ କମିଟି (Referees’ Committee)ର । ଫିଫା ହେଲା ପୃଥିବୀର ସର୍ବୋଚ୍ଚ ଫୁଟବଲ ଖେଳ ପରିଚାଳନା ସଂସ୍ଥା ବା ଆସୋସିଏସନ୍‍ । ଏହାର ପୂରା ନାଁ ହେଲା The Federation Internationale de Football Association । ପୃଥିବୀର ବିଭିନ୍ନ ରାଷ୍ଟ୍ରର ଜାତୀୟ ଫୁଟ୍‍ବଲ ସଂସ୍ଥାମାନଙ୍କର ପ୍ରତିନିଧିମାନଙ୍କୁ ନେଇ ଫିଫା ଗଠିତ । ଭାରତବର୍ଷ ମଧ୍ୟ ଫିଫାର ଅନ୍ୟତମ ସଭ୍ୟ । ଫିଫାର ଗୋଟିଏ ସ୍ୱତନ୍ତ୍ର ରେଫରୀ କମିଟି ଅଛି । ଏହି କମିଟି ପ୍ରତିବର୍ଷ ଥରେ ବସି ଫୁଟବଲ ଖେଳର ନିୟମଗୁଡ଼ିକର ଟିକିନିଖି ଆଲୋଚନା କରେ ଏବଂ ପ୍ରୟୋଜନ ଅନୁସାରେ ତାହାର ଅଦଳ ବଦଳ କରିବାକୁ ସିଦ୍ଧାନ୍ତ ଗ୍ରହଣ କରେ । ଏହି କମିଟିର ସିଦ୍ଧାନ୍ତମାନ ଇଣ୍ଟରନ୍ୟାସନ୍ୟାଲ୍‍ ରେଫରୀଜ୍‍ ଆସୋସିଏସନ୍‍ ବୋର୍ଡରେ ଆଲୋଚିତ ହୋଇ ସ୍ୱୀକୃତି ପାଏ । ପରିବର୍ତ୍ତିତ ନିୟମ ସ୍ୱୀକୃତି ପାଇବା ପରେ ଫିଫା ତାହାକୁ ପୃଥିବୀ ସାରା ଚାଲୁ କରାଏ । ଏଇଥିପାଇଁ ଦୁନିଆସାରା ଫୁଟବଲ୍‍ ଖେଳରେ ନିୟମ ଏକପ୍ରକାର ।

 

ଫୁଟବଲ୍‍ ଖେଳର ମୂଳ ନିୟମ ମାତ୍ର ସତରଟି (୧୭) । ତେବେ ଏହି ନିୟମଗୁଡ଼ିକର ଅନେକ ଧାରା, ଉପଧାରା ଏବଂ ବ୍ୟାଖ୍ୟା ଅଛି ଓ ଏଥିସହ ଅନେକ ଉପଦେଶ ମଧ୍ୟ ଦିଆଯାଇଛି । ଫୁଟବଲ୍‍ ଖେଳର ନିୟମ ଭଲଭାବେ ଜାଣିବାକୁ ହେଲେ ଆମକୁ ମୂଳ ନିୟମ ସଙ୍ଗେ ସଙ୍ଗେ ଏହି ଧାରା, ଉପଧାରା, ବ୍ୟାଖ୍ୟା, ଫିଫାର ସିଦ୍ଧାନ୍ତ ଏବଂ ଉପଦେଶଗୁଡ଼ିକ ମଧ୍ୟ ଜାଣିବାକୁ ହେବ । ଫୁଟବଲ୍‍ ଖେଳର ପ୍ରଥମ ନିୟମରେ ପଡ଼ିଆ ବିଷୟରେ କୁହାଯାଇଛି ।

 

ପ୍ରଥମ ନିୟମ–

 

ଖେଳପଡ଼ିଆ

 

ଫିଫାର ନିୟମ ଅନୁସାରେ ଫୁଟବଲ ପଡ଼ିଆର ଲମ୍ୱ ୧୩୦ ଗଜରୁ ଅଧିକ ବା ୧୦୦ ଗଜରୁ କମ୍‍ ହେବ ନାହିଁ । ସେହିପରି ଏହାର ଓସାର ୧୦୦ ଗଜରୁ ବେଶୀ ଏବଂ ୫୦ ଗଜରୁ କମ୍‍ ହୋଇପାରିବ ନାହିଁ । ପଡ଼ିଆର ଲମ୍ୱ ସବୁବେଳେ ତାହାର ପ୍ରସ୍ଥ ଠାରୁ ଅଧିକ ହେବ ଏବଂ ଏହାର ଉପରିଭାଗ ସମତଳ ହେବା ଆବଶ୍ୟକ ।

 

ପଡ଼ିଆରେ କୋଡ଼ି ବା କାଙ୍କ ସାହାଯ୍ୟରେ ଗାର (Line) ଇଂରାଜୀ ‘V’ଅକ୍ଷର ଭଳି ମାଟି ଖୋଳି ଟଣା ଯାଇପାରିବ ନାହିଁ । ଗାରଗୁଡ଼ିକ ସବୁବେଳେ ଖଡ଼ିକୁଣ୍ଡ (Chalk powder)ଦ୍ୱାରା ଦିଆଯିବ ଏବଂ ଏଗୁଡ଼ିକର ଚଉଡ଼ା ୨/୧/୨ ଇଞ୍ଚରୁ କମ୍‍ ବା ୫ ଇଞ୍ଚରୁ ଅଧିକ ହେବ ନାହିଁ । ପଡ଼ିଆରେ ମାପଚୁପର ଦାଗ ନ ଥିଲେ ଖେଳ ହୋଇପାରିବ ନାହିଁ । ବର୍ଷାଯୋଗୁଁ ଏହି ଦାଗ ଧୋଇଗଲେ ତାହା ପୁଣି ନୂଆକରି ଦିଆଯିବ ।

 

ଫିଫାର ସିଦ୍ଧାନ୍ତ ଅନୁସାରେ ଆନ୍ତର୍ଜାତିକ ଖେଳବେଳେ ପଡ଼ିଆର ମାପ ୧୨୦ x ୮୦ ଗଜରୁ ଅଧିକ ବା ୧୧୦ x ୭୦ ଗଜରୁ କମ୍‍ ହୋଇପାରିବ ନାହିଁ ।

 

ପଡ଼ିଆର ଲମ୍ୱସୂଚକ ରେଖାକୁ ପାର୍ଶ୍ୱରେଖା ବା ଟଚ୍‍ଲାଇନ୍‍ (Touch Line) ଏବଂ ପ୍ରସ୍ଥସୂଚକ ରେଖାକୁ ପ୍ରସ୍ଥରେଖା ବା ଗୋଲ୍‍ ଲାଇନ୍‍ (Goal Line) କୁହାଯାଏ ।

 

ପ୍ରସ୍ଥରେଖା ବା ଗୋଲ୍‍ ଲାଇନ୍‍ ମଧ୍ୟଭାଗରେ ଗୋଲ୍‍ ପୋଷ୍ଟ ପୋତାଯିବା କଥା । କି ଭଳି ଭାବେ ଗୋଲ୍‍ ପୋଷ୍ଟ ପୋତାଯିବ, ସେ କଥା କହୁଛି । ଗୋଲ୍‍ ଲାଇନ୍‍ର ଠିକ୍‍ ମଝି ବିନ୍ଦୁରୁ ଦୁଇ ପାଖକୁ ୧୨ଫୁଟ ଦୂରରେ ଗୋଲ୍‍ ପୋଷ୍ଟର ଦୁଇଟି ଖୁଣ୍ଟ ପୋତାଯିବ । ଅର୍ଥାତ୍‍ ଦୁଇ ଖୁଣ୍ଟ ମଧ୍ୟରେ ବ୍ୟବଧାନ ହେବ ୨୪ଫୁଟ । ଏହି ଦୁଇ ଖୁଣ୍ଟର ଉଚ୍ଚତା (ଭୂମିଠାରୁ) ହେବ ୮ଫୁଟ । ଦୁଇ ଖୁଣ୍ଟର ଉପର ମୁଣ୍ଡ ଗୋଟିଏ ଆଡ଼ କାଠ ଦ୍ୱାରା ସଂଯୁକ୍ତ ହେବ । ଏହି ଆଡ଼ କାଠକୁ କ୍ରଶ୍‍ ବାର୍‍(Cross Bar)କୁହାଯାଏ । ସାଧାରଣତଃ ଗୋଲ୍‍ ପୋଷ୍ଟ ଓ କ୍ରଶ୍‍ବାର୍‍ ଚାରିକୋଣିଆ ହୋଇଥାଏ । ଗୋଲ ପୋଷ୍ଟ ଏବଂ କ୍ରଶ୍‍ବାର୍‍ର ଆକାର ସମ୍ୱନ୍ଧରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନ ଥିଲେ ହେଁ ଏଗୁଡ଼ିକର ଚଉଡ଼ା ଏବଂ ମୋଟ ଯେ ୫ଇଞ୍ଚ ହେବ, ତାହା ଫିଫାର ସିଦ୍ଧାନ୍ତରେ କୁହାଯାଇଛି । ତେଣୁ ଚଉଡ଼ା ଏବଂ ମୋଟା ୫ଇଞ୍ଚ ରଖି ଗୋଲ ପୋଷ୍ଟ ଏବଂ କ୍ରଶବାର ଗୋଲାକାର, ତିନିକୋଣିଆ, ଚାରିକୋଣିଆ, ଅର୍ଦ୍ଧ ଗୋଲାକାର ବା ଡିମ୍ୱାକାର ରଖାଯାଇପାରେ । ତେବେ ସୁବିଧା ଦୃଷ୍ଟିରୁ ଏଗୁଡ଼ିକର ଆକାର ଚାରି କୋଣିଆ ରଖିବା ବାଞ୍ଛନୀୟ । ଫିଫାର ଉପଦେଶ ଅନୁସାରେ ଗୋଲ ପୋଷ୍ଟ ଏବଂ କ୍ରଶ୍‍ବାର୍‍ର ରଙ୍ଗ ଧଳା ରଖାଯିବ ।

 

ଗୋଲ ପୋଷ୍ଟରେ ଜାଲ ଲଗାଇବା ବାଧ୍ୟତାମୂଳକ ନୁହେଁ । ତେବେ ଖେଳର ସୁବିଧା ପାଇଁ ଗୋଲ ପୋଷ୍ଟରେ ଜାଲ (ଗୋଲ୍‍ ନେଟ୍‍) ଲଗାଯାଏ । ଜାଲ ଲଗାଇବା ସ୍ଥିର ହେଲେ ତାହା ଏଭଳି ଭାବେ ଗୋଲ ପୋଷ୍ଟ, କ୍ରଶ ବାର୍‍ ଏବଂ ଭୂମି ସଙ୍ଗେ ଲଗାଯିବ, ଯେପରି କି ଗୋଲକିପର୍‍ର ଚଳପ୍ରଚଳ ହେବାରେ କୌଣସି ବାଧା ନଥିବ ।

 

ପାର୍ଶ୍ୱ ଏବଂ ପସ୍ଥରେଖା ଛଡ଼ା ପଡ଼ିଆ ଭିତରେ ଆହୁରି କେତେଗୁଡ଼ିଏ ରେଖା ଓ ବୃତ୍ତ ଅଙ୍କା ଯାଇଥାଏ । ଏତକ କହି ସାର୍‍ ଭୂଇଁ ଉପରେ ଖଣ୍ଡିଏ କାଠି ସାହାଯ୍ୟରେ ଫୁଟବଲ୍‍ ପଡ଼ିଆର ଗୋଟିଏ ନକ୍‍ସା ଆଙ୍କିଲେ । ତା ପରେ ପୁଣି ଆରମ୍ଭ କଲେ, ‘‘ପଡ଼ିଆ ମଝିରେ ପ୍ରସ୍ଥ ରେଖା ସହିତ ସମାନ୍ତରାଳ କରି ଯେଉଁ ରେଖା ଟଣାଯାଏ ତାହା ହେଲା ମଧ୍ୟରେଖା ବା ସେଣ୍ଟର ଲାଇନ୍‍ ବା ହାଫ୍‍ଉୟେ ଲାଇନ୍‍(Halfway Line) । ଏହି ମଧ୍ୟରେଖାର ମଧ୍ୟବିନ୍ଦୁ ହେଲା ସେଣ୍ଟର ଅର୍ଥାତ୍‍ ପଡ଼ିଆର କେନ୍ଦ୍ରବିନ୍ଦୁ । ଖେଳ ଆରମ୍ଭ ହେବାବେଳେ କିମ୍ୱା ଗୋଟିଏ ଗୋଲ୍‍ ହେବାପରେ ଏହି କେନ୍ଦ୍ରବିନ୍ଦୁ ଉପରେ ବଲ୍‍ରଖି କିକ୍‍ ଅଫ୍‍ (ଅର୍ଥାତ୍ ବଲ୍‍କୁ ପ୍ରଥମେ ଗୋଡ଼ରେ ମାରି) କରି ଖେଳ ଆରମ୍ଭ କରାଯାଏ କିକ୍‍ ଅଫ୍‍ ବିଷୟରେ ପରେ କହିବି ।

 

ଏହି ବିନ୍ଦୁକୁ କେନ୍ଦ୍ରକରି ୧୦ ଗଜ ବ୍ୟାସାର୍ଦ୍ଧର ଗୋଟିଏ ବୃତ୍ତ ଅଙ୍କା ଯାଇଥାଏ । ଏହି ବୃତ୍ତକୁ କିଭଳି ଭାବରେ ବ୍ୟବହାର କରାଯାଏ ତାହା ବୁଝାଇ କହୁଛି । ମନେକର ‘କ’ ଓ ‘ଖ’ ଦଳ ଭିତରେ ମ୍ୟାଚ ହେଉଛି ଏବଂ ‘କ’ ଦଳ ପ୍ରଥମେ ସେଣ୍ଟର ଅର୍ଥାତ୍‍ କିକ୍‍ ଅଫ୍‍ କରିବାର ସୁଯୋଗ ପାଇଛନ୍ତି । ‘କ’ ଦଳର ଖେଳାଳୀମାନେ କିକ୍‍ ଅଫ୍‍ କଲାବେଳେ ‘ଖ’ ଦଳରେ ଖେଳାଳୀମାନେ ଯେ କେବଳ ନିଜ ଅଂଶରେ ରହିବେ । ତାହା ନୁହେଁ; ସେମାନେ ଏହି ବୃତ୍ତ ବାହାରେ ରଖିବେ । ‘କ’ ଦଳର ଅନ୍ତତଃପକ୍ଷେ ଜଣେ ଖେଳାଳୀ ଏହି ବୃତ୍ତ ମଧ୍ୟରେ ହାଫ୍‍ଉୟେ ଲାଇନ୍‍ ଉପରେ ରହି କିକ୍‍ ଅଫ୍‍ ଅର୍ଥାତ୍‍ ଖେଳ ଆରମ୍ଭ କରିବେ । କିକ୍‍ ଅଫ୍‍ ପରେ ‘ଖ’ ଦଳର ଖେଳାଳୀମାନେ ଏହି ବୃତ୍ତ ଭିତରକୁ ଆସିପାରିବେ । ଏହି ବୃତ୍ତକୁ ୨/୧/୨ ରୁ ୩ ଇଞ୍ଚ ମୋଟର ଗୋଟିଏ ଖଡ଼ିଦାଗ ଦ୍ୱାରା ଚିହ୍ନିତ କରାଯିବ । ଏହି ଖଡ଼ିଦାଗର ଚଉଡ଼ା କୌଣସିମତେ ୫ ଇଞ୍ଚରୁ ଅଧିକ ହେବ ନାହିଁ ।

 

‘‘ହଁ, କେଉଁ କଥା କହୁଥିଲିଟି ?’’ ସାର ପଚାରିଲେ ।

 

‘‘ଆପଣ ମଧ୍ୟରେଖା ଓ କେନ୍ଦ୍ରବୃତ୍ତ କହୁଥିଲେ ।’’ —ନାରାୟଣ ଉତ୍ତର ଦେଲା ।

 

ମଧ୍ୟରେଖା ଯେ ଫୁଟ୍‍ବଲ୍‍ ପଡ଼ିଆକୁ ଦୁଇ ସମାନ ଅର୍ଦ୍ଧରେ ବିଭକ୍ତ କରୁଛି ସେ କଥା ତ ବୁଝିପାରିଲ । ବର୍ତ୍ତମାନ ପ୍ରତ୍ୟେକ ଭାଗ ବା ଅର୍ଦ୍ଧର କଥା ବୁଝିବା । ପ୍ରତ୍ୟେକ ଭାଗରେ ଆହୁରି ଦୁଇଟି ଅଞ୍ଚଳ ଚିହ୍ନଟ କରାଯାଇଥାଏ । ଏବଂ ସେ ଦୁଇଟି ମଧ୍ୟରୁ ଗୋଟିଏ ଅନ୍ୟଟି ଭିତରେ ଅବସ୍ଥିତ । ସାନ ଅଞ୍ଚଳର ନାଁ ହେଲା ଗୋଲ୍‍ ଏରିଆ (Goal Area)ବା ଗୋଲ୍‍ ଅଞ୍ଚଳ ଏବଂ ବଡ଼ଟିର ନାଁ ହେଲା ପେନାଲ୍‍ଟି ଏରିଆ (Penalty Area)ବା ପେନାଲ୍‍ଟି ଅଞ୍ଚଳ । ଦୁଇଟି ଯାକ ଅଞ୍ଚଳ ଆକାରରେ ଗୋଟିଏ ଲେଖାଏ ଆୟତକ୍ଷେତ୍ର । ପ୍ରଥମେ ଗୋଲ୍‍ ଏରିଆ କଥା କହେ ।

 

ଗୋଲ୍‍ ଏରିଆ–ଗୋଲ୍‍-ପୋଷ୍ଟର ନିକଟବର୍ତ୍ତୀ ଅଞ୍ଚଳ ହେଲା ଗୋଲ୍‍ ଏରିଆ । ଏହାର ଲମ୍ୱ ୨୦ ଗଜ ଏବଂ ପ୍ରସ୍ଥ ୬ ଗଜ । ପ୍ରସ୍ଥ ରେଖା (ଗୋଲ ଲାଇନ୍‍) ଏହାର ଗୋଟିଏ ସୀମା । ଏହି ଅଞ୍ଚଳ ଚିହ୍ନଟ କଲାବେଳେ ପ୍ରଥମେ ଗୋଲ୍‍ ପୋଷ୍ଟର ଭିତର ପଟ (ଅର୍ଥାତ୍‍ ଯେଉଁ ଅଂଶ ଗୋଲ୍‍ କିପର ଆଡ଼କୁ ଥାଏ) ରୁ ଦୁଇ କର୍ଣ୍ଣର ଅଞ୍ଚଳ ଆଡ଼କୁ ପ୍ରସ୍ଥ ରେଖା ଉପରେ ୬ ଗଜ ଦୂରରେ ଦୁଇଟି ବିନ୍ଦୁ ଚିହ୍ନିତ କରିବା ଆବଶ୍ୟକ । ଏହି ଦୁଇ ବିନ୍ଦୁରୁ ପଡ଼ିଆ ଭିତରକୁ ଦୁଇଟି ସରଳ ରେଖା ପ୍ରସ୍ଥ ଉପରେ ଲମ୍ୱଭାବେ (ଅର୍ଥାତ୍‍ପ୍ରସ୍ଥରେଖା ସହ ଏକ ସମକୋଣ ସୃଷ୍ଟି କରି) ଟଣାଯିବ ଏବଂ ସରଳରେଖା ଦୁଇଟିର ଲମ୍ୱ ହେବ ୬ ଗଜ । ଏହି ଦୁଇ ସରଳରେଖାର ଶେଷ ସୀମାକୁ ୨୦ ଗଜ ଲମ୍ୱର ଏକ ସରଳରେଖା ଦ୍ୱାରା ସଂଯୁକ୍ତ କଲେ ଯେଉଁ କ୍ଷେତ୍ର ସୃଷ୍ଟି ହେବ ତାହା ହେଲା ଗୋଲ୍‍ ଏରିଆ । ଏହି ଅଞ୍ଚଳର ବିଶେଷତ୍ୱ ହେଲା ଏହା ଭିତରେ ଥାଇ ଗୋଲ୍‍ କିପର୍‍ ହାତରେ ବଲ୍ ଧରିଥିଲେ କିମ୍ୱା ବିପକ୍ଷରେ କୌଣସି ଖେଳାଳୀକୁ ବାଧା ନ ଦେଉଥିଲେ ତାକୁ କେହି ଚାର୍ଜ (Charge)ଅର୍ଥାତ୍‍ ଆଘାତ କରିପାରିବେ ନାହିଁ କି ଧକ୍‍କା ମାରିପାରିବେ ନାହିଁ । ତାହା ଛଡ଼ା ପ୍ରସ୍ଥ ରେଖା ଡେଇଁ ବଲ୍‍ ପଡ଼ିଆ ବାହାରକୁ ଚାଲିଗଲେ ସେଥିପାଇଁ ଯେଉଁ ଗୋଲ୍‍ କିକ୍‍ ଦିଆଯାଏ, ସେହି କିକ୍‍ ଲାଗି ବଲ୍‍କୁ ଏହି ଅଞ୍ଚଳ ମଧ୍ୟରେ ରଖି ସାମନକୁ ମରାଯିବ ।

 

ପେନାଲ୍‍ଟି ଏରିଆ–ଗୋଲ୍‍ଏରିଆ ଭଳି ଏହି ଅଞ୍ଚଳଟି ମଧ୍ୟ ତିଆରି ହେବ । କିନ୍ତୁ ଏହାର ଲମ୍ୱ ୪୪ ଗଜ ଏବଂ ଚଉଡ଼ା ୧୮ ଗଜ ହୋଇଥିବା ଯୋଗୁଁ ଏହାର ମାପଚୁପ ଟିକିଏ ଅଲଗା । ପ୍ରଥମେ ଦୁଇ ଗୋଲ୍‍ ପୋଷ୍ଟର ଦୁଇ ପାଖକୁ ପ୍ରସ୍ଥରେଖା ଉପରେ ୧୮ ଗଜ ଦୂରରେ ଗୋଟିଏ ଲେଖାଏଁ ଚିହ୍ନ ଦେବାକୁ ହେବ । ସେହି ଚିହ୍ନଠାରୁ ପ୍ରସ୍ଥରେଖା ଉପରେ ଲମ୍ୱଭାବେ ଦୁଇଟି ସରଳରେଖା (ଲମ୍ୱ ୧୮ ଗଜ) ପଡ଼ିଆ ଭିତରକୁ ଟଣାଯିବ । ଏହି ଦୁଇ ସରଳରେଖାର ଶେଷ ସୀମାକୁ ଅନ୍ୟ ଏକ ସରଳରେଖା ଦ୍ୱାରା ସଂଯୁକ୍ତ କଲେ ଯେଉଁ ଅଞ୍ଚଳ ସୃଷ୍ଟି ହେବ, ତାହା ହେଲା ପେନାଲ୍‍ଟି ଏରିଆ । ପେନାଲ୍‍ଟି ଏରିଆରେ ଗୋଟିଏ ବିନ୍ଦୁକୁ ଛକି ଦ୍ୱାରା ଚିହ୍ନିତ କରାଯାଇଥାଏ । ଏହି ବିନ୍ଦୁ ହେଲା ପେନାଲ୍‍ଟି ବିନ୍ଦୁ (Penalty spot)–ଅର୍ଥାତ୍‍ ପେନାଲ୍‍ଟି କିକ୍‍ ମରା ଗଲାବେଳେ ବଲ୍‍କୁ ନିଶ୍ଚଳଭାବେ ଏହି ଛକିଦାଗ ଉପରେ ରଖାଯାଏ । ଏହି ଚିହ୍ନ ଦୁଇ ଗୋଲ ପୋଷ୍ଟକୁ ଭିତରପଟେ ସଂଯୋଗକାରୀ ସରଳରେଖା (ଗୋଲ୍‍ଲାଇନ୍‍)ର ମଧ୍ୟବିନ୍ଦୁ ଠାରୁ ୧୨ ଗଜ ଦୂରରେ ଅବସ୍ଥିତ । ଯଦି ଏହି ଦୁଇ ବିନ୍ଦୁକୁ (ଛକିଦାଗ ଏବଂ ଗୋଲ୍‍ ଲାଇନ୍‍ର ମଧ୍ୟବିନ୍ଦୁ) ଗୋଟିଏ ସରଳରେଖା ଦ୍ୱାରା ଯୁକ୍ତ କରାଯାଏ, ତେବେ ଯୁକ୍ତକାରୀ ରେଖା ପ୍ରସ୍ଥରେଖା ସହିତ ଗୋଟିଏ ସମକୋଣ ସୃଷ୍ଟି କରିବ । ଏହି ଛକିଦାଗ ଚିହ୍ନିତ ବିନ୍ଦୁକୁ କେନ୍ଦ୍ର କରି ୧୦ ଗଜ ବ୍ୟାସାର୍ଦ୍ଧର ଗୋଟିଏ ଚାପ (Arc) ପେନାଲ୍‍ଟି ଅଞ୍ଚଳ ବାହାରେ ଅଙ୍କା ଯାଇଥାଏ । ଏହି ଚାପକୁ ପେନାଲ୍‍ଟି ଚାପ (Penalty Arc) କୁହାଯାଏ । ପେନାଲ୍‍ଟି ଚାପ ଅଞ୍ଚଳ ପେନାଲ୍‍ଟି ଏରିଆ ଅନ୍ତର୍ଭୁକ୍ତ ନୁହେଁ । ପେନାଲ୍‍ଟି କିକ୍‍ ମରାଗଲାବେଳେ ଏ ଚାପର ତାତ୍ପର୍ଯ୍ୟ କଅଣ ପରେ ବୁଝାଇ କହିବି । ପେନାଲ୍‍ଟି ଅଞ୍ଚଳର ବିଶେଷତ୍ୱ ହେଲା—

 

୧) ଏହି ଅଞ୍ଚଳ ଭିତରେ ଗୋଲ୍‍ କିପର୍‍ ହାତରେ ବଲ୍‍ ଧରିପାରିବ । ଏହା ବାହାରେ ଗୋଲ୍‍କିପର୍‍ ହାତରେ ବଲ୍‍ ଧରିଲେ ଅନ୍ୟ ଖେଳାଳୀଙ୍କ ଭଳି ତାହାର ମଧ୍ୟ ହ୍ୟାଣ୍ଡବଲ୍‍ ହେବ ।

 

୨) ଗୋଲ କିକ୍‍ ବେଳେ ବିପକ୍ଷ ଦଳର ଖେଳାଳୀମାନେ ଏହି ଅଞ୍ଚଳର ବାହାରେ ରହିବେ ।

 

୩) ପେନାଲ୍‍ଟି କିକ୍‍ ମରା ଗଲାବେଳେ କିକ୍‍ ମାରୁଥିବା ଖେଳାଳୀ ଓ ବିପକ୍ଷରେ ଗୋଲ୍‍-କିପର୍‍ ଛଡ଼ା ଅନ୍ୟ କୌଣସି ଖେଳାଳୀ ଏହି ଅଞ୍ଚଳ ଭିତରେ ରହି ପାରିବେ ନାହିଁ ।

 

୪) କୌଣସି କାରଣରୁ ଯଦି ଗୋଟିଏ ଦଳ ନିଜ ପେନାଲ୍‍ଟି ଏରିଆ ଭିତରୁ ଫ୍ରି କିକ୍‍ ମାରିବାର ସୁଯୋଗ ପାଏ, ତାହାହେଲେ ଏହି ଫି କିକ୍‍ମରାଗଲାବେଳେ ବିପକ୍ଷ ଦଳର ଖେଳାଳୀମାନଙ୍କୁ ଏହି ପେନାଲ୍‍ଟି ଏରିଆର ବାହାରେ ରହିବାକୁ ପଡ଼ିବ । (୧୯୬୫ ମସିହାରୁ ଏହି ସଦ୍ଧାନ୍ତ ଚାଲୁ କରାଯାଇଛି ।)

 

କର୍ଣ୍ଣାର କିକ୍‍ ଅଞ୍ଚଳ—କର୍ଣ୍ଣାର୍‍ କିକ୍‍ ଲାଗି ପ୍ରତ୍ୟେକ କୋଣରେ ଗୋଟିଏ ଲେଖାଏଁ ଛୋଟିଆ ଅଞ୍ଚଳ ମଧ୍ୟ ଚିହ୍ନଟ କରିବା କଥା । ପ୍ରତ୍ୟେକ କୋଣକୁ କେନ୍ଦ୍ର କରି ୧ ଗଜ ବ୍ୟାସାର୍ଦ୍ଧର ଗୋଟିଏ ଲେଖାଏଁ ଚାପ ଅଙ୍କାଗଲେ ତାହା ପାର୍ଶ୍ୱ ଏବଂ ପ୍ରସ୍ଥରେଖାକୁ ଗୋଟିଏ ଲେଖାଏଁ ବିନ୍ଦୁରେ ଛେଦ କରିବ । ପ୍ରସ୍ଥରେଖା, ପାର୍ଶ୍ୱରେଖା ଏବଂ ଏହି ଚାପର ମଧ୍ୟବର୍ତ୍ତୀ ଅଞ୍ଚଳ ହେଲା କର୍ଣ୍ଣାର୍‍ କିକ୍‍ ଅଞ୍ଚଳର ଯେ କୌଣସି ସ୍ଥାନରେ ରଖି କିକ୍‍ ମରାଯିବ ।

 

ପ୍ରତ୍ୟେକ କୋଣରେ ଗୋଟିଏ ଲେଖାଏଁ ପତାକା ପୋତାଯିବା କଥା । ଏହି ପତାକାର ମଧ୍ୟ ନିର୍ଦ୍ଦିଷ୍ଟ ମାପ ଅଛି । ପତାକା ବେଣ୍ଟର ଉଚ୍ଚତା ଭୂମି ଉପରୁ ଅନ୍ତତଃ ପକ୍ଷେ ୫ ଫୁଟ ହେବା ଆବଶ୍ୟକ ଏବଂ ତାହାର ଉପର ମୁଣ୍ଡ ଗୋଜିଆ ହେବ ନାହିଁ । ମଧ୍ୟରେଖାର ଦୁଇ ମୁଣ୍ଡଠାରୁ ୧ ଗଜ ଦୂରରେ ପଡ଼ିଆ ବାହାରେ ମଧ୍ୟ ସେହି ଭଳି ପତାକା ପୋତା ଯାଇଥାଏ । ତେବେ ତାହା ବାଧ୍ୟତାମୂଳକ ନୁହେଁ । ଏଭଳି ପତାକା ପୋତାଗଲେ ତାହା ମଧ୍ୟରେଖା ଦୁଇ ମୁଣ୍ଡ ଠାରୁ ପଡ଼ିଆ ବାହାରେ ୧ ଗଜ ଦୂରରେ ପୋତାଯିବ । ପତାକାଗୁଡ଼ିକ ଖୁବ୍‍ ବଡ଼ କିମ୍ୱା ଖୁବ୍‍ ସାନ ହେବ ନାହିଁ ।

 

ପିଲାଏ, ପଡ଼ିଆ ବିଷୟରେ ଗୋଟିଏ ମୋଟା ମୋଟି ଧାରଣା ହେଲା ତ ? ଚାଲ ଏଥର ପଡ଼ିଆ ତିଆରିରେ ଲାଗିବା । ତୁମ୍ଭେମାନେ ୪ ଦଳରେ ବାଣ୍ଟି ହୋଇଯାଅ । ଗୋଟିଏ ଦଳର କାମ ହେବ ଚାକୁଣ୍ଡା ଓପାଡ଼ିବା ଓ ଢେଲାପଥର କାଢ଼ିବା । ଦ୍ୱିତୀୟ ଦଳର କାମ ହେବ ଉଇହୁଙ୍କା ତାଡ଼ି ଜମିକୁ ସମତୁଲ କରିବା । ମୋ ସାଙ୍ଗରେ ଗୋଟିଏ ଦଳ ଆସ–ଫିତା ପକାଇ ମାପଚୁପ୍‍ ଠିକ୍‍ କରିବା । ଚତୁର୍ଥ ଦଳ ଖଡ଼ିଗୁଣ୍ଡ ପକାଇ ବିଭିନ୍ନ ଅଞ୍ଚଳ ଦାଗ ଦେବ ।’’ ଏତକ କହି ସାର୍‍ ‘ରେଫେରିଜ୍‍ ଚାର୍ଟ’ ବହି, ମାପ ଫିତା ଧରି ପଡ଼ିଆ ଭିତରକୁ ଗଲେ । କୁସୁନିଆ ମଧ୍ୟ ସେମାନଙ୍କ ପଛେ ପଛେ ପଡ଼ିଆ ଭିତରକୁ ଗଲା ।

 

X      X      X

 

ବେଳବୁଡ଼ବେଳକୁ ଦେଖାଗଲା ପଡ଼ିଆ ସଫାସୁତରା ହୋଇ ଝଟକୁଛି । ସଫଳତାର ତୃପ୍ତିରେ ସମସ୍ତଙ୍କର ମନ ଭରିଗଲା । ସମସ୍ତେ ଘରକୁ ଯିବାକୁ ତିଆରି ହେଉଛନ୍ତି ଏହି ସମୟରେ ସୁରେଶ କହିଲା, ‘‘ସାର୍‍ ! କେତୁଟା କଥା ପଚାରିବାକୁ ଥିଲା ।’’

 

‘‘କି କଥା ?’’ ସାର୍‍ ପଚାରିଲେ ।

 

ସୁରେଶ—ପଡ଼ିଆର ଆକାର ନେଇ କୁସୁନିଆ ସଙ୍ଗେ ଆମର ଯେଉଁ ଭିଡ଼ାଓଟରା ଚାଲିଥିଲା, ସେ ବିଷୟରେ ତ କିଛି କହିଲେ ନାହିଁ ।

 

ସାର୍‍–ଓହୋ, ଭୁଲି ଯାଇଥିଲି । ହଉ ଶୁଣ । ସାଧାରଣତଃ ୧୧୫ ଗଜ ଲମ୍ୱ ଓ ୭୫ ଗଜ ଚଉଡ଼ା ମାପର ପଡ଼ିଆ ମ୍ୟାଚ୍‍ ଖେଳ ଲାଗି ବିଶେଷ ଉପଯୋଗୀ । ଯେଉଁ କ୍ଲବର ପଡ଼ିଆରେ ମ୍ୟାଚ୍‍ ଖେଳାଯିବ ସେହି କ୍ଲବ୍‍ ପଡ଼ିଆ ତିଆରି ଓ ସେଥିରେ ମାପଚୁପର ଦାଗ ଲାଗି ଦାୟୀ ହେବ । ପ୍ରୟୋଜନ ଦେଖା ଦେଲେ ଓ ସମ୍ଭବପର ହେଲେ ‘ହାଫ୍‍ଟାଇମ୍‍’ର ବିରତିବେଳେ ଗୋଲ୍‍ ଲାଇନ୍‍ ଏବଂ ପେନାଲ୍‍ଟି ଏରିଆର ଲାଇନ୍‍ଗୁଡ଼ିକ ଆଉ ଥରେ ନୂଆ କରି ଟଣାଯିବା ଉଚିତ୍‍ । ପଡ଼ିଆର ଦୈର୍ଘ ଓ ପ୍ରସ୍ଥ ବିଭିନ୍ନ ପ୍ରକାରର ହେଲେ ହେଁ ପଡ଼ିଆ ଭିତରର ଅଞ୍ଚଳଗୁଡ଼ିକର ମାପଚୁପ୍‍ ରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ ।

 

ସ୍କୁଲଛାତ୍ରମାନଙ୍କର ଫୁଟବଲ୍‍ ଖେଳ ଲାଗି ସବୁଠାରୁ ଛୋଟ ପଡ଼ିଆର ମାପ ୮୦x୬୦ ଗଜ ରଖିବାଲାଗି ସୁପାରିଶ କରାଯାଇଛି । ନିହାତି ସାନ ସାନ ସ୍କୁଲ ଛାତ୍ରଙ୍କ ଲାଗି ପଡ଼ିଆର ମାପ ୭୦ ଗଜ x୫୦ ଗଜ ଏବଂ ଗୋଲ ପୋଷ୍ଟର ଉଚ୍ଚତା ୬ଫୁଟ ରଖିବାକୁ କୁହାଯାଇଛି । ସେହି ଦୃଷ୍ଟିରୁ ଗୋଲପୋଷ୍ଟ ମଧ୍ୟସ୍ଥ ଦୂରତ୍ୱ କମ୍‍ ରଖା ଯାଇପାରେ । ଏଗୁଡ଼ିକ କିନ୍ତୁ ଫୁଟବଲ୍‍ ଖେଳର ନିୟମ ନୁହେଁ । ଯେଉଁ ଆସୋସିଏସନ୍‍ ସ୍କୁଲ ଛାତ୍ରଙ୍କର ଫୁଟବଲ ପ୍ରତିଯୋଗିତା କରାଉଛନ୍ତି , ସେ ଇଚ୍ଛା କଲେ ଉପରୋକ୍ତ ଭାବେ ପଡ଼ିଆ ମାପର ଅଦଳ ବଦଳ କରିପାରନ୍ତି । ଫିଫାର ନିୟମ ଅନୁସାରେ ପରିଚାଳିତ ପ୍ରତିଯୋଗିତାରେ ପଡ଼ିଆ ମାପର ଅଦଳବଦଳ କରିବାର ଅଧିକାର କାହାର ନାହିଁ । କାଲି ଫିଫା ନିୟମ ଅନୁସାରେ ଆମେ ମ୍ୟାଚ ଖେଳିବାକୁ ଚାହୁଁ । ସେଥିପାଇଁ ପଡ଼ିଆର ମାପ ୧୧୫ ଗଜ x ୭୫ ଗଜ ରଖାଯାଇଛି । ସୁରେଶ, ତୁମର ସନ୍ଦେହ ଦୂର

ହେଲା ତ ?

 

ହେରମ୍ୱ—ସାର୍‍, ଆଉ ଗୋଟିଏ କଥା ପଚାରିବାକୁ ଅଛି । ଯଦି କ୍ରଶ–ବାର ବଙ୍କା ଥାଏ ବା ତଳକୁ ଝୁଲି ପଡ଼ିଥାଏ, ତାହାହେଲେ ସେଭଳି ପୋଷ୍ଟରେ ଗୋଲ୍‍ ହେଲେ ତାହା କଅଣ ଧରାଯିବ ?

 

ସାର୍‍—ଗୋଲପୋଷ୍ଟ ଏବଂ କ୍ରଶ–ବାର୍‍ର ମାପଚୁପ ବିଷୟରେ ନିୟମରେ ଯାହା କୁହାଯାଇଛି ତହିଁରେ ଟିକିଏ ଅନ୍ୟଥା ହେଲେ ଖେଳ ତ ହୋଇପାରିବ ନାହିଁ । ଗୋଲ ହେବା ବା ନ ହେବା ପ୍ରଶ୍ନ କେଉଁଠି ଉଠୁଛି ? ମନେକର ଖେଳ ଚାଲିଥିଲା ବେଳେ କ୍ରଶ–ବାର୍‍ ତଳକୁ ଝୁଲିପଡ଼ିଲା ବା ଭାଙ୍ଗିଗଲା । ସେଭଳି ଅବସ୍ଥାରେ ଯଦି ରେଫରୀଙ୍କ ହାତରେ ସମୟ ଥାଏ ଏବଂ ନୂଆ କ୍ରଶ–ବାର୍‍ ଲଗାଇବା ସମ୍ଭବ ହୁଏ, ତେବେ ସେ ନୂଆ କ୍ରଶ–ବାର୍‍ ଲଗାଇ ଖେଳ ଚାଲୁ ରଖିପାରନ୍ତି । ନଚେତ୍‍ ଯେଉଁ ମୁହୂର୍ତ୍ତରେ କ୍ରଶ–ବାର୍‍ ତଳକୁ ଝୁଲି ପଡ଼ିଲା ବା ଭାଙ୍ଗିଗଲା, ସେହି ମୁହୂର୍ତ୍ତରେ ଖେଳ ବନ୍ଦ କରିଦେବେ । କ୍ରଶ–ବାର୍‍ ସ୍ଥାନରେ ଦଉଡ଼ି ବାନ୍ଧି କୌଣସିମତେ ଖେଳ ହୋଇପାରିବ ନାହିଁ, କଅଣ ପିଲାଏ ବୁଝିଲ ?

 

ସୁରେଶ–ସାର୍‍, ଆଉ ଗୋଟିଏ କଥା ଜାଣିବାକୁ ଅଛି ।

 

ସାର୍‍–କିହୋ, ଅନ୍ଧାର ହେଲାଣି ଘରକୁ ଯିବ ନାହିଁ କି ? ଆଚ୍ଛା ହଉ । କଅଣ ପଚାରୁଛ ପଚାର ।

 

ସୁରେଶ–ପ୍ରତ୍ୟେକ ଅଞ୍ଚଳକୁ ଚିହ୍ନଟ କରିବାଲାଗି ଯେଉଁ ଦାଗ ଦିଆଯାଇଛି ତାହା ସେହି ଅଞ୍ଚଳର ଅଂଶ କି ନୁହଁ ?

 

ସାର୍‍–ଭଲ ପ୍ରଶ୍ନଟିଏ ପଚାରିଛ । ଅଞ୍ଚଳକୁ ଚିହ୍ନଟ କରୁଥିବା ଦାଗ ବା ଲାଇନ୍‍ସେହି ଅଞ୍ଚଳର ଅଂଶ । ଏହି ଦାଗ ବା ଲାଇନ୍‍ ଉପରେ କୌଣସି ତ୍ରୁଟି ବିଚ୍ୟୁତି ଘଟିଲେ ତାହା ସେହି ଅଞ୍ଚଳରେ ଘଟିଲା ବୋଲି ଧରାଯିବ ଏବଂ ସେହି ଅନୁସାରେ ବିଧାନ କରାଯିବ । ହେଲା ତ ? କାଲି ୪ଟା ବେଳେ ମ୍ୟାଚ୍‍ ଆରମ୍ଭ ହେଉଛି ନା ? ତୁମ୍ଭେମାନେ ସମସ୍ତେ ୩ଟା ବେଳେ ପଡ଼ିଆରେ ହାଜର ଥିବ । ଆଜି ଏତିକି ଥାଉ । ଚାଲ ଘରକୁ ଯିବା ।

 

ଏହା କହି ସାର୍‍ସାଇକେଲ୍‍ଚଢ଼ି ପଡ଼ିଆରୁ ବାହାରିଗଲେ । ପିଲାମାନେ ମଧ୍ୟ ତାଙ୍କ ପଛେ ପଛେ ଯେ ଯାହାର ଘରକୁ ବାହୁଡ଼ିଲେ ।

Image

 

ଦ୍ୱିତୀୟ ଅଧ୍ୟାୟ

 

ରବିବାର ଉପରବେଳା । ସମୟ ପ୍ରାୟ ୩ଟା ।

 

‘‘ବି’ ଟିମ୍‍ ପଡ଼ିଆର ଦୁଇ ମୁଣ୍ଡରେ ଦୁଇ ସ୍କୁଲର ସପ୍ତମଶ୍ରେଶୀର ପିଲାମାନେ ଆସି ଠୁଳ ହେଲେଣି । ପଡ଼ିଆର ଦୁଇ ଅଧରେ ଦୁଇ ଦଳର ଖେଳାଳୀ ଓ ଅଖେଳାଳୀମାନେ ଏକାଠି ପ୍ରାକ୍‍ଟିସ୍‍(Practice)କରୁଛନ୍ତି । ଖେଳାଳୀଙ୍କଠାରୁ ଅଖେଳାଳୀଙ୍କର ସଂଖ୍ୟା ଅଧିକ । ପାଟିତୁଣ୍ଡରେ ପଡ଼ିଆ କମ୍ପୁଛି । କୁସୁନିଆ ଦୁଇ ଗୋଲପୋଷ୍ଟରେ ନେଟ୍‍ (ଜାଲ), ଚାରି କୋଣରେ ଗୋଟିଏ ଲେଖାଏଁ ପତାକା ଏବଂ ହାଫଉୟେ ଲାଇନ୍‍ର ଦୁଇ ମୁଣ୍ଡଠାରୁ ୧ ଗଜ ଦୂରରେ ଦୁଇଟି ପତାକା ପୋତିସାରି ପଡ଼ିଆର ଉପରମୁଣ୍ଡ ଗଛତଳେ ଛିଡ଼ା ହୋଇଛି । ଖେଳ ଆରମ୍ଭ ହେବାକୁ ସେତେବେଳେ ପ୍ରାୟ ଅଧଘଣ୍ଟାଏ ବାକି । କଲେଜିଏଟ୍‍ ପିଲା ସାର୍‍ଙ୍କ ବାଟ ଚାହିଁ ରହିଛନ୍ତି । କାରଣ ସେ ଦିନର ମ୍ୟାଚ୍‍ର ସେ ରେଫରୀ ।

 

୪ଟା ବାଜିବାକୁ ପ୍ରାୟ ୧୫ମିନିଟ୍‍ବାକି ଅଛି, ସାର୍‍ପଡ଼ିଆ ପାଖରେ ଆସି ପହଞ୍ଚିଲା । ପୋଷାକ ଏକବାର ବଡ଼ ଖେଳର ରେଫରୀ ଭଳି କଳା ହାଫ୍‍ପ୍ୟାଣ୍ଟ, କଳା ସାର୍ଟ, କଳା ମୋଜା ଓ ପାଦରେ କଳା ରଙ୍ଗର ଫୁଟବଲ୍‍ବୁଟ୍‍। ବେକରେ ଝୁଲୁଛି ହୁଇସିଲଟିଏ, ଦୁଇହାତର କବ୍‍ଜିରେ ବନ୍ଧା ହୋଇଛି ଗୋଟିଏ ଲେଖାଏ ରିଷ୍ଟଓ୍ୟାଚ୍‍ । ସାର୍‍ଙ୍କ ସାଙ୍ଗରେ ଆସିଛନ୍ତି ୧୦ମ ଶ୍ରେଣୀର ଦୁଇଜଣ ଛାତ୍ର–ସେମାନଙ୍କର ପୋଷାକର ରଙ୍ଗ ପୁରାପୁରୀ ଧଳା । ସେମାନେ ପନ୍ଧିଛନ୍ତି ଧଳା ହାଫ୍‍ପ୍ୟାଣ୍ଟ ଧଳା ହାଫ୍‍ସାର୍ଟ, ଗୋଡ଼ରେ ଧଳା ହାଫ୍‍ସାର୍ଟ, ଗୋଡ଼ରେ ଧଳା ମୋଜା ଓ ଧଳା କେଟ୍‍ସ୍‍ଜୁତା ସାର୍‍ଙ୍କୁ ଦେଖିବାମାତ୍ରେ କୁସୁନିଆ ଦୌଡ଼ିଆସିଲା, ଆଉ ଆସିବେ କଲେଜିଏଟ୍‍ ସ୍କୁଲରେ କେତେଜଣ ପିଲା । କୁସୁନିଆ ଜିମା ସାଇକେଲ୍‍ଦ ଦଉ ଦେଉ ସାର୍‍ କହିଲେ, ‘‘କୁସୁନ, ପଡ଼ିଆକୁ ଆସିଲାବେଳେ ତୁମ ବଖରାରେ ସେ ବଲ୍‍ ଦୁଇଟି ଦେଖି ଆସିଛି । ସେ ଦୁଇଟାକୁ ପାଖରେ ଆଣି ରଖ ଦରକାର ହୋଇପାରେ ।’’ ପିଲାମାନେ କଅଣ କହିବାକୁ ଯାଉଥିଲେ; କିନ୍ତୁ ସାର୍‍ ସେମାନଙ୍କୁ କୌଣସି ସୁଯୋଗ ନ ଦେଇ ୧୦ମ ଶ୍ରେଣୀର ଛାତ୍ର ଦୁଇଜଣଙ୍କୁ ସାଙ୍ଗରେ ଧରି ପଡ଼ିଆ ଭିତରକୁ ପଶିଗଲେ । ଦୁଇପାଖର ଗୋଲ୍‍ ପୋଷ୍ଟ, ସେଥିରେ ବନ୍ଧା ହୋଇଥିଲା ନେଟ୍‍ ଓ ଚାରି କୋଣରେ ପୋତା ଯାଇଥିବା ପତାକାଗୁଡ଼ିକ ପରୀକ୍ଷା କରି ପଡ଼ିଆ ମଝିକୁ ଆସି ହୁଇସିଲ୍ ଫୁଙ୍କିଲେ–ଫୁର୍‍ର, ଫୁର୍‍ର ।

 

ହୁଇସିଲ୍‍ ଶୁଣିବା ମାତ୍ରେ ଦୁଇ ଦଳର କ୍ୟାପଟେନ୍‍ ସୁରେଶ (କଲେଜିଏଟ୍‍) ଏବଂ ଅନିରୁଦ୍ଧ (ରାଣୀହାଟ) ନିଜ ନିଜ ଦଳର ବଲ୍‍ଟିମାନ ଧରି ପଡ଼ିଆ ମଝିରେ ଯାଇ ହାଜର ହେଲେ । ରେଫରୀ ପ୍ରଥମେ ଦୁଇ କ୍ୟାପଟେନ୍‍ଙ୍କ ସହିତ ହାତ ମିଳାଇଲେ, ତାପରେ ସେ ଦୁଇଜଣଙ୍କର ହାତ ମିଳାଇଦେଲେ । ସାର୍‍ ପକେଟରୁ ଗୋଟିଏ ଆଠଣି ବାହାର କରି, କ୍ୟାପଟେନ୍‍ଦ ଦୁଇଜଣଙ୍କୁ କହିଲେ, ‘‘ଏଥର ଟସ୍‍ (Toss) କରାଯିବ । କାହାର କେଉଁପଟ ?’’ ସୁରେଶ ବାହାରି ପଡ଼ି କହିଲା, ‘‘ସାର୍‍, ଆମର ମୁଣ୍ଡପଟ ।’’

 

ସାର୍‍ କହିଲେ, ‘‘ତାହାହେଲେ କଲେଜିଏଟ୍‍ର ମୁଣ୍ଡପଟ ଓ ରାଣୀହାଟ ପଛପଟ । ଠିକ୍‍ ତ ? ଅନିରୁଦ୍ଧ ଟସ୍‍କର ।’’ ଏହା କହି ଅନିରୁଦ୍ଧକୁ ଆଠଣିଟି ଦେଲେ । ଅନିରୁଦ୍ଧ ଡାହାଣ ହାତର ବୁଢ଼ା ଓ ତର୍ଜନୀ ଆଙ୍ଗୁଠି ଉପରେ ଆଠଣିଟି ରଖି ଉପରକୁ ଫିଙ୍ଗିଲା । ଆଠଣିଟି କିଛିକ୍ଷଣ ଶୂନ୍ୟରେ ଘୂରି ଘୂରି ତଳେ ପଡ଼ିଲା ପରେ ଦେଖାଗଲା ଯେ, ପଛପଟ ଉପରକୁ ରହିଛି ।

 

‘‘ଟସ୍‍ ରେ ରାଣୀହାଟ ଜିଣିଛି । ତେଣୁ ପ୍ରଥମେ କିକ୍‍ ଅଫ୍‍ବା ନିଜ ମନମୁତାବକ ପଡ଼ିଆର ଦକ୍ଷିଣ ପାଖ ବା Side ବାଛି ନେବାକୁ ହକ୍‍ଦାର ରାଣୀହାଟ । କଅଣ ଚାହୁଁଛ ଅନିରୁଦ୍ଧ-?’’ ସାର୍‍ ପଚାରିଲେ, ‘‘ସାର୍‍, ମୁଁ ପଡ଼ିଆର ଦକ୍ଷିଣପାଖ ବାଛିଲି । ଦକ୍ଷିଣ ପାଖରେ ରହି ଆମେ ଖେଳ ଆରମ୍ଭ କରିବୁ ।’’ ଅନିରୁଦ୍ଧ ଉତ୍ତର ଦେଲା ।

 

‘‘ହଉ ହେଲା, ତାହାହେଲେ ତୁମ ଖେଳାଳୀମାନଙ୍କୁ ଦକ୍ଷିଣପାଖକୁ ଯିବାକୁ କହ । କଲେଜିଏଟ୍‍ଟିମ ଉତ୍ତରପଟେ ରହି ଖେଳ ଆରମ୍ଭ କରିବେ । ହଁ, ଖେଳ ଆରମ୍ଭ ହେବା ପୂର୍ବରୁ ମୁଁ ଦୁଇ ଦଳର ଖେଳାଳୀମାନଙ୍କର ପୋଷାକ ପରିଚ୍ଛଦ ପରୀକ୍ଷା କରିବି । ଆଚ୍ଛା, ଏହିକ୍ଷଣି ନିଜ ନିଜ ଦଳର ଖେଳାଳୀମାନଙ୍କୁ ଯେ ଯାହାର ପଟକୁ ଯିବାକୁ ଆଦେଶ ଦିଅ । ଏହା ପରେ ପ୍ରତ୍ୟେକ ଦଳର ବଲ୍‍ ମଧ୍ୟ ପରୀକ୍ଷା କରାଯିବ ।’’ ସାର୍‍ କହିଲେ ।

 

ସୁରେଶ ଏବଂ ଅନିରୁଦ୍ଧ ନିଜ ନିଜ ଦଳର ବଲ୍‍ସାର୍‍ଙ୍କ ପାଖକୁ ଗଡ଼ାଇଦେଲେ । ରାଣୀହାଟ ଦଳର ବଲ୍‍ବୋଇତି କଖାରୁ ଭଳି ବିରାଟ କାୟ ହେଲାବେଳକୁ କଲେଜିଏଟ୍‍ଦଳର ବଲ୍‍ ବେଲ ଭଳି ଟାଣ । ଦୁଇଟାଯାକ ବଲ୍‍ପରୀକ୍ଷା କରି ସାର୍‍ କହିଲେ, ‘‘ଉହୁଁ–କୌଣସି ବଲ୍‍ ମ୍ୟାଚ୍‍ର ଉପଯୁକ୍ତ ନୁହେଁ । କୁସୁନକୁ ଡାକ ।’’

 

ବଲ୍‍–ସଙ୍ଗେ ସଙ୍ଗେ କୁସୁନିଆକୁ ଡକରା ହେଲା । କୁସୁନିଆ ସାର୍‍ଙ୍କ ନିକଟରେ ପହଞ୍ଚନ୍ତେ ସାର୍‍ ହିଲେ, ‘‘କୁସୁନ, ସେ ମ୍ୟାଗ୍ରିଗର ବଲ୍‍ଟା ଆଣ । ଆଜି ସେଥିରେ ଖେଳ ହେବ ।’’ କୁସୁନ ଦୌଡ଼ିଲା ବଲ୍‍ ଆଣିବାକୁ । ଇତ୍ୟବସରେ ସାର୍‍ ଦୁଇ ଦଳର କ୍ୟାପଟେନ୍‍ଙ୍କୁ କହିଲେ, ‘‘ଏମିତି ବଲ୍‍ ଆଣିଛ ଯେ, ସେଥିରେ ମ୍ୟାଚ୍‍ ଖେଳି ହେବ ନାହିଁ । କହିଲ ଭଲା, ମ୍ୟାଚ ଲାଗି ବଲ୍‍ କି ପ୍ରକାର ହେବା ଆବଶ୍ୟକ ?’’ ଅନିରୁଦ୍ଧ ପ୍ରଥମେ ଉତ୍ତର ଦେଲା । ‘‘ସାର୍‍, ପାଞ୍ଚ ନମ୍ୱର ବଲରେ ତ ମ୍ୟାଚ୍‍ ଖେଳିବା କଥା । ଆମ ବଲ୍‍ତ ପାଞ୍ଚ ନମ୍ୱର; ତାହା ଛଡ଼ା ଏମିତି ଭାବରେ ଲେସ୍‍ କରାଯାଇଛି ଯେ, ଟିକିଏ ହେଲେ ଗୋଜ ଦିଶୁ ନାହିଁ । ତେଣୁ ଦୋଷଟା କେଉଁଠି ରହିଲା ବୁଝି ପାରୁନାହିଁ ।’’

 

ସାର୍‍—ସୁରେଶକୁ ପଚାରିଲେ, ‘‘ସୁରେଶ, ଦୋଷ କେଉଁଠି ରହିଲା କହି ପାରିବ ?’’

 

ସୁରେଶ–ରାଣୀହାଟର ବଲ୍‍ ପାଞ୍ଚନମ୍ୱର ସତ; କିନ୍ତୁ ସେଥିରେ ପବନ କମ୍‍ ଅଛି । ସେ ଦୃଷ୍ଟିରୁ ଆମ ବଲ୍‍ତ ଠିକ୍‍ ଥିଲା । ଛିଡ଼ା ହୋଇ ଅଣ୍ଟାଏ ଉଚ୍ଚରୁ ବଲ୍‍କୁ ଛାଡ଼ିଦେଲେ ତାହା ଭୂଇଁରେ ପିଟି ହୋଇ ପୁଣି ଅଣ୍ଟାଏ ଉଚ୍ଚକୁ ଉଠିବ । ଆମ ବଲ୍‍କୁ ଯେ କାହିଁକି ନାକଚ କଲେ ବୁଝିପାରିଲି ନାହିଁ ।’’

 

ସାର୍‍—ଦେଖୁଛି, ଫୁଟବଲ୍‍ ଖେଳର ନିୟମ ବିଷୟରେ ତୁମ୍ଭମାନଙ୍କର କୌଣସି ଜ୍ଞାନ ନାହିଁ କହିଲେ ଚଳେ । ଏଥିଯୋଗୁଁ କେମିତି ଯେ ଖେଳ ହେବ, ବୁଝିପାରୁ ନାହିଁ । ବଲ୍‍ର ନମ୍ୱର ସଙ୍ଗେ ଖେଳର କୌଣସି ସମ୍ପର୍କ ନାହିଁ । ବଲ୍‍ର ଆକାର, ପରିଧି ଓ ଓଜନ ହେଲା ଅସଲ କଥା । ଦେଖୁଛି, ସେ ବିଷୟରେ ତୁମ୍ଭେମାନେ କିଛି ଜାଣ ନାହିଁ ।’’

 

ଅନିରୁଦ୍ଧ–ସାର୍‍, ଫୁଟବଲ୍‍ର ନିୟମକାନୁନ ଯେ ବିଶେଷ କିଛି ଜାଣିଛୁଁ ସେ କଥା ଆମେ କହୁନାହୁଁ । ଜାଣିବୁ ବା କେମିତି ? ଆମକୁ ତ କେହି ସେ ଦିଗରେ କିଛି ଶିକ୍ଷା ଦେଇ ନାହାନ୍ତି । ଓଡ଼ିଆରେ ସେମିତି ବହି ନାହିଁ ଯେ, ପଢ଼ି ଶିଖିବୁ । ଅନ୍ୟମାନଙ୍କୁ ଖେଳିବାକୁ ଦେଖି ଅନ୍ଦାଜରେ ଯାହା ଶିଖିଛୁ । ଅନ୍ଦାଜ ଉପରେ ନିର୍ଭର କରି ଖେଳୁଛୁ ମଧ୍ୟ । ତେଣୁ ଆମକୁ ଦୋଷ ଦେଲେ ଚଳିବ କେମିତି ?’’

 

ଅନିରୁଦ୍ଧର କଥାଗୁଡ଼ାକ ସାର୍‍ଙ୍କ ମନକୁ ଭାରି ପାଇଲା । ସାର୍‍ କହିଲେ ‘‘ଅନିରୁଦ୍ଧ, ତୁମେ ଯାହା କହିଲ, ତାହା ଏକବାରେ ସତ । ପାଠ ଭଳି ଫୁଟବଲ୍‍ ଖେଳ, ବିଶେଷ କରି ତାହାର ନିୟମଗୁଡ଼ିକ ଶିଖିବାକୁ ପଡ଼ିବ । କାରଣ, ନିୟମ ନ ଜାଣି ଫୁଟବଲ ଖେଳିଳେ ଗୋଳମାଳ ନିଶ୍ଚୟ ଉପୁଜିବ । କାରଣ, ନିୟମ ନ ଜାଣି ଫୁଟବଲ ଖେଳିଲେ ଗୋଳମାଳ ନିଶ୍ଚୟ ଉପୁଜିବ । ତୁମ୍ଭମାନଙ୍କୁ ଫୁଟବଲ୍‍ର ନିୟମକାନୁନ ଜଣା ନାହିଁ ବୋଲି ଦୋଷ ଦେଉନାହିଁ । ଆମ ଦେଶର ଅଧିକାଂଶ ଖେଳାଳୀ ଓ ଦେଖଣାହାରୀଙ୍କୁ ଏ ନିୟମ ଜଣା ନାହିଁ । ସେଥିପାଇଁ ଏତେ ଗୋଳମାଳ ଏବଂ ରେଫରୀ ଉପରେ ଏତେ ଗାଳିମାଡ଼ । ମୁଁ ତ ଭାବୁଛି, ଏ ମ୍ୟାଚ ନ ଖେଳି ଖେଳର ନିୟମାବଳୀ ବିଷୟରେ ଆଲୋଚନା କଲେ ଭଲ ହୁଅନ୍ତା । ତେବେ ତାହା ତ ସମ୍ଭବ ନୁହେଁ । ଯାହାହେଉ ତୁମ ଦୁଇ ଦଳ ଯଦି ରାଜିଥାଅ, ତେବେ ଆଜି ମ୍ୟାଚ୍‍ ଚାଲିଥିଲାବେଳେ ଦରକାର ପଡ଼ିଲେ ଖେଳର କେତେକ ବିଶେଷ ବିଶେଷ ନିୟମ ତୁମ୍ଭମାନଙ୍କୁ ବୁଝାଇବି–ଆଉ ଖେଳ ଶେଷ ହେବାପରେ ଏକାଠି ବସି ଆଲୋଚନା କରିବା । ସାର୍‍ଙ୍କ କଥା ଶେଷ ହେବାପରେ ଏକାଠି ବି ଆଲୋଚନା କରିବା । ସାର୍‍ଙ୍କ କଥା ଶେଷ ନ ହେଉଣୁ ଅନିରୁଦ୍ଧ କହିଲା, ‘‘ସାର୍‍, ଆମେ ଏ ପ୍ରସ୍ତାବରେ ରାଜି । ଖେଳର ନିୟମଗୁଡ଼ିକ ଆମେ ଭଲଭାବେ ଶିଖିବାକୁ ଚାହୁଁ ।’’ ସୁରେଶ ମଧ୍ୟ ଅନିରୁଦ୍ଧର କଥାକୁ ସମର୍ଥନ କଲା ।

 

ସାର୍‍ କହିଲେ, ‘‘ଭଲ କଥା, ତାହାହେଲେ ସେହି ଅନୁସାରେ ଆଜି ଖେଳ ହେବ । ତୁମ୍ଭେମାନେ ତୁମ ଖେଳାଳୀଙ୍କୁ ଏ ରାଜିନାମା କଥା ଜଣାଇ ଦିଅ । ତାହାହେଲେ ପଛନ୍ତେ ସେମାନେ ଆପତ୍ତି କରିବେ ନାହିଁ । ଆଉ ଗୋଟିଏ କଥା–ଏ ପ୍ରସ୍ତାବ ଅନୁସାରେ ଖେଳ ହେଲେ; ମ୍ୟାଚର ସମୟ ଦରକାର ପଡ଼ିଲେ ବଢ଼େଇବାକୁ ପଡ଼ିବ । ସେଥିରେ ତୁମ୍ଭମାନଙ୍କର ଆପତ୍ତି ନାହିଁ ତ ?’’

 

ସେମାନଙ୍କର ଯେ ଆପତ୍ତି ନାହିଁ, ସେ କଥା ସୁରେଶ ଓ ଅନିରୁଦ୍ଧ ସମସ୍ୱରରେ ଜଣାଇଲେ ।

 

ସାର୍‍ ଦୁଇ କ୍ୟାପଟେନ୍‍ଙ୍କ ସଙ୍ଗେ ଆଲୋଚନାରେ ବ୍ୟସ୍ତ ଥିବା ଯୋଗୁ କୁସୁନିଆ ଯେ କେତେବେଳୁ ବଲ୍‍ ଧରି ଛିଡ଼ା ହୋଇଛି, ସେ କଥା ଲକ୍ଷ୍ୟ କରି ନ ଥିଲେ । କୁସୁନିଆ ଉପରେ ଦୃଷ୍ଟି ପଡ଼ିବାମାତ୍ରେ କହିଲେ, ‘‘କୁସୁନ, ବଲ୍‍ ଦିଅ । ଏହାର ମାପ ଓ ଓଜନ ଠିକ୍‍ ଅଛି ତ ?’’

 

କୁସୁନି–ଆଜ୍ଞା, ଏକବାରେ ଠିକ୍‍ ଅଛି । ଏହାର ଗୋଲେଇ ୨୭/୧/୨ ଇଞ୍ଚ ଓ ଓଜନ ୧୫ ଆଉନ୍‍ସ ।

 

ସାର୍‍–ଠିକ୍‍ ଅଛି । ତୁମେ ଟିକିଏ ଅପେକ୍ଷା କର ।

 

ଦ୍ୱିତୀୟ ନିୟମ–

 

ଉପକରଣ ବଲ୍‍ – ତା ପରେ ସୁରେଶ ଓ ଅନିରୁଦ୍ଧକୁ ଚାହିଁ କହିଲେ, ପ୍ରଥମେ ବଲ୍‍ ବିଷୟରେ କହିବି । ଫୁଟବଲ୍‍ ଖେଳରେ ଦ୍ୱିତୀୟ ନିୟମ ହେଲା ବଲ୍‍ ସମ୍ପର୍କରେ । ବର୍ତ୍ତମାନ ବଲ୍‍ ସମ୍ପର୍କୀୟ ନିୟମଟି କହେ ।

 

୧) ବଲ୍‍ର ଆବରଣ ଚମଡ଼ାରେ ତିଆରି ହେବା ଆବଶ୍ୟକ ଏବଂ ବଲରେ ଏପରି କୌଣସି ଜିନିଷ ବ୍ୟବହାର କରାଯିବ ନାହିଁ, ଯାହା ଖେଳାଳୀ ପକ୍ଷରେ ବିପଦର କାରଣ ହୋଇପାରେ ।

 

୨) ଏହାର ଗୋଲେଇ ୨୭ ଇଞ୍ଚରୁ କମ୍‍ ବା ୨୮ ଇଞ୍ଚରୁ ଅଧିକ ହେବ ନାହିଁ ।

 

୩) ଏହାର ଓଜନ ୧୪ ଆଉନ୍‍ସରୁ କମ୍‍ ଏବଂ ୧୬ ଆଉନ୍‍ସରୁ ଅଧିକ ହେବ ନାହିଁ ।

 

୪) ବଲ୍‍ ସମ୍ପର୍ଣ୍ଣ ଗୋଲାକାର ହେବା ଆବଶ୍ୟକ ।

 

୫) ରେଫରୀଙ୍କର ଅନୁମତି ବିନା ଖେଳ ଚାଲିଥିଲା ବେଳେ ବଲ୍‍ ବଦଳା ଯାଇପାରିବ ନାହିଁ ।

 

ରାଣୀହାଟ ଦଳର ବଲ୍‍ ବୋଇତି କଖାରୁ ଭଳି ହୋଇଛି; ଅର୍ଥାତ୍‍ ଏହା ଗୋଲାକାର ନୁହେଁ । ତାହାଛଡ଼ା ଏହାର ଗୋଲେଇ ୨୮ ଇଞ୍ଚରୁ ଅଧିକ । ମୋର ମନେ ହୁଏ, ଏହାର ଓଜନ ମଧ୍ୟ ୧୬ ଆଉନ୍‍ସରୁ ବେଶୀ ହେବ । ଏହି ଦୋଷ ଯୋଗୁଁ ଏ ବଲ୍‍ ମ୍ୟାଚରେ ବ୍ୟବହାର ପାଇଁ ଅଯୋଗ୍ୟ । କଲେଜିଏଟ୍‍ ଦଳରେ ବଲ୍‍ଟି ଆକାରରେ ସାନ ଏବଂ ଓଜନରେ ୧୬ ଆଉନସ୍‍ରୁ ଅଧିକ । ତାହା ଛଡ଼ା ସେଥିରେ ଆବଶ୍ୟକ ପରିମାଣରୁ ଅଧିକ ପବନ ପୂରାଯାଇଛି । ଏହି ସବୁ କାରଣରୁ ଉଭୟ ଦଳର ବଲ୍‍ ନାକଚ କରାଗଲା । ତୁମ ଭଳି ସାନ ପିଲାଙ୍କ ମ୍ୟାଚ ୪ ନମ୍ୱର ବଲ୍‍ ରେ (ଅର୍ଥାତ୍‍ ଯାହାର ପରିଧି ୨୫/୨୬ ଇଞ୍ଚ ଏବଂ ଓଜନ ୧୨/୧୩ ଆଉନସ୍‍) ଖେଳା ଯାଇପାରେ । ତେବେ ଆଜି ଆମ୍ଭେମାନେ ସାନପିଲାଙ୍କ ଭଳି ମ୍ୟାଚ ଖେଳିବାକୁ ଯାଉନାହୁଁ । ଆଜି ଠିକ୍‍ ନିୟମାନୁସାରେ ଖେଳ ହେବ । ହଁ, ବଲ୍‍ ବିଷୟରେ ଆହୁରି କେତୋଟି କଥା କହିରଖେ ।

 

୬) ଖେଳ ଚାଲିଥିଲା ବେଳେ ବଲ୍‍ର ପରିଧି ଏବଂ ଓଜନରେ ଯଦି ତାରତମ୍ୟ ଦେଖାଦିଏ; ଅର୍ଥାତ୍‍ ତାହାର ଗୋଲେଇ ବଡ଼ କିମ୍ୱା ସାନ ହୁଏ କିମ୍ୱା ଓଜନ କମିଯାଏ, ତେବେ ଠିକ୍‍ ମାପର ଅନ୍ୟ ଗୋଟିଏ ବଲ୍‍ ନ ମିଳିବା ପର୍ଯ୍ୟନ୍ତ ରେଫରୀ ସେହି ପୁରୁଣା ବଲ୍‍ ରେ ଖେଳ ଚାଲୁ ରଖିବେ ।

 

୭) କିନ୍ତୁ ଯଦି ହଠାତ୍‍ ବଲ୍‍ଟି ଫାଟିଯାଏ ବା ସେଥିରୁ ପବନ ବହାରିଯାଏ, ତେବେ ଖେଳ ତତ୍‍କ୍ଷଣାତ୍‍ ବନ୍ଦ କରିବାକୁ ପଡ଼ିବ ଏବଂ ପଡ଼ିଆର ଯେଉଁ ସ୍ଥାନରେ ବଲ୍‍ଟି ଅକାମୀ ହେଲା, ନୂଆ ବଲ୍‍ ଆସିଲାମାତ୍ରେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ରେଫରୀ ବଲ୍‍ ଡ୍ରପ (Drop) ପକାଇ ଖେଳ କରିବେ ।

 

୮) ଖେଳ ବନ୍ଦ ହେଲାବେଳେ ଅର୍ଥାତ୍‍ ଆଉଟ୍‍ (Out) ବା ଓଭର (Over) ହେଲା ପରେ ଯଦି ବଲ୍‍ ଅକାମୀ ହୋଇଯାଏ, ତେବେ ନୂଆ ବଲ୍‍ ଦ୍ୱାରା ଆବଶ୍ୟକୀୟ ଗୋଲ୍‍ କିକ୍‍, କର୍ଣ୍ଣର କିକ୍ ବା ଥ୍ରୋ ଇନ୍‍ କରାଇ ଖେଳ ଆରମ୍ଭ କରାଯିବ ।

 

୯) ଯେଉଁ ବଲ୍‍ ରେ ଖେଳ ଆରମ୍ଭ କରାଯାଇଛି, ସେଥିରେ କୌଣସି ଦୋଷ ଦେଖା ନ ହେଲା ପର୍ଯ୍ୟନ୍ତ ବଲ୍‍ ରେ ଖେଳ ଶେଷ କରିବାକୁ ପଡ଼ିବ ।

 

‘‘ବଲ୍‍ ସମ୍ପର୍କରେ ଏହା ହେଲା ନିୟମ । ଏ ସବୁ କଥା ମନେ ରହିବ ଟି ?’’ ସାର୍‍ଙ୍କ କଥା ଶେଷ ନ ହେଉଣୁ ସୁରେଶ କହିଲା, ‘‘ସାର୍‍, ବଲ୍‍ର ରଙ୍ଗ ଏବଂ ପମ୍ପ ବିଷୟରେ ତ କିଛି କହିଲେ ନାହିଁ ?’’

 

ସାର୍‍ –ଅସଲ କଥା ମନେ ପକାଇ ଦେଇଛି ସୁରେଶ । ବଲ୍‍ ସମ୍ପର୍କରେ ଆହୁରି କେତୋଟି କଥା କହେ । ବଲ୍‍ ଦୁଇ ପ୍ରକାର–(୧) ଲେସ୍‍ଯୁକ୍ତ ବଲ୍‍ ଏବଂ (୨) ଭାଲ୍‍ବଟିଉବ୍‍ ବଲ୍‍-। ଏହି ଦୁଇ ପ୍ରକାର ବଲ୍‍ ଆଇନ୍‍ସମ୍ମତ । ବଲ୍‍ର ରଙ୍ଗ ବିଷୟରେ ନିୟମରେ କିଛି ଲେଖା ନାହିଁ । ତେବେ ମାଟିଆ (Brown), ନାରଙ୍ଗି (Orange) ବା ଧଳା ରଙ୍ଗର ବଲ୍‍ ବ୍ୟବହାର କରିବା ବାଞ୍ଛାନୀୟ । ବଲ୍‍ ଖେଳାଳୀ ପକ୍ଷରେ ବିପଜ୍ଜନକ ନ ହୁଏ ଏବଂ ତାହାର ଆକାର ବିକୃତ ନ ହୁଏ । ପମ୍ପ ଅର୍ଥାତ୍‍ ବଲ୍‍ ରେ କେତେ ପବନ ପୂରାଯିବ, ସେ ବିଷୟରେ ନିୟମରେ କିଛି ଉଲ୍ଲେଖ ନାହିଁ । ତେବେ ଏଭଳି ଭାବେ ପବନ ପୂରାଇବା ଆବଶ୍ୟକ, ଯାହା ଫଳରେ କି ବଲ୍‍ର ଆବରଣ (Cover) ଉପରେ ପ୍ରତି ବର୍ଗ ଇଞ୍ଚରେ ୧୭/୧୮ ପାଉଣ୍ଡ ବାୟୁ ଚାପ ରହିବ । ବଲ୍‍ର ଆକାର ଓ ଓଜନ କମ୍‍ ବା ବେଶୀ ହେଲେ ସେଥିରେ ମ୍ୟାଚ ଖେଳା ଯାଇପାରିବ ନାହିଁ । ବର୍ଷା ଭିତରେ ଖେଳ ହେଲେ ବଲ୍‍ର ଓଜନ ବଢ଼ିବା ସମ୍ଭବ । ତେଣୁ ଯେଉଁ ଓଜନ କଥା କୁହାଯାଇଛି, ତାହା ଖେଳ ଆରମ୍ଭ ବେଳେ ବଲ୍‍ର ଓଜନ ବୋଲି ଧରାଯିବ । ଆଜିକାଲି ଓ୍ୟାଟରପ୍ରୁଫ୍‍ ବଲ୍‍ ମିଳିଲାଣି । ବର୍ଷା କାଦୁଅରେ ଏ ବଲ୍‍ର ଓଜନରେ ସେଭଳି ବିଶେଷ ତାରତମ୍ୟ ଘଟେ ନାହିଁ । ବୁଝିଲ ତ । ଆଉ ଗୋଟିଏ କଥା କହି ରଖେ । ଖେଳ ଚାଲିଥିବା ବେଳେ ଯଦି ବଲ୍‍ ଫାଟିଯାଏ ବା ତାହାର ଆକାରରେ ପରିବର୍ତ୍ତନ ହୁଏ କିମ୍ୱା ସେଥିରୁ ପବନ କମିଯାଏ, ତେବେ ସେ ବଲ୍‍ ନିୟମସିଦ୍ଧ ନୁହେଁ । ସୁତରାଂ ସେ ବଲରେ ମ୍ୟାଚ୍‍ ଖେଳ ହୋଇପାରିବ ନାହିଁ । ତେଣୁ ଗୋଲ୍‍ ରେ ପ୍ରବେଶ କରିବା ଆଗରୁ ବଲ୍‍ ଯଦି ଆପଣା ଛାଏଁ ଫାଟିଯାଏ କିମ୍ୱା ଗୋଲ ପୋଷ୍ଟ ବା କ୍ରଶ–ବାର୍‍ ରେ ବାଜି ଫାଟିଯାଏ ଏବଂ ସେ ଫଟା ବଲ୍‍ ତା’ପରେ ଗୋଲରେ ପ୍ରବେଶ କଲେ ତାହା ଆଇନ୍‍ସିଦ୍ଧ ଗୋଲ ହେବ ନାହିଁ । ବଲ୍‍ କଥା ଏତିକିରେ ସରିଲା । ଏଥର ତୁମ ଦୁଇ ଦଳର ଖେଳାଳୀମାନଙ୍କୁ ଏଠାକୁ ଡାକ । ସେମାନଙ୍କ ପୋଷାକ ପରିଚ୍ଛଦ ମୁଁ ଦେଖିବି ।’’

 

ସାର୍‍ ଏତକ କହନ୍ତେ ଅନିରୁଦ୍ଧ କହିଲା, ‘‘ସାର୍‍, ଆମ ଦଳର ଦୁଇ ଜଣ ଖେଳାଳୀ ଆସି ପହଞ୍ଚି ନାହାନ୍ତି । ଖେଳ ଟିକିଏ ଡ଼େରିରେ ଆରମ୍ଭ କଲେ ହୁଅନ୍ତା ନାହିଁ ?’’

 

ସାର୍‍–ସେ କଥା ପରେ ବୁଝାଯିବ, ଆଗ ଖେଳାଳୀମାନଙ୍କୁ ଡାକିଲ ।

 

ଉଭୟ କ୍ୟାପଟେନ୍‍ ନିଜ ଦଳର ଖେଳାଳୀମାନଙ୍କୁ ଡାକି ହାଫ୍‍ଉୟେ ଲାଇନର ଦୁଇ ପାଖରେ ଧାଡ଼ିବାନ୍ଧି ଛିଡ଼ା କରାଇଦେଲେ ଦୁଇ ଦଳରେ ଖେଳାଳୀଙ୍କୁ ଦେଖିଲା ମାତ୍ରେ ସାର୍‍ଙ୍କ ପାଟିରୁ ବାହାରିଲା, ‘‘ଆରେ, ୟେ କଣ ଫ୍ୟାନ୍‍ସି ଡ୍ରେସ୍‍ ମ୍ୟାଚ୍‍? ହରେକ କିସମର ପୋଷାକ ପିନ୍ଧି ଖେଳିବାକୁ ଆସିଛ ଯେ ? ଏମିତି ପୋଷାକ ପିନ୍ଧି ଖେଳିଲେ କିଏ କେଉଁ ଦଳର ବୋଲି ମୁଁ କେମିତି ଜାଣିବି ? ମୋ ବିଚାରରେ ତ ଭୁଲ ହେବ । ମଧୁର ଦୋଷ ପାଇଁ ଯଦୁ ଦଣ୍ଡ ପାଇବ । ନା ନା, ଏଭଳି ପୋଷାକ ପିନ୍ଧି ମ୍ୟାଚ୍‍ ଖେଳାଯାଇ ପାରିବ ନାହିଁ । ତୁମେ ଟିମର ନିଜ ନିଜ ୟୁନିଫର୍ମ (Uniform) ନାହିଁ, ନୁହେଁ ? ହଉ ମୁଁ ତାର ବ୍ୟବସ୍ଥା କରୁଛି । କୁସୁନ ଆମ ସ୍କୁଲର ଯେଉଁ ଦୁଇ ସେଟ୍‍ ୟୁନିଫର୍ମ ଅଛି ଆଣିଲ—ସେଥିରୁ ଗୋଟିଏ ସେଟ୍‍ ଅନିରୁଦ୍ଧକୁ ଏବଂ ଅନ୍ୟଟି ସୁରେଶକୁ ଦେବ ।’’

 

କୁସୁନିଆ ଦୌଡ଼ିଲା ୟୁନିଫର୍ମ ଆଣିବାକୁ ।

 

ତୃତୀୟ ନିୟମ–

 

ଖେଳାଳୀଙ୍କ ସଂଖ୍ୟା – କୁସୁନିଆକୁ ୟୁନିଫର୍ମ ଆଣିବାକୁ କହିବା ପରେ ସାର୍‍ ଅନିରୁଦ୍ଧକୁ କହିଲେ, ‘‘ଅନିରୁଦ୍ଧ, ତୁମ ଦଳର ଦୁଇ ଜଣ ଖେଳାଳୀ ଏ ପର୍ଯ୍ୟନ୍ତ ଆସି ନାହାନ୍ତି ବୋଲି କହୁଥିଲ ନା ? ସେ ଦୁଇଜଣ ଖେଳାଳୀଙ୍କ ଭିତରୁ ତୁମ ଗୋଲ୍‍ କିପର୍‍ ଜଣେ ନା କଅଣ ? ଏ ଭାରି ଅସୁନ୍ଦର କଥା । ମ୍ୟାଚ୍‍ ଖେଳିବାକୁ ଆସି ପୂରା ଟିମ ଆସି ନାହିଁ କହିବା ଶୋଭା ପାଏ ନାହିଁ । ଯାହା ହେଉ, ସେଥିଲାଗି ଖେଳ ଡେରିରେ ଆରମ୍ଭ କରାଯାଇ ପାରିବ ନାହିଁ । ଖେଳର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତୁମ ଖେଳାଳୀମାନେ ଆସିଲେ ସେମାନେ ଖେଳରେ ଯୋଗ ଦେଇ ପାରିବେ । ଏ ସମ୍ପର୍କରେ ଯେଉଁ ନିୟମ ଅଛି, ତାହା ତୁମ୍ଭମାନଙ୍କର ଜାଣିବା ଉଚିତ । ନିୟମ କହେ ।

 

୧) ଫୁଟବଲ ମ୍ୟାଚ୍‍ ଦୁଇ ଦଳ ମଧ୍ୟରେ ହେବ ।

 

୨) ପ୍ରତ୍ୟେକ ଦଳରେ ୧୧ ଜଣରୁ ଅଧିକ ଖେଳାଳୀ ଖେଳିପାରିବେ ନାହିଁ । ସେହି ୧୧ ଜଣଙ୍କ ଭିତରୁ ଗୋଲ–କିପର୍‍ ଜଣେ ହେବା ଆବଶ୍ୟକ ।

 

୩) ଗୋଲ–କିପର୍‍ ବିନା ଖେଳ ଆରମ୍ଭ କରାଯାଇ ପାରିବ ନାହିଁ, ଅର୍ଥାତ୍‍ ଖେଳ ଆରମ୍ଭବେଳେ ଉଭୟ ଦଳର ଜଣେ ଲେଖାଏଁ ଖେଳାଳୀ ଗୋଲ–କିପର୍‍ ଭାବେ ଖେଳିବା ପାଇଁ ଉପସ୍ଥିତ ରହିବା ଦରକାର ।

 

୪) ଜାତୀୟ ବା ଆନ୍ତର୍ଜାତୀୟ ସଂଘର ଯଦି ଅନୁମୋଦନ ଥାଏ ତେବେ ପ୍ରତିଯୋଗିତାର ଖେଳବେଳେ ଆହତ ବା ଖେଳିବାକୁ ଅକ୍ଷମ ଖେଳାଳୀ ଦଳରେ ନୂଆ ଖେଳାଳୀଙ୍କୁ ଖେଳରେ ଅଂଶ ଗ୍ରହଣ କରିବାକୁ ଅନୁମତି ଦିଆଯାଇ ପାରେ । ତେବେ ଏ ସମ୍ପର୍କରେ କେତେକ କଟକଣା ଅଛି । କଟକଣା କଥା ପରେ କୁହାଯିବ ।

 

୫) ପ୍ରତିଯୋଗିତାର ଖେଳ ଛଡ଼ା ଅନ୍ୟ ଖେଳରେ ଆହତ ଖେଳାଳୀ ବଦଳରେ ନୂଆ ଖେଳାଳୀ ନିଆଯାଇ ପାରେ, ଯଦି ଖେଳ ଆରମ୍ଭ ପୂର୍ବରୁ ଦୁଇ ଦଳ ଏଭଳି ବ୍ୟବସ୍ଥାରେ ରାଜି ହୋଇଥାନ୍ତି ।

 

ଏହା ହେଲା ଖେଳାଳୀ ସଂଖ୍ୟା ଏବଂ ଖେଳ ଚାଲିଥିଲାବେଳେ ଖେଳାଳୀ ଅଦଳବଦଳ କରିବା ବିଷୟରେ ମୁଖ୍ୟ ନିୟମ । କେତେ କମ୍‍ ସଂଖ୍ୟକ ଖେଳାଳୀ ନେଇ ଗୋଟିଏ ଦଳ ଖେଳ ଆରମ୍ଭ କରିପାରେ ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ଫିଫା (FIFA) ର ନିର୍ଦ୍ଦେଶ ଅନୁସାରେ ଗୋଲ୍‍-କିପର୍‍ ସମେତ ସାତ ଜଣ ଖେଳାଳୀ ନେଇ ଗୋଟିଏ ଦଳ ଖେଳିଲେ ସେ ଖେଳ ନିୟମସିଦ୍ଧ ହେବ । ଇତି ମଧ୍ୟରେ ନିଖିଳ ଭାରତ ଫୁଟବଲ୍‍ ଫେଡ଼େରେସନ୍‍(All India Football Federation) ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ଗ୍ରହଣ କରିଛି । ଜୁନ ୧୨, ୧୯୬୬ ମସିହାରେ ଉଟକାମଣ୍ଡଠାରେ ନିଖିଳ ଭାରତ ଫୁଟବଲ ଫେଡେରେସନ୍‍ର ଯେଉଁ କାଉନ୍‍ସିଲ୍‍ ବୈଠକ ହୋଇଥିଲା, ସେଥିରେ ସ୍ଥିର କରାଗଲା ଯେ ମୋଟ ୭ ଜଣରୁ କମ୍‍ ଖେଳାଳୀ ନେଇ କୌଣସି ଦଳ ଖେଳ ଆରମ୍ଭ କରିପାରିବେ ନାହିଁ । ୭ ଜଣ ଖେଳାଳୀ ନେଇ ଖେଳ ଆରମ୍ଭ କରାଗଲେ ସେ ୭ଜଣଙ୍କ ମଧ୍ୟରୁ ଜଣେ ଅବଶ୍ୟ ଗୋଲ୍‍-କିପର୍‍ ହେବ । ଖେଳ ଆରମ୍ଭ ହେବା ପରେ ଯଦି କୌଣସି କାରଣରୁ ଗୋଟିଏ ଦଳର ଖେଳାଳୀ ସଂଖ୍ୟା ୭ରୁ କମ୍‍ ହୁଏ ତେବେ ସେ ଦଳ ଆଉ ଖେଳରେ ଭାଗ ନେଇପାରିବ ନାହିଁ । ବର୍ତ୍ତମାନ ଏ ନିୟମ ଦେଶର ବିଭିନ୍ନାଞ୍ଚଳରେ ଚାଲୁ କରାଗଲାଣି । ନିଖିଳ ଭାରତ ଫୁଟବଲ୍ ଫେଡ଼େରେସନ୍‍ର ଏହି ସିଦ୍ଧାନ୍ତ ଯୋଗୁଁ ଭାରତବର୍ଷରେ ଉପରୋକ୍ତ ତୃତୀୟ ନିୟମର ଦ୍ୱିତୀୟ ଉପନୀୟମର ରୂପରେଖ ନିମ୍ନପ୍ରକାର

ହେଲା ।

 

କୌଣସି ଦଳରେ ୭ ଜଣରୁ କମ୍‍ ବା ୧୧ ଜଣରୁ ଅଧିକ ଖେଳାଳୀ ଖେଳି ପାରିବେ ନାହିଁ । ଖେଳୁଥିବା ଖେଳାଳୀମାନଙ୍କ ମଧ୍ୟରୁ ଜଣେ ଅବଶ୍ୟ ଗୋଲ୍‍-କିପର୍‍ ହେବ । ଖେଳ ଚାଲିଥିଲାବେଳେ ଯଦି କୌଣସି କାରଣରୁ ଗୋଟିଏ ଦଳର ଖେଳାଳୀ ସଂଖ୍ୟା ୭ରୁ କମ୍‍ ହୁଏ, ତେବେ ସେ ଦଳ ଆଉ ଖେଳରେ ଭାଗ ନେଇପାରିବ ନାହିଁ ।

 

ଯଦି ଗୋଟିଏ ଦଳ ୭ ଜଣ ଖେଳାଳୀ ନେଇ ଖେଳ ଆରମ୍ଭ କରିଥାଏ, ତେବେ ଖେଳର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦଳର ବାକି ୪ଜଣ ଖେଳାଳୀ ନିଜ ଦଳରେ ଯୋଗ ଦେଇ ସେ ଖେଳରେ ଅଂଶ ଗ୍ରହଣ କରି ପାରିବେ । ଏପରିକି ଅତିରିକ୍ତ ସମୟରେ (Extra Time)ର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବାକି ଖେଳାଳୀମାନଙ୍କର ନିଜ ଦଳରେ ଯୋଗ ଦେବାର ଅଧିକାର ଅଛି । ତେବେ ସେମାନେ ମନଇଚ୍ଛା ପଡ଼ିଆରେ ପଶି ଖେଳରେ ଭାଗ ନେଇ ପାରିବେ ନାହିଁ । ଖେଳରେ ଯୋଗଦେବା ପୂର୍ବରୁ ସେମାନଙ୍କୁ ରେଫରୀଙ୍କର ଅନୁମତି ନେବାକୁ ପଡ଼ିବ । ବଲ୍‍ ଆଉଟ୍‍ ହୋଇଥିବା ଯୋଗୁଁ ବା ଡାଇରେକ୍ଟ କିମ୍ୱା ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମରାଯିବା ଲାଗି ଖେଳ ସାମୟିକ ଭାବେ ବନ୍ଦ ଥିଲାବେଳେ ସେମାନେ ରେଫରୀଙ୍କର ଅନୁମତି ନେଇ ନିଜ ଦଳରେ ଯୋଗ ଦେଇ ପାରିବେ । ମୂଳ କଥା ହେଲା ରେଫରୀଙ୍କର ବିନାନୁମତିରେ ପଡ଼ିଆରେ ପଶି କେହି ଖେଳରେ ଅଂଶଗ୍ରହଣ କରି ପାରିବେ ନାହିଁ । ହଁ, ଏଠାରେ ଆଉ ଗୋଟିଏ କଥା କହି ରଖେ । ଖେଳ ଚାଲିଥିଲା ବେଳେ କୌଣସି ଏକ ଦଳର ଖେଳାଳୀ ମାନେ (ଗୋଲ୍‍-କିପର୍‍ ଛଡ଼ା) ଆପଣା ଭିତରେ ମନଇଚ୍ଛା ସ୍ଥାନ ପରିବର୍ତ୍ତନ କରି ଖେଳି ପାରନ୍ତି । ସେଥିପାଇଁ ରେଫରୀଙ୍କର ଅନୁମତି ଲୋଡ଼ା ହେବ ନାହିଁ । କିନ୍ତୁ ଗୋଲ୍‍-କିପର୍‍ଙ୍କ ସହ ସ୍ଥାନ ପରିବର୍ତ୍ତନ କରିବା ପୂର୍ବରୁ ରେଫରୀଙ୍କୁ ଜଣାଇବାକୁ ପଡ଼ିବ ଯେ ନୂଆ ହୋଇ ଗୋଲ୍‍-କିପର୍‍ଙ୍କ ସ୍ଥାନରେ ଖେଳିବେ ତାଙ୍କୁ ଗୋଲ୍‍-କିପର୍‍ଙ୍କ ଜର୍ସି (Jersey) ବା କୁର୍ତ୍ତା ପିନ୍ଧିବାକୁ ପଡ଼ିବ । ଅନିରୁଦ୍ଧ, ତୁମ ଦଳର ବାକି ଦୁଇଜଣ ଖେଳାଳୀ କିପରି ଭାବରେ ଆଜିର ଖେଳରେ ଯୋଗ ଦେଇ ପାରିବେ ବୁଝିଲ ତ ? ଖେଳରେ ଯୋଗ ଦେବା ପୂର୍ବରୁ ସେମାନଙ୍କୁ ମୋଠାରୁ ଅନୁମତି ନେବାକୁ ପଡ଼ିବ ।’’

 

‘‘ସାର୍‍, ଖେଳ ଚାଲିଥିଲାବେଳେ ଆମେ ଆମ ଦଳର କେତେ ଜଣ ଖେଳାଳୀଙ୍କୁ ବସାଇ ଦେଇ ସେମାନଙ୍କ ସ୍ଥାନରେ ନୂଆ ଖେଳାଳୀ ଖେଳାଇ ପାରିବୁ ? ଏ ସମ୍ପର୍କରେ ନିୟମ କଅଣ ?’’ ଅନିରୁଦ୍ଧ ପଚାରିଲା ।

 

ଖେଳାଳୀ ପରିବର୍ତ୍ତନ

 

ଭଲ ପ୍ରଶ୍ନଟିଏ ପଚାରିଲେ ଅନିରୁଦ୍ଧ । ଖେଳଳୀ ଅଦଳବଦଳ କଥା ତୁମ୍ଭମାନଙ୍କର ଜାଣିବା ନିତାନ୍ତ ଦରକାର । ଆଘାତ ଓ ଅସୁସ୍ଥତା ଯୋଗୁଁ ଯଦି କୌଣସି ଖେଳାଳୀ ଖେଳିବାକୁ ଅକ୍ଷମ ହୁଏ ତେବେ ତାହାକୁ ବଦଳା ଯାଇପାରେ । ଫୁଟବଲ୍‍ ନିୟମର ଏହା ଅପରିହାର୍ଯ୍ୟ ଅଙ୍ଗ ନ ହେଲେ ହେଁ କୌଣସି ପ୍ରତିଯୋଗିତା ପରିଚାଳନକାରୀ ସଂସ୍ଥା ବା ଆସୋସିଏସନ୍‍ ଏହା ସପକ୍ଷରେ ସିଦ୍ଧାନ୍ତ ଗ୍ରହଣ କରିଥିଲେ ସେ ପ୍ରତିଯୋଗିତାରେ ଖେଳାଳୀ ପରିବର୍ତ୍ତନ କରିହେବ । ଆନ୍ତର୍ଜାତିକ ରେଫରୀଜ୍‍ ଆସୋସିଏସନ୍‍ ବୋର୍ଡର ସିଦ୍ଧାନ୍ତ ଏବଂ ନିଖିଳ ଭାରତ ଫୁଟବଲ୍‍ ଫେଡେରେସନ୍‍ର ନିର୍ଦ୍ଦେଶ ଅନୁସାରେ ୧୯୬୮ ମସିହାରୁ ଖେଳର ଯେ କୌଣସି ସମୟରେ ଏପରି କି ଅତିରିକ୍ତ ସମୟ (Extra time)ରେ ମଧ୍ୟ, ଗୋଟିଏ ଦଳ ନିଜର ଯେ କୌଣସି ଦୁଇଜଣ ଖେଳାଳୀଙ୍କୁ ବସାଇ ଦେଇ ସେମାନଙ୍କ ସ୍ଥାନରେ ଦୁଇଜଣ ନୂଆ ଖେଳାଳୀ ଖେଳାଇ ପାରିବ । ଯେଉଁ ଦୁଇଜଣ ନୂଆ ଖେଳାଳୀଙ୍କୁ ଖେଳିବାକୁ ଦିଆଯିବ ସେମାନଙ୍କର ନାମ, ଖେଳ ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଦଳ ରେଫରୀଙ୍କ ନିକଟରେ ନିଜ ଦଳର ଯେଉଁ ଖେଳାଳୀଙ୍କୁ ବଦଳି ବା Substitute ଖେଳାଳୀ କୁହାଯାଏ । ରେଫରୀଙ୍କ ନିକଟରେ ପେଶ୍‍ ହେଉଥିବା ଖେଳାଳୀ ତାଲିକାରେ ୧୧ ଜଣ ନିୟମିତ (Regular) ଖେଳାଳୀଙ୍କ ନାମ ସହିତ ସର୍ବାଧିକ ୫ ଜଣ ବଦଳି ଖେଳାଳୀଙ୍କ ନାମ ରହିବା ଆବଶ୍ୟକ । ବଦଳି ଖେଳାଳୀର ନାମ ତାଲିକାରେ ନଥିଲେ ସେ ଖେଳରେ ଅଂଶଗ୍ରହଣ କରି ପାରିବେ ନାହିଁ । ଖେଳାଳୀ ବଦଳାଇବାକୁ ଇଚ୍ଛୁକ ଟିମ୍‍କୁ ପ୍ରଥମେ କେଉଁ ଖେଳାଳୀଙ୍କୁ ବଦଳାଯିବ ଓ ତାଙ୍କ ସ୍ଥାନରେ କେଉଁ ବଦଳି ଖେଳାଳୀ ଖେଳିବେ, ସେ କଥା ରେଫରୀଙ୍କୁ ଜଣାଇବାକୁ ପଡ଼ିବ । ଖେଳ ସାମୟିକ ଭାବେ ବନ୍ଦ ଥିଲାବେଳେ ବଦଳି ଖେଳାଳୀ ପଡ଼ିଆ ଭିତରକୁ ପଶି ପାରିବେ ଏବଂ ରେଫରୀ ତାଲିକାରେ ତାଙ୍କ ନାମ ଯାଞ୍ଚ କଲା ପରେ ଖେଳରେ ଭାଗ ନେବାକୁ ଅନୁମତି ଦେବେ । ଖେଳ ଆରମ୍ଭ ହେବା ପରେ ଯଦି କୌଣସି ଖେଳାଳୀଙ୍କୁ ଦଣ୍ଡିତ କରି ପଡ଼ିଆରୁ ବାହାର କରି ଦିଆଯାଏ ତେବେ ତାଙ୍କ ସ୍ଥାନରେ କୌଣସି ବଦଳି ଖେଳାଳୀଙ୍କୁ ନିଆ ଯାଇ ପାରିବ ନାହିଁ । ନିୟମିତ ଓ ବଦଳି ଖେଳାଳୀ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଉଭୟଙ୍କ ପ୍ରତି ଫୁଟବଲ୍‍ର ନିୟମାବଳୀ ପ୍ରଯୁଜ୍ୟ । ଦୁଇଜଣ ଖେଳାଳୀଙ୍କୁ ପରିବର୍ତ୍ତନ କଲାପରେ ଯଦି ଗୋଲ୍‍ କିପର୍‍ ଆହତ ହୁଅନ୍ତି ତେବେ ତାଙ୍କୁ ଆଉ ବଦଳା ଯାଇ ପାରିବ ନାହିଁ । ଖେଳାଳୀ ପରିବର୍ତ୍ତନ ସମ୍ପର୍କରେ ଏହା ହେଲା ସର୍ବାଧୁନିକ ନିୟମ । ଏହି ନିୟମ ଅନୁସାରେ ଦୁଇ ଜଣ ଗୋଲ୍‍-କିପର୍‍, ଦୁଇଜଣ ବ୍ୟାକ୍‍, ଜଣେ ଫରଓ୍ୱାର୍ଡ ଓ ଜଣେ ଗୋଲ୍‍-କିପର୍‍ ଇତ୍ୟାଦି ବଦଳା ଯାଇ ପାରିବେ ।

 

‘‘କିନ୍ତୁ, ସାର୍‍ ! ଆମେ ତ ଜାଣୁ ଯେ ଖେଳର ଯେ କୌଣସି ମୁହୂର୍ତ୍ତରେ ଗୋଲ୍‍-କିପର୍‍ଙ୍କୁ ବଦଳାଇ ହେବ ଏବଂ ଅନ୍ୟ ଜଣେ ଖେଳାଳୀଙ୍କୁ ଦ୍ୱିତୀୟାର୍ଦ୍ଧର ଆରମ୍ଭ ହେବା ପୂର୍ବରୁ ବଦଳା ଯାଇପାରିବ । ଏହା କଣ ଠିକ୍‍ ନୁହେଁ ?’’ ଅନିରୁଦ୍ଧ ପଚାରିଲା ।

 

‘‘ତୁମେ ଯେଉଁ ନିୟମ କଥା କହୁଛ ତାହା ୧୯୬୭ ମସିହା ପର୍ଯ୍ୟନ୍ତ ଚାଲୁଥିଲା । ଏହିକ୍ଷଣି ତାହା ରଦ୍ଦ ହୋଇଗଲାଣି । ମୁଁ ଯେଉଁ ନିୟମ କଥା କହିଲି ତାହା ୧୯୬୮ ମସିହାରୁ ଚାଲୁହେଲାଣି ।

 

‘‘ପୁରୁଣା ନିୟମକୁ କାହିଁକି ବଦଳା ଗଲା ସେ କଥା କହୁଛି । ସେ ନିୟମ ସମ୍ପର୍କରେ ଅନେକଙ୍କର ଆପତ୍ତି ଥିଲା । ୧୯୬୫ ମସିହା ଜୁନ୍‍ ମାସରେ ଇଂଲଣ୍ଡର ଫୁଟବଲ୍‍ ଆସୋସିଏସନ୍‍(F.A)ର ରେଫରୀ କମିଟି ପ୍ରଥମେ ପ୍ରସ୍ତାବ ଦେଲା ଯେ ଏହି ନିୟମକୁ ବଦଳାଇ ଖେଳର ଯେ କୌଣସି ସମୟରେ ଗୋଲ୍‍-କିପର୍‍ ସମେତ ଦୁଇ ଜଣ ଖେଳାଳୀଙ୍କୁ ବଦଳାଇବାର ବ୍ୟବସ୍ଥା ରହିବା ଉଚିତ୍‍ । F.A. ରେଫରୀ କମିଟିର ଏହି ପ୍ରସ୍ତାବକୁ ଫିଫାର ଟେକନିକାଲ୍‍ କମିଟି ପରୀକ୍ଷାମୂଳକ ଭାବେ ଗ୍ରହଣ କରି ୧୯୬୫ ମସିହାରେ ଇଂଲଣ୍ଡର ଫୁଟବଲ ପ୍ରତିଯୋଗିତାମାନଙ୍କରେ ତାହାକୁ ପ୍ରୟୋଗ କରିବାକୁ ଅନୁମତି ଦେଇଥିଲେ । ବର୍ଷକ ପରେ F.A ଏହି ପ୍ରସ୍ତାବିତ ନିୟମର ଯଥାର୍ଥତା ଓ କାର୍ଯ୍ୟକାରିତା ସପକ୍ଷରେ ମତ ଦେଇ ଫିଫାକୁ ଜଣାନ୍ତେ ଫିଫା ତାହାକୁ ଆନ୍ତର୍ଜାତିକ ରେଫରୀ ଆସୋସିଏସନ୍‍ ବୋର୍ଡର ଅନୁମୋଦନ ପାଇଁ ପଠାଇଥିଲା । ବୋର୍ଡ ୧୯୬୭ ମସିହାରେ ଏହି ପ୍ରସ୍ତାବକୁ ମଞ୍ଜୁର କରନ୍ତେ ତାହା ନିୟମରେ ପରିଣତ ହେଲା ଏବଂ ୧୯୬୮ ମସିହାରେ ତାହାକୁ ଭାରତବର୍ଷରେ ଚାଲୁ କରାଗଲା ।’’

 

ଆନନ୍ଦ – ସାର୍‍, ଫୁଟବଲ୍‍ ଖେଳର ନିୟମ କିଏ ଗଢ଼େ ? ଫିଫା ନା ଇଂଲଣ୍ଡର ଫୁଟବଲ୍‍ ଆସୋସିଏସନ୍‍ ?

 

ସାର୍‍ – ଆନନ୍ଦ, ତୁମେ ଯେଉଁ ଦୁଇଟି ନାମ କହିଲ ସେମାନେ କେହି ନିୟମ ଗଢ଼ନ୍ତି ନାହିଁ । ଫୁଟବଲ୍‍ ନିୟମ ଗଢ଼ିବା ବା ସେଥିରେ ଅଦଳବଦଳ କରିବାର ଯୁଗ୍ମ ଦାୟିତ୍ୱ ହେଲା ଆନ୍ତର୍ଜାତିକ ରେଫରୀଜ୍‍ ଆସୋସିଏସନ୍‍ ବୋର୍ଡ (International Referees Association Board) ଓ ଫିଫାର ରେଫରୀଜ୍‍ କମିଟି (Referres’ Committee) ର । ବୋର୍ଡ ହେଲା ସର୍ବୋଚ୍ଚ ସଂସ୍ଥା । ନିୟମ ଗଢ଼ିବାର ପ୍ରଣାଳୀ ବିଷୟରେ କହେ ।

 

ଫିଫାର ରେଫରୀଜ୍‍ କମିଟି ବର୍ଷକେ ଥରେ ବସି ପ୍ରଚଳିତ ନିୟମର ଟିକିନିଖି ଆଲୋଚନା କରେ ଏବଂ ଦରକାର ମନେକଲେ ନୂଆ ନିୟମ ଗଢ଼ିବା ବା ପ୍ରଚଳିତ ନିୟମର ପରିବର୍ତ୍ତନ କରିବା ବିଷୟରେ ପ୍ରସ୍ତାବ କରେ । ତା ପରେ ଆନ୍ତର୍ଜାତିକ ରେଫରୀଜ୍‍ ଆସୋସିଏସନ୍‍ ବୋର୍ଡର ବୈଠକରେ ସେହି ପ୍ରସ୍ତାବଗୁଡ଼ିକ ଆଲୋଚିତ ହୁଏ । କୌଣସି ପ୍ରସ୍ତାବକୁ ବୋର୍ଡର ଅନୁମୋଦନ ମିଳିଲେ ତାହା ନିୟମରେ ପରିଣତ ହୁଏ । ସେଥିଲାଗି ସାରା ପୃଥିବୀରେ ଫୁଟବଲ୍‍ ଖେଳର ନିୟମରେ କୌଣସି ତାରତମ୍ୟ ନାହିଁ । ବୋର୍ଡଦ୍ୱାରା ଅନୁମୋଦିତ ନିୟମ ସବୁ ଦେଶରେ ପ୍ରୟୋଗ କରାଯାଏ ।

ସାର୍‍ଙ୍କ କଥା ଶେଷ ହେବା ମାତ୍ରେ ଫକ୍‍ରୁଦ୍ଦୀନ ପଚାରିଲା ‘‘ସାର୍‍, ଗୋଲ୍‍-କିପର୍‍ର ୟୁନିଫର୍ମର ରଙ୍ଗ ଅନ୍ୟମାନଙ୍କଠାରୁ ଅଲଗା ହେବା କଅଣ ବାଧ୍ୟତାମୂଳକ ?’’

 

ଚତୁର୍ଥ ନିୟମ–

 

ଖେଳାଳୀର ଉପକରଣ–‘‘ହଁ, ବାଧ୍ୟତାମୂଳକ । ଗୋଲ୍‍-କିପର୍‍ ଜର୍ସି (Jersey) ର ରଙ୍ଗ ଅନ୍ୟ ଖେଳାଳୀମାନଙ୍କର ଜର୍ସିର ରଙ୍ଗଠାରୁ ଅଲଗା ନ ହେଲେ ଖେଳରେ ବିଭ୍ରାଟ ଉପୁଜିବ । ସେଥିପାଇଁ ତାହା ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ତୁମ୍ଭମାନଙ୍କୁ ଖେଳାଳୀଙ୍କର ଉପକରଣ ଯଥା ପୋଷାକ ଓ ସାଜସରଞ୍ଜାମ ବିଷୟରେ କହିବି । ନିୟମ କହେ ଯେ କୌଣସି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳକୁ ନିଜ ନିଜ ଦଳୀୟ ପୋଷାକ ବା ୟୁନିଫର୍ମ ପିନ୍ଧି ଖେଳିବାକୁ ପଡ଼ିବ । ୟୁନିଫର୍ମ କହିଲେ ଖାଲି କୁର୍ତ୍ତା (Shirt) ବୁଝାଏ ନାହିଁ । ୟୁନିଫର୍ମର ପ୍ରକୃତ ଅର୍ଥ ହେଉଛି କୁର୍ତ୍ତା, ପ୍ୟାଣ୍ଟ, ମୋଜା ଓ ବୁଟ୍‍ । ପ୍ରତ୍ୟେକ ଦଳରେ ଗୋଲ୍‍-କିପର୍‍ଙ୍କ ବ୍ୟତୀତ ଅନ୍ୟମାନଙ୍କର ପୋଷାକ ଏକ ରଙ୍ଗର ହେବା ଆବଶ୍ୟକ । ଗୋଲ୍‍-କିପର୍‍ଙ୍କ କୁର୍ତ୍ତାର ରଙ୍ଗ ନିଜ ଦଳର ଅନ୍ୟ ଖେଳାଳୀମାନଙ୍କ କୁର୍ତ୍ତା ରଙ୍ଗଠାରୁ ଅଲଗା ହେବା ଆବଶ୍ୟକ, ଯେପରି କି ଗୋଲ୍‍-କିପର୍‍ଙ୍କୁ ସହଜରେ ଚିହ୍ନି ହେବ । ଯାହା ହେଉ ତୁମ୍ଭମାନଙ୍କର ଯେତେବେଳେ ୟୁନିଫର୍ମ ନାହିଁ ସେତେବେଳେ କୁସୁନ ଯେଉଁ ୟୁନିଫର୍ମ ଆଣୁଛି ତାକୁ ପିନ୍ଧ । ଅନ୍ତତଃ କୁର୍ତ୍ତା ତ ଗୋଟିଏ ରଙ୍ଗର ହେବ । ପ୍ୟାଣ୍ଟ, ମୋଜା ଓ ବୁଟ୍‍ କଥା ଏହିକ୍ଷଣି ବାଦ୍‍ ଦିଆଯାଉ । ଦେଖୁଛି, ତୁମ ଭିତରୁ କେତେଜଣ ବୁଟ୍‍ ମଡ଼ାଇଛନ୍ତି । ବୁଟ୍‍ ଫୁଟବଲ୍‍ ଖେଳର ଅପରିହାର୍ଯ୍ୟ ଅଙ୍ଗ ନୁହେଁ । FIFAର ନିୟମ ଅନୁସାରେ ଜଣେ ଇଚ୍ଛା କଲେ ଖାଲି ପାଦରେ ଖେଳିପାରେ । କିନ୍ତୁ ଭାରତବର୍ଷର ସର୍ବୋଚ୍ଚ ଫୁଟବଲ୍‍ ସଂସ୍ଥା All India Football Federation (ଅଲ୍‍ଇଣ୍ଡିଆ ଫୁଟବଲ୍‍ ଫେଡେରସନ୍‍) ପ୍ରତିଯୋଗିତାରେ ବୁଟ୍‍ ପିନ୍ଧି ଖେଳିବା ବାଧ୍ୟତାମୂଳକ କରିଦେଇଛି । କିନ୍ତୁ ତୁମ ଭିତରୁ ଅଧିକାଂଶଙ୍କର ଯେତେବେଳେ ବୁଟ୍‍ ନାହିଁ ସେତେବେଳେ ଆଜି ସମସ୍ତେ ଖାଲି ପାଦରେ ଖେଳନ୍ତୁ ବୋଲି ମୁଁ କହିବି । ଯେଉଁମାନେ ବୁଟ୍‍ ପିନ୍ଧିଛନ୍ତି ସେମାନଙ୍କୁ ବୁଟ୍‍ ଖୋଲିବାକୁ ପଡ଼ିବ । ତାହା ନ ହେଲେ ଯେଉଁମାନେ ଖାଲି ପାଦରେ ଖେଳିବେ ସେମାନଙ୍କ ଗୋଡ଼ରେ ଆଘାତ ଲାଗିପାରେ । ତେବେ ପ୍ରତିଯୋଗିତାରେ କେହି ବୁଟ୍‍ ନ ପିନ୍ଧି ଖେଳି ପାରିବେ ନାହିଁ । ଏଠାରେ ବୁଟ୍‍ ସମ୍ପର୍କରେ କେତୋଟି କଥା କହିବି ।

 

୧) ନିଖିଳ ଭାରତ ଫୁଟବଲ୍‍ ଫେଡେରେସନ୍‍ର ସିଦ୍ଧାନ୍ତ ଅନୁସାରେ ଆମ ଦେଶରେ ପ୍ରତିଯୋଗିତାମାନଙ୍କରେ ବୁଟ୍‍ ପିନ୍ଧି ଖେଳିବାକୁ ବାଧ୍ୟତାମୂଳକ କରାଯାଇଛି । ତେଣୁ ଖାଲି ପାଦରେ ଖେଳିବାର ପ୍ରଶ୍ନ ଉଠୁନାହିଁ । ତୁମର ଏ ମ୍ୟାଚ୍‍ କୌଣସି ପ୍ରତିଯୋଗିତାର ଅଂଶ ନ ହୋଇଥିବାରୁ ମୁଁ ଖାଲି ପାଦରେ ଖେଳିବାକୁ ତୁମ୍ଭମାନଙ୍କୁ ଅନୁମତି ଦେଉଛି ।

 

୨) ବୁଟ୍‍ ତଳେ ଯେଉଁ ବାର୍‍ (Bar) ବା ଷ୍ଟଡ (Stud) ଥାଏ ସେଗୁଡ଼ିକ ଚମଡ଼ା ବା ନରମ ରବରରେ ତିଆରି ହେବା ଆବଶ୍ୟକ । ବାର୍‍ ଗୁଡ଼ିକର ଚଉଡ଼ା ½ ଇଞ୍ଚରୁ କମ୍‍ ହେବ ନାହିଁ ଏବଂ ସେଗୁଡ଼ିକର ଦୁଇମୁଣ୍ଡ ବୁଟ୍‍ର ତଳଠାରୁ ବାହାରକୁ ବାହାରିବ ନାହିଁ, ଅର୍ଥାତ୍‍ ବାର୍‍ର ଲମ୍ୱ ବୁଟ୍‍ ତଳର ଚଉଡ଼ା ସଙ୍ଗେ ସମାନ ହେବ । ଯଦି ବୁଟ୍‍ ତଳେ ଷ୍ଟଡ୍‍(ଗୋଲାକାର ଗୁଟିକା) ଲାଗିଥାଏ ତେବେ ସେଗୁଡ଼ିକ ଗୋଲାକାର ହେବା ଆବଶ୍ୟକ ଏବଂ ପ୍ରତ୍ୟେକ ଷ୍ଟଡ଼୍‍ର ବ୍ୟାସ ½ ଇଞ୍ଚରୁ କମ୍‍ ହେବ ନାହିଁ । ଷ୍ଟଡ ରବର, ଚମଡ଼ା, ଆଲୁମିନିୟମ, ପ୍ଲାଷ୍ଟିକ, ବା ତଦନୁରୂପ ବସ୍ତୁରେ ତିଆରି ହେବା ଆବଶ୍ୟକ ଏବଂ ଏଗୁଡ଼ିକ ନିଦା (Solid) ରେ କୌଣସି ପ୍ରକାର ଧାତୁନିର୍ମିତ ପାତିଆ (Plate) ରହିବ ନାହିଁ । ବୁଟ୍‍ ରେ ମରାଯାଇଥିବା କଣ୍ଟା ଆଦୌ ପଦାକୁ ବାହାରିବ ନାହିଁ । କଣ୍ଟା ପଦାକୁ ବାହାରିଥିଲେ ସେ ବୁଟ୍‍ ପିନ୍ଧି କେହି ଖେଳିପାରିବେ ନାହିଁ । କୌଣସି ଖେଳାଳୀକୁ ଏଭଳି ନିୟମ ବିରୁଦ୍ଧ ବୁଟ୍‍ ପିନ୍ଧି ଖେଳିବାକୁ ଦେଖିଲେ ରେଫରୀ ତାହାକୁ ତତ୍‍କ୍ଷଣାତ୍‍ ପଡ଼ିଆରୁ ବାହାର କରିଦେଇ ପାରିବେ । ସେ ଭଳି କ୍ଷେତ୍ରରେ ଖେଳାଳୀ ବୁଟ୍‍ ବଦଳାଇ ପୁଣି ଖେଳରେ ଯୋଗ ଦେଇପାରିବ । କିନ୍ତୁ ଖେଳରେ ଯୋଗ ଦେବା ପୂର୍ବରୁ ରେଫରୀଙ୍କର ଅନୁମତି ନେବାକୁ ହେବ ।

 

ହେଇଟି କୁସୁନ ଜର୍ସି ଆଣିଲାଣି । ଯାଅ, ଯେ ଯାହାର ଜର୍ସି ପିନ୍ଧି ପୁଣି ଆସି ଲାଇନ୍‍ ରେ ଛିଡ଼ା ହୁଅ । ଆହୁରି କେତୋଟି କଥା କହିବି ।

 

ଏହି ନିୟମ ଭଙ୍ଗ କରିବା ଯୋଗୁଁ ଯଦି କୌଣସି ଖେଳାଳୀକୁ ଖେଳରେ ଅଂଶ ଗ୍ରହଣ କରିବାକୁ ନ ଦିଆଯାଇଥାଏ ବା ଖେଳ ମଝିରୁ ତାହାକୁ ପଡ଼ିଆରୁ ବାହାର କରି ଦିଆଯାଇଥାଏ ତାହାହେଲେ ସେ ଖେଳାଳୀ ରେଫରୀଙ୍କର ବିନା ଅନୁମତିରେ ପଡ଼ିଆରେ ପଶି ଖେଳରେ ଭାଗ ନେବାକୁ ଚେଷ୍ଟା କଲେ ରେଫରୀ ତତ୍‍କ୍ଷଣାତ୍‍ ଖେଳକୁ ସାମୟିକ ଭାବେ ବନ୍ଦ ରଖି ସେ ଖେଳାଳୀକୁ ତାଗିଦ୍‍ ବା ସତର୍କ (Caution) କରାଇବେ ଏବଂ ଯେଉଁ ସ୍ଥାନରେ ଖେଳାଳୀକୁ ସତର୍କ କରାଗଲା ସେହି ସ୍ଥାନରୁ ବିପକ୍ଷ ଦଳକୁ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେଇ ଖେଳ ପୁଣି ଚାଲୁ କରିବେ ।

 

ସପ୍ତମ ନିୟମ–

 

ଖେଳର ସମୟ – ‘‘ପିଲାଏ, ଆଜିର ମ୍ୟାଚ ପାଇଁ ତ ତୁମ୍ଭେମାନେ ସମସ୍ତେ ତିଆର । କହିଲ ଭଲା ନିୟମ ଅନୁସାରେ ପ୍ରତ୍ୟେକ ମ୍ୟାଚ୍‍କ କେତେ ସମୟ ଖେଳାଯିବ ?’’ ସାର୍‍ ପଚାରିଲେ ।

 

‘‘ଏଥିରେ କଅଣ ଅଛି ସାର୍‍ । ଆମ ଓଡ଼ିଶାରେ ତ ସବୁ ଫୁଟବଲ ମ୍ୟାଚର ସମୟ ହେଲା ୭୦ ମିନିଟ୍‍ । ତାହା ଛଡ଼ା ଭାରତବର୍ଷର ସବୁ ବଡ଼ ବଡ଼ ପ୍ରତିଯୋଗିତାରେ ମ୍ୟାଚ୍‍ଗୁଡ଼ିକ ୭୦ ମିନିଟ୍‍ ଖେଳାଯାଏ ବୋଲି ଶୁଣିଛି । ତେଣୁ ୭୦ ମିନିଟ୍‍ଖ ଖେଳ ହେବ ବୋଲି ନିୟମରେ ନିଶ୍ଚୟ ଥିବ ।’’ ଉତ୍ତର ଦେଲା କଲେଜିଏଟ୍‍ର ସୁର । ସୁରର କଥା ଶେଷ ନ ହେଉଣୁ ରାଣୀହାଟର ସେଣ୍ଟର ହାଫ୍‍ ହରିଶ କହିଲା, ‘‘ସାର୍‍, ସୁର ଗୋଟିଏ କଥା ଛାଡ଼ିଗଲା । ସେ ଯେଉଁ ୭୦ ମିନିଟ୍‍ କଥା କହିଲା ତାହା କେବଳ ଖେଳରେ ମୋଟ ସମୟ । କିନ୍ତୁ ଏ ମୋଟ ସମୟ ଏକାଥରକେ ଖେଳାଯିବ ନାହିଁ । ଏହା ୩୫ ମିନିଟ୍‍ କରି ଦୁଇ ଭାଗ ବା ଅର୍ଦ୍ଧରେ ବିଭକ୍ତ ହେବ ଏବଂ ଏହି ଦୁଇ ଅର୍ଦ୍ଧର ମଝିରେ ବିଶ୍ରାମ ଲାଗି ୫ ମିନିଟ୍‍ ସମୟ ଦିଆଯିବ । ତେଣୁ ନିୟମ ଅନୁସାରେ ଖେଳର ସମୟ ହେଲା ୭୫ ମିନିଟ୍‍ । ଠିକ୍‍ କହିଲି ସାର୍‍ ?’’ ସାର୍‍ କହିଲେ, ‘‘ତୁମ୍ଭେମାନେ ଯାହା କହିଲ ତାହା କେତେକାଂଶରେ ଠିକ୍‍ ହେଲେ ହେଁ ନିୟମ ଅନୁଯାୟୀ ହେଲା ନାହିଁ । ମୂଳ ନିୟମ କହେ–

 

ଅଂଶଗ୍ରହଣକାରୀ ଦୁଇଦଳ ମଧ୍ୟରେ ଅନ୍ୟ ଧରଣର କୌଣସି ଚୁକ୍ତି ନ ଥିଲେ, ନିମ୍ନଲିଖିତ ବିଧାନସାପେକ୍ଷ ଖେଳର ସ୍ଥିତିକାଳ (Duration of play) ୪୫ ମିନିଟ୍‍ କରି ଦୁଇଟି ମଝିରେ ବିରତିର ସମୟ (Interval) ରେଫରୀଙ୍କ ଅନୁମତି ଛଡ଼ା ୫ ମିନିଟ୍‍ରୁ ଅଧିକ ହେବ ନାହିଁ । ଉପରେ କୁହାଯାଇଥିବା ବିଧାନ ଦୁଇଟି ହେଲା–

 

୧) ପ୍ରତ୍ୟେକ ଅର୍ଦ୍ଧରେ ଆକସ୍ମିକ ଦୁର୍ଘଟଣା ବା ଅନ୍ୟ କୌଣସି କାରଣରୁ ଯେଉଁ ସମୟ ନଷ୍ଟ ହୋଇଥିବ ତାହା ସେହି ଅର୍ଦ୍ଧରେ ଯୋଗ କରାଯିବ । ନଷ୍ଟ ସମୟର ପରିମାଣ ରେଫରୀଙ୍କ ବିବେଚନା ଉପରେ ନିର୍ଭର କରିବ ।

 

୨) ପ୍ରତି ଅର୍ଦ୍ଧର ନିୟମିତ ସମୟର ଶେଷ ମୁହୂର୍ତ୍ତରେ ଯଦି ପେନାଲ୍‍ଟି କିକ୍‍ ମରାଯିବାର ଆବଶ୍ୟକତା ଦେଖା ଦିଏ ତେବେ ସେଥିଲାଗି ଆବଶ୍ୟକୀୟ ସମୟ ଦିଆଯାଇ ପେନାଲ୍‍ଟି କିକ୍‍ ମରାଯିବାର ବ୍ୟବସ୍ଥା କରିବାକୁ ପଡ଼ିବ । ନିୟମାନୁଯାୟୀ ପେନାଲ୍‍ଟି କିକ୍‍ ମରାଯିବା ସଙ୍ଗେ ସଙ୍ଗେ ସେହି ଅର୍ଦ୍ଧର ସମୟ ଶେଷ ହେବ ।

 

ବର୍ତ୍ତମାନ ମୂଳ ନିୟମ ଓ ତାହାର ତାତ୍ପର୍ଯ୍ୟ ବୁଝାଉଛି । ଆନ୍ତର୍ଜାତିକ ନିୟମାନୁସାରେ ପ୍ରତ୍ୟେକ ମ୍ୟାଚ୍‍ର ସମୟ ହେଲା ୯୦ ମିନିଟ୍‍ । ଏହି ୯୦ ମିନିଟ୍‍କୁ ଦୁଇ ସମାନ ଭାଗରେ (୪୫ ମିନିଟ୍‍) ବିଭକ୍ତ କରି ଦୁଇ ଅର୍ଦ୍ଧରେ ଖେଳ ହେବ । ପ୍ରଥମାର୍ଦ୍ଧର ଶେଷ ଏବଂ ଦ୍ୱିତୀୟାର୍ଦ୍ଧର ଆରମ୍ଭ ମଝିରେ ସର୍ବାଧିକ ୫ ମିନିଟ୍‍ ସମୟ ବିଶ୍ରାମ ପାଇଁ ଦିଆଯିବ । ଅର୍ଥାତ୍‍, ଦେଖିବାକୁ ଗଲେ, ଖେଳ ଆରମ୍ଭକୁ ଶେଷ ପର୍ଯ୍ୟନ୍ତ ମୋଟ ସମୟ ହେଲା ୯୫ ମିନିଟ୍‍ । ହାଫ ଟାଇମ୍‍ ବା ବିରତିର ସମୟ ପ୍ରଥମାର୍ଦ୍ଧର ଶେଷ ପରେ ଖେଳାଳୀମାନେ ବିଶ୍ରାମ ପାଇଁ କିଛି ସମୟ ପାଇବାକୁ ହକ୍‍ଦାର । ବିରତି ସମୟ କେତେ ହେବ ତାହା ରେଫରୀଙ୍କର ସିଦ୍ଧାନ୍ତ ଉପରେ ନିର୍ଭର କରେ । ରେଫରୀଙ୍କର ଅନୁମତି ବିନା ବିରତିର ସମୟ ୫ ମିନିଟ୍‍ରୁ ଅଧିକ ହେବ ନାହିଁ । ରେଫରୀ ଇଚ୍ଛା କଲେ ବିଶ୍ରାମ ଲାଗି ୫ ମିନିଟ୍‍ରୁ କମ୍‍ ସମୟ ଦେଇ ଦ୍ୱିତୀୟାର୍ଦ୍ଧର ଖେଳ ଆରମ୍ଭ କରି ପାରିବେ ।

 

ସାଧାରଣତଃ ଶୀତପ୍ରଧାନ ଦେଶମାନଙ୍କରେ ଫୁଟବଲ୍‍ ମ୍ୟାଚ୍‍ର ସମୟ ୯୦ ମିନିଟ୍‍ ହୋଇଥାଏ । ବିଶ୍ୱ କପ୍‍ (World Cup) ପ୍ରତିଯୋଗିତା, ଅଲିମ୍ପିକ୍‍ ଫୁଟବଲ୍‍ ପ୍ରତିଯୋଗିତା ଓ ଆନ୍ତର୍ଜାତୀୟ ଖେଳଗୁଡ଼ିକର ସମୟ ହେଲା ୯୦ ମିନିଟ୍‍ । କିନ୍ତୁ, ଆମ ଦେଶ ଗ୍ରୀଷ୍ମପ୍ରଧାନ ହୋଇଥିବାରୁ ସାଧାରଣତଃ ଖେଳର ସମୟ ୯୦ ମିନିଟରୁ କମ୍‍ । ୧୯୭୬ ମସିହାର ପୂର୍ବ ପର୍ଯ୍ୟନ୍ତ ବିଭିନ୍ନ ବଡ଼ ବଡ଼ ପ୍ରତିଯୋଗିତାର ଖେଳର ସମୟ ବିଭିନ୍ନ ଥିଲା । ଏହା ଫଳରେ ଭାରତୀୟ ଖେଳାଳୀମାନଙ୍କର ଦକ୍ଷତା ଉପରେ ଆଞ୍ଚ ଆସିଲା । ଆନ୍ତର୍ଜାତୀୟ ପ୍ରତିଯୋଗିତାମାନଙ୍କରେ ୯୦ ମିନିଟ୍‍ ଖେଳ ହେଉଥିବା ଯୋଗୁଁ ସେମାନେ ପାରି ଉଠିଲେ ନାହିଁ । ଏହି ତ୍ରୁଟି ଦୂର କରିବା ଲାଗି ନିଖିଳ ଭାରତ ଫୁଟବଲ୍‍ ଫେଡେରେସନ୍‍ର ନୈନିତାଲ ଠାରେ ୧୯୭୬ ମସିହା ମେ ୧୯ ତାରିଖରେ ଯେଉଁ ଅଧିବେଶନ ବସିଲା ସେଥିରେ ସ୍ଥିର କରାଗଲା ଯେ ଏଣିକି ଫେଡେରେସନ୍‍ ଦ୍ୱାରା ପରିଚାଳିତ କିମ୍ୱା ଅନୁମୋଦିତ ପ୍ରତ୍ୟେକ ପ୍ରତିଯୋଗିତାରେ ଖେଳର ସମୟ ୯୦ ମିନିଟ୍‍ ହେବ । ଏହି ନିଷ୍ପତ୍ତି ଯୋଗୁ ୧୯୭୬ ମସିହାରୁ ଭାରତର ପ୍ରତ୍ୟେକ ବଡ଼ ବଡ଼ ଫୁଟବଲ ପ୍ରତିଯୋଗିତା ଯଥା ଜାତୀୟ ଫୁଟବଲ୍‍ ଚାମ୍ପିୟନ୍‍ ସିପ୍‍ (ସନ୍ତୋଷ ଟ୍ରଫି); ଆଇ. ଏଫ. ଏ. ଶିଲ୍‍ଡ, ରୋଭର୍ସ କପ୍‍, ଡୁରାଣ୍ଡ କପ୍‍, ଡି. ସି. ଏମ୍‍. ପ୍ରତିଯୋଗିତାର ଖେଳର ସମୟ ୯୦ ମିନିଟ୍‍ ହୋଇଛି ।

 

ବିଭିନ୍ନ ପ୍ରତିଯୋଗିତାରେ ଖେଳର ସମୟ ପୃଥକ୍‍ ହେବା ଯୋଗୁଁ ଫୁଟ୍‍ବଲ ଖେଳର ନିୟମ ଲଙ୍ଘନ କଲା ବୋଲି ଭାବିବା ଠିକ୍‍ ହେବ ନାହିଁ । କାରଣ ଫୁଟବଲ୍‍ ଖେଳର ନିୟମ ପ୍ରଣୟନକାରୀମାନେ ସଂଶ୍ଳିଷ୍ଟ ଫୁଟବଲ୍‍ ଆସୋସିଏସନମାନଙ୍କୁ ନିଜ ନିଜର ପ୍ରତିଯୋଗିତାର ଖେଳର ସମୟ ନିରୂପଣ କରିବାର ଦାୟିତ୍ୱ ଦେଇଛନ୍ତି । ସୁତରାଂ ଖେଳର ସମୟ ସମ୍ପର୍କରେ ସଂଶ୍ଳିଷ୍ଟ ଆସୋସିଏସନ୍‍ମାନେ ସେମାନଙ୍କର ସୁବିଧାନୁସାରେ ଖେଳର ସମୟ ନିର୍ଦ୍ଧାରିତ କରିପାରନ୍ତି । ରେଫରୀଙ୍କୁ ଆସୋସିଏସନ୍‍ର ଏହି ସିଦ୍ଧାନ୍ତ ମାନିବାକୁ ପଡ଼ିବ ।

 

ମୋଟ କଥା ହେଲା, ଖେଳର ସମୟ ଉପରେ ରେଫରୀଙ୍କର କୌଣସି କର୍ତ୍ତୃତ୍ୱ ନାହିଁ । ସେ ଖେଳର ସମୟ ବଢ଼ାଇ ପାରିବେ ନାହିଁ କି କମାଇ ପାରିବେ ନାହିଁ । ବିଶ୍ରାମ ଲାଗି ଯେଉଁ ୫ ମିନିଟ୍‍ ସମୟ ନିର୍ଦ୍ଧାରିତ ହୋଇଛି କେତେକ ଅବସ୍ଥାରେ ରେଫରୀ ଇଚ୍ଛା କଲେ ତାହା ବଢ଼ାଇ ପାରନ୍ତି । ପ୍ରତ୍ୟେକ ଅର୍ଦ୍ଧରେ ଆକସ୍ମିକ ଦୁର୍ଘଟଣା କିମ୍ୱା ଅନ୍ୟ କୌଣସି କାରଣରୁ ଯେଉଁ ସମୟ ନଷ୍ଟ ହୋଇଥିବ ସେତକ ସମୟ ସେହି ଅର୍ଦ୍ଧର ଖେଳର ସମୟ ସଙ୍ଗେ ଯୋଗ କରି ସେତିକି ଅଧିକା ସମୟ ଖେଳାଇ ପାରିବେ । ମନେ କରାଯାଉ ପ୍ରଥମାର୍ଦ୍ଧର ୩୦ ମିନିଟ୍‍ ବେଳେ ଜଣେ ଖେଳାଳୀ ଗୁରୁତର ଭାବେ ଆହତ ହେବା ଯୋଗୁଁ କିଛି ସମୟ ଖେଳ ବନ୍ଦ ରହିଲା, କିମ୍ୱା ବଲ୍‍ ଫାଟିଗଲା, କିମ୍ୱା ଦେଖଣାହାରୀ ପଡ଼ିଆ ଭିତରକୁ ପଶିଆସିଲେ ଓ ସେଥିଯୋଗୁଁ ୩ ମିନିଟ୍‍ ଖେଳ ବନ୍ଦ ରହିଲା । ତାହାହେଲେ ପ୍ରଥମାର୍ଦ୍ଧର ନିର୍ଦ୍ଧାରିତ ସମୟ ପରେ ରେଫରୀ ଆହୁରି ୩ ମିନିଟ୍‍ ଅଧିକ ସମୟ ଖେଳାଇ ବିରତିସୂଚକ ହୁଇସିଲ୍‍ ବଜାଇବେ । ସେ ସମ୍ପର୍କରେ ଖେଳାଳୀ ବା ସଂଶ୍ଳିଷ୍ଟ ଆସୋସିଏସନ୍‍ର କିଛି କହିବାର ଅଧିକାର ନାହିଁ । ସେହିପରି ପ୍ରତ୍ୟେକ ଅର୍ଦ୍ଧରେ ବଲ୍‍ ଆଉଟ୍‍ ହେବା ଯୋଗୁଁ ଯେତେ ସମୟ ନଷ୍ଟ ହୋଇଥିବ ସେତକ ସମୟ ମଧ୍ୟ ପ୍ରତ୍ୟେକ ଅର୍ଦ୍ଧର ନିର୍ଦ୍ଧାରିତ ସମୟ ସଙ୍ଗେ ଯୋଗ କରାଯିବ ।

 

ବର୍ତ୍ତମାନ ଅତିରିକ୍ତ ସମୟ ବା Extra time କଥା କହେ ।

 

ଅତିରିକ୍ତ ସମୟ–ନିର୍ଦ୍ଧାରିତ ସମୟ ଭିତରେ ଖେଳ ଅମୀମାଂସିତ ରହିଲେ ଏବଂ ପ୍ରତିଯୋଗିତାର ନିୟମ ଅନୁସାରେ ଅତିରିକ୍ତ ସମୟ ଖେଳାଇବାର ବିଧାନ ଥିଲେ, ଏହି ଅତିରିକ୍ତ ସମୟକୁ ଦୁଇ ସମାନ ଭାଗରେ ଭାଗ କରି ଖେଳାଇବାକୁ ପଡ଼ିବ । ଫୁଟବଲ୍‍ ଖେଳର ନିୟମରେ ଅତିରିକ୍ତ ସମୟ କେତେ ହେବ ଏବଂ ସେଥିରେ ବିରତି ସମୟ ରହିବ କି ନାହିଁ କିଛି କୁହାଯାଇ ନାହିଁ । ସାଧାରଣତଃ ପ୍ରତିଯୋଗିତାର ପରିଚାଳନା ସମିତି ଏହି ସମୟ ନିର୍ଦ୍ଧାରିତ କରିଥାଏ । ତେବେ ଫୁଟ୍‍ବଲ୍‍ ଖେଳର ନିୟମ କୁହେ ଯେ ଅତିରିକ୍ତ ସମୟ ଖେଳାଇବାକୁ ହେଲେ ପୁଣି ‘ଟସ୍‍’ କରି ଖେଳ ଆରମ୍ଭ କରିବାକୁ ପଡ଼ିବ ଏବଂ ଏହି ସମୟର ହାଫ୍‍ ଟାଇମ୍‍ ବେଳେ ରେଫରୀଙ୍କ ନିର୍ଦ୍ଦେଶାନୁସାରେ ପାର୍ଶ୍ୱ ପରିବର୍ତ୍ତନ କରିବାକୁ ପଡ଼ିବ ।

 

‘‘ଏ ତ ଗଲା ଖେଳର ସମୟ ସମ୍ପର୍କୀୟ ନିୟମ କଥା । କହିଲ ଭଲା କେଉଁ ସମୟରୁ ଖେଳ ଆରମ୍ଭ ହେଲା ବୋଲି ଧରାଯିବ ?’’ ସାର୍‍ ପଚାରିଲେ ।

 

ଅଷ୍ଟମ ନିୟମ

 

ଖେଳର ଆରମ୍ଭ — ‘‘ଏ ତ ସହଜ ପ୍ରଶ୍ନ । ଆପଣ ଯେଉଁ ମୁହୂର୍ତ୍ତରେ ସେଣ୍ଟର କରିବା ଲାଗି ହୁଇସିଲ୍‍ ବଜାଇବେ ସେହି ମୁହୂର୍ତ୍ତରୁ ଖେଳ ଆରମ୍ଭ ହେଲା ବୋଲି ଧରାଯିବ । ଏଥିରେ ଅଡ଼ୁଆ କେଉଁଠି ?’’ ତିନି ଚାରିଜଣ ଖେଳାଳୀ ସମସ୍ୱରରେ ଏହି ଉତ୍ତର ଦେଲେ ।

 

‘‘ଉଁ ହୁଁ, ହେଲା ନାହିଁ । ଏକବାରେ ଭୁଲ୍‍ ଉତ୍ତର ଦେଲ । ତାହା ଛଡ଼ା ତୁମ୍ଭେମାନେ ଯାହାକୁ ସେଣ୍ଟର୍‍ କରିବା କହୁଛ ଫୁଟବଲ୍‍ ଖେଳର ଭାଷାରେ ତାହାର ଠିକ୍‍ ଶବ୍ଦ ହେଲା ‘‘କିକ୍‍ ଅଫ୍‍’ । ଖେଳ ଆରମ୍ଭ ସମ୍ୱନ୍ଧୀୟ ନିୟମ ତୁମ୍ଭମାନଙ୍କୁ ଏହିକ୍ଷଣି ବୁଝାଇଛି, ମନ ଦେଇ ଶୁଣ । ଯେଉଁ ମୁହୂର୍ତ୍ତରେ ‘‘କିକ୍‍ ଅଫ୍‍’ କରାଗଲା; ସେହି ମୁହୂର୍ତ୍ତରୁ ଖେଳ ଆରମ୍ଭ ହେଲା ବୋଲି ଧରାଯିବ ।’’

 

କିକ୍‍ଅଫ୍‍–ଟସ୍‍ ଦ୍ୱାରା କେଉଁ ଦଳ ପଡ଼ିଆରେ କେଉଁ ପଟରେ ରହିବ ଓ କେଉଁ ଦଳ ‘କିକ୍‍ ଅଫ୍‍’ ଅର୍ଥାତ୍‍ ଖେଳ ଆରମ୍ଭ କରିବା ଠିକ୍‍ କରାଯାଏ ବୋଲି ତୁମ୍ଭେମାନେ ଜାଣ ? ଆଜି ଟସ୍‍ ର ରାଣୀହାଟ ଜିତି ପଡ଼ିଆର ଦକ୍ଷିଣ ପଟ ବାଛି ନେଲା । ତେଣୁ କିକ୍‍ ଅଫ୍‍ କରିବାର ଦାୟିତ୍ୱ କଲେଜିଏଟ୍‍ର । କଅଣ ଠିକ୍‍ ନା ? ବର୍ତ୍ତମାନ କିକ୍‍ ଅଫ୍‍ ବିଷୟରେ କହେ । ତୁମ୍ଭେମାନେ ତ ଜାଣ ଖେଳ ଆରମ୍ଭ ବେଳେ କିମ୍ୱା ଗୋଟିଏ ଗୋଲ୍‍ ହେବାପରେ କିକ୍‍ ଅଫ୍‍କରି ଖେଳ ଆରମ୍ଭ କରାଯାଏ । ଯେଉଁ ଦଳ କିକ୍‍ ଅଫ୍‍ କରୁଥାଏ ତାହାର ଜଣେ ଖେଳାଳୀ (ସାଧାରଣତଃ ସେଣ୍ଟର ଫରଓ୍ୱାର୍ଡ) ପଡ଼ିଆର କେନ୍ଦ୍ରବିନ୍ଦୁ ଉପରେ ବଲ୍‍ଟିକୁ ନିଶ୍ଚଳ ଅବସ୍ଥାରେ ରଖି ଛିଡ଼ା ହୋଇଥାଏ । ରେଫରୀ ହୁଇସିଲ୍‍ ବଜାଇବା ମାତ୍ରେ ସେ ପ୍ଲେସ୍‍ କିକ୍‍ (Place Kick) କରି ଅର୍ଥାତ୍‍ ସ୍ଥିର ହୋଇ ରହିଥିବା ବଲ୍‍ଟିକୁ ବିପକ୍ଷ ଅଞ୍ଚଳକୁ ମାରି ଖେଳ ଆରମ୍ଭ କରେ । ଯେଉଁ ମୁହୂର୍ତ୍ତରେ ଏହି ଖେଳାଳୀ ବିପକ୍ଷ ଅଞ୍ଚଳକୁ ବଲ୍‍ଟି ମାରିଲେ ସେହି ମୁହୂର୍ତ୍ତରୁ ଖେଳ ଆରମ୍ଭ ହେଲା ବୋଲି ଧରାଯିବ, ରେଫରୀଙ୍କ ହୁଇସିଲ୍‍ ବଜାଇବା ସମୟରୁ ନୁହେଁ । କିକ୍‍ ଅଫ୍‍ର କେତେଗୁଡ଼ିଏ ନିୟମ ଅଛି । ସେଗୁଡ଼ିକ ତୁମ୍ଭମାନଙ୍କର ଜାଣିବା ଉଚିତ । ସେଗୁଡ଼ିକ ତୁମ୍ଭମାନଙ୍କର ଜାଣିବା ଉଚିତ । ସେଗୁଡ଼ିକ ହେଲା–

 

(କ) କିକ୍‍ଅଫ୍‍ ପୂର୍ବରୁ ବଲ୍‍କୁ ପଡ଼ିଆର କେନ୍ଦ୍ରବିନ୍ଦୁ ଉପରେ ନିଶ୍ଚଳଭାବେ ରଖିବାକୁ ହେବ ।

 

(ଖ) ସେତେବେଳେ ବଲ୍‍ ଠାରୁ ବିପକ୍ଷ ଦଳର ଖେଳାଳୀମାନଙ୍କ ଦୂରତ୍ୱ ଅନ୍ୟୂନ ପକ୍ଷେ ୧୦ ଗଜ ହେବା ଆବଶ୍ୟକ ।

 

(ଗ) କିକ୍‍ ଅଫ୍‍ରୁ ବଲ୍‍କୁ ବିପକ୍ଷ ଅଞ୍ଚଳକୁ ମରାଯିବ ।

 

(ଘ) ବଲ୍‍ ନିଜ ଗୋଲେଇ ବା ପରିଧି ସମାନ ଦୂରତ୍ୱ ଅତିକ୍ରମ ନ କଲା ଯାଏ ଖେଳ ଆରମ୍ଭ ହେଲା ବୋଲି ଧରାଯିବ ନାହିଁ ।

 

(ଙ) କିକ୍‍ ଅଫ୍‍ କଲାବେଳେ କିକ୍‍ ଅଫକାରୀଙ୍କୁ ପଡ଼ିଆର ନିଜ ଅଂଶରେ ରହିବାକୁ ପଡ଼ିବ ।

 

(ଚ) କିକ୍‍ ଅଫ୍‍ କଲାପରେ ଯେତେବେଳ ପର୍ଯ୍ୟନ୍ତ ଅନ୍ୟ କୌଣସି ଖେଳାଳୀ ସେ ବଲ୍‍କୁ ନ ଖେଳିଛନ୍ତି ବା ଛୁଇଁଛନ୍ତି ସେତେବେଳ ପର୍ଯ୍ୟନ୍ତ କିକ୍‍ ଅଫ୍‍କାରୀ ସେ ବଲ୍‍କୁ ଦ୍ୱିତୀୟବାର ସ୍ପର୍ଶ କରିପାରିବେ ନାହିଁ । ଯଦି ସେ ତାହା କରନ୍ତି ତେବେ ସେ ନିୟମ ଭଙ୍ଗ କଲେ ବୋଲି ଧରାଯିବ ଏବଂ ଯେଉଁ ସ୍ଥାନରେ ସେ ଦ୍ୱିତୀୟ ବାର ବଲ୍‍କୁ ଛୁଇଁଥିବେ ସେହି ସ୍ଥାନରୁ ତାଙ୍କ ଦଳ ବିରୁଦ୍ଧରେ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ (Indirect free kick) ଦିଆଯିବ ।

 

(ଛ) କିକ୍‍ ଅଫ୍‍ରୁ ପ୍ରତ୍ୟେକ ଦଳର ଖେଳାଳୀ ପଡ଼ିଆରେ ନିଜ ନିଜ ଅଂଶରେ

ରହିବେ ।

 

(ଜ) କିକ୍‍ ଅଫ୍‍ରୁ ସିଧାସଳଖ ଗୋଲ୍‍ ଦିଆଯାଇ ପାରିବ ନାହିଁ ।

 

(ଝ) ଉପରୋକ୍ତ କ, ଖ, ଗ, ଘ, ଙ, ଛ, ଜ, ନମ୍ୱର ନିୟମ ଭଙ୍ଗ କଲେ ପୁଣି ଥରେ କିକ୍‍ ଅଫ୍‍କରି ଖେଳ ଆରମ୍ଭ କରାଯିବ ।

 

ଗୋଲ୍‍ ହେବାପରେ ଯେଉଁ ଦଳ ଗୋଲ୍‍ ଖାଇଲେ ସେହି ଦଳର ଜଣେ ଖେଳାଳୀ ଉପରୋକ୍ତ ପ୍ରକାରେ କିକ୍‍ ଅଫ୍‍ କରି ଖେଳ ଆରମ୍ଭ କରିବେ ।

 

ହାଫ୍‍ ଟାଇମ୍‍ ପରେ ଦ୍ୱତୀୟାର୍ଦ୍ଧର ଖେଳ ଆରମ୍ଭ ହେବା ଆଗରୁ ଉଭୟ ଦଳ ପାର୍ଶ୍ୱ ପରିବର୍ତ୍ତନ କରିବେ ଏବଂ ଯେଉଁ ପକ୍ଷର ଜଣେ ପ୍ରଥମେ ଖେଳ ଆରମ୍ଭ କରିଥିଲେ ତାଙ୍କ ବିପକ୍ଷ ଦଳର ଜଣେ ଖେଳାଳୀ କିକ୍‍ ଅଫ୍‍ କରି ଦ୍ୱିତୀୟାର୍ଦ୍ଧର ଖେଳ ଆରମ୍ଭ କରିବେ ।

 

ଅତିରିକ୍ତ ସମୟରେ ମଧ୍ୟ କିକ୍‍ ଅଫ୍‍ କରି ଖେଳ ଆରମ୍ଭ କରାଯିବ ।

 

ଡ୍ରପ୍‍–ଯଦି ଅନ୍ୟ କୌଣସି କାରଣରୁ ସାମୟିକ ଭାବେ ଖେଳ ବନ୍ଦ କରାଯାଏ ଏବଂ ଏଭଳି ବନ୍ଦ କରିବା ପୂର୍ବରୁ ଯଦି ବଲ୍‍ ଗୋଲ୍‍ ଲାଇନ୍‍ ବା ଟଚ୍‍ ଲାଇନ୍‍ ଅତିକ୍ରମ କରି ପଡ଼ିଆ ବାହରକୁ ନ ଯାଇଥାଏ, ତେବେ ପୁଣି ଖେଳ ଆରମ୍ଭ କଲାବେଳେ ବଲ୍‍ ଯେଉଁ ସ୍ଥାନରେ ଥିଲାବେଳେ ଖେଳ ବନ୍ଦ କରାଯାଇଥିଲା ବଲ୍‍କୁ ସେହି ସ୍ଥାନରେ ଡ୍ରପ୍‍ ଦେଇ ଖେଳ ଆରମ୍ଭ କରାଯିବ । ଡ୍ରପ୍‍ କରାଯାଉଥିବା ବଲ୍‍ ଭୂମି ସ୍ପର୍ଶ କଲାପରେ ତାହା ଖେଳ ମଧ୍ୟରେ (In play) ବୋଲି ଧରାଯିବ । ବଲ୍‍ ମାଟି ଛୁଇଁଲା ପରେ ଖେଳାଳୀମାନେ ତାହାକୁ ମାରି ଖେଳି ପାରିବେ । ବଲ୍‍ ମାଟିରେ ପଡ଼ିବା ପୂର୍ବରୁ ଯଦି କୌଣସି ଖେଳାଳୀ ତାହାକୁ ଛୁଅନ୍ତି ବା କିକ୍‍ ଅଫ୍‍ କରନ୍ତି ତେବେ ସେ ନିୟମ ଲଙ୍ଘନ କଲେ ବୋଲି ଧରାଯିବ, ଏବଂ ତାଙ୍କୁ ସତର୍କ କରାଯିବ । ଅପରାଧର ଗୁରୁତ୍ୱ ଅନୁଯାୟୀ ତାଙ୍କୁ ପଡ଼ିଆରୁ ବାହାର ମଧ୍ୟ କରି ଦିଆଯାଇପାରେ; କିନ୍ତୁ ଏଥିଲାଗି ତାଙ୍କ ଦଳ ବିରୁଦ୍ଧରେ ଫ୍ରି କିକ୍‍ର ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ । କାରଣ ଅପରାଧ ବେଳେ ବଲ୍‍ ଖେଳରେ ଥିଲା ବୋଲି ଧରାଯାଇ ପାରିବ ନାହିଁ । ସୁତରାଂ ରେଫରୀଙ୍କୁ ପୁଣି ଡ୍ରପ୍‍ ଦେଇ ଖେଳ ଆରମ୍ଭ କରିବାକୁ ପଡ଼ିବ । ରେଫରୀ ଡ୍ରପ୍‍ ଦେବାପରେ ଓ କୌଣସି ଖେଳାଳୀ ତାହାକୁ ଛୁଇଁବା ପୂର୍ବରୁ ଯଦି ବଲ୍‍ଟି ପଡ଼ିଆ ବାହାରକୁ ଚାଲିଯାଏ ତେବେ ରେଫରୀ ସେହି ସ୍ଥାନରେ ପୁଣି ଥରେ ଡ୍ରପ୍‍ ଦେଇ ଖେଳ ଆରମ୍ଭ କରିବେ ।

 

ସାର୍‍ଙ୍କ କଥା ଶେଷ ନ ହେଉଣୁ ସୁରେଶ କହିଲା, ‘‘ସାର୍‍, ବହୁତ ଡେରି ହେଲାଣି । ୯୦ ମିନିଟ ଖେଳ ଖେଳିବାକୁ ସମୟ କାହିଁ ?’’ ସାର୍‍ ନିଜ ଘଡ଼ି ଆଡେ ଚାହିଁ କହିଲେ, ‘‘ସତେ ତ-! ସାଢ଼େ ୪ଟା ବାଜିଗଲାଣି । ଆଉ ନିୟମାବଳି ଚର୍ଚ୍ଚା କରିବା ନାହିଁ । ସୁରେଶ, ଆମ ମ୍ୟାଚ୍‍ଟି ୬୦ ମିନିଟ୍‍ ର ହେବ । ୬୦ ମିନିଟ୍‍ ଖେଳ ପାଇଁ ଯଥେଷ୍ଟ ସମୟ ଅଛି । ଆଉ ୨ ମିନିଟ୍‍ ଭିତରେ ଖେଳ ଆରମ୍ଭ କରିବି । ତେବେ ତାହା ପୂର୍ବରୁ ଗୋଟିଏ କଥା ଠିକେ ଠିକେ କହି ରଖେ ।’’

 

ପଞ୍ଚମ ଓ ଷଷ୍ଠ ନିୟମ–

 

ରେଫରୀ ଓ ଲାଇନ୍‍ସ ମ୍ୟାନ୍‍–ଖେଳ ଚାଲିଥିଲାବେଳେ ରେଫରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ । ତାଙ୍କ ନିଷ୍ପତ୍ତିର ପ୍ରତିବାଦ କରିବା ଏକ ଗର୍ହିତ ଅପରାଧ । ରେଫରୀ ଖେଳର ନିୟମ ବିଷୟରେ ସମ୍ପୂର୍ଣ୍ଣ ଅଭିଜ୍ଞ ଏବଂ ନିୟମାନୁସାରେ ଖେଳ ପରିଚାଳନା କରିବାର ଦାୟିତ୍ୱ ତାଙ୍କର । କେତେକ କ୍ଷେତ୍ରରେ ତାଙ୍କ ନିଷ୍ପତ୍ତି ବିଷୟରେ ପ୍ରତିବାଦ କରାଯାଇ ପାରେ । ସେ ବିଷୟରେ ମୁଁ ପରେ ସବୁ କଥା ବୁଝାଇ କହିବି । ଲାଇନ୍‍ସମ୍ୟାନ ଦୁଇଜଣ କେବଳ ରେଫରୀଙ୍କର ସହାୟକ । ଖେଳ ସମ୍ପର୍କରେ ସେମାନଙ୍କର କୌଣସି ନିଷ୍ପତ୍ତି ଦେବାର ଅଧିକାର ନାହିଁ । ତାଙ୍କ କାମ ହେଲା ଖେଳ ପରିଚାଳନାରେ ରେଫରୀଙ୍କୁ ସାହାର୍ଯ୍ୟ କରିବା ସଙ୍ଗେ ସଙ୍ଗେ କେଉଁଠାରେ ଭୁଲ ତ୍ରୁଟି ହେଲେ ତାହା ରେଫରୀଙ୍କର ଦୃଷ୍ଟିକୁ ଆଣିବା । ରେଫରୀ ଲାଇନ୍‍ମ୍ୟାନଙ୍କ ନିଷ୍ପତ୍ତି ଗ୍ରହଣ କରିପାରନ୍ତି, ନ କରି ପାରନ୍ତି ମଧ୍ୟ । ସେଥିରେ ଲାଇନ୍‍ସମ୍ୟାନ ମାନଙ୍କର ପ୍ରତିବାଦ କରିବାର କୌଣସି ଅଧିକାର ନାହିଁ । ରେଫରୀ ଓ ଲାଇନ୍‍ସମ୍ୟାନ ନିରପେକ୍ଷ ଏବଂ ନିର୍ଦ୍ଦଳୀୟ ହେବା ଉଚିତ, ଅର୍ଥାତ୍‍ ପ୍ରତିଦ୍ୱନ୍ଦୀ ଦଳ ଦୁଇଟି ସହ ସେମାନଙ୍କର କୌଣସି ସମ୍ପର୍କ ନ ରହିବା ଉଚିତ । ସେଥିପାଇଁ ପ୍ରତିଯୋଗିତାବେଳେ ଆସୋସିଏସନ୍ ତରଫରୁ ରେଫରୀ ଓ ଲାଇନ୍‍ସମ୍ୟାନ୍‍ ନିଯୁକ୍ତ କରାଯାଇଥାଏ । ଏମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ପରେ ମୁଁ ବିସ୍ତାରିତ ଭାବେ କହିବି । ଚାଲ ବର୍ତ୍ତମାନ ଖେଳ ଆରମ୍ଭ କରିବା ।

 

ସାର୍‍ଙ୍କ ଠାରୁ ଅନୁମତି ପାଇବା ମାତ୍ରେ ଉଭୟ ଦଳର ଖେଳାଳୀମାନେ ଯେ ଯାହା ସ୍ଥାନରେ ଛିଡ଼ା ହୋଇଗଲେ । କଲେଜିଏଟ୍‍ ସେଣ୍ଟର ଫରଓ୍ୟାର୍ଡ ହେରମ୍ୱ ବଲ୍‍କୁ କେନ୍ଦ୍ର ବିନ୍ଦୁ (ସେଣ୍ଟର) ଉପରେ ନିଶ୍ଚଳ ଭାବେ ରଖି ଛିଡ଼ା ହେଲା ଏବଂ ତା ଦୁଇ ପାଖରେ କେନ୍ଦ୍ର ବୃତ୍ତ ମଧ୍ୟରେ ଛିଡ଼ା ହେଲେ ରାମ ଓ ହରି । ସାର୍‍ ହୁଇସିଲ୍‍ ବଜାନ୍ତେ ହେରମ୍ୱ ବଲ୍‍କୁ ଗଡ଼ାଇ ଦେଲା ରାମ ସାମନାକୁ । ଦୁଇ ପାଦ ଆଗେଇ ରାମ ମାରିଲା ଗୋଟିଏ ଧରିଲା ବେଳକୁ କଲେଜିଏଟ୍‍ ଦେଖାଣାହାରିଏ ସମସ୍ୱରରେ ପାଟି କରି ଉଠିଲେ ‘‘ବସନ୍ତ ମାଡ଼ି ଯା, ବସନ୍ତ ମାଡ଼ି ଯା ।’’

Image

 

ତୃତୀୟ ଅଧ୍ୟାୟ

 

‘‘କେବେ ନୁହଁ.....ନିଶ୍ଚେ ଗୋଲ୍‍–ବଲ୍‍ତ ଆପଣାଛାଏଁ ପୋଷ୍ଟ ଭିତରେ ପଶିଲା, ଗୋଲ୍‍ ନ ହେବ କେମିତି ? ଗୋଲ୍‍......ଗୋଲ୍‍......’’ ଉତ୍ତେଜିତ ଭାବେ ପାଟି କଲା ନରସିଂହ ।

 

‘‘ଥାଉ ଥାଉ, ତୁ ମନକୁ ମନକୁ ମନ ପାଟି କରୁଥା, ତେଣେ ସାର୍‍ ହୁଇସିଲ ବଜାଇ ଗୋଲ୍‍କିକ୍‍ ମାରିବାକୁ କହିଲେଣି । ଏ ଯେଉଁ କ୍ଲାସ ଟେନ୍‍ର ଲାଇନ୍‍ସମ୍ୟାନ୍‍–ୟାରି ଯୋଗୁଁ ସିନା ଏଡ଼େ ବଢ଼ିଆ ଗୋଲ୍‍ଟା ମାରା ହୋଇଗଲା । କଅଣ କହନ୍ତି.....’’ ବୈକୁଣ୍ଠ ଦାନ୍ତଭିଡ଼ି ନିଜକୁ ସମ୍ଭାଳି ନେଲା ।

 

‘‘ଓହୋ–କି ଆମ ଲାଇନ୍‍ସମ୍ୟାନ୍‍ର–ଫିତା ପକାଇ ମାପି ଦେଖିଲା ଯେ ବଲ୍‍ ଶୂନ୍ୟରେ ଥିଲାବେଳେ ଗୋଲ୍‍ ଲାଇନ୍‍ ଡେଇଁ ପଡ଼ିଆ ବାହାରକୁ ଯାଇଛି । ଆଉ ଆମ ସାର୍‍ଙ୍କୁ ଦେଖ–କୁଆଡ଼ୁ କିଛି ନ ଦେଖି ଏ ଲାଇନ୍‍ମ୍ୟାନ୍‍ର କଥାରେ ପଡ଼ି ଏଡ଼େ ବଢ଼ିଆ ଗୋଲ୍‍ଟା ନାକଚ କରିଦେଲେ । ଛାଡ଼—ଆମ କପାଳ ମନ୍ଦ.....’’ ସୁଶୀଲ କହିଲା ।

 

‘‘କଅଣ କପାଳ ମନ୍ଦ ? କପାଳ ମନ୍ଦ କଅଣ ? ଖେଳ ସରୁ ନା ଦେଖିନବା ସେ ଲାଇନ୍‍ମ୍ୟାନ୍‍କୁ । ତା ଜନ୍ମକେ ଏମିତି କର୍ଣ୍ଣାର କିକ୍‍ ମାରିଥିଲା ନା ? କି କର୍ଣ୍ଣାର୍‍ କିକ୍‍ଟା ସତେ ବସନ୍ତ ମାରିଲା । ବଲ୍‍ ଶୂନ୍ୟେ ଶୁନ୍ୟେ ଯାଇ କ୍ରଶବାର୍‍ ତଳବାଟେ ଏକବାରେ ପୋଷ୍ଟ ଭିତରେ–ରାଣୀହାଟ ଗୋଲ୍‍ କିପର୍‍ ତ ଏକବାରେ ଭୂଆଁ । ଏଡ଼େ ବଢ଼ିଆ କିକ୍‍ଟାକୁ ଲାଇନ୍‍ମ୍ୟାନ୍‍ ଶେଷରେ ଆଉଟ୍‍ ବୋଲି ଦେଲା ନା ? କାହାକୁ ଆଉ କହିବା–ରେଫରୀ ଆମର, ଲାଇନ୍‍ସ ମ୍ୟାନ୍‍ ଆମର....ହେଲେ ଏତିକିରେ କଥା ତୁଟୁ ନାହିଁ......’’ ନରସିଂହ କହିଲା ।

 

ଇତି ମଧ୍ୟରେ ରାଣୀହାଟ ରାଇଟ୍‍ବ୍ୟାକ୍‍ ମଧୁ ଗୋଲ୍‍ କିକ୍ ମାରି ବଲ୍‍କୁ କଲେଜିଏଟ୍‍ ପଟକୁ ପଠାଇ ସାରିଲାଣି–କିନ୍ତୁ ସେ ଆଡ଼େ କଲେଜିଏଟ୍‍ ସମର୍ଥନକାରୀଙ୍କର ଦୃଷ୍ଟି ନାହିଁ । ସେମାନେ ଗୋଲ୍‍ଟା ନାକଚ ହେବା ଯୋଗୁଁ ଲାଇନ୍‍ସମ୍ୟାନ୍‍ର ଚଉଦ ପୁରୁଷ ଉଦ୍ଧାର କରିବାରେ ବ୍ୟସ୍ତ । ସେମାନଙ୍କ ଭିତରୁ କେତେଜଣ ଖେଳ ଶେଷ ହେଲେ କେମିତି ଲାଇନ୍‍ସମ୍ୟାନ୍‍କୁ ପାନେ ଦେବେ ତାହାରି ମସୁଧା କରିବାରେ ଲାଗିଛନ୍ତି । ପଡ଼ିଆ ବାହାରେ ସେଥିଲାଗି ବେଶ୍‍ ଉତ୍ତେଜନା ଦେଖା ଦେଇଛି; କିନ୍ତୁ ଘଟଣାଟି ପ୍ରକୃତରେ ସେଭଳି ଉତ୍ତେଜନାମୂଳକ ନୁହଁ । ଖେଳ ଆରମ୍ଭର ୫ ମିନିଟ୍‍ ଭିତରେ ରାଣୀହାଟ ବିରୁଦ୍ଧରେ ଗୋଟିଏ କର୍ଣ୍ଣାର୍‍ କିକ୍‍ ଦିଆଯାଇଥିଲା–ଆଉ କଲେଜିଏଟ୍‍ ଟିମର ଆଉଟ୍‍ସାଇଡ୍‍ ଲେଫ୍‍ଟ ବସନ୍ତ ସୁନ୍ଦରଭାବେ ସେ କିକ୍‍ଟା ମାରିଥିଲା । ବଲ୍‍ ଶୂନ୍ୟରେ ଗତି କଲାବେଳେ ପବନ ଯୋଗୁଁ କ୍ଷଣକ ପାଇଁ ପଡ଼ିଆ ବାହାରକୁ ଚାଲିଯାଇ ପୁଣି ଅଭୁତଭାବେ ଘୂରିଆସି ପୋଷ୍ଟ ଭିତରେ ପଶି ଯାଇଥିଲା । ବଲ୍‍ ଯେତେବେଳେ ଶୂନ୍ୟରେ ଥାଇଁ ପଡ଼ିଆ ବାହାରକୁ ଯାଇଛି ସେତେବେଳେ ଲାଇନ୍‍ସମ୍ୟାନ୍‍ ପତାକା ହଲାଇ ଆଉଟ୍‍ ହେବାର ସଙ୍କେତ ଦେଇଛି ଏବଂ ରେଫରୀ ସେ ସଙ୍କେତ ଦେଖିଛନ୍ତି । କିନ୍ତୁ ଘଟଣାଟି ଏତେ ଶୀଘ୍ର ଘଟିଛି ଯେ ରେଫରୀ ହୁଇସିଲ୍‍ ବଜାଇଲାବେଳକୁ ବଲ୍‍ ଗୋଲପୋଷ୍ଟ ଭିତରକୁ ଚାଲିଯାଇଛି । ଦେଖଣାହାରୀମାନେ କିନ୍ତୁ ଲାଇନ୍‍ସମ୍ୟାନ୍‍ର ସଙ୍କେତ ଦେଖି ନାହାନ୍ତି–କାରଣ ସେମାନଙ୍କ ଲକ୍ଷ୍ୟ ଗୋଲପୋଷ୍ଟ ଉପରେ । କିନ୍ତୁ ଯେତେବେଳେ ଗୋଲ୍‍ ହେବା ସତ୍ତ୍ୱେ ରେଫରୀ ଗୋଲ୍‍ ନ ସୂଚାଇ ଗୋଲ୍‍ କିକ୍‍ର ନିର୍ଦ୍ଦେଶ ଦେଲେ ଏବଂ ଲାଇନ୍‍ସମ୍ୟାନ୍‍ ପତାକା ହଲାଇ ତାଙ୍କୁ ସମର୍ଥନ କଲା, ସେତେବେଳେ ସମସ୍ତଙ୍କ ରାଗ ଯାଇଁ ପଡ଼ିଲା ବିଚରା ଲାଇନ୍‍ସମ୍ୟାନ୍‍ ଉପରେ ।

 

ଖେଳର ଗତି ଇତିମଧ୍ୟରେ ବଦଳି ଗଲାଣି । ରାଣୀହାଟର ସମବେତ ଆକ୍ରମଣ ଯୋଗୁଁ କଲେଜିଏଟ୍‍ର ରକ୍ଷଣଭାଗ ଅସ୍ତବ୍ୟସ୍ତ । ରାଣୀହାଟ ସେଣ୍ଟର ଫରଓ୍ୟାର୍ଡ ଅନିରୁଦ୍ଧ ହଠାତ୍‍ ବିପକ୍ଷ ରକ୍ଷଣଭାଗର ୩ ଜଣ ଖେଳାଳୀଙ୍କୁ କଟାଇ ବଲ୍‍ ମୁହଁ ମାଡ଼ି ଚାଲିଛି କଲେଜିଏଟ୍‍ ଗୋଲ୍‍ ଆଡ଼କୁ । ଆଗରେ ରହିଛି କେବଳ ଗୋଲ୍‍ କିପର ଫକ୍‍ରୁଦ୍ଦୀନ । ଅନିରୁଦ୍ଧ ଗୋଲ ଦେଲା ବୋଲି ଜାଣ–ଏତିବିବେଳେ କଲେଜିଏଟ୍‍ ସେଣ୍ଟର ହାଫ୍‍ ସୁରେଶ ପଛଆଡ଼ୁ ଚିଲ ଭଳି ଝାମ୍ପମାରି ବଲ୍‍କୁ ଗୋଲ୍‍ ଲାଇନ୍‍ ଡିଆଁଇ ପଡ଼ିଆ ବାହାରକୁ ପଠାଇଦେଲା । କଲେଜିଏଟ୍‍ର ଖେଳାଳୀ ଓ ସମର୍ଥକମାନେ ଗୋଟିଏ ସ୍ୱସ୍ତିର ନିଃଶ୍ୱାସ ମାରିଲେ–ନିଧାର୍ଯ୍ୟ ଗୋଲ୍‍ରୁ ସୁରେଶ ବଞ୍ଚାଇ ଦେଲା ବୋଲି । କିନ୍ତୁ ବିପଦ ସେତେବେଳଯାକେ ପୂରାପୂରି ଦୂର ହୋଇନାହିଁ । ରେଫରୀ ହୁଇସିଲ୍‍ ବଜାଇ ନିର୍ଦ୍ଦେଶ ଦେଲେ କର୍ଣ୍ଣାର କିକ୍‍ ମାରିବାକୁ । ରାଣୀହାଟ ଆଉଟ୍‍ସାଇଡ୍‍ ଲେଫ୍‍ଟ ଗଣେଶ ବଲ୍‍ ଧରି ଚାଲିଲା କର୍ଣ୍ଣାର କିକ୍ ମାରିବାଲାଗି । ଇତି ମଧ୍ୟରେ କଲେଜିଏଟ୍‍ ରକ୍ଷଣଭାଗ ଏବଂ ରାଣୀହାଟ ଆକ୍ରମଣଭାଗର ଖେଳାଳୀମାନେ କଲେଜିଏଟ୍‍ ଗୋଲ୍‍ ଏରିଆ ବାହାରପାଖେ ଛକାପନ୍‍ଝା ହୋଇ ଜଗି ରହିଲେଣି । କଲେଜିଏଟ ଖେଳାଳୀଙ୍କର ଦୃଷ୍ଟି ରହିଛି ରାଣୀହାଟ ସେଣ୍ଟର ଫରଓ୍ୟାର୍ଡ ଅନିରୁଦ୍ଧ ଉପରେ । ଭାରି ତରକା ସେ–ଟିକିଏ ସୁବିଧା ପାଇଲେ ଆଉ ବାକି ରଖିବ ନାହିଁ । ତେଣୁ ତା ଚାରିପଟେ କଡ଼ା ପହରା । ଯେମିତି ବଲ୍‍ ତା’ପାଖରେ ପହଞ୍ଚି ନ ପାରେ । ଗୋଲପୋଷ୍ଟ ଭିତରେ ଛିଡ଼ା ହୋଇଛି ଫକରୁଦ୍ଦୀନ ଏବଂ ଗୋଲ୍‍ ଏରିଆର ଭିତରେ ଓ ବାହାରେ ଉଭୟ ଦଳର କେତେଜଣ ଖେଳାଳୀ । ରେଫରୀଙ୍କର ହୁଇସିଲ୍‍ ବାଜିବାମାତ୍ରେ ରାଣୀହାଟ ଦଳର ଇନ୍‍ସାଇଡ୍‍ ଲେଫ୍‍ଟ ବୁଲା ଧୀରେ ଗୋଲ ଏରିଆ ଭିତରକୁ ଚାଲି ଆସିଲା । କିନ୍ତୁ ସେଥିପ୍ରତି କଲେଜିଏଟ୍‍ ଖେଳାଳୀଙ୍କର ଲକ୍ଷ୍ୟ ନାହିଁ । ହୁଇସିଲ ବାଜିବାର ୨ ସେକେଣ୍ଡ ପରେ ଗଣେଶ ମାରିଲା କିକ୍‍–ବଢ଼ିଆ କିକ୍‍ଟାଏ । ବଲ୍‍ ଖସିଲା ଏକବାରେ ବୁଲାର ମୁଣ୍ଡସିଧା । ଫକରୁଦ୍ଦୀନ ଦୌଡ଼ି ଆସି ବଲ୍‍ ଧରିବା ପୂର୍ବରୁ ବୁଲା ବିଜୁଳି ବେଗରେ ଉପରକୁ ଡେଇଁ ହେଡ୍‍ କଲା । ତା’ପରେ ରେଫରୀଙ୍କର ଲମ୍ୱା ହୁଇସିଲ ଫୁର୍‍ର.....ଚାହିଁ ଦେଖିଲାବେଳକୁ ବଲ୍‍ ଯାଇଁ ନେଟ୍‍ ଭିତରେ । ଚମତ୍କାର ହେଡ୍‍–ବଲ୍‍ ପୋଷ୍ଟର ପହିଲା କୋଣବାଟେ ଗୋଲ୍‍ ଭିତରକୁ ଯାଇଛି–ତାକୁ ଅଟକାଇବା ସାଧ୍ୟ କାହାର ? କିନ୍ତୁ କଲେଜିଏଟ୍‍ ପଟ ଦେଖଣାହାରୀଙ୍କ ଆଡ଼ୁ ପାଟି ହେଲା–ଗୋଲ୍‍ ନୁହଁ, ଅଫ୍‍ସାଇଡ୍‍ । କର୍ଣ୍ଣାର କିକ୍ ମରାଯିବା ପୂର୍ବରୁ ବୁଲା ଅଫ୍‍ସାଇଡ୍‍ରେ ଥିଲା—ନିଶ୍ଚେ ଥିଲା—କାରଣ ବୁଲା ଓ ଗୋଲ ଲାଇନ୍‍ ମଝିରେ କଲେଜିଏଟ୍‍ ଦଳର ୨ ଜଣ ଖେଳାଳୀ ପରିବର୍ତ୍ତେ କେବଳ ଗୋଲ୍‍ କିପର୍ ଫକରୁଦ୍ଦୀନ ଥିଲା । ତେଣୁ ଅଫ୍‍ସାଇଡ୍‍ ନୁହଁ ତ କଅଣ ? କୌଣସି ପ୍ରକାରେ ଗୋଲ୍‍ ହୋଇପାରେ ନାହିଁ । କଲେଜିଏଟ ସମର୍ଥନକାରୀଙ୍କର ଏ ପ୍ରକାର ପାଟିତୁଣ୍ଡ ହେଲାବେଳକୁ ରାଣୀହାଟ ଦଳର ଆରମ୍ଭ ହୋଇଛି ମହାଉଲ୍ଲାସ । ରାଣୀହାଟ ଖେଳାଳୀମାନେ ବୁଲାକୁ କୁଣ୍ଢାଇ, ତା ସଙ୍ଗେ ହାତ ମିଳାଇ ନାଚିଲାବେଳକୁ ତାଙ୍କ ସମର୍ଥନକାରୀମାନେ ଛତା, ଜୁତା ଆକାଶକୁ ଫିଙ୍ଗି ପଡ଼ିଆରେ ପଶି ନାଚିବାରେ ବ୍ୟସ୍ତ । ରେଫରୀ କିନ୍ତୁ ଏସବୁ ନାଚକୁଦ, ପାଟିତୁଣ୍ଡ ପ୍ରତି ଦୃଷ୍ଟି ନ ଦେଇ ଚାଲିଛନ୍ତି ପଡ଼ିଆ ମଝିକୁ । ପଡ଼ିଆ ମଝିକୁ ଆସି ବୁଲିପଡ଼ି ଦେଖନ୍ତି ଯେ ଫକରୁଦ୍ଦୀନ ହାତରେ ବଲ୍‍ ଧରି ଚୁପ୍‍ଚାପ୍‍ ଛିଡ଼ା ହୋଇଛି । ଆଉ କଲେଜିଏଟ୍‍ ରକ୍ଷଣଭାଗର ଖେଳାଳୀମାନେ ବୋକାଭଳି ଚାହିଁ ରହିଛନ୍ତି । ସତରେ ଗୋଲ୍‍ ହୋଇଛି କି ନାହିଁ ସେମାନେ ଯେମିତି ବୁଝି ପାରୁ ନାହାନ୍ତି ।

 

ଫୁର୍‍ର.....

 

ହୁଇସିଲ୍‍ ପୁଣି ବାଜିଲା । ସମସ୍ତେ ଅନାଇ ଦେଖନ୍ତି ଯେ ରେଫରୀ ସେଣ୍ଟର ବୃତ୍ତ ଆଡ଼କୁ ଆଙ୍ଗୁଳି ଦେଖାଉଛନ୍ତି । ତାହାହେଲେ ଗୋଲ୍‍.....। ଫକରୁଦ୍ଦୀନ ବିଚରା ବଲ୍‍କୁ ପଡ଼ିଆ ମଝିକୁ ଫିଙ୍ଗିଦେଲା, ଆଉ କଲେଜିଏଟ୍‍ ଖେଳାଳୀମାନେ ଚାଲିଲେ କିକ୍‍ ଅଫ୍ କରି ପୁଣି ଖେଳ ଆରମ୍ଭ କରିବାକୁ । କିନ୍ତୁ କଲେଜିଏଟ ସମର୍ଥନକାରୀଙ୍କର ଅସନ୍ତୋଷ ଆଉ ସମ୍ଭଳା ପଡ଼ିଲା ନାହିଁ । ସମାଲୋଚନାରେ ସେମାନେ ମୁଖର ହୋଇଉଠିଲେ । ପାଞ୍ଚତୁଣ୍ଡରୁ ଶୁଣାଗଲା, ‘‘ଏଟା ଭାରି ଅନ୍ୟାୟ । ଅଫ୍ ସାଇଡ୍‍ ପୋଜିସନରୁ ଗୋଲ୍‍ ହୋଇଛି, ଅଥଚ ରେଫରୀ ପକ୍‍କା ଗୋଲ୍‍ ଦେଲେ-। ନା, ନା ସାର୍‍ଙ୍କର ବଡ଼ ଭୁଲ ହେଲା । ଆଉ ଦେଖ ଏ ଲାଇନ୍‍ମ୍ୟାନ୍‍ ବାବୁଙ୍କୁ ଆମେ ଗୋଲ ଦେଲା ବେଳକୁ ପତାକା ହଲାଇ ଆଉଟ କହି ଗୋଲ୍‍ଟା ନାକଚ କରିଦେଲା, ଆଉ ଏହିକ୍ଷଣି ଅଫ୍‍ସାଇଡ୍‍ରୁ ଗୋଲ ବେଳକୁ ଅନ୍ଧ ପାଲଟି ଯାଉଛି । କାହାକୁ ଆଉ କହିବା-। ରେଫରୀ ଆମର, ଲାଇନ୍‍ସମ୍ୟାନ୍‍ ଆମର–ଆଉ କିଏ ହୋଇଥିଲେ ଏତେବେଳକୁ ମଜା ବାହାରି ଯାଆନ୍ତାଣି-।’’

 

କଲେଜିଏଟ୍‍ ସମର୍ଥନକାରୀମାନେ ଏଭଳି ପାଟିତୁଣ୍ଡ କରୁଥିଲାବେଳେ ରାଣୀହାଟ ପରେ ଏକ ଘଟଣା ଘଟିଲା । କିକ୍‍ ଅଫ୍‍ରୁ ହେରମ୍ୱ ବଲ୍‍ ଗଡ଼ାଇଦେଲା ଇନ୍‍ସାଇଡ୍‍ ଲେଫ୍‍ଟ ହରି ପାଖକୁ । ହରି ବଲ୍‍ ପାଇବା ମାତ୍ରେ ମାରିଲା ଏକ ଲମ୍ୱା ସଟ୍ ଆଉଟ୍‍ସାଇଡ୍‍ ରାଇଟ୍‍ ସନ୍ତୋଷ ପାଖକୁ । ତା’ପରେ ସନ୍ତୋଷର ବଲ୍‍ସହ ତୀର ବେଗରେ ଦୌଡ଼–ଲାଇନ୍‍ କଡ଼େ କଡ଼େ ବଲ୍‍ଧରି ସେ ମାଡ଼ିଗଲା ରାଣୀହାଟ ପେନାଲ୍‍ଟି ଏରିଆ ଭିତରକୁ । ସନ୍ତୋଷକୁ ଅଟକାଇବା କାଠିକର ପାଠ । ଉପାୟ ନ ଦେଖି ରାଣୀହାଟ ଲେଫଟ୍‍ ବ୍ୟାକ୍‍ ମନି ବଲ୍‍ ମାରିଦେଲା ଆଉଟ୍‍କୁ । କଲେଜିଏଟ୍‍ର ଥ୍ରୋ ଇନ୍‍ । ଥ୍ରୋ କରୁଛି ଡେଙ୍ଗା କେଶବ । ଥ୍ରୋ ଇନ୍‍ରୁ ବା କଅଣ ହୋଇପାରେ ? ଥ୍ରୋ ଇନ୍‍ରୁ ବଲ୍‍ ଧରିବାକୁ ଉଭୟ ପକ୍ଷର ଖେଳାଳୀମାନେ ଛକିଲା ବେଳକୁ ହେରମ୍ୱ ଯାଇ ଛିଡ଼ା ହେଲାଣୀ ରାଣୀହାଟ ପେନାଲ୍‍ଟି ଏରିଆ ପାଖରେ । ହେରମ୍ୱ ଓ ଗୋଲ୍‍ଲାଇନ୍‍ ମଝିରେ ସେତେବେଳେ ରହିଛି କେବଳ ରାଣୀହାଟ ଗୋଲ୍‍ କିପର ନନ୍ଦ । ଥ୍ରୋ ଇନ୍‍ରୁ ବଲ୍‍ କଅଣ ସତେ ହେରମ୍ୱ ପାଖରେ ପହଞ୍ଚିବ ? କିନ୍ତୁ ଡେଙ୍ଗା କେଶବ ସମସ୍ତଙ୍କୁ ଆଚମ୍ୱିତ କଲା । ତାହାର ଲମ୍ୱା ଥ୍ରୋ ଫଳରେ ବଲ୍‍ ଅନ୍ୟମାନଙ୍କର ମୁଣ୍ଡଉପର ବାଟେ ହେରମ୍ୱ ପାଖରେ ପହଞ୍ଚୁ ନ ପହଞ୍ଚୁଣୁ ମାରିଲା ସେ ଏକ ଅଦ୍ଭୂତ କିକ୍‍, ଠିକ୍‍ ଭାରତର ପୂର୍ବତନ ସେଣ୍ଟର୍‍ ଫରଓ୍ୱାର୍ଡ ମେଓ୍ୱାଲାଲ୍‍ ଭଳି । ପିଠି ରାଣୀହାଟ ଗୋଲ୍‍ ଆଡ଼କୁ ହଠାତ୍‍ ଶୂନ୍ୟରେ ମାଙ୍କଡ଼ଚିତ୍‍ ମାରି ହେରମ୍ୱ ମାରିଲା କିକ୍‍ । ଅଦ୍ଭୂତ ସେ ସଟ୍‍ । ବଲ୍‍ ବନ୍ଧୁକର ଗୁଳିଭଳି ଯାଇ ପଶିଲା ରାଣୀହାଟ ପୋଷ୍ଟ ଭିତରେ । ଅସମ୍ଭବ ଲକ୍ଷ୍ୟଭେଦ–କେହି କେବେ ଧାରଣା କରିପାରିବ ନାହିଁ ଯେ ଏଭଳି ଭାବେ ଗୋଲ୍‍କୁ ସଟ୍ ମରାଯାଇ ପାରେ ।

 

ରେଫରୀଙ୍କ ଲମ୍ୱା ହୁଇସିଲ୍‍–ଫୁର୍‍ର..........ଅର୍ଥାତ୍‍ ଗୋଲ୍‍ ।

 

ରେଫରୀଙ୍କ ହୁଇସିଲ ପରେ ପରେ ରାଣୀହାଟ ପଟୁ ପାଟି ହେଲା—‘‘ନା, ନା, ଗୋଲ୍‍ ନୁହେଁ । ଗୋଲ୍‍ ହୋଇପାରେ ନା । ହେରମ୍ୱ ଅଫ୍‍ସାଇଡରେ ଥାଇ କିକ୍‍ ମାରିଛି । ତେଣୁ ଗୋଲ୍‍ ହେବା କଥା ନୁହେଁ ।’’

 

ରେଫରଙ୍କର କିନ୍ତୁ ଏ ପାଟିତୁଣ୍ଡ ପ୍ରତି ଭ୍ରୁକ୍ଷେପ ନାହିଁ । ହୁଇସିଲ୍‍ ବଜାଇ ସେ ଚାଲିଲେ ପଡ଼ିଆ ମଝିକୁ–ପୁଣି କିକ୍‍ ଅଫ୍‍ କରାଇବା ଲାଗି । ମିନିଟ୍‍କ ଭିତରେ ଗୋଲ୍‍ ଶୁଝିବା ଆଶ୍ଚର୍ଯ୍ୟର କଥା–ଧାରଣାତୀତ ମଧ୍ୟ । କଲେଜିଏଟ୍‍ ଖେଳାଳୀ ଓ ସମର୍ଥନକାରୀମାନେ ପ୍ରଥମେ କିଛି ବୁଝିପାରି ନ ଥିଲେ, କିନ୍ତୁ ଯେତେବେଳେ ଦେଖିଲେ ଯେ ଗୋଲ୍‍ ହୋଇଛି ସେତେବେଳେ ସେମାନଙ୍କ ଆନନ୍ଦ କହିଲେ ନ ସରେ ।

 

ତା ପରେ ଚାଲିଲା ଧମାଧମ ଖେଳ । ଗୋଟିଏ ମୁହୂର୍ତ୍ତରେ କଲେଜିଏଟ ଆକ୍ରମଣ କଲାବେଳକୁ ଠିକ୍‍ ତା’ ପର ମୁହୂର୍ତ୍ତରେ ରାଣୀହାଟ ପାଲଟା ଜବାବ ଦେଉଛି । କେଉଁ ମୁହୂର୍ତ୍ତରେ ଯେ କଣ ଘଟିବ କହିବା ମୁଷ୍କିଲ । ହାଫ୍‍ ଟାଇମ୍‍ର ଠିକ୍‍ ମିନିଟକ ଆଗରୁ ସତକୁ ସତ ଏକ ଅଘଟଣ ଘଟିଲା କଲେଜିଏଟ ପଟେ । ବୁଲା, ଅନିରୁଦ୍ଧ ଓ ଆନନ୍ଦର ଏକ ମିଳିତ ଆକ୍ରମଣ ଯୋଗୁଁ କଲେଜିଏଟ୍‍ ରକ୍ଷଣବ୍ୟୁହ ଭାଙ୍ଗି ପଡ଼ିବା ଉପରେ । ଆନନ୍ଦ ପାଖରୁ ବଲ୍‍ ପାଇ ଅନିରୁଦ୍ଧ ବିଜୁଳି ବେଗରେ ମାଡ଼ିଗଲା କଲେଜିଏଟ୍‍ ଗୋଲ୍‍ ଆଡ଼କୁ । କଲେଜିଏଟ୍‍ ବ୍ୟାକ୍‍ ଦୁଇଜଣ—ବଳି ଓ ସୁର–ସେତେବେଳେ ଗୋଟିଏ ଧାଡ଼ିରେ ଛିଡ଼ା ହୋଇ ଦୋ ଦୋ ପାଞ୍ଚ ହେଉଛନ୍ତି କିଏ ଆଗ ଯାଇ ଅନିରୁଦ୍ଧକୁ ବାଧା ଦେବ । ବ୍ୟାକ୍‍ ଦୁଇ ଜଣଙ୍କର ଏ ଅବସ୍ଥା ଦେଖି ବୁଲା ଆଗେଇଗଲା ଅଫ୍‍ସାଇଡ ପୋଜିସନକୁ । ଅନିରୁଦ୍ଧ ଦେଖିଲା ବୁଲାକୁ ପାଶ ଦେଲେ ନିଶ୍ଚୟ ଅଫ୍‍ସାଇଡ ହେବ–ଆଉ ଡେରି କଲେ ବଳି କିମ୍ୱା ସୁର ଭିତରୁ ଜଣେ କିଏ ଆସି ବାଧା ଦେବ । ତେଣୁ ତିଳେ ମାତ୍ର ହେଳା ନ କରି ସେ ଗୋଲ୍‍କୁ ମାରିଲା ଟାଣୁଆ ସଟ୍‍ଟାଏ । ବଲ୍‍ ଯାଇ ଏକବାରେ ଗୋଲ୍‍ ଭିତରେ-। ରେଫରୀଙ୍କ ହୁଇସିଲ ବାଜିଲା ଫୁର୍‍ର........ଅର୍ଥାତ୍‍ ଗୋଲ୍‍ । କଲେଜିଏଟ୍‍ ପଟୁ ପାଟି ହେଲା ଅଫ୍‍ସାଇଡ । କିନ୍ତୁ ରେଫରୀ ସେ ଆଡ଼କୁ ଦୃଷ୍ଟି ନ ଦେଇ ସଙ୍କେତ ଦେଲେ କିକ୍‍ଅଫ୍‍ କରିବାକୁ ।

 

କଲେଜିଏଟ୍‍ ସମର୍ଥନକାରୀଙ୍କର ପାଟିତୁଣ୍ଡ ଓ ପ୍ରତିବାଦ ଏବଂ ରାଣୀହାଟବାଲାଙ୍କର ଆନନ୍ଦ ଉଲ୍ଲାସ ଭିତରେ ପୁଣି କିକ୍‍ ଅଫ୍‍ ହେଲା । ହେରମ୍ୱ ରାଣୀହାଟ ଅଞ୍ଚଳକୁ ବଲ୍‍ ଗଡ଼ାଇଦେବା ମାତ୍ରେ ରେଫରୀ ଲମ୍ୱା ହୁଇସିଲ ବଜାଇ ବିରତିର ସମୟ ସୂଚାଇଲେ । ଉଭୟ ଦଳର ଖେଳାଳୀମାନେ ଖେଳ ବନ୍ଦ କରି ଛିଡ଼ା ହେବା ମାତ୍ରେ ସାର୍‍ ଡାକିଲେ ଅନିରୁଦ୍ଧ ଓ ସୁରେଶକୁ ।

 

ଅନିରୁଦ୍ଧ ଓ ସୁରେଶ ସମେତ ଆହୁରି କେତେଜଣ ଖେଳାଳୀ ଆସି ସାର୍‍ଙ୍କୁ ଘେରିଗଲେ । ସେମାନେ କିଛି କହିବା ପୂର୍ବରୁ ସାର୍‍ କହିଲେ, ‘‘ଦେଖ ପିଲାଏ । ରେଫରୀ ହିସାବରେ ଖେଳ ଭିତରେ କିମ୍ୱା ଖେଳ ଶେଷ ହେବାପରେ ତୁମ୍ଭମାନଙ୍କ ସଙ୍ଗେ ଖେଳ ସମ୍ପର୍କରେ ଆଲୋଚନା କରିବା ମୋ ପକ୍ଷରେ ନିୟମବିରୁଦ୍ଧ କାମ । କିନ୍ତୁ ଯାହା ଦେଖୁଛି ଏ ପର୍ଯ୍ୟନ୍ତ ଯେଉଁ ତିନୋଟି ଗୋଲ୍‍ ହୋଇଛି ଓ ଯେଉଁ କେତୋଟି ନିଷ୍ପତ୍ତି ଦେଇଛି ସେ ବିଷୟରେ ତୁମ୍ଭମାନଙ୍କ ମନରେ ଗୁଡ଼ାଏ ସନ୍ଦେହ ରହିଛି । ଅନେକଙ୍କର ଧାରଣା ଯେ ଗୋଲ୍‍ଗୁଡ଼ିକ ଅଫ୍‍ସାଇଡ ପୋଜିସନ୍‍ରୁ ହୋଇଛି । ଏହିକ୍ଷଣି ସେ ବିଷୟରେ ମୁଁ କିଛି କହିବାକୁ ଯାଉନାହିଁ । ଖେଳ ପରେ ସମସ୍ତେ ପଡ଼ିଆରେ ଏକାଠି ହେବା । ସେତେବେଳେ ଆଜିକା ଖେଳ ବିଷୟରେ ଆଲୋଚନା କରିବା । ବର୍ତ୍ତମାନ ତୁମ୍ଭେମାନେ ବିଶ୍ରାମ କର ।’’ ଏତକ କହି ରେଫରୀ ଓ ଲାଇନ୍‍ସମ୍ୟାନ୍‍ ଦୁଇଜଣ ପଡ଼ିଆ ବାହାରକୁ ଚାଲିଗଲେ ।

Image

 

Unknown

ଚତୁର୍ଥ ଅଧ୍ୟାୟ

 

ହାଫ୍‍ ଟାଇମ୍‍ ପରେ....

 

ଖେଳ ଆରମ୍ଭ ହେବାର ପ୍ରାୟ ୨ ମିନିଟ୍‍ ପର ଘଟଣା ।

 

କଲେଜିଏଟ୍‍ ସମର୍ଥନକାରୀଙ୍କ ପକ୍ଷରେ ହଠାତ୍‍ ପାଟି ହେଲା–‘‘ଫାଉଲ୍‍–ଫାଉଲ୍‍–ଫାଉଲ୍‍ । ଦେଖ ହୋ କେମିତି ଜାଣିଶୁଣି ବାଟ ଓଗାଳିଲା........’’

 

କଲେଜିଏଟ୍‍ ପକ୍ଷର ଦେଖଣାହାରିଙ୍କ ପାଟିତୁଣ୍ଡ ଥୟ ପଡ଼ିବା ପୂର୍ବରୁ ରେଫରୀଙ୍କ ହୁଇସିଲ ବାଜିଲା ଫୁର୍‍ର..........

 

‘‘ଠିକ୍‍ ହୋଇଛି—ଏଥର ଧନ ଯିବେ କୁଆଡ଼େ । ପେନାଲ୍‍ଟି ଏରିଆ ଭିତରେ ଫାଉଲ୍‍, ପେନାଲ୍‍ଟି ତ ନିଶ୍ଚୟ–ସୁରେଶ ତୁ ପେନାଲ୍‍ କିକ୍‍ ମାର.......’’

 

ଦେଖଣାହାରିଏ ନିର୍ଦ୍ଦେଶ ଓ ଉପଦେଶ ଦେଉଥିଲାବେଳେ ରେଫରୀ ଯେଉଁଠାରେ ମନି କୃତ୍ତିବାସକୁ ବାଟ ଓଗାଳିଥିଲା ସେଠାରେ ବଲ୍‍କୁ ରଖି କଲେଜିଏଟ୍‍ଦଳକୁ କିକ୍‍ ମାରିବାକୁ ନିର୍ଦ୍ଦେଶ ଦେଲେ । ଉଭୟ ଦଳର ଖେଳାଳୀମାନେ ଆଶ୍ଚର୍ଯ୍ୟ ହେଲେ–‘‘ଏ କି କଥା । ପେନାଲ୍‍ଟି ଏରିଆ ଭିତରେ ମନି କୃତ୍ତିବାସକୁ ବାଟ ଓଗାଳି ଫାଇଲ୍‍ କଲା । ତେଣୁ ପେନାଲ୍‍ଟି କିକ୍‍ ହେବାର କଥା । ବଲ୍‍ ତ ପେନାଲ୍‍ଟି କିକ୍‍ ମାରିବା ସ୍ଥାନରେ ରଖାଯିବା କଥା, ଆଉ ସାର୍‍ କଅଣ ଏଠି ବଲ୍‍ ରଖି କିକ୍‍ ମାରିବାକୁ କହୁଛନ୍ତି ? ପ୍ରଥମେ କେହି କିଛି ବୁଝିପାରିଲେ ନାହିଁ । କିଛି ସମୟ ପରସ୍ପରକୁ ଚାହିଁବା ପରେ ସୁରେଶ ଆଗଭର ହୋଇ ପଚାରିଲା, ‘‘ସାର୍‍ ପେନାଲ୍‍ଟି ହୋଇଛି ପରା ? ଆଉ ଏଠୁ କଣ କିକ୍‍ ମାରିବୁ ?’’

 

ପେନାଲ୍‍ଟି ନୁହଁ—ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ।’’ ସାର୍‍ କହିଲେ ।

 

ସାର୍‍ଙ୍କ କଥା ଶେଷ ନ ହେଉଣୁ ସୁରେଶ ହେରମ୍ୱ ଓ ହରି ସମସ୍ୱରରେ କହିଲେ, ‘‘କେମିତି ?’’

 

‘‘ଯୁକ୍ତି କର ନାହିଁ—ମୁଁ ଯାହା କହୁଛି ତାହା କର । ରେଫରୀର ସିଦ୍ଧାନ୍ତ ଯେ ଚୂଡ଼ାନ୍ତ ସେ କଥା ମନେ ଅଛିଟି ?’’ ଏତିକି କହି କିକ୍‍ ମାରିବା ଲାଗି ସାର୍‍ ପୁଣି ଆଉଥରେ ହୁଇସିଲ୍‍ ବଜାଇଲେ । ପ୍ରଥମେ କେହି କିଛି ବୁଝିପାରିଲେ ନାହିଁ । କିଛିକ୍ଷଣ ନୀରବ ରହିବା ପରେ ଉଭୟ ପକ୍ଷ କିକ୍‍ ମରାଯିବା ଲାଗି ପ୍ରସ୍ତୁତ ହେଲେ ।

 

ଗୋଲ୍‍ ଏରିଆର ମଝାମଝି ସ୍ଥାନର ଠିକ୍‍ ବାହାର ପାଖେ କିକ୍‍ ମରାଯିବା ସ୍ଥାନ ନିର୍ଦ୍ଦିଷ୍ଟ ହୋଇଛି । ସୁରେଶ ଯାଇଁ ବଲ୍‍ ପାଖରେ ଛିଡ଼ା ହେଲା ଆଉ ତାହାର ପାଖରେ ଛିଡ଼ା ହେଲେ କୃତ୍ତିବାସ ଓ ହରି । ତେଣେ ରାଣୀହାଟ ପୋଷ୍ଟ ଭିତରେ ଗୋଲ ଲାଇନ ଉପରେ ଧାଡ଼ି ବାନ୍ଧି ଛିଡ଼ା ହେଲେ ଗୋଲ୍‍ କିପର୍‍ ନନ୍ଦ ସମେତ ୬ ଜଣ ଖେଳାଳୀ । ରାଣୀହାଟର ଦୁଇଜଣ ଇନ୍‍ସାଇଡ୍‍ ଫରଓ୍ୱାର୍ଡ ବୁଲା ଓ ଆନନ୍ଦ ହରି ଓ କୃତ୍ତିବାସର ଦୁଇ ପାଖକୁ ଲାଗି ଛିଡ଼ା ହୁଅନ୍ତେ ରେଫରୀ ବଲ୍‍ ପାଖକୁ ଦୌଡ଼ି ଆସିଲେ । କଥା କଅଣ କେହି ବୁଝିପାରିଲେ ନାହିଁ । ସେମାନେ ରେଫରୀଙ୍କ ମୁହଁକୁ ଅନାନ୍ତେ ସାର୍‍ ବୁଲା ଓ ଆନନ୍ଦକୁ କହିଲେ ତୁମ ଦୁହିଁଙ୍କୁ ବଲ୍‍ ଠାରୁ ଅନ୍ତତଃ ୧୦ ଗଜ ଦୂରରେ ଛିଡ଼ା ହେବାକୁ ପଡ଼ିବ । ହରି ଓ କୃତ୍ତିବାସ ବଲ୍‍ପାଖରେ ରହି ପାରନ୍ତି, କାରଣ ତାଙ୍କ ଦଳ କିକ୍‍କରୁଛି । ଏହି ୧୦ଗଜ ଦୂରରେ ଛିଡ଼ା ହେବା ନିୟମ କିକ୍‍ ମାରୁଥିବା ଦଳର ଖେଳାଳୀମାନଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ ।

 

‘‘ଆଜ୍ଞା ସେ କଥା ଯଦି ହେଲା ତାହାହେଲେ ଆମ ଦଳର ଯେଉଁ ଖେଳାଳୀମାନେ ଗୋଲ୍‍ ଲାଇନ୍‍ ଉପରେ ଛିଡ଼ା ହୋଇଛନ୍ତି, ସେମାନଙ୍କର କଅଣ ହେବ ? ଏଠାରୁ ଗୋଲ୍‍ ଲାଇନ୍‍ର ଦୂରତ୍ୱ ତ ୧୦ ଗଜରୁ କମ୍‍ ହେବ ।’’ ବୁଲା ପଚାରିଲା ।

 

‘‘ହଁ, ସେ କଥା କହୁଛି । ନିୟମ କହେ ଯେ ଯେତେବେଳେ କିକ୍‍ ମାରୁଥିବା ସ୍ଥାନରୁ ଗୋଲ୍‍ ଲାଇନ୍‍ର ଦୂରତ୍ୱ ୧୦ ଗଜରୁ କମ, ସେତେବେଳେ ବିପକ୍ଷ ଦଳର ଖେଳାଳୀମାନେ ଗୋଲ୍‍ ଲାଇନ୍‍ ଉପରେ ଛିଡ଼ା ହୋଇପାରନ୍ତି । କାରଣ ତାହା ନ ହେଲେ ଗୋଲ୍‍ ଜଗିବା ଅସମ୍ଭବ ହେବ । ନିୟମରେ ସେଥିପାଇଁ ଏହି ବ୍ୟତିକ୍ରମ ରଖାଯାଇଛି । ବର୍ତ୍ତମାନ ତୁମେ ଦୁହେଁ ଦୂରେଇ ଛିଡ଼ା ହୁଅ-।’’ ଏତକ କହି ସାର୍‍ ଗୋଟିଏ ପାଖକୁ ଘୁଞ୍ଚିଗଲେ । ବୁଲା ଓ ଆନନ୍ଦ ବାଧ୍ୟ ହୋଇ ଦୂରେଇ ଛିଡ଼ା ହେଲେ ।

 

ପୁଣି ହୁଇସିଲ୍‍ ବାଜିଲା । ହୁଇସିଲ୍‍ ବାଜିବାମାତ୍ରେ ସୁରେଶ ବଲ୍‍ ଠେଲିଦେଲା କୃତ୍ତିବାସ ପାଖକୁ । ଆଉ କୃତ୍ତିବାସ କୁଆଡ଼େ ନ ଚାହିଁ ଗୋଲକୁ ମାରିଲା ଟାଣୁଆ ସଟ୍‍ଟିଏ—ଗୋଲ୍‍ ପୋଷ୍ଟର ଡାହାଣ ପାଖକୁ ଲକ୍ଷ୍ୟ କରି; କିନ୍ତୁ ସେଠାରେ ତ ରହିଛନ୍ତି ଦୁଇଜଣ ଜଗୁଆଳୀ, କେଉଁବାଟେ ବଲ୍‍ ପୋଷ୍ଟ ଭିତରକୁ ଯିବ ? ମନି ଆଖି ବୁଜି ତାଳୁ ଦେଖାଇଲା ଯେ ଟାଣୁଆ ସଟ୍‍କୁ-। ବଲ୍‍ ମନି ତାଳୁରେ ବାଜି ଫେରି ଆସିଲା ଦୂରରେ ଛିଡ଼ା ହୋଇଥିବା ରଜାକ୍‍ ପାଖକୁ । ସେ ବଲ୍‍କୁ ନିଜ ଆୟତ୍ତକୁ ଆଣୁ ଆଣୁ ଦେଖେ ଯେ ତା ଆଡ଼କୁ ମାଡ଼ିଆସୁଛନ୍ତି ଦୁଇଜଣ ରାଣୀହାଟ ଖେଳାଳୀ । ବାଟ ନ ପାଇ ସେ ତରବର ହୋଇ ମାରିଲା ସଟ୍‍ଟାଏ । ଆଉ ବଲ୍‍ଟା କ୍ରଶବାର ଉପର ଦେଇ ଚାଲିଗଲା ପଡ଼ିଆ ବାହାରକୁ । କଲେଜିଏଟ୍‍ର ଗୋଲ୍‍ ଶୁଝାଇବାର ସୁଯୋଗ ଏଭଳିଭାବରେ ବ୍ୟର୍ଥ ହେଲା ।

 

ପେନାଲ୍‍ଟି କିକ୍‍ ବଦଳରେ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ଦେଲାବେଳୁ କଲେଜିଏଟ୍‍ ପକ୍ଷରୁ ଦେଖଣାହାରିଙ୍କ ମଧ୍ୟରେ ବେଶ ଉତ୍କଟ ଧରଣର ଅସନ୍ତୋଷ ଦେଖାଦେଇଛି । ରଜାକ୍‍ ଯେତେବେଳେ ବଲ୍‍କୁ ଓଭର କରିଦେଲା ସେତେବେଳେ ସେମାନଙ୍କ ଭିତରୁ ଦଳେ ନିଜକୁ ଆଉ ସମ୍ଭାଳି ପାରିଲେ ନାହିଁ । ଜଣେ ରଜାକ୍‍କୁ ଓଭର କରିବା ଲାଗି ଦୋଷ ଦେଲାବେଳକୁ ଆଉ ପାଞ୍ଚଜଣ ବାହାରି ପଡ଼ି କହିଲେ, ‘‘ରଜାକ୍‍ର ଦୋଷ କଅଣ ? ଘର ଢିଙ୍କି ତ କୁମ୍ଭୀର, ଆଉ ରଜାକ୍‍କୁ ଦୋଷ ଦେଇ କି ଲାଭ ? ସିଧାସଳଖ ପେନାଲ୍‍ଟି କିକ୍‍ ଯେତେବେଳେ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ପାଲଟିଲା ସେତେବେଳେ ରଜାକ୍‍ ଓଭର୍‍କରି ମହାଭାରତ ଅଧିକ କଅଣ ଅଶୁଦ୍ଧ କଲା କି-? ଏ ସୁରଟା ଯୋଗୁଁ ଆଜି ଏ ଦଶା–ଆଗପଛ ନ ବିଚାରି କାଲି ହଠାତ୍‍ ସାର୍‍ଙ୍କୁ ରେଫରୀ ହେବାକୁ କହି ନ ଥିଲେ ଆମେ ତ ସ୍କୁଲ କ୍ୟାପଟେନ୍‍ ବସିର୍‍ ମିଆଁକୁ ରେଫରୀ କରିଥାଆନ୍ତୁ । ସେତକ ହୋଇଥିଲେ ଆଜି କଅଣ ଏତେ ଗଣ୍ଡଗୋଳ ଦେଖା ଦେଇଥାନ୍ତା ?’’

 

ଆଉ ଜଣେ ମଝିରେ ବାହାରି ପଡ଼ି କହିଲା ‘‘ଛାଡ଼–ଆଜି ନ ହାରିଲେ ହେଲା । ହେ ମା କଟକଚଣ୍ଡୀ ! ତୋତେ ଲାଗିଲା.....’’

 

ନରସିଂହ ନୀରବ ହୋଇ ସବୁ ଶୁଣୁଥିଲା । ଏଥର ତା ପାଳି । ସେ କହିଲା ‘‘ହଇରେ କୁଞ୍ଜ ! ସାର୍‍ଙ୍କର ରାଣୀହାଟ ପଟ ନେବା କାରଣ ଜାଣିଛୁ ନା ?’’

 

‘‘କଥା କଅଣ ? ତୁ ଜାଣିଛୁ କି ?’’ କୁଞ୍ଜ ପଚାରିଲା ।

 

ନରସିଂହ–ମୋର କେମିତି ସନ୍ଦେହ ହେଉଛି ସାର୍‍ ରାଣୀହାଟ ସ୍କୁଲରେ ପଢ଼ୁଥିଲେ । ସେଥିପାଇଁ ସେ ଏତେ ରାଣୀହାଟ ପଟ ନେଉଛନ୍ତି । କଅଣ କହୁଛୁ ?

 

କୁଞ୍ଜ–ହୋଇଥିବ ଅବା । ତେବେ ମୁଁ ଆଉ ଗୋଟାଏ କଥା ଭାବୁଛି । ସାର୍‍ ତ ରାଣୀହାଟ ଅଞ୍ଚଳରେ ରହନ୍ତି । ମୋର ମନେହୁଏ ସେଥିପାଇଁ ସେ ରାଣୀହାଟ ପିଲାଙ୍କୁ ଏତେ ଡରୁଛନ୍ତି ଓ ସେଥିଲାଗି ସେମାନଙ୍କର ଦୋଷ ତ୍ରୁଟି ଧରୁନାହାଁନ୍ତି ।

 

କୁଞ୍ଜକଥା ସମସ୍ତଙ୍କ ମନକୁ ପାଇଲା । ଜଣେ ବାହାରିପଡ଼ି କହିଲା, ‘‘ସତେ ତ । ଏ କଥା ଆମର ମନେ ନ ଥିଲା । ତା ଛଡ଼ା ସାର୍‍ ଯେ ଏଡ଼େ ଛେରୁଆ ସେ କଥା ବା କାହାକୁ ଜଣା ? ଛାଡ଼, ଯାହା ହବାର ତ ହେଲାଣି । ଆମ ମ୍ୟାଚରେ ସାର୍‍ଙ୍କର ରେଫରୀ ହେବା ଏତିକି । ପୁଣି ସାର୍‍ଙ୍କୁ ଯିଏ ରେଫରୀ ହେବାକୁ କହିବ ତା ମଜା ମୁଁ ବାହାର କରିଦେବି ।’’

 

ସେ ପାଖରୁ ଦେବେନ୍ଦ୍ର ଆରମ୍ଭ କଲା, ‘‘ଆହା, ପେନାଲ୍‍ଟି କିକ୍‍ର କେଡ଼େ ବଢ଼ିଆ ସୁଯୋଗ ସାର୍‍ ମାଟି ନ କଲେ ସତେ । କିକ୍‍ ଅଫର୍‍ ମିନିଟକ ଭିତରେ କେଶବ, କୃତ୍ତିବାସ ଓ ସନ୍ତୋଷ ଏକାଠି ମିଳି କେଡ଼େ ସୁନ୍ଦର ଆକ୍ରମଣ କରି ନ ଥିଲେ ଭଲା ? କେଶବ ଦେଲା ସନ୍ତୋଷକୁ ଆଉ ସନ୍ତୋଷ ରାଣୀହାଟର ଦୁଇ ଜଣ ଖେଳାଳୀଙ୍କୁ କଟାଇ ବଲ୍‍ ଠେଲିଦେଲା କୃତ୍ତିବାସ ଗୋଡ଼ ପାଖକୁ । ସାମନାରେ ଫାଙ୍କା ଗୋଲ୍‍ । ବଲ୍‍ଟା ଟିକିଏ କୃତ୍ତିବାସ ଆଗକୁ ବାହାରି ଯାଇଛି କି ନାହିଁ । ରାଣୀହାଟ ଲେଫଟ୍‍ବ୍ୟାକ୍‍ ମନି କୃତ୍ତିବାସ ସାମନାକୁ ଦୌଡ଼ି ଆସି ବଲ୍‍ ଗଡ଼ାଇଦେଲା ଗୋଲ୍‍ କିପର ନନ୍ଦ ପାଖକୁ । ବ୍ୟାକ୍‍ ପାଶ୍‍ (Back pass) ଦେଲୁ ଭଲ କଲୁ–ସେଥିକି କେହି ଆପତ୍ତି କରୁନାହିଁ । ତା ବୋଲି ତୁ କାହିଁକି କୃତ୍ତିବାସକୁ ବାଟ ଓଗାଳି ଆଗକୁ ଯିବାକୁ ଦେବୁ ନାହିଁ ? ବାଟ ଓଗାଳି ନ ଥିଲେ ନନ୍ଦ ବଲ୍‍ଧରିବା ଆଗରୁ କୃତ୍ତିବାସ ନିଶ୍ଚେ ଝାମ୍ପମାରି ବଲ୍‍ କାଢ଼ିନେଇ ଗୋଲ୍‍ ଦେଇଥାନ୍ତା । ପେନାଲ୍‍ଟି ଏରିଆ ଭିତରେ ଜାଣିଶୁଣି ବାଟ ଓଗାଳିଲା—ଆଉ ଆମ ସାର୍‍ଙ୍କୁ ଦେଖ, ଦେଲେ କଅଣ ନା ଇନ୍‍ଡାଇରେକ୍ଟ ଫ୍ରି କିକ୍‍...’’

ଦେବେନ୍ଦ୍ରର କଥା ଶେଷ ନ ହେଉଣୁ କୁଞ୍ଜ ବଡ଼ ପାଟିରେ କହିଲା ‘‘ଆରେ ଦେବେନ୍ଦ୍ର ଏଣିକି ଚାହାଁ । ସେ ପୁରୁଣା କଥା ଦୋହରାଇ କି ଲାଭ ?’’

 

ଷୋଡ଼ଶ ନିୟମ–

 

ଗୋଲ୍‍କିକ୍‍–ସମସ୍ତେ ପଡ଼ିଆ ଭିତରକୁ ଅନାଇ ଦେଖନ୍ତି ଯେ ସାର୍‍ ଖେଳ ବନ୍ଦ କରି ରାଣୀହାଟର ଦୁଇଜଣ ବ୍ୟାକ୍‍ ମନି ଓ ମଧୁ ଏବଂ କଲେଜିଏଟ୍‍ ଫରୱାର୍ଡ ହରି ଓ ହେରମ୍ୱକୁ କଅଣ କହୁଛନ୍ତି । ଘଟଣା ସେମିତି କିଛି ନୁହେଁ । ରଜାକ୍ ବଲ୍ ଓଭର କରିବା ଯୋଗୁଁ ରାଣୀହାଟ ଯେଉଁ ଗୋଲ୍‍ କିକ୍‍ର ସୁଯୋଗ ପାଇଥିଲା ସେ ସଟ୍‍ ମାରିବା ଭାରି ପଡ଼ିଥିଲା ମନି ଉପରେ । ମନି କିନ୍ତୁ ନିଜେ ସଟ୍‍ମାରିବା ବଦଳରେ ଗୋଲ୍‍ କିପର ନନ୍ଦକୁ ପାଖରେ ଛିଡ଼ା କରାଇ ତା ହାତକୁ ନିଜ ଗୋଡ଼ ସାହାଯ୍ୟରେ ବଲ୍‍ ଟେକି ଦିଅନ୍ତେ ସାର୍‍ ହୁଇସିଲ୍‍ ଫୁଙ୍କିଲେ । ନନ୍ଦ ମନଖୁସିରେ ଯେଉଁ ଲମ୍ୱ ସଟ୍‍ଟାଏ ମାରିବ ବୋଲି ଭାବିଥିଲା ତାହା ମୂଳରୁ ଫସର ଫାଟି ଗଲା । ସାର୍‍ ଦୁହିଁଙ୍କି ପାଖକୁ ଡାକି କହିଲେ, ‘‘ଗୋଲ୍‍ କିକ୍‍ ମରାଗଲାବେଳେ ଗୋଲକିପର ହାତକୁ ବଲ୍‍ ଟେକି ଦିଆଯାଇ ପାରିବ ନାହିଁ । ତାହା ନିୟମ ବିରୁଦ୍ଧ । ଜଣେ ହେଲେ କାହାକୁ ଗୋଡ଼ରେ କିକ୍‍ ମାରିବାକୁ ପଡ଼ିବ । ଆଉ ଥରେ କିକ୍‍ କର ।’’ ଏଥର ନନ୍ଦ ଓ ମନି ଆପଣା ଭିତରେ ମସୁଧା କଲେ ଯେ ନନ୍ଦ ପ୍ରଥମେ କିକ୍‍ ମାରିବା ଛଳରେ ମନି ପାଖକୁ ବଲ ଗଡ଼ାଇଦେବ, ମନି ପୁଣି ନନ୍ଦ ପାଖକୁ ବଲ୍‍କୁ ଠେଲି ଦେଲେ ସେ (ନନ୍ଦ) ହାତରେ ବଲ୍‍ ଧରି ଲମ୍ୱା କିକ୍‍ଟାଏ ମାରିବ । ସେହି ଅନୁସାରେ ମନି ପେନାଲ୍‍ଟି ଏରିଆ ଭିତରେ ଛକି ରହିଲା ନନ୍ଦ ଠାରୁ ପାଶ୍‍ପାଇବ ବୋଲି । ହୁଇସିଲ ବାଜିବା ମାତ୍ରେ ନନ୍ଦ ମନି ପାଖକୁ ବଲ୍‍ଟି ଗଡ଼ାଇଦେଲା । ମନି ସେ ବଲ୍‍କୁ ଓଲଟା ନନ୍ଦ ପାଖକୁ ଠେଲି ଦେଲାକ୍ଷଣି ସାର୍‍ ହୁଇସିଲ୍‍ ବଜାଇ ଖେଳ ବନ୍ଦ କଲେ । ତା ପରେ ରାଣୀହାଟ କଲେଜିଏଟ୍‍ ଖେଳାଳୀଙ୍କୁ ପାଖକୁ ଡାକି କହିଲେ, ‘‘ଦେଖ, ଗୋଲ୍‍ କିକ୍‍ ମାରିବା ନିୟମ ତୁମ୍ଭମାନଙ୍କୁ ଆଦୌ ଜଣାନାହିଁ । ଖେଳ ଚାଲିଥିବାବେଳେ ରେଫରୀ ହିସାବରେ ତୁମ୍ଭମାନଙ୍କ ସଙ୍ଗେ ଖେଳର ନିୟମ ବିଷୟ ଆଲୋଚନା କରିବା ମୋ ପକ୍ଷରେ ଉଚିତ ନୁହେଁ ।

 

କିନ୍ତୁ ଯାହା ଦେଖୁଛି ଖେଳର ନିୟମ କଥା ତୁମ୍ଭମାନଙ୍କୁ ନ ଜଣାଇଲେ ଆଜି ଖେଳରେ ଏମିତି ଦୋଷ ତ୍ରୁଟି ଲାଗି ରହିବ । ତେଣୁ ତୁମ୍ଭେମାନେ ଯଦି ରାଜି ହୁଅ ତେବେ ଆଜି ଖେଳବେଳେ ତୁମ୍ଭମାନଙ୍କର ଦୋଷ ତ୍ରୁଟି ହେଲାକ୍ଷଣି ସେଗୁଡ଼ିକ ଧରି ସେ ସମ୍ପର୍କୀୟ ନିୟମମାନ ତୁମ୍ଭମାନଙ୍କୁ କହିବି । ସେଥିପାଇଁ ଯେଉଁ ସମୟ ନଷ୍ଟ ହେବ ସେତିକି ସମୟ ଦ୍ୱିତୀୟର୍ଦ୍ଧର ଶେଷରେ ଯୋଗ କରି ଅଧିକ ସମୟ ଖେଳାଇବି । କଅଣ ତୁମ୍ଭେମାନେ ମୋ ପ୍ରସ୍ତାବରେ ରାଜି ?’’ ଉଭୟ ଦଳର ଖେଳାଳୀମାନେ କହିଲେ, ‘‘ରାଜି ।’’ ଖେଳାଳୀମାନଙ୍କର ସମ୍ମତି ପାଇଲା ପରେ ସାର୍‍ ଆରମ୍ଭ କଲେ । ଫୁଟବଲ ଖେଳର ୧୬ ନମ୍ୱର ନିୟମରେ ଗୋଲ୍‍ କିକ୍‍ କିଭଳି ମରାଯିବ କୁହାଯାଇଛି । ମୂଳ ନିୟମ ହେଲା–

 

ଯେତେବେଳେ ଆକ୍ରମଣକାରୀ ଦଳର କୌଣସି ଖେଳାଳୀ ବିପକ୍ଷର କ୍ରଶ୍‍ ବାର୍‍ ସମେତ ଗୋଲ୍‍ ଲାଇନ୍‍ ଡିଆଇଁ ବଲ୍‍କୁ ପଡ଼ିଆ ବାହାରକୁ ପଠାଇବ ସେତେବେଳେ ଗୋଲ୍‍ କିକ୍‍ ଦିଆଯିବ । ପ୍ରତିରୋଧକାରୀ ଦଳର ଜଣେ ଖେଳାଳୀ ଏହି ଗୋଲ କିକ୍‍ ମାରିବେ । ବଲ୍‍ ଯେଉଁଠାରେ ଗୋଲ୍‍ ଲାଇନ୍‍ ଅତିକ୍ରମ କରିଥିବ ଗୋଲ୍‍ ଏରିଆ ମଧ୍ୟରେ ସେହି ସ୍ଥାନର ନିକଟତମ ବନ୍ଦ ଉପରେ ବଲ୍‍କୁ ନିଶ୍ଚଳଭାବେ ରଖାଯାଇ ଗୋଲ କିକ୍‍ ମରାଯିବ । ଯେଉଁ ଖେଳାଳୀ ଗୋଲ୍‍ କିକ୍‍ ମାରିବେ, ତାଙ୍କୁ ବଲ୍‍କୁ ପେନାଲ୍‍ଟି ଏରିଆ ବାହାରକୁ କିକ୍‍ କରି ପଠାଇବାକୁ ପଡ଼ିବ । ଯଦି ଗୋଲ୍‍ କିକ୍‍ରୁ ବଲ୍‍ ପେନାଲ୍‍ଟି ଏରିଆ ଅତିକ୍ରମ ନ କରେ, ତେବେ ଆଉଥରେ ଗୋଲ୍‍ କିକ୍‍ ମରାଯିବ । ଗୋଲ୍‍ କିକ୍‍ ପରେ ବଲ୍‍ଟିକୁ ଅନ୍ୟ କୌଣସି ଖେଳାଳୀ ପେନାଲ୍‍ଟି ଏରିଆ ବାହାରେ ସ୍ପର୍ଶ ନ କଲାଯାକେ କିକ୍‍ କରିଥିବା ଖେଳାଳୀ ସେ ବଲ୍‍କୁ ଛୁଇଁ ପାରିବେ ନାହିଁ । ଯଦି ସେ ଛୁଅନ୍ତି ତେବେ ଯେଉଁ ସ୍ଥାନରେ ଦ୍ୱିତୀୟବାର ଛୁଇଁବେ ସେହି ସ୍ଥାନରୁ ତାଙ୍କ ଦଳ ବିରୁଦ୍ଧରେ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମରାଯିବ । ଗୋଲ୍‍ କିକ୍‍ ମରାଗଲାବେଳେ ପୂର୍ବରୁ ଆକ୍ରମଣକାରୀ ଦଳର ଖେଳାଳୀମାନଙ୍କୁ ବିପକ୍ଷର ପେନାଲ୍‍ଟି ଏରିଆ ବାହାରେ ରହିବାକୁ ପଡ଼ିବ । ଗୋଲ୍‍ କିପରକୁ ପାଖରେ ଛିଡ଼ା କରାଇ ତା ହାତକୁ ବଲଟିକିଦେବା କିମ୍ୱା ପେନାଲ୍‍ଟି ଏରିଆ ଭିତରେ ଗୋଲ୍‍ କିପରଙ୍କୁ ଗୋଲ୍‍ କିକ୍‍ ରୁ ପାଶ୍‍ ଦେବା (ଯେପରି କି ସେ ହାତରେ ଧରି କିମ୍ୱା ଗୋଡ଼ରେ ମାରି ଲମ୍ୱା କିକ୍‍ ମାରି ପାରିବେ ) ନିୟମ ବିରୁଦ୍ଧ । କାରଣ ଗୋଲ୍‍ କିକ୍‍ରୁ ତ ବଲ୍‍ ପେନାଲ୍‍ଟି ଏରିଆ ଅତିକ୍ରମ କଲା ନାହିଁ, ତେଣୁ ସେ କିକ୍‍ ନିମୟସିଦ୍ଧ ହେବ କିପରି ? ଗୋଲ୍‍ କିକ୍‍ରୁ ସିଧା ସଳଖ ଗୋଲ୍‍ ହୋଇପାରିବ ନାହିଁ । ଗୋଲ୍‍ କିକ୍‍ରୁ ଯଦି ବଲ୍‍ ସିଧାସଳଖ ବିପକ୍ଷର ଗୋଲ୍‍ ରେ ପ୍ରବେଶ କରେ ତେବେ ସେଥିପାଇଁ ବିପକ୍ଷ ଦଳ ଗୋଟିଏ ଗୋଲ୍‍ କିକ୍‍ ପାଇବେ । .....ସାର୍‍ଙ୍କ କଥା ମଝିରେ ହରିଶ ବାହାରିପଡ଼ି ପଚାରିଲା, ‘‘ସାର୍‍, ସିଧାସଳଖ ଗୋଲ୍‍ ରେ ବଲ୍‍ ପଶିବା ବୋଇଲେ କଅଣ ବୁଝାଉଛି ?’’ ‘‘ସିଧାସଳଖ ବୋଇଲେ କିକ୍‍ କରାଯାଇଥିବା ବଲ୍‍ ଅନ୍ୟ କୌଣସି ଖେଳାଳୀକୁ ସ୍ପର୍ଶ ନ କରି ଗୋଲ୍‍ ରେ ପଶିବାକୁ ବୁଝାଏ । ମନେକର ତୁମର ବ୍ୟାକ୍‍ ମନି ଏମିତି ଗୋଲ୍‍ କିକ୍‍ଟାଏ ମାରିଲା ଯେ ତାହା ଶୂନ୍ୟରେ ଯାଇଁ କଲେଜିଏଟ୍‍ ଗୋଲ୍‍ ପୋଷ୍ଟ ଭିତରେ ପଶିଗଲା; ବାଟରେ ତାହାକୁ କେହି ଛୁଇଁ ନ ଥିଲେ । ସେଭଳି ଭାବେ ବଲ୍‍କୁ ସିଧାସଳଖ ଗୋଲ୍‍ ରେ ପଶିବା କୁହାଯିବ । ସେଭଳି ଗୋଲ୍‍ କିକ୍‍ରୁ ଗୋଲ୍‍ ହେବ ନାହିଁ । କଅଣ ବୁଝି ପାରିଲେ ତ-?’’ ସାର୍‍ ପଚାରିଲେ ।’’ ସାର୍‍ଙ୍କ କଥା ଶେଷ ହେବାମାତ୍ରେ ରାଣୀହାଟର ରାମାୟା ପଚାରିଲା ‘‘ସାର୍‍, ଆଉ ଗୋଟିଏ କଥା ପଚାରିବାକୁ ଅଛି । ଆପଣ ତ କହିଲେ ଗୋଲ୍‍ କିକକାରୀ କିକ୍‍ କରିସାରିବା ପରେ ଅନ୍ୟ ଜଣେ ଖେଳାଳୀ ପର୍ଯ୍ୟନ୍ତ ସେ ଦ୍ୱିତୀୟ ଥର ପାଇଁ ବଲ୍‍କୁ ଛୁଇଁପାରିବେ ନାହିଁ । ତାହା କେମିତି ସମ୍ଭବ ହେବ ?’’ ‘‘ହଉ ବିଷୟଟା ବୁଝାଇ କହୁଛି ।’’ ସାର୍‍ କହିଲେ । ‘‘ମନେ କରାଯାଉ ବର୍ଷା ଭିତରେ ଖେଳ ହେଉଛି; ବର୍ଷା ଯୋଗୁଁ ବଲ୍‍ଟାର ଓଜନ ବେଶୀ ହୋଇଛି ଏବଂ ପଡ଼ିଆ ଖସଡ଼ା ହୋଇଛି । ମନି ଯେଉଁ ଗୋଲ୍‍ କିକ୍‍ କଲା ସେଥିରୁ ବଲ୍‍ଟା ପେନାଲ୍‍ଟି ଏରିଆ ବାହାରେ ଯାଇଁ ପଡ଼ିଲା, କିନ୍ତୁ ଅନ୍ୟ ଖେଳାଳୀମାନେ ଦୂରରେ ଥିଲେ । ମନି ଦୌଡ଼ି ଯାଇ ସେ ବଲ୍‍କୁ ପୁଣି କିକ୍‍ କଲା । ସେ ଦ୍ୱିତୀୟବାର ବଲ୍‍ ଛୁଇଁଲା ସେହି ସ୍ଥାନରୁ ରେଫରୀ କଲେଜିଏଟ୍‍ ଦଳକୁ ରାଣୀହାଟ ବିରୁଦ୍ଧରେ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ । କଅଣ କଥାଟା ବୁଝିପାରିଲ ତ ? ବର୍ତ୍ତମାନ ଗୋଲ୍‍ କିକ୍‍ର ନିୟମଗୁଡ଼ିକ କ୍ରମପର୍ଯ୍ୟାୟରେ କହୁଛି, ସେଗୁଡ଼ିକ ମନେରଖ ।

 

୧) ଯେଉଁ ସ୍ଥାନରେ ବଲ୍‍ ଗୋଲ୍‍ ଲାଇନ୍‍ ଅତିକ୍ରମ କରିବ, ଗୋଲ୍‍ ଏରିଆ ମଧ୍ୟରେ ସେହି ସ୍ଥାନର ନିକଟତମ ବିନ୍ଦୁରେ ବଲ୍‍ ରଖି ଗୋଲ୍‍ କିକ୍‍ ମରାଯିବ ।

 

୨) କିକ୍‍ ମରାଗଲାବେଳେ ବଲ୍‍ ନିଶ୍ଚଳ ଅବସ୍ଥାରେ ଥିବ ।

 

୩) କିକ୍‍ ମରାଗଲାବେଳେ ପ୍ରତିପକ୍ଷର କୌଣସି ଖେଳାଳୀ ପେନାଲ୍‍ଟି ଏରିଆ ଭିତରେ ରହି ପାରିବେ ନାହିଁ ।

 

୪) କିକ୍ ମରାଯାଇଥିବା ବଲ୍‍ ପେନାଲ୍‍ଟି ଏରିଆ ଅତିକ୍ରମ କଲେ ତାହା କାମୀ ବଲ୍‍ ଅର୍ଥାତ୍‍ ତାହା ଖେଳର ଉପଯୋଗୀ ବୋଲି ବିବେଚିତ ହେବ ।

 

୫) ଅନ୍ୟ ଜଣେ ଖେଳାଳୀ ସେ ବଲ୍‍କୁ ସ୍ପର୍ଶ ନ କଲା ପର୍ଯ୍ୟନ୍ତ କିକ୍‍ ମାରିଥିବା ଖେଳାଳୀ ସେ ବଲ୍‍କୁ ଛୁଇଁ ପାରିବେ ନାହିଁ ।

 

୬) ପରେ ପେନାଲଟି ଏରିଆ ବାହାରକୁ ଲମ୍ୱା ସଟ୍‍ମାରି ବଲ୍‍କୁ ପଠାଇବା ଉଦ୍ଦେଶ୍ୟରେ ଗୋଲ୍‍ କିକ୍‍କାରୀ ନିଜ ପେନାଲ୍‍ଟି ଏରିଆ ଭିତରେ ଗୋଲ୍‍ କିପର୍‍ ପାଖକୁ ବଲ୍‍ ଠେଲି ଦେଇ ପାରିବେ ନାହିଁ ଯେଉଁଥିରୁ କି ଗୋଲ୍‍ କିପର୍‍ ଲମ୍ୱା ସଟ୍‍ ମାରିବେ । ଗୋଲ୍‍ କିକ୍‍ ପେନାଲ୍‍ଟି ଏରିଆ ପାର ହେବା ପରେ ସ୍ୱପକ୍ଷର ଅନ୍ୟ ଜଣେ ଖେଳାଳୀ ସେହି ଉଦ୍ଦେଶ୍ୟରେ ବଲ୍‍କୁ ପେନାଲ୍‍ଟି ଏରିଆ ଭିତରକୁ ଠେଲି ଦେଇ ପାରନ୍ତି ଯେଉଁଥିରୁ କି ଗୋଲ୍‍ କିପର୍ ବଲ୍‍ ହାତରେ ଧରି କିକ୍‍ ମାରି ପାରନ୍ତି ।

 

୭) ଗୋଲ୍‍ କିକ୍‍ରୁ ସିଧା ସଳଖ ଗୋଲ୍‍ ହେବନାହିଁ । ଯଦି ଗୋଲ୍‍ କିକ୍‍ରୁ ବଲ୍‍ ସିଧାସଳଖ ବିପକ୍ଷର ଗୋଲ୍‍ ରେ ପ୍ରବେଶ କରେ, ତେବେ ବିପକ୍ଷ ଦଳ ଗୋଟିଏ ଗୋଲ୍‍ କିକ୍‍ ମାରିବାର ସୁଯୋଗ ପାଇବେ । ଯଦି ଗୋଲ୍‍ କିକ୍‍କାରୀ ଗୋଲ୍‍ କିକ୍‍ରୁ ବଲ୍‍କୁ ନିଜ ପେନାଲ୍‍ଟି ଏରିଆ ବାହାରକୁ ପଠାଇବା ପରିବର୍ତ୍ତେ ନିଜ ଗୋଲ୍‍ଭିତରକୁ ମାରନ୍ତି ତେବେ ତାଙ୍କ ଦଳ ବିରୁଦ୍ଧରେ ଗୋଲ୍‍ ତ ଦିଆଯିବ ନାହିଁ ବରଂ ରେଫରୀ ସେହି ଖେଳାଳୀକୁ ଅଭଦ୍ର ବ୍ୟବହାର ଲାଗି ସତର୍କ କରି ପୁଣି ଆଉ ଥରେ ଗୋଲ୍‍ କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ । କିନ୍ତୁ ଯଦି ଏ ଘଟଣାର ପୁନରାବୃତ୍ତି କରାଯାଏ, ତେବେ ରେଫରୀ ସେ ଖେଳାଳୀ ବା ଦଳ ବିରୁଦ୍ଧରେ ଶାସ୍ତି ବିଧାନ କରିବେ ଏବଂ ଆବଶ୍ୟକ ମନେ କଲେ ଦୋଷୀ ଖେଳାଳୀକୁ ପଡ଼ିଆରୁ ବାହାର କରିଦେବେ ଏବଂ ପୁଣି ଗୋଲ୍‍ କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ । ଏ ସିଦ୍ଧାନ୍ତ ରେଫରୀଙ୍କର ବିଚାର ଉପରେ ନିର୍ଭର କରିବ ।

 

୮) ଗୋଲ୍‍ କିକ୍‍ରୁ ବଲ୍‍କୁ ସବୁବେଳେ ନିଜ ପେନାଲ୍‍ଟି ଏରିଆ ବାହାରକୁ ପଠାଇବାକୁ ପଡ଼ିବ ।

 

୯) ଅଫ୍‍ସାଇଡ୍‍ ପୋଜିସନ୍‍ ରେ ଥିଲାବେଳେ ଯଦି କୌଣସି ଖେଳାଳୀ ଗୋଲ୍‍ କିକ୍‍ର ସିଧାସଳଖ ଭଲ ପାଏ, ତେବେ ତାହାର ଅଫ୍‍ସାଇଡ୍‍ ଧରାଯିବ ନାହିଁ ।

 

୧୦) ବଲ୍‍ ପେନାଲ୍‍ଟି ଏରିଆ ପାରହେବା ପୂର୍ବରୁ ଯଦି କୌଣସି ଖେଳାଳୀ ସେ ବଲ୍‍କୁ ଛୁଏଁ, ତେବେ ପୁନରାୟ ଗୋଲ୍‍ କିକ୍‍ ମରାଯିବ ।

 

ଏସବୁ ହେଲା ଗୋଲ୍‍ କିକ୍‍ର ନିୟମ । ବର୍ତ୍ତମାନ ମୁଁ କାହିଁକି ହୁଇସିଲ୍‍ ବଜାଇଲି ବୁଝି ପାରୁଥିବ । ନନ୍ଦର ଗୋଲ୍‍ କିକ୍‍ରୁ ବଲ୍‍ ପେନାଲ୍‍ଟି ଏରିଆ ଅତିକ୍ରମ କରିବା ପୂର୍ବରୁ ମନି ତାହାକୁ ଛୁଇଁଲା । ଏହା ଫଳରେ ସେ ଗୋଲ୍‍ କିକ୍‍ର ନିୟମ ଭଙ୍ଗ କଲା । ସେଥିଲାଗି ଆଉ ଥରେ ଗୋଲ୍‍ କିକ୍‍ ମରାଯିବ । ବର୍ତ୍ତମାନ ଗୋଲ୍‍ କିକ୍‍ ମାରିବାକୁ ପ୍ରସ୍ତୁତ ହୁଅ ।

 

ସାର୍‍ ଏତକ କହିବାମାତ୍ରେ ଉଭୟ ଦଳ ତିଆରି ହୋଇଗଲେ । ହୁଇସିଲ୍‍ ବାଜିବାମାତ୍ରେ ମନି ଏକ ଲମ୍ୱା ସଟ୍‍ମାରି ବଲ୍‍କୁ ପେନାଲ୍‍ଟି ଏରିଆ ବାହାରକୁ ପଠାଇଦେଲା ।

 

ମନିର କିକ୍‍ରୁ ବଲ୍‍ମାଟିରେ ପଡ଼ିବା ପୂର୍ବରୁ ସନ୍ତୋଷ ଦୌଡ଼ି ଆସି ହେଡ୍‍ କଲା । ଫଳରେ ବଲ ପୁଣି ଯାଇଁ ପହଞ୍ଚିଲା ରାଣୀହାଟ ପେନାଲ୍‍ଟି ଏରିଆ ଭିତରେ । କଲେଜିଏଟ୍‍ ତରଫରୁ ଚାଲିଲା ପ୍ରାଣମୂର୍ଚ୍ଛା ଆକ୍ରମଣ । ବଲ୍‍ ପେନାଲ୍‍ଟି ଏରିଆ ବାହାରକୁ ଯାଉନାହିଁ, ସେଥିଲାଗି ରାଣୀହାଟ ଖେଳାଳୀଙ୍କ ମଧ୍ୟରେ ଭାଳେଣୀ ପଡ଼ିଲାଣି । କଲେଜିଏଟ୍‍ର ଆକ୍ରମଣକୁ ଯେକୌଣସି ପ୍ରକାରେ ବ୍ୟର୍ଥ କରିବାକୁ ହେବ । ରାଣୀହାଟ ଦୁଇଜଣ ଇନ୍‍ସାଇଡ୍‍ ଫରଓ୍ୟାର୍ଡ ବୁଲା ଓ ଆନନ୍ଦ ବାଧ୍ୟ ହୋଇ ପଛେଇ ଆସିଲେ ନିଜ ରକ୍ଷଣଭାଗକୁ ସାହାଯ୍ୟ କରିବା ପାଇଁ । ତେବେ ସୁଦ୍ଧା ଅବସ୍ଥା ସମ୍ଭଳା ପଡ଼ୁନାହିଁ । କଲେଜିଏଟ୍‍ ଫରଓ୍ୟାର୍ଡ ଲାଇନ୍‍ ସତେ ଯେମିତି କୌଣସି ବାଧା ମାନିବାକୁ ପ୍ରସ୍ତୁତ ନୁହେଁ । ଅବସ୍ଥା ଗୁରୁତର ହେଲାଠୁଁ ରାଣୀହାଟ ଖେଳାଳୀମାନେ ପାର୍ଶ୍ୱରେଖା (ଟଚ୍‍ଲାଇନ୍‍) ଡିଆଇଁ ବଲ୍‍କୁ ପଡ଼ିଆ ବାହାରକୁ ମାରିବାକୁ ଆରମ୍ଭ କଲେ । ଫଳରେ ୨/୩ ମିନିଟ୍‍ ପର୍ଯ୍ୟନ୍ତ ଚାଲିଲା ତୁହାକୁ ତୁହା ଥ୍ରୋ ଇନ୍‍। କଲେଜିଏଟ୍‍ ଖେଳାଳୀମାନେ ଏହି ଥ୍ରୋ ଇନ୍‍ ଯୋଗୁଁ ବିରକ୍ତ ହୋଇଉଠିଲେ ।

 

ସେଥର ଡେଙ୍ଗା କେଶବର ଥ୍ରୋ ଇନ୍‍ କରିବା ପାଳି । ବଲ୍‍ ତା’ହାତରେ ପଡ଼ିଲାକ୍ଷଣି ସେ ଦୌଡ଼ି ଆସି ପଡ଼ିଆ ଭିତରକୁ ଫିଙ୍ଗିଲା ବଲ୍‍; କିନ୍ତୁ ଲାଇନ୍‍ସ ମ୍ୟାନ୍‍ ପତାକା ହଲାଇ ଜଣାଇ ଦେଲା ଯେ, ଥ୍ରୋ ଇନ୍‍ ଭୁଲଭାବେ ହୋଇଛି ଏବଂ ସେଥିପାଇଁ କଲେଜିଏଟ୍‍ ବଦଳରେ ରାଣୀହାଟ ଥ୍ରୋ ଇନ୍‍ କରିବ । କେଶବ ବୁଝିପାରିଲା ନାହିଁ ତା’ର ଭୁଲ୍‍ କେଉଁଠି ହେଲା ବୋଲି । ଯାହା ହେଉ, ସେଥର ସେ ତୁନିପଡ଼ି ରହିଲା । ମିନିଟିଏ ଯାଇଛି କି ନାହିଁ ପୁଣି ଆସିଲା କଲେଜିଏଟ୍‍ର ଥ୍ରୋ ଇନ୍‍ କରିବା ପାଳି । କେଶବ ଥ୍ରୋ କଲା । ପୁଣି ସେହି କଥା, ଥ୍ରୋ ଇନ୍‍ ଭୁଲ ହୋଇଛି; କିନ୍ତୁ ତୃତୀୟ ଥର ଯେତେବେଳେ ଲାଇନସ୍‍ ମ୍ୟାନ୍‍ କେଶବର ଥ୍ରୋ ଭୁଲ୍‍ ବୋଲି ପତାକା ହଲାଇଲା ସେତେବେଳେ କେଶବ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ । ରାଗରେ ତମ ତମ ହୋଇ ସେ ମାଡ଼ିଗଲା ଲାଇନ୍‍ସ ମ୍ୟାନ୍ ଆଡ଼କୁ । ‘‘ତୋ ମଜା ବାହାର କରୁଛି ରହ । ମୁଁ ଯେତେଥର ଥ୍ରୋ କରୁଛି, ସେତେଥର ମୋର ଭୁଲ ହେଉଛି, ଆଉ ରାଣୀହାଟବାଲାଙ୍କ ଥ୍ରୋ ରେ ମଳିଧୂଳି ନାହିଁ ? କେଉଁକାଳେ ଲାଇନ୍‍ସ ମ୍ୟାନ୍‍ ଗିରି କରିଥିଲୁ ?’’ ଏତକ କହି କେଶବ ଲାଇନ୍‍ସମ୍ୟାନକୁ ମାରିବାକୁ ଉଦ୍ୟତ ହୁଅନ୍ତେ ସୁରେଶ ଦୌଡ଼ି ଆସି କେଶବକୁ ଧରି ପକାଇଲା । ସାର୍‍ ମଧ୍ୟ ହୁଇସିଲ୍‍ ବଜାଇ ଘଟଣାସ୍ଥଳକୁ ଦୌଡ଼ିଆସିଲେ । ଅନ୍ୟ ଖେଳାଳୀମାନେ ମଧ୍ୟ ସେ ତିନି ଜଣଙ୍କ ଚାରିପଟେ ରୁଣ୍ଡ ହୋଇଗଲେ । ପଡ଼ିଆ ଭିତରେ ଓ ବାହାରେ କେଶବକୁ କହିଲେ, ‘‘କେଶବ, ତୁମ ଆଚରଣ ଏତେ ଖରାପ ବୋଲି ମୋର ଧାରଣା ନ ଥିଲା । ଏହି ଆଚରଣ ଯୋଗୁଁ ତୁମକୁ ଏହିକ୍ଷଣି ପଡ଼ିଆରୁ ବାହାର କରି ଦେଇପାରେ, ଜାଣ ?’’

 

‘‘ସାର୍‍, ଖାଲି କଅଣ ମୋର ଦୋଷ ହୋଇଛି ? ଲାଗ ଲାଗ ତିନି ଥର ମୋର ଥ୍ରୋଗୁଡ଼ିକ ଲାଇନ୍‍ସମ୍ୟାନ୍‍ ଭୁଲ୍‍ ବୋଲି ନାକଚ କରିଦେଲା–ସେଥିରେ କଅଣ କିଛି ଦେଖିବାର ନାହିଁ ?’’ କେଶବ କହିଲା ।

 

‘‘ଦେଖ କେଶବ, ବାଜେ ତର୍କ କର ନାହିଁ । ଲାଇନ୍‍ସମ୍ୟାନ୍‍ କୁ ଭୁତ ଲାଗିନାହିଁ ଯେ, ସେ ଜାଣିଶୁଣି ତୁମ ଥ୍ରୋ ଇନ୍‍ଗୁଡ଼ାକ ନାକଚ କରୁଛି । ଖାଲି ତୁମର ନୁହେଁ, ଆହୁରି କେତେଜଣଙ୍କ ଥ୍ରୋ ଇନ୍‍ଗୁଡ଼ାକ ନାକଚ କରୁଛି । ଖାଲି ତୁମର ନୁହେଁ, ଆହୁରି କେତେଜଣଙ୍କ ଥ୍ରୋ ଇନ୍‍ ମଧ୍ୟ ଭୁଲ୍‍ ହୋଇଛି । ତେବେ ତୁମର ତ୍ରୁଟି ମାତ୍ରାଧିକ । ସେଥିପାଇଁ ଲାଇନ୍‍ସମ୍ୟାନ୍‍ ତୁମର ଭୁଲ୍‍ ଧରିଲେ । ୟା’ବୋଲି ମୁଣ୍ଡ ଗରମ କରି ଲାଇନ୍‍ସମ୍ୟାନ୍‍ଙ୍କ ସଙ୍ଗେ ଅଭଦ୍ର ବ୍ୟବହାର କରିବା ଏକ ଗର୍ହିତ ଅପରାଧ । ନିଜର ବ୍ୟବହାର ପାଇଁ ତୁମକୁ ଲାଇନ୍‍ସମ୍ୟାନ୍‍ଙ୍କ ନିକଟରେ କ୍ଷମା ମାଗିବାକୁ ପଡ଼ିବ । ଯଦି କ୍ଷମା ନ ମାଗ, ତେବେ ତୁମକୁ ପଡ଼ିଆରୁ ବାହାର କରି ଦିଆଯିବ-। ବୁଝିଲ ?’’ ସାର୍‍ କହିଲେ ।

 

‘‘ସାର୍‍, ମୋର ଦୋଷ ହୋଇଛି । ସେଥିଲାଗି ମୁଁ ଲାଇନ୍‍ସମ୍ୟାନ୍‍ଙ୍କ ନିକଟରେ କ୍ଷମା ମାଗୁଛି । ଏଭଳି ବ୍ୟବହାର ଆଉ କେବେ କରିବି ନାହିଁ । କିନ୍ତୁ ସାର୍‍, ଥ୍ରୋ ଇନ୍‍ ରେ ମୋର ଭୁଲ୍‍ କେଉଁଠି ହେଲା । ସେ କଥା କଅଣ ଜାଣି ପାରିବି ନାହିଁ ?’’ କେଶବ ପଚାରିଲା ।

 

ସାର୍‍–ଥ୍ରୋ ଇନ୍‍ ବିଷୟରେ ତୁମ୍ଭମାନଙ୍କର ଯେଉଁ ଭୁଲ୍‍ଧାରଣା ରହିଛି, ତାହାକୁ ନ ସୁଧାରିଲେ ଆଜି ଖେଳସାରା ତୁମ୍ଭେମାନେ ଏମିତି ଭୁଲ୍‍ କରିବ । ସେଥିପାଇଁ ଥ୍ରୋ ଇନ୍‍ ନିୟମ କଅଣ କହୁଛି, ମନ ଦେଇ ଶୁଣ ।

 

ପଞ୍ଚଦଶ ନିୟମ–

 

ଥ୍ରୋ ଇନ୍‍–ଫୁଟବଲ୍‍ ଖେଳର ୧୫ ନମ୍ୱର ନିୟମରେ ଥ୍ରୋ ଇନ୍‍ ବିଷୟରେ କୁହାଯାଇଛି । ମୂଳ ନିୟମ ହେଲା–ଯେତେବେଳେ ବଲ୍‍ ମାଟିରେ ଗଡ଼ି ବା ଶୂନ୍ୟରେ ଥାଇ ସମ୍ପୂର୍ଣ୍ଣ ଭାବେ ପାର୍ଶ୍ୱରେଖା ବା ଟଚ୍‍ଲାଇନ୍‍ ଅତିକ୍ରମ କରେ, ସେତେବେଳେ ଯେଉଁ ଖେଳାଳୀ ସର୍ବଶେଷରେ ବଲ୍‍କୁ ସ୍ପର୍ଶ କରିଥାଆନ୍ତି, ତାଙ୍କ ଦଳ ବିରୁଦ୍ଧରେ ଥ୍ରୋ ଇନ୍‍ ଦିଆଯାଏ । ଯେଉଁ ସ୍ଥାନରେ ବଲ୍‍ ଟଚ୍‍ଲାଇନ୍‍ ଅତିକ୍ରମ କରିଥାଏ, ସେହି ସ୍ଥାନରୁ ବିପକ୍ଷର ଜଣେ ଖେଳାଳୀ ବଲ୍‍କୁ ଦୁଇ ହାତରେ ଧରି ପଡ଼ିଆ ଭିତରକୁ ଫିଙ୍ଗିଦିଅନ୍ତି । ବଲ୍‍ ଫିଙ୍ଗିଲା ବେଳେ ଖେଳାଳୀର ମୁହଁ ପଡ଼ିଆ ଆଡ଼କୁ ରହିବା ଆବଶ୍ୟକ ଏବଂ ତାଙ୍କର ଉଭୟ ପାଦର ତଳ ଅଂଶର କିଛି ନା କିଛି ଭାଗ ଟଚ୍‍ଲାଇନ୍‍ ଉପରେ ବା ଟଚ୍‍ଲାଇନ୍‍ ବାହାରେ ପଡ଼ିଆରେ ଭୂମି ସଙ୍ଗେ ଲାଗି ରହିବା ଉଚିତ । ବଲ୍‍କୁ ଦୁଇ ହାତ ପାପୁଲିରେ ମୁଣ୍ଡ ଉପର ବାଟେ ପଡ଼ିଆ ଭିତରକୁ ଫିଙ୍ଗାଯିବ ବୋଲି ନିୟମରେ କହାଯାଇଛି । ବଲ୍‍ ପଡ଼ିଆ ଭିତରକୁ ଫିଙ୍ଗାଯିବା ମାତ୍ରେ ତାହା କାମୀ, ଅର୍ଥାତ୍‍ ଖେଳ ମଧ୍ୟରେ ବୋଲି ବିବେଚନା କରାଯିବ । ଥ୍ରୋରୁ ଅନ୍ୟ ଜଣେ ଖେଳାଳୀ ସେ ବଲ୍‍କୁ ନ ଛୁଇଁଲା ପର୍ଯ୍ୟନ୍ତ ଫିଙ୍ଗାଳୀ ପୁନରାୟ ସେ ବଲ୍‍କୁ ଖେଳି ପାରିବେ ନାହିଁ । ଯଦି ଛୁଅନ୍ତି, ତେବେ ଯେଉଁ ସ୍ଥାନରେ ସେ ବଲ୍‍କୁ ଛୁଇଁଲେ; ସେହି ସ୍ଥାନରୁ ତାଙ୍କ ଦଳ ବିରୁଦ୍ଧରେ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ଦିଆଯିବ । ବେଆଇନ୍‍ଭାବେ ଥ୍ରୋ କଲେ ବିପକ୍ଷ ଦଳର ଯେ କୌଣସି ଖେଳାଳୀ ସେହି ବଲ୍‍କୁ ଛୁଇଁବା ଆଗରୁ ଯଦି ପୁଣି ବଲ୍‍କୁ ହାତରେ ଧରନ୍ତି, ତେବେ ସେ ହ୍ୟାଣ୍ଡବଲ୍‍ କଲେ ବୋଲି ଧରାଯିବ ଏବଂ ତାଙ୍କ ଦଳ ବିରୁଦ୍ଧରେ ସେହି ସ୍ଥାନରୁ ଡାଇରେକ୍ଟ ଫ୍ରି କିକ୍‍ ମରାଯିବାର ନିର୍ଦ୍ଦେଶ ରେଫରୀ ଦେବେ । ଥ୍ରୋ ଇନ୍ କେତେବେଳେ ଓ କାହିଁକି ହୁଏ, ବୁଝି ପାରିଲ ତ ? ବର୍ତ୍ତମାନ ସେ ନିୟମଗୁଡ଼ିକ କ୍ରମ–ପର୍ଯ୍ୟାୟରେ କହୁଛି, ମନେ ରଖ ।

 

୧ । ଥ୍ରୋ କଲାବେଳେ ଫିଙ୍ଗାଳୀର ମୁହଁ ପଡ଼ିଆ ଆଡ଼କୁ ରହିବ ।

 

୨ । ବଲ୍‍ ଦୁଇ ହାତର ପାପୁଲି ଦ୍ୱାରା ଧରି ମୁଣ୍ଡ ଉପର ବାଟେ ଫିଙ୍ଗା ଯିବ ।

 

୩ । ଫିଙ୍ଗିଲାବେଳେ ଫିଙ୍ଗାଳୀର ଉଭୟ ପାଦର କିଛି ନା କିଛି ଅଂଶ ଟଚ୍‍ଲାଇନ୍‍ ବା ଟଚ୍‍ଲାଇନ୍‍ ବାହାର ପଟେ ଭୂମିକୁ ସ୍ପର୍ଶ କରୁଥିବ । ପାଦ ଯଦି ଟଚ୍‍ଲାଇନ୍‍ ଅତିକ୍ରମ କରି ପଡ଼ିଆ ଭିତରକୁ ଆସେ, ତାହାହେଲେ ଥ୍ରୋ ଇନ୍‍ ଭୁଲ୍‍ ହୋଇଛି ବୋଲି ଧରାଯିବ ଏବଂ ବିପକ୍ଷ ଦଳ ଥ୍ରୋ ଇନ୍‍ କରିବାକୁ ହକଦାର ହେବ ।

 

୪ । ଥ୍ରୋ ଇନ୍‍ରୁ ବଲ୍‍ପଡ଼ିଆ ଭିତରକୁ ଆସିବା ମାତ୍ରେ ଖେଳ ଆରମ୍ଭ ହେଲା ବୋଲି ଧରାଯିବ ।

୫ । ଫିଙ୍ଗାଳୀ ଥ୍ରୋ ଇନ୍‍ କରିବା ପରେ ଅନ୍ୟ ଜଣେ ଖେଳାଳୀ (ଯେଉଁ ପକ୍ଷର ହୁଅନ୍ତୁ, ନା କାହିଁକି) ବଲ୍‍କୁ ସ୍ପର୍ଶ ନ କଲାଯାକେ ସେ (ଫିଙ୍ଗାଳୀ) ୨ୟ ଥର ବଲ୍‍କୁ ଛୁଇଁ ପାରିବେ ନାହିଁ । ଯଦି ହୁଅଁନ୍ତୁ ତେବେ ସେ ନିୟମ ଭଙ୍ଗ କଲେ ବୋଲି ଧରାଯିବ ଏବଂ ଯେଉଁ ସ୍ଥାନରେ ଏ ଘଟଣା ଘଟିଲା, ସେହି ସ୍ଥାନରୁ ବିପକ୍ଷ ଦଳ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ହକଦାର ହେବେ-। ତୁମ୍ଭମାନେ ପଚାରି ପାର, ଏଭଳି ଅବସ୍ଥା ଉପୁଜିବା ସମ୍ଭବ କି ? ମୁଁ କହିବି ‘ସମ୍ଭବ’ । ମନେ କରାଯାଉ ବର୍ଷା ଯୋଗୁଁ ପଡ଼ିଆ ଭାରି କାଦୁଆ ହୋଇଛି । ଫିଙ୍ଗାଳୀଙ୍କ ଥ୍ରୋରୁ ବଲ୍‍ ଅନ୍ୟ କୌଣସି ଖେଳାଳୀ ପାଖରେ ନ ପହଞ୍ଚି କାଦୁଅ ଯୋଗୁଁ ଅଧ ବାଟରେ ଅଟକି ଗଲା । ଏଭଳି ଅବସ୍ଥା ଉପୁଜିବା ସମ୍ଭବ କି ? ମୁଁ କହିବି ‘ସମ୍ଭବ’ । ମନେ କରାଯାଉ ବର୍ଷା ଯୋଗୁଁ ପଡ଼ିଆ ଭାରି କାଦୁଆ ହୋଇଛି । ଫିଙ୍ଗାଳୀଙ୍କ ଥ୍ରୋରୁ ବଲ୍‍ ଅନ୍ୟ କୌଣସି ଖେଳାଳୀ ପାଖରେ ନ ପହଞ୍ଚି କାଦୁଅ ଯୋଗୁଁ ଅଧ ବାଟରେ ଅଟକି ଗଲା । ଏଭଳି ଅବସ୍ଥାରେ ଫିଙ୍ଗାଳୀ ଯଦି ଦୌଡ଼ିଯାଇଁ ସେ ବଲ୍‍କୁ କିକ୍‍ କରନ୍ତି; ତେବେ ସେ ନିୟମ ଭଙ୍ଗ କଲେ ବୋଲି ଧରାଯିବ ଏବଂ ସେହି ସ୍ଥାନରୁ ତାଙ୍କ ଦଳ ବିରୁଦ୍ଧରେ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମରାଯିବ । ମନେ କରାଯାଉ ଏଭଳି ଦ୍ୱିତୀୟ ଥର ବଲ୍‍କୁ ଖେଳିଲାବେଳେ ଫିଙ୍ଗାଳୀ ସେ ବଲ୍‍କୁ ହାତରେ ଧରିଲେ, ତାହା ହେଲେ ତାଙ୍କ ଅପରାଧ ଯୋଗୁଁ ସେହି ସ୍ଥାନରୁ ତାଙ୍କ ଦଳ ବିରୁଦ୍ଧରେ ଡାଇରେକ୍ଟ ଫ୍ରି କିକ୍‍ ମରାଯିବ ।

 

୬) ଥ୍ରୋ ଇନ୍‍ରୁ ସିଧାସଳଖ ଗୋଲ୍‍ ହୋଇପାରିବ ନାହିଁ । ଯଦି ଥ୍ରୋ ଇନ୍‍ରୁ ବଲ୍‍ ସିଧାସଳଖ ବିପକ୍ଷରେ ଗୋଲ୍‍ ପୋଷ୍ଟ ଭିତରକୁ ଯାଏ, ତେବେ ବିପକ୍ଷ ଦଳ ସେଥିଲାଗି ଗୋଟିଏ ବଲ୍‍ ପୋଷ୍ଟ କିକ୍‍ ମାରିବେ । ଆଉ ଯଦି ଥ୍ରୋ ଇନ୍‍ ବଲ ସିଧାସଳଖ ସ୍ୱପକ୍ଷରେ ଗୋଲପୋଷ୍ଟ ଭିତରକୁ ଯାଏ, ତେବେ ବିପକ୍ଷ ଦଳ କର୍ଣ୍ଣାର କିକ୍‍ ମାରିବେ ।

 

୭) ଥ୍ରୋ ଇନ୍‍ ବେଳେ ଅଫ୍‍ସାଇଡ୍‍ ନିୟମ ପଯୁଜ୍ୟ ନୁହେଁ; ଅର୍ଥାତ୍‍ ଥ୍ରୋ ଇନ୍‍ ବେଳେ ଯଦି କୌଣସି ଖେଳାଳୀ ଅଫ୍‍ସାଇଡ୍‍ ଅବସ୍ଥାରେ ଥାଆନ୍ତି ଏବଂ ବଲ୍‍ ତାଙ୍କ ନିକଟକୁ ସିଧାସଳଖ ଯାଏ, ଓ ସେ ତାହାକୁ ଖେଳନ୍ତି, ତେବେ ରେଫରୀ ତାଙ୍କୁ ଅଫ୍‍ସାଇଡ୍‍ ଅବସ୍ଥାନରେ ଅଛନ୍ତି ବୋଲି ଦଣ୍ଡିତ କରିପାରିବେ ନାହିଁ ।

 

୮) ସେ କରାଗଲାବେଳେ ଯଦି ବିପକ୍ଷର ଜଣ ବା ଏକାଧିକ ଖେଳାଳୀ ଥ୍ରୋ ଇନ୍‍ କାରୀଙ୍କର ସାମନାରେ ନାଚି ବା ଅଙ୍ଗଭଙ୍ଗୀ କରି ତାଙ୍କ କାର୍ଯ୍ୟରେ ବାଧା ଉପୁଜାନ୍ତି ବା ତାଙ୍କର ମନୋଯୋଗ ଭଙ୍ଗର ଚେଷ୍ଟା କରନ୍ତି, ତେବେ ରେଫରୀ ସେ ଖେଳାଳୀ ବା ଖେଳାଳୀମାନଙ୍କୁ ଅଶିଷ୍ଟ ଆଚରଣ ଲାଗି ସତର୍କ କରିଦେବେ ।

 

୯) ଲାଇନ୍‍ ସମ୍ୟାନ୍‍ର କର୍ତ୍ତବ୍ୟ ହେଲା, କେଉଁ ଦଳ ଥ୍ରୋ ଇନ୍‍ କରିବେ ଏବଂ କେଉଁ ସ୍ଥାନରୁ ତାହା କରାଯିବ ତାହା ପତାକାଦ୍ୱାରା ସଙ୍କେତ ଦେଇ ଜଣାଇଦେବେ ଏବଂ ଥ୍ରୋ ଇନ୍‍ ଠିକ୍‍ଭାବେ କରାଗଲା କି ନାହିଁ ଦେଖିବେ ।

 

ବର୍ତ୍ତମାନ କେଶବର ଭୁଲ୍‍ କେଉଁଠି ହୋଇଛି କହେ । ଥ୍ରୋ ଇନ୍‍ କଲାବେଳେ ସେ ଆଦୌ ଟଚ୍‍ ଲାଇନ୍‍ ପ୍ରତି ଦୃଷ୍ଟି ଦେଇନାହିଁ । ତେଣୁ ପ୍ରତ୍ୟେକ ଥର ତାର ଡାହାଣ ପାଦ ଟଚ୍‍ ଲାଇନ୍‍ ଅତିକ୍ରମ କରି ପଡ଼ିଆ ଭିତରକୁ ଆସିଛି । ଲାଇନ୍‍ସମ୍ୟାନ୍‍ ସେ ତ୍ରୁଟି ଲକ୍ଷ୍ୟ କରି ପତାକା ହଲାଇ ଭୁଲ୍‍ ଧରିଛି । ତେଣୁ ଲାଇନ୍‍ସମ୍ୟାନ୍ ର ଦୋଷ କେଉଁଠି ହେଲା-? କଅଣ କହୁଛ କେଶବ ?’’ ସାର୍‍ ପଚାରିଲେ ।

 

‘‘ଆଜ୍ଞା, ଟଚ୍‍ଲାଇନ୍‍ ଆଡ଼କୁ ମୁଁ ଆଦୌ ଦୃଷ୍ଟି ଦେଇ ନାହିଁ । ତେଣୁ ଭୁଲ୍‍ ହୋଇଥାଇପାରେ । ଏଣିକି ସାବଧାନ ରହିବି । ଯାହା ହେଉ ମୋ ବ୍ୟବହାର ପାଇଁ ମୁଁ ଲଜ୍ଜିତ ।’’ କେଶବ ଉତ୍ତର ଦେଲା ।

 

‘‘କେଶବ, ନିଜର ଦୋଷ କଅଣ ଜାଣିଲ ତ ? ବର୍ତ୍ତମାନ ରାଣୀହାଟ ଟିମ୍‍କୁ ଗୋଟିଏ କଥା କହିବି । ପ୍ରଥମାର୍ଦ୍ଧରେ କଲେଜିଏଟ୍‍ର ହେରମ୍ୱ ଯେଉଁ ଗୋଲ୍‍ଟି ଶୁଝାଇଲା ସେ ବିଷୟରେ ତୁମ୍ଭମାନଙ୍କ ମନରେ ସନ୍ଦେହ ରହିଛି । ତୁମ୍ଭମାନଙ୍କର ଧାରଣା ଯେ, ବଲ୍‍ ପାଇଲାବେଳକୁ ହେରମ୍ୱ ଅଫ୍‍ସାଇଡ୍‍ ପୋଜିସନ୍‍ ରେ ଥିଲା ଏବଂ ସେହି ପୋଜିସନ୍‍ରୁ ସେ ଗୋଲ୍‍ ଦେଇଛି । ତେଣୁ ଗୋଲ୍‍ଟି ଅଫ୍‍ସାଇଡ୍‍ ପୋଜିସନ୍‍ରୁ ହୋଇଛି ବୋଲି ନାକଚ ହେବା ଉଚିତ ବୋଲି ତୁମ୍ଭମାନଙ୍କର ମତ । ଠିକ୍‍ ନା ? ଥ୍ରୋ କରାଗଲାବେଳେ ହେରମ୍ୱ ଯେ ଅଫ୍‍ସାଇଡ୍‍ ପୋଜିସନ୍‍ ରେ ଥିଲା ତାହା ସତ । ଥ୍ରୋ ଇନ୍‍ ବେଳେ ତ ଅଫ୍‍ସାଇଡ୍‍ ଧରାଯିବା କଥା ନୁହେଁ । ତେଣୁ ମୁଁ କେମିତି ତାହାକୁ ଦୋଷୀ ସାବ୍ୟସ୍ତ କରନ୍ତି ? ଅଫ୍‍ସାଇଡ୍‍ ପୋଜିସନ୍‍ ରେ ଥିଲାବେଳେ ଥ୍ରୋ ଇନ୍‍ରୁ ବଲ୍‍ ସିଧାସଳଖ ତା ନିକଟରେ ପହଞ୍ଚିଲା ଏବଂ ସେଥିରୁ ସେ ଗୋଲ୍‍ ଦେଲା । ତେଣୁ ସେ ଗୋଲ କିପର ନାକଚ କରାଯିବ ? ବର୍ତ୍ତମାନ ଜାଣିଲ ତ ହେରମ୍ୱର ଗୋଲ୍‍ ଅଫ୍‍ସାଇଡ୍‍ ବୋଲି କାହିଁକି ନାକଚ କରାଯାଇ ପାରିବ ନାହିଁ ?’’ ଏତକ କହି ସାର୍‍ ନିଜ ଘଡ଼ି ଆଡ଼କୁ ଚାହିଁଲେ, ତା ପରେ କହିଲେ, ‘‘ଖେଳ ଆରମ୍ଭ ହେଉ । ବର୍ତ୍ତମାନ ରାଣୀହାଟର ଥ୍ରୋ କରିବା ପାଳି । ରାଣୀହାଟର ଜଣେ ଖେଳାଳୀ ଥ୍ରୋ ଇନ୍‍ କରୁ ।’’ ଏତକ କହି ସାର୍‍ ଗୋଟିଏ ପାଖକୁ ଘୁଞ୍ଚିଗଲେ ।

 

ଖେଳ ପୁଣି ଆରମ୍ଭ ହେଲା । ରାମାୟାର ଥ୍ରୋ ଇନ୍‍ରୁ ହରିଶ ବଲ୍‍ ପାଇ ଏକ ଲମ୍ୱା ସଟ୍‍ ମାରିଲା ଆଉଟସାଇଡ୍‍ ରାଇଟ୍‍ ହନିଫ ପାଖକୁ । କଲେଜିଏଟ୍‍ର ରକ୍ଷଣଭାଗ ବିଶେଷ କରି ହାଫବ୍ୟାକ୍‍ମାନେ ମଝିରେ ଖେଳ ବନ୍ଦ ହୋଇଥିବା ଯୋଗୁଁ ମାନ୍ଦା ପଡ଼ିଯାଇଥିଲେ । ହନିଫ୍‍ ଏ ସୁଯୋଗରେ ବଲ୍‍ ଟାଣିନେଲା କଲେଜିଏଟ୍‍ ପେନାଲ୍‍ଟି ଏରିଆ ଭିତରକୁ । କଲେଜିଏଟ୍‍ ଲେଫଟ୍‍ବ୍ୟାକ୍‍ ବଳି ଦେଖିଲା ଯେ, ବଲ୍‍ଟି ନ ଅଟକାଇଲେ ବିପଦ ଘଟିପାରେ । ତେଣୁ ଦୁଇ ବାହୁକୁ ଜଟାୟୁ ପକ୍ଷୀର ଡେଣା ଭଳି ହଲାଇ ବଳି ହନିଫ୍ ଆଡ଼କୁ ମାଡ଼ି ଯାଆନ୍ତେ ହନିଫ୍‍ ମୁହୂର୍ତ୍ତକ ପାଇଁ ବଲ୍‍ ଧରି ଛିଡ଼ଶ ହୋଇଗଲା, ତାପରେ ହଠାତ୍‍ ବଲ୍‍କୁ ପାଦ ଦ୍ୱାରା ବଳିର ହାତ ଆଡ଼କୁ ଲକ୍ଷ୍ୟ କରି ଫିଙ୍ଗିଲା । ଅବ୍ୟର୍ଥ ଲକ୍ଷ୍ୟ ଭେଦ । ବଲ୍‍ ଯାଇଁ ବାଜିଲା ବଳିର ଡାହାଣ ହାତରେ । ବିଚରା ବଳି–ହନିଫ୍‍ର ଏ କୌଶଳ ପାଇଁ ଆଦୌ ପ୍ରସ୍ତୁତ ନ ଥିଲା । ବଲ୍‍ ବଳି ହାତରେ ବାଜିବା ମାତ୍ରେ ଉଭୟ ଖେଳାଳୀ ଚୁପ୍ ହୋଇ ଛିଡ଼ା ହୋଇଗଲେ । ପଡ଼ିଆ ବାହାରୁ ପାଟି ହେଲା, ହ୍ୟାଣ୍ଡବଲ୍‍....ହ୍ୟାଣ୍ଡବଲ୍‍....ପେନାଲ୍‍ଟି....ପେନାଲ୍‍ଟି....। ହନିଫ ମଧ୍ୟ ଦେଖଣାହାରୀଙ୍କ ଭଳି ପାଟି କଲା ହ୍ୟାଣ୍ଡବଲ୍‍....ହ୍ୟାଣ୍ଡବଲ୍‍ । କିନ୍ତୁ ଆଶ୍ଚର୍ଯ୍ୟ କଥା ରେଫରୀଙ୍କ ହୁଇସିଲ୍‍ ବାଜିବାକୁ ନାହିଁ । ରେଫରୀ ମୁଣ୍ଡ ଓ ହାତ ହଲାଇ ଇଙ୍ଗିତ ଦେଲେ, ‘ଖେଳି ଯାଅ’ । ସେଣ୍ଟର ହାପ୍‍ ସୁରେଶ ଆଉ କାଳ ବିଳମ୍ୱ ନ କରି ଦୌଡ଼ିଯାଇ ବଲ୍‍କୁ ପଡ଼ିଆ ବାହାରକୁ ମାରିଦେଲା । ସମସ୍ତେ ଭେଳକା ହୋଇ ଅନାଇ ରହିଛନ୍ତି, ରେଫରୀଙ୍କ ଆଡ଼କୁ । ଏକି ଅଭୁତ ବିଚାର ! ରେଫରୀ କିନ୍ତୁ କୌଣସି ଆଡ଼କୁ ଦୃଷ୍ଟି ନ ଦେଇ ଆଙ୍ଗୁଳି ଦେଖାଇଲେ ଲାଇନ୍‍ସମ୍ୟାନ୍‍ ନାଟକୀୟ ଭଙ୍ଗୀରେ ନିଜ ଗୋଡ଼ ତଳେ ବଲ୍‍ରଖି ରାଣୀହାଟ ଦଳକୁ ନିର୍ଦ୍ଦେଶ ଦେଉଛି ଥ୍ରୋ ଇନ୍‍ କରିବା ଲାଗି । ପ୍ରଥମେ କେହି କିଛି ବୁଝିପାରିଲେ ନାହିଁ । ତାପରେ ରାଣୀହାଟ ସମର୍ଥନକାରୀମାନଙ୍କ ତରଫରୁ ଆରମ୍ଭ ହେଲା ପାଟି, ‘‘କଅଣ ହେଲା–ହ୍ୟାଣ୍ଡବଲ ବଦଳରେ ଥ୍ରୋ ଇନ୍‍? ରେଫରୀ ଅନ୍ଧ ନା କଅଣ ? ନା ନିଜ ସ୍କୁଲ ବୋଲି କଲେଜିଏଟ୍‍ର ସବୁ ଦୋଷ ମାଫ୍‍ । ଯେଉଁଠି ଏମିତି ବୁଝାମଣା ସେଠି ମ୍ୟାଚ୍‍ ଖେଳି କି ଲାଭ ? ପଡ଼ିଆରୁ ବାହାରି ଆସ ପିଲାଏ–ମ୍ୟାଚ୍‍ଆମର ଏତିକିରେ ଥାଉ । ପଡ଼ିଆରୁ ବାହାରି ଆସ ପିଲାଏ–ପଡ଼ିଆରୁ ବାହାରି ଆସ.....’’ କଲେଜିଏଟ୍‍ ସମର୍ଥନକାରୀମାନେ ଅପେକ୍ଷାକୃତ ନୀରବ । ଖାଲି କେତେଜଣ ଆପଣା ଭିତରେ କଥାଭାଷା ହେଉଛନ୍ତି, ‘‘ଯାହା କହ ପଛେ, ବଳିର ହ୍ୟାଣ୍ଡବଲ୍‍ ହୋଇଥିଲା । ସାର୍‍ ଯେ କେମିତି ଦେଖିପାରିଲେ ନାହିଁ, ବୁଝି ହେଉନାହିଁ । ଛାଡ଼, ରେଫରୀ ଯେତେବେଳେ ବୁଝି ବିଚାରି ହ୍ୟାଣ୍ଡବଲ୍‍ ଦେଇ ନାହାନ୍ତି, ସେତେବେଳେ ତମ ଆମ କଥାରେ ତ ଆଉ ହ୍ୟାଣ୍ଡବଲ୍‍ ଦିଆଯିବ ନାହିଁ । ତେବେ ବଳିର ଏ ଯେଉଁ ଡେଣା ମେଳି ଖେଳିବାର ଢଙ୍ଗ ସେଥିପାଇଁ ଦିନେ ନା ଦିନେ ଆମକୁ ଭୋଗିବାକୁ ପଡ଼ିବ । କିରେ ବାକୁ ବଲ୍‍ତ ଖେଳିବୁ ଗୋଡ଼ରେ–ଆଉ ହାତ ଦୁଇଟାକୁ ଏମିତି ମେଲାଇ ଦୌଡ଼ିବୁ କାହିଁକି ? ଗୋଟାଏ ଛାଣ୍ଟ ନା କଅଣ-? ସୁରେଶର ତାକୁ ସତର୍କ କରିଦେବା ଉଚିତ ।’’ କିଏ ଜଣେ ସେମାନଙ୍କ ଭିତରୁ ବାହାରି ପଡ଼ି କହିଲା, ‘‘ବଳିକୁ କହି କଛି ଲାଭ ତ ହେବ ନାହିଁ । ବରଂ କହିଲେ ହଠୁଣିଏ ଉଡ଼ାଜାହାଜର ଡେଣା ଭଳି ଦୁଇ ବାହୁକୁ ଆହୁରି ମେଲାଇବ । ତା ପାଇଁ ସବୁଠୁ ଭଲ ଔଷଧ ହେଲା ୩।୪ଟା ମ୍ୟାଚ୍‍ରୁ ବସାଇଦେବା । କେତୁଟା ଖେଳରୁ ବସାଇ ଦେଲେ ଚେତିବ ଯେ ।’’

ହ୍ୟାଣ୍ଡବଲ୍‍–ଦେଖଣାହାରିଙ୍କ ମଧ୍ୟରେ ଏ ପ୍ରକାର ଆଲୋଚନା ଚାଲିଥିଲାବେଳେ ରାଣି ହାଟ ଟିମ୍‍ର କ୍ୟାପଟେନ୍‍ ଅନିରୁଦ୍ଧ ରେଫରୀଙ୍କ ପାଖକୁ ଯାଇଁ କହିଲା ‘‘ସାର୍‍ ବଲ୍‍ତ ହାତରେ ବାଜିଛି, ତେଣୁ ହ୍ୟାଣ୍ଡବଲ ହବା କଥା ନୁହଁ କି ? ହ୍ୟାଣ୍ଡବଲ୍‍ ହୋଇଛି କି ନାହିଁ ଆପଣ ଲାଇନ୍‍ସମ୍ୟାନ୍‍କୁ ପଚାରି ପାରନ୍ତି । ପେନାଲ୍‍ଟି ଏରିଆ ଭିତରେ ହ୍ୟାଣ୍ଡବଲ୍‍ ହୋଇଛି । ତେଣୁ ପେନାଲ୍‍ଟି କିକ୍‍ ଦିଆଯିବାର କଥା । ଆଉ ଆପଣ ଥ୍ରୋ ଇନ୍‍ ଦେଲେ ଯେ ?’’

 

ସାର୍‍–କଅଣ ତୁମେ ମୋ ନିଷ୍ପତ୍ତିର ପ୍ରତିବାଦ କରୁଛ ? ରେଫରୀର ନିଷ୍ପତ୍ତିର ପ୍ରତିବାଦ କରିବା ଏକ ଗର୍ହିତ ଅପରାଧ, ସେ କଥା ଜଣ କି ନାହିଁ ?’’

 

ଅନିରୁଦ୍ଧ–ସାର୍‍, ଆୁଁ ଆପଣଙ୍କ ନିଷ୍ପତ୍ତିର ପ୍ରତିବାଦ କରୁନାହିଁ । କାଳେ ଘଟଣାଟି ଆପଣ ଦେଖି ନ ଥିବେ, ସେଥିପାଇଁ ମୁଁ ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଛି ।

 

ସାର୍‍–ମୁଁ ସବୁ ଦେଖୁଛି । ଗୋଟିଏ କଥା ମନେ ରଖ, ହାତରେ ବଲ୍‍ ବାଜିଲେ ହ୍ୟାଣ୍ଡବଲ୍‍ ହୁଏ ନାହିଁ । ବଲ୍‍କୁ ଜାଣିଶୁଣି ହାତରେ ମାରି ଚାଳନା (Propel) କଲେ ହ୍ୟାଣ୍ଡବଲ୍‍ ହୁଏ । ବଳିର ଅଜାଣତରେ ବଲ୍‍ ତା ହାତରେ ବାଜିଛି । ତେଣୁ ହ୍ୟାଣ୍ଡବଲ୍‍ ହେବ ନାହିଁ । ଥ୍ରୋ ଇନ୍‍ର ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ତାହା ମଧ୍ୟ ଠିକ୍‍ । ଏହିକ୍ଷଣି ହ୍ୟାଣ୍ଡବଲ୍‍ ହୋଇଛି କି ନାହିଁ ସେ ବିଷୟରେ ମୁଣ୍ଡ ନ ଖେଳାଇ ଖେଳିଯାଅ । ଖେଳଶେଷରେ ଏ ବିଷୟରେ ଆଲୋଚନା କରିବା ।

 

ଅନିରୁଦ୍ଧ ଆଉ ଯୁକ୍ତିତର୍କ ନ କରି ନିଜ ଖେଳାଳୀଙ୍କୁ ଖେଳିବାକୁ ଆଦେଶ ଦେଲା । କଲେଜିଏଟ୍‍ର ଖେଳାଳୀମାନେ ଗୋଟିଏ ସ୍ୱସ୍ତିର ନିଃଶ୍ୱାସ ମାରି ଖେଳରେ ଜୋର ଦେଲେ । ଅନ୍ତତଃ ଗୋଲ୍‍ଟା ଶୁଝାଇବାକୁ ପଡ଼ି, ନ ହେଲେ ଆସନ୍ତା କାଲି ସ୍କୁଲରେ ଆଉ ମୁହଁ ଦେଖାଇ ହେବ ନାହିଁ । ରାଣୀହାଟ ମଧ୍ୟ ଜିଣିବା ପାଇଁ ବ୍ୟଗ୍ର । ତେଣୁ ଖେଳର ଗତି ହେଲା କ୍ଷିପ୍ର । କଲେଜିଏଟ୍‍ ଆକ୍ରମଣ କଲାମାତ୍ରେ ରାଣୀହାଟ ପର ମୁହୂର୍ତ୍ତରେ ପାଲଟା ଜବାବ ଦେଉଛି । ପ୍ରାୟ ୫ ମିନିଟ୍‍ ଏଭଳି ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିବା ପରେ ରାଣୀହାଟ ଗୋଲ୍‍ ଏରିଆରେ ଗୋଟିଏ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଲା । ସନ୍ତୋଷର ଗୋଟିଏ କର୍ଣ୍ଣାର କିକ୍‍କୁ ମଧୁ ହେଡ୍‍ କରି ପଠାଇଲା ପେନାଲ୍‍ଟି ଏରିଆ ବାହରକୁ । ହେଡ୍‍ରୁ ବଲ୍‍ ଆନନ୍ଦ ପାଖରେ ପହଞ୍ଚିବା ପୂର୍ବରୁ କେଶବ ଦୌଡ଼ିଯାଇ ବଲ୍‍କୁ ଠେଲିଦେଲା ହେରମ୍ୱ ପାଖକୁ । ହେରମ୍ୱ ବଲ୍‍ପାଇ ଦେଖେ ଯେ ଅନିରୁଦ୍ଧ ବଲ୍‍ କାଢ଼ିନେବ ଏହି ଭୟରେ ସେ ତରବର ହୋଇ ମାରିଲା ତଳୁଆ ସଟ୍‍ ଟାଏ । ରାଣୀହାଟ ରାଇଟ୍‍ ବ୍ୟାକ୍‍ମନି ସେତେବେଳେ ଆଗେଇ ଆସୁଥାଏ ହେରମ୍ୱ ଆଡ଼କୁ; କିନ୍ତୁ ହେରମ୍ୱ ଯେ ଏତେ ଶୀଘ୍ର ସଟ୍‍ଟାଏ ମାରିବ ମନି ସେକଥା ଧାରଣା କରିନଥିଲା । ଉପାୟ ନ ଦେଖି ମନି ଗୋଡ଼ ବଢ଼ାଇ ଦେଲା ସେ ସଟ୍‍ ଆଡ଼କୁ । ବଲ୍‍ ତ ଅଟକିଲା ନାହିଁ, ବରଂ ଛିଟିକି ଯାଇ ପହଞ୍ଚିଲା ପେନାଲ୍‍ଟି ଏରିଆ ବାଁ ପାଖରେ ଛିଡ଼ା ହୋଇଥିବା ବସନ୍ତ ପାଖରେ । ପେନାଲ୍‍ଟି ଏରିଆର ଡାହାଣ ପଟେ ଖେଳ ଚାଲିଥିବା ଯୋଗୁଁ ବସନ୍ତ ଯେ ବାଁ ପାଖରେ ଛକି ରହିଛି ସେଥିପ୍ରତି କାହାର ଲକ୍ଷ୍ୟ ନ ଥିଲା । ରେଫରୀ ହୁଇସିଲ୍‍ ବଜାଇବାକୁ ଯାଇଁ ଦେଖନ୍ତି ଯେ ବସନ୍ତ ବଲ୍‍ ପାଇବାମାତ୍ରେ ଗୋଲ୍‍କୁ ମାରିଛି ଟାଣୁଆ ସଟ୍‍ଟିଏ । ଆଖିପିଛୁଳାକେ ଘଟିଗଲା ସମସ୍ତ ଘଟଣା । ଅନ୍ୟ ଖେଳାଳୀମାନେ ପ୍ରକୃତ ଘଟଣା କଅଣ ବୁଝିବାକୁ ଚେଷ୍ଟା କଲାବେଳକୁ ବଲ୍‍ଯାଇ ନେଟ୍‍ ଭିତରେ । ପର ମୁହୂର୍ତ୍ତରେ ବାଜିଲା ଲମ୍ୱା ହୁଇସିଲ୍‍–ଅର୍ଥାତ୍‍ ଗୋଲ୍‍ ।

 

କଲେଜିଏଟ୍‍ ଟିମ୍‍ର ଖୁସି ସେତେବେଳେ ଦେଖେ କିଏ ? ସେମାନେ ବସନ୍ତକୁ କୁଣ୍ଢାଇ ନାଚିଲା ବେଳକୁ ରାଣୀହାଟ ପଟୁ ପାଟି ହେଲା । ‘‘ଅଫ୍‍ସାଇଡ୍‍–ଅଫ୍‍ସାଇଡ୍‍–ଗୋଲ୍‍ ହୋଇ ପାରେନା ।’’

 

ଫାଉଲ୍‍ ରେଫରୀ କିନ୍ତୁ କୌଣସି କଥାକୁ କାନ ନ ଦେଇ ଚାଲିଗଲେ ପଡ଼ିଆ ମଝିକୁ । ରାଣୀହାଟ ଖେଳାଳୀମାନେ କିଛି ସମୟ ଚୁପ୍‍ ହୋଇ ଛିଡ଼ା ହେଲାପରେ ବାହାରିଲେ କିକ୍‍ ଅଫ୍‍ କରିବାକୁ । କିକ୍‍ ଅଫ୍‍ ସଙ୍ଗେ ସଙ୍ଗେ ପ୍ରତିଶୋଧ ନେବାଲାଗି ସେମାନେ ବଦ୍ଧପରିକର । ଏଥର କଲେଜିଏଟ୍‍ ଦଳରେ ଆକ୍ରମଣ ପ୍ରତିହତ କରିବା ପାଳି । ଖେଳ ଶେଷ ହେବାକୁ ସେତେବେଳେ ମୋଟେ ୫।୬ ମିନିଟ୍‍ ସମୟ ବାକି ଥାଏ । କୌଣସିମତେ ଏ ସମୟତକ କଟାଇ ଦେବାକୁ ମନସ୍ଥ କରି କଲେଜିଏଟ୍‍ ଦଳ ପ୍ରତିଆକ୍ରମଣ କରିବା ପରିବର୍ତ୍ତେ ଆକ୍ରମଣ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଖେଳିବାକୁ ଲାଗିଲେ । କଲେଜିଏଟ୍‍ ଟିମ୍‍ର ଖେଳର ଢଙ୍ଗ ଦେଖି ରାଣୀହାଟ ଖେଳାଳୀମାନେ ମାଡ଼ି ଚାଲିଲେ କଲେଜିଏଟ୍‍ ଗୋଲ୍‍ ଆଡ଼କୁ । ଫଳରେ କଲେଜିଏଟ୍‍ ଗୋଲ୍‍ ଉପରେ ଘନ ଘନ ଆକ୍ରମଣ ଆରମ୍ଭ ଚାଲିଲା । ଏଭିଳି ଆକ୍ରମଣ ଚାଲିଥିଲା ବେଳେ ହଠାତ୍‍ ଗୋଟିଏ ସଟ୍‍ରୁ ବଲ୍‍ ଚାଲି ଆସିଲା ସେଣ୍ଟର ଲାଇନ୍‍ ପାଖକୁ । ରାଣୀହାଟର ବ୍ୟାକ୍‍ ଦୁଇଜଣ–ମନି ଓ ମଧୁ ସେତେବେଳେ ସେଣ୍ଟର ଲାଇନ୍‍ ପାଖରେ ଥାଆନ୍ତି । ମନି ସେ ବଲ୍‍କୁ ଧରିବାକୁ ଗଲାବେଳକୁ କଲେଜିଏଟ୍‍ର ହେରମ୍ୱ ହଠାତ୍‍ ଗୋଟିଏ ପାଖରୁ ତୀରବେଗରେ ମଝିରେ ପଶି ବଲ୍‍ କାଢ଼ିନେଇ ଦୌଡ଼ିଲା ରାଣୀହାଟ ଗୋଲ୍‍ଆଡ଼କୁ । ମନି ଓ ମଧୁ ଧାଇଁଲେ ହେରମ୍ୱ ପଛରେ । ଏକ ଉଦବେଗଜନକ ପରିସ୍ଥିତି–କଅଣ ଘଟିବ ବୋଲି ସମସ୍ତେ ଚାହିଁ ରହିଛନ୍ତି । ହେରମ୍ୱ ସଙ୍ଗେ ତାଳ ରଖି ଟଚ୍‍ ଲାଇନ୍‍ର କେଡ଼େ କେଡ଼େ ଦୌଡ଼ୁଥାଏ କଲେଜିଏଟ୍‍ ଫରଓ୍ୟାର୍ଡ ଲାଇନ୍‍ର ଏକମାତ୍ର ଖେଳାଳୀ–ସନ୍ତୋଷ । ହେରମ୍ୱ ସେତେବେଳକୁ ପେନାଲ୍‍ଟି ଏରିଆର ମଝିଯାଏ ଆସି ଯାଇଥାଏ । ମଧୁ ଦେଖିଲା ଗୋଟାଏ କିଛି ନ କଲେ ହେରମ୍ୱ ନିଶ୍ଚୟ ଗୋଲ୍‍ ଦେବ । ଆଗପଛ ନ ବିଚାରି ମଧୁ ହେରମ୍ୱକୁ ପଛପଟୁ ମାରିଲା ଠେଲାଟାଏ । ହେରମ୍ୱ ପ୍ରସ୍ତୁତ ନ ଥିଲା ଏ ଠେଲା ପାଇଁ । ନିଜକୁ ସମ୍ଭାଳୁ ବଲ୍‍ ତା ଆୟତ୍ତରୁ ବାହାରିଗଲା । ଗୋଲ୍‍ କିପର୍‍ ନନ୍ଦ ଏ ସୁଯୋଗରେ ସାମନାକୁ ଦୌଡ଼ି ଆସି ପେନାଲ୍‍ଟି ଏରିଆ ଭିତରେ ଗୋଟାଇ ନେଲା ବଲ୍‍କୁ । ନନ୍ଦ ବଲ୍‍ ଧରି ହେରମ୍ୱ ଆଡ଼କୁ ଚାହିଁଲା ବେଳକୁ ସନ୍ତୋଷ ଡାହାଣ କଡ଼ରୁ ଦୌଡ଼ିଆସି ନନ୍ଦ କାନ୍ଧ ସଙ୍ଗେ ନିଜ କାନ୍ଧ ମିଶାଇ ମାରିଲା ଧକ୍‍କାଟାଏ । ହେରମ୍ୱକୁ ଜଗୁ ଜଗୁ ସନ୍ତୋଷ ଯେ ଏଭଳି ଏକ କାଣ୍ଡ ଭିଆଇବ ନନ୍ଦ ସେକଥା କଳ୍ପନା କରି ପାରି ନଥିଲା । ସନ୍ତୋଷର ଠେଲା ଯୋଗୁଁ ନିଜକୁ ସମ୍ଭାଳୁ ସମ୍ଭାଳୁ ନନ୍ଦ ହାତରୁ ବଲ୍‍ଟି ଖସିପଡ଼ିଲା । ଆଉ ସେହି ସୁଯୋଗରେ ହେରମ୍ୱ ଫାଙ୍କା ନେଟ୍‍ ଭିତରକୁ କଷି ଦେଲା ଶକ୍ତ ସଟ୍‍ଟିଏ । ସଙ୍ଗେ ସଙ୍ଗେ ରେଫରୀଙ୍କ ଲମ୍ୱା ହୁଇସିଲ୍‍ ବାଜିଲା–ଗୋଲ୍‍ ସୂଚାଇ । ଖେଳର ଗତି ଯେ ହଠାତ୍‍ଏଭଳି ଭାବେ ବଦଳିଯିବ କେହି କେବେହେଳେ ଆଶା କରି ନ ଥିଲେ । ରେଫରୀ ହୁଇସିଲ ବଜାଇ ସେଣ୍ଟର (କିକ୍‍ଅଫ୍‍) କରିବାକୁ ନିର୍ଦ୍ଦେଶ ଦିଅନ୍ତି ରାଣୀହାଟ ପଟୁ ଆରମ୍ଭ ହେଲା ପାଟିତୁଣ୍ଡ–‘‘ଫଉଲ୍‍–ଫାଉଲ୍‍’’ । କଲେଜିଏଟ୍‍ ତରଫରୁ ଦେଖଣାହାରିଏ ଜବାବ ‘‘ଠିକ୍‍ ହୋଇଛି । ଯେସାକୁ ତେସା, ହାରାମଜାଦାକୁ ଟାଙ୍ଗିଆପଶା । ମଧୁ ଫାଉଲ୍‍ କଲାବେଳକୁ ଫାଉଲ୍‍ ହେଲା ନାହିଁ–ଆଉ ସନ୍ତୋଷ ବେଳକୁ ଫାଉଲ୍‍ । ଅଣ୍ଟାଭିଡ଼ ଖେଳରେ ପିଲେ, ଆଉ ମୋଟେ ୨।୩ ମିନିଟ ବାକି ଅଛି ।’’

 

ଅଚାନକଭାବେ ଏଭଳି ଗୋଲ୍‍ ଖାଇବେ ବୋଲି ରାଣୀହାଟ ଖେଳାଳୀମାନେ ଆଦୌ ଧାରଣା କରି ନ ଥିଲେ । ଦେଖଣାହାରିଙ୍କ ପାଟିତୁଣ୍ଡ ଆଡ଼କୁ କାନ ନ ଦେଇ ସେମାନେ ବାହାରି ପଡ଼ିଲେ ପୁଣି ଖେଳ ଆରମ୍ଭ କରିବାକୁ । ଇଜ୍ଜତ ବଜାୟ ରଖିବାକୁ ହିଁ ପଡ଼ିବ । ଖେଳ ଶେଷ ହେବା ଆଗରୁ ଗୋଲ୍‍ଟା ନ ଶୁଝାଇଲେ ଆଉ ମୁହଁ ଦେଖାଇ ହେବ ନାହିଁ । କିକ୍‍ ଅଫ୍‍ ହେବା ମାତ୍ରେ ରାଣୀହାଟ ଆରମ୍ଭ କରିଦେଲା ପ୍ରାଣମୂର୍ଚ୍ଛା ଆକ୍ରମଣ । କଲେଜିଏଟ୍‍ ଟିମ୍‍ କିନ୍ତୁ ଆଗର ସେହି ମନୋବୃତ୍ତି ନେଇ ଖେଳିବାକୁ ଲାଗିଲା । ଏହି ୨।୩ ମନିଟ୍‍ କୌଣସି ପ୍ରକାରେ ସମ୍ଭାଳି ନେଲେ ଜିତାପଟ ତାଙ୍କର । ସେଥିଲାଗି ୧୧ ଜଣ ଯାକ ଖେଳାଳୀ ନିଜ ପେନାଲ୍‍ଟି ଏରିଆ ଭିତରେ ରୁଣ୍ଡ ହୋଇଗଲେ । ରାଣୀହାଟର ଆକ୍ରମଣ ଠିକ୍‍ ସମୁଦ୍ରର ଢେଉ ଭଳି ମାଡ଼ିଆସୁଛି ତୁହାକୁ ତୁହା । ଆଉ ଆସି ପିଟି ହୋଇଯାଉଛି କଲେଜିଏଟ୍‍ର ରକ୍ଷଣଭାଗ ଉପରେ । ଖେଳ ଶେଷ ହେବାକୁ ପ୍ରାୟ ୩୦ ସେକେଣ୍ଡ ବାକି, ହଠାତ୍‍ ଅନିରୁଦ୍ଧ ବଲ୍‍ଧରି ମୁହାଁଇଲା କଲେଜିଏଟ୍‍ର ଗୋଲ୍‍ଆଡ଼କୁ, କି ଅଭୁତ ତାହାର ବେଗ ଏବଂ ବଲ୍‍ କଟାଇ ନେବାର ଭଙ୍ଗି । ସତେ ଯେମିତି ବଲ୍‍ ତା ଗୋଡ଼ ସାଙ୍ଗରେ ଲାଖି ଯାଇଛି । ଜଣ ଜଣ କରି ୩ ଜଣ ପ୍ରତିପକ୍ଷ ଖେଳାଳୀଙ୍କୁ ଏକା କଟାଇ ନେଇ ଯେତେବେଳେ ସେ ଗୋଲ୍‍ ଦେବା ଉପରେ ଠିକ୍‍ ସେତିକିବେଳେ କଲେଜିଏଟ୍‍ ଲେଫ୍‍ଟ ବ୍ୟାକ୍‍ ବଳି ପଛଆଡ଼ୁ ଗୋଡ଼ ଛନ୍ଦି ତାକୁ ପକାଇ ଦେଲା । ଅନିରୁଦ୍ଧ ଓଲଟି ପଡ଼ିବା ମାତ୍ରେ ରେଫରୀ ହୁଇସିଲ୍‍ ବଜାଇଲେ ଗୋଲ୍‍ ଏରିଆ ଭିତରେ ଫାଉଲ୍‍......ପେନାଲ୍‍ଟି ନ ହୋଇ ଉପାୟ ନାହିଁ । ରେଫରୀ ପେନାଲ୍‍ଟି କିକ୍‍ ମାରିବାକୁ ଇଙ୍ଗିତ ଦେଲେ । ଖେଳର ଶେଷ ମୁହୂର୍ତ୍ତରେ ପେନାଲ୍‍ଟି କିକ୍‍–କଲେଜିଏଟ୍‍ ଦଳର ମୁହଁ ଫିକା ପଡ଼ିଗଲା । କିନ୍ତୁ ପେନାଲ୍‍ଟି କିକ୍‍ ମରାଗଲାବେଳକୁ ଖେଳର ନିର୍ଦ୍ଧାରିତ ସମୟ ଶେଷ । କଲେଜିଏଟ୍ ତରଫରୁ ଦେଖଣାହାରିଏ ପାଟି କଲେ ‘‘ଓଭର୍‍....ଓଭର.....।’’ ସେମାନଙ୍କ କଥା ଶୁଣି କେତେଜଣ ଖେଳାଳୀ ପଡ଼ିଆରୁ ବାହାରି ଯିବାକୁ ଉପକ୍ରମ କରନ୍ତେ ରେଫରୀ ଉଭୟ ଦଳର ଖେଳାଳୀଙ୍କୁ ଲକ୍ଷ୍ୟ କରି କହିଲେ, ‘‘ପେନାଲ୍‍ଟି କିକ୍‍ ମରା ଶେଷ ନ ହେବାଯାକେ ଖେଳ ଶେଷ ହେବ ନାହିଁ । ତେଣୁ କେହି ପଡ଼ିଆ ଛାଡ଼ି ଯାଇ ପାରିବେ ନାହିଁ ।’’

 

ଚତୁର୍ଦ୍ଦଶ ନିୟମ–

 

ପେନାଲ୍‍ଟି କିକ୍‍–ଅନିରୁଦ୍ଧ ନିଜେ ପେନାଲ୍‍ଟି କିକ୍‍ ମାରିବାକୁ ତିଆର । ବଲ୍‍ ରଖାଗଲା ପେନାଲ୍‍ଟି କିକ୍‍ ମରାଯିବାର ନିର୍ଦ୍ଦିଷ୍ଟ ସ୍ଥାନରେ । ରେଫରୀ ହୁଇସିଲ୍‍ ବଜାଇବା ପୂର୍ବରୁ ଖେଳାଳୀମାନେ କିଏ କେଉଁଠାରେ ଅଛନ୍ତି ଦେଖିବା ଲାଗି ଅନାଇ ଦେଖନ୍ତି ଯେ କଲେଜିଏଟ୍‍ ଦଳର କେତେଜଣ ଖେଳାଳୀ ପେନାଲ୍‍ଟି ଏରିଆର ସୀମାରେଖା ଉପରେ ଛିଡ଼ା ହୋଇଛନ୍ତି । ତେଣୁ ସେ ସେମାନଙ୍କ ପାଖକୁ ଯାଇ କହିଲେ, ‘‘ଗୋଲ୍‍କ କିପର୍‍ ଏବଂ ପେନାଲ୍‍ଟି କିକ୍‍ ମାରୁଥିବା ଖେଳାଳୀଙ୍କ ଛଡ଼ା ଉଭୟ ଦଳର ଅନ୍ୟ କୌଣସି ଖେଳାଳୀ ପେନାଲ୍‍ଟି ଏରିଆର ସୀମାରେଖା ଉପରେ ଛିଡ଼ା ହୋଇ ପାରିବେ ନାହିଁ । କିକ୍‍ ମରାଯିବା ପର୍ଯ୍ୟନ୍ତ ଗୋଲ୍‍ କିପର୍‍କୁ ଗୋଲ୍‍ ଲାଇନ୍‍ ଉପରେ (ପୋଷ୍ଟ ଭିତରେ) ଆଦୌ ହଲଚଲ ନ ହୋଇ ଛିଡ଼ା ହେବାକୁ ପଡ଼ିବ । ତେଣୁ ଅନ୍ୟମାନେ ପେନାଲ୍‍ଟି ଏରିଆ ବାହାରେ ଯାଇ ଛିଡ଼ା ହେବାକୁ ପଡ଼ିବ । ତେଣୁ ଅନ୍ୟମାନେ ପେନାଲ୍‍ଟି ଏରିଆ ବାହାରେ ଯାଇ ଛିଡ଼ା ହୁଅ ।’’ ଏତକ କହି ସାର୍‍ ନିଜ ସ୍ଥାନକୁ ଯାଇଁ ହୁଇସିଲ୍‍ ବଜାଇଲେ । ହୁଇସିଲ୍‍ ଶୁଣିବା ମାତ୍ରେ ଫକ୍‍ରୁଦ୍ଦୀନ ଗୋଲ୍‍ ଲାଇନ୍ ଛାଡ଼ି ଦୁଇପାଦ ଆଗେଇ ଆସିଲା, ଆଉ ଅନିରୁଦ୍ଧ ଦୌଡ଼ି ଯାଇଁ ଟାଣୁଆ ସଟ୍‍ଟା ମାରିଲା ଏକବାରେ ଗୋଲ୍‍ କିପର୍‍ ସିଧା । ବଲ୍‍ ଫକ୍‍ରୁଦ୍ଦୀନ ଦେହରେ ବାଜି ଫେରି ଆସିବା ମାତ୍ରେ ସାର୍‍ ପୁଣି ହୁଇସିଲ୍‍ ବଜାଇ ଆଉ ଥରେ ପେନାଲ୍‍ଟି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେଲେ । ‘‘ଏ କି ଆଶ୍ଚର୍ଯ୍ୟ କଥା ? ପୁଣି କାହିଁକି ପେନାଲ୍‍ଟି କିକ୍‍ ମରାଯିବ ?’’ କଲେଜିଏଟ୍‍ର ସମର୍ଥନକାରୀମାନଙ୍କ ଆଡ଼ୁ ଏଭଳି ପ୍ରଶ୍ନମାନ ପଚରାଗଲା । ଅନିରୁଦ୍ଧ ମଧ୍ୟ ବୋକା ଭଳି ଛିଡ଼ା ହୋଇଗଲା । ସାର୍‍ କିନ୍ତୁ ସିଧା ଫକରୁଦ୍ଦୀନ ପାଖକୁ ଯାଇଁ କହିଲେ କିକ୍‍ ନ ମରାଯିବା ପର୍ଯ୍ୟନ୍ତ ତୁମେ ହଲଚଲ ହୋଇପାରିବ ନାହିଁ କି ଗୋଲ୍‍ ଲାଇନ୍‍ ଛାଡ଼ି ଯାଇପାରିବ ନାହିଁ । ଏଥର ଅନିରୁଦ୍ଧ କିକ୍‍ ମାରିବା ପୂର୍ବରୁ ତୁମେ ଗୋଲ୍‍ ଲାଇନ୍‍ ଛାଡ଼ି ଆଗେଇ ଆସିଥିଲ । ସେପରି କରିବ ନାହିଁ–ତାହା ନିୟମବିରୁଦ୍ଧ । ଏଥର ଯଦି ଅନିରୁଦ୍ଧର କିକ୍‍ରୁ ବଲ୍‍ ଗୋଲ୍‍ ରେ ପ୍ରବେଶ କରିଥାଆନ୍ତା, ତାହାହେଲେ ତାହା ଗୋଲ ବୋଲି ଧରା ଯାଇଥାନ୍ତା । ଆଉ ଯେତେବେଳେ ଗୋଲ୍‍ ନ ହୋଇଛି ସେତେବେଳେ ତୁମ ଦୋଷ ପାଇଁ ଆଉ ଥରେ କିକ୍‍ ମରାଯିବ-। ପ୍ରସ୍ତୁତ ରହ । ଏତକ କହି ସାର୍‍ ନିଜ ସ୍ଥାନକୁ ଗଲେ ଏବଂ ଅନିରୁଦ୍ଧ ଅନିରୁଦ୍ଧ ଆଉ ଥରେ କିକ୍‍ ମାରିବାକୁ ତିଆରି ହେଲା । ହୁଉସିଲ୍‍ ବାଜିଲା ଫୁର୍‍ର....। ଅନିରୁଦ୍ଧର କିକ୍‍ ଏଥର ଲକ୍ଷ୍ୟଭ୍ରଷ୍ଟ ହେଲା । ବଲ୍‍ ପୋଷ୍ଟ ଡାହାଣ ପଟ କୋଣ ଭିତରେ ଯିବା ପରିବର୍ତ୍ତେ ବାହରକୁ ଚାଲିଗଲା । କିନ୍ତୁ ବଲ୍ ଆଉଟ୍‍ ହେବା ପୂର୍ବରୁ ରେଫରୀଙ୍କ ହୁଇସିଲ୍‍ ବାଜିଲା । ପୁଣି ହୁଇସିଲ୍‍–କଥା କଅଣ ? କେହି କିଛି ବୁଝିପାରିଲେ ନାହିଁ । ଖେଳାଳୀମାନେ ପ୍ରଶ୍ନ ପଚାରିବା ପୂର୍ବରୁ ସାର୍‍ କହିଲେ, ‘‘ଅନିରୁଦ୍ଧ କିକ୍‍ ନ କରୁଣୁ ରଜାକ୍‍ ପେନାଲ୍‍ଟି ଏରିଆ ଭିତରକୁ ପଶି ଆସିଥିଲା । ତେଣୁ ଆଉ ଥରେ ପେନାଲ୍‍ଟି କିକ୍‍ ମରାଯିବ ।’’

 

ତୃତୀୟ ଥର କିକ୍‍ ର ଅନିରୁଦ୍ଧର କୌଣସି ଭୁଲ୍‍ ହେଲା ନାହିଁ । ତାହାର ଟାଣୁଆ ସଟ୍‍ ଅଟକାଇବା ଏକବାରେ ଅସମ୍ଭବ । ବଲ୍‍ ପୋଷ୍ଟ ଭିତରେ ପଶିବା ମାତ୍ରେ ରେଫରୀ ଖେଳ ଶେଷ ସୂଚାଇ ଲମ୍ୱା ହୁଇସିଲ୍‍ ବଜାଇଲେ ।

 

ସାର୍‍ ଫେରିପଡ଼ି ପଡ଼ିଆ ବାହାରକୁ ଯିବାକୁ ବସିଲା ବେଳେ ରାଣୀହାଟ ସେଣ୍ଟର ହାଫ୍‍ ହରିଶ ଦୌଡ଼ିଆସି ପଚାରିଲା । ‘‘ସାର୍‍, ଗୋଲ୍‍ ହେଲା ନା ନାହିଁ ?’’

 

ସାର୍‍–‘‘ଏ ପ୍ରଶ୍ନର ଅର୍ଥ ?’’

 

ହରିଶ୍‍–ଗୋଲ୍‍ ହେଲାକ୍ଷଣି ତ ପୁଣି ସେଣ୍ଟର ହେବା କଥା । କିକ୍‍ ଅଫ୍‍ ନ ହେଲାଯାକେ ଏ ଗୋଲ୍‍ କେମିତି ଧରାଯିବ ?’’

 

ସାର୍‍–କିଏ ତୁମକୁ କହିଲା ଯେ କିକ୍‍ ଅଫ୍‍ ନ ହେବାଯାକେ ଗୋଲ୍‍ ନିୟମ ସିଦ୍ଧ ହେବ ନାହିଁ ? ପେନାଲ୍‍ଟି କିକ୍‍ ର ନିୟମ କଅଣ କହେ ଜାଣ ?–ଖେଳର ଶେଷ ମୁହୂର୍ତ୍ତରେ ଯଦି ପେନାଲ୍‍ଟି କିକ୍‍ ଦିଆଯାଏ ତେବେ ସେ କିକ୍‍ ମରାଯିବା ଲାଗି ଯେତିକି ଅଧିକ ସମୟ ଦରକାର ତାହା ଦିଆଯାଇ ପେନାଲ୍‍ଟି କିକ୍‍ କରାଇବାକୁ ହେବ । କିକ୍‍ ଶେଷ ହେବାମାତ୍ରେ ଖେଳ ଶେଷ ହେବ । ଏହା ବୋଲି ପେନାଲ୍‍ଟି କିକ୍‍ରୁ ଗୋଲ୍‍ ହେଲାକ୍ଷଣି କିକ୍‍ ଅଫ କରିବାକୁ ପଡ଼ିବ ସେମିତି କିଛି କଥା ନାହିଁ । ଅନିରୁଦ୍ଧ ଯେଉଁ ଗୋଲ୍‍ ଦେଲା ତାହା ନିୟମସିଦ୍ଧ ଏବଂ ନିଶ୍ଚୟ କାମଏ ରହିବ । ଆଜି ଖେଳରେ ଉଭୟ ଦଳ ପରସ୍ପରକୁ ତିନିଟି ଲେଖାଏଁ ଗୋଲ୍‍ ଦେବା ଯୋଗୁଁ ଖେଳ ଅମୀମାଂସିତ ଅର୍ଥାତ୍‍ ଡ୍ରନ୍‍ ରହିଲା....।’’

 

ସାରଙ୍କ କଥା ଶେଷ ନ ହେଉଣୁ ରଜାକ୍‍ ବାହାରି ପଡ଼ି ପଚାରିଲା ‘‘ସାର, ଅନିରୁଦ୍ଧ ଦ୍ୱିତୀୟ ଥର ପେନାଲ୍‍ଟି କିକ୍‍ ମାରିବା ବେଳକୁ ମୁଁ ପେନାଲ୍‍ଟି ଏରିଆ ଭିତରକୁ ପଶି ଯାଇଥିଲି ବୋଲି ଆପଣ ଆଉ ଥରେ କିକ୍‍ ମାରିବାକୁ ନିର୍ଦ୍ଦେଶ ଦେଲେ । କିନ୍ତୁ ଶେଷଥର କିକ୍‍ କରାଗଲା ବେଳେ ବୁଲା ତ ପେନାଲ୍‍ଟି ଏରିଆ ଭିତରକୁ ପଶି ଯାଇଥିଲା, କିନ୍ତୁ ନିୟମ ତ ସେଇଆ–ମୁଁ କଅଣ କରିବି ? ଆଚ୍ଛା ଏହିକ୍ଷଣି ପେନାଲ୍‍ଟି କିକ୍‍ ସମ୍ପର୍କୀୟ ନିୟମ କହୁଛି ସେସବୁ ଶୁଣିଲେ ତୁମ୍ଭମାନଙ୍କର ସନ୍ଦେହ ଦୂର ହେବ । ଫୁଟବଲ୍‍ ଖେଳର ଚତୁର୍ଦ୍ଦଶ ନିୟମରେ ପେନାଲ୍‍ଟି କିକ୍‍ କଥା କୁହାଯାଇଛି ।

 

ଚତୁର୍ଦ୍ଦଶ ନିୟମ–

 

କେଉଁ ତ୍ରୁଟି ଯୋଗୁ ପେନାଲ୍‍ଟି କିକ୍‍ ମରାଯାଏ ସେ ବିଷୟରେ ତୁମ୍ଭମାନଙ୍କର ତ କିଛି ଧାରଣା ଅଛି । ବର୍ତ୍ତମାନ ମୂଳ ନିୟମଟି କହେ ।

 

୧) ପେନାଲ୍‍ଟି କିକ୍‍ ଲାଗି ନିର୍ଦ୍ଦିଷ୍ଟ ସ୍ଥାନରୁ ପେନାଲ୍‍ଟି କିକ୍‍ ମରାଯିବ । କିକ୍‍ ମରାଯିବା ପୂର୍ବରୁ ବଲ୍‍କୁ ସେହି ସ୍ଥାନରେ ନିଶ୍ଚଳଭାବେ ରଖାଯିବ ।

 

୨) ପେନାଲ୍‍ଟି କିକ୍‍ ମରାଗଲାବେଳେ ପେନାଲ୍‍ଟି କିକ୍‍ ମାରୁଥିବା ଖେଳାଳୀ ଏବଂ ବିପକ୍ଷର ଗୋଲ୍‍ କିପରଙ୍କ ଛଡ଼ା ଅନ୍ୟ ଖେଳାଳୀମାନେ ପଡ଼ିଆ ଭିତରେ କିନ୍ତୁ ପେନାଲ୍‍ଟି ଏରିଆ ବାହାରେ ଏବଂ ପେନାଲ୍‍ଟି କିକ୍‍ ଲାଗି ନିର୍ଦ୍ଦିଷ୍ଟ ସ୍ଥାନଠାରୁ ଅନ୍ତତଃ ୧୦ଗଜ ଦୂରରେ ରହିବେ ।

 

୩) ଯେତେବେଳ ପର୍ଯ୍ୟନ୍ତ କିକ୍‍ ମରା ନ ଯାଇଛି ସେତେବେଳେ ପର୍ଯ୍ୟନ୍ତ ବିପକ୍ଷର ଗୋଲ୍‍ କିପର୍‍ ନିଜ ଗୋଲ୍‍ ପୋଷ୍ଟ ମଧ୍ୟସ୍ଥ ଗୋଲ୍‍ ଳାଇନ୍‍ ଉପରେ ନିଶ୍ଚଳଭାବେ ଛିଡ଼ା ହୋଇ ରହିବେ ।

୪) ପେନାଲ୍‍ଟି କିକ୍‍କାରୀଙ୍କୁ ନିଜର ସାମନାପଟକୁ (ଅର୍ଥାତ୍‍ ବିପକ୍ଷର ଗୋଲ୍‍ ଆଡ଼କୁ) କିକ୍‍ ମାରିବାକୁ ପଡ଼ିବ ଏବଂ କିକ୍‍ କଲାପରେ ବଲ୍‍କୁ ଅନ୍ୟ ଜଣେ ଖେଳାଳୀ ନ ଖେଳିଲା ପର୍ଯ୍ୟନ୍ତ ସେ ତାହାକୁ ଦ୍ୱତୀୟ ଥର ସ୍ପର୍ଶ କରି ପାରିବେ ନାହିଁ ।

 

୫) କିକ୍‍କରିବା ସଙ୍ଗେ ବଲ୍‍ଟି ଖେଳ ମଧ୍ୟରେ ବୋଲି ବିବେଚିତ ହେବ ଅର୍ଥାତ୍‍ ବଲ୍‍ ଯେତେବେଳେ ତାହାର ଗୋଲେଇର ସମାନ ଦୂରତ୍ୱ ସାମନାକୁ ଆଗେଇଯିବ, ସେତେବେଳେ ତାହା ଖେଳ ମଧ୍ୟରେ ବୋଲି ଧରାଯିବ ।

 

୬) ପେନାଲ୍‍ଟି କିକ୍‍ରୁ ସିଧାସଳଖ ଗୋଲ୍‍ ହେବ ।

 

୭) ପ୍ରଥମାର୍ଦ୍ଧ ବା ଦ୍ୱିତୀୟାର୍ଦ୍ଧର ଶେଷ ମୁହୂର୍ତ୍ତରେ ପେନାଲ୍‍ଟି କିକ୍‍ ମାରିବାକୁ ପଡ଼ିଲେ, ସେଥିଲାଗି ଯେତିକି ଅଧିକା ସମୟ ଦରକାର ତାହା ଦିଆଯାଇ ପେନାଲ୍‍ଟି କିକ୍‍ ମରାଯିବ । ନିର୍ଭୁଲଭାବେ ପେନାଲ୍‍ଟି କିକ୍‍ ମରାଯିବା ପରେ ସେହି ଅର୍ଦ୍ଧର ଖେଳ ଶେଷ ହେବ ।

 

୮) ରକ୍ଷଣକାରୀ ଦଳ ଅର୍ଥାତ୍‍ ଯେଉଁ ଦଳ ବିରୁଦ୍ଧରେ ପେନାଲ୍‍ଟି କିକ୍‍ ଦିଆଯାଇଛି, ସେହି ଦଳର କୌଣସି ଖେଳାଳୀ ନିୟମଭଙ୍ଗ କଲେ ଯଦି ପେନାଲ୍‍ଟି କିକ୍‍ରୁ ଗୋଲ୍‍ ନ ହୋଇଥାଏ ତାହାହେଲେ ପୁଣି ପେନାଲ୍‍ଟି କିକ୍‍ କରାଯିବ; କିନ୍ତୁ ଗୋଲ୍‍ ହୋଇଥିଲେ ତାହା କାଏମ ରହିବ ।

 

୯) ପେନାଲ୍‍ଟି କିକ୍‍କାରୀଙ୍କ ଛଡ଼ା ଆକ୍ରମଣକାରୀ ଦଳର କୌଣସି ଖେଳାଳୀ ପେନାଲ୍‍ଟି କିକ୍‍ ମରାଗଲାବେଳେ ଯଦି ନିୟମଭଙ୍ଗ କରନ୍ତି ତାହାହେଲେ ଗୋଲ୍‍ ହୋଇଥିଲେ ହେଁ ସେ ଗୋଲ୍‍ ଧରାଯିବ ନାହିଁ ଏବଂ ପୁଣି କିକ୍‍ ମରାଯିବ ।

 

୧୦) ଯେଉଁ ଖେଳାଳୀ ପେନାଲ୍‍ଟି କିକ୍‍ ମାରୁଛନ୍ତି ସେ ଯଦି ନିୟମଭଙ୍ଗ କରନ୍ତି, ତେବେ ଯେଉଁ ସ୍ଥାନରେ ସେ ନିୟମଭଙ୍ଗ କଲେ ସେହି ସ୍ଥାନରୁ ପ୍ରତିପକ୍ଷର ଜଣେ ଖେଳାଳୀ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବେ ।

 

ଏସବୁ ହେଲା ମୂଳ ନିୟମ କଥା । ବର୍ତ୍ତମାନ ଏ ସମ୍ପର୍କରେ ଆନ୍ତର୍ଜାତିକ ଫୁଟବଲ ସଂସ୍ଥା ଫିଫାର ସିଦ୍ଧାନ୍ତ କଅଣ ଶୁଣ ।

 

୧) ପେନାଲ୍‍ଟି କିକ୍‍ ବେଳେ ଖେଳାଳୀମାନେ ଆଇନର ବିଧାନ ଅନୁଯାୟୀ ନିଜ ନିଜ ସ୍ଥାନକୁ ନ ଯିବା ପର୍ଯ୍ୟନ୍ତ ରେଫରୀ କିକ୍‍ ମାରିବାକୁ ସଙ୍କେତ ଦେବେ ନାହିଁ ।

 

୨) କିକ୍‍ ମାରିବାକୁ ସଙ୍କେତ ଦେବା ପରେ ରେଫରୀ ଯଦି ଦେଖନ୍ତି ଯେ ଗୋଲ୍‍ କିପର ତାଙ୍କ ନିଜ ସ୍ଥାନରେ ଅର୍ଥାତ୍‍ ଗୋଲ୍‍ ଲାଇନ୍‍ ଉପରେ ଛିଡ଼ା ହୋଇ ନାହାନ୍ତି ତେବେ ସେ ଗୋଲ୍‍ କିପର୍‍ର ଦୋଷ ଲାଗି କେବେହେଲେ ହୁଇସିଲ୍‍ ବଜାଇବ ନାହିଁ । ସେଭଳି କ୍ଷେତ୍ରରେ ସେ ପେନାଲ୍‍ଟି କିକ୍‍ର ଫଳାଫଳକକୁ ଅପେକ୍ଷା କରିବେ । ଯଦି ଫଳାଫଳ ଗୋଲ୍‍ ହୁଏ; ତେବେ ସେ ଗୋଲ୍‍ କାଏମ ରଖିବେ । ଯଦି ଗୋଲ୍‍ ନ ହୁଏ, ତେବେ ଗୋଲ୍‍-କିପର୍‍ଙ୍କ ଦୋଷ ଲାଗି ପୁଣି ଥରେ କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ । ସେହିପରି ହୁଇସିଲ୍‍ ବାଜିବା ପରେ ଏବଂ ପେନାଲ୍‍ଟି କିକ୍‍ ମରାଯିବା ପୂର୍ବରୁ ଗୋଲ୍‍ କିପର ଯଦି ଗୋଲ୍‍ ଲାଇନ୍‍ ଉପରେ ନିଜ ପାଦ ହଲାନ୍ତି ବା ଏପାଖ ସେପାଖ କରନ୍ତି ଏବଂ ପେନାଲ୍‍ଟି କିକ୍‍ରୁ ଗୋଲ୍‍ ନ ହୁଏ ତେବେ ରେଫରୀ ପୁଣି ଥରେ ପେନାଲ୍‍ଟି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ ।

 

୩) ପେନାଲ୍‍ଟି କିକ୍‍ ମରାଯିବା ପୂର୍ବରୁ ବିପକ୍ଷ ଦଳର (ଯେଉଁ ଦଳ ବିରୁଦ୍ଧରେ ପେନାଲ୍‍ଟି କିକ୍‍ ମରାଯାଉଛି) କୌଣସି ଖେଳାଳୀ ପେନାଲ୍‍ଟି ଏରିଆ ଭିତରକୁ ପଶନ୍ତି, ତେବେ ରେଫରୀ ସେତେବେଳେ କୌଣସି ସଙ୍କେତ ନ ଦେଇ ପେନାଲ୍‍ଟି କିକ୍‍ର ଫଳାଫଳକୁ ଅପେକ୍ଷା କରିବେ । ଯଦି କିକ୍‍ରୁ ବଲ୍‍ ପୋଷ୍ଟ ଭିତରେ ପ୍ରବେଶ କରେ ତାହାହେଲେ ସେ ଗୋଲ୍‍ର ନିର୍ଦ୍ଦେଶ ଦେବେ ।

 

୪) ପେନାଲ୍‍ଟି କିକ୍‍ରୁ ବଲ୍‍ ଖେଳ ମଧ୍ୟରେ ଗଣ୍ୟ ହେବାପୂର୍ବରୁ ପେନାଲ୍‍ଟି କିକ୍‍ଧାରୀଙ୍କ ସ୍ୱପକ୍ଷର କୌଣସି ଖେଳାଳୀ ଯଦି ପେନାଲ୍‍ଟି ଏରିଆ ଭିତରେ ପ୍ରବେଶ କରନ୍ତି, ଏବଂ ସେ କିକ୍‍ରୁ ଯଦି ଗୋଲ୍‍ ହୋଇଥାଏ ତେବେ ସେ ଗୋଲ୍‍ ଧରାଯିବ ନାହିଁ ଏବଂ ରେଫରୀ ପୁଣି ଆଉ ଥରେ ପେନାଲ୍‍ଟି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ । ଯଦି କିକ୍‍ରୁ ବଲ୍‍ ଗୋଲ୍‍ ଲାଇନ୍‍ ଅତିକ୍ରମ କରି ଆଉଟ୍‍ ହୋଇଯାଏ ତେବେ ରେଫରୀ ବିପକ୍ଷ ଦଳକୁ ଗୋଲ୍‍ କିକ୍ ମାରିବାକୁ ନିର୍ଦ୍ଦେଶ ଦେବେ । କିନ୍ତୁ ଯଦି କିକ୍‍ରୁ ବଲ୍‍ ଗୋଲପୋଷ୍ଟ, କ୍ରଶ୍‍ବାର କିମ୍ୱା ଗୋଲ୍‍ କିପରଙ୍କ ଦେହରେ ବାଜି ଖେଳ ପଡ଼ିଆ ଭିତରକୁ ଫେରିଆସେ ତେବେ ରେଫରୀ ଖେଳ ବନ୍ଦ ରଖି ନିୟମଭଙ୍ଗକାରୀ ଖେଳାଳୀକୁ ସତର୍କ କରିଦେବେ । ତା’ପରେ ଯେପରି ଅପରାଧୀ ପକ୍ଷ ସୁବିଧା (Advantage) ନ ପାଏ, ସେଥିପ୍ରତି ଦୃଷ୍ଟି ରଖି ଡ୍ରପ୍‍ ଦେଇ ପୁଣି ଖେଳ ଆରମ୍ଭ କରିବେ । ଏଭଳି କ୍ଷେତ୍ରରେ ରେଫରୀ ‘‘ଆଡ୍‍ଭାଣ୍ଟେଜ’’(Advantage) ନିୟମ ପ୍ରୟୋଗ କରିବେ । ୧୯୬୫ ମସିହାରେ ଏହି ସିଦ୍ଧାନ୍ତର ଆଂଶିକ ପରିବର୍ତ୍ତନ କରାଯାଇଛି । ପରିବର୍ତ୍ତିତ ସିଦ୍ଧାନ୍ତଟି ଏହି ପ୍ରକାର :–

 

ପେନାଲ୍‍ଟି କିକ୍‍ ମରାଗଲାବେଳେ ଯଦି କିକ୍‍ମାରୁଥିବା ଖେଳାଳୀଙ୍କ ଦଳର କୌଣସି ଖେଳାଳୀ ପେନାଲଟି ବିନ୍ଦୁଠାରୁ ୧୦ଗଜ ଦୂରରେ ନ ରହି ପାଖେଇ ଆସନ୍ତି ବା ପେନାଲ୍‍ଟି ଏରିଆ ଭିତରେ ପଶି ଯାଆନ୍ତି ଏବଂ ପେନାଲ୍‍ଟି କିକ୍‍ରୁ ବଲଗୋଲ୍‍ପୋଷ୍ଟ, କ୍ରଶବାର୍‍ବା ଗୋଲ୍‍କିପର୍‍ଙ୍କ ଦେହରେ ବାଜି ଫେରି ଆସିଲାମାତ୍ରେ ତାହାକୁ ଖେଳନ୍ତି, ତେବେ ରେଫରୀ ତତ୍‍କ୍ଷଣାତ୍‍ ନିୟମ ଲଙ୍ଘନକାରୀଙ୍କୁ ଦଣ୍ଡିତ କରିବେ ଏବଂ ଯେଉଁ ସ୍ଥାନରେ ନିୟମ ଲଙ୍ଘନ କରାଗଲା ସେହି ସ୍ଥାନରେ ତାଙ୍କ ଦଳ ବିରୁଦ୍ଧରେ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ପ୍ରତିପକ୍ଷକୁ ନିର୍ଦ୍ଦେଶ ଦେବେ ।

 

୫) ପେନାଲ୍‍ଟି କିକ୍‍ରୁ ବଲ୍‍ ଖେଳ ମଧ୍ୟରେ ବିବେଚିତ ହେବା ପୂର୍ବରୁ ଯଦି ଦୁଇ ପକ୍ଷର ଏକାଧିକ ଖେଳାଳୀ ପେନାଲ୍‍ଟି ଏରିଆ ଭିତରେ ପଶି ଯାଆନ୍ତି ତେବେ ରେଫରୀ ତତ୍‍କ୍ଷଣାତ୍‍ ପୁନରାୟ ପେନାଲ୍‍ଟି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ ।

 

୬) ପ୍ରଥମାର୍ଦ୍ଧ ବା ଦ୍ୱିତୀୟାର୍ଦ୍ଧର ଶେଷ ମୁହୂର୍ତ୍ତରେ ଯଦି ପେନାଲ୍‍ଟି କିକ୍‍ ମରାଯିବାର ଆବଶ୍ୟକତା ଦେଖାଦିଏ, ତେବେ ସେଥିଲାଗି ଯେତିକି ଅଧିକ ସମୟ ଆବଶ୍ୟକ ତାହା ଦେଇ ପେନାଲ୍‍ଟି କିକ୍‍ ମରାଯିବ ଏବଂ ପେନାଲ୍‍ଟି କିକ୍ ଠିକ୍‍ଭାବେ ମରାଯିବା ସଙ୍ଗେ ସଙ୍ଗେ ଖେଳର ସମୟ ଶେଷ ହେବ । ଅର୍ଥାତ୍‍–

 

କ) କିକ୍‍ରୁ ବଲ୍‍ ସିଧାସଳଖ ଗୋଲରେ ପ୍ରବେଶ କଲାକ୍ଷଣି ଗୋଲ୍‍ ଦିଆଯିବ ଏବଂ ଯେଉଁ ମୁହୂର୍ତ୍ତରେ ବଲ ସମ୍ପୂର୍ଣ୍ଣଭାବେ ଗୋଲ୍‍ ଲାଇନ୍‍ ଅତିକ୍ରମ କରିବ ସେହି ମୁହୂର୍ତ୍ତରେ ଖେଳ ଶେଷ ହେବ ।

 

ଖ) କିକ୍‍ରୁ ବଲ୍‍ ଗୋଲ୍‍ପୋଷ୍ଟ ବା କ୍ରଶବାରରେ ବାଜି ଗୋଲ୍‍ ଭିତରେ ପ୍ରବେଶ କଲାକ୍ଷଣି ଗୋଲ୍‍ ଦିଆଯିବ ଏବଂ ଯେଉଁ ମୁହୂର୍ତ୍ତରେ ବଲ୍‍ ସମ୍ପୁର୍ଣ୍ଣଭାବେ ଗୋଲ୍‍ ଲାଇନ୍‍ ଅତିକ୍ରମ କଲା ସେହି ମୁହୂର୍ତ୍ତରେ ଖେଳ ଶେଷ ହେବ ।

 

ଗ) କିକ୍‍ରୁ ବଲ୍‍ଗୋଲ୍‍ପୋଷ୍ଟର ବାହାର ପାଖ ବା କ୍ରଶବାର୍‍ ଉପରବାଟେ ପଡ଼ିଆ ବାହାରକୁ ଚାଲିଗଲାକ୍ଷଣି ଖେଳର ସମୟ ଶେଷ ହେବ ।

 

ଙ) ବଲ୍‍ ଗୋଲ୍‍ କିପର୍‍ର ଦେହରେ ବାଜି ଗୋଲ୍‍ ଭିତରେ ସମ୍ପୂର୍ଣ୍ଣରୂପେ ପ୍ରବେଶ କଲାକ୍ଷଣି ଆଇନ ସମ୍ମତ ଗୋଲ୍‍ ଦିଆଯିବ ଏବଂ ସେହି ମୁହୂର୍ତ୍ତରେ ଖେଳ ଶେଷ ହେବ ।

 

ଚ) ଯଦି ଗୋଲ୍‍ କିପର୍‍ କିକ୍‍ଟାକୁ ଅଟାକାଇ ଦିଅନ୍ତି ତାହାହେଲେ ସେ ଅଟକାଇବାମାତ୍ରେ ରେଫରୀ ଖେଳ ଶେଷ ହେଲା ବୋଲି ହୁଇସିଲ ବଜାଇବେ । ମନେ କରାଯାଉ ରେଫରୀଙ୍କର ହୁଇସିଲ୍‍ ବଜାଇବେ । ମନେ କରାଯାଉ ରେଫରୀଙ୍କର ହୁଇସିଲ୍‍ ବଜାଇବାରେ କିଛି ବିଳମ୍ୱ ହୋଇଛି । ଇତିମଧ୍ୟରେ ଗୋଲ୍‍ କିପର୍‍ ବଲ୍‍ଟିକୁ ଡ୍ରପ୍‍ ଦେବାକୁ ଯାଇ ତରତରରେ ତାହାକୁ ନିଜ ଗୋଲ୍‍ ଲାଇନ୍‍ ଅତିକ୍ରମ କରାନ୍ତି ତାହାହେଲେ ସେଥିରୁ ଗୋଲ୍‍ ଦିଆଯିବ ନାହିଁ କାରଣ ତାହା ପୂର୍ବରୁ ଖେଳର ସମୟ ଶେଷ ହୋଇଯାଇଛି ।

 

ଛ) କିକ୍‍ ହେବା ପରେ ଯଦି କୌଣସି ଦର୍ଶକ ମଝିବାଟରେ ଅଟକାଇ ଦିଅନ୍ତି ତେବେ ପୁଣି ଥରେ ପେନାଲ୍‍ଟି କିକ୍‍ ମରାଯିବ ଏବଂ ସେଥିଲାଗି ଯେତେ ସମୟ ଦରକାର ଦିଆଯିବ ।

ଜ) ପେନାଲ୍‍ଟି କିକ୍‍ ବେଳେ ଯଦି କୌଣସି ଖେଳାଳୀ ନିୟମଭଙ୍ଗ କରନ୍ତି ବା ପେନାଲ୍‍ଟି ଏରିଆ ଭିତରକୁ ପଶି ଆସନ୍ତି ତେବେ ସେ ଦୋଷଲାଗି ପୁଣି ଥରେ ପେନାଲ୍‍ଟି କିକ୍‍ ମରାଯିବ ଏବଂ ସେଥିପାଇଁ ଯେତେ ସମୟ ଆବଶ୍ୟକ ତାହା ଦିଆଯିବ ।

 

ଏହା ହେଲା ପେନାଲ୍‍ଟି କିକ୍‍ ସମ୍ପର୍କୀୟ ନିୟମ । ଏ ବିଷୟରେ ଗୋଟିଏ କଥା ତୁମ୍ଭମାନଙ୍କର ଭଲଭାବେ ମନେ ରଖିବା ଉଚିତ । ତାହାହେଲା ପେନାଲ୍‍ଟି କିକ୍‍ ମରାଗଲାବେଳେ ଯଦି ବପକ୍ଷ ଦଳର କୌଣସି ଖେଳାଳୀ ନିୟମଭଙ୍ଗ କରନ୍ତି ତେବେ ସେ କିକ୍‍ରୁ ଗୋଲ୍‍ ନ ହୋଇଥିଲେ ପୁନରାୟ ପେନାଲ୍‍ଟି କିକ୍‍ ମରାଯିବ । ଆଉ ଯଦି ଗୋଲ୍‍ ହୋଇଥାଏ ତେବେ ବିପକ୍ଷ ଦଳର ଖେଳାଳୀର ତ୍ରୁଟିକୁ ଉପେକ୍ଷା କରି ଗୋଲ୍‍ ଦିଆଯବ । ସେହିଭଳି ଯଦି ଆକ୍ରମଣକାରୀ ଦଳର କୌଣସି ଖେଳାଳୀ ପେନାଲ୍‍ଟି କିକ୍‍ ମରାଗଲାବେଳେ ନିୟମଭଙ୍ଗ କରନ୍ତି ଓ ସେ କିକ୍‍ରୁ ଗୋଲ୍‍ ହୋଇଥାଏ, ତେବେ ରେଫରୀ ସେ ତ୍ରୁଟିକୁ ଉପେକ୍ଷା କରିବେ । ବର୍ତ୍ତମାନ ରଜାକ୍‍ ପ୍ରଶ୍ନର ଉତ୍ତର ଦେଉଛି । ଅନିରୁଦ୍ଧ କିକ୍‍ ମାରିବା ପୂର୍ବରୁ ରଜାକ୍‍ ପେନାଲ୍‍ଟି ଏରିଆ ଭିତରେ ପଶି ଯାଇଥିଲା, ସେଥିପାଇଁ ମୁଁ ହୁଇସିଲ୍‍ ବଜାଇ ଆଉ ଥରେ ପେନାଲ୍‍ଟି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେଲି । କିନ୍ତୁ ତୃତୀୟ ଥର ଅନିରୁଦ୍ଧ କିକ୍‍ ମାରିଲାବେଳେ ବୁଲାର ପେନାଲ୍‍ଟି ଏରିଆ ଭିତରକୁ ପଶିଯିବା ବିଷୟରେ ରଜାକ୍‍ ଯାହା କହୁଛି, ସେଥିରେ ଟିକିଏ ପାର୍ଥକ୍ୟ ରହିଛି । ଅନିରୁଦ୍ଧ କିକ୍‍ ମାରିବା ପରେ ଅର୍ଥାତ୍ ବଲ୍‍ ତା ଗୋଲେଇ ଠାରୁ ଅଧିକ ବାଟ ଆଗେଇ ଗଲା ପରେ ବୁଲା ପେନାଲ୍‍ଟି ଏରିଆ ଭିତରକୁ ପଶିଯାଇଛି । ବୁଲା ଏରିଆ ଭିତରକୁ ପଶି ଗଲାବେଳକୁ ବଲ୍‍ ଖେଳ ମଧ୍ୟରେ ରହିଲାଣି । ତେଣୁ ସେ ତ ବେଆଇନ୍‍ କାମ କରିନାହିଁ । ସେଥିଯୋଗୁଁ ମୁଁ ରାଣୀହାଟ ଦଳକୁ କିପରି ଦଣ୍ଡ ଦିଅନ୍ତି ? ବଲ୍‍ ଖେଳ ମଧ୍ୟରେ ବୋଲି ଗଣ୍ୟ ହେବା ଆଗରୁ ଯଦି ବୁଲା ପେନାଲ୍‍ଟି ଏରିଆ ଭିତରେ ପଶିଥାଆନ୍ତା ତେବେ ଏ ଗୋଲ୍‍ ନାକଚ ହୋଇଥାଆନ୍ତା ଏବଂ ପୁଣି ପେନାଲ୍‍ଟି କିକ୍‍ ମରାଯାଇଥାନ୍ତା । କଅଣ ରଜାକ୍‍ ! ବିଷୟଟି ବୁଝିଲ ତ ?

 

ଆଚ୍ଛା, ନିୟମର ଆଲୋଚନା ଏହିକ୍ଷଣି ଏତିକିରେ ରହୁ । ତୁମ୍ଭେମାନେ ୟୁନିଫର୍ମ ବଦଳାଇ ମୁହଁ ହାତ ଧୋଇ ପକାଅ । କୁସୁନ ତୁମ୍ଭମାନଙ୍କୁ ଲେମୋନେଡ୍‍ପିଇବାକୁ ଦେବ । ଲେମୋନେଡ୍‍ ପିଇସାରି ପଡ଼ିଆରେ ତୁମ୍ଭମାନେ ବସ, ମୁଁ ଲୁଗାପଟା ବଦଳାଇ ଆସୁଛି । ତାପରେ ଏକାଠି ବସି ଆଜି ଖେଳରେ ଯାହା ସବୁ ଘଟିଲା ସେ ସବୁର ଆଲୋଚନା କରିବା । ସେତେବେଳେ ତୁମ୍ଭମାନଙ୍କୁ ଯାହା ପଚାରିବାର ଅଛି, ପଚାରିବ । ମୁଁ ତାହାର ଉତ୍ତର ଦେବାକୁ ଚେଷ୍ଟା କରିବି ।’’ ଏତକ କହି ସାର୍‍ ପଡ଼ିଆରୁ ବାହାରିଗଲେ ।

 

କୁସୁନିଆ ଉଭୟ ଦଳର ଖେଳାଳୀଙ୍କୁ ରୁଣ୍ଡ କରାଇ ସେମାନଙ୍କ ଠାରୁ ୟୁନିଫର୍ମ ବୁଝିନେଲା ଏବଂ ଲୋମୋନେଡ୍‍ ପିଇବାକୁ ଦେଲା ।

Image

 

ପଞ୍ଚମ ଅଧ୍ୟାୟ

 

କିଛି ସମୟପରେ ସାର୍‍ ପୋଷାକପତ୍ର ବଦଳାଇ ପଡ଼ିଆ ପାଖକୁ ଆସି ଦେଖନ୍ତି ଯେ ପଡ଼ିଆ ମଝିରେ ଉଭୟ ପକ୍ଷର ଖେଳାଳୀ ଓ ଦେଖଣାହାରୀଙ୍କର ଗୋଟିଏ ବଡ଼ ଦଳ ବସି ଘମାଘୋଟ ଆଲୋଚନା ଚଳାଇଛନ୍ତି । ତିନି ଚାରିଜଣ କୁସୁନିଆ ସଙ୍ଗେ ଥଟ୍ଟାତାମସା କରିବାରେ ବ୍ୟସ୍ତ । ସାରଙ୍କୁ ଦେଖି ସମସ୍ତେ ତୁନି ପଡ଼ିଲେ; କୁସୁନିଆ ଦୁଇ ହାତରେ ଦୁଇଟି ଲେମୋନେଡ୍‍ ବୋତଲ ଧରି ସାର୍‍ଙ୍କ ପାଖକୁ ଦୌଡ଼ି ଆସିଲା । ସାର୍‍ ଯାଇଁ ବସିଲେ ପିଲାଙ୍କ ମଝିରେ । ଖେଳର ଫଳାଫଳରେ ଉଭୟ ଦଳ ଯେ ଏକ ପ୍ରକାର ସନ୍ତୁଷ୍ଟ ତାହା ସେମାନଙ୍କର ଭାବଭଙ୍ଗିରୁ ଜଣା ପଡ଼ୁଥିଲା । ସାର୍ ଆରମ୍ଭ କଲେ :–

 

‘‘ଆଜି ତ ପିଲାଏ ମୋର ବହୁତ ଶ୍ରାଦ୍ଧ କରିଛି–ନୁହଁ ? କଲେଜିଏଟ୍‍ ପିଲାଏ ତ ବେଶୀ । ଖେଳାଳୀଙ୍କର ଦୋଷତୃଟିଠାରୁ ମୋ ଦୋଷତ୍ରୁଟି ଅଧିକ ବୋଲି ଅନେକଙ୍କର ଧାରଣା । କଅଣ ଠିକ୍‍ନା ? ତାହା ହେଲେ ଏହିକ୍ଷଣି ସେ ଦୋଷତ୍ରୁଟିଗୁଡ଼ିକ ଆଲୋଚନା କରାଯାଉ । ଆଚ୍ଛା, କେଉଁଠୁ ଆରମ୍ଭ କରିବା କହିଲ–ଖେଳ ଆରମ୍ଭରୁ ନା କେବଳ ଦୋଷତ୍ରୁଟି ଗୁଡ଼ାକ ?’’

 

‘‘ସାର୍‍; ମୂଳରୁ ଆଲୋଚନା ହେଉ’’–ପ୍ରାୟ ସମସ୍ତେ ସମସ୍ୱରରେ କହିଲେ ।

 

‘‘ଭଲ କଥା; କିନ୍ତୁ ଟିକିନିଖି ଆଲୋଚନା କରି ବସିଲେ ତ ରାତି ପାହିଯିବ । ତା’ଠାରୁ ଦୋଷତ୍ରୁଟି ଗୁଡ଼ାକ ଆଲୋଚନା କଲେ ଭଲ ହେବ । ଆଜି ଖେଳରେ ଗୋଟିଏ କଥା ଲକ୍ଷ୍ୟ କରି ଦେଖିଲି ଯେ ଖେଳର କେତେଗୁଡ଼ିଏ ପ୍ରଧାନ ବିଷୟ ଯେମିତି ଅଫ୍‍ସାଇଡ୍‍, ଫଉଲ୍‍, ଡାଇରେକ୍ଟ ଓ ଇନ୍‍ଡାଇରେକ୍ଟ ଫ୍ରି କିକ୍‍, ଥ୍ରୋ ଇନ୍‍ ହ୍ୟାଣ୍ଡବଲ୍‍ ଇତ୍ୟାଦି ବିଷୟରେ ତୁମ୍ଭମାନଙ୍କର ଧାରଣା ନାହିଁ । ସେଥିଲାଗି ମୋର ଅନେକ ନିଷ୍ପତ୍ତି ତୁମ୍ଭମାନଙ୍କର ଧାରଣା ନାହିଁ । ସେଥିଲାଗି ମୋର ଅନେକ ନିଷ୍ପତ୍ତି ତୁମ୍ଭମାନଙ୍କ ମନକୁ ପାଇନାହିଁ । ତେଣୁ ସେହି ବିଷୟ ଗୁଡ଼ିକ ପ୍ରଥମେ କହେ ।’’

 

ସାର୍‍ଙ୍କ କଥା ଶେଷ ନ ହେଉଣୁ ନରସିଂହ ହଠାତ୍‍ ମଝିରେ ପଡ଼ି କହିଲା, ‘‘ସାର୍‍ ସେ ସବୁ ବିଷୟ ଆଲୋଚନା କରିବା ଆଗରୁ ଖେଳର ପ୍ରଥମ ୫ ମିନିଟ୍‍ ଭିତରେ ବସନ୍ତ କର୍ଣ୍ଣାର୍‍କିକ୍‍ରୁ ଯେଉଁ ଗୋଲ୍‍ ଦେଇଥିଲା ତାକୁ କାହିଁକି ନାକଚ କଲେ କହନ୍ତୁ ।’’ ସାର୍‍ ନରସିଂହ ପ୍ରଶ୍ନର ଉତ୍ତର ଦେବାକୁ ଯାଉଛନ୍ତି, କଲେଜିଏଟ୍‍ର କୃତ୍ତିବାସ ପଚାରିଲା, ‘‘ସାର୍‍, ଦ୍ୱିତୀୟାର୍ଦ୍ଧରେ ଆପଣ ଖେଳର ନିୟମ ବୁଝାଇବାକୁ ଯାଇଁ ଯେଉଁ ସମୟ ନଷ୍ଟ ହୋଇଥିଲା, ତାହା ତ କାହିଁକି ଖେଳ ପରେ ଅଲଗା କରିଦେଲେ ନାହିଁ ?’’

 

ସାର କହିଲେ, ‘‘ରହ, ରହ, ଏକାଠି ସମସ୍ତେ ପ୍ରଶ୍ନ ପଚାରିଲେ ମୁଁ କେମିତି ଉତ୍ତର ଦେବି । ଜଣ ଜଣ କରି ପ୍ରଶ୍ନ ପଚାର । ପ୍ରଥମେ କୃତ୍ତବାସର ପ୍ରଶ୍ନର ଉତ୍ତର ଦେଉଛି । ଖେଳର ନିୟମ ବୁଝାଇବା ଲାଗି ଯେଉଁ ସମୟ ନଷ୍ଟ ହୋଇଥିଲା, ତାହା ମୁଁ ଦ୍ୱିତୀୟାର୍ଦ୍ଧର ଖେଳ ସଙ୍ଗେ ଯୋଗ କରିନାହିଁ ବୋଲି କିଏ କହିଲା ? ସେଥିଲାଗି ୭ ମିନିଟ୍‍ ଅଧିକ ସମୟ ଦ୍ୱିତୀୟାର୍ଦ୍ଧରେ ଖେଳା ଯାଇଛି । କେତେ ସମୟ ନଷ୍ଟ ହୋଇଛି ତାହାର ଏକମାତ୍ର ବିଚାରକ ରେଫରୀ । ସେଥିରେ ଖେଳାଳୀମାନଙ୍କର କିଛି କହିବାର ନାହିଁ ଏବଂ ସେ କଥା ରେଫରୀ ଖେଳାଳୀମାନଙ୍କୁ ଜଣାଇବାକୁ ବାଧ୍ୟ ନୁହନ୍ତି । ତା ସତ୍ତ୍ୱେ ଦ୍ୱିତୀୟାର୍ଦ୍ଧରେ କେତେ ମିନିଟ୍‍ ଅଧିକ ଖେଳ ହେବ ସେ କଥା ମୁଁ ଦୁଇ ଦଳର କ୍ୟାପଟେନ୍‍କୁ ଜଣାଇ ଦେଇଥିଲି । କୃତ୍ତିବାସ ଯଦି ମନେ କରିଥାଏ ଯେ ଦ୍ୱିତୀୟାର୍ଦ୍ଧର ସମୟ ପରେ ପୁଣି କିକ୍‍ ଅଫ୍‍ କରାଯାଇ ଏହି ୭ ମିନିଟ୍‍ ଅଧିକ ଖେଳ ହୋଇଥାନ୍ତା ତେବେ କହିବି ଯେ ତାହାର ସେ ଧାରଣା ଭୁଲ । କେବଳ ଅତିରିକ୍ତ ସମୟର ଖେଳ ସେପରି ହୋଇଥାଏ । ବର୍ତ୍ତମାନ ନରସିଂହ ଯେଉଁ ପ୍ରଶ୍ନ କରିଛି, ତାହାର ଉତ୍ତର ଦିଏ । ହଁ, ବସନ୍ତ ଭାରି ସୁନ୍ଦର କର୍ଣ୍ଣାର୍‍କିକ୍‍ ମାରିଥିଲା, କିନ୍ତୁ ଗୋଲ୍‍ ଦେବା ବିଷୟରେ ବସନ୍ତର କରାମତି ଠାରୁ ପବନର କାରିଗରୀ ବେଶୀ । ବସନ୍ତର କିକ୍‍ ପବନ ଯୋଗୁଁ କିଛିକ୍ଷଣ ପାଇଁ ଗୋଲ୍‍ ଲାଇନ୍‍ ଅତିକ୍ରମ କରି ପଡ଼ିଆ ବାହାରକୁ ଯାଇ ତା’ପରେ ଅଭୁତଭାବେ ବୁଲିଆସି ଗୋଲ୍‍ ପୋଷ୍ଟ ଭିତରେ ପଶି ଯାଇଥିଲା । ବଲ୍‍ ଯେତେବେଳେ ପୋଷ୍ଟ ଭିତରେ ପଶିଛି, ସେତେବେଳେ ଗୋଲ୍‍ ଦେବା ଉଚିତ୍‍ ବୋଲି ତୁମ୍ଭମାନଙ୍କର ଧାରଣା । କିନ୍ତୁ ଏଠାରେ ଗୋଲ୍‍ ହେବାର ପ୍ରଣାଳୀ ବିଷୟରେ ନିୟମ କଅଣ କହେ ଜାଣ ? ନିୟମ କହେ :–

 

ଦଶମ ନିୟମ–

 

ଖେଳର କୌଣସି ନିୟମ ଭଙ୍ଗ ନ କରି ଓ ପଡ଼ିଆ ଭିତରେ ଥାଇ ବଲ୍‍ ଯେତେବେଳେ ଦୁଇ ଗୋଲ୍‍ ପୋଷ୍ଟର ମଧ୍ୟଦେଇ ଏବଂ କ୍ରସବାରର ତଳବାଟେ ମାଟିରେ ଗଡ଼ି ବା ଶୂନ୍ୟରେ ଥାଇ ଗୋଲ ଲାଇନ୍‍କୁ ସମ୍ପୁର୍ଣ୍ଣଭାବେ ଅତିକ୍ରମ କରେ, ସେତେବେଳେ ଗୋଲ୍‍ ହେବ । ଏଠାରେ ନିୟମ ଭଙ୍ଗ ନ କରିବା କଥା ବୁଝାଇବା ଆବଶ୍ୟକ । ବଲ୍‍କୁ ଗୋଡ଼ରେ ମାରି, ମୁଣ୍ଡ ସାହାଯ୍ୟରେ ହେଡ୍‍କରି, ଛାତି, କାନ୍ଧ, ପେଟ ବା ଜଙ୍ଘ ସାହାଯ୍ୟରେ ଠେଲି ଯଦି ଗୋଲ୍‍ ପୋଷ୍ଟ ମଧ୍ୟସ୍ଥ ଗୋଲ୍‍ ଲାଇନ୍‍କୁ ଡିଆଁଇ ଦିଆଯାଏ, ତେବେ ସେଥିରୁ ଗୋଲ୍‍ ହେବ । କିନ୍ତୁ ଯଦି ଆକ୍ରମଣକାରୀ ଦଳର କୌଣସି ଖେଳାଳୀ ଜାଣିଶୁଣି ହାତରେ ମାରି କିମ୍ୱା ଅଫ୍‍ସାଇଡ୍‍ ଅବସ୍ଥାନରୁ ଥାଇ ବଲ୍‍କୁ ଉପରୋକ୍ତଭାବେ ସମ୍ପର୍ଣ୍ଣରୂପେ ଗୋଲ୍‍ ଲାଇନ୍‍ ଡିଆଇଁ ଦିଏ, ତେବେ ବଲ୍‍ ହାତରେ ମରାଯାଇଥିଲେ ଯେଉଁ ସ୍ଥାନରୁ ବଲ୍‍କୁ ହାତରେ ମରାଯାଇଛି ସେହି ସ୍ଥାନରୁ ରକ୍ଷଣକାରୀ ଦଳ ଗୋଟିଏ ଡାଇରେକ୍ଟ ଫ୍ରି କିକ୍‍ ମାରିବେ । ସେହିଭଳି ଅଫ୍‍ସାଇଡ୍‍ ପୋଜିସନ୍‍ରୁ ଗୋଲ୍‍ ଦିଆଯାଇଥିଲେ ଏବଂ ଏହି ଅଫ୍‍ସାଇଡ୍‍ ଧରାଯାଇଥିଲେ, ଅଫ୍‍ସାଇଡ୍‍ ହୋଇଥିବା ସ୍ଥାନରୁ ରକ୍ଷଣକାରୀ ଦଳ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବେ । ହାତରେ ମାରି ବା ଫିଙ୍ଗି ଗୋଲ୍‍ ଦେବା ବିଷୟରେ ଗୋଟିଏ ବ୍ୟତିକ୍ରମ ଅଛି । ଯଦି ଗୋଟିଏ ପକ୍ଷରେ ଗୋଲ୍‍ କିପର୍‍ ନିଜ ପେନାଲ୍‍ଟି ଏରିଆ ଭିତରେ ଥାଇ ବଲ୍‍କୁ ହାତରେ ଧରି ଫିଙ୍ଗନ୍ତି ଏବଂ ତାହା ବିପକ୍ଷର ଗୋଲ୍‍ ରେ ଉପରୋକ୍ତଭାବେ ପ୍ରବେଶ କରେ, ତେବେ ସେଥିରୁ ଗୋଲ୍‍ ଦିଆଯିବ । କିକ୍‍ ଅଫ୍‍, ଥ୍ରୋ ଇନ୍‍ ଏବଂ ଗୋଲ୍‍ କିକ୍‍ରୁ ଯେ ସିଧାସଳଖ ଗୋଲ୍‍ ହେବ ନାହିଁ, ସେ କଥା ପୂର୍ବେ କହିଛି । ଖେଳ ଚାଲିଥିବାବେଳେ ଯଦି କୌଣସି କାରଣରୁ କ୍ରଶବାର୍‍ ସ୍ଥାନଚ୍ୟୁତ ହୁଏ ଏବଂ ବଲ୍‍ ଏଭଳି ସ୍ଥାନରେ (ଯେଉଁ ସ୍ଥାନ ରେଫରୀଙ୍କର ବିବେଚନା ଅନୁସାରେ କ୍ରଶବାର୍‍ ଥିଲେ ତା ତଳକୁ ହୁଅନ୍ତା) ଗୋଲ୍‍ଲାଇନ୍‍ ଅତିକ୍ରମ କରେ; ତେବେ ସେ ଗୋଲ୍‍ର ନିର୍ଦ୍ଦେଶ ଦେବେ । ଖେଳର ସମୟ ଭିତରେ ଯେଉଁ ଦଳ ଅଧିକ ଗୋଲ୍‍ ଦବ, ସେହି ଦଳ ଜୟୀ ହେବ । ଯଦି କୌଣସି ଗୋଲ୍‍ ନ ହୁଏ ବା ଉଭୟ ଦଳ ସମାନ ସଂଖ୍ୟକ ଗୋଲ୍‍ ଦିଅନ୍ତି, ତେବେ ଖେଳଟି (Drawn)ଡ୍ରନ୍‍ ବା ଅମୀମାଂସିତ ବୋଲି ଘୋଷିତ ହେବ । ଗୋଲ୍‍ ସମ୍ପର୍କରେ ଆନ୍ତର୍ଜାତିକ ସଂଘର ନିଷ୍ପତ୍ତି କଅଣ ଶୁଣ ।

 

୧) ଗୋଲ୍‍ ଜରିଆରେ ହିଁ ଫୁଟବଲ୍‍ ଖେଳର ଜୟ ପରାଜୟ ବା ଅମୀମାଂସାର ନିଷ୍ପତ୍ତି ହେବ । ଏହାର ବ୍ୟତିକ୍ରମ କରିବାର କ୍ଷମତା କାହାର ନାହିଁ ।

 

୨) ବଲ୍‍ ଗୋଲ୍‍ଲାଇନ୍‍ ଅତିକ୍ରମ କଲାବେଳକୁ ବାହାରର କୌଣସି ଲୋକ, ପ୍ରାଣୀ ବା ଅନ୍ୟ କିଛି ଦ୍ୱାରା ତାହାର ଗତି ବାଧାପ୍ରାପ୍ତ ହେଲେ ସେ କ୍ଷେତ୍ରରେ ଗୋଲ୍‍ର ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ । ସ୍ୱଭାବିକଭାବେ ଖେଳ ଚାଲିଥିଲାବେଳେ ଯଦି ଏଭଳି ଘଟଣା ଘଟେ, ରେଫରୀ ଆଉ ଥରେ ପେନାଲ୍‍ଟି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ ।

 

୩) ବଲ୍‍ ସମ୍ପୂର୍ଣ୍ଣ ଗୋଲ୍‍ ଲାଇନ୍‍ ଅତିକ୍ରମ କରିବା ପୂର୍ବରୁ ଯଦି କୌଣସି ଦର୍ଶକ ପଡ଼ିଆରେ ପଶି ବଲ୍‍ର ଗତିରୋଧ କରିବାକୁ ଚେଷ୍ଟା କରି ବିଫଳ ହୁଏ ଏବଂ ବଲ୍‍ ଗୋଲରେ ପ୍ରବେଶ କରେ, ତେବେ ରେଫରୀ ଗୋଲ୍‍ର ନିର୍ଦ୍ଦେଶ ଦେବେ । କିନ୍ତୁ ଦର୍ଶକ ଯଦି ସେ ବଲ୍‍କୁ ଛୁଏଁ ବା ଖେଳରେ ବାଧା ଉପୁଜାଏ ତେବେ ରେଫରୀ ତତ୍‍କ୍ଷଣାତ୍‍ ଖେଳ ବନ୍ଦ କରି ଯେଉଁ ସ୍ଥାନରେ ଏ ଘଟଣା ଘଟିଲା ସେଠାରେ ଗୋଟିଏ ଡ୍ରପ୍‍ ଦେଇ ଖେଳ ଆରମ୍ଭ କରାଇବେ ।

 

ଗୋଲ୍‍ହେବା ସମ୍ପର୍କରେ ଏହା ହେଲା ନିୟମ ଏବଂ ଫୁଟ୍‍ବଲ୍‍ ଖେଳର ନିୟମ ତାଲିକାରେ ଏହି ନିୟମର ସ୍ଥାନ ହେଲା ଦଶମ (୧୦) ।

 

ଏହି ସମୟରେ କୃତ୍ତିବାସ ପଚାରିଲା, ‘‘ସାର୍‍, ମନେ କରନ୍ତୁ, ବଲ୍‍ ମା ହାତରେ ବାଜି ଆମ ଗୋଲରେ ପଶିଗଲା, ତାହା ହେଲେ କଅଣ ହେବ ?’’

 

ସାର୍‍–ଭଲ ପ୍ରଶ୍ନଟିଏ ପଚାରିଲେ କୃତ୍ତିବାସ । ତୁମ ହାତରେ ବଲ୍‍ ବାଜି ନିଜ ଗୋଲରେ ପଶିଲେ ଗୋଲ୍‍ ହେବ କି ନାହିଁ ତାହା ରେଫରୀ ଆନୁଷଙ୍ଗିକ ଘଟଣାବଳୀ ବିଚାର କରି ନିଷ୍ପତ୍ତି ଦେବେ । ମନେକର ପ୍ରତିପକ୍ଷ ଦଳର ଜଣେ ଖେଳାଳୀଙ୍କ ସଟ୍ ଗୋଲ୍ ଆଡ଼କୁ ଗତି କଲାବେଳେ ତାହା ତୁମ ହାତରେ ବାଜି ଗୋଲ୍‍ ରେ ପଶିଲା, ସେତେବେଳେ ରେଫରୀ ଦେଖିବେ ଯେ, ତୁମ ହାତରେ ବାଜି ନ ଥିଲେ ବଲ୍‍ ଗୋଲ୍‍ ରେ ପ୍ରବେଶ କରି ଥାଆନ୍ତା, ସେତେବେଳେ ରେଫରୀ ‘‘ଆଡ୍‍ଭାଣ୍ଟେଜ୍‍’’ ନିୟମ ପ୍ରୟୋଗ କରି ଗୋଲ୍‍ ଦେବେ । କିନ୍ତୁ ଯଦି ସେ ମନେ କରନ୍ତି ଯେ, ତୁମ ହାତରେ ବାଜିବା ଯୋଗୁଁ ବଲ୍‍ ଗୋଲ୍‍ ରେ ପଶିଲା, ନ ହେଲେ ପଶି ନ ଥାଆନ୍ତା, ତାହାହେଲେ ସେ ତୁମ ଦଳକୁ ‘‘ଆଡ୍‍ଭାଣ୍ଟେଜ୍‍’’ ନିୟମର ସୁବିଧା ଦେଇ ଗୋଲ୍‍ର ନିଷ୍ପତ୍ତି ଦେବେ ନାହିଁ । ତା ବଦଳରେ ଯେଉଁ ସ୍ଥାନରେ ତୁମ ହାତରେ ବଲ୍‍ ବାଜିଛି, ସେହି ସ୍ଥାନରୁ ପ୍ରତିପକ୍ଷକୁ ହ୍ୟାଣ୍ଡବଲ୍‍ଲାଗି ତୁମ ଦଳ ବିରୁଦ୍ଧରେ ଏକ ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ଦିଆଯିବ । ମନେକର ତୁମ ଦଳର ଜଣେ କୌଣସି ଖେଳାଳୀ ଜାଣି ଶୁଣି ନିଜ ଗୋଲ୍‍ ଭିତରକୁ ବଲ୍‍କୁ ହାତରେ ଫିଙ୍ଗିଦେଲା ଏବଂ ବଲ୍‍ ସମ୍ପୂର୍ଣ୍ଣଭାବେ ଗୋଲ୍‍ ଲାଇନ୍‍ ଅତିକ୍ରମ କରି ଗୋଲ୍‍ ଭିତରେ ପଶିଲା, ତାହାହେଲେ ତୁମ ଦଳ ବିରୁଦ୍ଧରେ ଗୋଲ୍‍ତ ଦିଆଯିବ ଏବଂ ଅବସ୍ଥା ବିଶେଷରେ ଖେଳାଳୀର ଏଭଳି କାର୍ଯ୍ୟକଳାପକୁ ଅଭଦ୍ର ଆଚରଣ ମନେ କରାଯାଇ ତାଙ୍କୁ ସତର୍କ କରାଯିବ ।

 

ନବମ ନିୟମ–

 

ଖେଳ ବାହାରେ ଓ ଖେଳ ଭିତରେ–ଏ ସବୁ ହେଲା ଗୋଲ୍‍ ସମ୍ପର୍କୀୟ ନିୟମ; କିନ୍ତୁ ଏଥରୁ ନରସିଂହର ପ୍ରଶ୍ନର ପୂରା ଉତ୍ତର ମିଳୁ ନାହିଁ । ନରସିଂହର ପ୍ରଶ୍ନର ଉତ୍ତର ଦେବାକୁ ହେଲେ ଆମକୁ ବଲ୍‍ କେତେବେଳେ ଖେଳ ଭିତରେ (In Play) ଓ କେତେବେଳେ ଖେଳ ବାହାରେ (Out of Play)ଜାଣିବାକୁ ହେବ । ବଲ୍‍ ଖେଳ ଭିତରେ ଥିଲେ ଫୁଟବଲ୍‍ର ସବୁ ଆଇନ୍‍ ତାହା ପ୍ରତି ପ୍ରଯୁଜ୍ୟ ହେବ ଏବଂ ବଲ୍‍ ଖେଳ ବାହାରେ ରହିଲେ ତାହା ଅକାମୀ ବଲ୍‍ ବୋଲି ଧରାଯିବ ଏବଂ ତାହାକୁ ପଡ଼ିଆ ଭିତରକୁ ଆଣି ଖେଳ ଆରମ୍ଭ ନ କଲାଯାକେ ଖେଳରେ ସେ ବଲ୍‍ର କୌଣସି ମୂଲ୍ୟ ରହିବ ନାହିଁ । ଫୁଟବଲ୍‍ ଖେଳର ୯ ନମ୍ବର ଆଇନ୍‍ ରେ ଏ ବିଷୟରେ କୁହାଯାଇଛି । କେଉଁ ଅବସ୍ଥାରେ ବଲ୍‍ ଖେଳର ବାହାରେ ଅର୍ଥାତ୍‍ ଅକାମୀ ବୋଲି ଧରାଯାଏ, ତାହା ଶୁଣ ।

 

୧) ବଲ୍‍ ଶୂନ୍ୟରେ ଥାଇ ବା ଭୂମି ଉପରେ ଗଡ଼ି ଗୋଲ୍‍ ଲାଇନ୍‍ ବା ଟଚ୍‍ ଲାଇନ୍‍କୁ ସମ୍ପୂର୍ଣ୍ଣଭାବେ ଅତିକ୍ରମ କଲେ ତାହା ଖେଳ ବାହାରେ ବୋଲି ଧରାଯିବ ।

 

୨) କୌଣସି କାରଣରୁ ରେଫରୀ ସାମୟିକଭାବେ ଖେଳ ବନ୍ଦ କଲେ, ବନ୍ଦ ଥିବା ସମୟରେ ବଲ୍‍ ଅକାମୀ ବୋଲି ବିବେଚିତ ହେବ ।

 

ତାହା ନ ହେଲେ ଖେଳର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ବଲ୍‍ ପଡ଼ିଆ ଭିତରେ ଥିଲେ ତାହା କାମୀ ଅର୍ଥାତ୍‍ ଖେଳ ଭିତରେ ବୋଲି ଧରାଯିବ ।

 

ଏଠାରେ ଆଉ କେତୋଟି କଥା ଜାଣିବା ଉଚିତ ।

 

୧) କ୍ରଶବାର୍‍, ଗୋଲ୍‍ ପୋଷ୍ଟ ପଡ଼ିଆର ଚାରି କୋଣରେ ପୋତା ଯାଇଥିବା ପତାକାର ବାଡ଼ି ବା ପତାକା ଦେହରେ ବାଜି ବଲ୍‍ପଡ଼ିଆ ଭିତରକୁ ଫେରି ଆସିଲେ ବଲ୍‍ ଅକାମୀ ହେବ ନାହିଁ ଏବଂ ଖେଳ ପୂର୍ବପରି ଚାଲୁ ରହିବ ।

 

୨) ସେହିପରି ରେଫରୀ ବା ଲାଇନ୍‍ସମ୍ୟାନ ପଡ଼ିଆ ଭିତରେ ଥିଲାବେଳେ ସେମାନଙ୍କ ଦେହରେ ବଲ୍‍ ବାଜିଲେ ତାହା ଅକାମୀ ହେବ ନାହିଁ ଏବଂ ଖେଳ ପୂର୍ବପରି ଚାଲୁ ରହିବ ।

 

୩) କୌଣସି ନିୟମଭଙ୍ଗ ହେବା ସତ୍ତ୍ୱେ ରେଫରୀ ହୁଇସିଲ୍‍ବଜାଇ ସଙ୍କେତ ନ ଦେବା ପର୍ଯ୍ୟନ୍ତ ବଲ୍‍କାମୀ ରହିବ ।

 

ଏଠାରେ ମନେ ରଖିବା ଉଚିତ ଯେ ପଡ଼ିଆର ସୀମାସୂଚକ ରେଖା, ଯଥା ଗୋଲ୍‍ଲାଇନ୍‍ ଏବଂ ଟଚ୍‍ ଲାଇନ୍‍ ପଡ଼ିଆର ଅଂଶ, ବଲ୍‍ଳ ଶୂନ୍ୟରେ ଥାଇ ଯଦି ଗୋଲ୍‍ ଲାଇନ୍‍ ବା ଟଚ୍‍ଲାଇନ୍‍ ସମ୍ପୂର୍ଣ୍ଣଭାବେ ଅତିକ୍ରମ କରି ପଡ଼ିଆ ବାହାରକୁ ଯାଏ ଏବଂ ତାପରେ ଆପଣାଛାଏଁ ପଡ଼ିଆ ଭିତରୁ ଫେରି ଆସେ ତାହାହେଲେ ସେ ବଲ୍‍କୁ ଅକାମୀ ବା ଖେଳର ବାହାରେ ବୋଲି ଧରାଯିବ । ସେଭଳି ବଲ୍‍ଯଦି ଗୋଲ୍‍ ରେ ପଶେ, ତେବେ ଗୋଲ୍‍ ହେବ ନାହିଁ । ବସନ୍ତର କର୍ଣ୍ଣାର୍‍ କିକ୍‍ରୁ ବଲ୍‍ ଏଭଳି ଭାବେ ପଡ଼ିଆ ବାହାରକୁ ଯାଇ ପୁଣି ପବନ ଯୋଗୁଁ ଆପଣାଛାଏଁ ପଡ଼ିଆ ଭିତରକୁ ଫେରିଆସି ଗୋଲ୍‍ ରେ ପଶି ଯାଇଥିଲା । ବଲ୍‍ ପଡ଼ିଆ ବାହାରକୁ ଯିବାମାତ୍ରେ ଲାଇନ୍‍ସ ମ୍ୟାନ୍‍ ସଙ୍କେତ ଦେଇଥିଲା ଏବଂ ମୁଁ ତତ୍‍କ୍ଷଣାତ୍‍ ହୁଇସିଲ୍‍ ବଜାଇଥିଲି; କିନ୍ତୁ ଘଟଣା ଏତେ ଶୀଘ୍ର ଘଟିଥିଲା ଯେ, ମୋର ହୁଇସିଲ୍‍ ବଜାଇବା ଏବଂ ବଲ୍‍ର ଗୋଲ୍‍ର ପ୍ରବେଶ କରିବା ଭିତରର ସମୟ ବ୍ୟବଧାନ ତୁମ୍ଭେମାନେ ବୁଝିପାରି ନ ଥିଲ । ସେଥିପାଇଁ ତୁମ୍ଭମାନଙ୍କ ମନରେ ମୋ ବିରୁଦ୍ଧରେ ଏତେ ଅସନ୍ତୋଷ । ମୁଁ ଯେ ଗୋଲ୍‍ ନ ଦେଇ ଭୁଲ କରି ନାହିଁ, ତାହା ତୁମ୍ଭେମାନେ ବୁଝି ପାରୁଥିବ ।

 

ନରସିଂହ କହିଲା, ‘‘ସାର୍‍, ନିୟମର ଯେ ଏତେ ମାରପେଞ୍ଚ ଅଛି ସେ କଥା ତ ଆମ୍ଭମାନଙ୍କୁ ଜଣା ନାହିଁ । ସେଥିଲାଗି ସିନା ଆମେ ଲାଇନ୍‍ସମ୍ୟାନ୍‍ ଓ ଆପଣଙ୍କ ଉପରେ ରାଗୁଥିଲୁ ।’’

 

ଅକାମୀ (Out of play)

 

ସାର୍‍–‘‘ହଁ, ସବୁ ଆଇନ୍‍ ରେ ମାରପେଞ୍ଚ ରହିଛି । ସେ ସବୁ ନ ଜାଣିଲେ ମଣିଷ ପକ୍ଷରେ ଭୁଲ କରିବା ସ୍ୱାଭାବିକ । ତୁମ କଥା କଅଣ କହୁଛ–ଅନେକ ପୋଖତ୍‍ ଖେଳାଳୀ ଓ ଖେଳ ସମଝଦାର୍‍ଙ୍କୁ ମଧ୍ୟ ଏସବୁ ଜଣାନାହିଁ ।

 

ବର୍ତ୍ତମାନ ଆଜିର ଖେଳ ବିଷୟରେ କହେ । ଆଜି ଯେଉଁ ଛଅଟି ଗୋଲ୍‍ ହୋଇଛି, ସେଥି ମଧ୍ୟରୁ ପ୍ରଥମ ଚାରିଟି ଅଫ୍‍ସାଇଡ୍‍ ଓ ପଞ୍ଚମଟି ଫଉଲ୍‍ ଯୋଗୁଁ ନାକଚ ହେବା ଉଚିତ ବୋଲି ତୁମ ଭିତରୁ ଅଧିକାଂଶଙ୍କ ମତ । ତା’ଛଡ଼ା ଉଭୟ ଦଳକୁ ଗୋଟିଏ ଲେଖାଏଁ ପେନାଲ୍‍ଟି କିକ୍‍ ସୁଯୋଗରୁ ମୁଁ ବଞ୍ଚିତ କରିଛି ବୋଲି ତୁମ୍ଭେମାନେ ମନେ କରିଛ । କଲେଜିଏଟ୍‍ର ପେନାଲ୍‍ଟି କିକ୍‍ ସୁଯୋଗ ଫାଉଲ୍‍ରୁ ଏବଂ ରାଣୀହାଟର ସୁଯୋଗ ହ୍ୟାଣ୍ଡବଲ୍‍ରୁ ହୋଇଥିଲା ବୋଲି ତୁମ୍ଭମାନଙ୍କର ମତ–କଅଣ ଠିକ୍‍ନା ? ଅର୍ଥାତ୍‍ କହିବାକୁ ଗଏେ ତୁମ୍ଭମାନଙ୍କ ମତରେ ଫୁଟବଲ୍‍ ଖେଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିୟମ ଅଫ୍‍ସାଇଡ୍‍ ଏବଂ ଫାଉଲରେ ଆଜି କିଛି ନା କିଛି ଏପଟ ସେପଟ ହୋଇଛି । ତେଣୁ ମୁଁ ପ୍ରଥମେ ଅଫ୍‍ସାଇଡ୍‍ ଓ ତା’ପରେ ଫାଉଲ ସମ୍ପର୍କୀୟ ନିୟମ ବିଷୟ କହି ଆଜିର ଖେଳରେ ସେଗୁଡ଼ିକର କି ପ୍ରକାର ପ୍ରୟୋଗ କରାଯାଇଛି ବୁଝାଇବି । ଅଫ୍‍ସାଇଡ୍‍ ଏବଂ ଫାଉଲ୍‍ ସଙ୍ଗେ ସଙ୍ଗେ ଫ୍ରି କିକ୍‍କଥା ମଧ୍ୟ ଉଠୁଛି । ତେବେ ପ୍ରତ୍ୟେକ ବିଷୟ ସ୍ୱତନ୍ତ୍ରଭାବେ

ବିଚାର କରାଯିବ ।

 

ଏକାଦଶ ନିୟମ–

 

ଅଫ୍‍ସାଇଡ୍‍–ଫୁଟବଲ୍‍ ଖେଳର ସବୁଠାରୁ ବିତର୍କମୂଳକ ନିୟମ ହେଉଛି ଅଫ୍‍ସାଇଡ୍‍ । ଏହି ଅଫ୍‍ସାଇଡ୍‍ ନିୟମର ପ୍ରୟୋଗ ନେଇ ରେଫରୀକୁ ପ୍ରାୟ ତୀବ୍ର ଓ କଟୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅଫ୍‍ସାଇଡ୍‍ ନିୟମରେ କୌଣସି ଜଟିଳତା ନାହିଁ । ଯେତେ ଗଣ୍ଡଗୋଳ ଏହାର ପ୍ରୟୋଗ ନେଇ । ରେଫରୀର ଟିକିଏ ଅନ୍ୟମନସ୍କତା ବା ତାହାର ଦୃଷ୍ଟି ରଖିବାରେ ଟିକିଏ ହେରଫେର ହେଲେ ବହୁକ୍ଷେତ୍ରରେ ଅଫ୍‍ସାଇଡ୍‍ରୁ ଗୋଲ୍‍ ହୁଏ, ପୁଣି ଅନେକ କ୍ଷେତ୍ରରେ ଠିକ୍‍ ଗୋଲ୍‍ ମଧ୍ୟ ଅଫ୍‍ସାଇଡ୍‍ ବୋଲି ନାକଚ ହୋଇଥାଏ । ତେଣୁ ପ୍ରତ୍ୟେକ ଖେଳାଳୀ ପକ୍ଷରେ ଏହି ନିୟମଟି ଭଲଭାବେ ଜାଣିବା ଦରକାର । ଅଫ୍‍ସାଇଡ୍‍ ହେଲା ଫୁଟବଲ୍‍ ଖେଳର ଏକାଦଶ ନିୟମ ।

 

ଅଫ୍‍ସାଇଡ୍‍ର ମୂଳ କଥା ହେଲା, ଆକ୍ରମଣକାରୀ ଦଳର କୌଣସି ଖେଳାଳୀ ବିପକ୍ଷ ଦଳର ଅଲକ୍ଷ୍ୟରେ ନିଜକୁ ସୁବିଧାଜନକ (advantageous)ସ୍ଥାନରେ ରଖି ଗୋଲ୍‍ ଦେବା ବା ଗୋଲ୍‍ ଦେବାର ସହାୟତା କରିବା । ଗୋଲ୍‍ ଦେବା ଫୁଟବଲ୍‍ ଖେଳର ମୁଖ୍ୟ ବିଷୟ ହେଉଥିବାରୁ ଏଭଳି ଲୁଚି ଛପି ବା ଠକାଇ ଗୋଲ୍‍ ଦେବା ବାସ୍ତବିକ ଏକ ଗୁରୁତର ତ୍ରୁଟି । ଖେଳାଳୀର ଏହି ଠକିବା ପ୍ରବୃତ୍ତିକୁ ରୋକିବା ପାଇଁ ଅଫ୍‍ସାଇଡ୍‍ ନିୟମ ଗଢ଼ାଯାଇଛି ।

 

ମୂଳ ନୟମ–ଅଫ୍‍ସାଇଡ୍‍ର ମୂଳ ନିୟମ ହେଲା–ଯେଉଁ ମୁହୂର୍ତ୍ତରେ ବଲ୍‍ଟି ଖେଳା ଯାଉଛି ସେହି ମୁହୁର୍ତ୍ତରେ ଯଦି ଜଣେ ଖେଳାଳୀ ବଲ୍‍ ଅପେକ୍ଷା ବିପକ୍ଷର ଗୋଲ୍‍ ଲାଇନ୍‍ର ଅଧିକ ନିକଟରେ ରହେ, ତେବେ ସେ ଅଫ୍‍ସାଇଡ୍‍ ଅବସ୍ଥାନରେ ରହିଛି ବୋଲି ବିବେଚିତ ହେବ । କିନ୍ତୁ ନିମ୍ନଲିଖିତ କ୍ଷେତ୍ରରେ ଏହି ନିୟମ ଖଟିବ ନାହିଁ ।

 

୧) ଖେଳାଳୀ ଯଦି ପଡ଼ିଆର ନିଜ ଅର୍ଦ୍ଧରେ ଥାଏ ।

 

୨) ଗୋଲ୍‍ଲାଇନ୍‍ ଏବଂ ତା ମଧ୍ୟରେ ଯଦି ବିପକ୍ଷ ଦଳର ଦୁଇଜଣ ଖେଳାଳୀ ଥାଆନ୍ତି ।

 

୩) ବଲ୍‍ ତାହାର ନିକଟରେ ପହଞ୍ଚିବା ପୂର୍ବରୁ ଯଦି ବିପକ୍ଷ ଦଳର ଜଣେ ଖେଳାଳୀକୁ ସ୍ପର୍ଶ କରିଥାଏ ବା ସେ ନିଜେ ଶେଷରେ ବଲ୍‍ଟି ଖେଳିଥାଏ ।

 

୪) ଗୋଲ୍‍ କିକ୍‍, କର୍ଣ୍ଣାର କିକ୍‍, ଥ୍ରୋ ଇନ୍‍ ବା ରେଫରୀଙ୍କ ଦ୍ୱାରା ଦିଆ ଯାଇଥିବା ଡ୍ରପ୍‍ରୁ ସିଧାସଳଖ ବଲ୍‍ପାଏ ।

 

ଅର୍ଥାତ୍‍ ଉପରୋକ୍ତ ଚାରୋଟି ଘଟଣା ମଧ୍ୟରୁ ଯେ କୌଣସି ଗୋଟିଏ ଘଟୁଥିଲେ ଖେଳାଳୀକୁ ଅଫ୍‍ସାଇଡ୍‍ ଲାଗି ଦଣ୍ଡ ଦିଆଯାଇ ପାରିବ ନାହିଁ ।

 

ଏହି ନିୟମର ବ୍ୟତିକ୍ରମ ହେଲେ ଯେଉଁ ସ୍ଥାନରେ ବ୍ୟତିକ୍ରମ ଘଟିଲା ସେହି ସ୍ଥାନରୁ ବିପକ୍ଷର ଜଣେ ଖେଳାଳୀ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବେ ।

 

କୌଣସି ଖେଳାଳୀ ଅଫ୍‍ସାଇଡ୍‍ ଅବସ୍ଥାନରେ ରହିଲେ ଯେ ସେଥିପାଇଁ ଦଣ୍ଡିତ ହେବ, ତାହା ନୁହଁ । ରେଫରୀଙ୍କ ମତରେ ତାହାର ଏହି ଅବସ୍ଥାନ ଯୋଗୁଁ ଯଦି ସେ ଖେଳରେ ବାଧା ସୃଷ୍ଟି ହେଉଥାଏ ବା ସେ ବିପକ୍ଷର ଖେଳାଳୀ ପକ୍ଷରେ ବାଧାର କାରଣ ହେଉଥାଏ ବା ସେହି ଅବସ୍ଥାନରୁ ଏହି ଖେଳାଳୀ କୌଣସି ଲାଭ ଉଠାଇବାକୁ ଚେଷ୍ଟା କରୁଥାଏ, ତେବେ ସେ ଅପରାଧୀ ବୋଲି ବିବେଚିତ ହେବ ଏବଂ ସେଥିପାଇଁ ତାହାର ଦଳକୁ ଦଣ୍ଡିତ କରାଯିବ ।

 

ଅଫ୍‍ସାଇଡ୍‍ ସମ୍ପର୍କରେ ଆନ୍ତର୍ଜାତିକ ସଂଘ ଫିଫାର ସିଦ୍ଧାନ୍ତ ହେଲା–ଯେଉଁ ମୁହୂର୍ତ୍ତରେ ଖେଳାଳୀ ବଲ୍‍ପାଏ ବା ଧରେ ସେହି ମୁହୂର୍ତ୍ତରେ ଖେଳାଳୀର ପୋଜିସନ୍‍ (Position)ବା ଅବସ୍ଥାନ ଅଫ୍‍ସାଇଡ୍‍ର ବିବେଚ୍ୟ ବିଷୟ ନୁହଁ । ଯେଉଁ ମୁହୂର୍ତ୍ତରେ ସ୍ୱପକ୍ଷର ଖେଳାଳୀ ତାକୁ ପାସ୍‍ (Pass) ଦେଲା, ସେହି ମୁହୂର୍ତ୍ତରେ ଖେଳାଳୀର ଅବସ୍ଥାନ ଅଫ୍‍ସାଇଡ୍‍ର ବିବେଚ୍ୟ ବିଷୟ । ଯଦି ସ୍ୱପକ୍ଷର ଖେଳାଳୀ ତାଙ୍କୁ ପାସ୍‍ ଦେବା ଉଦ୍ଦେଶ୍ୟରେ ବଲ୍‍ ମାରିଲାବେଳେ ବା ଫ୍ରି କିକ୍‍ ମାରିଲାବେଳେ ସେ ଅଫ୍‍ସାଇଡ୍‍ ପୋଜିସନରେ ନ ଥାଏ, ତେବେ ବଲ୍‍ ତା ନିକଟରେ ପହଞ୍ଚିବା ପୂର୍ବରୁ ସେ ବଲ୍‍ଠାରୁ ଆଗେଇ ଗଲେ ସୁଦ୍ଧା ତାହାର ଅଫ୍‍ସାଇଡ୍‍ ଧରାଯିବ ନାହିଁ । ଅସଲ କଥା ହେଲା ଅଫ୍‍ସାଇଡ୍‍ ନିୟମ ପ୍ରୟୋଗ କଲାବେଳେ ଦେଖିବାକୁ ପଡ଼ିବ ଯେଉଁ ମୁହୂର୍ତ୍ତରେ ସ୍ୱପକ୍ଷର ଖେଳାଳୀ ବଲ୍‍ ଖେଳିଲେ ସେହି ମୁହୁର୍ତ୍ତରେ ଆଇନ ଭଙ୍ଗ କରୁଥିବା ଖେଳାଳୀଙ୍କର ଅବସ୍ଥାନ କେଉଁଠାରେ ଥିଲା । ଯେତେବେଳେ ସ୍ୱପକ୍ଷର ଖେଳାଳୀ ବଲ୍‍ ଖେଳିଲେ ସେତେବେଳେ ଯଦି ଉପରୋକ୍ତ ଦ୍ୱିତୀୟ ଖେଳାଳୀ ବଲ୍‍ ଆଗରେ ନ ଥାଆନ୍ତି, ତାହାହେଲେ ପରେ ସେ ବଲ୍‍ଆଗକୁ ଦୌଡ଼ିଗଲେ ସେ ଅଫ୍‍ସାଇଡ୍‍ ରେ ରହିଲେ ବୋଲି ଧରାଯାଇ ପାରିବ ନାହିଁ । ଏହି ନିୟମ ଫ୍ରି କିକ୍‍ ବା ପେନାଲ୍‍ଟି କିକ୍‍ ମରାଯିବା ସମୟରେ ମଧ୍ୟ ପ୍ରଯୁଜ୍ୟ ।’’ ସାର୍‍ଙ୍କ କଥା ଶେଷ ନ ହେଉଣୁ ଜଣେ କହିଲା, ‘‘ସାର୍‍, ନିୟମଟା ଭାରି କିଟିମିଟିଆ ତ ।’’

 

ସାର୍‍–ଆଦୌ ନୁହେଁ । ମୁଁ ନିୟମକୁ ଆହୁରି ସରଳ କରି କହୁଛି, ମନ ଦେଇ ଶୁଣ ।

 

(କ) ଖେଳାଳୀ ପଡ଼ିଆର ନିଜ ଅର୍ଦ୍ଧରେ ଥିଲେ କେବେହେଲେ ଅଫ୍‍ସାଇଡ୍‍ ହେବ ନାହିଁ ।

 

(ଖ) ଯଦି ଖେଳାଳୀ ଓ ବିପକ୍ଷର ଗୋଲ୍‍ ଲାଇନ୍‍ ମଧ୍ୟରେ ବିପକ୍ଷର ୨ଜଣ ଖେଳାଳୀ ଥାଆନ୍ତି ତେବେ ସେ ବଲ୍‍ରୁ ସାମନାରେ ରହିଲେ ସୁଦ୍ଧା ଅଫ୍‍ସାଇଡ୍‍ ହେବେ ନାହିଁ ।

 

(ଗ) ଖେଳାଳୀ ଅଫ୍‍ସାଇଡ୍‍ ଅବସ୍ଥାନରେ ଅଛନ୍ତି, କିନ୍ତୁ ରେଫରୀ ସେ କଥା ଧରିନାହାନ୍ତି । ବଲ୍‍ ବିପକ୍ଷଦଳର ଜଣେ ଖେଳାଳୀ ଦେହରେ ବାଜି ଖେଳାଳୀ ପାଖରେ ପହଞ୍ଚିଲା ଓ ସେ ତାକୁ ଖେଳିଲେ । ବଲ୍‍ ଖେଳାଳୀ ପାଖରେ ପହଞ୍ଚିବା ପୂର୍ବରୁ ରେଫରୀ ଯଦି ତାଙ୍କୁ ଅଫ୍‍ସାଇଡ୍‍ ରେ ଅଛନ୍ତି ବୋଲି ନ ଧରିଥାନ୍ତି ତେବେ ଖେଳାଳୀ ବଲ୍‍ଟିକୁ ଖେଳିବାପରେ ତାଙ୍କୁ ଅଫ୍‍ସାଇଡ୍‍ ଦୋଷରେ ଦଣ୍ଡିତ କରିପାରିବେ ନାହିଁ ।

 

(ଘ) ଗୋଲ୍‍କିକ୍‍, ଥ୍ରୋ ଇନ୍‍, କର୍ଣ୍ଣାର୍‍ କିକ୍‍ ବା ରେଫରୀ ଡ୍ରପ୍‍ ପକାଇଲାବେଳେ ଖେଳାଳୀ ଅଫ୍‍ସାଇଡ୍‍ ପୋଜିସନ୍ ରେ ରହିପାରନ୍ତି, ଏବଂ ଏହି ୪ଟି ଘଟଣା ବେଳେ ଯେ କୌଣସି ଗୋଟିକରୁ ବଲ୍‍ ତାଙ୍କ ନିକଟରେ ସିଧାସଳଖ ପହଞ୍ଚିଲେ ଏବଂ ସେ ତାହାକୁ ଖେଳିଲେ ତାକୁ ଅଫ୍‍ସାଇଡରେ ଥିଲେ ବୋଲି ଦଣ୍ଡ ଦିଆଯାଇ ପାରିବ ନାହିଁ ।

 

ଏସବୁ ହେଲା ନିୟମର ବ୍ୟାଖ୍ୟା । ବର୍ତ୍ତମାନ କେତେଗୁଡ଼ିଏ ପ୍ରଚଳିତ ଭୁଲ୍‍ ଧାରଣା କଥା କହେ । ସାଧାରଣତଃ ଲୋକମାନଙ୍କର ଧାରଣା ଯେ ଖେଳାଳୀ ବଲ୍‍ ପାଇଲାବେଳେ ସେ ଅଫ୍‍ସାଇଡ୍‍ ଅବସ୍ଥାରେ ଅଛି କି ନାହିଁ ବିଚାର କରାଯିବ । କିନ୍ତୁ ନିୟମ ପ୍ରକୃତରେ ଅନ୍ୟ କଥା କହେ । ମନେ କରାଯାଉ ଆକ୍ରମଣକାରୀ ଦଳର ‘କ’ ଖେଳାଳୀ ସ୍ୱପକ୍ଷର ‘ଖ’ ଖେଳାଳୀଠାରୁ ବଲ୍‍ ପାଇଲା । ‘କ’ ବଲ୍‍ ପାଇଲାବେଳେ ଅଫ୍‍ସାଇଡ୍‍ କଥା ବିଚାର କରାଯିବ ନାହିଁ ବରଂ ‘ଖ’ ବଲ୍‍ ପାସ୍‍ ଦେଲାବେଳେ ‘କ’ର ଅବସ୍ଥାନ ବିଚାର କରି ସେ ଅଫ୍‍ସାଇଡ୍‍ ରେ ଅଛି କି ନାହିଁ ନିର୍ଣ୍ଣୟ କରାଯିବ ।

 

କେତୋଟି ଉଦାହରଣ ଦେଉଛି ସେଥିରୁ ଅଫ୍‍ସାଇଡ୍‍ର ନିୟମ ବିଷୟରେ ତୁମ୍ଭମାନଙ୍କର ସଠିକ୍‍ ଧାରଣା ହେବ । ମନେକର ରାଣୀହାଟ ଦଳର ବୁଲା ଓ ଅନିରୁଦ୍ଧ ଗୋଟିଏ ଆକ୍ରମଣ ରଚନା କରୁଛନ୍ତି । ଏହି ଆକ୍ରମଣ ରଚନାବେଳେ କୌଣସି ଏକ ମୁହୂର୍ତ୍ତରେ ବଲ୍‍ ଅନିରୁଦ୍ଧ ଫାଖରେ ଅଛି । ଠିକ୍‍ ସେତିକିବେଳେ ବୁଲା କଲେଜିଏଟ୍‍ର ଗୋଲଲାଇନ୍ ଆଡ଼କୁ ମାଡ଼ିଗଲା । ପରମୁହୂର୍ତ୍ତରେ ଅନିରୁଦ୍ଧର ପାଶରୁ ବୁଲାର ବଲ୍‍ପ ପାଇବା କଥା । ଏଠାରେ ରେଫରୀ ଅନିରୁଦ୍ଧ ଠିକ୍ ବଲ୍‍ ପାଶ୍‍ ଦେଲାବେଳେ ବୁଲାର ଅବସ୍ଥାନ ବିଚାର କରି ସେ ଅଫ୍‍ସାଇଡ୍‍ ନିୟମ ଭଙ୍ଗ କରୁଛି କି ନାହିଁ ଦେଖିବେ । ଅର୍ଥାତ୍‍ ଅନିରୁଦ୍ଧ ବଲ୍‍ପାଶ୍‍ ଦେଲାବେଳକୁ ବୁଲା ଓ ବିପକ୍ଷର ଗୋଲ୍‍ଲାଇନ ମଧ୍ୟରେ କଲେଜିଏଟ୍‍ର ୨ଜଣ ଖେଳାଳୀ ଅଛନ୍ତି କି ନାହିଁ ତାଙ୍କର ଦେଖିବା କଥା । ଯଦି କଲେଜିଏଟ୍‍ ଦଳର ୨ଜଣ ଖେଳାଳୀ ନଥାଆନ୍ତି ତେବେ ବୁଲା ଅଫ୍‍ସାଇଡର ଅଛି ବୋଲି ଧରାଯିବ । କିନ୍ତୁ ଅନିରୁଦ୍ଧର ପାଶ୍‍ରୁ ବୁଲା ବଲ୍‍ ପାଇଲା ପରେ ଏ ବିଚାର କରାଯାଇ ପାରିବ ନାହିଁ । ଏ କ୍ଷେତ୍ରରେ ଫୁଟବଲ ଖେଳର ଭାଷାରେ ଶେଷ ଖେଳାଳୀ ହେଲା ଅନିରୁଦ୍ଧ ଏବଂ ବୁଲା ହେଲା ପ୍ରଥମ ନମ୍ୱର ଖେଳାଳୀ । ତେଣୁ ଶେଷ ଖେଳାଳୀ ଠିକ୍‍ ବଲ୍‍ ମାରିଲାବେଳେ ଖେଳାଳୀର ଅବସ୍ଥାନ ବିଚାର କରାଯାଇ ଅଫ୍‍ସାଇଡ୍‍ ନିୟମ

ପ୍ରୟୋଗ କରାଯିବ ।

 

ଆଉ ଗୋଟିଏ ଉଦାହରଣ ଦେଖେ । କୌଣସି ଏକ ମୁହୂର୍ତ୍ତରେ ଅନିରୁଦ୍ଧ ପାଖରେ ବଲ୍‍ ଥିଲାବେଳେ ମନେକର ବୁଲା ଅଫ୍‍ସାଇଡ୍‍ ପୋଜିସନରେ ଅଛି । ରେଫରୀ ହୁଏତ ସେ କଥା ଲକ୍ଷ୍ୟ କରିନାହାନ୍ତି କିମ୍ୱା ବୁଲାର ଅବସ୍ଥାନ ଯୋଗୁଁ ଖେଳରେ କୌଣସି ବାଧା ଉପୁଜେ ନାହିଁ ବୋଲି ତ ଅଫ୍‍ସାଇଡ୍‍ ଧରିନାହାନ୍ତି । ଅନିରୁଦ୍ଧର ପାଶ୍‍ରୁ ବଲ୍‍ ଜଣେ ବିପକ୍ଷଦଳର ଖେଳାଳୀ ଦେହରେ ବାଜି ବୁଲା ନିକଟରେ ପହଞ୍ଚିଲା । ବୁଲା ନିକଟରେ ବଲ୍‍ ପହଞ୍ଚିବା ପୂର୍ବରୁ ରେଫରୀ ଯଦି ତାହାକୁ ଅଫ୍‍ସାଇଡ୍‍ ନ ଦେଇ ଥାଆନ୍ତି, ତେବେ ସେ ବଲ୍‍ ପାଇବା ପରେ ତାକୁ ଅଫ୍‍ସାଇଡ୍‍ ଅପରାଧଲାଗି ଦଣ୍ଡ ଦେଇ ପାରିବେ ନାହିଁ । ବୁଲା ସେ ପାଶ୍‍ରୁ ଯଦି ଗୋଲ୍‍ ଦିଏ, ତେବେ ତାହା ଆଇନସିଦ୍ଧ ଗୋଲ୍‍ ବୋଲି ବିବେଚିତ ହେବ ।

 

ଆଉ ଏକ ଉଦାହରଣ ଦେଉଛି । ମନେକର ଅନିରୁଦ୍ଧ ପାଖରେ ବଲ୍‍ ଥିଲାବେଳେ ବୁଲା ଅଫ୍‍ସାଇଡ୍‍ ପୋଜିସନରେ ଥିଲା । ଅନିରୁଦ୍ଧର ପାଶ୍‍ରୁ ବଲ୍‍ ପାଇବା ଲାଗି ସେ ପଛେଇ ଆସି ବଲ୍‍ ଧରିଲା । ବଲ୍‍ ଧରିଲାବେଳକୁ ସେ ଅଫ୍‍ସାଇଡ୍‍ ପୋଜିସନରେ ନ ଥିଲା; କିନ୍ତୁ ତା’ବୋଲି ସେ ଛାଡ଼ ପାଇବ ନାହିଁ । ଅନିରୁଦ୍ଧ ବଲ୍‍ ମାରିଲାବେଳେ ଯେ ସେ ଅଫ୍‍ସାଇଡ୍‍ ପୋଜିସନ ରେ ଥିଲା ରେଫରୀ ସେ କଥା ବିଚାର କରି ତାହାର ଅଫ୍‍ସାଇଡ୍‍ ଧରିବେ ।

 

ଅନେକ ସମୟରେ ଦେଖାଯାଏ ଯେ ଜଣେ ଖେଳାଳୀ ଅଫ୍‍ସାଇଡ୍‍ ଏଡ଼ିବା ପାଇଁ ପଡ଼ିଆ ବାହାରକୁ ଚାଲି ଯାଇଛି । ଯଦି ରେଫରୀ ମନେ କରନ୍ତି ଯେ ସେ ଜାଣିଶୁଣି ପଡ଼ିଆ ବାହାରକୁ ଚାଲିଯାଇଛି ତେବେ ସେ ତତ୍‍କ୍ଷଣାତ୍‍ ତାକୁ ଅଫ୍‍ସାଇଡରେ ଥିଲା ବୋଲି ଘୋଷଣା କରି ଅଫ୍‍ସାଇଡ୍‍ ନିୟମ ପ୍ରୟୋଗ କରିବେ । ସେହିପରି ଯଦି ଜଣେ ଖେଳାଳୀ ଅଫ୍‍ସାଇଡ୍‍ ଏଡ଼ିବା ଲାଗି କ୍ଷଣକ ପାଇଁ ପଡ଼ିଆ ବାହାରକୁ ଯାଇ ପୁଣି ପଡ଼ିଆ ଭିତରକୁ ଫେରି ଆସେ, ତାହାହେଲେ ମଧ୍ୟ ରେଫରୀ ତାକୁ ଅଫ୍‍ସାଇଡ୍‍ ନିୟମ ଭଙ୍ଗ କରିଛି ବୋଲି ଦୋଷୀ କରିବେ ।

 

ଏସବୁ ହେଲା ଅଫ୍‍ସାଇଡ୍‍ର ନିୟମ ଓ ତାହାର ବ୍ୟାଖ୍ୟା । ବର୍ତ୍ତମାନ ଆଜିର ଖେଳର ପ୍ରଥମ ଚୋରୋଟି ଗୋଲ୍‍ ବିଷୟ ଆଲୋଚନା କରିବି ।

 

ପ୍ରଥମ ଗୋଲ୍‍ ରାଣୀହାଟର ବୁଲା ଦେଇଛି କର୍ଣ୍ଣାର କିକ୍‍ରୁ ବଲ୍‍ ହେଡ୍‍କରି କଲେଜିଏଟ୍‍ ପିଲାଙ୍କର ଧାରଣା ଯେ କର୍ଣ୍ଣାର୍‍କିକ୍‍ମରାଗଲାବେଳେ ବୁଲା ଅଫ୍‍ସାଇଡ୍ ପୋଜିସନରେ ଥିଲା । ହଁ ବୁଲା ଅଫ୍‍ସାଇଡ୍‍ ପୋଜିସନରେ ଥିଲା କାରଣ କଲେଜିଲଟ୍‍ର ଗୋଲ୍‍ ଲାଇନ୍‍ ଓ ବୁଲା ମଧ୍ୟରେ ଗୋଲ୍‍ କିପର୍‍ ଫକ୍‍ରୁଦ୍ଦୀନ ଛଡ଼ା ଅନ୍ୟ କୌଣସି କଲେଜିଏଟ ଖେଳାଳୀ ନ ଥିଲା । କିନ୍ତୁ କର୍ଣ୍ଣାର କିକ୍ ମରାଗଲାବେଳେ ତ ଅଫ୍‍ସାଇଡ୍‍ ଧରାଯାଏ ନାହିଁ, ତେଣୁ ମୁଁ କିପରି ତା’ର ଅଫ୍‍ସାଇଡ୍‍ ଧରିଥାଆନ୍ତି ? ତା’ଛଡ଼ା କର୍ଣ୍ଣାର୍‍ କିକ୍‍ରୁ ବଲ୍‍ ସିଧାସଳଖ ବୁଲା ପାଖକୁ ଗଲା ଏବଂ ସେ ସେଥିରୁ ହେଡ୍‍କରି ଗୋଲ୍‍ ଦେଲା । ତାହାହେଲେ ଅଫ୍‍ସାଇଡ୍‍ ଯୋଗୁଁ ସେ ଗୋଲ୍‍ କିପର୍‍ ନାକଚ ହେବ ? ବଲ୍‍ ଯଦି ସିଧାସଳଖ ବୁଲା ପାଖକୁ ଯାଇ ନଥାନ୍ତା, ତାହାହେଲେ ସେତେବେଳେ ତାହାର ଅଫ୍‍ସାଇଡ୍‍ ବିଚାର କରିବା ପ୍ରଶ୍ନ ଉଠିଥାନ୍ତା । କଲେଜିଏଟ୍‍ ପିଲାଙ୍କର ଧାରଣା ଯେ ଭୁଲ ବୁଝିଲ ତ ?

 

ଦ୍ୱିତୀୟ ଗୋଲ୍‍ କଥା ଦେଖାଯାଉ । ଏ ଗୋଲ୍‍ କଲେଜିଏଟ୍‍ର ହେରମ୍ୱ କେଶବର ଥ୍ରୋ ଇନ୍‍ରୁ ସିଧାସଳଖ ବଲ୍‍ ପାଇ ଦେଇଛି । କେଶବ ଥ୍ରୋ କଲାବେଳେ ଯେ ହେରମ୍ୱ ଅଫ୍‍ସାଇଡ୍‍ ପୋଜିସନରେ ଥିଲା ସେଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ନିୟମ ଅନୁସାରେ ଥ୍ରୋ–ଇନ୍‍ ବେଳେ କୌଣସି ଖେଳାଳୀର ଅଫ୍‍ସାଇଡ୍‍ ହୋଇ ନ ପାରେ ସେଥିପାଇଁ ତାକୁ ଦୋଷୀ କରାଯାଇ ପାରିବ ନାହିଁ । ତେଣୁ ଏ ଗୋଲ୍‍ ଅଫ୍‍ସାଇଡ୍‍ ବୋଲି କାହିଁକି ନାକଚ ହେବ ?

 

ଏହାପରେ ଆସୁଛି ତୃତୀୟ ଗୋଲ୍‍ର ବିଚାର । ଏ ଗୋଲ୍‍ ପୁଣି ଦେଇଛି ବୁଲା । ଅନିରୁଦ୍ଧ ପାଖରେ ବଲ୍‍ ଥିଲାବେଳେ ବୁଲା ଯେ ଅଫ୍‍ସାଇଡ୍‍ ପୋଜିସନରେ ଥିଲା ତାହା ସତ । କିନ୍ତୁ ସେତେବେଳେ ଖେଳ ହେଉଥିଲା କଲେଜିଏଟ୍‍ ପେନାଲ୍‍ଟି ଏରିଆ ଡାହାଣ ପଟେ ଆଉ ବୁଲା ଛିଡ଼ା ହୋଇଥିଲା ବାମପଟର ଗୋଟିଏ ଆଡ୍‍କୁ । ଦେଖିବାକୁ ଗଲେ ସେ ସେତେବେଳେ ଖେଳରେ କୌଣସି ବାଧା ଉପୁଜାଇ ନ ଥିଲା–ସେଥିଲାଗି ମୁଁ ତାକୁ ଅଫ୍‍ସାଇଡ୍‍ ଦେଇନଥିଲି । ତା’ପରେ ଅନିରୁଦ୍ଧ ଗୋଲ୍‍କୁ ଲକ୍ଷ୍ୟ କରି କିକ୍‍ ମାରିଲା । ଫକରୁଦ୍ଦୀନ ସେ କିକ୍‍ରୁ ବଲ୍‍କୁ ହାତରେ ଧରିବା ପରିବର୍ତ୍ତେ ଯେଉଁ ବିଧାଟାଏ ମାରିଲା ତା’ଫଳରେ ବଲ୍‍ ଯାଇ ପହଞ୍ଚିଲା ବୁଲା ପାଖରେ । ବୁଲା ତିଳେମାତ୍ର ଡେରି ନ କରି ସେଥିରୁ ଗୋଲ୍‍ ଦେଲା । ଏ କ୍ଷେତ୍ରରେ ଶେଷ ଖେଳାଳୀ ହେଲା ବିପକ୍ଷର ଗୋଲ୍‍କିପର ଫକ୍‍ରୁଦ୍ଦୀନ । ଫକ୍‍ରୁଦ୍ଦୀନ ପାଖରୁ ବଲ୍‍ ପାଇ ବୁଲା ଯେତେବେଳେ ଗୋଲ୍‍ ଦେଇଛି ସେତେବେଳେ ସେ ଗୋଲ୍‍ତ ନିୟମସିଦ୍ଧ–ତାକୁ ମୁଁ କେମିତି ନାକଚ କରିଥାନ୍ତି ?

 

ଚତୁର୍ଥ ଗୋଲ୍‍କଥା ଦେଖାଯାଉ । ବସନ୍ତ ଏ ଗୋଲ୍‍ଟି ଦେଇଛି । ସମସ୍ତଙ୍କର ଧାରଣା ଯେ ବସନ୍ତ ଅଫ୍‍ସାଇଡ୍‍ ପୋଜିସନରେ ଥାଇ ଏ ଗୋଲ୍‍ ଦେଇଛି । କିନ୍ତୁ ଏ କଥା ଭୁଲିଲେ ଚଳିବ ନାହିଁ ଯେ ବସନ୍ତ ବଲ୍‍ ପାଇଲା ରାଣୀହାଟର ବ୍ୟାକ୍ ମଧୁ ପାଖରୁ ଏବଂ ସେ ବଲ୍‍ରୁ ସେ ଗୋଲ୍‍ ଦେଲା–ତେଣୁ ଅଫ୍‍ସାଇଡ୍‍ ବୋଲି ଗୋଲ୍‍ଟା କେମିତି ନାକଚ ହେବ ? ହଁ, ବଲ୍‍ ବସନ୍ତ ପାଖରେ ପହଞ୍ଚିବା ପୂର୍ବରୁ ସେ ଅଫ୍‍ସାଇଡ୍‍ ପୋଜିସନରେ ଥିଲା । କିନ୍ତୁ ସେତେବେଳେ ଖେଳ ତ ରାଣୀହାଟ ପେନାଲ୍‍ଟି ଏରିଆର ଡାହାଣ ପଟେ ହେଉଥିଲା ଆଉ ସେ ତ ବାଁ ପଟେ ଅନେକ ଦୂରରେ ଥିଲା । ତେଣୁ ସେ ଖେଳରେ କଅଣ ବାଧା ଉପୁଜାଇ ଥିଲା କି ?

 

ଏତିକିବେଳେ ରାଣୀହାଟ ସେଣ୍ଟର ହାଫ୍‍ ହରିଶ୍‍ କହିଲା, ‘‘ସାର୍‍, ବସନ୍ତ ବଲ୍‍ ପାଇବା ଆଗରୁ ତ ଆପଣ ତା’ର ଅଫ୍‍ସାଇଡ୍‍ ଧରି ପାଇଥାଆନ୍ତେ ।’’

 

ସାର୍‍–ହଁ, ସେ କଥା ଠିକ୍‍ । କିନ୍ତୁ ମଧୁ ଗୋଡ଼ରୁ ବଲ୍‍ ଯେ ଏଭଳିଭାବେ ଖସିଯିବ ସେ କଥା କଅଣ କେହି କଳ୍ପନା କରି ପାରିଥିଲା ? ମଧୁ ଗୋଡ଼ରୁ ଖସି ବଲ୍‍ ମୁହୂର୍ତ୍ତକ ଭିତରେ ବସନ୍ତ ପାଖରେ ପହଞ୍ଚିଲା । ମୁଁ ସେ କଥା ଲକ୍ଷ୍ୟ କଲାବେଳକୁ ବସନ୍ତ ଗୋଲ୍‍କୁ ବଲ୍‍ ମାରି ସାରିଲାଣି । ବସନ୍ତ ବଲ୍‍ ପାଇଲା ପରେ ତ ଆଉ ଅଫ୍‍ସାଇଡ୍‍ ଦେଇ ହୁଅନ୍ତା ନାହିଁ । ଅଫ୍‍ସାଇଡ୍‍ ବଲ୍‍ ପାଇବା ପୂର୍ବରୁ ଦେବା କଥା । ସେ ଦୃଷ୍ଟିରୁ ଦେଖିଲେ ମୋର ଭୁଲ୍‍ ହୋଇପାରେ । କିନ୍ତୁ ଯେଭଳି ଭାବରେ ଘଟଣାଟି ଘଟିଲା ସେଥିରେ କଥା ଧରିବା ମୁସ୍କିଲ । ବର୍ତ୍ତମାନ ପ୍ରଥମ ଚାରୋଟିଯାକ ଗୋଲ୍‍ ଯେ ଆଇନ୍‍ ଅନୁଯାୟୀ ହୋଇଛି ବୁଝିପାରିଲ ତ ?

 

ଅଫ୍‍ସାଇଡ୍‍ ପ୍ରକୃତରେ ଏକ କିମିଟିଆ କଥା । ଚାରିଆଡ଼କୁ ଲକ୍ଷ୍ୟ ନ ରଖି ବିଚାର କଲେ ଭୁଲ ହେବା ସ୍ୱାଭାବିକ । ସେଥିଲାଗି ରେଫରୀକୁ ସବୁବେଳେ ଅତି ସଜାଗ ରହିବାକୁ ପଡ଼େ-। ‘‘ରେଫରୀ–ଚାର୍ଟ’’ ବହିରେ ଅଫ୍‍ସାଇଡ୍‍ର କେତେକ ଚିତ୍ର ଓ ସେଗୁଡ଼ିକର ବ୍ୟାଖା ଦିଆଯାଇଛି । ତୁମ୍ଭମାନଙ୍କର ସେଗୁଡ଼ିକ ଭଲଭାବେ ପଢ଼ିବା ଦରକାର । ଦୁଇ ତିନିଥର ପଢ଼ିଲେ ଅଫ୍‍ସାଇଡ୍‍ ସମ୍ପର୍କରେ ତୁମ୍ଭମାନଙ୍କର ଏକ ନିର୍ଭୁଲ ଧାରଣା ହେବ ।

 

ଫାଉଲ୍‍ ଓ ଅସଦାଚରଣ–

 

ଅଫ୍‍ସାଇଡ୍‍ କଥା ଏତିକିରେ ସରିଲା । ଏଥର ଫାଇଲ୍‍ କଥା ଆଲୋଚନା କରିବା । ଆଜି ହାଫ୍‍ ଟାଇମ୍‍ ପରେ ଖେଳ ଆରମ୍ଭ ହେବାର ୨/୩ ମିନିଟ ଭିତରେ ରାଣୀହାଟ ଲେଫ୍‍ଟ ବ୍ୟାକ୍‍ ମନି କଲେଜିଏଟ୍‍ ଇନ୍‍ସାଇଡ୍‍ ରାଇଟ୍‍ କୃତ୍ତିବାସକୁ ନିଜ ପେନାଲ୍‍ଟି ଏରିଆ ଭିତରେ ବାଟ ଓଗାଳି କୁଆଡ଼େ ଫାଉଲ୍‍କଲା–ଆଉ ମୁଁ ସେ ଫାଉଲ୍‍ ଯୋଗୁଁ ରାଣୀହାଟ ବିରୁଦ୍ଧରେ ପେନାଲ୍‍ଟି କିକ୍‍ ଦେଲି ନାହିଁ ବୋଲି କଲେଜିଏଟ୍‍ ପିଲାଏ ମୋ ଉପରେ ରାଜି ନିଆଁ ବାଣ ହେଲେ । କଅଣ ପିଲାଏ କଥାଟା ସତ ନା ? କିନ୍ତୁ ଅସଲ କଥା କଅଣ ଜାଣ ? କେଉଁ ଫାଉଲ୍‍ରୁ ପେନାଲ୍‍ଟି କିକ୍‍ ଦିଆଯାଏ ଏବଂ କେଉଁଥିରୁ ଦିଆଯାଏ ନାହିଁ ସେ କଥା ତୁମ୍ଭମାନଙ୍କୁ ଜଣା ନାହିଁ । ସେଥିପାଇଁ ଅଳ୍ପକେ ତୁମ୍ଭମାନେ ମୋ ଉପରେ ରାଗିଛ । ଏହା ଯେ କେବଳ ତୁମର ଦୋଷ ତାହା ମୁଁ କହୁନାହିଁ । ଅଧିକାଂଶ ଲୋକଙ୍କୁ ମଧ୍ୟ ଏକଥା ଜଣା ନାହିଁ । ସେଥିପାଇଁ ଆଗ ଫାଉଲ୍‍ର ନିୟମ କଥା କହି ତା’ପରେ ଆଜିର ଖେଳରେ ଯେଉଁସବୁ ତ୍ରୁଟି ହୋଇଛି ସେ ସବୁ ଆଲୋଚନା କରିବି ।

 

ଫୁଟବଲ ଖେଳରେ ‘‘କଳ’’ ଓ ‘‘ବଳ’’ ଯେ ଆବଶ୍ୟକ ସେ କଥା ତୁମ୍ଭେମାନେ ଜାଣ । କିନ୍ତୁ ଯେତେବେଳେ ‘‘କଳ’’ ଓ ‘‘ବଳ’’ର ମାତ୍ରା ସୀମା ଅତିକ୍ରମ କରେ ଓ ଜଣେ ଖେଳାଳୀ ବିପକ୍ଷର ଆଉ ଜଣେ ଖେଳାଳୀକୁ ଜଖମ କରେ କିମ୍ୱା ଜଖମ କରିବାକୁ ଚେଷ୍ଟା କରେ କିମ୍ୱା ତାକୁ ନିଜର ସ୍ୱାଭାବିକ ଖେଳ ଖେଳିବା ଦିଗରେ ବାଧାଦିଏ, ସେତେବେଳେ ଖେଳରେ ବିଭ୍ରାଟ ଉପୁଜେ । ଏହି ଅତ୍ୟଧିକ ଓ ଗର୍ହିତ ‘‘କଳ’’ ଏବଂ ‘‘ବଳ’’ର ପ୍ରୟୋଗ ହେଲା ଫାଉଲ୍‍ । ଫୁଟବଲ ଖେଳରେ ଏହା ଏକ ଗୁରୁତର ଅପରାଧ । ଏହି ଅପରାଧକୁ ବନ୍ଦ କରିବା ପାଇଁ ଫାଉଲ୍‍ ଏବଂ ଅସଦାଚରଣ (Foul and Misconduct) ନିୟମ ଗଢ଼ା ଯାଇଛି । ଏହି ନିୟମର ସଂଖ୍ୟା ହେଲା ୧୨ ।

 

ବର୍ତ୍ତମାନ ମୂଳ ନିୟମ କ’ଣ କହେ ।

 

ଯଦି କୌଣସି ଖେଳାଳୀ ଜାଣିଶୁଣି ବିପକ୍ଷର ଅନ୍ୟ ଏକ ଖେଳାଳୀକୁ ନିଜ ଦେହର କୌଣସି ଅଙ୍ଗଦ୍ୱାରା ଆଘାତ କରେ କିମ୍ୱା ଆଘାତ କରିବାକୁ ଚେଷ୍ଟା କରେ ବା ତାହାକୁ ନିଜର ସ୍ୱାଭାବିକ ଖେଳ ଖେଳିବା ଦିଗରେ ବାଧା ଦିଏ, ତାହାହେଲେ ପ୍ରଥମୋକ୍ତ ଖେଳାଳୀ ଜଣକ ଫାଉଲ୍‍ କଲା ବୋଲି ଧରାଯିବ ଏବଂ ଯେଉଁ ସ୍ଥାନରେ ଏହି ଅପରାଧ ଘଟିଲା ସେହି ସ୍ଥାନରୁ ଅପରାଧିକାରୀର ଦଳ ବିରୁଦ୍ଧରେ ଗୋଟିଏ ଫ୍ରି କିକ୍‍ ମରାଯିବ । ଅପରାଧର ଗୁରୁତ୍ୱ ଅନୁସାରେ ରେଫରୀ ଅପରାଧକାରୀକୁ ସତର୍କ କିମ୍ୱା ପଡ଼ିଆରୁ ବାହାର କରିଦେଇ ପାରିବେ ।

 

ଫ୍ରି କିକ୍‍ ଜରିଆରେ ଦଣ୍ଡ ଦିଆଯାଉଥିବା ଯୋଗୁଁ ଏଠାରେ ଫ୍ରି କିକ୍‍ ବିଷୟରେ ଚୁମ୍ୱକରେ କହିରଖେ, ପରେ ଏ ବିଷୟରେ ଭଲଭାବେ ଆଲୋଚନା କରିବି । ଫ୍ରି କିକ୍‍ ଦୁଇ ପ୍ରକାର–ଡାରରେକ୍ଟ ଫ୍ରି କିକ୍‍ ଏବଂ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ । ଡାଇରେକ୍ଟ ଫ୍ରି କିକ୍‍ରୁ ଯଦି ବଲ୍‍ ସିଧାସଳଖ ବିପକ୍ଷର ଗୋଲ୍‍ ଭିତରେ ପ୍ରବେଶ କରେ ତେବେ ଗୋଲ୍‍ ହେବ, କିନ୍ତୁ ଇନଡାଇରେକ୍ଟ ଫ୍ରି କିକ୍‍ରୁ ବଲ୍‍ସିଧାସଳଖ ବିପକ୍ଷର ଗୋଲ୍‍ ଭିତରେ ପ୍ରବେଶ କଲେ ଗୋଲ୍‍ ହେବ ନାହିଁ । ଏହିକ୍ଷଣି ଫ୍ରି କିକ୍‍ ସମ୍ୱନ୍ଧରେ ଏତିକି କଥା ମନେ ରଖ ।

 

ଆଚ୍ଛା କେଉଁ କେଉଁ ଅପରାଧରୁ ଫାଉଲ୍‍ ହୁଏ ଶୁଣ ।

 

୧ । ଜଣେ ଖେଳାଳୀ ବିପକ୍ଷର ଏକ ଖେଳାଳୀକୁ ଜାଣିଶୁଣି ଗୋଇଠା ମାରିଲେ କିମ୍ୱା ଗୋଇଠା ମାରିବାକୁ ଚେଷ୍ଟା କଲେ ।

 

୨ । ବିପକ୍ଷର ଜଣେ ଖେଳାଳୀକୁ କଡ଼ରୁ କିମ୍ବା ପଛରୁ ଗୋଡ଼ଦ୍ୱାରା ଛନ୍ଦି ପକାଇ ଦେଲେ କିମ୍ୱା ପକାଇ ଦେବାକୁ ଚେଷ୍ଟା କଲେ କିମ୍ୱା ବିପକ୍ଷର ଖେଳାଳୀ ଆଗରେ ନଇଁପଡ଼ି ତାକୁ ଓଲଟାଇ ଦେଲେ କିମ୍ୱା ଓଲଟାଇବାକୁ ଚେଷ୍ଟା କଲେ ।

 

୩ । କୌଣସି ବିପକ୍ଷ ଖେଳାଳୀ ଉପରକୁ କୁଦିଲେ ।

 

୪ । ମାରାତ୍ମକ ଭାବେ ବିପକ୍ଷର କୌଣସି ଖେଳାଳୀକୁ ଆକ୍ରମଣ କଲେ କିମ୍ବା ଆକ୍ରମଣର ଚେଷ୍ଟା କଲେ ।

 

୫ । ବିପକ୍ଷ ଖେଳାଳୀ ବାଧା ଦେଉ ନଥିଲେ ସୁଦ୍ଧା ତାକୁ ପଛପଟୁ ଧକ୍‍କା (charge)ମାରିଲେ ।

 

୬ । ବିପକ୍ଷ ଦଳର ଖେଳାଳୀକୁ ଆଘାତ କଲେ କିମ୍ୱା ଆଘାତର ଚେଷ୍ଟା କଲେ ।

 

୭ । ବିପକ୍ଷର ଖେଳାଳୀକୁ ହାତ ବା ବାହୁର ଯେ କୌଣସି ଅଂଶଦ୍ୱାରା ଅଟକାଇଲେ ବା ଓଟାରିଲେ ।

 

୮ । ବିପକ୍ଷର ଖେଳାଳୀକୁ ହାତ କିମ୍ୱା ବାହୁଦ୍ୱାରା ଧକ୍‍କା ମାରିଲେ ।

 

୯ । ହାତ କିମ୍ୱା ବାହୁଦ୍ୱାରା ଜାଣିଶୁଣି ବଲ୍‍କୁ ଚାଳନା କଲେ ଫାଉଲ୍‍ ହୁଏ ।

 

ଏହି ୯ଟି ଅପରାଧ ମଧ୍ୟରୁ ଯେ କୌଣସି ଗୋଟିଏ ଅପରାଧ କଲେ ଫାଉଲ୍‍ ଦିଆଯିବ-। ଏଠାରେ ମନେ ରଖିବା ଉଚିତ ଯେ ନବମ ଅପରାଧଟି ସାଧାରଣତଃ ‘‘ହ୍ୟାଣ୍ଡବଲ୍‍’’ ବୋଲି କୁହାଯାଇଥାଏ । ନିଜ ପେନାଲ୍‍ଟି ଏରିଆ ଭିତରେ ଗୋଲ୍‍ କିପର୍‍ ପ୍ରତି ନବମ ଅପରାଧର ଧାରା ପ୍ରଯୁଜ୍ୟ ନୁହେଁ । ଅର୍ଥାତ୍‍ ଗୋଲ୍‍ କିପର୍‍ ନିଜ ପେନାଲ୍‍ଟି ଏରିଆ ଭିତରେ ହାତରେ ବଲ୍‍ ଧରିଲେ କିମ୍ୱା ହାତ ସାହାଯ୍ୟରେ ବଲ୍‍କୁ ସଂଚାଳନ କଲେ ହ୍ୟାଣ୍ଡବଲ୍‍ ହେବ ନାହିଁ । ହାତରେ ବଲ୍‍ ବାଜିଲେ ଯେ ହ୍ୟାଣ୍ଡ ବଲ୍‍ ହେବ–ସେ ଧାରଣା ଭୁଲ । ଯେତେବେଳେ ପର୍ଯ୍ୟନ୍ତ ଖେଳାଳୀ ଜାଣିଶୁଣି ହାତରେ ବଲ୍‍ ନ ମାରିଛି ସେତେବେଳ ପର୍ଯ୍ୟନ୍ତ ସେ ହ୍ୟାଣ୍ଡବଲ୍‍ କଲା ବୋଲି କୁହାଯାଇ ପାରିବ ନାହିଁ । ହ୍ୟାଣ୍ଡବଲ୍‍ ଅପରାଧ ବିଚାର କଲାବେଳେ ରେଫରୀଙ୍କୁ ଖେଳାଳୀର ଉଦ୍ଦେଶ୍ୟ ବିଚାର କରି ରାୟ ଦେବାକୁ ପଡ଼ିବ ।

 

ଉପରୋକ୍ତ ୯ଟି ଅପରାଧ ଭିତରୁ ଯେ କୌଣସି ଗୋଟିଏ ଅପରାଧ ଜଣେ ଖେଳାଳୀ ନିଜ ପେନାଲ୍‍ଟି ଏରିଆ ମଧ୍ୟରେ କଲେ ଅପରାଧକାରୀ ଖେଳାଳୀର ଦଳ ବିରୁଦ୍ଧରେ ପେନାଲ୍‍ଟି କିକ୍‍ ଦିଆଯିବ । ଏହି ୯ଟି ଅପରାଧ ମଧ୍ୟରୁ ଶେଷଟି ବାଦ୍‍ ଦେଲେ ଅନ୍ୟଗୁଡ଼ିକ ଗୋଲ୍‍କିପରଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ, ଅର୍ଥାତ୍‍ ଗୋଲ୍‍ କିପର୍‍ ଯଦି ନିଜ ପେନାଲ୍‍ଟି ଏରିଆ ଭିତରେ ଏହି ୮ଟି ଅପରାଧ ଭିତରୁ ଯେ କୌଣସି ଗୋଟିଏ ଅପରାଧ କରନ୍ତି ତେବେ ତାଙ୍କ ଦଳ ବିରୁଦ୍ଧରେ ପେନାଲ୍‍ଟି କିକ୍‍ ଦିଆଯିବ । ପେନାଲ୍‍ଟି କିକ୍‍ ଫୁଟ୍‍ବଲ ଖେଳର ଚରମ ଦଣ୍ଡ । ତେଣୁ ଏହି ଦଣ୍ଡ ଦେବା ପୂର୍ବରୁ ରେଫରୀ ଅପରାଧକାରୀ ଖେଳାଳୀର ଉଦ୍ଦେଶ୍ୟ ଭଲଭାବେ ପରୀକ୍ଷା କରିବା ଉଚିତ ।

 

ପେନାଲ୍‍ଟି ଏରିଆ ବାହାରେ ଉପରୋକ୍ତ ୯ଟି ଅପରାଧରୁ ଯେ କୌଣସି ଗୋଟିଏ ଘଟିଲେ ଯେଉଁଠାରେ ଅପରାଧ ଘଟିଲା ସେହି ସ୍ଥାନରୁ ଅପରାଧକାରୀର ଦଳ ବିରୁଦ୍ଧରେ ଡାଇରେକ୍ଟ ଫ୍ରି କିକ୍‍ ମରାଯିବ ।

 

ଖେଳ ଚାଲିଥିଲାବେଳେ ପେନାଲଟି ଏରିଆ ମଧ୍ୟରେ ଉପରୋକ୍ତ ୯ଟି ଅପରାଧର ପ୍ରଥମ ୮ଟି ଅପରାଧ ମଧ୍ୟରୁ ଯେ କୌଣସି ଗୋଟିଏ ଅପରାଧ କରାଗଲେ ବଲ୍‍ ଖେଳର ଯେ କୌଣସି ସ୍ଥାନରେ ଥାଉ ନା କାହିଁକି ଅପରାଧୀ ଖେଳାଳୀର ଦଳ ବିରୁଦ୍ଧରେ ପେନାଲ୍‍ଟି କିକ୍‍ ଦିଆଯିବ ।

 

ଏହାଛଡ଼ା ଆହୁରି ୫ଟି ତ୍ରୁଟି ଯୋଗୁଁ ଫାଉଲ୍‍ ଦିଆଯାଇଥାଏ; କିନ୍ତୁ ସେ କ୍ଷେତ୍ରରେ ଦଣ୍ଡବିଧାନ କଲାବେଳେ ଡାଇରେକ୍ଟ ଫ୍ରି କିକ୍‍ ଦିଆଯାଏ । ଏହି ଅତିରିକ୍ତ ୫ଟି ତ୍ରୁଟି ହେଲା :–

 

(କ) ଏଭଳି ଭାବରେ ଖେଳିବା ଯାହା କି ରେଫରୀଙ୍କ ବିବେଚନା ବିପଜ୍ଜନକ ଖେଳ ବୋଲି ଧରାଯିବ, ଯଥା ଯେପରି ଗୋଲ୍‍ କିପର୍‍ ହାତରେ ବଲ୍‍ ଧରିଥିଲାବେଳେ ସେହି ବଲ୍‍କୁ କିକ୍ ମାରିବା ବା କିକ୍‍ ମାରିବାକୁ ଚେଷ୍ଟା କରିବା ।

 

(ଖ) ବଲ୍‍ ଯେତେବେଳେ ବିପକ୍ଷ ଦଳର ଖେଳାଳୀର ଆୟତ୍ତରେ ନାହିଁ, କିନ୍ତୁ ବଲ୍‍ଠାରୁ ତାହାର ଦୂରତ୍ୱ ଏଭଳି ଯେ ସେ ଇଚ୍ଛା କଲେ ବଲ୍‍କୁ ଖେଳି ପାରିବ ନାହିଁ ସେ ଅବସ୍ଥାରେ ଯଦି ବିପକ୍ଷ ଖେଳାଳୀର କାନ୍ଧ ସହିତ ନିଜ କାନ୍ଧ ମିଶାଇ ଆଇନ ସମ୍ମତ ଧକ୍‍କା ମରାଯାଏ ତେବେ ତାହା ଫାଉଲ୍‍ ହେବ ଏବଂ ଯେଉଁ ସ୍ଥାନରେ ଏ ଘଟଣା ଘଟିଲା ସେଠାରୁ ଅପରାଧକାରୀ ଦଳ ବିରୁଦ୍ଧରେ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମରାଯିବ ।

 

(ଗ) ନିଜେ ବଲ୍‍କୁ ନ ଖେଳି ପ୍ରତିପକ୍ଷ ଖେଳାଳୀକୁ ବାଧା ଦେଲେ ଅର୍ଥାତ୍‍ ତାହାର ବାଟ ଓଗାଳିଲା ବା ତାହାର ଗତିରୋଧ କରିବା ଲାଗି ବଲ୍‍ ଖେଳାଳୀ ମଧ୍ୟରେ ଦୌଡ଼ିଲେ ତାହା ଫାଉଲ୍‍ ବୋଲି ଧରାଯିବ ଏବଂ ସେଥିଲାଗି ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମରାଯିବ ।

 

(ଘ) ଗୋଲ୍‍କିପର ନିଜ ଗୋଲ୍‍ ଏରିଆ ଭିତରେ ଅଛି କିନ୍ତୁ ତା ହାତରେ ବଲ୍‍ ନାହିଁ କିମ୍ୱା ସେ ବିପକ୍ଷର କୌଣସି ଖେଳାଳୀକୁ ବାଧା ଦେଉନାହିଁ । ସେଭଳି ଅବସ୍ଥାରେ ଯଦି ଗୋଲ୍‍କିପର୍‍କୁ ବାଧା ଦେଉନାହିଁ । ସେଭଳି ଅବସ୍ଥାରେ ଯଦି ଗୋଲ୍‍କିପର୍‍କୁ ଚାର୍ଜ (Charge) ଅର୍ଥାତ୍‍ ମରାଯାଏ ତେବେ ତାହା ଫାଉଲ୍‍ ହେବ ଏବଂ ସେଥିଲାଗି ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମରାଯିବ ।

 

(ଙ) ଗୋଲ୍‍କିପର୍‍ ହାତରେ ବଲ୍‍ ଧରି ନିଜ ପେନାଲ୍‍ଟି ଏରିଆ ଭିତରେ ୪ ପାହୁଣ୍ଡରୁ ଅଧିକ ଦୌଡ଼ିଲେ ବା ଚାଲିଲେ ତାହା ଫାଉଲ୍‍ ହେବ ଏବଂ ସେଥିଲାଗି ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମରାଯିବ ।

 

ଚାର୍ଯ ବା କାୟିକ ସଂଘର୍ଷ–ଏ ପର୍ଯ୍ୟନ୍ତ ଯାହା କହିଲି ସେଥିରୁ ତୁମ୍ଭମାନଙ୍କର ଧାରଣା ହୋଇପାରେ ଯେ ଫୁଟ୍‍ବଲ୍‍ ଖେଳରେ ଦେହରେ ଦେହ ବାଜିଲେ ଫାଉଲ୍‍ ହେବ । କିନ୍ତୁ ସେଭଳି ଧାରଣା ଠିକ୍‍ ନୁହେଁ । କେତେକ ଅବସ୍ଥାରେ ଦେହକୁ ଦେହ ଲଗାଇ ବିପକ୍ଷର ଖେଳାଳୀକୁ ଠେଲିଦିଆଯାଇ ପାରେ । ଏଭଳି ଠେଲିଦେବାକୁ ଫୁଟବଲ୍‍ ଖେଳର ଭାଷାରେ ଚାର୍ଯ ବା କାୟିକ ସଂଘର୍ଷ କୁହାଯାଏ । ମନେକରାଯାଉ ଯେ ଖେଳର କୌଣସି ଏକ ସମୟରେ ଉଭୟ ଦଳର ଦୁଇଜଣ ଖେଳାଳୀ ବଲ୍‍ ସହ ପାଖାପାଖି ଦୌଡ଼ୁଛନ୍ତି । ଜଣକ ଆୟତ୍ତରେ ବଲ୍‍ ଅଛି ଓ ଅନ୍ୟ ଜଣକ ବଲ୍‍କୁ ନିଜ ଆୟତ୍ତକୁ ଆଣିବାକୁ ଚେଷ୍ଟା କରୁଛି । ଏଭଳି ଭାବେ ଦୌଡ଼ିଲାବେଳେ ଯେଉଁ ଜଣକ ଆୟତ୍ତରେ ବଲ୍‍ ନାହିଁ ସେ ଅନ୍ୟ ଜଣକ କାନ୍ଧ ସହିତ ନିଜ କାନ୍ଧ ମିଶାଇ ତାକୁ ଠେଲି ଦେଇପାରେ । ଏ ପ୍ରକାର ଠେଲା ନିୟମସିଦ୍ଧ, ଫାଉଲ୍‍ ନୁହେଁ । ଏହାକୁ ସୋଲ୍‍ଡର ଚାର୍ଯ (Shoulder Charge)ବା କାନ୍ଧମିଶା ଚାର୍ଯ କୁହାଯାଏ । ସୋଲ୍‍ଡର ଚାର୍ଯ ବେଳେ ଉଭୟ ଖେଳାଳୀଙ୍କ କାନ୍ଧ ପରସ୍ପର ସହିତ ଲାଗିବା ଆବଶ୍ୟକ ।

 

ଅନେକ ସମୟରେ ଜଣେ ଖେଳାଳୀକୁ ବାଟ ଓଗାଳିବାର ଦେଖାଯାଏ । ଏଭଳି ଅବସ୍ଥାରେ ଯାହାକୁ ବାଟ ଓଗଳାଯାଉଛି ସେ ଇଚ୍ଛା କଲେ ଅପର ଜଣକୁ ନିଜ କାନ୍ଧ ବା ଛାତି ଦ୍ୱାରା ଠେଲି ଦେଇପାରେ । କିନ୍ତୁ ଏ ପ୍ରକାର ଠେଲିବା ଆଦୌ ବିପଜ୍ଜନକ ହେବା ଉଚିତ ନୁହେଁ । ଠେଲା ବିପଜ୍ଜନକ ହେଲେ ତାହା ଫାଉଲ ବୋଲି ଧରାଯିବ ।

 

ଚାର୍ଯ ତ ଦୂରର କଥା ଖେଳ ଭିତରେ ଗୋଲ୍‍ କିପର୍‍ଙ୍କୁ ଛୁଆଁ ଯାଇପାରିବ ନାହିଁ ବୋଲି ଅନେକଙ୍କର ଧାରଣା । କିନ୍ତୁ ଏ ଧାରଣା ଠିକ୍‍ନୁହେଁ । କେତେକ ଅବସ୍ଥାରେ ଗୋଲ୍‍ କିପର୍‍ଙ୍କୁ ମଧ୍ୟ ଚାର୍ଯ କରାଯାଇପାରେ । ଯେମିତି–

 

ଗୋଲ୍‍କିପର୍‍ ବଲ୍‍ ସହ ବିପକ୍ଷର କୌଣସି ଖେଳାଳୀର ଗତିରୋଧ କରୁଥିଲେ, କିମ୍ୱା ହାତରେ ବଲ୍‍ଧରି ନିଜ ଗୋଲ୍‍ ଆଡ଼କୁ ମୁଁହ କରିଥିଲାବେଳେ ବିପକ୍ଷର ଖେଳାଳୀ ତାହାକୁ କାନ୍ଧରେ କାନ୍ଧ ଲଗାଇ ଠେଲି ଦେଇପାରେ । ଏଭଳି ଠେଲିବା ଫଳରେ ଗୋଲ୍‍ କିପର୍‍ ଯଦି ବଲ୍‍ ସହ ଗୋଲ୍‍ଲାଇନ୍‍ ଅତିକ୍ରମ କରି ଗୋଲ୍‍ ଭିତରକୁ ଚାଲିଯାଏ ତେବେ ତାହା ଗୋଲ୍‍ ହେବ । କିନ୍ତୁ କୌଣସି ଅବସ୍ଥାରେ ଗୋଲ୍‍କିପର୍‍କୁ ପେନାଲ୍‍ଟି ଏରିଆ ଭିତରେ ଗୋଡ଼ ଦ୍ୱାରା ଚାର୍ଯ କରାଯାଇ ପାରିବ ନାହିଁ । ଏଭଳି ଚାର୍ଯ ସାଧାରଣତଃ ଅସଦାଚରଣ ବୋଲି ବିବେଚିତ ହୁଏ ଏବଂ ଏଥିପାଇଁ ଅପରାଧକାରୀର ଦଳ ବିରୁଦ୍ଧରେ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ଦିଆଯାଏ ।

 

ସତର୍କୀକରଣ–ଅଭଦ୍ର ବ୍ୟବହାର ବା ଅସଦାଚରଣ ଫାଉଲ୍‍ ରୂପେ ବିବେଚିତ ହୁଏ । ଅସତ୍‍ ଆଚରଣ ଲାଗି ରେଫରୀ ଅପରାଧୀ ଖେଳାଳୀକୁ ସତର୍କ କରିପାରନ୍ତି, ଏପରି କି ଘଟଣାର ଗୁରୁତ୍ୱ ଅନୁସାରେ ତାକୁ ପଡ଼ିଆରୁ ବାହାର ମଧ୍ୟ କରି ଦେଇପାରନ୍ତି । ଯେଉଁ ଅପରାଧ ଲାଗି ଖେଳାଳୀକୁ ସତର୍କ (Caution)କରାଯାଏ ତାହା ହେଲା–

 

୧) ଖେଳ ଆରମ୍ଭହେବା ପରେ ଯଦି କୌଣସି ଖେଳାଳୀ ରେଫରୀଙ୍କର ଅନୁମତି ନ ନେଇ ଖେଳରେ ଯୋଗଦିଏ ବା ପଡ଼ିଆରୁ ବାହାରି ଯାଏ, ବା କୌଣସି କାରଣରୁ ରେଫରୀଙ୍କ ଜ୍ଞାତସାରରେ ଥରେ ପଡ଼ିଆରୁ ବାହାରି ଗଲାପରେ ତାଙ୍କୁ ନ ଜଣାଇ ପୁଣି ଖେଳରେ ଯୋଗଦିଏ ତେବେ ସେ ଅସତ୍‍ଆଚରଣ କଲା ବୋଲି ବିବେଚନା କରାଯିବ ଏବଂ ସେଥିଲାଗି ରେଫରୀ ତାକୁ ସତର୍କ କରିବେ । ଏଠାରେ ମନେରଖିବା ଉଚିତ ଯେ ରେଫରୀଙ୍କ ବିନାନୁମତିରେ କୌଣସି ଖେଳାଳୀ ଆହତ ହେବା ଛଡ଼ା ପଡ଼ିଆରୁ ବାହାରି ଯାଇ ପାରିବ ନାହିଁ କିମ୍ୱା ପ୍ରବେଶ କରି ଖେଳରେ ଯୋଗ ଦେଇ ପାରିବ ନାହିଁ । ଏଭଳି ଘଟଣା ଘଟିଲେ ରେଫରୀ ଖେଳ ବନ୍ଦ କରି ଦୋଷୀ ଖେଳାଳୀକୁ ସତର୍କ କରିବେ, ତା ପରେ ଯେଉଁ ସ୍ଥାନରେ ଖେଳାଳୀର ଏହି ତ୍ରୁଟି ଯୋଗୁଁ ଖେଳ ସାମୟିକଭାବେ ବନ୍ଦ ରାଖାଯାଇଥିଲା, ସେହି ସ୍ଥାନରୁ ବିପକ୍ଷ ଦଳକୁ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେଇ ଖେଳ ଆରମ୍ଭ କରିବେ । ରେଫରୀଙ୍କ ଠାରୁ ନିର୍ଦ୍ଦିଷ୍ଟ ସଙ୍କେତ ପାଇଲେ ଖେଳାଳୀ ପଡ଼ିଆରୁ ବାହାରି ଯାଇପାରିବ ବା ପଡ଼ିଆରେ ପ୍ରବେଶ କରି ଖେଳରେ ଯୋଗ ଦେବ । ଯଦି ଖେଳାଳୀ ଏହାଠାରୁ ଅଧିକ ଗୁରୁତର ଅପରାଧ କରିଥାଏ, ତେବେ ରେଫରୀ ଉପଯୁକ୍ତ ନିୟମାନୁସାରେ ତାହାକୁ ଦଣ୍ଡିତ କରିବେ ।

 

୨) ଯଦି ଜଣେ ଖେଳାଳୀ ବାରମ୍ୱାର ନିୟମ ଭଙ୍ଗ କରେ, ତେବେ ରେଫରୀ ତାକୁ ସତର୍କ କରିଦେବେ ।

 

୩) ରେଫରୀଙ୍କ ସିଦ୍ଧାନ୍ତ ବିରୁଦ୍ଧରେ କୌଣସି ଖେଳାଳୀ ଭାଷା ବା ଭଙ୍ଗୀରେ ଅମତ ପ୍ରକାଶ କଲେ ରେଫରୀ ତାକୁ ସତର୍କ କରିଦେବେ ।

 

୪) ଖେଳ ଚାଲିଥିଲାବେଳେ କୌଣସି ଖେଳାଳୀ ଅସଙ୍ଗତ ବା ଅଭଦ୍ର ବ୍ୟବହାର ଯଥା ଗାଳିଗୁଲଜ କଲେ ବା ଅନ୍ୟକୁ ମାରିଲେ କିମ୍ୱା ମାରିବାକୁ ଉଦ୍ୟତ ହେଲେ ରେଫରୀ ତାକୁ ସତର୍କ କରିଦେବେ ।

 

୫) ଯଦି ଜଣେ ଗୋଲ୍‍କିପର୍‍ ଜାଣିଶୁଣି ବଲ୍‍ ଉପରେ ଅଯଥା ଶୋଇ ରହେ ତେବେ ଅସଦାଚରଣ ଲାଗି ତାକୁ ସତର୍କ କରି ଦିଆଯିବ ।

 

୬) ଯଦି ଜଣେ ଖେଳାଳୀ ବିପକ୍ଷର ଅନ୍ୟ ଜଣେ ଖେଳାଳୀ ସହିତ କାୟିକ ସଂଘର୍ଷ ନ କରି ତାହାର ବାଟ ଓଗାଳେ କିମ୍ୱା ତା ଆଗରେ ନିଜର ଦୁଇ ବାହୁ ବା ଗୋଡ଼କୁ ଏପଟ ସେପଟ କରି ତାହାର ସ୍ୱାଭାବିକ ଖେଳ ଖେଳିବାରେ ବାଧା ଉପୁଜାଏ ତେବେ ରେଫରୀ ପ୍ରଥମୋକ୍ତ ଖେଳାଳୀର ଆଚରଣ ଗର୍ହିତ ବୋଲି ମଣି ତାକୁ ସତର୍କ ବା ତାଗିଦ କରିଦେବେ । ସେହିପରି ଗୋଲ୍‍କିପର୍‍ ବଲ୍‍ହାତରେ ଧରି ତାହାକୁ ନିରାପଦ ଅଞ୍ଚଳକୁ ପଠାଇବାର ଉପକ୍ରମ କରୁଥିଲାବେଳେ ବିପକ୍ଷର ଜଣେ ଖେଳାଳୀ ଯଦି କାୟିକ ସଂଘର୍ଷ ନ କରି ବାଟ ଓଗାଳେ ଓ ଗୋଲ୍‍କିପର୍‍ର କାର୍ଯ୍ୟରେ ବାଧା ଦିଏ ତେବେ ତାହା ଅସଦାଚରଣ ବୋଲି ରେଫରୀଙ୍କ ଦ୍ୱାରା ବିବେଚିତ ହେବ ଏବଂ ଦୋଷୀ ଖେଳାଳୀକୁ ସେଥିପାଇଁ ତାଗିଦ କରି ଦିଆଯିବ ।

 

ତାଗିଦ୍‍ ବା ସତର୍କ କଲାବେଳେ ଖେଳ ସାମୟିକଭାବେ ବନ୍ଦ ରହିବ । ତାଗିଦ୍‍ କଲାପରେ, ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି ସେହି ସ୍ଥାନରୁ ସତର୍କିତ ଖେଳାଳୀର ଦଳ ବିରୁଦ୍ଧରେ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେଇ ରେଫରୀ ପୁଣି ଖେଳ ଆରମ୍ଭ କରାଇବେ ।

 

୭) ହାଫ୍‍ଟାଇମ୍‍ ଅର୍ଥାତ୍‍ ମଧ୍ୟବର୍ତ୍ତୀ କାଳୀନ ବିରତି ସମୟରେ ଯଦି କୌଣସି ଖେଳାଳୀ ବିପକ୍ଷର ଜଣେ ବା ଅଧିକ ଖେଳାଳୀକୁ ମାଡ଼ ମାରେ ବା ରେଫରୀଙ୍କ ସହିତ ଅଭଦ୍ର ଆଚରଣ କରେ, ତାହାହେଲେ ଖେଳ ଚାଲିଥିଲାବେଳେ ଖେଳାଳୀମାନଙ୍କ ପ୍ରତି ଯେଉଁଭଳି ନିୟମ ପ୍ରୟୋଗ କରାଯାଏ ଏ କ୍ଷେତ୍ରରେ ମଧ୍ୟ ସେହିପରି ନିୟମ ପ୍ରୟୋଗ କରାଯାଇ ଦୋଷୀ ଖେଳାଳୀକୁ ତାଗିଦ୍‍ କରାଯିବ । ତେବେ ବିରତିବେଳେ ଘଟଣାଟି ଘଟିଥିବା ଯୋଗୁଁ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ଜରିଆରେ ଖେଳ ପୁନଃ ଆରମ୍ଭ କରିବାର ପ୍ରଶ୍ନ ଏ କ୍ଷେତ୍ରରେ ଉଠିବ ନାହିଁ ।

 

ବହିଷ୍କାର–

 

ଅନେକ ସମୟରେ ଗୁରୁତର ଅପରାଧ ବା ଅଭଦ୍ର ବ୍ୟବହାର ଲାଗି ଖେଳାଳୀକୁ ପଡ଼ିଆରୁ ବାହାର କରି ଦିଆଯାଇପାରେ । ଦଣ୍ଡ ଦେବା ପୂର୍ବରୁ ରେଫରୀଙ୍କର ଅପରାଧର ଗୁରୁତ୍ୱ ଭଲଭାବେ ବିଚାର କରିବା ଆବଶ୍ୟକ । ସାଧାରଣତଃ ଦୁଇ ପ୍ରକାର ଦୋଷ ପାଇଁ ଏ ଶାସ୍ତି ଦିଆଯାଏ । ସେଗୁଡ଼ିକ ହେଲା :–

 

୧) ଯଦି କୌଣସି ଖେଳାଳୀ ପଡ଼ିଆ ଭିତରେ ଗର୍ହିତ ଆଚରଣ ଯଥା ଅଭଦ୍ର ଭାଷା ବ୍ୟବହାର, ଗାଳିଗୁଲଜ ବା ବିପକ୍ଷର ଖେଳାଳୀକୁ ଜଖମ କରିବା ଉଦ୍ଦେଶ୍ୟରେ ବିପଦଜ୍ଜନକ ଖେଳ ଖେଳ ତେବେ ରେଫରୀ ଇଚ୍ଛା କଲେ ଅପରାଧୀକୁ ତତ୍‍କ୍ଷଣାତ୍‍ ପଡ଼ିଆରୁ ବାହାର କରିଦେଇ ପାରିବେ ।

 

୨) ଜଣେ ଖେଳାଳୀ ସତର୍କିତ ହେବା ପରେ ପୁଣି ଅସଦାଚରଣ କଲେ ତାକୁ ରେଫରୀ ପଡ଼ିଆରୁ ବାହାର କରିଦେବେ ।

 

ଖେଳାଳୀକୁ ପଡ଼ିଆରୁ ବାହାର କରିଦେବା ପରେ ଯେଉଁ ସ୍ଥାନରେ ଖେଳ ବନ୍ଦ ରଖାଯାଇଥିଲା ସେହି ସ୍ଥାନରୁ ଅପରାଧକାରୀର ଦଳ ବିରୁଦ୍ଧରେ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମରାଯିବ । ଏସବୁ ବିଷୟରେ ରେଫରୀଙ୍କର ସିଦ୍ଧାନ୍ତ ଚୂଡ଼ାନ୍ତ । ଖେଳ ଚାଲିଥିଲାବେଳେ ରେଫରୀ ଙ୍କର କୌଣସି ସିଦ୍ଧାନ୍ତର ପ୍ରତିବାଦ କରିବା ଅସଦାଚରଣ ବୋଲି ଧରାଯାଏ । ତେଣୁ ଖେଳାଳୀମାନଙ୍କର ଏସବୁ ତ୍ରୁଟି ପ୍ରତି ସଜାଗ ରହିବା ଉଚିତ ।

 

କୌଣସି ଖେଳାଳୀକୁ ଥରେ ପଡ଼ିଆରୁ ବାହାର କଲାପରେ ସେ ଦିନର ଖେଳରେ ତାଙ୍କୁ ପୁଣି ଖେଳିବାକୁ ଅନୁମତି ଦିଆଯାଇ ପାରିବ ନାହିଁ । ଖେଳ ଶେଷ ହେବାର ଦୁଇଦିନ ମଧ୍ୟରେ ଯେଉଁମାନଙ୍କୁ ସତର୍କ କିମ୍ୱା ପଡ଼ିଆରୁ ବାହାର କରି ଦିଆଯାଇଛି ସେମାନଙ୍କ ସମ୍ପର୍କରେ ରେଫରୀ ଆସୋସିଏସନ୍‍କୁ ଏକ ରିପୋର୍ଟ ଦେବେ ।

 

ଫିଫାର ସିଦ୍ଧାନ୍ତ

 

ଫାଉଲ୍‍ ଓ ଅସଦାଚରଣର ଏହା ହେଲା ଏକ ମୋଟାମୋଟି ଆଲୋଚନା । ଏ ସମ୍ପର୍କରେ ଆନ୍ତର୍ଜାତିକ ଫୁଟବଲ ସଂସ୍ଥା ଫିଫାର ସିଦ୍ଧାନ୍ତ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଏବଂ ସେଗୁଡ଼ିକ ତୁମ୍ଭମାନଙ୍କର ଜାଣିବା ଉଚିତ । ସେଗୁଡ଼ିକ ହେଲା–

 

୧) ଯଦି ଗୋଲ୍‍କିପର୍‍ ବିପକ୍ଷର ଆକ୍ରମଣକାରୀ ଖେଳାଳୀ ମୁହଁକୁ ବା ଦେହକୁ ବଲ୍ ଫୋପାଡ଼ି ମାରେ ତେବେ ରେଫରୀ ତାହାକୁ ସତର୍କ କରିଦେବେ ଏବଂ ଯେଉଁ ସ୍ଥାନରେ ଏହି ଘଟଣା ଘଟିଲା ସେହି ସ୍ଥାନରୁ ବିପକ୍ଷ ଦଳକୁ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ । କିନ୍ତୁ ବଲ୍‍ ଧରିଥିବା ଅବସ୍ଥାରେ ଗୋଲ୍‍କିପର୍‍ ଯଦି ନିଜ ପେନାଲ୍‍ଟି ଏରିଆ ଭିତରେ ବିପକ୍ଷର କୌଣସି ଖେଳାଳୀକୁ ଧକ୍‍କା ମାରେ ତେବେ ତାହା ଇଚ୍ଛାକୃତ ଫାଉଲ୍‍ ବୋଲି ଧରାଯିବ ଏବଂ ସେ ଅପରାଧ ଲାଗି ରେଫରୀ ପେନାଲ୍‍ଟି କିକ୍ ମାରିବାକୁ ନିର୍ଦ୍ଦେଶ ଦେବେ ।

 

୨) କୌଣସି ଖେଳାଳୀ ବିପକ୍ଷର ଖେଳାଳୀଠାରୁ ବଲ୍‍ କାଢ଼ିନେବାକୁ ବା ନିଜେ ଖେଳିବାକୁ ଚେଷ୍ଟା କଲାବେଳେ ଯଦି ବିପକ୍ଷର ଖେଳାଳୀ ତାହା ଆଡ଼କୁ ପିଠି ଦେଖାଇ ଛିଡ଼ା ହୁଏ ତେବେ ସେହି ବାଧା ଦାନକାରୀ ଖେଳାଳୀକୁ ପଛପଟୁ ଚାର୍ଯ (Charge) କରାଯାଇପାରେ । ତେବେ ସେ ଚାର୍ଯ ମାରାତ୍ମକ ଧରଣର ହେବା ଉଚିତ୍‍ ନୁହଁ ।

 

୩) ନିଜ ଗୋଲ୍‍ଏରିଆ ଭିତରେ ଗୋଲ୍‍କିପର୍‍ ରହିଛି କିନ୍ତୁ ତାହା ହାତରେ ବଲ୍‍ ନାହିଁ, ଏଭଳି ଅବସ୍ଥାରେ ବିପକ୍ଷର କୌଣସି ଖେଳାଳୀ ଯଦି ଗୋଲ୍‍କିପର୍‍ ସଙ୍ଗେ କାୟିକ ସଂଘର୍ଷ କରେ ତେବେ ରେଫରୀ ତତ୍‍କ୍ଷଣାତ୍‍ ଖେଳ ବନ୍ଦ କରି ଆଘାତକାରୀର ଉଦ୍ଦେଶ୍ୟ ବୁଝିବାକୁ ଚେଷ୍ଟା କରିବେ । ଯଦି ରେଫରୀ ମନେ କରନ୍ତି ଯେ ଆଘାତକାରୀ ଜାଣିଶୁଣି ଗୋଲ୍‍କିପର୍‍କୁ ଆଘାତ କରିଛି ତେବେ ସେ ସେହି ସ୍ଥାନରୁ ଆଘାତକାରୀ ଖେଳାଳୀର ଦଳ ବିରୁଦ୍ଧରେ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ ।

 

୪) ଯଦି କୌଣସି ଖେଳାଳୀ ବଲ୍‍ ହେଡ୍‍ କରିବା ଉଦ୍ଦେଶ୍ୟରେ ନିଜ ଆଗରେ ଛିଡ଼ା ହୋଇଥିବା ସ୍ୱପକ୍ଷର ଖେଳାଳୀର କାନ୍ଧ ଉପରେ ଭରା ଦେଇ ଉପରକୁ ଉଠି ବଲ୍‍ ହେଡ୍‍ କରେ ତେବେ ରେଫରୀ ହେଡ୍‍ କରିଥିବା ଖେଳାଳୀକୁ ଅଭଦ୍ର ଆଚରଣ ପାଇଁ ସତର୍କ କରିଦେବେ ଏବଂ ବିପକ୍ଷ ଦଳକୁ ସେହି ସ୍ଥାନରୁ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ ।

 

୫) ଖେଳ ଆରମ୍ଭ ହେବା ପରେ କୌଣସି ଖେଳାଳୀ ( ଯେ କି ମୂଳରୁ ଯୋଗ ଦେଇନାହିଁ) ଖେଳରେ ଯୋଗ ଦେବାକୁ ଚାହିଁଲେ ବା କୌଣସି କାରଣରୁ ରେଫରୀଙ୍କ ଅନୁମତି ନେଇ ଅଳ୍ପ ସମୟ ପାଇଁ ପଡ଼ିଆ ବାହାରକୁ ଯାଇଥିଲେ ଏବଂ ପରେ ଖେଳରେ ଯୋଗ ଦେବାକୁ ଇଚ୍ଛା କଲେ ତାକୁ ଟଚ୍‍ଲାଇନର ବାହାରପଟେ ଛିଡ଼ାହୋଇ ରେଫରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପଡ଼ିବ । ରେଫରୀ ତାଙ୍କୁ ଖେଳରେ ଯୋଗ ଦେବାକୁ ସଙ୍କେତ ଦେଲେ ସେ ପଡ଼ିଆ ଭିତରେ ପଶି ଖେଳରେ ଯୋଗ ଦେବ । କେତେବେଳେ ରେଫରୀ ଖେଳାଳୀକୁ ସେ ପ୍ରକାର ସମ୍ମତିସୂଚକ ସଙ୍କେତ ଦେବେ, ତାହା ସମ୍ପୂର୍ଣ୍ଣ ରୂପେ ରେଫରୀଙ୍କର ବିବେଚନା ଉପରେ ନିର୍ଭର କରେ । ସଙ୍କେତ ନ ପାଇବା ପର୍ଯ୍ୟନ୍ତ ଖେଳାଳୀ ପଡ଼ିଆ ଭିତରେ ପଶି ପାରିବ ନାହିଁ । ପଡ଼ିଆ ଭିତରେ ପଶିଲାବେଳେ ତାକୁ ଟଚ୍‍ଲାଇନ୍‍ ଅତିକ୍ରମ କରିବାକୁ ପଡ଼ିବ–ଗୋଲ୍‍ଲାଇନ୍‍ ନୁହଁ ।

 

୬) ରେଫରୀଙ୍କର ଅନୁମତି ବିନା ଯେଉଁ ଖେଳାଳୀ ପଡ଼ିଆରେ ପ୍ରବେଶ ବା ପୁନଃପ୍ରବେଶ କରିବ ରେଫରୀ ତାକୁ ଯେ କେବଳ ସତର୍କ କରିଦେବେ ତାହା ନୁହେଁ, ଯେଉଁ ସ୍ଥାନରେ ନିୟମ ଲଙ୍ଘନ କରାଗଲା ସେହି ସ୍ଥାନରେ ବଲ୍‍କୁ ଡ୍ରପ୍‍ ପକାଇ ଖେଳ ଆରମ୍ଭ କରାଇବେ-। ଖେଳାଳୀକୁ ସତର୍କ କରିବା ପାଇଁ ଯଦି ଖେଳ ବନ୍ଦ କରାଯାଇଥିବ, ତେବେ ଖେଳ ପୁଣି ଆରମ୍ଭ କଲାବେଳେ ଯେଉଁଠାରେ ନିୟମ ଲଙ୍ଘନ କରାଯାଇଛି, ସେହିଠାରେ ଡ୍ରପ୍‍ ପକାଇ ଆରମ୍ଭ କରାଯିବ । ଯଦି ଖେଳାଳୀ ଅଧିକ କିଛି ଦୋଷ କରିଥାଏ ତେବେ ସେ ତତ୍‍ସମ୍ପର୍କିତ ନିୟମ ଅନୁସାରେ ଦଣ୍ଡିତ ହବ ।

 

୭) ବଲ୍‍କୁ ହାତରେ ଧରି ଏକାଦିକ୍ରମେ ୪ ପାହୁଣ୍ଡରୁ ଅଧିକ ଆଗେଇବା ଯେ ଗୋଲ୍‍କିପର୍‍ ପକ୍ଷରେ ନିୟମବିରୁଦ୍ଧ କଥା ତାହା ସମସ୍ତଙ୍କୁ ଜଣା । ସେଥିପାଇଁ ଅନେକ ଗୋଲ୍‍କିପର୍‍ ୪ ପାହୁଣ୍ଡ ଯିବା ପୂର୍ବରୁ ଥରେ ବଲ୍‍କୁ ବାଉନ୍‍ସ (Bounce) କରାଇ (ଅର୍ଥାତ୍‍ ବଲ୍‍କୁ ମାଟିରେ ଫିଙ୍ଗି ଏବଂ ତାହା ଛିଟିକି ପୁଣି ଉପରକୁ ଉଠିବାମାତ୍ରେ ତାହାକୁ ହାତରେ ଧରି) ଆହୁରି ୪ ପାହୁଣ୍ଡ ଯିବାକୁ ଚେଷ୍ଟା କରନ୍ତି । କିନ୍ତୁ ୧୯୬୭ ମସିହାରେ ଆନ୍ତର୍ଜାତିକ ରେଫରୀ ଆସୋସିଏସନ୍‍ ବୋର୍ଡ ଯେଉଁ ସିଦ୍ଧାନ୍ତ ଗ୍ରହଣ କରିଛି ତାହା ଅନୁସାରେ ଗୋଲ୍‍କିପର୍‍ ପକ୍ଷରେ ଏପରି କରିବା ମଧ୍ୟ ନିୟମବିରୁଦ୍ଧ । ଗୋଲ୍‍କିପର୍‍ ଥରେ ହାତରେ ବଲ୍‍ ଧରିଲେ କୌଣସି ପ୍ରକାରେ ଅର୍ଥାତ୍‍ ତାହାକୁ ଉପରକୁ ଫିଙ୍ଗି ଓ ପୁଣି ହାତରେ ଧରି ବା ବଲ୍‍କୁ ବାଉନ୍‍ସ କରି ୪ ପାହୁଣ୍ଡରୁ ଅଧିକ ଆଗେଇ ପାରିବ ନାହିଁ । ଗୋଲ୍‍କିପର୍‍ଥରେ ବଲ୍‍ହାତରେ ଧରିଲେ ୪ ପାହୁଣ୍ଡ ଯିବାମାତ୍ରେ ଅନ୍ୟ ଜଣେ ଖେଳାଳୀ ଖେଳିବାପାଇଁ ବଲ୍‍ଟିକୁ ଛାଡ଼ିବାକୁ ପଡ଼ିବ । ଏହାର ଅନ୍ୟଥା ହେଲେ ସେ ନିୟମ ଲଙ୍ଘନ କଲା ବୋଲି ଧରାଯିବ ଏବଂ ଯେଉଁ ସ୍ଥାନରେ ଏହି ତ୍ରୁଟି ଘଟିଲା ସେହି ସ୍ଥାନରୁ ଗୋଲ୍‍କିପର୍‍ର ଦଳ ବିରୁଦ୍ଧରେ ଇନ୍‍ଡାଇରେକ୍ଟ ଫ୍ରି କିକ୍ ମରାଯିବ ।

 

୮) ରେଫରୀ ଯଦି ମନେ କରନ୍ତି ଯେ ଗୋଲ୍‍କିପର୍‍ କୌଣସି କୌଶଳ ଯୋଗୁଁ ଅଯଥା ସମୟ ନଷ୍ଟ ହେଉଛି ଏବଂ ଏହା ଫଳରେ ଗୋଲ୍‍କିପର୍‍ ଦଳ ଅବୈଧ ସୁବିଧା ପାରିଛି, ତାହାହେଲେ ସେ ଗୋଲ୍‍କିପର୍‍କୁ ଦୋଷୀ ସାବ୍ୟସ୍ତ କରି ଯେଉଁଠାରେ ଏ ଘଟଣା ଘଟିଲା ସେହିଠାରୁ ବିପକ୍ଷ ଦଳକୁ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ ।

 

୯) ରେଫରୀ ଯଦି ମନେ କରନ୍ତି ଯେ ବଲ୍‍ ଉପରେ ହାମୁଡେଇବା ଲାଗି ଯେତେ ସମୟ ଦରକାର ତାହାଠାରୁ ଅଧିକ ସମୟ ଗୋଲ୍‍କିପର୍‍ ଜାଣିଶୁଣି ହାମୁଡ଼େଇ ରହିଛି ତାହାହେଲେ ସେ ତତ୍‍କ୍ଷଣାତ୍‍ ଗୋଲ୍‍କିପର୍‍କୁ ସତର୍କ କରିଦେବେ ଏବଂ ଯେଉଁ ସ୍ଥାନରେ ଏହି ଘଟଣା ଘଟିଲା ସେହି ସ୍ଥାନରୁ ବିପକ୍ଷକୁ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍ ମାରିବାକୁ ନିର୍ଦ୍ଦେଶ ଦେବେ । ଯଦି ଗୋଲ୍‍କିପର୍‍ ପୁନରାୟ ଏ ଦୋଷ କରେ ତେବେ ରେଫରୀ ଇଚ୍ଛା କଲେ ତାହାକୁ ପଡ଼ିଆରୁ ବାହାର କରିଦେବେ ।

 

୧୦) ବିପକ୍ଷର ଖେଳାଳୀକୁ ବଲ୍‍ ନ ଖେଳିବାକୁ ଦେବା ଉଦ୍ଦେଶ୍ୟରେ ଯଦି କୌଣସି ଖେଳାଳୀ ନିଜେ ବଲ୍‍କୁ ସ୍ପର୍ଶ ନ କରି ସୁଦ୍ଧା ତାହାକୁ ନିଜ ଆୟତ୍ତରେ ରଖେ ତେବେ ସେ ଖେଳରେ ବାଧା ଦେଉଥିବା ସମ୍ପର୍କୀୟ ମୂଳ ନିୟମର ତୃତୀୟ ଧାରା ଲଙ୍ଘନ କରୁନାହିଁ ବୋଲି ଧରାଯିବ । କାରଣ ବଲ୍‍ ତାହାର ଆୟତ୍ତରେ ଥିବା ଯୋଗୁଁ ବଲ୍‍ ଉପରେ ସେ ପ୍ରଥମେ ଅଧିକାର ପାଇଛି ଏବଂ ଖେଳିବାର କୌଶଳ ଯୋଗୁଁ ବଲ୍‍କୁ ନ ଛୁଇଁ ମଧ୍ୟ ନିଜ ଆୟତ୍ତରେ ରଖିଛି । ଏହାର ଅର୍ଥ ହେଲା ସେ ପ୍ରକୃତରେ ବଲ୍‍କୁ ଖେଳୁଛି, ବିପକ୍ଷକୁ ବାଧା ଦେଉ ନାହିଁ । ଏ ଅବସ୍ଥାରେ ସେ ବଲ୍‍କୁ ଖେଳୁଛି ବୋଲି ତାକୁ ଚାର୍ଯ କରାଯାଇ ପାରିବ ।

 

୧୧) ପ୍ରତିପକ୍ଷକୁ ବାଧା ଦେବା ଉଦ୍ଦେଶ୍ୟରେ ଯଦି କୌଣସି ଖେଳାଳୀ କାୟିକ ସଂଘର୍ଷ ନ କରି ସୁଦ୍ଧା ଜାଣି ଜାଣି ଦୁଇ ବାହୁକୁ ମେଲାଇ ବା ଦୁଇ ବାହୁକୁ ଉପର ତଳ କରିବା ସଙ୍ଗେ ସଙ୍ଗେ ଏପଟ ସେପଟ ପାଦ ପକାଏ ଏବଂ ତାହା ଫଳରେ ପ୍ରତିପକ୍ଷର ଖେଳାଳୀକୁ ଅପେକ୍ଷା କରିବାକୁ ପଡ଼େ କିମ୍ୱା ଗତିପଥ ବଦଳାଇବାକୁ ପଡ଼େ ତେବେ ରେଫରୀ ସେ ଖେଳାଳୀ ଗାଳିଗୁଲଜ ବା ଅଶ୍ଳୀଳ ଭାଷାରେ ପ୍ରତିବାଦ କରେ ଏବଂ ସେଥିପାଇଁ ରେଫରୀ ତାହାକୁ ପଡ଼ିଆରୁ ବାହାର କରିଦିଅନ୍ତି, ତାହାହେଲେ ଉକ୍ତ ଦୋଷୀ ଖେଳାଳୀ ପଡ଼ିଆ ବାହରକୁ ନ ଯିବା ପର୍ଯ୍ୟନ୍ତ ଫ୍ରି କିକ୍‍ ମରାଯାଇ ପାରିବ ନାହିଁ ।

 

୧୩) ଖେଳ ଚାଲିଥିଲାବେଳେ ଆହତ ନ ହୋଇଥିବା କୌଣସି ଖେଳାଳୀ ଯଦି ରେଫରୀଙ୍କର ଅନୁମତି ବିନା ପଡ଼ିଆରୁ ବାହାରିଯାଏ ତେବେ ସେ ଅଭଦ୍ର ଆଚରଣ କଲା ବୋଲି ଧରାଯିବ ଓ ସେଥିପାଇଁ ଦଣ୍ଡିତ ହେବ ।

 

୧୪) ହାଫ୍‍ଟାଇମର ବିରତି ସମୟରେ ଯଦି କୌଣସି ଖେଳାଳୀ ପ୍ରତିପକ୍ଷର ଜଣେ ଖେଳାଳୀକୁ ଆଘାତ କରେ କିମ୍ୱା ରେଫରୀଙ୍କ ସଙ୍ଗେ ଅଭଦ୍ର ବ୍ୟବହାର କରେ, ତାହାହେଲେ ତାଙ୍କୁ ଆଉ ଖେଳରେ ଭାଗ ନେବାକୁ ଦିଆଯିବ ନାହିଁ ଏବଂ ତା ବଦଳରେ ଅନ୍ୟ ଖେଳରେ ଭାଗ ନେବାକୁ ଦିଆଯିବ ନାହିଁ ଏବଂ ତା ବଦଳରେ ଅନ୍ୟ କୌଣସି ନୂଆ ଖେଳାଳୀ ଖେଳରେ ଭାଗ ନେଇ ପାରିବେ ନାହିଁ ।

 

୧୫) ଖେଳ ଚାଲିଥିଲାବେଳେ କୌଣସି ଅବସ୍ଥାରେ ଯଦି ଉଭୟ ଦଳର ଜଣେ ଲେଖାଏଁ ଖେଳାଳୀ ବାହାରକୁ ଚାଲିଯାଆନ୍ତି ଏବଂ ସେଠାରେ ଜଣେ ଅନ୍ୟ ଜଣକୁ ଗୋଡ଼ ଛନ୍ଦି ପକାଇଦିଏ ବା ଆଘାତ କରେ, ତାହାହେଲେ ରେଫରୀ ତାହା ଦେଖିବା ମାତ୍ରେ ଖେଳ ବନ୍ଦ କରି ଅପରାଧୀ ଖେଳାଳୀକୁ ସତର୍କ କରିବେ କିମ୍ୱା ପଡ଼ିଆରୁ ବାହାର କରିଦେବେ । ଖେଳ ବନ୍ଦ କଲାବେଳେ ବଲ୍‍ ଯେଉଁଠାରେ ଥିଲା ରେଫରୀ ସେହି ସ୍ଥାନରୁ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେଇ ପୁଣି ଖେଳ ଆରମ୍ଭ କରିବେ ।

 

୧୬) ଯଦି କୌଣସି ଖେଳାଳୀ ଇଚ୍ଛା କରି ପ୍ରୟୋଜନରୁ ଅତିରିକ୍ତ ସମୟ ବଲ୍‍ ଉପରେ ପେଟେଇ ଶୋଇରହେ ତେବେ ସେ ଅଭଦ୍ର ଆଚରଣ ଦୋଷରେ ଦୋଷୀ ହେବ ଏବଂ ସେଥିଲାଗି–

 

(କ) ରେଫରୀ ତାହାକୁ ସତର୍କ କରି ଦେଇ ବିପକ୍ଷଦଳକୁ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ ।

 

(ଖ) ଗୋଲ୍‍କିପର୍‍ ଯଦି ଏଭଳି ଆଚରଣ ବାରମ୍ୱାର କରେ ତେବେ ରେଫରୀ ତାହାକୁ ପଡ଼ିଆରୁ ବାହାର କରିଦେବେ ।

 

ଫାଉଲ୍‍ ଏବଂ ଅସଦାଚରଣ ସମ୍ପର୍କୀୟ ନିୟମ, ବ୍ୟାଖ୍ୟା ଓ ସିଦ୍ଧାନ୍ତର ଏହା ହେଲା ସମ୍ପୂର୍ଣ୍ଣ ଚିତ୍ର । ଏହି ନିୟମର ଆଲୋଚନାବେଳେ ଡାଇରେକ୍ଟ ଏବଂ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ କଥା ଅନେକ ଥର କହିଛି । ତେଣୁ ଫ୍ରି କିକ୍‍ ବିଷୟରେ ବିସ୍ତାରିତ ଭାବେ କହିବା ଦରକାର ପଡ଼ୁଛି । ଫ୍ରି କିକ୍‍ ବିଷୟ କହିସାରିବା ପରେ ଆଜିକା ଖେଳ ସମ୍ପର୍କରେ ଆହୁରି ଆଲୋଚନା କରିବି ।

 

ତ୍ରୟୋଦଶ ନିୟମ

 

ଫ୍ରି କିକ୍‍–ଫ୍ରି କିକ୍‍ ବିଷୟରେ ତ ତୁମ୍ଭମାନଙ୍କର ମୋଟା ମୋଟି ଧାରଣା ଅଛି । କେଉଁ ତ୍ରୁଟି ଲାଗି ଡାଇରେକ୍ଟ ଏବଂ କେଉଁଥିପାଇଁ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ଦିଆଯାଏ ସେ କଥା ତ ଶୁଣିଛ-। ଆଚ୍ଛା କହିଲ ଭଲା ଫ୍ରି କିକ୍‍ର ପ୍ରକୃତ ନିୟମ କଅଣ ?’’ ସାର୍‍ ପଚାରିଲେ ।

 

‘‘ସେ କଥା ଆମକୁ ଜଣାନାହିଁ । ଆପଣ କହନ୍ତୁ ।’’ ତିନି ଚାରିଜଣ ପିଲା ଏକାଠି ଉତ୍ତର ଦେଲେ ।

 

ସାର୍‍–ହଉ ଶୁଣ । କୌଣସି ପ୍ରକାର ଅସତ୍‍ଉପାୟ ଅବଲମ୍ବନ ନ କରି ନିୟମ ଅନୁଯାୟୀ ଖେଳିବା ହେଲା ଫୁଟବଲ୍‍ ଖେଳର ମୁଖ୍ୟ ଉଦ୍ଦେଶ୍ୟ । ନିୟମଭଙ୍ଗଠାରୁ ଜାଣିଶୁଣି ଅସତ୍‍ଉପାୟ ଅବଲମ୍ୱନ କରିବା ଗୁରୁତର ଅପରାଧ । ନିୟମଭଙ୍ଗକୁ ସାଧାରଣତଃ ଟେକ୍‍ନିକାଲ୍‍ ଅପରାଧ (Technical offence)ଏବଂ ଅସତ୍‍ଉପାୟ ଅବଲମ୍ୱନକୁ ପେନାଲ୍‍ ଅପରାଧ (Penal offence)କୁହାଯାଏ । ଏହି ଦୁଇ ଅପରାଧ ଅନୁସାରେ ଫ୍ରି କିକ୍‍କୁ ଦୁଇ ଭାଗରେ ବିଭକ୍ତ କରି ଦଣ୍ଡବିଧାନ କରାଯାଏ । ଟେକ୍‍ନିକାଲ୍‍ ଅପରାଧ ଲାଗି ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ଏବଂ ପେନାଲ୍‍ ଅପରାଧ ଲାଗି ଡାଇରେକ୍ଟ ଫ୍ରି କିକ୍‍ ଦିଆଯାଏ ।

 

ଫାଉଲ୍‍ ଅସତ୍‍ଉପାୟ ଅବଲମ୍ୱନର ଏକ ବିଶେଷ ଉଦାହରଣ । ସେଥିପାଇଁ ଯେଉଁ ନଅଟି ଅପରାଧ ଯୋଗୁଁ ଫାଉଲ୍‍ ଦିଆଯାଏ ତାହା ପେନାଲ୍‍ ଅପରାଧର ଅନ୍ତର୍ଗତ । ସେଥିଲାଗି ଦଣ୍ଡ ସ୍ୱରୂପ ଡାଇରେକ୍ଟ ଫ୍ରି କିକ୍‍ ଦିଆଯାଏ । ପେନାଲ୍‍ଟି କିକ୍‍ ମଧ୍ୟ ଏକ ବିଶେଷ ଧରଣର ଡାଇରେକ୍‍ଟ ଫ୍ରି କିକ୍‍ ।

 

ଡାଇରେକ୍‍ଟ ଏବଂ ଇନ୍‍ଡାଇରେକ୍‍ଟ ଫ୍ରି କିକ୍‍ ମରାଗଲାବେଳେ ନିମ୍ନଲିଖିତ ନିୟମମାନ ପାଳନ କରିବାକୁ ପଡ଼ିବ ।

 

୧) ଫ୍ରି କିକ୍‍ ମରାଗଲାବେଳେ ବଲ୍‍ ନିଶ୍ଚୟ ନିଶ୍ଚଳ ଅବସ୍ଥାରେ ରହିବ ।

 

୨) କିକ୍‍ ମରାଯିବା ପରେ ବଲ୍‍ ତାହାର ପରିଧି (ଅର୍ଥାତ୍‍ ୨୭ ଇଞ୍ଚ) ସମାନ ଦୂରତ୍ୱ ନ ଗଲା ପର୍ଯ୍ୟନ୍ତ ତାହା କାମୀ ଅର୍ଥାତ୍‍ ଖେଳ ମଧ୍ୟରେ ବୋଲି ଗଣ୍ୟ ହେବ ନାହିଁ ।

 

୩) ବଲ୍‍ ତାହାର ପରିଧି ସମାନ ଦୂରତ୍ୱ ଯିବା ପୂର୍ବରୁ କେହି ତାହାକୁ ଛୁଇଁଲେ ବା ଖେଳିଲେ ପୁଣି ଆଉ ଥରେ ଫ୍ରି କିକ୍‍ ମରାଯିବ ।

 

୪) ଫ୍ରି କିକ୍‍ ମରାଗଲାବେଳେ ବିପକ୍ଷର ଖେଳାଳୀମାନେ ବଲ୍‍ଠାରୁ ଅନ୍ତତଃ ଦଶଗଜ ଦୂରରେ ରହିବେ । ଯଦି ବିପକ୍ଷର ଗୋଲ୍‍ ପୋଷ୍ଟ ଆଡ଼କୁ ଫ୍ରି କିକ୍‍ ମରାଗଲାବେଳେ ପୋଷ୍ଟମଧ୍ୟସ୍ଥ ଗୋଲ୍‍ଲାଇନ୍‍ଠାରୁ ଫ୍ରି କିକ୍‍ ମରାଯିବା ସ୍ଥାନରେ ଦୂରତ୍ୱ ଦଶ ଗଜରୁ କମ୍‍ ହୁଏ ତେବେ ବିପକ୍ଷର ଖେଳାଳୀମାନେ ନିଜ ଗୋଲ୍‍ଲାଇନ୍‍ ଉପରେ ଛିଡ଼ା ହୋଇପାରିବେ । ଏହି ଦଶ ଗଜ ଦୂରତ୍ୱର ବିଧାନ ସ୍ୱପକ୍ଷର ଖେଳାଳୀମାନଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ ।

 

୫) ଫ୍ରି କିକ୍‍ ମରାଯିବା ପରେ ଅନ୍ୟ କୌଣସି ଖେଳାଳୀ ସେ ବଲ୍‍କୁ ସ୍ପର୍ଶ ନ କଲା ପର୍ଯ୍ୟନ୍ତ କିକ୍ ମାରିଥିବା ଖେଳାଳୀ ତାହାକୁ ଖେଳି ପାରିବେ ନାହିଁ । ଯଦି ଖେଳନ୍ତି ଦଣ୍ଡ ସ୍ୱରୂପ ତାଙ୍କ ଦଳ ବିରୁଦ୍ଧରେ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମରାଯିବ ।

 

୬) ପେନାଲ୍‍ଟି କିକ୍‍ ଏବଂ ପ୍ଲେସ୍‍ କିକ୍‍(ଖେଳ ଆରମ୍ଭ ବେଳେ ବା ଗୋଲ୍‍ ହେବା ପରେ ପୁଣି ଖେଳ ଆରମ୍ଭ କରିବା ପାଇଁ ଯେଉଁ କିକ୍‍ କରାଯାଏ ତାହାକୁ ପ୍ଲେସ୍‍(Place) କିକ୍‍ କୁହାଯାଏ । ଛଡ଼ା ଫ୍ରି କିକ୍‍କୁ ଯେ କୌଣସି ଦିଗକୁ ମରାଯାଇପାରିବ । ଗୋଲ୍‍କିକ୍‍ ଏବଂ ନିଜ ପେନାଲ୍‍ଟି ଏରିଆ ଭିତରୁ ଯେଉଁ ଫ୍ରି କିକ୍‍ ମରାଯାଏ ତାହା ସ୍ୱପକ୍ଷର ପେନାଲ୍‍ଟି ଏରିଆ ଅତିକ୍ରମ ନ କଲାଯାଏ ବଲ୍‍ କାମୀ ବା ଖେଳ ମଧ୍ୟରେ ବୋଲି ଧରାଯିବ ନାହିଁ । ବଲ୍‍ ପେନାଲ୍‍ଟି ଏରିଆ ପାରହେବା ପୂର୍ବରୁ ତାହାକୁ ଛୁଇଁଲେ ବା ଖେଳିଲେ ପୁନରାୟ କିକ୍‍ ମରାଯିବ ।

 

୭) ରେଫରୀ ହୁଇସିଲ୍‍ ବଜାଇ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ନ ଦେବା ଯାଏ ଫ୍ରି କିକ୍‍ ମରାଯାଇ ପାରିବ ନାହିଁ ।

 

୮) ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ବେଳେ ରେଫରୀ ଗୋଟିଏ ହାତ ମୁଣ୍ଡ ଉପରକୁ ଟେକି ସଙ୍କେତ ଦେବେ ଓ ତା ପରେ ହୁଇସିଲ ବଜାଇ କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ । ଡାଇରେକ୍ଟ ଫ୍ରି କିକ୍‍ ପାଇଁ କୌଣସି ଦେବାର ଆବଶ୍ୟକତା ନାହିଁ ।

 

୯) ଫ୍ରି କିକ୍‍ ମାରିବାରହେ ଅଯଥା ବିଳମ୍ୱ କରାଯାଇ ପାରିବ ନାହିଁ ରେଫରୀ ସଙ୍କେତ ଦେଇ ହୁଇସିଲ ବଜାଇବା ସଙ୍ଗେ ସଙ୍ଗେ କିକ୍‍ ମାରିବାକୁ ପଡ଼ିବ ।

 

୧୦) ଫ୍ରି କିକ୍‍ ମରାଗଲାବେଳେ ପ୍ରତିପକ୍ଷର ସବୁ ଖେଳାଳୀଙ୍କୁ ବଲ୍‍ଠାରୁ ଦଶ ଗଜ ଦୂରରେ ରହିବାକୁ ପଡ଼ିବ । ଯଦି କୌଣସି ଖେଳାଳୀ ତାହା ନ କରନ୍ତି ତେବେ ରେଫରୀ ତାଙ୍କୁ ସତର୍କ କରିଦେବେ । ଏ ଅପରାଧର ପୁନରାବୃତ୍ତି ଘଟିଲେ ଅପରାଧୀ ଖେଳାଳୀକୁ ପଡ଼ିଆରୁ ବାହାର କରି ଦିଆଯିବ । ଏଭଳି ଅପରାଧ ଗୁରୁତର ଅସଦାଚରଣ ବୋଲି ଧରାଯିବ ।

 

୧୧) ଫ୍ରି କିକ୍‍ ମରାଗଲାବେଳେ ଯଦି କୌଣସି ଖେଳାଳୀ ଅଙ୍ଗଭଙ୍ଗୀ କରି ବା ଇତସ୍ତତଃ ନାଚି ପ୍ରତିପକ୍ଷକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରେ ତାହାହେଲେ ରେଫରୀ ତାକୁ ଅସଦାଚରଣ ଲାଗି ସତର୍କ କରିଦେବେ ।

 

ଡାଇରେକ୍‍ଟ ଫ୍ରି କିକ୍‍–କେଉଁ କେଉଁ ଅପରାଧ ଲାଗି ଡାଇରେକ୍‍ଟ ଫ୍ରି କିକ୍‍ ଦିଆଯାଏ ତାହା ଆଉ ଥରେ କହୁଛି । ଡାଇରେକ୍‍ଟ ଫ୍ରି କିକ୍‍ର ନିର୍ଦ୍ଦେଶ ଦେବା ପୂର୍ବରୁ ରେଫରୀଙ୍କୁ ଖେଳାଳୀ ଯେ ଜାଣିଶୁଣି ଏ ଅପରାଧ କରିଛି ସେ ସମ୍ୱନ୍ଧରେ ନିଶ୍ଚିତ ହେବାକୁ ପଡ଼ିବ । ଯେଉଁ ୯ଟି ଅପରାଧ ଲାଗି ଏ ଦଣ୍ଡ ଦିଆଯାଏ ତାହା ହେଲେ–

 

ହାତ ବା ବାହୁର ବ୍ୟବହାର :–

 

୧) ହ୍ୟାଣ୍ଡବଲ୍‍ କରିବା,

 

୨) ପ୍ରତିପକ୍ଷକୁ ଧରି ଅଟକାଇବା,

 

୩) ପ୍ରତିପକ୍ଷକୁ ଆଘାତ କରିବା ବା ଆଘାତର ଚେଷ୍ଟା କରିବା,

 

୪) ପ୍ରତିପକ୍ଷକୁ ଧକ୍‍କା ମାରିବା,

 

୫) ପ୍ରତିପକ୍ଷକୁ ଗୋଡ଼ ଛନ୍ଦି ପକାଇଦେବାକୁ ଚେଷ୍ଟା କରିବା,

 

ଗୋଡ଼ର ବ୍ୟବହାର

 

୬) ପ୍ରତିପକ୍ଷକୁ ଗୋଇଠା ମାରିବା ବା ଗୋଇଠା ମାରିବାର ଚେଷ୍ଟା କରିବା,

 

୭) ପ୍ରତିପକ୍ଷ ଉପରକୁ ଡେଇଁବା,

 

ଶରୀରର ବ୍ୟବହାର

 

୮) ପ୍ରତିପକ୍ଷ ସହ ମାରାତ୍ମକଭାବେ ଚାର୍ଯ ଅର୍ଥାତ୍‍ କାୟିକ ସଂଘର୍ଷ କରିବା,

 

୯) ପ୍ରତିପକ୍ଷ ବାଧା ନ ହେଉଥିବା ସତ୍ତ୍ୱେ ତାହାକୁ ପଛଆଡ଼ୁ ଚାର୍ଯ କରିବା ।

 

ଇନ୍‍ଡାଇରେକ୍‍ଟ ଫ୍ରି କିକ୍‍–କେଉଁ କେଉଁ ତ୍ରୁଟି ଲାଗି ଇନ୍‍ଡାଇରେକ୍‍ଟ ଫ୍ରି କିକ୍‍ ଦିଆଯାଏ ତାହାର ଗୋଟିଏ ତାଲିକା ଦେଉଛି । ଏହି ତାଲିକାଟି ମନେ ରଖିଲେ ତୁମ୍ଭମାନଙ୍କର କେବେହେଲେ ଭୁଲ ହେବ ନାହିଁ । ଇନ୍‍ଡାଇରେକ୍‍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦିଆଯିବ, ଯଦି–

 

୧) ବଲ୍‍ ହାତରେ ଧରି ଗୋଲ୍‍ କିପର୍‍ ଚାରିପାହୁଣ୍ଡରୁ ଅଧିକ ବାଟ ଯାଏ;

 

୨) ଗୋଲ୍‍କିପର୍‍ ହାତରେ ବଲ୍‍ ଧରିଥିଲାବେଳେ ଯଦି ସେ ବଲ୍‍କୁ କିକ୍‍ ମରାଯାଏ ବା ମାରିବାକୁ ଚେଷ୍ଟା କରାଯାଏ;

 

୩) ବଲ୍‍ ଯଦି ଆୟତ୍ତରେ ନଥିଲାବେଳେ ବିପକ୍ଷର ଖେଳାଳୀକୁ ନ୍ୟାୟ ସଙ୍ଗତ ଚାର୍ଯ କରାଯାଏ ।

 

୪) ନିଜେ ବଲ୍‍କୁ ନ ଖେଳି ନିଜ ଦେହଦ୍ୱାରା ବିପକ୍ଷ ଖେଳାଳୀର ଖେଳରେ ବାଧା ସୃଷ୍ଟି କରାଯାଏ;

 

୫) ନିଜ ଦଳର ଖେଳାଳୀକୁ ଆଘାତ କରାଯାଏ;

 

୬) ସାମନାରେ ଥିବା ନିଜ ଦଳର ଖେଳାଳୀର କାନ୍ଧ ଉପରେ ଭରା ଦେଇ ଉପରକୁ ଡେଇଁ ବଲ୍‍କୁ ହେଡ୍‍ କରାଯାଏ;

 

୭) ପେନାଲ୍‍ଟି କିକ୍‍ ସାମନାପଟକୁ ନ ମରାଯାଏ;

 

୮) ଅଫ୍‍ସାଇଡ୍‍ ପୋଜିସନ୍‍(Offside position)ରେ ଥାଇ ଖେଳରେ ଭାଗ ନିଆଯାଏ, ବା ବିପକ୍ଷର ଖେଳରେ ବାଧା ସୃଷ୍ଟି କରାଯାଏ ଅଥବା ଖେଳରେ କୌଣସି ଅବୈଧ ସୁବିଧା ନିଆଯାଏ;

 

୯) ବିପଜ୍ଜନକ ଭାବେ ଖେଳାଯାଏ;

 

୧୦) ଗୋଲ୍‍କିପର୍‍ ନିଜ ଗୋଲ୍‍ ଏରିଆ (Goal area) ଭିତରେ ଅଛି ଅଥଚ ତା ହାତରେ ବଲ୍‍ ନାହିଁ ବା ସେ ବିପକ୍ଷର ଖେଳରେ କୌଣସି ବାଧା ସୃଷ୍ଟି କରୁନାହିଁ, ଏଭଳି ଅବସ୍ଥାରେ ତାହାକୁ ନ୍ୟାୟସଙ୍ଗତ ଭାବେ ଚାର୍ଯ କରାଯାଏ;

 

୧୧) ଗୋଲ୍‍କିପର୍‍ ବିପକ୍ଷର କୌଣସି ଖେଳାଳୀ ମୁହଁକୁ ବଲ୍‍ ଫୋପାଡ଼ି ମାରେ, ବା ବିଦ୍ରୁପ କରେ ଅଥବା ବଲ୍‍ ଉପରେ ଅଯଥା ବେଶୀ ସମୟ ପେଟେଇ ଶୋଇରେହେ;

 

୧୨) ରେଫରୀ ବା କୌଣସି ଖେଳାଳୀ ସଙ୍ଗେ ଆଉ ଜଣେ ଖେଳାଳୀ ଅଭଦ୍ର ବ୍ୟବହାର ଯଥା ଗାଳିଗୁଲଜ କରେ;

 

୧୩) କଥା ବା କାମରେ ରେଫରୀଙ୍କର ସିଦ୍ଧାନ୍ତର ପ୍ରତିବାଦ କରାଯାଏ;

 

୧୪) ବାରମ୍ୱାର ଖେଳର ନିୟମ ଭଙ୍ଗ କରାଯାଏ;

 

୧୫) କିକ୍‍ଅଫ୍‍, ଫ୍ରି କିକ୍‍, ପେନାଲ୍‍ଟି କିକ୍‍, କଣ୍ଣାର କିକ୍‍, ଗୋଲ୍‍କିକ୍‍ ଓ ଥ୍ରୋ ଇନ୍‍ ନିୟମାନୁଯାୟୀ କଲାପରେ ଅନ୍ୟ କୌଣସି ଖେଳାଳୀ ସେ ବଲ୍‍କୁ ସ୍ପର୍ଶ କରିବା ପୂର୍ବରୁ କିକ୍‍ ମାରିଥିବା, ଥ୍ରୋ କରିଥିବା ଖେଳାଳୀ ଦ୍ୱିତୀୟବାର ସେ ବଲ୍‍କୁ ଖେଳେ;

 

୧୬) ପାଟିତୁଣ୍ଡ ବା କଥାଭାଷା ଦ୍ୱାରା ବିପକ୍ଷର ଖେଳାଳୀକୁ ବିଭ୍ରାନ୍ତ କରାଯାଏ । ଏହାଛଡ଼ା ଆହୁରି ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହୁଛି ମନ ଦେଇ ଶୁଣ ।

 

ଗୋଲ୍‍କିକ୍‍, ପ୍ଲେସ୍‍କିକ୍‍ (କିକ୍‍ଅଫବେଳେ ) ଏବଂ ଇନ୍‍ଡାଇରେକ୍‍ଟ ଫ୍ରି କିକ୍‍ରୁ ସିଧାସଳଖ ଗୋଲ୍‍ ହେବ ନାହିଁ ।

 

କର୍ଣ୍ଣର କିକ୍‍ ଓ ପେନାଲ୍‍ଟି କିକ୍‍ରୁ ସିଧାସଳଖ ଗୋଲ୍‍ ହେବ ।

 

ଡାଇରେକ୍‍ଟ ବା ଇନ୍‍ଡାଇରେକ୍‍ଟ ଫ୍ରି କିକ୍‍ରୁ ନିଜ ଗୋଲ୍‍ ଭିତରକୁ ବଲ୍‍ ମାରି ପଠାଇଲେ ତାହା ଗୋଲ୍‍ ହେବ ନାହିଁ । ଏପରି କଲେ ଦଣ୍ଡ ସ୍ୱରୂପ ବିପକ୍ଷ ଦଳକୁ କର୍ଣ୍ଣର କିକ୍ ମାରିବାକୁ ନିର୍ଦ୍ଦେଶ ଦିଆଯିବ ।

 

ଇନ୍‍ଡାଇରେକ୍‍ଟ ଫ୍ରି କିକ୍‍ରୁ ବଲ୍‍ ବିପକ୍ଷର ଗୋଲ୍‍ ଭିତରେ ପଶିଲେ, ବିପକ୍ଷ ଦଳ ଗୋଲ୍‍ କିକ୍‍ ମାରିବାର ସୁଯୋଗ ପାଇବ ।

 

ଡାଇରେକ୍‍ଟ ଫ୍ରି କିକ୍‍ ମାରିବାବେଳେ ବିପକ୍ଷର ଗୋଲ୍‍ କିପର୍‍କୁ ବିଭ୍ରାନ୍ତ କରିବା ଲାଗି ଅନେକ ସମୟରେ ଦୁଇଜଣ ଖେଳାଳୀ ଆଗ ପଛ ହୋଇ ଛିଡ଼ା ହୁଅନ୍ତି । ରେଫରୀ ହୁଇସିଲ୍‍ ବଜାଇବା ମାତ୍ରେ ଜଣେ ଖେଳାଳୀ ମାରିବା ବାହାନା କରି ବଲ୍‍କୁ ଡେଇଁ ଚାଲିଯାଏ ଓ ଅନ୍ୟ ଖେଳାଳୀ ଜଣକ ଚଞ୍ଚଳ ଦୌଡ଼ ଆସି କିକ୍‍ମାରେ । ଏହି କୌଶଳ ଯୋଗୁଁ ଗୋଲ୍‍କିପର୍‍ ବିଭ୍ରାନ୍ତ ହେଲେ ହେଁ ଆନ୍ତର୍ଜାତିକ ରେଫରୀ ଆସୋସିଏନ୍‍ ବୋର୍ଡର ମତ ଅନୁସାରେ ଏହା ଖେଳ କୌଶଳ ଅନ୍ତର୍ଭୁକ୍ତ, ତେଣୁ ଅନ୍ୟାୟ ନୁହେଁ ।

 

ପିଲାଏ, ଫ୍ରି କିକ୍‍ର ନିୟମମାନ ବୁଝିଲ ତ ? ଅନ୍ଧାର ହେଲାଣି, ଚାଲ ଘରକୁ ଯିବା । ପୁଣି ଆଉ ଦିନେ କଥାଭାଷା ହେବା–ସାର୍‍ କହିଲେ ।

 

ରାଣୀହାଟ ଟିମର୍‍ ହରିଶ କହିଲା, ଆଜ୍ଞା, ଏତେବେଳଯାକେ ତ ଖାଲି ଫୁଟବଲ୍‍ ଖେଳର ନିୟମ କଥା କହିଲେ । ଅସଲ କଥା ତ ଅକୁହା ରହିଲା । ଆଜିର ଖେଳରେ ଆମର ଦୋଷ ତ୍ରୁଟି କେଉଁଠି କଅଣ ହୋଇଥିଲା ସେ ବିଷୟରେ ତ କିଛି ଆଲୋଚନା ହେଲା ନାହିଁ । ଆମେ ପୁଣି କେମିତି ଆପଣଙ୍କୁ ଭେଟିବୁ ଯେ ସେ ସବୁ କଥା ଜାଣିବୁ ? ତାହାର ଗୋଟିଏ ବ୍ୟବସ୍ଥା ଆଜି କଲେ ଭଲ ହୁଅନ୍ତା ।’’

 

ସାର୍‍–ଭଲ କଥା, ଆସନ୍ତା ମଙ୍ଗଳବାର ତ ‘‘ରଜ ସଂକ୍ରାନ୍ତି’’ ପାଇଁ ଛୁଟୀ । ସେଦିନ ଚାରିଟାବେଳେ ତୁମ୍ଭେମାନେ ସମସ୍ତେ ଏଠାରେ ରୁଣ୍ଡ ହେବ; ମୁଁ ମଧ୍ୟ ଆସିବି । ସେତେବେଳେ ବାକି କଥାତକ ପଡ଼ିବ । କଅଣ ରାଜି ତ ?

 

ସାର୍‍ଙ୍କ ପ୍ରସ୍ତାବରେ ଉଭୟ ଦଳର ଖେଳାଳୀମାନେ ଏକମତ ହେଲେ । ଆଲୋଚନା ସେହିଠାରେ ବନ୍ଦ ରହିଲା । ପିଲାମାନେ ଘରକୁ ବାହୁଡ଼ିଲେ ।

Image

 

Unknown

ଷଷ୍ଠ ଅଧ୍ୟାୟ

 

ରଜ ସଂକ୍ରାନ୍ତି । ସକାଳୁ ପାଗ ମେଘୁଆ ରହିଛି; କିନ୍ତୁ ବର୍ଷାର ସମ୍ଭାବନା ସେଭଳି ନାହିଁ କହିଲେ ଚଳେ ।

 

ପ୍ରାୟ ତିନିଟା ବେଳକୁ ପିଲାଏ ଗୋଟି ଗୋଟି ହୋଇ ଗଡ଼ିଲେ କଲେଜିଏଟ୍‍ର ଖେଳ ପଡ଼ିଆକୁ । ଶୂନ୍‍ଶାନ ପଡ଼ିଆରେ ଅଧଘଣ୍ଟାକ ଭିତରେ ବେଶ୍‍ କେତେଜଣ ପିଲା ଜମିଗଲେ । ରାଣୀହାଟ ସ୍କୁଲର କେତେ ପିଲାଏ ମଧ୍ୟ ଆସିଛନ୍ତି । ଥୟ ହୋଇ ବସିବା ତ ସେମାନଙ୍କ ପକ୍ଷରେ ସମ୍ଭବ ନୁହଁ । ତେଣୁ ତାଙ୍କ ଭିତରେ ମସୁଧା ଚାଲିଲା କେମିତି କୁସୁନିଆକୁ ଫୁସୁଲାଫୁସୁଲି କରି ଗୋଟିଏ ଫୁଟବଲ୍‍ ଯୋଗାଡ଼ କରିବାକୁ ହେବ । ଦଳେ ବାହାରିଲେ କୁସୁନିଆକୁ ଖୋଜିବାକୁ । କିନ୍ତୁ କୁସୁନିଆ ନାହିଁ । ତା ଦୁଆରେ ତାଲା ପଡ଼ିଛି । ବୋଧହୁଏ ରଜ ପାଇଁ ଗାଁକୁ ଯାଇଛି । ବଲ୍‍ତ ମିଳିଲା ନାହିଁ, ତାହାହେଲେ କଅଣ କରାଯିବ ? ପିଲାଏ କଅଣ କରିବେ ବୋଲି ଭାବୁଛନ୍ତି, ଏହି ସମୟରେ ବୁଦ୍ଧିଆ ନରସିଂହ ବାହାରି ପଡ଼ି କହିଲା, ‘‘ଆରେ, କଅଣ ଏତେ ଭାବୁଛ ମ । ବଲ୍‍ ନ ମିଳିଲା ତ ନାହିଁ । ଚାଲ ଗଛରେ ଚଢ଼ି ଡାଳମାଙ୍କୁଡ଼ି ଖେଳିବା ।’’ କଥାଟା ପିଲାଙ୍କ ମନକୁ ପାଇଲା । ଦଳେ ପଡ଼ିଆମୁଣ୍ଡ ଗଛରେ ଚଢ଼ି ଡାଳମାଙ୍କୁଡ଼ି ଖେଳିବାରେ ମାତିଲେ । ଆଉ ଦଳେ ଗଛତଳେ ବସି ଗପ ଆରମ୍ଭ କଲେ ।

 

କଚେରୀ ଘଣ୍ଟାରେ ଠନ୍‍ଠନ୍‍ କରି ଚାରିଟା ବାଜିଲା । ସେ ଆଡ଼କୁ ପିଲାଙ୍କ ଧ୍ୟାନ ନାହିଁ । ଖେଳରେ ମାତିଛନ୍ତି ସେମାନେ । ଏତିକିବେଳେ ନରସିଂହ ଗଛ ଉପରୁ ପାଟିରେ କହିଲା ‘‘ହେଇରେ କୁଞ୍ଜ–ଆମ ଲାଇନ୍‍ସମ୍ୟାନ୍‍ ବାବୁ ଦି’ଜଣ ସାଇକେଲ୍‍ ଚଢ଼ି ଏ ଆଡ଼କୁ ଆସୁଛନ୍ତି । ଚାଲ ସେ ଦୁହିଁଙ୍କୁ ଧରିବା ।’’ କଥା ସାଙ୍ଗକୁ କାମ । ଭୁସ୍‍ଭାସ୍‍ ହୋଇ ଗଛରୁ ତଳକୁ ଡେଇଁ ପିଲାଏ ଦୌଡ଼ିଲେ ପିଚୁ ରାସ୍ତା ଉପରକୁ । ସେ ଦିନର ଲାଇନ୍‍ସମ୍ୟାନ୍‍ ଦୁଇଜଣ ଗପ କରି କରି ଆସୁଥାନ୍ତି-। ଧାଡ଼ି ବାନ୍ଧି ପିଲାଏ ବାଟ ଓଗାଳିଲାରୁ ସେ ଦୁହେଁ ସାଇକେଲ୍‍ରୁ ଓହ୍ଲାଇ ପଡ଼ିଲା । କେହି କିଛି କହିବା ଆଗରୁ କୁଞ୍ଜ କହିଲା, ‘‘କୁଆଡ଼େ ଯିବା ହେଉଛି ଲାଇନ୍‍ସମ୍ୟାନ୍‍ ବାବୁମାନେ ? ଆମେ ଯେ ଆପଣମାନଙ୍କର ବାଟ ଚାହିଁ ବସିଛୁ । ପଡ଼ିଆ ଭିତରକୁ ଆସିବା ହେଉ ।’’ କୁଞ୍ଜ ପଛକୁ ନରସିଂହ ବାହରି ପଡ଼ି କହିଲା, ‘‘ସେ ଦିନ ଆପଣମାନେ ଯେଉଁ ବଢ଼ିଆ ଲାଇନ୍‍ସମ୍ୟାନ୍‍ ଗିରି କହିଥିଲେ ସେଥିପାଇଁ ଆପଣମାନଙ୍କୁ ମେଡାଲ୍‍ ଦେବୁ ବୋଲି କିନ୍ତୁ କରିଛି । ଆସିବା ହେଉ ।’’ କୁଞ୍ଜ କଅଣ କହିବାକୁ ଯାଉଥିଲା । କିନ୍ତୁ ସେ ପାଟି ଫିଟାଇବା ଆଗରୁ ଲାଇନ୍‍ସମ୍ୟାନ୍‍ଙ୍କ ଭିତରୁ ଜଣେ କହିଲା, ‘‘ହଉ ହଉ, କିଏ କାହାକୁ ମେଡାଲ୍‍ ଦେଉଛି ଏହିକ୍ଷଣି ଦେଖାଯିବ ଯେ । ସାର୍‍ ପଛରେ ଆସୁଛନ୍ତି । ଚାଲ ସେ ଗଛମୂଳକୁ ।’’ ସାର୍‍ଙ୍କ ଆସିବା ଖବର ଶୁଣିଲାକ୍ଷଣି ପିଲାଏ ଚୁପ୍‍ ହୋଇଗଲେ । ଖାଲି ଦେବେନ୍ଦ୍ର ପଛରେ ଥାଇ କହିଲା, ‘‘ତୁମେ ଦୁଇଜଣ କଅଣ ସାର୍‍ଙ୍କ ବାହାନ ?’’ ନରସିଂହ ବାହାରି ପଡ଼ି କହିଲା ‘‘ନାହିଁ ମ, ସେମାନେ ପାଇଲଟ୍‍ । ସାର୍‍ଙ୍କୁ ବାଟ କଢ଼େଇ ଆଣୁଛନ୍ତି । ନ ହେଲେ ଯେ ସାର୍‍ ବାଟବଣା ହେବେ ।’’

 

ଏତିକିବେଳେ ସୁରେଶ କହିଲା, ‘‘ହେଇରେ, ସାର୍ ଆସୁଛନ୍ତି । ବେଗି ବେଗି ପଡ଼ିଆ ଭିତରକୁ ଚାଲ ।’’ ସାର୍‍ଙ୍କୁ ଦେଖିବାମାତ୍ରେ ସୁନାପୁଅ ଭଳି ପିଲାଏ ଲାଇନ୍‍ସମ୍ୟାନ୍‍ ଦୁଇଜଣଙ୍କ ପଛେ ପଛେ ପଡ଼ିଆ ମୁଣ୍ଡ ଗଛତଳକୁ ଆସିଲେ । ଅଳ୍ପ କିଛିକ୍ଷଣ ପରେ ସାର୍‍ ମଧ୍ୟ ସେଠାରେ ଆସି ପହଞ୍ଚିଲେ । ପିଲାଙ୍କ ମେଳକୁ ଚାହିଁ ସାର୍‍ ପଚାରିଲେ, ‘‘କଅଣ, ସମସ୍ତେ ଆସିଛନ୍ତିଟି ? ରାଣୀହାଟ ପିଲାଏ ଆସିଛନ୍ତି ନା ?’’ ଅନିରୁଦ୍ଧ ଆଗକୁ ଆସି ରାଣୀହାଟ ପିଲାଙ୍କ ଉପସ୍ଥିତି କଥା ଜଣାଇଲା । ଲାଇନ୍‍ସମ୍ୟାନଙ୍କ ଭିତରୁ ଜଣେ କହିଲା, ‘‘ସାର୍‍, ଏମାନେ କୁଆଡ଼େ ଆମ ଦୁହିଁଙ୍କୁ ମେଡାଲ୍‍ ଦେବାର ଯୋଗାଡ଼ କରିଛନ୍ତି ।’’

 

ସାର୍‍–ସତେ ନା ? କିଏ ମେଡାଲ୍‍ ଦେବାର ଯୋଗାଡ଼ କରିଛି ଶୁଣେ ।

 

ନରସିଂହ–ନାହିଁ ସାର୍‍, ଆମେ ଗେଲରେ କହୁଥିଲୁ ନା ।

 

ସାର୍‍–ଗେଲରେ କହୁଥିଲ ? ଆଜି କାଲି ଭାରି ଗେଲ ବୋହି ପଡ଼ୁଛି ତ ?

କଥା କଅଣ ?

 

ସୁରେଶ ଦେଖିଲା କଥାର ଗତି ଏତିକିବେଳୁ ନ ମୋଡ଼ିଲେ ବିପଦ ଘଟିପାରେ । ତେଣୁ ସେ କହିଲା, ‘‘ସାର୍‍ ଆପଣ ଏପର୍ଯ୍ୟନ୍ତ ଯେତେ କଥା କହିଲେଣି ସେସବୁ କଅଣ ମନେ ରଖିବା ସମ୍ଭବ ? ଆସନ୍ତା କେତେ ଦିନ ହୁଏତ ମନେ ରହିବ; କିନ୍ତୁ ତା’ପରେ ଧୀରେ ଧୀରେ ଆମେ ବହୁତ କଥା ଭୁଲିଯିବୁ । ଆପଣ ଏ ବିଷୟରେ ଓଡ଼ିଆରେ ଖଣ୍ଡିଏ ବହି ଲେଖିଲେ ଭାରି ଭଲ ହୁଅନ୍ତା ।

 

ସାର୍‍–ହୁଁ । ମୁଁ ବହି ଲେଖିଲେ ସତେ ଯେମିତି ତୁମ୍ଭେମାନେ ତାକୁ ଘୋରି ବାଟି ପିଇଯିବ । ପାଠ ବହି ତ ମେଲାଉ ନାହି, ଆଉ ଫୁଟବଲ ଖେଳର ନିୟମ ବହି ତୁମ୍ଭେମାନେ ପଢ଼ିବ-! ଫୁଟବଲର ନିୟମ ଜାଣିବାକୁ ଯଦି ତୁମ୍ଭମାନଙ୍କର ଏତେ ଆଗ୍ରହ, ତେବେ ମୁଁ ଯାହାସବୁ କହିଲିଣି ଏବଂ ଆଜି କହିବି ସେ ସବୁ ମୋତେ ଲେଖି ଦେଖାଅ । ମୁଁ ଭୁଲ ସଂଶୋଧନ କରି ସଜାଡ଼ି ଦେବି । କଅଣ ସୁରେଶ ତୁମ ଦେଇ ଏ କାମ ହୋଇ ପାରିବ ?

 

ପ୍ରଥମ ଲାଇନ୍‍ସମ୍ୟାନ୍‍–ସାର୍‍, ବହିଲେଖା ବିଷୟରେ ସୁରେଶର ପ୍ରସ୍ତାବ ପ୍ରକୃତରେ ଭଲ । ଆପଣ ଲେଖିଲେ ଭାରି ଭଲ ହୁଅନ୍ତା । ଓଡ଼ିଶା ସାରା ସବୁ ସ୍କୁଲ ପିଲାଏ ପଢ଼ନ୍ତେ ।

 

ସାର୍‍–ଥାଉ, ଥାଉ ସେ ଖୋସାମତିଆ କଥାଗୁଡ଼ାକ । ଆଜିର ଅସଲ କଥା ଆରମ୍ଭ ହେଉ । ହଁ, ସେଦିନ କଅଣ କହୁଥିଲି ଟି ?

 

ଅନିରୁଦ୍ଧ–ସେଦିନ ତ ଆପଣ ଅନେକ ବିଷୟ କହିଛନ୍ତ । ଗୋଲ୍‍ ଦବାର ନିୟମ, ଅଫ୍‍ସାଇଡ୍‍, ଫଉଲ୍‍ ଓ ଶେଷରେ ଫ୍ରି କିକ୍‍ର ନିୟମମାନ କହୁଥିଲେ । ପ୍ରଥମ ୪ଟି ଗୋଲ୍‍ କେମିତି ଅଫ୍‍ସାଇଡ୍‍ରୁ ହୋଇ ନ ଥିଲା ତାହା ବୁଝାଇ ଦେଇଥିଲେ । ଆଜି ବାକି ଦୋଷତ୍ରୁଟିର ଆଲୋଚନା ହେବା କଥା ।

 

ସାର୍‍–ବାଃ, ବେଶ୍‍ ମନେରଖିଛ ତ ! ହଁ, ଆଜି ବାକୀ ଦୋଷତ୍ରୁଟି ଗୁଡ଼ିକର ଆଲୋଚନା କରିବି । ଆଚ୍ଛା ଗୋଟିଏ ପ୍ରଶ୍ନ ପଚାରୁଛି, ଉତ୍ତର ଦେଲ । ଜଣେ ଖେଳାଳୀ କର୍ଣ୍ଣାର୍‍କିକ୍‍ ମାରିଲା । ସେଥିରୁ ବଲ୍‍ଟି ରେଫରୀଙ୍କ ଦେହରେ ବାଜି ବିପକ୍ଷର ଗୋଲ୍‍ ଭିତରେ ପଶିଗଲା । ଏଭଳି ଅବସ୍ଥାରେ ରେଫରୀ କଅଣ ସିଦ୍ଧାନ୍ତ ଦେବେ କହିଲ ଭଲା ?

 

ପିଲାଏ କିଛି ସମୟ ତୁନି ରହିଲା ପରେ କେତେଜଣ କରିଲେ, ଗୋଲ୍‍ ହେବ, ଆଉ କେତେଜଣ କହିଲ, ନା ଗୋଲ୍‍ ହେବ ନାହିଁ । ଗୋଲ୍‍ ନ ହେଲେ କଅଣ ହେବ ବୋଲି ସାର୍‍ ପଚାରନ୍ତେ କେହି କିଛି ଉତ୍ତର ଦେଇ ପାରିଲେ ନାହିଁ । ସେତେବେଳେ ସାର୍‍ କହିଲେ, ‘‘ରେଫରୀ ନ ହେଲେ ଫୁଟବଲ ଖେଳ ହୋଇ ପାରିବ ନାହିଁ; କିନ୍ତୁ ମଜାର କଥା ହେଲା ଯେ ରେଫରୀଙ୍କ ଦେହରେ ବଲ୍‍ ବାଜିଲେ ଖେଳରେ କୌଣସି ବାଧା ଉପୁଜିଲା ବୋଲି ଧରାଯିବ ନାହିଁ । ଗୋଲ୍‍ ପୋଷ୍ଟ ବା କ୍ରଶବାରରେ ବଲ୍‍ ବାଜିଲେ ଯେମିତି ବଲ୍‍ ବାଜିଲେ ସେମିତି ତାହା ଖେଳରେ ଗଣ୍ୟ ବୋଲି ଧରାଯିବ । ଏ କ୍ଷେତ୍ରରେ ବଲ୍‍ ରେଫରୀ ଦେହରେ ବାଜି ବିପକ୍ଷର ଗୋଲ୍‍ ରେ ପଶିଥିଲେ ହେଁ ତାହା ସିଧାସଳଖ କର୍ଣ୍ଣର କିକ୍‍ରୁ ଗୋଲ୍‍ ଭିତରେ ପ୍ରବେଶ କଲା ବୋଲି ଧରାଯିବ ଏବଂ ସେଥିଲାଗି ଗୋଲ୍‍ ହେବ । କଅଣ ପିଲାଏ ବୁଝିଲ ?’’

 

ସାର୍‍ କହିସାରିବା ମାତ୍ରେ ଆନନ୍ଦ ପଚାରିଲା, ‘‘ସାର୍‍, କଅଣ କର୍ଣ୍ଣର କିକ୍‍ ବେଳେ ଏହି ନିୟମ ପ୍ରୟୋଗ କରାଯିବ ?’’

 

ସାର୍‍–ମୋ କଥାର କଅଣ ଏହି ଅର୍ଥ ହେଲା ? କର୍ଣ୍ଣର କିକ୍‍ କାହିଁକି, ଖେଳର ଯେ କୌଣସି ମୁହୁର୍ତ୍ତରେ ରେଫରୀ ଦେହରେ ବଲ୍‍ ବାଜିଲେ, ତାହା ଖେଳମଧ୍ୟରେ ବୋଲି ବିବେଚିତ ହେବ ଓ ସେଥିଲାଗି ଖେଳ ବନ୍ଦ ହେବ ନାହିଁ । କଅଣ ବୁଝିଲ ତ ?

 

ଆନନ୍ଦ–ସାର୍‍, ତାହା ହେଲେ କର୍ଣ୍ଣ କିକ୍‍ର ନିୟମ କଅଣ ?

 

ସପ୍ତଦଶ ନିୟମ–

 

କର୍ଣ୍ଣର୍‍ କିକ୍‍–ବର୍ତ୍ତମାନ କର୍ଣ୍ଣର କିକ୍‍ର ନିୟମମାନ କହୁଛି, ମନ ଦେଇ ଶୁଣ; ସାର୍‍ କହିଲେ । ଫୁଟବଲ ଖେଳର ସପ୍ତଦଶ ନିୟମ କର୍ଣ୍ଣର୍‍ କିକ୍‍ ସମ୍ପର୍କରେ ।

 

ସ୍ୱପକ୍ଷର ଖେଳାଳୀ ଦେହରେ ବାଜି ବଲ୍‍ସ୍ୱପକ୍ଷର ପ୍ରାନ୍ତରେଖା ବା ଗୋଲ୍‍ଲାଇନ୍‍(ଗୋଲ୍‍ ପୋଷ୍ଟର ମଧ୍ୟବର୍ତ୍ତୀ ରେଖାଂଶ ବାଦ୍‍) ଓ କ୍ରଶବାର୍‍ ଅତିକ୍ରମ କରି ପଡ଼ିଆ ବାହାରକୁ ଗଲେ ଯେ ବିପକ୍ଷ ଦଳ ଗୋଟିଏ କର୍ଣ୍ଣର କିକ୍‍ ମାରିବାକୁ ହକ୍‍ଦାର ହୁଏ, ସେ କଥା ତୁମ୍ଭେମାନେ ଜାଣ । କର୍ଣ୍ଣର କିକ୍‍ ମରାଗଲାବେଳେ ଯେଉଁ ନିୟମଗୁଡ଼ିକ ପାଳିବା ଉଚିତ ତାହା ହେଲା–

 

୧) ପ୍ରାନ୍ତରେଖାର ଯେଉଁ ଅଂଶକୁ ଅତିକ୍ରମ କରି ବଲ୍‍ ପଡ଼ିଆ ବାହରକୁ ଯାଇଥିବ, କର୍ଣ୍ଣାର କିକ୍‍ ମରାଯିବା ଲାଗି ଅଂଶର ନିକଟବର୍ତ୍ତୀ କୋଣରେ ବଲ୍‍କୁ ରଖାଯାଇ ଏ କିକ୍‍

ମରାଯିବ ।

 

୨) କର୍ଣ୍ଣର କିକ୍‍ ମାରିବା ପୂର୍ବରୁ କୋଣରେ ଯେଉଁ ଚାପ ଅଙ୍କାଯାଇଛି ସେହି ଚାପମଧସ୍ଥ ଯେ କୌଣସି ସ୍ଥାନରେ ବଲ୍‍କୁ ନିଶ୍ଚଳଭାବେ ରଖିବାକୁ ପଡ଼ିବ ।

 

୩) କିକ୍‍ ମରାଗଲାବେଳେ କୋଣରେ ପୋତା ଯାଇଥିବା ପତାକାକୁ ଘୁଞ୍ଚା ଯାଇ ପାରିବ ନାହିଁ ।

 

୪) କିକ୍‍ ମାରୁଥିବା ଖେଳାଳୀ ଛଡ଼ା ଉଭୟ ପକ୍ଷର ଅନ୍ୟ ଖେଳାଳୀମାନଙ୍କୁ ବଲ୍‍ଠାରୁ ଅନ୍ତତଃ ୧୦ଗଜ ଦୂରରେ ରହିବାକୁ ପଡ଼ିବ ।

 

୫) ରେଫରୀ ହୁଇସିଲ୍‍ ବଜାଇବା ପରେ କର୍ଣ୍ଣର କିକ୍‍ ମରାଯିବ ଏବଂ ବଲ୍‍ ନିଜ ପରିଧି ସମାନ ଦୂରତ୍ୱ ନ ଯିବା ପର୍ଯ୍ୟନ୍ତ କିକ୍‍ ହେଲା ବୋଲି ଧରାଯିବ ନାହିଁ ।

 

୬) କିକ୍‍ ମରାଯିବା ପରେ ଅନ୍ୟ ଜଣେ ଖେଳାଳୀ ସେ ବଲ୍‍କୁ ନ ଖେଳିବାଯାକେ କିକ୍‍ ମାରିଥିବା ଖେଳାଳୀ ତାହାକୁ ଛୁଇଁ ପାରିବ ନାହିଁ । ଯଦି ଛୁଏଁ ତେବେ ସେ ନିୟମଭଙ୍ଗ କଲା ବୋଲି ଧରାଯିବ ଏବଂ ଯେଉଁଠାରେ ଏହି ନିୟମଭଙ୍ଗ କଲା ବୋଲି ଧରାଯିବ ଏବଂ ଯେଉଁଠାରେ ଏହି ନିୟମଭଙ୍ଗ ହେଲା ସେହିଠାରୁ ତା’ଦଳ ବିରୁଦ୍ଧରେ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ କରାଯିବ । ଏପରି କି ଯଦି କର୍ଣ୍ଣର କିକ୍‍ରୁ ବଲ୍‍ ଗୋଲ୍‍ ପୋଷ୍ଟ, କ୍ରଶବାର୍‍ବା ରେଫରୀ ଦେହରେ ବାଜି ତାହା ନିକଟକୁ ଫେରିଆସେ, ତାହାହେଲେ ସୁଦ୍ଧା ସେ ପୁଣି ସେ ବଲ୍‍କୁ ଖେଳି ପାରିବ ନାହିଁ । ଯଦି ଖେଳେ ତେବେ ନିୟମଭଙ୍ଗ ହେଲା ବୋଲି ବିବେଚିତ ହେବ ଏବଂ ତା’ଦଳ ବିରୁଦ୍ଧରେ ଇନଡାଇରେକ୍ଟ ଫ୍ରି କିକ୍‍ ମରାଯିବ ।

 

୭ । କର୍ଣ୍ଣର କିକ୍‍ ମରାଗଲାବେଳେ ଅଫ୍‍ସାଇଡ୍‍ ନିୟମ ଖଟିବ ନାହିଁ ।

 

୮ । କର୍ଣ୍ଣର କିକ୍‍ରୁ ସିଧାସଳଖ ଗୋଲ ହୋଇପାରିବ ।

 

କର୍ଣ୍ଣର କିକ୍‍ ସମ୍ପର୍କରେ ଏହା ହେଲା ନିୟମ । ଆଚ୍ଛା ଗୋଟିଏ ପ୍ରଶ୍ନ ପଚାରୁଛି–ଉତ୍ତର ଦେଲ ।

 

ମନେକର ‘କ’ ଦଳର ରାଇଟ୍‍ ବ୍ୟାକ୍‍ ଗୋଟିଏ ଗୋଲ୍‍ କିକ୍‍ ମାରିଲା । ବଲ୍‍ନ ନିଜ ପେଟର ପେନାଲ୍‍ଟି ଏରିଆ ଅତିକ୍ରମ କଲାପରେ ପବନ ଯୋଗୁଁ ଫେରି ଯାଇ ନିଜ ଗୋଲ୍‍ ଭିତରେ ପ୍ରବେଶ କଲା । କହିଲ ଭଲା, ରେଫରୀ କି ସିଦ୍ଧାନ୍ତ ଦେବେ ?

 

ସମସ୍ତେ କିଛିକ୍ଷଣ ତୁନି ରହିଲା ପରେ ରଜାକ୍‍ ବାହାରିପଡ଼ି କହିଲା, ‘‘ସାର୍‍–କର୍ଣ୍ଣର୍‍ କିକ୍‍ ଦିଆଯିବ ?’’

 

ସାର୍‍–ନିୟମ ଜାଣି କହୁଛ ନା ଅନ୍ଦାଜ୍ ରେ ଉତ୍ତର ଦେଉଛ ?

 

ରଜାକ୍‍–ପ୍ରକୃତରେ ଏ ପ୍ରଶ୍ନର ଉତ୍ତର ମୋତେ ଜଣା ନାହିଁ । ତେବେ ଆପଣ କର୍ଣ୍ଣର କିକ୍‍ର ନିୟମ କହୁ କହୁ ଏ ପ୍ରଶ୍ନ ପଚାରିଲାରୁ ମୁଁ ଧରିନେଲି ଯେ ଉତ୍ତର ‘‘କର୍ଣ୍ଣର କିକ୍‍’’ ହେବ । ଉତ୍ତର ଠିକ୍‍ ହୋଇଛି ସାର୍‍?

 

ସାର୍‍–ହଁ, ତୁମର ଉତ୍ତର ଠିକ୍‍ ହୋଇଛି । ଆଉ ତୁମର ସତ୍ୟବାଦିତା ଦେଖି ମୁଁ ଖୁସି ହୋଇଛି । ଏଭଳି କେତେକ କାରଣ ଅଛି ଯେଉଁଥିପାଇଁ କର୍ଣ୍ଣର କିକ୍‍ ଦିଆଯାଏ; କିନ୍ତୁ ଏ କଥା ଖୁବ୍‍ କମ୍‍ ଲୋକଙ୍କୁ ଜଣା । ବର୍ତ୍ତମାନ ମୁଁ ସେହି ବିଶେଷ ୩ଟି କାରଣ କଥା କହୁଛି–ମନଦେଇ ଶୁଣ ।

 

୧ । ରକ୍ଷଣକାରୀ ଦଳର ଗୋଲ କିକ୍‍ରୁ ବଲ୍‍ ନିଜ ପଟର ପେନାଲ୍‍ଟି ଏରିଆ ଅତିକ୍ରମ କଲାପରେ ଯଦି ରେଫରୀଙ୍କ ଦେହରେ ବାଜି ବା ପବନ ଯୋଗୁଁ ଫେରିଆସି ନିଜ ଗୋଲ୍‍ ଭିତରେ ପ୍ରବେଶ କରେ ବା ନିଜ ଗୋଲ୍‍ ଲାଇନ୍‍ ଅତିକ୍ରମ କରି ପଡ଼ିଆ ବାହାରକୁ ଚାଲିଯାଏ ତାହାହେଲେ ପ୍ରତିପକ୍ଷ ଗୋଟିଏ କର୍ଣ୍ଣର କିକ୍‍ ମାରିବାର ସୁଯୋଗ ପାଇବ ।

୨ । ଯଦି ଥ୍ରୋ–ଇନ୍‍ରୁ ବଲ୍‍ ଅନ୍ୟ କାହାରିକୁ ସ୍ପର୍ଶ ନ କରି ନିଜ ଗୋଲ ଭିତରେ ପ୍ରବେଶ କରେ ବା ନିଜପଟର ଗୋଲ୍‍ ଲାଇନ୍‍ ଅତିକ୍ରମ କରି ପଡ଼ିଆ ବାହାରକୁ ଯାଏ, ତେବେ ପ୍ରତିପକ୍ଷ ଦଳକୁ ଏକ କର୍ଣ୍ଣାର୍‍ କିକ୍‍ ମାରିବାକୁ ଦିଆଯିବ ।

 

୩ । ନିଜ ପେନାଲ୍‍ଟି ଏରିଆ ବାହାରେ କୌଣସି ଦଳ ମନେକର ଗୋଟିଏ ଡାଇରେକ୍ଟ ବା ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିଲା । ସେ କିକ୍‍ରୁ ଯଦି ବଲ୍‍ ସିଧାସଳଖ ନିଜ ଗୋଲ୍ ରେ ପ୍ରବେଶ କରେ ବା ନିଜ ତରଫର ଗୋଲ ଲାଇନ୍‍ ଅତିକ୍ରମ କରି ପଡ଼ିଆ ବାହାରକୁ ଚାଲିଯାଏ ତେବେ ପ୍ରତିପକ୍ଷ ଗୋଟିଏ କର୍ଣ୍ଣର୍‍ କିକ୍‍ ମାରିବାକୁ ହକ୍‍ଦାର ହେବ ।

 

‘‘କଅଣ ମନେ ରହିବ ତ ?’’ ସାର୍‍ ପଚାରିଲେ ।

 

ଅନ୍ୟମାନେ ହଁ କଲାବେଳକୁ ରାମାୟା ପଚାରିଲା, ‘‘ସାର୍‍, ୩ ନମ୍ୱର ଧାରାରେ ଯାହା କହିଲେ, ସେଥିରେ ଗୋଟିଏ କଥା ପଚାରିବାକୁ ଅଛି । ମନେ କରନ୍ତୁ, ପ୍ରତିରୋଧକାରୀ ଦଳ ନିଜ ପେନାଲ୍‍ଟି ଏରିଆ ଭିତରୁ ଗୋଟିଏ ଡାଇରେକ୍ଟ ବା ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିଲା । ଆଉ ସେ କିକ୍‍ରୁ ବଲ୍‍ ସିଧାସଳଖ ନିଜ ଗୋଲ୍‍ ଭିତରେ ପଶିଗଲା ବା ନିଜ ପଟ ଗୋଲ୍‍ ଲାଇନ୍‍ ଅତିକ୍ରମ କରି ପଡ଼ିଆ ବାହାରକୁ ଚାଲିଗଲା । ଏଭଳି କ୍ଷେତ୍ରରେ ରେଫରୀ କି ନିଷ୍ପତ୍ତି ଦେବେ ?’’

 

ସାର୍‍–କିହୋ, ଏ କଥା ଫ୍ରି କିକ୍‍ର ନିୟମ ପର୍ଯ୍ୟାଲୋଚନା ବେଳେ କହିଛି । ସେ ସବୁ କଅଣ ଭୁଲିଗଲ ? ନିଜ ପେନାଲ୍‍ଟି ଏରିଆ ଭିତରୁ ଯେତେବେଳେ ଡାଇରେକ୍ଟ ବା ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମରାଯିବ ସେତେବେଳେ ବଲ୍‍କୁ ଅବଶ୍ୟ ପେନାଲ୍‍ଟି ଏରିଆ ବାହାରକୁ ପଠାଇବାକୁ ହେବ । ବଲ୍‍ ଯଦି ପେନାଲ୍‍ଟି ଏରିଆ ବାହାରକୁ ନ ଯାଏ ତେବେ ସେ ଫ୍ରି କିକ୍‍ ନିୟମ ସିଦ୍ଧ ହେବ ନାହିଁ ଏବଂ ପୁଣି ଥରେ କିକ୍‍ ମରାଯିବ । କଅଣ ପିଲାଏ ବୁଝିଲ ତ ? କର୍ଣ୍ଣର୍‍ କିକ୍‍ର ନିୟମ ଏବଂ କେଉଁ କେଉଁ କାରଣରୁ ତାହା ଦିଆଯାଏ, ତ କହିଲି । ବର୍ତ୍ତମାନ ଚାଲ ସେ ଦିନ ଖେଳର ଦୋଷତ୍ରୁଟି କଥା ଆଲୋଚନା କରିବା । କେଉଁ ତ୍ରୁଟି କଥା ପ୍ରଥମେ ଆଲୋଚନା କରିବି, ତୁମ୍ଭେମାନେ କୁହ ।

 

ହେରମ୍ୱ–ସାର୍‍, ଆପଣଙ୍କର ତ ମନେଥିବ ଦ୍ୱିତିୟାର୍ଦ୍ଧ ଖେଳ ଆରମ୍ଭ ହେବାର କିଛି ସମୟ ପରେ କୃତ୍ତିବାସ ଗୋଟିଏ ବଲ୍‍ ଟାଣିନେଇ ରାଣୀହାଟ ଗୋଲ୍‍ ଆଡ଼କୁ ଯାଉଥିଲା । ସେତେବେଳେ ମନି ନିଜ ପେନାଲ୍‍ଟି ଏରିଆ ଭିତରେ କୃତ୍ତିବାସକୁ ବାଟ ଓଗାଳି ବଲ୍‍କୁ ଗୋଲ୍‍କିପର୍‍ ନନ୍ଦ ପାଖକୁ ଠେଲିଦେଲା । ସମସ୍ତେ ଫାଉଲ୍‍ ବୋଲି ପାଟି କଲେ, ଆପଣ ମଧ୍ୟ ଫାଉଲ୍‍ ପାଇଁ ହୁଇସିଲ୍‍ ବଜାଇଲେ । କିନ୍ତୁ ପେନାଲ୍‍ଟି କିକ୍‍ ବଦଳରେ ଆପଣ ଇନ୍‍ଡାଇରେକ୍‍ଟ ଫ୍ରି କିକ୍‍ ଦେଲେ । ଇନ୍‍ଡାଇରେକ୍ଟ ଫ୍ରି କିକ୍‍ କାହିଁକି ଦିଆଗଲା ଆମେ ବୁଝି ପାରୁନାହିଁ ।

 

ସାର୍‍–ହଉ, ଏହିକ୍ଷଣି ବୁଝାଇ ଦେଉଛି । କେଉଁ ଫାଉଲ୍‍ ଯୋଗୁଁ ଡାଇରେକ୍‍ଟ ଫ୍ରି କିକ୍‍ ଓ କେଉଁଥିପାଇଁ ଇନ୍‍ଡାଇରେକ୍‍ଟ ଫ୍ରି କିକ୍‍ ଦିଆଯାଏ, ସେ ଦିନ ତ ମୁଁ କହିଛି । ମନି ଯେ ବାଟ ଓଗାଳି ଫାଉଲ୍‍ କରିଛି ସେଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ସେ ତ କୃତ୍ତିବାସ ଦେହରେ ହାତ ବା ଗୋଡ଼ ବା ନିଜ ଦେହର କୌଣସି ଅଂଶ ଲଗାଇ ନାହିଁ । ଖାଲି ବଲ୍‍କୃତ୍ତିବାସ ମଧ୍ୟରେ ଦୌଡ଼ି କୃତ୍ତିବାସର ବାଟ ଓଗାଳିଛି । କୃତ୍ତିବାସ ଇଚ୍ଛା କଲେ ମନିକୁ ବୈଧ ଚାର୍ଯ କରି ପାରିଥାନ୍ତା–କିନ୍ତୁ ସେ ତ ତାହା କଲା ନାହିଁ । ଏଭଳି ବାଟ ଓଗାଳି ଫାଉଲ୍‍ କରାଗଲେ ସେଥିପାଇଁ ଇନ୍‍ଡାଇରେକ୍‍ଟ ଫ୍ରି କିକ୍‍ ଦେବା କଥା–ମୁଁ ପେନାଲ୍‍ଟି କିକ୍‍ ଦିଅନ୍ତି କେମିତି ? ତେଣୁ ମୋ ବିଚାରରେ ଯେ ଭୁଲ ହୋଇନାହିଁ, ବୁଝି ପାରିଲ ତ ?

 

ସାର୍‍ଙ୍କ କଥା ଶେଷ ହେବା ମାତ୍ରେ ରାଣୀହାଟ ସେଣ୍ଟର ହାଫ୍‍ ହରିଶ କହିଲା, ‘ସାର୍‍, ତାହା ଯଦି ହେଲା ତେବେ ସନ୍ତୋଷ ଆମ ଗୋଲ୍‍ କିପର୍‍କୁ ପେନାଲ୍‍ଟି ଏରିଆ ଭିତରେ ଯେଉଁ ଚାର୍ଯ କଲା ସେଟା ତ ନିଶ୍ଚୟ ଫାଉଲ୍‍ ହୋଇଥାନ୍ତା । କିନ୍ତୁ କାହିଁ ଆପଣ ତ କିଛି ଦେଲେ ନାହିଁ । ବରଂ ସେହି ସୁଯୋଗରେ ହେରମ୍ୱ ଗୋଲ୍‍ ଦେଲା । ସେ ନିଷ୍ପତ୍ତିଟା କଅଣ ଠିକ୍‍ ହୋଇଛି ?

 

ସାର୍‍–ତୁମେ ଯେଉଁ ଘଟଣା କଥା କହିଲ ତାହା ମୁଁ ବୁଝିଲି । ସନ୍ତୋଷ ଗୋଲ୍‍ କିପର୍‍କୁ ଚାର୍ଯ କରି ଫାଉଲ୍‍ତ କରିନାହିଁ; ବରଂ ଫାଉଲ୍‍ ଯଦି କେହି କରିଥାଏ ତେବେ ସେ ହେଲା ତୁମ ଦଳର ବ୍ୟାକ୍‍ ମଧୁ । ସେଥିପାଇଁ ତୁମ ଟିମ୍‍ ବିରୁଦ୍ଧରେ ପେନାଲ୍‍ଟି କିକ୍‍ ଦେଇନାହିଁ । ବର୍ତ୍ତମାନ ଘଟଣାଟି ପୂରାପୂରି ଆଲୋଚନା କରାଯାଉ । ଘଟଣାବେଳେ ତୁମ ଟିମ୍‍ କଲେଜିଏଟ୍‍ ଉପରେ ଶକ୍ତ ଆକ୍ରମଣ ଚଳାଉଥିଲା । ସେଥିପାଇଁ ତୁମ ଦଳର ଅଧିକାଂଶ ଖେଳାଳୀ କଲେଜିଏଟ୍‍ ପଟକୁ ମାଡ଼ି ଯାଇଥିଲେ । କେବଳ ମନି ଓ ମଧୁ ସେଣ୍ଟର ଲାଇନ୍‍ ପାଖରେ ଛିଡ଼ା ହୋଇଥିଲେ । ଏଭଳି ଅବସ୍ଥାରେ ହଠାତ୍‍ ଗୋଟିଏ କିକ୍‍ରୁ ହେରମ୍ୱ ବଲ୍‍ ପାଇଲା । ବଲ୍‍ ପାଇବାମାତ୍ରେ ସେ ତୁମ ପଟ ଫାଙ୍କା ପଡ଼ିଆ ଭିତରକୁ ଦୌଡ଼ିଲା । ମନି ଓ ମଧୁ ତା ପଛରେ ଦୌଡ଼ିଲେ । ଆଉ ଦୌଡ଼ୁଥିଲା କଲେଜିଏଟ୍‍ର ରାଇଟ୍‍ ସାଇଡ୍‍ ଆଉଟ୍‍ ସନ୍ତୋଷ ହେରମ୍ୱ ସଙ୍ଗେ ତାଳ ରଖି । ହେରମ୍ୱ ଯେତେବେଳେ ତୁମ ପଟ ପେନାଲ୍‍ଟି ଏରିଆର ମଝିରେ ପହଞ୍ଚିଲା ସେତେବେଳେ ମଧୁ ଜାଣି ଶୁଣି ତାକୁ ପଛରୁ ଗୋଡ଼ ଛନ୍ଦି ପକାଇଦେଲା । ମଧୁର ଏହା ଏକ ଗୁରୁତର ଅପରାଧ । ହେରମ୍ୱ ପଡ଼ିଲା ବେଳକୁ ନନ୍ଦ ଆଗେଇ ଆସି ବଲ୍‍ ଗୋଟେଇ ନେଲା । ମୁଁ ଚାହିଁ ଦେଖେ ଯେ ସନ୍ତୋଷ ସେତେବେଳକୁ ନନ୍ଦ ପାଖକୁ ଆସିଗଲାଣି । ଆଖି ପିଛୁଳାକେ ସନ୍ତୋଷ ନନ୍ଦ କାନ୍ଧ ସହିତ ନିଜ କାନ୍ଧ ମିଶାଇ ଗୋଟିଏ ଧକ୍‍କା ମାରିଲା । ଏ ପ୍ରକାର ଧକ୍‍କା ସମ୍ପୂର୍ଣ୍ଣ ବୈଧ–ସେଥିରେ ଅନ୍ୟାୟ କିଛି ନାହିଁ । ତା’ଛଡ଼ା ନନ୍ଦ ସେତେବେଳେ ପେନାଲ୍‍ଟି ଏରିଆ ମଧ୍ୟରେ । ପେନାଲ୍‍ଟି ଏରିଆ ଭିତରେ ଗୋଲ୍‍କିପର୍‍କୁ ଚାର୍ଯ କରାଯାଇପାରେ । ତେଣୁ ସନ୍ତୋଷ ଧକ୍‍କା ମାରି କିଛି ଅନ୍ୟାୟ କରିନାହିଁ । ଗୋଲ୍‍କିପର୍‍କୁ ନିଜ ଗୋଲ୍‍ଏରିଆ ଭିତରେ ଆଦୌ ଚାର୍ଯ କରାଯାଇ ପାରିବ ନାହିଁ ଏବଂ ଗୋଲ୍‍ଏରିଆ ବାହାରେ ଚାର୍ଯ କଲାବେଳେ ଗୋଡ଼ଦ୍ୱାରା ଆକ୍ରମଣ କରାଯାଇ ପାରିବ ନାହିଁ-। କଲେ ଅବୈଧ ଚାର୍ଯ କରାଗଲା ବୋଲି ଧରାଯିବ । ସନ୍ତୋଷ ତ କୌଣସି ଅବୈଧ ଚାର୍ଯ କରିନାହିଁ, ତେଣୁ ତାକୁ କିପରି ଦୋଷୀ କରାଯିବ ? ହଁ, ତୁମେ ପଚାରିପାର ଯେ ମଧୁ ଯେତେବେଳେ ହେରମ୍ୱକୁ ଫାଉଲ୍‍ କଲା ତାହା ମୁଁ କାହିଁକି ନ ଧରିଲି । ମଧୁ ଫାଉଲ୍‍ କରିବା ଫଳରେ ଖେଳର ଗତି ବଦଳି ନ ଥିଲା, ବରଂ ତାହା କଲେଜିଏଟ୍‍ ସପକ୍ଷରେ ଯାଉଥିଲା । ସେତେବେଳେ ଫାଉଲ୍‍ ଧରିଥିଲେ କଲେଜିଏଟ୍‍ର ସୁବିଧାତକ ନଷ୍ଟ ହୋଇଥାନ୍ତା । ନିରପରାଧୀ ଦଳକୁ ସୁବିଧା ଦେବା ପାଇଁ ମୁଁ ସେତେବଳେ ଫାଉଲ୍‍ଧରି ନ ଥିଲି । ଫୁଟବଲ୍‍ଖେଳର ଭାଷାରେ ଏହାକୁ ଆଡ୍‍ଭାଣ୍ଟେଜ୍‍ନିୟମ (Advantage Rule) କୁହାଯାଏ । କ୍ଷେତ୍ରବିଶେଷରେ ଅବସ୍ଥା ବିଚାର କରି ରେପରୀ ଏହି ନିୟମ ପ୍ରୟୋଗ କରି ପାରନ୍ତି । ସେତେବେଳେ ଖେଳ ଯେଉଁ ଅବସ୍ଥାରେ ଥିଲା ସେଥିରେ କଲେଜିଏଟ୍‍ଦଳର ଏହି ସୁବିଧା Advantage ପାଇବା ଯୁକ୍ତିଯୁକ୍ତ । ସନ୍ତୋଷର ଚାର୍ଯ ବୈଧ । ନନ୍ଦ ସେଥିପାଇଁ ଆଦୌ ପ୍ରସ୍ତୁତ ନଥିଲା । ସେଥିଯୋଗୁଁ ଚାର୍ଯ ହେବା ମାତ୍ରେ ତାହାର ହାତରୁ ବଲ୍‍ଖସି ପଡ଼ିଲା ଏବଂ ସେହି ସୁଯୋଗରେ ହେରମ୍ୱ ଗୋଲ୍‍ଦେଲା । ତେଣୁ ମୁଁ ଯେ ନିୟମର ଅପପ୍ରୟୋଗ କରିନାହିଁ ତାହା ଏବେ ବୁଝିଲ ତ ? ଶେଷରେ କଲେଜିଏଟ୍‍ବିରୁଦ୍ଧରେ ଯେଉଁ ପେନାଲ୍‍ଟି କିକ୍‍ଦିଆଯାଇଥିଲା ସେ ବିଷୟରେ କାହାରି କିଛି ସନ୍ଦେହ ଅଛି କି ?

 

ପିଲାମାନେ ସମସ୍ୱରରେ କହିଲେ ‘ନାହିଁ ସାର୍‍ । ବଳି ତ ଜାଣିଶୁଣି ଅନିରୁଦ୍ଧକୁ ପେନାଲ୍‍ଟି ଏରିଆ ଭିତରେ ଫାଉଲ୍‍କଲା, ଆଉ ପେନାଲ୍‍ଟି କିକ୍‍ ନ ଦିଆଯାଆନ୍ତା କିପରି ? ତେବେ ଦ୍ୱିତୀୟାର୍ଦ୍ଧରେ ନିଜ ପେନାଲ୍‍ଟି ଏରିଆ ଭିତରେ ବଳିର ଯେଉଁ ହ୍ୟାଣ୍ଡବଲ୍‍ ଦେଇଥିଲା, ସେଟା ତ ଆପଣ ଧରିଲେ ନାହିଁ ?’

 

ସାର୍‍–କାହିଁକି ଧରିଲି ନାହିଁ ସେ କଥା ପଡ଼ିଆ ଭିତରେ ସେ ଦିନ ମୁଁ ସୁରେଶକୁ କହିଛି । ହାତରେ ବଲ୍‍ ବାଜିଲେ ଯେ ହ୍ୟାଣ୍ଡବଲ୍‍ ହେବ ସେ ଧାରଣା ଭୁଲ । ନିୟମ କହେ ଯେ ‘ଯଦି ଜଣେ ଖେଳାଳୀ ଜାଣି ଶୁଣି ନିଜ ହାତଦ୍ୱାରା ବଲ୍‍କୁ ମାରି ଚାଳନା (Propel) କରେ ତେବେ ତାହାର ହ୍ୟାଣ୍ଡବଲ୍‍ ହେବ ।’ ଏ କ୍ଷେତ୍ରରେ ଘଟଣା ସମ୍ପୁର୍ଣ୍ଣ ଅନ୍ୟ ପ୍ରକାର ହୋଇଥିଲା । ହନିଫ୍‍ ଭାରି ବୁଦ୍ଧି କରି ଜାଣି ଜାଣି ବଲ୍‍କୁ ବଳି ହାତରେ ବଜାଇ ଦେଇଥିଲା । ବଳିର ଆଦୌ ଦୋଷ ନାହିଁ । ବଲ୍‍ ଅଜାଣତରେ ତାହାର ହାତରେ ବାଜିଛି । ଏ ଘଟଣା ପାଇଁ ମୁଁ ହନିଫ୍‍ର ବୁଦ୍ଧିକୁ ତାରିଫ କରୁଛି । ଘଟଣାଟିକୁ ମୁଁ ଭଲଭାବେ ଲକ୍ଷ୍ୟ ନ କରିଥିଲେ ବଳିର ହ୍ୟାଣ୍ଡ ବଲ୍‍ ସକାଶେ କଲେଜିଏଟ୍‍ ଟିମ୍‍କୁ ପେନାଲ୍‍ଟି କିକ୍‍ ଦେଇ ଦଣ୍ଡିତ କରିଥାଆନ୍ତି । ଯାହାହେଉ ହନିଫ୍‍ର ଚାଲାକି କାମ ଦେଲା ନାହିଁ । ଗୋଟିଏ କଥା ମନେ ରଖ–ଖେଳାଳୀ ହାତରେ ବଲ୍‍ ବାଜିଲାକ୍ଷଣି ହ୍ୟାଣ୍ଡବଲ୍‍ ବୋଲି ପାଟି କରିବ ନାହିଁ । ଘଟଣାକୁ ଭଲ ଭାବେ ଲକ୍ଷ୍ୟ କରି ତାପରେ ହ୍ୟାଣ୍ଡବଲ୍‍ ହୋଇଥିଲେ ତାହା ଦାବୀ କରିବ–ନଚେତ୍‍ ନୁହଁ । କଅଣ ମନେ ରହିବ ତ ? ଆଚ୍ଛା, ଆଉ କିଛି ପଚାରିବାକୁ ଅଛି ?

 

(Diagonal) ବା କର୍ଣ୍ଣଭିତ୍ତିକ ଖେଳ ପରିଚାଳନା

 

ପିଲାମାନେ ଆଉ କଅଣ ପଚରା ଯାଇପାରେ ଚିନ୍ତା କଲାବେଳକୁ ୧ ନମ୍ୱର ଲାଇନ୍‍ସ ମ୍ୟାନ୍‍ କହିଲା, ‘‘ସାର୍‍, ସେ ଦିନ ବାରବାଟୀ ଷ୍ଟେଡ଼ିୟମ୍‍ ପଡ଼ିଆରେ କଲିକତାର ମୋହନବାଗାନ ଏବଂ କଟକ ଏକାଦଶ ମଧ୍ୟରେ ଯେଉଁ ମ୍ୟାଚ ହେଲା ସେଥିରେ ଲାଇନ୍‍ସମ୍ୟାନ୍‍ ଓ ରେଫରୀ କିପରି ଭାବରେ ଖେଳ ପରିଚାଳନା କରୁଥିଲେ ଲକ୍ଷ୍ୟ କରିଛନ୍ତି ନା ? ସେଭଳି ଖେଳ ପରିଚାଳନା ତ ଏଠାରେ ଦେଖାଯାଏ ନାହିଁ । ଏହିକ୍ଷଣି ସେ ପ୍ରକାର ପରିଚାଳନା ବିଷୟରେ କିଛି କହନ୍ତୁ ।’’

 

ସାର୍‍–ହଁ, ସେ ଖେଳ ପରିଚାଳନା ମୁଁ ଲକ୍ଷ୍ୟ କରିଛି । ତାହାର ନାମ ହେଲା Diagonal ବା କର୍ଣ୍ଣଭିତ୍ତିକ ଖେଳ ପରିଚାଳନା ସରଳ ଭାଷାରେ କହିଲେ କୋଣାକୋଣି ଖେଳ ପରିଚାଳନା । ରେଫରୀ ଓ ଲାଇନ୍‍ସମ୍ୟାନ୍‍ ଦୁଇ ଜଣଙ୍କ ମଧ୍ୟରେ ଭଲ ବୁଝାମଣା ଉପରେ ସେ ପରିଚାଳନା ନିର୍ଭର କରେ । ତୁମ୍ଭେମାନେ ଲକ୍ଷ୍ୟ କରିଥିବ ଯେ ରେଫରୀ ପ୍ରାୟ ପଡ଼ିଆର ଗୋଟିଏ କର୍ଣ୍ଣ ବା Diagonal ଧରି ଦୌଡ଼ୁଥିଲା ବେଳେ ଲାଇନ୍‍ସମ୍ୟାନ୍‍ ଦୁଇ ଜଣ ଦୁଇ ପାର୍ଶ୍ୱରେଖାର ଅଧା ପର୍ଯ୍ୟନ୍ତ ଦୌଡ଼ି ତାଙ୍କୁ ସାହାଯ୍ୟ କରୁଥିଲେ । ସେ ଦିନର କୋଣାକୋଣି ଖେଳ ପରିଚାଳନାର ଗୋଟିଏ ନକ୍‍ସା ଭୂଇଁ ଉପରେ କାଟି ତୁମ୍ଭମାନଙ୍କୁ ବୁଝାଉଛି ।

 

ଏହି ପଦ୍ଧତିରେ ଖେଳ ପରିଚାଳନା କଲାବେଳେ, ରେଫରୀଙ୍କୁ ପ୍ରାୟ ‘କଖ’ ରେଖା(କର୍ଣ୍ଣ) ଉପରେ ରହି ଖେଳ ଓ ଖେଳାଳୀଙ୍କ ପ୍ରତି ଲକ୍ଷ୍ୟ ରଖିବାକୁ ପଡ଼େ । ରେଫରୀ ‘‘କଖ’’ ରେଖା ଉପରେ ରହି ଖେଳ ପରିଚାଳନା କରୁଥିଲାବେଳେ ୧ ନମ୍ୱର ଲାଇନ୍‍ସମ୍ୟାନ୍‍ ‘ଆ’ ଠାରୁ ‘ଢ’ ଏବଂ ୨ ନମ୍ୱର ଲାଇନ୍‍ସମ୍ୟାନ୍‍ ‘ଅ’ ଠାରୁ ‘ଠ’ ରେଖା ଉପରେ ଦୌଡ଼ି ତାଙ୍କୁ ସାହାଯ୍ୟ କରିବେ । କୌଣସି ଏକ ଅବସ୍ଥାରେ ମନେ କରାଯାଉ ‘ଝଙ’ ଲାଇନ୍‍ସମ୍ୟାନ୍‍ ଦୁଇ ଜଣଙ୍କର କାଳ୍ପନିକ କର୍ଣ୍ଣ ରେଖା । ଅର୍ଥାତ୍‍ ରେଫରୀଙ୍କ ଅବସ୍ଥାନ ‘କ’ ନିକଟରେ ହେଲା ବେଳକୁ ୧ ନମ୍ୱର ଲାଇନ୍‍ସମ୍ୟାନ୍‍ ଅବସ୍ଥାନ ହେବ ‘ଝ’ ଓ ‘ଞ’ ମଧ୍ୟରେ ଏବଂ ୨ୟ ନମ୍ୱର ଲାଇନ୍‍ସମ୍ୟାନ୍‍ ରହିବେ ‘ଅ’ ଓ ‘ଙ’ ମଧ୍ୟରେ । ସେହିପରି ରେଫରୀ ‘ଖ’ ନିକଟରେ ରହିଲେ ୧ ନମ୍ୱର ଲାଇନ୍‍ସମ୍ୟାନ୍‍ ‘ଝ’ ଓ ‘ଆ’ ମଧ୍ୟରେ ଏବଂ ଲାଇନ୍‍ସମ୍ୟାନ୍‍ ‘ଙ’ ଓ ‘ଚ’ ମଧ୍ୟରେ ରହିବେ । ଏଥିରୁ ଦେଖାଯିବ ଯେ ଖେଳର ଯେ କୌଣସି ମୁହୂର୍ତ୍ତରେ ଦୁଇ ଜଣ ପରିଚାଳକ ପଡ଼ିଆର ଗୋଟିଏ ଅର୍ଦ୍ଧରେ ରହି ଖେଳର ଗତିବିଧି ଲକ୍ଷ୍ୟ କରୁଛନ୍ତି ଏବଂ ତାହାକୁ ନିୟନ୍ତ୍ରଣ କରୁଛନ୍ତି । ପରିଚାଳକମାନଙ୍କର ଏ ପ୍ରକାର ଅବସ୍ଥାନ ପଛରେ ଗୋଟିଏ ଉଦ୍ଦେଶ୍ୟ ରହିଛି । ମନେ କରାଯାଉ ୧ ନମ୍ୱର ଲାଇନ୍‍ସମ୍ୟାନ୍‍ଙ୍କ ପଟେ ଲାଲ କୁର୍ତ୍ତା ଦଳ ରହିଛି ଏବଂ ୨ନମ୍ୱର ଲାଇନ୍‍ସମ୍ୟାନ୍‍ଙ୍କ ପଟେ ନୀଳ କୁର୍ତ୍ତାଦଳ । ୧ନମ୍ୱର ଲାଇନ୍‍ସମ୍ୟାନ୍‍ଙ୍କର କର୍ତ୍ତବ୍ୟ ହେଲା ନୀଳ କୁର୍ତ୍ତାଦଳ ଆକ୍ରମଣ କଲାବେଳେ ସେ ଲାଲ କୁର୍ତ୍ତା ଦଳର ଶେଷ ପ୍ରତିରୋଧକାରୀଙ୍କର ଅଗ୍ରବର୍ତ୍ତୀ ପ୍ରତିରୋଧକାରଙ୍କ (Second last defender)ସହିତ ତାଳ ରଖି ଦୌଡ଼ି ଖେଳ ପରିଚାଳନାରେ ରେଫରୀଙ୍କୁ ସାହାଯ୍ୟ କରିବା । ସେହିପରି ଲାଲ୍‍ କୁର୍ତ୍ତାଦଳ ଆକ୍ରମଣ କଲାବେଳେ ୨ ନମ୍ୱର ଲାଇନ୍‍ସମ୍ୟାନ୍‍ ନୀଳ କୁର୍ତ୍ତା ଦଳର ଶେଷ ପ୍ରତିରୋଧକାରୀଙ୍କର ଅଗ୍ରବର୍ତ୍ତୀ ପ୍ରତିରୋଧକାରୀଙ୍କ ସହିତ ତାଳ ରଖି ଦୌଡ଼ି ଖେଳ ପରିଚାଳନାରେ ରେଫରୀଙ୍କର ସହାୟତା କରିବା । ଏ ପ୍ରକାର ଖେଳ ପରିଚାଳନା ଯୋଗୁଁ କୌଣସି ଲାଇନ୍‍ସମ୍ୟାନ୍‍ଙ୍କୁ ଅନ୍ୟ ଲାଇନ୍‍ସମ୍ୟାନ୍‍ଙ୍କ ଲାଗି ନିର୍ଦ୍ଦିଷ୍ଟ ଅଞ୍ଚଳକୁ କ୍ୱଚିତ୍‍ ଯିବାକୁ ପଡ଼ିବ-। ଏ ପ୍ରକାର ଦାୟିତ୍ୱ ବଣ୍ଟନ ଯୋଗୁଁ ଖେଳର ଯେ କୌଣସି ସମୟରେ ରେଫରୀ ଓ ଜଣେ ଲାଇନ୍‍ସମ୍ୟାନ୍‍ ପଡ଼ିଆର ଗୋଟିଏ ଅର୍ଦ୍ଧର ଦୁଇ ପାଖରେ ରହି ଖେଳକୁ ଭଲଭାବେ ଲକ୍ଷ୍ୟ କରି ପାରନ୍ତି । ତାହାଛଡ଼ା ସେମାନଙ୍କୁ ଅତ୍ୟଧିକ ଦୌଡ଼ିବାକୁ ପଡ଼େ ନାହିଁ ।

 

ମନେ କରାଯାଉ କୌଣସି ଏକ ସମୟରେ ଲାଲ କୁର୍ତ୍ତା ଦଳ ବିରୁଦ୍ଧରେ କୋଟିଏ କର୍ଣ୍ଣର କିକ୍‍ ମରାଯାଉଛି । ସେ କ୍ଷେତ୍ରରେ ରେଫରୀ ଗୋଲ୍‍ ପୋଷ୍ଟ ନିକଟରେ ନଚେତ୍‍ ‘କR’ ରେଖାର କୌଣସି ଏକ ସ୍ଥାନରେ ରହିବେ ଏବଂ ୧ନମ୍ୱର ଲାଇନ୍‍ସମ୍ୟାନ୍‍ର ରହିବା ସ୍ଥାନ ହେବ ପେନାଲ୍‍ଟି ଏରିଆ ଏବଂ ଗୋଲ୍‍ଲାଇନ୍‍ର ସଂଯୋଗ ସ୍ଥଳ ‘ଖ’ ଠାରେ । ୨ନମ୍ୱର ଲାଇନ୍‍ସମ୍ୟାନ୍‍ (L2) ଛିଡ଼ାହେବେ ପଡ଼ିଆର ମଧ୍ୟରେଖା ବରାବର ‘ଗ’ ପାଖରେ । ଏଭଳି ଭାବରେ ରେଫରୀ ଓ ଲାଇନ୍‍ସମ୍ୟାନ୍‍ ପଡ଼ିଆରେ ଜଗି ରହିଲେ କୌଣସି ଘଟଣା ସେମାନଙ୍କୁ ଅଛପା ରହିବ ନାହିଁ । ରେଫରୀଙ୍କୁ ଯେଉଁ ବିଷୟ ଦେଖା ନଯିବ ତାହା ୧ ନମ୍ୱର ଲାଇନ୍‍ସମ୍ୟାନ୍‍ ଦେଖି ପାରିବ ଏବଂ ନିୟମ ଭଙ୍ଗ ଘଟିଲେ ସେ ତାହା ରେଫରୀଙ୍କର ଦୃଷ୍ଟିକୁ ଆଣିବ । ୨ ନମ୍ୱର ଲାଇନ୍‍ସମ୍ୟାନ୍‍ ‘ଗ’ ଅବସ୍ଥାନରେ ରହିବା ଯୋଗୁଁ ଲାଲକୁର୍ତ୍ତା ଦଳ କର୍ଣ୍ଣର୍‍ କିକ୍‍ ପରେ ପ୍ରତିଆକ୍ରମଣ ଆରମ୍ଭ କଲାମାତ୍ରେ ସେ ସେମାନଙ୍କର ଓ ଖେଳର ଗତିବିଧି ଉପରେ ସହଜରେ ଦୃଷ୍ଟି ରଖି ପାରିବ ।

ସେହିପରି ପେନାଲ୍‍ଟି କିକ୍‍ ମରାଗଲାବେଳେ ରେଫରୀ ଓ ଲାଇନ୍‍ସମ୍ୟାନ୍‍ଦ୍ୱୟଙ୍କର ଅବସ୍ଥାନ କିପରି ହେବ ତାହା ପାର୍ଶ୍ୱବର୍ତ୍ତୀ ନକ୍‍ସାରୁ ଜଣା ପଡ଼ିବ । ରେଫରୀ ନିୟମାନୁସାରେ ପେନାଲ୍‍ଟି କିକ୍‍ ମରାଯାଉଛି କି ନାହିଁ ଅଥବା କୌଣସି ଖେଳାଳୀ ପେନାଲ୍‍ଟି ଏରିଆରେ ଅନଧିକାର ପ୍ରବେଶ କରୁଛି କି ନାହିଁ ଲକ୍ଷ୍ୟ କଲାବେଳକୁ ଜଣେ ଲାଇନ୍‍ସମ୍ୟାନ୍‍ (L1) ଗୋଲ୍‍କିପର୍‍ କୌଣସି ନିୟମ ଭଙ୍ଗ କରୁଛନ୍ତି କି ନାହିଁ ଲକ୍ଷ୍ୟ ରଖେ । ତାହା ଛଡ଼ା ଗୋଲ୍‍ବିଚାରକର କାର୍ଯ୍ୟ ମଧ୍ୟ କରେ । ତେଣୁ ଦେଖାଯିବ ଯେ ଏହି ପଦ୍ଧତି ଅନୁସାରେ ଖେଳ ପରିଚାଳନା କଲାବେଳେ ରେଫରୀ ଓ ଲାଇନ୍‍ସମ୍ୟାନ୍‍ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ ହୋଇଥାଏ-। ଏମାନଙ୍କର ଦାୟିତ୍ୱ ତୁଲାଇବାର କ୍ଷମତା ଉପରେ ଏହି ପଦ୍ଧତିର ସାଫଲ୍ୟ ନିର୍ଭର କରେ । ତୁମ୍ଭେମାନେ ପ୍ରଶ୍ନ କରିପାର, ଖେଳ ପରିଚାଳନାର ଦାୟିତ୍ୱ ମୁଖ୍ୟତଃ ରେଫରୀଙ୍କର । ତେଣୁ ଦାୟିତ୍ୱ ବଣ୍ଟନର ପ୍ରଶ୍ନ ଆସୁଛି କୁଆଡ଼ୁ ? କଥାଟା ଠିକ୍‍ । କିନ୍ତୁ ରେଫରୀଙ୍କର ଦାୟିତ୍ୱ ଯେ କେତେ କଠିନ ଓ କଷ୍ଟସାଧ୍ୟ ସେ କଥା ଉପଲ୍‍ବଧି ନ କଲେ ଏ ଦାୟିତ୍ୱ ବଣ୍ଟନର ତାତ୍ପର୍ଯ୍ୟ ବୁଝି ହେବ ନାହିଁ-। ବର୍ତ୍ତମାନ ରେଫରୀ ଓ ଲାଇନ୍‍ସମ୍ୟାନ୍‍ର ଦାୟିତ୍ୱ, କ୍ଷମତା ଓ କାର୍ଯ୍ୟପ୍ରଣାଳୀ ବିଶଦଭାବେ କହିବ, ମନ ଦେଇ ଶୁଣ ।

 

ରେଫରୀ :– ଫୁଟବଲ୍‍ ଖେଳର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ହେଲେ ରେଫରୀ । ତାଙ୍କ ବିନା କୌଣସି ଫୁଟବଲ୍‍ ଖେଳ ନିୟମସିଦ୍ଧ ନୁହଁ । ଫୁଟ୍‍ବଲ୍‍ ଖେଳର ନିୟମରେ ରେଫରୀର ଦାୟିତ୍ୱ, କ୍ଷମତା ଏବଂ କର୍ଯ୍ୟପ୍ରଣାଳୀ ସୁସ୍ପଷ୍ଟ କରି ଦିଆଯାଇଛି । ରେଫରୀ ସମ୍ପର୍କୀୟ ନିୟମ ଫୁଟବଲ୍‍ ଖେଳର ପଞ୍ଚମ ନିୟମ ।

 

ପଞ୍ଚମ ନିୟମ–

 

ମୂଳ ନିୟମ–ଏହି ନିୟମର ଆରମ୍ଭରେ କୁହାଯାଇଛି ଯେ ପ୍ରତି ଖେଳର ପରିଚାଳନା ଲାଗି ପ୍ରତିଯୋଗିତା ପରିଚାଳନା ଲାଗି ପ୍ରତିଯୋଗିତା ପରିଚାଳନା ସମିତି ଜଣେ ପ୍ରତିନିଧି ନିଯୁକ୍ତ କରିବେ । ସେହି ପ୍ରତିନିଧି ଜଣକ ହେଲେ ରେଫରୀ ତାଙ୍କର କାର୍ଯ୍ୟାବଳୀ ହେଲା–

 

(କ) ସେ ଖେଳର ନିୟମଗୁଡ଼ିକ ଯଥାଯଥ ଭାବେ ପ୍ରୟୋଗ କରିବେ ଏବଂ କୌଣସି ବିତର୍କ ଉପୁଜିଲେ ତାହାର ମୀମାଂସା କରିବେ । ଖେଳର ଫଳାଫଳ ନିର୍ଣ୍ଣୟ କରିବା ଲାଗି ଖେଳ ସମ୍ପର୍କୀୟ ସବୁ ବିଷୟରେ ତାଙ୍କର ନିଷ୍ପତ୍ତି ଚୂଡ଼ାନ୍ତ । ତାଙ୍କର ନିଷ୍ପତ୍ତିକୁ ପ୍ରଶ୍ନ କରାଯାଇ ପାରିବ ନାହିଁ-। ‘‘କିକ୍‍ଅଫ’’ର ସଙ୍କେତ ଦେବା ସମୟଠାରୁ ଖେଳ ଉପରେ ରେଫରୀଙ୍କର ଆଇନ୍‍ଗତ ଅଧିକାର ଆରମ୍ଭ ହେବ ଏବଂ ଖେଳ ସାମୟିକ ଭାବେ ବନ୍ଦ ଥିଲାବେଳେ ବା ବଲ୍‍ପଡ଼ିଆ ବାହାରକୁ ଚାଲି ଯାଇଥିଲାବେଳେ ମଧ୍ୟ ତାଙ୍କର ଶାସ୍ତି ଦେବାର ଅଧିକାର ରହିବ । ଅପରାଧ ବା ନିୟମଭଙ୍ଗ ହେଲାକ୍ଷଣି ଯେ ରେଫରୀଙ୍କୁ ଦଣ୍ଡବିଧାନ କରିବାକୁ ପଡ଼ିବ ତାହା ନୁହେଁ । କୌଣସି କ୍ଷେତ୍ରରେ ଦଣ୍ଡବିଧାନ କଲେ ଅପରାଧକାରୀ ପକ୍ଷ ଯଦି ଲାଭବାନ୍‍ ହେବେ ବୋଲି ସେ ବିବେଚନା କରନ୍ତି, ତେବେ ସେ ଦଣ୍ଡବିଧାନ ନ କରି ପାରନ୍ତି । ସେଥିଲାଗି ତାଙ୍କର ତ୍ରୁଟି ହେଲା ବୋଲି ଧରାଯିବ ନାହିଁ-। ଏହାକୁ ଆଡଭାଣ୍ଟେଜ୍‍ ରୁଲ୍‍(Advantage Rule) କୁହାଯାଏ ।

 

(ଖ) ରେଫରୀ ଖେଳର ଗୋଟିଏ ହିସାବ (Record) ରଖିବେ, ସମୟରକ୍ଷକ (Time–keeper)ର କାର୍ଯ୍ୟ କରିବେ, ପୂରା ସମୟ ବା ଚୁକ୍ତି ଅନୁସାରେ ଯେତେ ସମୟ ଖେଳ ହେବ ବୋଲି ଠିକ୍‍ ହୋଇଥିବ ସେତିକି ସମୟ ସେ ଖେଳ ପରିଚାଳନା କରିବେ । ଆକସ୍ମିକ ଦୁର୍ଘଟଣା ବା ଅନ୍ୟ କୌଣସି କାରଣରୁ ସମୟ ନଷ୍ଟ ହେଲେ ସେ ନଷ୍ଟ ସମୟର ହିସାବ ରଖି ଖେଳର ନିର୍ଦ୍ଧାରିତ ସମୟ ସଙ୍ଗେ ସେତକ ସମୟ ଯୋଗ କରିବେ ।

 

(ଗ) କୌଣସି ନିୟମଭଙ୍ଗ ପାଇଁ ସେ ଖେଳ ସାମୟିକ ଭାବେ ବା ସମ୍ପୂର୍ଣ୍ଣରୂପେ ବନ୍ଦ କରି ଦେଇ ପାରିବେ । ସେହିପରି ଅପରିହାର୍ଯ୍ୟ କାରଣ ଯୋଗୁଁ ବା ଦର୍ଶକମାନେ ଖେଳରେ ବାଧା ଉପୁଜାଇଲେ ବା ଅନ୍ୟ କୌଣସି କାରଣ ପାଇଁ ପ୍ରୟୋଜନ ବୋଧ କଲେ ନିଜ ବିବେଚନା ଅନୁଯାୟୀ ଖେଳକୁ ସାମୟିକ ଭାବେ ସ୍ଥଗିତ ରଖିବା ବା ସମ୍ପୂର୍ଣ୍ଣଭାବେ ବନ୍ଦ କରିଦେବାର କ୍ଷମତା ରେଫରୀଙ୍କର ରହିବ । ଏଭଳି କୌଣସି ନିଷ୍ପତ୍ତି ନିଆଯାଇଥିଲେ ରେଫରୀ ସମ୍ପୃକ୍ତ ଆସୋସିଏସନ୍‍ ବା ପରିଚାଳନା ସମିତିକୁ ଏ ସମ୍ପର୍କରେ ଏକ ରିପୋର୍ଟ ଦେବେ । ଏଭଳି ରିପୋର୍ଟ ଦାଖଲ କରିବା ଲାଗି ସମ୍ପୃକ୍ତ ଆସୋସିଏସନ୍‍ ବା ପରିଚାଳନା ସମିତି ଯେଉଁ ସମୟ ନିର୍ଦ୍ଧାରିତ କରିଥିବେ, ସେହି ସମୟ ମଧ୍ୟରେ ରେଫରୀଙ୍କୁ ତାଙ୍କ ରିପୋର୍ଟ ପେଶ କରିବାକୁ ପଡ଼ିବ । ରିପୋର୍ଟଟି ସାଧାରଣ ଡାକ ଜରିଆରେ କର୍ତ୍ତୁପକ୍ଷଙ୍କୁ ମିଳିଲେ ତାହା ଠିକ୍‍ଭାବେ ପେଶ୍‍ କରାଯାଇଛି ବୋଲି ଧରାଯିବ ।

 

(ଘ) ରେଫରୀ ପଡ଼ିଆରେ ପ୍ରବେଶ କରିବା ମୁହୂର୍ତ୍ତଠାରୁ ତାଙ୍କର କ୍ଷମତା ଆରମ୍ଭ ହେବ । ମନେ କରାଯାଉ ଯେ ରେଫରୀ ପଡ଼ିଆ ଭିତରକୁ ଆସିଲେ, ଅଥଚ ଖେଳ ଆରମ୍ଭ ହୋଇନାହିଁ । ଏହି ସମୟରେ ସେ ଯଦି କୌଣସି ଖେଳାଳୀକୁ ଅସତ୍‍ ଆଚରଣ ବା ଅଭଦ୍ର ବ୍ୟବହାର କରିବା ଦେଖନ୍ତି, ତେବେ ସେ ତାହାକୁ ସତର୍କ କରିଦେବେ । ସତର୍କିତ ଖେଳାଳୀ ପୁଣି ଯଦି ଅସଦାଚରଣ ବା ଅଭଦ୍ର ବ୍ୟବହାର କରେ ତେବେ ରେଫରୀ ଇଚ୍ଛା କଲେ ତାହାକୁ ଖେଳରେ ଅଂଶଗ୍ରହଣ କରିବାକୁ ନ ଦେଇପାରନ୍ତି । ଏଭଳି ଘଟଣା ଘଟିଲେ, ଉପରୋକ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ ରେଫରୀଙ୍କୁ ଶାସ୍ତିପ୍ରାପ୍ତ ଖେଳାଳୀର ନାମ ଏବଂ ତାହାର ଅପରାଧ ସମ୍ପର୍କରେ ଏକ ରିପୋର୍ଟ ସମ୍ପୃକ୍ତ ଆସୋସିଏସନ୍‍ ବା ପରିଚାଳନା ସମିତିକୁ ଦେବାକୁ ପଡ଼ିବ । ସାଧାରଣ ଡାକ ଜରିଆରେ ରିପୋର୍ଟଟି ମିଳିଲେ ତାହା ଠିକ୍‍ ଭାବେ ପେଶ୍‍ କରାଯାଇଛି ବୋଲି ଧରାଯିବ ।

 

(ଙ) ଖେଳାଳୀ ଓ ଲାଇନ୍‍ସମ୍ୟାନ୍‍ ଛଡ଼ା ରେଫରୀ ଅନ୍ୟ କାହାକୁ ବିନାନୁମତିରେ ପଡ଼ିଆରେ ପ୍ରବେଶ କରିବାକୁ ଦେବେ ନାହିଁ ।

 

(ଚ) କୌଣସି ଖେଳାଳୀ ଗୁରୁତରଭାବେ ଆହତ ହୋଇଛି ବୋଲି ରେଫରୀ ମନେ କଲେ, ସେ ତତ୍‍କ୍ଷଣାତ୍‍ ଖେଳ ବନ୍ଦ କରି ଯଥାଶୀଘ୍ର ସମ୍ଭବ ଆହତ ଖେଳାଳୀକୁ ପଡ଼ିଆ ବାହାରକୁ ପଠାଇବାର ବ୍ୟବସ୍ଥା କରିବେ । ଆହତ ଖେଳାଳୀ ପଡ଼ିଆ ବାହରକୁ ଗଲାକ୍ଷଣି ରେଫରୀ କୌଣସି ସମୟ ନଷ୍ଟ ନ କରି ଖେଳ ଆରମ୍ଭ କରିଦେବେ । ଯଦି କୌଣସି ଖେଳାଳୀ ସାମନ୍ୟଭାବେ ଆହତ ହୋଇଥାଏ, ତେବେ ରେଫରୀ ଖେଳରେ ଯେ ପର୍ଯ୍ୟନ୍ତ ଛେଦ ନ ପଡ଼ୁଛି ଅର୍ଥାତ୍‍ ବଲ୍‍ ଅକାମୀ (Out of play)ନ ହୋଇଛି, ସେ ପର୍ଯ୍ୟନ୍ତ ଖେଳ ବନ୍ଦ କରିବେ ନାହିଁ । ଯେଉଁ ଖେଳାଳୀ ସହାଯ୍ୟ ବା ଶୁଶ୍ରୁଷା ପାଇଁ ନିଜେ ପାର୍ଶ୍ୱରେଖା (Touch Line) ବା ଗୋଲ୍‍ ଲାଇନ୍‍(Goal Line) ଅତିକ୍ରମ କରି ପଡ଼ିଆ ବାହାରକୁ ଯିବାକୁ ସକ୍ଷମ, ତାହାର ଶୁଶ୍ରୁଷା ପଡ଼ିଆ ଭିତରେ କରାଯିବ ନାହିଁ ।

 

(ଛ) ବିପଜ୍ଜନକ ଖେଳ ଖେଳିବା ଲାଗି ରେଫରୀ କୌଣସି ଖେଳାଳୀକୁ ଯେ କେବଳ ସତର୍କ କରିବେ ତାହା ନୁହଁ; ଆବଶ୍ୟକ ମଣିଲେ ସେ ତାହାକୁ ସତର୍କ ନ କରି ସୁଦ୍ଧା ଖେଳରୁ ବାହାର କରିଦେଇ ପାରିବେ ।

 

(ଜ) ରେଫରୀ ଖେଳ ସ୍ଥଗିତ ରଖିବା ପରେ ପୁଣି ଖେଳ ଆରମ୍ଭ କଲାବେଳେ ଖେଳ ଆରମ୍ଭର ନିର୍ଦ୍ଦେଶ ଦେବେ ।

 

(ଝ) ଖେଳର ବଲ ନିୟମ ମାଫିକ୍‍ (୨ୟ ନିୟମ) ହୋଇଛି କି ନାହିଁ ସେ ପରୀକ୍ଷା କରି ଦେଖିବେ ।

 

ଆନ୍ତର୍ଜାତିକ ସଂସ୍ଥାର ସିଦ୍ଧାନ୍ତ–

 

ଏସବୁ ହେଲା ମୂଳ ନିୟମ । ବର୍ତ୍ତମାନ ରେଫରୀ ସମ୍ପର୍କରେ ଆନ୍ତର୍ଜାତୀକ ସଂସ୍ଥା ଅର୍ଥାତ୍‍ ଫୁଟବଲ୍‍ ନିୟମ ପ୍ରଣୟନକାରୀ ପୃଥିବୀର ସର୍ବୋଚ୍ଚ ସଂସ୍ଥା ଇଣ୍ଟରନ୍ୟଶନାଲ୍‍ ରେଫରୀଜ୍‍ ଆସୋସିଏସନ୍‍ ବୋର୍ଡର ସିଦ୍ଧାନ୍ତ ଓ ନିର୍ଦ୍ଦେଶ କଅଣ ଶୁଣ ।

 

୧) ଆନ୍ତର୍ଜାତିକ ଫୁଟବଲ ପ୍ରତିଯୋଗିତାରେ ରେଫରୀଙ୍କର ବ୍ଲେଜର୍‍ (Blazer) ବା କୁର୍ତ୍ତାର ରଙ୍ଗ ଦୁଇ ପ୍ରତିଦ୍ୱନ୍ଦୀ ଦଳର କୁର୍ତ୍ତାର ରଙ୍ଗଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବା ଆବଶ୍ୟକ ।

 

୨) ଯଦି ଦୁଇ ପ୍ରତିଦ୍ୱନ୍ଦୀ ଦେଶ ଖେଳର ପରିଚାଳନା ଲାଗି ନିଜ ନିଜ ଦେଶର ରେଫରୀ ମନୋନୟନ କ୍ଷେତ୍ରରେ ଏକମତ ନ ହୁଅନ୍ତି ତେବେ ସେ ଦୁଇ ଦେଶର ଖେଳ ପରିଚାଳନା କରିବା ଲାଗି ଏକ ନିରପେକ୍ଷ ଦେଶର ରେଫରୀ ନିଯୁକ୍ତ କରାଯିବ । ମନେକର ଭାରତ ଓ ପାକିସ୍ଥାନ ମଧ୍ୟରେ ଗୋଟିଏ ଆନ୍ତର୍ଜାତିକ ଫୁଟବଲ୍‍ ପ୍ରତିଯୋଗିତା ହେଉଛି । ଏହି ଖେଳ ଲାଗି ଉଭୟ ଦେଶ ନିଜ ଦେଶର ଜଣେ ଲେଖାଏଁ ରେଫରୀଙ୍କୁ ମନୋନୀତ କରିଛନ୍ତି । କିନ୍ତୁ କୌଣସି କାରଣରୁ ଯଦି ଭାରତ ପାକିସ୍ଥାନର ରେଫରୀଙ୍କ ଅଧୀନରେ ବା ପାକିସ୍ଥାନ ଭାରତୀୟ ରେଫରୀଙ୍କ ଅଧୀନରେ ଖେଳିବାକୁ ରାଜି ନ ହୁଏ, ତେବେ ଏକ ନିରପେକ୍ଷ ଦେଶର ରେଫରୀ ସେ ଖେଳ ପରିଚାଳନା କରିବା ଲାଗି ନିଯୁକ୍ତ ହେବେ ।

 

୩) ଆନ୍ତର୍ଜାତିକ ଖେଳର ଆନ୍ତର୍ଜାତିକ ରେଫରୀ ତାଲିକାଭୁକ୍ତ ଏବଂ ଅନୁମୋଦିତ ଜଣେ ରେଫରୀଙ୍କୁ ନିଯୁକ୍ତ କରାଯିବ ।

 

୪) ଫୁଟବଲ୍‍ ଖେଳର ନିୟମ ଖେଳ ପଡ଼ିଆରେ ରେଫରୀଙ୍କୁ ଯେଉଁ କ୍ଷମତା ପ୍ରୟୋଗର ଅଧିକାର ଦେଇଛି ତାହା ‘‘କିକ୍‍ ଅଫ୍‍’’ର ସଙ୍କେତ ଦେବା ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ହେବ । କିନ୍ତୁ ଯେଉଁ ମୁହୂର୍ତ୍ତରେ ରେଫରୀ ପଡ଼ିଆ ଭିତରେ ପ୍ରବେଶ କଲେ, ସେହି ମୁହୂର୍ତ୍ତରୁ ନିଜ ବିବେଚନା ଅନୁଯାୟୀ କାମ କରିବାକୁ ତାଙ୍କୁ ଅଧିକାର ଦିଆଯାଇଛି । ତେଣୁ ଅସଦାଚରଣ ବା ଅଭଦ୍ର ବ୍ୟବହାର ଲାଗି କୌଣସି ଖେଳାଳୀକୁ (ତାଲିକାଭୁକ୍ତ ବଦଳି (Substitute) ଖେଳାଳୀ ସମେତ) ସେ ଖେଳ ଆରମ୍ଭ ହେବା ପୂର୍ବରୁ ସତର୍କ କରି ଦେଇ ପାରନ୍ତି ବା ଦରକାର ମଣିଲେ ପଡ଼ିଆରୁ ବାହାର କରି ଦେଇପାରନ୍ତି ।

 

୫) ଖେଳ ଆରମ୍ଭ ହେବା ପୂର୍ବରୁ, ଖେଳ ଚାଲିଥିବା ବେଳେ, ତା ଖେଳ ପରେ ପଡ଼ିଆ ଭିତରେ ବା ପଡ଼ିଆର ପାଖଆଖରେ ଖେଳାଳୀ, କର୍ମକର୍ତ୍ତା ବା ଦେଖଣାହାରୀଙ୍କର କୌଣସି ଅସଦାଚରଣ ବା ଅଭଦ୍ର ବ୍ୟବହାର ସମ୍ପର୍କରେ ରେଫରୀ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବେ । ଏହି ରିପୋର୍ଟକୁ ଭିତ୍ତିକରି କର୍ତ୍ତୃପକ୍ଷଙ୍କର ଆବଶ୍ୟକୀୟ ବ୍ୟବସ୍ଥା କରିବା ହେଲା ବିଧି ।

 

୬) ଲାଇନ୍‍ସମ୍ୟାନ୍‍ ରେଫରୀଙ୍କର ସାହାଯ୍ୟକାରୀ ମାତ୍ର । ଯେଉଁ ଘଟଣା ରେଫରୀ ଭଲଭାବେ ଦେଖି ଏକ ନିଷ୍ପତ୍ତିରେ ପହଞ୍ଚିଛନ୍ତି, ସେ ଘଟଣା ସମ୍ପର୍କରେ ଯଦି ଲାଇନ୍‍ସମ୍ୟାନ୍‍ ହସ୍ତକ୍ଷେପ କରି ନିଷ୍ପତ୍ତି ବିରୁଦ୍ଧରେ ମତ ପ୍ରକାଶ କରେ, ତେବେ ରେଫରୀ ସେ ମତକୁ ଆଗ୍ରହ୍ୟ କରି ପାରନ୍ତି । କିନ୍ତୁ ଯେଉଁ କ୍ଷେତ୍ରରେ ରେଫରୀ ମନେକରିବେ ଯେ ଲାଇନ୍‍ସମ୍ୟାନ୍‍ ଘଟଣାଟି ତାଙ୍କଠାରୁ ଭଲଭାବେ ଦେଖିଛି ଓ ତାଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯେଉଁ ମତ ପ୍ରକାଶ କରିଛି ତାହା ଯୁକ୍ତିସଙ୍ଗତ, ସେ କ୍ଷେତ୍ରରେ ସେ ନିଜର ପୂର୍ବ ନିଷ୍ପତ୍ତିକୁ ବଦଳାଇ ଲାଇନ୍‍ସମ୍ୟାନ୍‍ର କଥା ଅନୁସାରେ ନୂଆ ନିଷ୍ପତ୍ତି ଗ୍ରହଣ କରି ପରେ ତାହା ନାକଚ କରି ଦେଇ ପାରିବେ । ଅବଶ୍ୟ ଏପରି କ୍ଷେତ୍ରରେ ଲାଇନ୍‍ସମ୍ୟାନ୍‍ ଗୋଲ୍‍ହେ ହବାର ଠିକ୍‍ ପୂର୍ବରୁ ଘଟିଥିବା କୌଣସି ତ୍ରୁଟି ବା ନିୟମଭଙ୍ଗ କଥା ରେଫରୀଙ୍କର ଦୃଷ୍ଟିକୁ ଆଣିବାକୁ ପଡ଼ିବ ।

 

୭) ଏ ପ୍ରକାର ନିଷ୍ପତ୍ତି ବଦଳାଇବା କ୍ଷେତ୍ରରେ ଗୋଟିଏ କଟକଣା ଅଛି । ଗୋଲ୍‍ର ନିର୍ଦ୍ଦେଶ ଦେବା ଏବଂ ତାପରେ ଖେଳ ଆରମ୍ଭ କରିବାର ମଧ୍ୟବର୍ତ୍ତୀ ସମୟରେ ଏ ପ୍ରକାର ସିଦ୍ଧାନ୍ତ ପରିବର୍ତ୍ତନ କରାଯାଇପାରିବ । ରେଫରୀଙ୍କ ନିଷ୍ପତ୍ତି ଅନୁସାରେ ଖେଳ ଆରମ୍ଭ ହୋଇଗଲେ ସେ ତାଙ୍କ ପୂର୍ବ ସିଦ୍ଧାନ୍ତକୁ ବଦଳାଇ ପାରିବେ ନାହିଁ । ଗୋଟିଏ ଉଦାହରଣ ଦିଏ । ମନେ କରାଯାଉ କଲେଜିଏଟ୍‍ ଦଳର ଇନ୍‍ସାଇଡ୍‍ ରାଇଟ୍‍ ରାଣୀହାଟ ଗୋଲ୍‍ ଆଗରେ ଗୋଟିଏ ଗଣ୍ଡଗୋଳିଆ ପରିସ୍ଥିତିର ସୁଯୋଗନେଇ ରାଣୀହାଟ ଗୋଲ୍‍କୁ ବଲ୍‍ ମାରିଲା ଏବଂ ତାହା ଗୋଲ୍‍ ମଧ୍ୟରେ ପ୍ରବେଶ କଲା । ରାଣୀହାଟ ଗୋଲ୍‍ଆଗରେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଥିବା ଯୋଗୁଁ ରେଫରୀ ପୂରା ଘଟଣାଟି ଭଲଭାବେ ଦେଖିପାରି ନ ଥିଲେ । ବଲ୍‍ ଗୋଲ୍‍ ରେ ପଶିଲା ବେଳକୁ ଦେଖାଗଲା ଯେ ଲାଇନ୍‍ସମ୍ୟାନ୍‍ ପତାକା ହଲାଇ କଅଣ ସଙ୍କେତ ଦେଉଛି । ବଲ୍‍ ଗୋଲ୍‍ ରେ ପ୍ରବେଶ କଲାମାତ୍ରେ ରେଫରୀ ଗୋଲ୍‍ ହେବାର ହୁଇସିଲ୍‍ ଦେଲେ । କିନ୍ତୁ ତାଙ୍କ ମନରେ ସନ୍ଦେହ ହେଲା । ତେଣୁ ସେ ତତ୍‍କ୍ଷଣାତ୍‍ ଖେଳ ଆରମ୍ଭ ନ କରି ଲାଇନ୍‍ସମ୍ୟାନ୍‍କୁ ଘଟଣା ସମ୍ପର୍କରେ ପଚାରିଲେ । ଲାଇନ୍‍ସମ୍ୟାନ୍‍ ଗୋଲ୍‍ଟି ଅଫ୍‍ସାଇଡ୍‍ ପୋଜିସନ୍‍ରୁ ହୋଇଛି ବୋଲି ବୁଝାଇ ଦିଅନ୍ତେ ରେଫରୀ ନିଜ ସିଦ୍ଧାନ୍ତ ବଦଳାଇ ରାଣୀହାଟ ଦଳକୁ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେଲେ । କିନ୍ତୁ ରେଫରୀ ଯଦି ଗୋଲ୍‍ ହେବା ଯୋଗୁଁ ଖେଳ ଆରମ୍ଭ କରିଦେଲା ପରେ ନିଜ ଭୁଲ ବୁଝି ପାରିଥାନ୍ତେ ତାହାହେଲେ ସେ ଆଉ ନିଜ ସିଦ୍ଧାନ୍ତ ବଦଳାଇ ପାରନ୍ତେ ନାହିଁ ।

 

୮) ଆଡ୍‍ଭାଣ୍ଟେଜ ନିୟମ (Advantage Rule)କଥା ପୂର୍ବେ କୁହାଯାଇଛି । ଏହି ନିୟମ ଅନୁସାରେ ରେଫରୀ ଅପରାଧୀ ପକ୍ଷକୁ ଦଣ୍ଡିତ ନ କରି ଖେଳ ଚାଲୁ ରଖିଲେ ଅଥଚ ପ୍ରତିପକ୍ଷ ସେ ସୁବିଧାର ସୁଯୋଗ ଗ୍ରହଣ କରିପାରିଲା ନାହିଁ । ଏଭଳି କ୍ଷେତ୍ରରେ ରେଫରୀ ଅପରାଧୀ ପକ୍ଷକୁ ନିଜ ଦୋଷ ପାଇଁ ଆଉ ଦଣ୍ଡିତ କରିପାରିବେ ନାହିଁ । ଏପରି କି ଆଡ୍‍ଭାଣ୍ଟେଜ୍‍ ନିୟମ କଥା ପ୍ରତିପକ୍ଷକୁ ଇଙ୍ଗିତରେ ନ ଜଣାଇବା ସତ୍ତ୍ୱେ ରେଫରୀ ଖେଳ ଚାଲୁରଖିଲା ପରେ ସେ ଅପରାଧୀ ପକ୍ଷକୁ ଦଣ୍ଡିତ କରିପାରିବେ ନାହିଁ । କିନ୍ତୁ ତାହା ବୋଲି ଯେ ଅପରାଧୀ ଶାସ୍ତି ନ ପାଇ ଖସିଯିବ ତାହା ନୁହଁ । ଅପରାଧର ଗୁରୁତ୍ୱ ଅନୁସାରେ ରେଫରୀ ତାହାକୁ ଇଚ୍ଛା କଲେ ସତର୍କ କରିପାରିବେ, ଶାସ୍ତି ମଧ୍ୟ ଦେଇ ପାରିବେ । ଗୋଟିଏ ଉଦାହରଣ ଦେଇ ସିଦ୍ଧାନ୍ତଟି ବୁଝାଉଛି । ମନେକର ରାଣୀହାଟ ଓ କଲେଜିଏଟ୍‍ର ଖେଳର କୌଣସି ଏକ ସମୟରେ କଲେଜିଏଟ୍‍ ଦଳର ସେଣ୍ଟର ଫରଓ୍ୱାର୍ଡ ବଲ୍‍ ସହ ରାଣୀହାଟ ଗୋଲ୍‍ଆଡ଼କୁ ଦୌଡ଼ୁଛି । ଆଗରେ ରାଣୀହାଟ ଗୋଲ୍‍ କିପର୍‍ ଛଡ଼ା ପ୍ରତିପକ୍ଷର ଅନ୍ୟ କୌଣସି ଖେଳାଳୀ ନାହିଁ । ତେଣୁ କଲେଜିଏଟ୍‍ ଦଳର ଗୋଲ୍‍ ଦେବାର ସମ୍ଭାବନା ଯେ ଖୁବ୍‍ ବେଶୀ ତାହା ତୁମ୍ଭେମାନେ କଳ୍ପନା କରି ପାରୁଥବ । ଏପରି ଏକ ଘଡ଼ିସନ୍ଧି ବେଳେ ରାଣୀହାଟର ଜଣେ ଖେଳାଳୀ କଲେଜିଏଟ୍‍ ସେଣ୍ଟର୍‍ ଫରଓ୍ୟାର୍ଡକୁ ପଛପଟୁ ଧକ୍‍କା ମାରିଲା । କିନ୍ତୁ ଧକ୍‍କା ଖାଇବା ସତ୍ତ୍ୱେ କଲେଜିଏଟ୍‍ ସେଣ୍ଟର୍ ଫରଓ୍ୟାର୍ଡ ଯଦି ବଲ୍‍କୁ ନିଜ ଆୟତ୍ତ ମଧ୍ୟରେ ରଖି ବିପକ୍ଷ ଗୋଲ୍‍ଆଡ଼କୁ ଆଗେଇଯାଏ, ତେବେ ରେଫରୀ ସେଠାରେ ରାଣୀହାଟ ଖେଳାଳୀର ଫାଉଲ୍‍ଲାଗି କୌଣସି ଦଣ୍ଡବିଧାନ ନ କରି ଖେଳ ଚାଲୁ ରଖିବେ ଓ କଲେଜିଏଟ୍‍ ସେଣ୍ଟର ଫରଓ୍ୟାର୍ଡର ଗୋଲ୍‍ ଦେବାରେ ଯେଉଁ ସମ୍ଭାବନା ଅଛି ତାହାକୁ ସଫଳ କରିବା ଲାଗି ସେଣ୍ଟର ଫରଓ୍ୟାର୍ଡକୁ ପୂର୍ଣ୍ଣ ସୁଯୋଗ ଦେବେ କିନ୍ତୁ ସେ ସୁଯୋଗରୁ ଯଦି ସେଣ୍ଟର ଫରଓ୍ୟାର୍ଡ ଗୋଲ୍‍ ନ ଦେଇପାରେ ତେବେ ରେଫରୀ ରାଣୀହାଟର ଫାଉଲ୍‍ ଲାଗି କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ । ଏହି ନିୟମର ଉଦ୍ଦେଶ୍ୟ ହେଲା ଅପରାଧୀ ପକ୍ଷ ଦୋଷ କରି ମଧ୍ୟ ଯେମିତି ଲାଭବାନ୍‍ ନ ହୁଏ ତାହା ଦେଖିବା । ରାଣୀହାଟର ଫାଉଲ୍‍ଲାଗି ଯଦି ରେଫରୀ ଡାଇରେକ୍ଟ ଫ୍ରି କିକ୍‍ର ନିର୍ଦ୍ଦେଶ ଦେଇଥାନ୍ତେ ତାହାହେଲେ ଫ୍ରି କିକ୍‍ ମରାଗଲା ବେଳକୁ ରାଣୀହାଟ ଖେଳାଳୀମାନେ ନିଜ ଗୋଲ୍‍କୁ ଜଗି ଯାଇଥାନ୍ତେ ଏବଂ ଫ୍ରି କିକ୍‍ରୁ କଲେଜିଏଟ୍‍ ଦଳ ପକ୍ଷରେ ଗୋଲ୍‍ ଦେବା କାଠିକର ପାଠ ହୋଇଥାନ୍ତା । ଫ୍ରି କିକ୍‍ ନ ଦେଇ ଖେଳ ଚାଲୁ ରଖିବା ଯୋଗୁଁ କଲେଜିଏଟ୍‍ ଖେଳାଳୀ ଗୋଲ୍‍ ଦେବାର ଯେଉଁ ସୁଯୋଗ ନିଜେ ସୃଷ୍ଟି କରିଛି, ସେ ସୁଯୋଗର ପୂରା ଫାଇଦା ଉଠାଇବା ପାଇଁ ରେଫରୀ ତାହାକୁ ପୂରା ସୁଯୋଗ ଦେଲେ । ସେଥିରୁ ଯଦି ସେ ଗୋଲ୍‍ ଦେଲା ତ ଭଲ, ନ ଦେଲା ତ ତାହାର ନ ପାରିଲା ପଣ । ଖେଳ ଚାଲୁ ରହିଲା ବୋଲି ଫାଉଲ୍‍ କରିଥବା ଖେଳାଳୀ ଦଣ୍ଡ ନ ପାଇ ଯେ ଖସିଯିବ ତାହା ନୁହଁ । ଦୋଷର ଗୁରୁତ୍ୱ ଅନୁଯାୟୀ ରେଫରୀ ତାହାକୁ ସତର୍କ କରି ପାରନ୍ତି କିମ୍ୱା ପଡ଼ିଆରୁ ବାହାର କରିଦେଇ ପାରନ୍ତି । କଅଣ, ଏ ସିଦ୍ଧାନ୍ତଟି ବୁଝି ପାରିଲ ?

 

୯) ଫୁଟ୍‍ବଲ୍‍ ଖେଳର ନିୟମଗୁଡ଼ିକର ଉଦ୍ଦେଶ୍ୟ ହେଲା ଖେଳରେ ଯେତେଦୂର ସମ୍ଭବ କମ୍‍ ହସ୍ତକ୍ଷେପ କରି ଖେଳ ଚାଲୁ ରଖିବା । ରେଫରୀମାନଙ୍କର ଏ କଥାଟି ସବୁବେଳେ ମନେ ରଖିବା ଉଚିତ । ଯେଉଁଠାରେ ଖେଳାଳୀ ଜାଣିଶୁଣି ନିୟମଭଙ୍ଗ କଲା ସେଠାରେ ରେଫରୀଙ୍କର ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ଉଚିତ । ଅଜାଣତ ବା ଛୋଟକାଟିଆ ନିୟମଭଙ୍ଗ ପାଇଁ ରେଫରୀ ଘନ ଘନ ହୁଇସିଲ୍‍ ବଜାଇ ଖେଳ ସ୍ଥଗିତ ରଖିଲେ ଖେଳର ଗତି ମାନ୍ଦା ପଡ଼ିଯାଏ, ଖେଳାଳୀମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟେ, ରେଫରୀଙ୍କ ସମ୍ପର୍କରେ ସେମାନଙ୍କ ମନରେ ଏକ ପ୍ରତିକୂଳ ଧାରଣା ଜନ୍ମେ, ଦର୍ଶକମାନଙ୍କର ଆନନ୍ଦ ନଷ୍ଟ ହୁଏ ଏବଂ ଖେଳରେ ମଜା ରହେ ନାହିଁ ।

 

୧୦) ମୂଳ ନିୟମ ‘ଗ’ ଉପଧାରା ଅନୁସାରେ କୌଣସି ବଡ଼ ଧରଣର ବିଶୃଙ୍ଖଳା ଉପୁଜିଲେ ରେଫରୀଙ୍କର ସେ ଖେଳ ମଝିରୁ ବନ୍ଦ କରିଦେବାର ଅଧିକାର ଅଛି । କିନ୍ତୁ ତା ବୋଲି ସେ କୌଣସି ଦଳକୁ ନାକଚ (Stratch) କିମ୍ୱା ପରାଜିତ ବୋଲି ଘୋଷଣା କରିପାରିବେ ନାହିଁ । ଏ ପ୍ରକାର ସିଦ୍ଧାନ୍ତ ଗ୍ରହଣ କରିବାର ଅଧିକାର ରେଫରୀଙ୍କର ନାହିଁ । ରେଫରୀ କେବଳ ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଏକ ବିଶଦ ରେପୋର୍ଟ ଦେବେ । ରିପୋର୍ଟ ପାଇବା ପରେ କର୍ତ୍ତୃପକ୍ଷ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ ।

 

୧୧) ଯଦି କୌଣସି ଖେଳାଳୀ ଏକ ସମୟରେ ଭିନ୍ନ ପ୍ରକାର ୨ଟି ନିୟମ ଭଙ୍ଗ କରେ, ତାହାହେଲେ ରେଫରୀ କେବଳ ଗୁରୁତର ଅପରାଧ ପାଇଁ ତାକୁ ଦଣ୍ଡିତ କରିବେ ।

 

୧୨) ନିଜେ ନ ଦେଖିଥିବା ଘଟଣା ସମ୍ପର୍କରେ ରାୟ ଦେଲାବେଳେ ରେଫରୀଙ୍କର ନିରପେକ୍ଷ ଲାଇନ୍‍ସମ୍ୟାନ୍‍ ସଙ୍ଗେ ପରାମର୍ଶ କରିବା ଉଚିତ ।

 

୧୩) ଖେଳ ଚାଲିଥିଲାବେଳେ କୌଣସି ଦଳର କର୍ମକର୍ତ୍ତା ବା ଶିକ୍ଷାଦାତା (Trainer)ଖେଳ ପଡ଼ିଆ ସୀମାରେଖାର ବାହାରେ ରହି ନିଜ ଦଳର ଖେଳାଳୀମାନଙ୍କ ଉପଦେଶ ଦେଇ ପାରିବେ ନାହିଁ ଏବଂ ରେଫରୀ ନ ଡାକିଲାଯାକେ ଶିକ୍ଷାଦାତା ପଡ଼ିଆରେ ପ୍ରବେଶ କରିପାରିବେ ନାହିଁ ।

 

ରେଫରୀ ସମ୍ପର୍କୀୟ ନିୟମ ଏବଂ ଆନ୍ତର୍ଜାତିକ ସଂଘର ସିଦ୍ଧାନ୍ତମାନ ଶୁଣିଲ ତ ? ତୁମ୍ଭମାନଙ୍କର ସୁବିଧା ପାଇଁ ଅସଲ କଥାଗୁଡ଼ିକ ପୁଣି ଠିକେ ଠିକେ କହୁଛି, ମନଦେଇ ଶୁଣ । ରେଫରୀଙ୍କର କର୍ତ୍ତବ୍ୟ ହେଲା :–

 

୧) ଖେଳରେ ନିୟମମାନ ପ୍ରୟୋଗ କରିବା ।

 

୨) କୌଣସି ବିତର୍କ ଉପୁଜିଲେ ତାହାର ମୀମାଂସା କରିବା ।

 

୩) ଯେଉଁ କ୍ଷେତ୍ରରେ କୌଣସି ରାୟ ବା ଦଣ୍ଡ ଦେଲେ ଅପରାଧୀ ପକ୍ଷ ଲାଭବାନ ହେବ ସେ କ୍ଷେତ୍ରରେ ରାୟ ବା ଦଣ୍ଡ ନ ଦେଇ ଖେଳ ଚାଲୁ ରଖିବା ।

 

୪) ଖେଳର ସବୁ ହିସାବପତ୍ର ଅର୍ଥାତ୍‍ ରେକର୍ଡ ରଖିବା ।

 

୫) ସମୟର ହିସାବ ରଖିବା ଏବଂ କୌଣସି କାରଣରୁ ସମୟ ନଷ୍ଟ ହେଲେ ସେତିକି ସମୟ ଖେଳ ସହିତ ଯୋଗ କରିବା ।

 

୬) କୌଣସି କାରଣରୁ ଖେଳ ହଠାତ୍‍ ବନ୍ଦ ହେଲେ ପୁଣି ସଙ୍କେତ ଦେଇ ଖେଳ ଆରମ୍ଭ କରିବା ।

 

ରେଫରୀଙ୍କ କ୍ଷମତା–

 

ଖେଳ ପଡ଼ିଆରେ ରେଫରୀଙ୍କର କ୍ଷମତା ଅଗାଧ । ସେଥିଭିତରୁ ପ୍ରଧାନ କେତୋଟି ହେଲା–

 

୧) ନିୟମଭଙ୍ଗ ହେଲେ ରେଫରୀ ନିଜ ବିବେଚନା ଅନୁସାରେ ଖେଳ ବନ୍ଦ ରଖି ପାରିବେ ।

 

୨) ଖେଳାଳୀମାନେ ଉଚ୍ଛୃଙ୍ଖଳ ହେଲେ ବା ଦର୍ଶକମାନେ ପଡ଼ିଆ ଭିତରେ ପଶି ବାଧା ସୃଷ୍ଟି କଲେ ବା ଅନ୍ୟ କୌଣସି କାରଣରୁ ଖେଳ ବାଧାପ୍ରାପ୍ତ ହେଲେ ସେ ସାମୟିକଭାବେ ବା ସମ୍ପୁର୍ଣ୍ଣରୂପେ ଖେଳ ବନ୍ଦ କରିଦେଇ ପାରିବେ ।

 

୩) ଅସତ୍‍ଆଚରଣ, ଅଖେଳାଳୀ ମନୋଭାବ, ମାରାତ୍ମକ ଧରଣର ଫାଉଲ୍‍, ଅକାରଣ ଫାଉଲ ବା ଜାଣିଶୁଣି ସମୟ ନଷ୍ଟ କରାଗଲେ ଅପରାଧର ଗୁରୁତ୍ୱ ଅନୁଯାୟୀ ସେ ଅପରାଧୀ ଖେଳାଳୀ ବା ଖେଳାଳୀମାନଙ୍କୁ ସତର୍କ ବା ପଡ଼ିଆରୁ ବାହାର କରିଦେଇ ପାରିବେ ।

 

୪) ରେଫରୀଙ୍କର ଅନୁମତି ବିନା ଖେଳାଳୀ ଓ ଲାଇନ୍‍ସମ୍ୟାନ୍‍ଙ୍କ ଛଡ଼ା ଅନ୍ୟ କେହି ପଡ଼ିଆରେ ପ୍ରବେଶ କରିପାରିବେ ନାହିଁ । କୌଣସି ଖେଳାଳୀ ଯଦି ସାମୟିକଭାବେ ପଡ଼ିଆରୁ ବାହାରି ଯାଇଥାନ୍ତି ତେବେ ପୁଣି ଖେଳରେ ଅଂଶଗ୍ରହଣ କରିବାକୁ ହେଲେ ରେଫରୀଙ୍କୁ ଜଣାଇ ପଡ଼ିଆ ଭିତରକୁ ଆସି ଖେଳରେ ଭାଗ ନେବେ ।

 

୫) କୌଣସି ଖେଳାଳୀ ଗୁରୁତର ଭାବେ ଆହତ ହେଲେ ରେଫରୀ ସାମୟିକ ଭାବେ ଖେଳ ବନ୍ଦ ରଖିପାରିବେ ।

 

୬) ପ୍ରୟୋଜନ ବୋଧ କଲେ ରେଫରୀ ବଲ୍‍ ବଦଳାଇ ପାରିବେ, ପଡ଼ିଆରେ ଦାଗ ଟଣାଇ ପାରିବେ, ବଲ୍‍ ଡ୍ରପ୍‍ ଦେଇପାରିବେ, ବଦଳି ଖେଳାଳୀକୁ ପଡ଼ିଆରେ ପ୍ରବେଶ କରିବାକୁ ଅନୁମତି ଦେଇ ପାରିବେ, ପେନାଲ୍‍ଟି କିକ୍‍ ମରାଯିବା ଲାଗି ବା ଖେଳାଳୀକୁ ଦଣ୍ଡ ଦେବାଲାଗି ଖେଳର ସମୟ ବଢ଼ାଇ ପାରିବେ, ଖେଳାଳୀମାନଙ୍କର ପୋଷାକ ଓ ବୁଟ୍‍ ଇତ୍ୟାଦି ପରୀକ୍ଷା କରିପାରିବେ, ଅସହଯୋଗୀ ଲାଇନ୍‍ସମ୍ୟାନ୍‍କୁ ଖେଳରୁ ବାଦ୍‍ ଦେଇପାରିବେ ଏବଂ ନିଜେ ଆହତ ବା ଅସୁସ୍ଥ ହେଲେ ଜ୍ୟେଷ୍ଠ (senior) ଲାଇନ୍‍ସମ୍ୟାନ୍‍କୁ ଖେଳ ପରିଚାଳନାର ଭାର ଦେଇ ଅବସର ଗ୍ରହଣ କରି ପାରିବେ । କିନ୍ତୁ ଗୋଟିଏ କଥା ମନେରଖ । ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳ ପଡ଼ିଆରେ ଅନୁପସ୍ଥିତ ହେଲେ ରେଫରୀ ଅନ୍ୟ ଦଳକୁ ବିଜୟୀ ଘୋଷଣା କରିପାରିବେ ନାହିଁ । ସେହିପରି କୌଣସି କାରଣରୁ ଖେଳ ହଠାତ୍‍ ମଝିରୁ ବନ୍ଦ ହେଲେ ରେଫରୀ ଗୋଲ୍‍ ରେ ଅଗ୍ରଗାମୀ ଦଳକୁ ବିଜୟୀ ବୋଲି ଘୋଷଣା କରିପାରିବେ ନାହିଁ । ଏପରି କି କୌଣସି ଦଳ ଖେଳ ମଝିରେ ପଡ଼ିଆରୁ ବାହାରିଗଲେ ଅନ୍ୟ ଦଳକୁ ସେ ବିଜୟୀ ବୋଲି ରାୟ ଦେଇ ପାରିବେ ନାହିଁ । ଏଭଳି କ୍ଷେତ୍ରରେ ରେଫରୀ ଘଟଣାର ଏକ ବିଶଦ ରିପୋର୍ଟ କର୍ତ୍ତୃପକ୍ଷଙ୍କୁ ଦେବେ । ବିହିତ ବ୍ୟବସ୍ଥା ଗ୍ରହଣ କରିବାର ଦାୟିତ୍ୱ କର୍ତ୍ତୃପକ୍ଷଙ୍କର ।

 

ଖେଳାଳୀମାନଙ୍କୁ ଉପଦେଶ–ରେଫରୀଙ୍କ ବିଷୟରେ ଆଲୋଚନା ଶେଷ କରିବା ପୂର୍ବରୁ ତାଙ୍କ ସମ୍ପର୍କରେ ଖେଳାଳୀମାନଙ୍କୁ ଯେଉଁ ଉପଦେଶମାନ ଦିଆଯାଇଛି ତାହା କହେ ।

 

ଖେଳ ବିଷୟରେ ରେଫରୀଙ୍କର ସିଦ୍ଧାନ୍ତ ଚୂଡ଼ାନ୍ତ । ତେଣୁ ତାଙ୍କ ସିଦ୍ଧାନ୍ତର କେବେହେଲେ ପ୍ରତିବାଦ କରିବ ନାହିଁ ।

 

ଖେଳରେ କୌଣସି ମତଭେଦ ଦେଖାଦେଲେ ସେ ସମ୍ପର୍କରେ ରେଫରୀ ଯେଉଁ ରାୟ ଦେବେ ତାହା ମାନିନେବ ।

 

ଖେଳପଡ଼ିଆ ବାହାରେ କୌଣସି ଖେଳାଳୀ ରେଫରୀଙ୍କ ସହ ଅଭଦ୍ର ବ୍ୟବହାର କଲେ ତାହା ପଡ଼ିଆ ଭିତରେ ହୋଇଛି ବୋଲି ଧରାଯିବ ।

 

ଖେଳାଳୀ ସାମାନ୍ୟଭାବେ ଆହତ ହେଲେ ସେଥିପ୍ରତି ରେଫରୀଙ୍କର ଦୃଷ୍ଟି ଆକର୍ଷଣ କରିବା ଠିକ୍‍ ହେବ ନାହିଁ । ଖେଳାଳୀ ଗୁରୁତରଭାବେ ଆହତ ହେଲେ ତାହାର ଶୁଶ୍ରୁଷାର ବ୍ୟବସ୍ଥା କରିବାର ଦାୟିତ୍ୱ ରେଫରୀଙ୍କର ।

 

ରେଫରୀଙ୍କ ପୋଷାକ–ଏ ସବୁ କଥା ମନେ ରହିବ ଟି ? ବର୍ତ୍ତମାନ ଲାଇନସ୍‍ମ୍ୟାନ୍‍ଙ୍କ ବିଷୟରେ ଆଲୋଚନା କରିବା । ଏତକ କହି ସାର୍‍ ଲାଇନସ୍‍ମ୍ୟାନ୍‍ଙ୍କ ବିଷୟ ଆଲୋଚନା କରିବାକୁ ଉଦ୍ୟତ ହୁଅନ୍ତେ ହରି ବାହାରିପଡ଼ି କହିଲା, ‘‘ସାର୍‍, ରେଫରୀଙ୍କର ପୋଷାକ ବିଷୟରେ ତ ଆପଣ କିଛି କହିଲେ ନାହିଁ । ରେଫରୀଙ୍କ ପୋଷାକ ସମ୍ପର୍କରେ କଅଣ କିଛି ନିର୍ଦ୍ଦେଶ ନାହିଁ ? ଗତ କଳିଙ୍ଗ ଫୁଟବଲ୍‍ ପ୍ରତିଯୋଗିତାର ରେଫରୀମାନେ କି ଭଳି ପୋଷାକ ପିନ୍ଧିଥିଲେ ଦେଖିଥିବେ ତ ? ସେ ପୋଷାକ ନିୟମସାପକ୍ଷ ନା ନୁହଁ ?

 

ସାର୍‍–ଭଲ ପ୍ରଶ୍ନଟିଏ ପଚାରିଲ ହରି । ରେଫରୀଙ୍କର ପୋଷାକ ପରିଚ୍ଛଦ ବିଷୟରେ କହିବାକୁ ଏକବାରେ ଭୁଲି ଯାଇଥିଲି । ଆନ୍ତର୍ଜାତିକ ସଂଘ ରେଫରୀର ପୋଷାକ ବିଷୟରେ ଯେଉଁ ପରାମର୍ଶ ଦେଇଛି ତାହା ହେଲା ରେଫରୀଙ୍କ ଦେହରେ ନିମ୍ନଲିଖିତ ପ୍ରକାର ପୋଷାକ ନିକଟରେ ତଳେ ଦିଆଯାଇଥିବା ସରଞ୍ଜାମ ରହିବା ଉଚିତ ।

 

(୧) ଧଳା କଲର୍‍ ଓ ଧଳା ମୋହରେ (Cuff) ଯୁକ୍ତ ପୁରା ହାତ କଳା ସାର୍ଟ ବା ଜ୍ୟାକେଟ୍‍, (୨) ଗୋଟିଏ ଧଳା ସାର୍ଟ, (୩) କଳାରଙ୍ଗର ହାଫ୍‍ପ୍ୟାଣ୍ଟ (୪) ଧଳା ବର୍ଡର (border) ଯୁକ୍ତ କଳା ମୋଜା ଅର୍ଥାତ୍‍ ହଳେ କଳା ମୋଜା ଯାହାର ଉପର ଅଂଶର ରଙ୍ଗ ଧଳା, (୫) ଧଳା ଫିତା ଲାଗାଯାଇଥିବା କଳା ବୁଟ୍‍, (୬) ଦୁଇଟି ଘଡ଼ି, ସେଥିମଧ୍ୟରୁ ଗୋଟିଏ (Stop watch) ହେବା ଆବଶ୍ୟକ, (୭) ଦୁଇଟି ପେନ୍‍ସିଲ୍‍ ଏବଂ ଗୋଟିଏ ଛୋଟ ନୋଟ୍‍ଖାତା (୮) ପେନ୍‍ସିଲ୍‍କଟା ଛୁରୀ ଗୋଟିଏ ଏବଂ ଟସ୍‍ (Toss) କରିବା ଲାଗି ଗୋଟିଏ ମୁଦ୍ରା (୯) ଦୁଇଟି ହୁଇସିଲ୍‍ ଏବଂ (୧୦) ପ୍ରତିଯୋଗିତା କମିଟିର ଖେଳ ସମ୍ପର୍କୀୟ ନିୟମକାନୁନ୍‍ର

ଗୋଟିଏ ଖସଡ଼ା ।

 

ରେଫରୀଙ୍କର ପୋଷାକ ଏବଂ ସରଞ୍ଜାମ ବିଷୟରେ ଏହା ହେଲା ନିର୍ଦ୍ଦେଶ । ତେବେ ତୁମ୍ଭେମାନେ ପଚାରି ପାର କଳା ଏବଂ ଧଳା ରଙ୍ଗର ଦୁଇଟି ସାର୍ଟର ତାତ୍ପର୍ଯ୍ୟ କଅଣ । ରେଫରୀଙ୍କ କୁର୍ତ୍ତାର ରଙ୍ଗ ସବୁବେଳେ କଳା ଓ ତାହାର କଲର ଏବଂ କଫର ରଙ୍ଗ ଧଳା ହେବା ଆବଶ୍ୟକ । କିନ୍ତୁ ମନେ କରାଯାଉ ଯେ ଦୁଇ ପ୍ରତିଦ୍ୱନ୍ଦୀ ଦଳ ମଧ୍ୟରୁ ଗୋଟିକର କୁର୍ତ୍ତାର ରଙ୍ଗ କଳା । ତାହାହେଲେ ରେଫରୀ ଯଦି କଳା ରଙ୍ଗର କୁର୍ତ୍ତାର ପିନ୍ଧନ୍ତି, ତେବେ ଖେଳରେ ଭ୍ରମ ଉପୁଜିବା ସମ୍ଭବ । ସେଭଳି କ୍ଷେତ୍ରରେ ରେଫରୀ କଳା ରଙ୍ଗର ଜାମା ନ ପିନ୍ଧି ଧଳା ସର୍ଟଟି ପିନ୍ଧିବେ । ମନେ କରାଯାଉ ଦୁଇ ପ୍ରତିଦ୍ୱନ୍ଦୀ ଦଳ ଭିତରୁ ଗୋଟିକର କୁର୍ତ୍ତାର ରଙ୍ଗ କଳା ଏବଂ ଅନ୍ୟଟିର ଧଳା । ଏଭଳି କ୍ଷେତ୍ରରେ ରେଫରୀ ଏପରି ଏକ ରଙ୍ଗର କୁର୍ତ୍ତା ପିନ୍ଧିବେ ଯାହାର ରଙ୍ଗ ଦୁଇଟି ପ୍ରତିଦ୍ୱନ୍ଦୀ ଦଳର କୁର୍ତ୍ତାର ରଙ୍ଗଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

 

ଲାଇନସ୍‍ମ୍ୟାନ୍‍ର ପୋଷାକ ମଧ୍ୟ ରେଫରୀ ପୋଷାକର ଅନୁରୂପ; ପାର୍ଥକ୍ୟ ଏତିକି ଯେ ତାହା ହାତରେ ରହିବ ଗୋଟିଏ ଘଡ଼ି; Stop watch ହେଲେ ଭଲ ଏବଂ ଗୋଟିଏ ପତାକା । ଏହି ପତାକାର ରଙ୍ଗ ହେବ ଉଜ୍ଜ୍ୱଳ ଲାଲ୍‍ ବା ହଳଦିଆ । କଳିଙ୍ଗ ଫୁଟବଲ୍‍ ପ୍ରତିଯୋଗିତାରେ ରେଫରୀ ଓ ଲାଇନସ୍‍ମ୍ୟାନ୍‍ମାନେ କାହିଁକି କଳା ରଙ୍ଗର ପୋଷାକ ପିନ୍ଧିଥିଲେ ମୂଳ ନିୟମ ଏବଂ ଆନ୍ତର୍ଜାତିକ ସଂଘର ସିଦ୍ଧାନ୍ତମାନ କଅଣ କହୁଛି, ମନ ଦେଇ ଶୁଣ ।

 

ଷଷ୍ଠ ନିୟମ :–

 

ଲାଇନସ୍‍ମ୍ୟାନ୍‍–ଫୁଟବଲ୍‍ ଖେଳର ଷଷ୍ଠ ନିୟମ ଲାଇନସ୍‍ମ୍ୟାନ୍‍ ସମ୍ପର୍କରେ; ଲାଇନସ୍‍ମ୍ୟାନ୍‍ ବାଦ୍‍ ଦେଇ କୌଣସି ଫୁଟବଲ୍‍ ଖେଳ ସମ୍ଭବ ନୁହେଁ । ତେଣୁ ଏ ସମ୍ପର୍କରେ ମୂଳ ନିୟମ ହେଲା–

 

ପ୍ରତ୍ୟେକ ଫୁଟବଲ ମ୍ୟାଚ ଲାଗି ଦୁଇଜଣ ଲାଇନସ୍‍ମ୍ୟାନ୍‍ ନିଯୁକ୍ତ ହେବେ । ଏମାନେ ରେଫରୀଙ୍କୁ ଖେଳ ପରିଚାଳନା କରିବାରେ ସାହାଯ୍ୟ କରିବେ, କିନ୍ତୁ କୌଣସି ବିଷୟରେ ରାୟ ଦେବାର ଅଧିକାର ସେମାନଙ୍କର ନାହିଁ । ବଲ୍‍ ଖେଳ ବାହାରକୁ ଗଲେ ସମାନେ ପତାମା ହଲାଇ ସୂଚାଇବେ ଏବଂ କେଉଁ ଦଳ ଗୋଲକିକ୍‍, କର୍ଣ୍ଣର୍‍କିକ୍‍ ଓ ଥ୍ରୋ–ଇନ୍‍ କରିବାର ଅଧିକାରୀ, ତାହାର ସଙ୍କେତ ଦେବେ । ଲାଇନସ୍‍ମ୍ୟାନ୍‍ ଯଦି ଅଯୌକ୍ତିକ ବ୍ୟବହାର କରେ ବେ ଅନ୍ୟାୟଭାବରେ ଖେଳରେ ହସ୍ତକ୍ଷେପ କରେ ତେବେ ରେଫରୀ ତାହାକୁ ହଟାଇ ଦେଇ ନୂଆ ଲାଇନସ୍‍ମ୍ୟାନ୍‍ ନିଯୁକ୍ତ କରିବେ ଏବଂ ଲାଇନସ୍‍ମ୍ୟାନ୍‍ର ଅପରାଧ ବିଷୟରେ ଜାତୀୟ ବା ସଂଶ୍ଳିଷ୍ଟ ଆସୋସିଏସନ୍‍କୁ ଏକ ରିପୋର୍ଟ ଦେବେ । ରେଫରୀଙ୍କ ଠାରୁ ରିପୋର୍ଟ ପାଇଲାପରେ କର୍ତ୍ତୃପକ୍ଷ ଲାଇନସ୍‍ମ୍ୟାନ୍‍ ବିରୁଦ୍ଧରେ ବହିତ ବ୍ୟବସ୍ଥା କରିବେ ।

 

ଲାଇନସ୍‍ମ୍ୟାନ୍‍ର ସଙ୍କେତ କେବଳ ରେଫରୀଙ୍କ ପାଇଁ ଉଦ୍ଦିଷ୍ଟ; ଖେଳାଳୀଙ୍କ ପାଇଁ ନୁହେଁ । ରେଫରୀ ଲାଇନସ୍‍ମ୍ୟାନ୍‍ର ସଙ୍କେତ ବା ନିର୍ଦ୍ଦେଶ ଗ୍ରହଣ ନ କରିପାରନ୍ତି । ଲାଇନସ୍‍ମ୍ୟାନ୍‍ର ସଙ୍କେତ ଦେଖି ଖେଳାଳୀ ଯଦି ଖେଳ ବନ୍ଦ କରେ ବା ବଲ୍‍କୁ ହାତରେ ଧରେ ତେବେ ଦୋଷ ତାହାର ହେବ । ଲାଇନସ୍‍ମ୍ୟାନ୍‍ ନିର୍ଦ୍ଦଳୀୟ ଏବଂ ନିରପେକ୍ଷ ହେବା ଉଚିତ ।

 

ଆନ୍ତର୍ଜାତିକ ସଂଘର ସିଦ୍ଧାନ୍ତ

 

୧) ଲାଇନସ୍‍ମ୍ୟାନ୍‍ ଯଦି ମନେକରେ ଯେ ନିୟମଭଙ୍ଗର କୌଣସି ଘଟଣା ରେଫରୀ ଦେଖି ନାହାନ୍ତି, ତାହାହେଲେ ସେଥିପ୍ରତି ସେ ରେଫରୀଙ୍କର ଦୃଷ୍ଟି ଆକର୍ଷଣ କରିବ । ରାୟ ଦେବାର ଦାୟିତ୍ୱ ରେଫରୀଙ୍କର ।

 

 

୨) ଆନ୍ତର୍ଜାତିକ ଖେଳରେ ଲାଇନସ୍‍ମ୍ୟାନ୍‍ ହେବାଲାଗି ନିରପେକ୍ଷ ଦେଶର ଉପଯୁକ୍ତ କ୍ଷମତାସମ୍ପନ୍ନ ରେଫରୀଙ୍କୁ ନିଯୁକ୍ତ କରାଯିବା ଉଚିତ ।

 

୩) ଆନ୍ତର୍ଜାତିକ ଖେଳରେ ଲାଇନସ୍‍ମ୍ୟାନ୍‍ର ପତାକାର ରଙ୍ଗ ଉଜ୍ଜ୍ୱଳ ଲାଲ୍‍ ବା ହଳଦିଆ ହେବା ଉଚିତ । ଅନ୍ୟାନ୍ୟ ଖେଳରେ ମଧ୍ୟ ଏ ପ୍ରକାର ପତାକା ବ୍ୟବହାର କରିବା ବାଞ୍ଛାନୀୟ ।

 

୪) ଖେଳରେ ଅଯଥା ହସ୍ତକ୍ଷେପ ଏବଂ ଦରକାରବେଳେ ରେଫରୀଙ୍କୁ ସାହାଯ୍ୟ ନ କରିବା ପାଇଁ ରେଫରୀ ଯଦି କୌଣସି ଲାଇନସ୍‍ମ୍ୟାନ୍‍ ବିରୁଦ୍ଧରେ ଅଭିଯୋଗ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଶାସ୍ତିମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ।

 

ଲାଇନସ୍‍ମ୍ୟାନ୍‍ ସମ୍ପର୍କରେ ଏସବୁ ହେଲା ନିୟମ ଏବଂ ସିଦ୍ଧାନ୍ତ । ଏଥିରୁ ଦେଖିବ ଯେ ଲାଇନସ୍‍ମ୍ୟାନ୍‍ ସାଧାରଣତଃ ଜଣେ ରେଫରୀ ହେବା ଆବଶ୍ୟକ ଏବଂ ଖେଳର ନିୟମ ବିଷୟରେ ତାହାର ବିଶେଷ ଜ୍ଞାନ ରହିବା ଉଚିତ । ଲାଇନସ୍‍ମ୍ୟାନ୍‍ ଯଦି ନିୟମ ବିଷୟରେ ଅଜ୍ଞ ହୁଏ ତାହା ହେଲେ ରେଫରୀ ପକ୍ଷରେ ଖେଳ ପରିଚାଳନା କରିବା କଷ୍ଟକର ବ୍ୟାପାର ହେବ । ‘‘ଅଫ୍‍ସାଇଡ୍‍’’ ନିର୍ଣ୍ଣୟ କରିବା କ୍ଷେତ୍ରରେ ଲାଇନସ୍‍ମ୍ୟାନ୍‍ର ଦାୟିତ୍ୱ ଅନେକ ବେଶୀ । ରେଫରୀଙ୍କ ପକ୍ଷରେ ଖେଳାଳୀ ମାନଙ୍କର ସଠିକ୍‍ ଅବସ୍ଥାନ ସବୁବେଳେ ଲକ୍ଷ୍ୟ କରିବା ସହଜ ନୁହେଁ । ତେଣୁ ‘‘ଅଫ୍‍ସାଇଡ୍‍’’ ହେଲାକ୍ଷଣି ଲାଇନସ୍‍ମ୍ୟାନ୍‍ର ସେଥିପ୍ରତି ରେଫରୀଙ୍କର ଦୃଷ୍ଟି ଆକର୍ଷଣ କରିବା ଉଚିତ ।

 

ଯେ କୌଣସି ବ୍ୟକ୍ତିପକ୍ଷରେ ରେଫରୀ ବା ଲାଇନମ୍ୟାନ୍‍ ହେବା ସମ୍ଭବ ନୁହେଁ । ବିଶେଷକରି ଯେଉଁ ଖେଳାଳୀ ବିରୁଦ୍ଧରେ ଆସୋସିଏସନ୍‍ ଶାସ୍ତିମୂଳକ ବ୍ୟବସ୍ଥା ଗ୍ରହଣ କରି ତାହାକୁ କୌଣସି ଖେଳରେ ଭାଗ ନେବାକୁ ମନା କରି ଦେଇଛି (Suspended player), ସେ ଖେଳାଳୀ କୌଣସି ଖେଳରେ ରେଫରୀ ବା ଲାଇନ୍‍ସମ୍ୟାନ୍ ହୋଇପାରିବ ନାହିଁ ।

 

ପିଲାଏ, ଫୁଟବଲ ଖେଳର ନିୟମ ବିଷୟରେ ତ ଅନେକ ଆଲୋଚନା ହେଲା । ସବୁ କଥା ହୁଏତ ତୁମ୍ଭମାନଙ୍କ ପକ୍ଷରେ ମନେରଖିବା ସମ୍ଭବ ହେବ ନାହିଁ । ସେଥିପାଇଁ ଅସଲ ଅସଲ ବିଷୟଗୁଡ଼ିକର ଗୋଟିଏ ଟିପା (Note)ତିଆର କରି ଆଣିଛି । ଏହି ଟିପାର ଦୁଇ କିତା ଆଣିଛି ଦୁଇ ଦଳକୁ ଦେବି ବୋଲି । ଏହି ଟିପାରେ ଯାହାସବୁ ଲେଖାଯାଇଛି ତାହା ଯଦି ତୁମ୍ଭେମାନେ ମନେରଖ, ତେବେ ତୁମ ଖେଳରେ ଏତେ ଭୁଲ ଭ୍ରାନ୍ତି ହେବ ନାହିଁ । ଉଭୟ ଦଳର କ୍ୟାପଟେନଙ୍କୁ ମୁଁ ଏହା ଦେଉଛି । ସାଇତି ରଖିବ ଓ ଏହାର ଯଥାଯଥ ବ୍ୟବହାର କରିବ । ଆଜି ଏତିକିରେ ଥାଉ ଚାଲ ଘରକୁ ଯିବା । ଏହା କହି ସାର୍‍ ତାଙ୍କ ଟିପାର ଗୋଟିଏ ଲେଖାଏଁ ନକଲ ସୁରେଶ ଏବଂ ଅନିରୁଦ୍ଧକୁ ଦେଲେ । ତା’ପରେ ସେ ଘରକୁ ଫେରିବା ଲାଗି ଉଠି ଠିଆ ହୁଅନ୍ତେ, ରାଣୀହାଟ ଟିମ୍‍ର, ହରିଶ କହିଲା, ‘‘ସାର୍‍ ଗୋଟାଏ କଥା ଜାଣିବାକୁ ବାକି ରହିଲା । ପ୍ରତ୍ୟେକ ଦଳ ସେମାନଙ୍କ ଖେଳାଳୀଙ୍କୁ କିପରି ସଜାଇବେ, କାହିଁ ସେ ବିଷୟରେ ତ କିଛି କହିଲେ ନାହିଁ ।’’

 

ସାର୍‍–ହରିଶ, ତୁମ ପ୍ରଶ୍ନର ମାନେ ତ ବୁଝି ପାରିଲି ନାହିଁ ? କଅଣ ତୁମେ ଜାଣିବାକୁ ଚାହୁଁଛ ?

 

ହରିଶ–ପୂର୍ବେ ପ୍ରତ୍ୟେକ ଦଳର ଜଣେ ଗୋଲ୍‍ପିପର୍‍, ୨ଜଣ ବ୍ୟାକ୍‍, ୩ ଜଣ ହାଫ୍‍ ବ୍ୟାକ୍‍ ଏବଂ ୫ଜଣ ଫରଓ୍ୱାର୍ଡ ଖେଳୁଥିଲେ । ଆଜିକାଲି ଜଣେ ଗୋଲ୍‍କିପର୍‍, ୩ ଜଣ ବ୍ୟାକ୍‍, ୨ଜଣ ହାଫ୍‍ବ୍ୟାକ୍‍ ଏବଂ ୫ଜଣ ଫରଓ୍ୟାର୍ଡ ଖେଳୁଛନ୍ତି । କିନ୍ତୁ ସେଦିନ କଳିଙ୍ଗ କପ୍‍ର ଗୋଟିଏ ମ୍ୟାଚରେ ଦେଖିଲି ଯେ ସାମରିକ ବିଭାଗୀୟ ଟିମରେ ଜଣେ ଗୋଲ୍‍କିପର୍‍, ୪ ଜଣ ବ୍ୟାକ୍‍, ୨ ଜଣ ହାଫ୍‍ବ୍ୟାକ୍‍ ଏବଂ ୪ ଜଣ ଫରଓ୍ୟାର୍ଡ ଖେଳୁଛନ୍ତି । ଏଥିରୁ ଦଳର ଖେଳାଳୀ ସଜାଇବା ବିଷୟରେ କିଛି ନିୟମ ଥିବ ବୋଲି ଅନୁମାନ କରୁଛି । ସେ ବିଷୟରେ ଆଜି କିଛି କହନ୍ତୁ ।

 

ସାର୍‍ ପୁଣି ବସିପଡ଼ି କହିଲେ–ଓଃ, ଏତେବେଳେ ତୁମ ପ୍ରଶ୍ନର ମାନେ ବୁଝିଲି । ତୁମେ ଯାହାକୁ ଖେଳାଳୀ ସଜାଇବା ବୋଲି କହୁଛ, ଫୁଟବଲ୍‍ ଖେଳରେ ଭାଷାରେ ତାହାକୁ ‘‘ଫରମେସନ୍‍’’ (Formation) ବା ‘‘ସଂଗଠନ’’ କୁହାଯାଏ । ‘ଫରମେସନ୍‍’ ସହିତ ଫୁଟବଲ୍‍ ଖେଳ ନିୟମର କୌଣସି ସମ୍ପର୍କ ନାହିଁ । ଖେଳରେ ସଫଳତା ହାସଲ କରିବା ଦିଗରେ ଏହା ଏକ କୌଶଳ (Strategy) ମାତ୍ର । ଫୁଟବଲ୍‍ ଖେଳର ନିୟମରେ କେବଳ କୁହାଯାଇଛି, ‘‘ପ୍ରତ୍ୟେକ ଦଳରେ ସର୍ବମୋଟ ୧୧ ଜଣ ଖେଳାଳୀ ରହିବେ ଏବଂ ଏହି ୧୧ ଜଣଙ୍କ ଭିତରୁ ଜଣେ ହେବେ ଗୋଲ୍‍କିପର୍‍ ।’’ ବାକି ୧୦ ଜଣ ଖେଳାଳୀ କିଭଳି ଭାବରେ ଖେଳିବେ, ତାହା ଦଳ ଉପରେ ନିର୍ଭର କରେ । ସେ ବିଷୟରେ କୌଣସି ନିୟମ ନାହିଁ । ତେଣୁ ତୁମର ଅନୁମାନ ଯେ ଭୁଲ ଏହା ମୁଁ ପ୍ରଥମେ କହିବାକୁ ଚାହେଁ । ଦ୍ୱିତୀୟରେ ତୁମ ପ୍ରଶ୍ନର ଉତ୍ତର ଦେବାକୁ ବସିଲେ ତ ସଞ୍ଜ ହୋଇଯିବ । ତୁମ ସାଙ୍ଗମାନେ କଅଣ ଧୈର୍ଯ୍ୟ ଧରି ସେତେବେଳଯାକେ ବସିବାକୁ ରାଜି ହେବେ ? ତୁମେ ସମସ୍ତେ ଯଦି ଶୁଣିବାକୁ ରାଜିଥାଅ, ତେବେ ମୋର କହିବାରେ କିଛି ଆପତ୍ତି ନାହିଁ । କଅଣ, ପିଲାଏ ତୁମ୍ଭମାନଙ୍କର ମତ କଅଣ ?

 

ସମସ୍ତେ ସମ ସ୍ୱରରେ କହିଲେ, ‘‘ଆମେ ଶୁଣିବାକୁ ରାଜି ।’’

 

ଆଚ୍ଛା, ତାହାହେଲେ ଥୟ ଧରି ବସ । ଫୁଟବଲ ଖେଳର ଏକ ଅଲଗା ଅଧ୍ୟାୟ ମୁଁ ଆରମ୍ଭ କରୁଛି । ମୂଳରୁ କହିରଖେ ଯେ ଫୁଟବଲ ଖେଳର ନିୟମ ସହିତ ଏହାର କୌଣସି ସମ୍ପର୍କ ନାହିଁ । ବର୍ତ୍ତମାନ ଶୁଣ–

Image

 

Unknown

ସପ୍ତମ ଅଧ୍ୟାୟ

 

ଫୁଟବଲ ଖେଳ ମଧ୍ୟ ଏକ କିସମର ଲଢ଼େଇ । ଅସଲ ଲଢ଼େଇ ଭଳି ଏଥିରେ ଅବଶ୍ୟ ଗୁଳିଗୋଳା ବା ହାତହତିଆର ବ୍ୟବହାର କରାଯାଏ ନାହିଁ, ତେବେ କଳ ଓ ବଳର ପ୍ରୟୋଗରେ ଏହା ଅସଲ ଯୁଦ୍ଧଠାରୁ କୌଣସି ଅଂଶରେ ଊଣା ନୁହଁ । କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ନିୟମ ଭିତରେ ରହି ପ୍ରତିପକ୍ଷକୁ ହରାଇବା ହେଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଯୁଦ୍ଧରେ ଯେପରି ବଳର ପ୍ରୟୋଗ ସାଙ୍ଗକୁ ରଣକୌଶଳ (Strategy) ଏବଂ ବୂହ୍ୟ ରଚନା ଆବଶ୍ୟକ, ଫୁଟବଲ ଖେଳରେ ମଧ୍ୟ ସେହିପରି କୌଶଳ ଓ ସଂଗଠନ ଦରକାର । ୧୧ ଜଣ ଖେଳାଳୀଙ୍କୁ କିଭଳି ଭାବରେ ସଜାଇ ଖେଳିଲେ ପ୍ରତିପକ୍ଷକୁ ସହଜରେ କାବୁ କରାଯାଇ ପାରିବ ତାହା ହେଲା କୌଶଳର ପ୍ରଧାନ ଲକ୍ଷ୍ୟ --। ଏହି କୌଶଳର ଅନ୍ୟତମ ପ୍ରଧାନ ଅଙ୍ଗ ହେଲା ଖେଳାଳୀ ସଜ୍ଜା ବା ସଂଗଠନ । ଫୁଟବଲ ଖେଳର ଭାଷାରେ ଏହାକୁ ଟିମ୍‍ ଫରମେସନ୍‍ (Team Formation) କୁହାଯାଏ । ଟିମ୍‍ ଫରମେସନ୍‍ ଯେ ସବୁଦଳର ସମାନ ହେବ ତାହା ନୁହଁ । ପ୍ରତ୍ୟେକ ଦଳକୁ ନିଜର ସଂଗଠନ ସ୍ଥିର କରିବା ପୂର୍ବରୁ ଦଳର ପ୍ରତ୍ୟେକ ଖେଳାଳୀର ଦୋଷଗୁଣ ଭଲଭାବେ ଜାଣିବା ଆବଶ୍ୟକ । ଏତକ ଭଲଭାବେ ଜାଣିଲେ ଦଳର ସଂଗଠନ ସ୍ଥିର କରିବା ସହଜ ହେବ । ସଂଗଠନର ଉଦ୍ଦେଶ୍ୟ ହେଲା ନିଜର ଦୋଷ ତ୍ରୁଟିକୁ ଘୋଡ଼ାଇ ରଖି ବିପକ୍ଷର ଦୋଷ ତ୍ରୁଟିର ସୁଯୋଗ ନେବା । ଯେଉଁ ଦଳ ଏହା କରିପାରିବ, ତାହା ପକ୍ଷରେ ଜୟୀ ହେବା ସୁନିଶ୍ଚିତ । ଫୁଟବଲ୍‍ ଖେଳରେ ପ୍ରତ୍ୟେକ ଦଳକୁ ଦୁଇଟି କାମ କରିବାକୁ ପଡ଼େ–ତାହା ହେଲେ ଆକ୍ରମଣ ଓ ପ୍ରତିରୋଧ । ଆକ୍ରମଣ ଓ ପ୍ରତିରୋଧ ଉଭୟକୁ ସଷ୍ଠୁଭାବେ ପରିଚାଳନା କରିବାକୁ ହେଲେ ପ୍ରତ୍ୟେକ ଦଳକୁ ନିଜର ଖେଳାଳୀମାନଙ୍କୁ ସେହି ଅନୁସାରେ ସଜାଇବାକୁ ପଡ଼ିବ ।

 

ଫୁଟବଲ ଖେଳର ସୃଷ୍ଟି ହେବା ଦିନଠାରୁ ଏହାର କୌଶଳ ଏବଂ ସଂଗଠନ ବିଷୟରେ କ୍ରମାଗତ ପରୀକ୍ଷା ନିରୀକ୍ଷା ଚାଲିଛି । ଏହା ଫଳରେ ଅନେକ ପ୍ରକାର ନୂଆ ସଂଗଠନ ଆବିଷ୍କୃତ ହୋଇ ପ୍ରଯୋଜିତ ହେଲାଣି ବୈଜ୍ଞାନିକ ତାଲିମ ପଦ୍ଧତି ଯୋଗୁଁ ଖେଳାଳୀମାନଙ୍କର ଶାରୀରିକ କ୍ଷମତା ଓ ଦକ୍ଷତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କୌଶଳ ଏବଂ ସଂଗଠନର ଦ୍ରୁତ ପରିବର୍ତ୍ତନ ଘଟୁଛି-। ଏହାର ଶେଷ ଯେ କେଉଁଠାରେ, ତାହା କେହି କହି ପାରିବ ନାହିଁ । ଖେଳାଳୀର ଗୋଟିଏ ପୋଜିସନ୍‍(Position)କୁ ଜାବୁଡ଼ି ଧରି ଖେଳିବାର ଦିନ ଚାଲିଗଲାଣି । ଦ୍ରୁତ ସ୍ଥାନ ପରିବର୍ତ୍ତନ କରି ଖେଳିବା ଆଜିକାଲି ଫୁଟବଲ ଖେଳର ଏକ ପ୍ରଧାନ କୌଶଳ ହୋଇଛି । ଗୋଲ୍‍କିପର୍‍ ଛଡ଼ା ଅନ୍ୟ ୧୦ ଜଣ ଖେଳାଳୀଙ୍କ ପକ୍ଷରେ ଏ କଥା ବିଶେଷଭାବେ ପ୍ରଯୁଜ୍ୟ । ସଂଗଠନ ଓ କୌଶଳକ୍ଷେତ୍ରରେ ଆଜି ସୁଦ୍ଧା ଯାହାସବୁ ଘଟିଲାଣି ତାହାର ଏକ ସଂକ୍ଷିପ୍ତ ସୂଚନା ଦେଉଛି, ମନ ଦେଇ ଶୁଣ ।

 

ଫୁଟବଲ୍‍ ଏକ ଦଳୀୟ ଖେଳ ଅର୍ଥାତ୍‍ Team Game । ଦଳର ପ୍ରତ୍ୟେକ ଖେଳାଳୀ ଏଥିରେ ସମାନଭାବେ ଭାଗ ନ ନେଲେ ଖେଳରେ ସଫଳତା ହାସଲ କରିବା ସମ୍ଭବ ନୁହେଁ । ଏ କଥା ଯେଉଁଦିନ ଉପଲବ୍‍ଧି କରାଗଲା ସେହି ଦିନଠାରୁ Team formation ବା ଖେଳାଳୀ ସଂଗଠନର ଉତ୍ପତ୍ତି ହେଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଖେଳାଳୀମାନଙ୍କ ମଧ୍ୟରେ ଭଲ ବୁଝାମଣା ନ ରହିଲେ ଏବଂ ସେମାନଙ୍କର ଶକ୍ତିକୁ ଯୋଜନାବଦ୍ଧ ଭାବେ ପ୍ରୟୋଗ ନ କଲେ ଯେ ଭୁଲ ଭଟକା ହେବ ଏବଂ ଫଳରେ ଦଳକୁ ପରାଜୟର ଗ୍ଲାନି ବରଣ କରିବାକୁ ପଡ଼ିବ ତାହା ସମସ୍ତଙ୍କୁ ଜଣା । ଗୋଲ୍‍ଦେବା ପ୍ରତ୍ୟେକ ଦଳର ଏକମାତ୍ର ଲକ୍ଷ୍ୟ । ତହିଁ ସଙ୍ଗେ ସଙ୍ଗେ ବିପକ୍ଷକୁ ଗୋଲ୍‍ଦେବାରୁ ନିରସ୍ତ କରିବା ଦଳର ପ୍ରଧାନ କାମ । ଏଥିପାଇଁ ଯେ କୌଣସି ଫୁଟବଲ ଟିମ୍‍ ରେ ଆକ୍ରମଣ ଓ ପ୍ରତିରୋଧକାରୀ ବିଭାଗ ରହିବା ନିତାନ୍ତ ଦରକାର । ଫୁଟବଲ ଖେଳର ପ୍ରଥମାବସ୍ଥାରେ ସେଥିପାଇଁ ପ୍ରତ୍ୟେକ ଦଳର ଗୋଲ୍‍କିପର୍‍ ସମେତ ଥୋକେ ଖେଳାଳୀଙ୍କର କାମ ଥିଲା ନିଜ ଗୋଲ୍‍ର ସୁରକ୍ଷା କରିବା ଏବଂ ଅନ୍ୟ ଖେଳାଳୀମାନଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ବିପକ୍ଷର ରକ୍ଷଣଭାଗ ଉପରେ ଚଢ଼ଉ କରି ଯେ କୌଣସି ପ୍ରକାରେ ଗୋଲ୍‍ଦେବା ।

 

ଆଦିପର୍ବ

 

ଫୁଟବଲ୍‍ ଖେଳର ଜନ୍ମସ୍ଥାନ ହେଲା ଇଂଲଣ୍ଡ । ପ୍ରଥମାବସ୍ଥାରେ ଇଂଲଣ୍ଡର ଯେ କୌଣସି ଟିମ୍‍ର ଆକ୍ରମଣଭାଗ ୯ ଜଣ ଖେଳାଳୀ ଓ ରକ୍ଷଣଭାଗ ଦୁଇ ଜଣ ଖେଳାଳୀଙ୍କୁ ନେଇ ଗଠିତ ହେଉଥିଲା । ରକ୍ଷଣଭାଗର ଏହି ଦୁଇ ଜଣ ଖେଳାଳୀଙ୍କ ଭିତରୁ ଜଣେ ହେଲେ ଗୋଲ୍‍କିପର୍‍ । ସେତେବେଳେ ଖେଳ ଆରମ୍ଭବେଳେ ଖେଳାଳୀମାନେ କିପରି ଭାବରେ ରହୁଥିଲେ ତାହା ଏକ ନମ୍ୱର ଚିତ୍ରରୁ ଜଣାଯିବ । କିନ୍ତୁ ଏ ପ୍ରକାର ଖେଳାଳୀ ସଜ୍ଜା ଯେ ଆଜିକାଲି ଅଚନ ତାହା ନ କହିଲେ ଚଳେ । ସେତେବେଳେ ଫୁଟବଲ୍‍ ଖେଳର ମାନ ଥିଲା ନିହାତି ନିମ୍ନ ସ୍ତରର; ଖେଳାଳୀମାନଙ୍କ ମଧ୍ୟରେ କୌଣସି ବୁଝାମଣା ନ ଥିଲା କହିଲେ ଚଳେ । ପ୍ରତ୍ୟେକ ଖେଳାଳୀ ନିଜ ଇଚ୍ଛାନୁସାରେ ଖେଳୁଥିଲା, ସଂଘବଦ୍ଧ ଆକ୍ରମଣ ବା ପ୍ରତି–ଆକ୍ରମଣ କଅଣ ତାହା କାହାକୁ ଜଣା ନ ଥିଲା । ସେଥିଲାଗି ରକ୍ଷଣଭାଗର ୨ଜଣ ଖେଳାଳୀଙ୍କ ପକ୍ଷରେ ଆକ୍ରମଣ ଭାଗର ୯ଜଣ ଖେଳାଳୀଙ୍କୁ ଅଟକାଇବା ସମ୍ଭବ ହେଉଥିଲା । କିନ୍ତୁ ସମୟର ଅଗ୍ରଗତି ଓ କ୍ରୀଡ଼ା କୌଶଳର ଉନ୍ନତି ସଙ୍ଗେ ସଙ୍ଗେ ଏ ପ୍ରକାର ସଂଗଠନ ଯେ କାର୍ଯ୍ୟକାରୀ ନୁହଁ ତାହା ପ୍ରମାଣିତ ହେଲା । ୯ ଜଣ ଆକ୍ରମଣକାରୀଙ୍କ କବଳରୁ ଗୋଲ୍‍କୁ ରକ୍ଷା କରିବାକୁ ହେଲେ ରକ୍ଷଣଭାଗକୁ ଯେ ଆହୁରି ସୁଦୃଢ଼ କରିବା ଦରକାର ତାହା ଉପଲବ୍‍ଧି କରାଗଲା । ସେଥିପାଇଁ ଆକ୍ରମଣଭାଗର ୯ ଜଣ ଖେଳାଳୀଙ୍କ ଭିତରୁ ୨ ଜଣଙ୍କୁ ପଛେଇ ଆଣି ରକ୍ଷଣଭାଗକୁ ସାହାଯ୍ୟ କରିବା କାମରେ ଲଗାଗଲା । ଏହି ଦୁଇ ଜଣ ହେଲେ ଆଜିର ହାଫ୍‍ବ୍ୟାକ୍‍ । ଏହି ହାଫ୍‍ବ୍ୟାକ୍‍ ଦୁଇଜଣ ରକ୍ଷଣଭାଗକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଅବସ୍ଥା ବିଶେଷରେ ଆକ୍ରମଣ ଭାଗକୁ ଆକ୍ରମଣ ରଚନାରେ ସାହାଯ୍ୟ କଲେ । ଏହା ଫଳରେ ରକ୍ଷଣଭାଗ ଓ ଆକ୍ରମଣଭାଗ ମଧ୍ୟରେ ସମନ୍ୱୟ ସ୍ଥାପିତ ହେଲା । ଏହା ହେଲା ଖେଳାଳୀ ସଂଗଠନର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଏହାର ରୂପରେଖ ହେଲା–ଜଣେ ଗୋଲ୍‍କିପର୍‍, ଜଣେ ବ୍ୟାକ୍‍, ଦୁଇ ଜଣ ହାଫ ବ୍ୟାକ୍‍ ଏବଂ ସାତଜଣ ଫରଓ୍ୟାର୍ଡ । (ଚିତ୍ର ନମ୍ୱର ୨ ଦ୍ରଷ୍ଟବ୍ୟ)

 

ସ୍କଟିଶ ପଦ୍ଧତି

 

ଏହି ସଂଗଠନ ଅନେକ ଚାଲୁ ରହିବା ପରେ ସ୍କଟଲାଣ୍ଡର ଖେଳାଳୀମାନେ ଏଥିରେ ଏକ ପରିବର୍ତ୍ତନ ଆଣିଲେ । ସ୍କଟଲାଣ୍ଡର ପରିବର୍ତ୍ତିତ ଆଣିଲେ । ସ୍କଟଲ୍ୟାଣ୍ଡର ପରିବର୍ତ୍ତିତ ସଂଗଠନରେ ରକ୍ଷଣଭାଗର ଦାୟିତ୍ୱରେ ରହିଲେ ୫ ଜଣ ଖେଳାଳୀ (ଜଣେ ଗୋଲ୍‍କିପର୍‍, ୨ଜଣ ବ୍ୟାକ୍‍ ଏବଂ ୨ଜଣ ହାଫ୍‍ବ୍ୟାକ୍‍) ଏବଂ ଆକ୍ରମଣଭାଗର ଦାୟିତ୍ୱରେ ରହିଲେ ୬ଜଣ ଖେଳାଳୀ । ଏଭଳି ଭାବରେ ଖେଳାଳୀ ସଜାଜିବା ଯୋଗୁଁ ଆକ୍ରମଣଭାଗ ତ ଶକ୍ତିହୀନ ହେଲା ନାହିଁ ବରଂ ରକ୍ଷଣଭାଗ ଆହୁରି ମଜବୁତ୍‍ ହେଲା ।

 

ପିରାମିଡ ପଦ୍ଧତି

 

କିନ୍ତୁ ଏ ସଂଗଠନ ମଧ୍ୟ ବେଶୀଦିନ ତିଷ୍ଠି ପାରିଲେ ନାହିଁ । ଖେଳର ଉନ୍ନତି ସଙ୍ଗେ ସଙ୍ଗେ ଖେଳାଳୀମାନେ ବିଶେଷ କରି ଆକ୍ରମଣଭାଗର ଖେଳାଳୀମାନେ ଅଧିକ ନିପୁଣ ଓ ଗତିଶୀଳ ହେଲେ । ଏହା ଫଳରେ ରକ୍ଷଣଭାଗ ପକ୍ଷରେ ପ୍ରତିପ୍ରକ୍ଷର ଆକ୍ରମଣ ପ୍ରତିରୋଧ କରିବା କରିବା କଷ୍ଟକର ବ୍ୟାପାର ହେଲା । ସେଥିପାଇଁ ସଂଗଠନର ପରିବର୍ତ୍ତନ ବିଶେଷଭାବେ ଅନୁଭୂତ ହେଲା । ଏହା ହେଲା ଗତ ଶତାବ୍ଦୀ ଶେଷ ଆଡ଼ର ଅବସ୍ଥା । ଖେଳାଳୀ ସଂଗଠନ ବିଷୟରେ ପରୀକ୍ଷା ନିରୀକ୍ଷା ଚାଲିଥିଲାବେଳେ ୧୮୮୩ ମସିହାରେ ଇଂଲଣ୍ଡର କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟ ଫୁଟବଲ୍‍ ଟିମ୍‍ ସଂଗଠନେ ଏକ ଅଭିନବ ପରିବର୍ତ୍ତନ ଆଣିଲା । ଏହି ସଂଗଠନର ନାମ ଦିଆଗଲା Pyramid System ବା ପିରାମିଡ଼ ପଦ୍ଧତି । ଏହି ପଦ୍ଧତି ଯୋଗୁଁ ରକ୍ଷଣଭାଗର ଦୁର୍ବଳତା ଅନେକ ପରିମାଣରେ ଦୂର ହେଲା । ଏହି ପଦ୍ଧତିରେ ରକ୍ଷଣଭାଗରେ ଗୋଲ୍‍କିପର୍‍ ସମେତ ରହିଲେ ୬ଜଣ ଖେଳାଳୀ ଏବଂ ଆକ୍ରମଣ ଭାଗରେ ବାକି ୫ଜଣ ଖେଳାଳୀ । ରକ୍ଷଣଭାଗର ଖେଳାଳୀଙ୍କୁ ୩ଧାଡ଼ିରେ ସଜାଗଲା । ଶେଷ ଧାଡ଼ିରେ ରହିଲା ଗୋଲ୍‍କିପର୍‍, ମଝି ଧାଡ଼ିରେ ୩ଜଣ ହାଫ ବ୍ୟାକ୍‍ । ଗୋଲ୍‍କିପର୍‍ର ସ୍ଥାନ ଯେ ଗୋଲ୍‍ ଏରିଆ ଭିତରେ ଏକଥା ସମସ୍ତଙ୍କୁ ଜଣା । ବ୍ୟାକ୍‍ ଦୁଇ ଜଣ ରହିଲେ ପେନାଲ୍‍ଟି ଏରିଆର ଦୁଇ କଡ଼ରେ । ହାଫ୍‍ବ୍ୟାକ୍‍ ୩ ଜଣଙ୍କର ସ୍ଥାନ ହେଲା ପେନାଲ୍‍ଟି ଏରିଆ ଓ ସେଣ୍ଟର ଲାଇନର ମଝାମଝି ସ୍ଥାନରେ । ଦୁଇ କଡ଼ର ହାଫ୍‍ବ୍ୟାକ୍‍ ୨ ଜଣଙ୍କର କାମ ହେଲା ପ୍ରତିପକ୍ଷର ଆଉଟ୍‍ସାଇଡ୍‍ ଏବଂ ଇନ୍ ସାଇଡ୍‍ ଫରଓ୍ୟାର୍ଡଙ୍କ ଉପରେ ଦୃଷ୍ଟି ରଖିବା ଓ ସେମାନଙ୍କର ଆକ୍ରମଣକୁ ବ୍ୟର୍ଥ କରିବା । ଏ ପଦ୍ଧତିରେ ସେଣ୍ଟର୍‍ ହାଫ୍‍ର ଦାୟିତ୍ୱ ହେଲା ଦୁଇ ପ୍ରକାରର ଏବଂ ତାହା ବେଶ୍‍ କଠିନ । ରକ୍ଷଣଭାଗର ଖେଳାଳୀ ହିସାବରେ ତାହାଙ୍କୁ ବିପକ୍ଷର ୨ ଜଣ ଇନ୍‍ସାଇଡ୍‍ ଫରଓ୍ୟାର୍ଡ୍‍ ଏବଂ ସେଣ୍ଟର ଫରଓ୍ୟାର୍ଡ୍‍ ଉପରେ ଦୃଷ୍ଟି ରଖିବା ସଙ୍ଗେ ସଙ୍ଗେ ଦରକାର ବେଳେ ପଛେଇ ଆସି ସ୍ୱପକ୍ଷର ବ୍ୟାକ୍‍ ଦୁଇ ଜଣଙ୍କୁ ସାହାଯ୍ୟ କରିବାକୁ ପଡ଼ିଲା । ସେହିପରି ଆକ୍ରମଣଭାଗର ଖେଳାଳୀ ହିସାବରେ ତାହାଙ୍କୁ ନିଜ ଦଳର ଆକ୍ରମଣ ରଚନାରେ ସାହାଯ୍ୟ କରି ୬ଷ୍ଠ ଫରଓ୍ୟାର୍ଡ ରୂପେ ଖେଳିବାକୁ ପଡ଼ିଲା । ଏହି ଦୁଇ ପ୍ରକାର ଦାୟିତ୍ୱ ଯୋଗୁଁ ଖେଳପଡ଼ିଆରେ ତାହାର ଗତି ହେଲା ଅବାଧ ଓ ସେ ହେଲା ଦଳର ମେରୁଦଣ୍ଡ ତେଣୁ ଏ ପଦ୍ଧତିରେ ସେଣ୍ଟର ହାଫ୍‍କୁ ଯେ ଜଣେ ଚୌକସ ଖେଳାଳୀ ହେବାକୁ ପଡ଼ିବ, ତାହା ତୁମ୍ଭେମାନେ ଅନୁମାନ କରି ପାରୁଥିବ । ସେଣ୍ଟର ହାଫ୍‍କୁ ପଡ଼ିଆ ସାରା ଖେଦି ଖେଳିବାକୁ ପଡ଼ୁଥିବା ଯୋଗୁଁ ତାହାକୁ ରୋଭିଂ ସେଣ୍ଟର ହାଫ୍‍(Roving Center–half) କୁହାଗଲା । ଆକ୍ରମଣ ଓ ରକ୍ଷଣଭାଗ ମଧ୍ୟରେ ସମତା ରହିବା ଯୋଗୁଁ ପ୍ରତିଦ୍ୱନ୍ଦିତା ତୀବ୍ର ହେଲା ଏବଂ ଖେଳର ହାରଜିତ୍‍ ବହୁଳାଂଶରେ ନିର୍ଭର କଲା ସେଣ୍ଟର ହାଫ୍‍ର ପାରଦର୍ଶିତା ଉପରେ ।

 

ପୃଥିବୀର ସବୁ ଦେଶ ଏହି ପଦ୍ଧତିରେ ଖେଳିବାକୁ ଲାଗିଲେ । କିଛିଦିନ ପରେ ଇଟାଲୀ ଓ ଅଷ୍ଟ୍ରିଆର ଖେଳାଳୀମାନେ ଏହି ପଦ୍ଧତିର ଆଂଶିକ ପରିବର୍ତ୍ତନ କଲେ ହେଁ ଏହାର ମୂଳ ରୂପରେଖ ପ୍ରାୟ ଅପରିବର୍ତ୍ତିତ ରହିଲା ।

 

ସ୍ୱିଶ୍‍ ବୋଲ୍‍ଟ ପଦ୍ଧତି

 

ପୃଥିବୀବ୍ୟାପୀ ପିରାମିଡ଼ ପଦ୍ଧତିର ପ୍ରୟୋଗ ଚାଲିଥିଲାବେଳେ ସ୍ୱିଜରଲ୍ୟାଣ୍ଡର ଖେଳାଳୀମାନେ ଏକ ନୂଆ ସଂଗଠନ ଆବିଷ୍କାର କରି ଖେଳିବାକୁ ଲାଗିଲେ । ପିରାମିଡ଼ ପଦ୍ଧତିରେ ଟିମ୍‍କୁ ନିଜ ସେଣ୍ଟର ହାଫ୍‍ ଉପରେ ବିଶେଷଭାବରେ ନିର୍ଭର କରିବାକୁ ପଡ଼ୁଥିଲା । ସେଣ୍ଟର ହାଫ୍‍ ସେଭଳି ଦକ୍ଷ ନ ହେଲେ ବା କୌଣସି କାରଣରୁ ସେ ଅକାମୀ ହେଲେ ଦଳର ରକ୍ଷଣଭାଗ ଉପରେ ଅତ୍ୟଧିକ ଚାପ ପଡ଼ୁଥଲା ଓ ଅଧିକାଂଶ କ୍ଷେତ୍ରରେ ସେଭଳି ଅବସ୍ଥାରେ ଦଳ ଦୁର୍ବଳ ହେଉଥିଲା । ଏହି ତ୍ରୁଟିକୁ ସୁଧାରିବା ପାଇଁ ‘ସ୍ୱିଶ୍‍ ବୋଲ୍‍ଟ’ ପଦ୍ଧତିର ଜନ୍ମ । ପିରାମିଡ୍‍ ପଦ୍ଧତି ଭଳି ଏ ପଦ୍ଧତିରେ ଆକ୍ରମଣଭାଗ ଓ ରକ୍ଷଣଭାଗ ମଧ୍ୟରେ ସମତା ରଖାଗଲେ ହେଁ ରକ୍ଷଣଭାଗର ଖେଳାଳୀ ସଂଗଠନରେ ବିଶେଷ ପରିବର୍ତ୍ତନ କରାଗଲା । ଏଥିରେ ଦୁଇ ଜଣ ବ୍ୟାକ୍‍ ପରିବର୍ତ୍ତେ ଜଣେ ବ୍ୟାକ୍‍ ରଖାଗଲା ଓ ହାଫ୍‍ ଲାଇନ୍‍ର ଖେଳାଳୀ ସଂଖ୍ୟା ବଢ଼ାଇ ଚାରି କରାଗଲା । ତାହାଛଡ଼ା ଜଣେ ଇନ୍‍ସାଇଡ୍‍ ଫରଓ୍ୟାର୍ଡ୍‍କୁ ରକ୍ଷଣଭାଗର ଆଂଶିକ ଦାୟିତ୍ୱ ଦିଆଗଲା । ବର୍ତ୍ତମାନ କାହାର କଅଣ ଦାୟିତ୍ୱ, ବୁଝାଇ କହୁଛି । ବିପକ୍ଷର ଦୁଇଜଣ ଆଉଟ୍‍ସାଇଡ୍‍ ଫରଓ୍ୟାର୍ଡକୁ ଜଗିବାର ମୁଖ୍ୟ ଦାୟିତ୍ୱ ହେଲା ସ୍ୱପକ୍ଷର ଲେଫ୍‍ଟ ଏବଂ ରାଇଟ୍‍ହାଫ ବ୍ୟାକ୍‍ର । ବିପକ୍ଷର ସେଣ୍ଟର ଫରଓ୍ୟାର୍ଡକୁ ରୋକିବାର କାମ ହେଲା ଜଣେ ବ୍ୟାକ୍‍ର । ଏହି ବ୍ୟାକ୍‍ଜଣକ ନିଜ ହାଫ୍‍ ଲାଇନ୍‍ ସଙ୍ଗେ ଆଗେଇ ରହିଲା । ସେଣ୍ଟର ହାଫ୍‍ ଏବଂ ପଛେଇ ଖେଳୁଥିବା ଜଣେ ଇନ୍‍ସାଇଡ୍‍ ଫରଓ୍ୟାର୍ଡ୍‍ର କାମ ହେଲା ବିପକ୍ଷର ଦୁଇଜଣ ଇନ୍‍ସାଇଡ୍‍ ଫରଓ୍ୟାର୍ଡଙ୍କ ଉପରେ ଦୃଷ୍ଟି ରଖିବା ଓ ସେମାନେ କୌଣସି ଆକ୍ରମଣ ରଚନା କରିବାକୁ ଚେଷ୍ଟା କଲାକ୍ଷଣି ତାହାକୁ ପଣ୍ଡ କରିଦେବା । ତେଣୁ ଦେଖିବାକୁ ଗଲେ ହାଫ୍‍ଲାଇନ୍‍ରେ ପ୍ରାୟ ପାଞ୍ଚଜଣ ଖେଳାଳୀ ରହିଲେ । ଏହି ଲାଇନ୍‍କୁ ଭେଦ କରି ବିପକ୍ଷର ଫରଓ୍ୟାର୍ଡ ଲାଇନ୍‍ ପକ୍ଷରେ ଆଗେଇବା କାଠିକର ପାଠ ହେଲା । ଯଦି କୌଣସି ବିପକ୍ଷର ଖେଳାଳୀ ଏହି ବ୍ୟୁହକୁ ଭେଦ କରି ଆଗେଇଲା ତେବେ ତାହାକୁ ପ୍ରତିରୋଧ କରିବାର ଦାୟିତ୍ୱ ରହିଲା ପଛେ ଖେଳୁଥିବା ବ୍ୟାକ୍‍ଜଣକ ଉପରେ । ଏହି ବ୍ୟାକ୍‍ଜଣକର କାମ ହେଲା ନିଜ ପେନଲ୍‍ଟି ଏରିଆ ଭିତରେ ରହି ବିପକ୍ଷର ଫରଓ୍ୟାର୍ଡ ଖେଳାଳୀଙ୍କର ଗତିବିଧି ଉପରେ ଦୃଷ୍ଟି ରଖିବା ଏବଂ ସୁବିଧା ପାଇଲାକ୍ଷଣି ସେମାନଙ୍କର ଆକ୍ରମଣକୁ ନଷ୍ଟ କରିଦେବା । ଏହି ପଦ୍ଧତିରେ ଦଳର, ଖେଳାଳୀମାନଙ୍କୁ କିପରି ସଜାଯାଏ, ତାହା ମୁଁ ଯେଉଁ ଚିତ୍ର ଆଙ୍କିଲି (ଚିତ୍ର ନମ୍ୱର ୫) ସେଥିରୁ ବୁଝିପାରିବ ।

 

ସ୍ୱିଶ୍‍ ବୋଲ୍‍ଟ ପଦ୍ଧତିରେ ରକ୍ଷଣଭାଗ ଅଧିକ ସୁଦୃଢ଼ ହେଲା ସତ; କିନ୍ତୁ ଆକ୍ରମଣଭାଗ ସେହି ଅନୁପାତରେ ଦୁର୍ବଳ ହେଲା । ଶେଷରେ ଏଭଳି ଏକ ଅବସ୍ଥା ଉପୁଜିଲା ଯେ ଗୋଟିଏ ଦଳର ଆକ୍ରମଣଭାଗ ପକ୍ଷରେ ବିପକ୍ଷର ଗୋଲ୍‍ ଏରିଆରେ ପଶିବା କଠିନ ବ୍ୟାପାର ହେଲା । ଅବଶ୍ୟ ଏଥିପାଇଁ ‘‘ପିରାମିଡ ପଦ୍ଧତି’’ ବା ‘‘ସ୍ୱିଶ୍‍ ବୋଲ୍‍ଟ ପଦ୍ଧତି’’ ଠାରୁ ସେତେବେଳକାର ଅଫ୍‍ସାଇଡ୍‍ ନିୟମ ବେଶୀ ଦାୟୀ । ସେତେବେଳର ଅଫ୍‍ସାଇଡ୍‍ ନିୟମ ଅନୁସାରେ ଆକ୍ରମଣରତ ଖେଳାଳୀ ଓ ବିପକ୍ଷର ଗୋଲ୍‍ଲାଇନ୍‍ମଧ୍ୟରେ ବିପକ୍ଷର ୩ଜଣ ଖେଳାଳୀ ନ ଥିଲେ ଆକ୍ରମଣକାରୀ ଖେଳାଳୀ ଅଫ୍‍ସାଇଡରେ ରହିଛି ବୋଲି ଧରାଯାଉଥିଲା । ‘ପିରାମିଡ ପଦ୍ଧତି’ ବା ‘‘ସ୍ୱିଶ୍‍ ବୋଲଟ’’ ପଦ୍ଧତି ଜରିଆରେ ରକ୍ଷଣଭାଗର ଖେଳାଳୀମାନେ ଏହି ନିୟମର ପୂରା ଫାଇଦା ଉଠାଇଲେ । ରକ୍ଷଣଭାଗ ଅଧିକ ଶକ୍ତିଶାଳୀ ହେବା ଯୋଗୁଁ ଫୁଟବଲ ଖେଳରେ ଏକ ଅଚଳ ଅବସ୍ଥା

ସୃଷ୍ଟି ହେଲା ।

 

ଥ୍ରୀ ବ୍ୟାକ୍‍ବା ‘WM’ ପଦ୍ଧତି–

 

ଏହି ଅବସ୍ଥାକୁ ସୁଧାରି ଦଳର ଦୁଇ ବିଭାଗ ମଧ୍ୟରେ ଏକ ଭାରସାମ୍ୟ ଆଣିବା ଓ ଫୁଟବଲ ଖେଳର ମାଧୁର୍ଯ୍ୟ ବଜାୟ ରଖିବାର ଆବଶ୍ୟକତା ଉପଲବ୍‍ଧି କରାଗଲା । ପ୍ରାୟ ସାତବର୍ଷ କାଳ ଆଲୋଚନା, ସମାଲୋଚନା, ପରୀକ୍ଷା ଓ ନିରୀକ୍ଷା ଚଳାଇବା ପରେ ୧୯୨୫ ମସିହା ଫିଫା ପଦ୍ଧତିର ଅଫସାଇଡ୍ ନିୟମରେ ପରିବର୍ତ୍ତନ କଲା । ଆଜିର ଅଫ୍‍ ସାଇଡ୍ ନିୟମର ଆରମ୍ଭ ସେହି ଦିନଠାରୁ ହେଲା କହିଲେ ଠିକ୍‍ହେବ । ଅଫ୍‍ ସାଇଡ୍ ନିୟମର ପରିବର୍ତ୍ତନ ହେବା ଫଳରେ ‘‘ପିରାମିଡ୍’’ ବା ‘‘ସ୍ୱିଶ୍‍ ବୋଲ୍‍ଟ ’’ ପଦ୍ଧତିର ସୁବିଧା ସୁଯୋଗମାନ ଉଭେଇଗଲା । ଆକ୍ରମଣ ବିଭାଗ ପୁଣି ଶକ୍ତିଶାଳୀ ହୋଇଉଠିଲା ଏବଂ ତାହାର ଦୁର୍ବାର ଆକ୍ରମଣକୁ ପ୍ରତିରୋଧ କରିବା ଲାଗି ଫୁଟବଲ ଜଗତରେ ଏକ ଆଲୋଡ଼ନ ସୃଷ୍ଟି ହେଲା । ସେଥିପାଇଁ ନୂଆ ନୂଆ ସଂଗଠନ ଉପରେ ପରୀକ୍ଷା ଓ ଗବେଷଣା ଚାଲିଲା । ଏହିସବୁ ଗବେଷଣାରୁ ଜନ୍ମଲାଭ କଲା ଆଜିର ବିଖ୍ୟାତ ଥ୍ରୀ ବ୍ୟାକ ବା WM ପଦ୍ଧତି । ଏହି ପଦ୍ଧତିର ଆବିଷ୍କର୍ତ୍ତା ହେଲା ବିଖ୍ୟାତ ଇଂଲିଶ ଫୁଟବଲ ଟିମ୍ ଆର୍ସେନାଲ୍‍(Asrenal)ର ମ୍ୟାନେଜର ହର୍ବଟ ଚ୍ୟାପମ୍ୟାନ୍‍(Herbert Champan) । ୧୯୩୦ ମସିହାରେ ଆର୍ସେନାଲ୍‍ଦଳ ‘WM’ ପଦ୍ଧତିରେ ଖେଳି ଅପୂର୍ବ ସାଫଲ୍ୟ ଲାଭ କଲା । ଆଠ ବର୍ଷ ମଧ୍ୟରେ ୫ ଥର ଲିଗ ଚାମ୍ପିୟନ ଏବଂ ୨ ଥର F.A. Cup ବିଜୟୀ ହୋଇ ଆର୍ସେନାଲ ଇଂଲଣ୍ଡର ଫୁଟବଲ ଜଗତରେ ଏକ ବିସ୍ମୟ ସୃଷ୍ଟି କଲା । ପୃଥିବୀର ଅନ୍ୟାନ୍ୟ ଦେଶମାନେ ଏହି ପଦ୍ଧତିର ଉତ୍କର୍ଷ ଦେଖି ଚମକୃତ ହେଲେ । ଦେଖୁ ଦେଖୁ ପୃଥିବୀସାରା ଏହି ପଦ୍ଧତି ବ୍ୟାପିଗଲା । ଏହି ପଦ୍ଧତିରେ କିଭଳି ଭାବରେ ଖେଳାଳୀମାନଙ୍କୁ ସଜାଯାଏ, ତାହା ୫ ନମ୍ୱର ଚିତ୍ରରୁ ବୁଝିପାରିବ । ଲକ୍ଷ୍ୟ କଲେ ଦେଖିବ ଯେ ଆକ୍ରମଣ ଭାଗର ଖେଳାଳୀମାନଙ୍କୁ ଇଂରାଜୀ ଅକ୍ଷର ‘W’ ଭଳି ସଜା ଯାଇଛି ଏବଂ ରକ୍ଷଣଭାଗର ଖେଳାଳୀମାନଙ୍କୁ ସଜା ଯାଇଛି ଇଂରାଜୀ ଅକ୍ଷର ‘M’ ସଂଗଠନରୁ । ଏହି ସଂଗଠନକୁ ଲକ୍ଷ୍ୟ କଲେ ଦେଖିବ ଯେ ରକ୍ଷଣଭାଗର ମୃତ୍ୟୁ ଦାୟିତ୍ୱ ରହୁଛି ୩ ଜଣ ବ୍ୟାକ୍‍ଙ୍କ ଉପରେ, ସେହିପରି ଆକ୍ରମଣ ରଚନାର ଦାୟିତ୍ୱ ରହିଛି ଦୁଇଜଣ ଆଉଟ୍‍ସାଇଡ ଫରୱାର୍ଡ ଉପରେ । ହାଫବ୍ୟାକମାନେ ବ୍ୟାକ୍‍ ୩ ଜଣଙ୍କ ଠାରୁ ଆଗେଇ ରହି ଖେଳୁଛନ୍ତି । ରକ୍ଷଣଭାଗକୁ ସାହାଯ୍ୟ କରିବା ହାଫ୍‍ବ୍ୟାକ୍‍ମାନଙ୍କର ପ୍ରଧାନକାମ ହେଲେ ହେଁ ଏକମାତ୍ର କାମ ନୁହେଁ । ଆବଶ୍ୟକ ଅନୁସାରେ ସେମାନେ ନିଜ ଫରୱାର୍ଡ ଲାଇନକୁ ଆକ୍ରମଣ ରଚନା ଏବଂ ଆକ୍ରମଣ କରିବାରେ ସାହାଯ୍ୟ କରୁଛନ୍ତି । ସେହିପରି ୨ଜଣ ଇନ୍‍ସାଇଡ ଫରୱ୍ୟାର୍ଡ ନିଜ ଫରୱ୍ୟାର୍ଡ ଲାଇନ୍‍ଠାରୁ ପଛେଇ ରହି ଖେଳୁଛନ୍ତି । ଆକ୍ରମଣ ରଚନାର ମୁଖ୍ୟ ଦାୟିତ୍ୱ ଏ ଦୁଇଜଣଙ୍କ ଉପରେ । ତାହାଛଡ଼ା ଦରକାରବେଳେ ସେମାନେ ପଛେଇ ଆସି ନିଜ ରକ୍ଷଣଭାଗକୁ ସାହାଯ୍ୟ କରୁଛନ୍ତି । ତେଣୁ ଦେଖାଯିବ ଯେ ଦରକାରବେଳେ ଯେମିତି ୭ ଜଣ ଖେଳାଳୀ ନିଜ ଗୋଲ୍‍କୁ ରକ୍ଷା କରୁଛନ୍ତି, ସେହିପରି ଆକ୍ରମଣ କଲାବେଳେ ୭ ଜଣ ଖେଳାଳୀ ବିପକ୍ଷର ଗୋଲ୍‍ଉପରେ ଚଢ଼ଉ କରୁଛନ୍ତି । ଏହା ଫଳରେ ରକ୍ଷଣ ଓ ଆକ୍ରମଣ ଉଭୟ ବିଭାଗ ବେଶ ଶକ୍ତିଶାଳୀ ହେଉଛି । ବର୍ତ୍ତମାନ ବ୍ୟାକ ତିନି ଜଣଙ୍କର କଥା କହେ । ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ହେଲା ସେଣ୍ଟର ବ୍ୟାକ୍ ଓ ଅନ୍ୟ ଦୁଇଜଣ ହେଲେ ସାଇଡ୍‍ବ୍ୟାକ୍‍। ସାଇଡ୍‍ବ୍ୟାକ ଦୁଇଜଣଙ୍କର କାମ ହେଲା ବିପକ୍ଷର ଦୁଇ ଆଉଟ୍‍ସାଇଡ ଫରୱ୍ୟାର୍ଡଙ୍କୁ ପ୍ରତିରୋଧ କରିବା ଏବଂ ସେଣ୍ଟର ବ୍ୟାକ୍‍ଙ୍କର କାମ ହେଲା ବିପକ୍ଷର ସେଣ୍ଟର ଫରୱ୍ୟାର୍ଡ ଉପରେ ପୁଲିସ ଭଳି କଡ଼ା ନଜର ରଖିବା । ସେହିପରି ହାଫ୍‍ବ୍ୟାକ ଦୁଇଜଣଙ୍କର କାମ ହେଲା ବିପକ୍ଷ ଇନ୍‍ସାଇଡ ଫରୱ୍ୟାର୍ଡ ଦୁଇଜଣଙ୍କୁ ଆକ୍ରମଣ ରଚନା କରିବାରେ ବାଧା ଦେବା ।

 

‘WM’ ପଦ୍ଧତି ଚାଲୁ ହେବା ସଙ୍ଗେ ସଙ୍ଗେ ଖେଳାଳୀମାନଙ୍କୁ ଦ୍ରୁତ ସ୍ଥାନ ପରିବର୍ତ୍ତନ କରି ଖେଳିବା ଦିଗରେ ତାଲିମ କରାଗଲା । ଏହା ଫଳରେ ଗୋଲ୍‍କିପର ଛଡ଼ା ଅନ୍ୟ ୧୦ ଜଣ ଖେଳାଳୀ ପ୍ରତ୍ୟେକ ସ୍ଥାନରେ ଖେଳିବାକୁ ନିପୁଣ ହେଲେ । ଫଳରେ ଗୋଟିଏ ମୁହୂର୍ତ୍ତରେ ଯିଏ ରାଇଟ୍‍ହାଫ ରୂପେ ଖେଳୁଛି ପର ମୁହୂର୍ତ୍ତରେ ତାହାକୁ ସେଣ୍ଟର ଫରୱ୍ୟାର୍ଡ ବା ରାଇଟ୍‍ଆଉଟ ରୂପେ ଖେଳିବାକୁ ଦେଖାଗଲା । ଏହା ଫଳରେ ଖେଳର ଗତି ହେଲା ଦ୍ରୁତ ଏବଂ ବିପକ୍ଷକୁ ଅଚାନକ ଆକ୍ରମଣ କରି ହରାଇବା ସହଜ ହେଲା । ହଙ୍ଗେରୀର ରାଷ୍ଟ୍ରୀୟ ଫୁଟବଲ ଟିମ ଏହି ପଦ୍ଧତିରେ ଖେଳି ୧୯୫୦ ମସିହାରେ ବିଶ୍ୱ କପ୍‍(World Cup) ବିଜୟୀ ହେଲା । ଏଥିଯୋଗୁଁ ‘WM’ ପଦ୍ଧତି ବା ସଂଗଠନର ଆଦର ସବୁ ଦେଶରେ ବଢ଼ିଲା ଏବଂ ପରବର୍ତ୍ତୀ ୨୦/୨୨ ବର୍ଷ ଏହା ଫୁଟବଲ୍ ଖେଳର ଶ୍ରେଷ୍ଠ ସଂଗଠନ ବୋଲି ବିବେଚିତ ହେଲା । ଆମ ଦେଶରେ ବର୍ତ୍ତମାନ ଏହି ପଦ୍ଧତିରେ ଫୁଟବଲ ଖେଳା ଯାଉଛି ।

 

୪–୨–୪ ପଦ୍ଧତି–

 

‘‘WM’’ ପଦ୍ଧତିର ଶ୍ରେଷ୍ଠତ୍ୱ କିନ୍ତୁ ବର୍ତ୍ତମାନ ନାହିଁ । ଇତିମଧ୍ୟରେ ପୃଥିବୀର କେତେକ ଫୁଟବଲ୍ ଖେଳରେ ଉନ୍ନତ ଦେଶ ଖେଳାଳୀ ସଂଗଠନ ସମ୍ପର୍କରେ ଗବେଷଣା ଚଳାଇ ୪–୨–୪ ନାମକ ଏକ ସଂଗଠନ ବାହାର କଲେଣି । ‘‘WM’’ ପଦ୍ଧତିର ପ୍ରଧାନ ପୃଷ୍ଠପୋଷକ ହଙ୍ଗେରୀ ଏ ଦିଗରେ ପ୍ରଥମେ ବାଟ କଢ଼ାଇଛି । ହଙ୍ଗେରୀ ୩–୨–୫ ପଦ୍ଧତିର ପରିବର୍ତ୍ତନ କରି ୪–୨–୪ ପଦ୍ଧତିର ମୂଳଦୁଆ ପକାଇଲା । ତାପରେ ସ୍ୱିଡେନ ଏଥିରେ କିଛି ପରିବର୍ତ୍ତନ ଆଣିଲା । କିନ୍ତୁ ୪–୨–୪ ପଦ୍ଧତିର ଚୂଡ଼ାନ୍ତ ରୂପରେଖ ଦେଲା ଶ୍ରଷ୍ଠ ଫୁଟବଲ୍ ଖେଳାଳୀ ଦେଶ ବ୍ରାଜିଲ୍‍ । ଏହି ପଦ୍ଧତିରେ ଖେଳି ବ୍ରାଜିଲ ତିନିଥର (୧୯୫୮, ୧୯୬୨ ଓ ୧୯୭୦) ବିଶ୍ୱକପ ବିଜୟୀ କଲେଣି-। ଆମ ଦେଶରେ ଏହି ପଦ୍ଧତି ପୂରାପୂରି ଚାଲୁ ନ ହେଲେ ସୁଦ୍ଧା ସେନାବିଭାଗ ଓ ଆଉ କେତେକ ଟିମ ଏହି ପଦ୍ଧତିରେ ଖେଳିବାକୁ ଚେଷ୍ଟା କଲେଣି । ୪–୨–୪ ନାମରୁ ଏ ପଦ୍ଧତିରେ ଖେଳାଳୀମାନଙ୍କୁ କିପରି ସଜାଯାଏ, ଅନୁମାନ କରି ପାରୁଥିବ । ତୁମ୍ଭମାନଙ୍କର ସୁବିଧା ଲାଗି ଚିତ୍ର ଆଙ୍କି ଏ ସଂଗଠନ ବୁଝାଉଛି ।

 

ଚାରିଜଣ ବ୍ୟାକ୍ ଯେ ପେନାଲ୍‍ଟି ଏରିଆର ବାହାର ପଟେ ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି, ତାହା ୬ ନମ୍ୱର ଚିତ୍ରରେ ଦେଖୁଛ । ଏହି ଚାରି ଜଣକଙ୍କର କାମ ହେଲା ବିପକ୍ଷର ଆକ୍ରମଣରୁ ନିଜ ଗୋଲ୍‍କୁ ରକ୍ଷା କରିବା । ସେଥିଲାଗି ଏମାନେ ବିପକ୍ଷ ପଟରେ ଏପରି କି ବିପକ୍ଷର ପେନାଲ୍‍ଟି ଏରିଆ ଭିତରେ ଖେଳ ହେଉଥିଲେ ମଧ୍ୟ ସେଣ୍ଟରଲାଇନ ଅତିକ୍ରମ କରି ପଡ଼ିଆର ସେ ପାଖକୁ ଯିବେ ନାହିଁ । ଚିତ୍ରରୁ ଦେଖୁଛ ଯେ ସେଣ୍ଟରଲାଇନ ନିକଟରେ ରହିଛନ୍ତି ସ୍ୱପକ୍ଷର ଚାରିଜଣ ଫରଓ୍ୟାର୍ଡ । ଏମାନଙ୍କର ମୁଖ୍ୟ କାମ ହେଲା ବିପକ୍ଷ ଦଳ ଉପରେ ଆକ୍ରମଣ ଚଳାଇ ଗୋଲ୍ ଦେବା । ବ୍ୟାକ ଏବଂ ଫରଓ୍ୟାର୍ଡ ଲାଇନ ମଝିରେ ଧାଡ଼ି ବାନ୍ଧି ରହିଛନ୍ତି ଦୁଇଜଣ ଖେଳାଳୀ–ଏମାନେ ହେଲେ ହାଫବ୍ୟାକ୍‍। ଏମାନଙ୍କୁ ନିଜ ରକ୍ଷଣଭାଗକୁ ପ୍ରତିପକ୍ଷର ଆକ୍ରମଣ ବିରୁଦ୍ଧରେ ସାହାଯ୍ୟ କରିବା ଛଡ଼ା ନିଜର ଫରଓ୍ୟାର୍ଡମାନଙ୍କୁ ଆକ୍ରମଣ କରିବାରେ ସାହାଯ୍ୟ କରିବାକୁ ପଡ଼େ ।

 

ଯଦି ‘‘WM’’ ପଦ୍ଧତି ସହିତ ୪–୨–୪ ପଦ୍ଧତିର ତୁଳନା କରାଯାଏ ତେବେ ଦେଖାଯିବ ଯେ “WM” ପଦ୍ଧତିରେ ପାଞ୍ଚଜଣ ଫରଓ୍ୟାର୍ଡ ଏବଂ ତିନିଜଣ ବ୍ୟାକ୍ ଖେଳୁଥିଲାବେଳେ ୪–୨–୪ ପଦ୍ଧତିରେ ଚାରିଜଣ ଫରଓ୍ୟାର୍ଡ ଏବଂ ଚାରିଜଣ ବ୍ୟାକ୍ ଖେଳୁଛନ୍ତି । ଅବଶ୍ୟ ଏହି ଦୁଇ ପଦ୍ଧତିରେ ହାଫ୍‍ବ୍ୟାକ୍‍ମାନଙ୍କର ସଂଖ୍ୟା ଓ କାମରେ କୌଣସି ପାର୍ଥକ୍ୟ ନାହିଁ । “WM” ପଦ୍ଧତିରେ ସେଣ୍ଟର ଫରଓ୍ୟାର୍ଡ ବୋଲି ଜଣେ ଖେଳାଳୀ ଥିଲାବେଳେ ୪–୨–୪ ପଦ୍ଧତିରେ ସେପରି କୌଣସି ଖେଳାଳୀ ନାହିଁ । ତୁମ୍ଭେମାନେ ହୁଏତ ପଚାରି ପାର ଯେ ୪–୨–୪ ପଦ୍ଧତିଟି କେଉଁ କାରଣରୁ “WM” ପଦ୍ଧତି ଠାରୁ ଉତ୍କୃଷ୍ଟ । ଖେଳ ନ ଦେଖିଲେ ସେ ଉତ୍କର୍ଷ ବୁଝାଯିବ ନାହିଁ । ତେବେ ଚିତ୍ରରୁ ଏତକ ଅନୁମାନ କରିପାରୁଥିବ ଯେ ୪–୨–୪ ପଦ୍ଧତିରେ ଖେଳୁଥିବା ରକ୍ଷଣଭାଗ “WM” ପଦ୍ଧତିରେ ଖେଳୁଥିବା ରକ୍ଷଣଭାଗ ଠାରୁ ଅଧିକ ଶକ୍ତିଶାଳୀ । “WM” ପଦ୍ଧତିରେ ଦେଖିଛ ଯେ ଅବସ୍ଥା ବିଶେଷରେ ପ୍ରତିପକ୍ଷର ସାତଜଣ ଖେଳାଳୀ ଜରିଆରେ ଆକ୍ରମଣ କଲେ ସେଭଳି ଆକ୍ରମଣକୁ ପ୍ରତିରୋଧ କରିବାର ଦାୟିତ୍ୱ ମୁଖ୍ୟତଃ ସ୍ୱପକ୍ଷର ୫ଜଣ ଖେଳାଳୀ (ଯଥା ୩ଜଣ ବ୍ୟାକ ଏବଂ ୨ଜଣ ହାଫ୍ ବ୍ୟାକ୍‍) ଉପରେ ପଡ଼େ । ଅଚାନକ ଆକ୍ରମଣ ହେଲେ ରକ୍ଷଣଭାଗର ୫ ଜଣ ଖେଳାଳୀ ପକ୍ଷରେ ପ୍ରତିପକ୍ଷର ୭ଜଣ ଖେଳାଳୀଙ୍କୁ ଅଟକାଇବା କଷ୍ଟକର ବ୍ୟାପାର ହୁଏ । କିନ୍ତୁ ୪–୨–୪ ପଦ୍ଧତିରେ ବିପକ୍ଷର ୬ଜଣ ଆକ୍ରମଣକାରୀ ଖେଳାଳୀଙ୍କୁ ରକ୍ଷଣାଭାଗର ୬ ଜଣ ଖେଳାଳୀ ଅଟକାଇବା ସେଭଳି କଠିନ ବ୍ୟାପାର ହୁଏ ନାହିଁ । ତାହାଛଡ଼ା ବ୍ୟାକ୍‍୪ ଜଣ ସବୁବେଳେ ପଡ଼ିଆର ନିଜ ଅଂଶରେ ରହୁଥିବା ଯୋଗୁ ପ୍ରତିପକ୍ଷ ପକ୍ଷରେ ହଠାତ ଆକ୍ରମଣ କରି ବିଭ୍ରାଟ ଘଟାଇବା ସବୁବେଳେ ସମ୍ଭବ ହୁଏ ନାହିଁ । ଏହି ବ୍ୟାକ୍ ଚାରିଜଣଙ୍କ ମଧ୍ୟରୁ ଦୁଇ କଡ଼ରେ ଥିବା ବ୍ୟାକ୍ ଦୁଇଜଣଙ୍କର ଅସଲ କାମ ହେଲା ବିପକ୍ଷର ଦୁଇ ଆଉଟ୍‍ ସାଇଡ୍ ଫରଓ୍ୟାର୍ଡଙ୍କ ଉପରେ କଡ଼ା ନଜର ରଖିବା । ମଝି ବ୍ୟାକ୍ ଦୁଇଜଣ ବିପକ୍ଷର ଅନ୍ୟ ଦୁଇଜଣ ଫରଓ୍ୟାର୍ଡ୍‍ଙ୍କ ଉପରେ ଦୃଷ୍ଟି ରଖନ୍ତି । ତାହା ଛଡ଼ା ତ ଦୁଇଜଣ ହାଫ ବ୍ୟାକ ଅଛନ୍ତି । ତେଣୁ ଏଭଳି ଏକ ରକ୍ଷଣ ବ୍ୟୁହ ଭେଦ କରିବା ପ୍ରତିପକ୍ଷ ପକ୍ଷରେ କାଠିକର ପାଠ ହୋଇଥାଏ । ତୁମ୍ଭେମାନେ ହୁଏତ ଭାବିପାର ଯେ ଏଭଳି ଅବସ୍ଥାରେ କୌଣଦି ଦଳ ପକ୍ଷରେ ଜୟୀ ହେବା ସମ୍ଭବ ହେବ ନାହିଁ-। କିନ୍ତୁ ବ୍ରାଜିଲ୍‍ର ଜାତୀୟ ଦଳ ପ୍ରମାଣ କରିଦେଇଛି ଯେ ଠିକଣା କୌଶଳ ପ୍ରୟୋଗ କଲେ ଏ ପ୍ରକାର ବ୍ୟୂହ ଭେଦ କରି ଗୋଲ୍ ଦେବା ସମ୍ଭବ । କୌଶଳଟି ବାହାରୁ ଯେତେ ସହଜ ମନେହୁଏ ପ୍ରକୃତରେ କିନ୍ତୁ ସେତେ ସହଜ ନୁହେଁ । ବିପକ୍ଷ ଆକ୍ରମଣ କଲାବେଳେ ସ୍ୱପକ୍ଷର ରକ୍ଷଣଭାଗ ପଛେଇ ଆସି ସେ ଆକ୍ରମଣ ପ୍ରତିରୋଧ କରିବାକୁ ଚେଷ୍ଟା କରେ । ସେଭଳି ଅବସ୍ଥାରେ ବିପକ୍ଷକୁ ଭ୍ରମରେ ପକାଇବାଲାଗି ସ୍ୱପକ୍ଷର ଆକ୍ରମଣଭାଗ ମଧ୍ୟ ଜାଣିଶୁଣି ପଛେଇ ଆସି ଆକ୍ରମଣ ପ୍ରତିରୋଧ କରିବାରେ ଲାଗିଯାଏ । କିନ୍ତୁ ସ୍ୱପକ୍ଷର ଆକ୍ରମଣ ଭାଗର ପ୍ରକୃତ ଉଦ୍ଦେଶ୍ୟ ହେଲାବ ବିପକ୍ଷର ରକ୍ଷଣଭାଗ ବିଶେଷକରି ବ୍ୟାକ୍‍ଲାଇନ୍‍କୁ ଯେତେଦୂର ସମ୍ଭବ ଆଗେଇ ଆସିଲାକ୍ଷଣି ସ୍ୱପକ୍ଷର ଆକ୍ରମଣଭାଗ ହଠାତ୍ ପ୍ରତିଆକ୍ରମଣ କରିବାକୁ ଚେଷ୍ଟା କରିଥାଏ । ଏଭଳି ହଠାତ୍ ଦ୍ରୁତ ଆକ୍ରମଣ ଜରିଆରେ ବିପକ୍ଷର ରକ୍ଷଣବ୍ୟୁହକୁ ଭେଦ କରି ଗୋଲ୍ ଦେବା ସମ୍ଭବ ହୁଏ । ମୋଟ କଥା ହେଲା ଅଚାନକ ଏବଂ ଦ୍ରୁତ ଆକ୍ରମଣ କରିବା ଉପରେ ଖେଳର ଜୟପରାଜୟ ବିଶେଷ ଭାବରେ ନିର୍ଭର କରେ । ଦ୍ରୁତ ଆକ୍ରମଣ କଲାବେଳେ ଆକ୍ରମଣକାର ଦଳର ଖେଳାଳୀମାନେ ଯଦି ଶୀଘ୍ର ସ୍ଥାନ ପରିବର୍ତ୍ତନ କରି ଖେଳି ପାରନ୍ତି, ତାହାହେଲେ ବିପକ୍ଷ ଅଧିକ ଅସୁବିଧାରେ ପଡ଼େ ଏବଂ ତାହାର ଖେଳାଳୀମାନେ ଭୁଲ ତ୍ରୁଟୀ କରନ୍ତି । ଏହି ଭୁଲ ତ୍ରୁଟୀର ଫାଇଦା ଉଠାଇବା ଉପରେ ହିଁ ଖେଳର ଜୟ ପରାଜୟ ଅନେକାଂଶରେ ନିର୍ଭର କରେ । ହାଫ୍‍ଲାଇନ୍‍ଟି ଏ ପଦ୍ଧତିର ମେରୁଦଣ୍ଡ ସ୍ୱରୂପ । ହାଫ୍‍ଲାଇନ୍‍ର ଦକ୍ଷତା ଓ ପାରିଲାପଣ ଉପରେ ୪–୨–୪ ପଦ୍ଧତିରେ ସେଣ୍ଟର ବ୍ୟାକ ଉପରେ ସାଧାରଣତଃ ଅଧିକ ଚାପ ପଡ଼ିଥାଏ । ସେ ତୁଳନାରେ ୪–୨–୪ ପଦ୍ଧତିରେ ଖେଳୁଥିବା ବ୍ୟାକ୍‍ଲାଇନ୍‍ଉପରେ ଯେଉଁ ଚାପ ପଡ଼େ, ତାହା ଅପେକ୍ଷାକୃତ କମ୍‍। ଆକ୍ରମଣ ଓ ରକ୍ଷଣଭାଗ ମଧ୍ୟରେ ଅଧିକ ସମନ୍ୱୟ ରହିବା ଯୋଗୁଁ ୪–୨–୪ ପଦ୍ଧତି “WM” ପଦ୍ଧତିଠାରୁ ଉତ୍କୃଷ୍ଟତର ।

 

୪–୨–୪ ପଦ୍ଧତି ବା ସଂଗଠନ ଯେ ଖେଳାଳୀ ସଂଗଠନର ଶେଷ କଥା ନୁହଁ, ତାହା ଇତିମଧ୍ୟରେ ପ୍ରମାଣିତ ହେଲାଣି । ପୃଥିବୀର ସବୁ ଦେଶ ୪–୨–୪ ପଦ୍ଧତି ଗ୍ରହଣ ନ କରି ଥିଲେ ହେଁ ଏହାର ମୂଳ ନୀତି ‘‘ବିପକ୍ଷର ଆକ୍ରମଣ ବେଳେ ପଛେଇ ଆସି ଅଚାନକ ପାଲଟା ଆକ୍ରମଣ କରିବାକୁ ଚେଷ୍ଟା କର’’ ନୀତିକୁ ଗ୍ରହଣ କଲେଣି । ସେଥିଲାଗି କେତେକ ଦେଶ ୪–୨–୪ ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ କରି ୩–୩–୪ ପଦ୍ଧତି ନାମକ ଏକ ନୂଆ ପଦ୍ଧତି କାଢ଼ିଲେଣି । ଏହି ପଦ୍ଧତିର ନାମରୁ ଏଥିରେ ଖେଳାଳୀମାନଙ୍କ କିଭଳି ଭାବରେ ସଜାଯାଏ, ଅନୁମାନ କରି ପାରୁଥିବ । ଏଥିରେ ୩ ଜଣ ବ୍ୟାକ୍‍ଙ୍କ ମଧ୍ୟରୁ କଡ଼ରେ ଥିବା ଦୁଇ ଜଣ ବ୍ୟାକ୍ ବିପକ୍ଷର କୌଣସି ନିର୍ଦ୍ଦିଷ୍ଟ ଖେଳାଳୀ ଉପରେ ଦୃଷ୍ଟି ନ ରଖି ସ୍ୱିଶ୍ ବୋଲ୍‍ଟ ପଦ୍ଧତିରେ ଖେଳୁଥିବା ବ୍ୟାକ୍‍ଭଳି ବିପକ୍ଷର ଆକ୍ରମଣକୁ ପଣ୍ଡ କରିବା ପାଇଁ ସବୁବେଳେ ସଜାଗ ଥାଏ । ତିନି ଜଣ ହାଫ୍‍ବ୍ୟାକ୍‍ଙ୍କ ମଧ୍ୟରୁ ଦୁଇ ଜଣ ହେଲେ ପ୍ରକୃତ ହାଫବ୍ୟାକ୍ ଏବଂ ତୃତୀୟ ଜଣକ ହେଲା ପଛେଇ ଖେଳୁଥିବା ଜଣେ ଫରଓ୍ୱାର୍ଡ-। ଏହି ୩ୟ ହାଫ୍‍ବ୍ୟାକ୍‍ର କାମ ହେଲା ସ୍ୱପକ୍ଷର ଆକ୍ରମଣ ରଚନା କରିବା । ଏହି ତିନି ଜଣ ହାଫ୍‍ବ୍ୟାକ୍‍ଙ୍କ ମଧ୍ୟରୁ ଜଣକର କାମ ହେଲା ବିପକ୍ଷର ୪ର୍ଥ ଫରଓ୍ୟାର୍ଡ ଉପରେ ଦୃଷ୍ଟି ରଖିବା ଏବଂ ୩ୟ ହାଫ୍‍ବ୍ୟାକ୍‍(ଯେ କି ପ୍ରକୃତରେ ଜଣେ ପଛେଇ ଖେଳୁଥିବା ଫରଓ୍ୟାର୍ଡ) ଦାୟିତ୍ୱ ହେଲା ବିପକ୍ଷର ଅନୁରୂପ ହାଫବ୍ୟାକ୍ ଉପରେ କଡ଼ା ନଜର ରଖିବା । ଏହି ୩ୟ ହାଫ୍‍ବ୍ୟାକ୍‍ର ଦକ୍ଷତା ଓ ଚାତୁରୀ ଉପରେ ଦଳର ସାଫଲ୍ୟ ବିଶେଷ ଭାବେ ନିର୍ଭର କରେ । ୩–୩–୪ ପଦ୍ଧତିଟି ବର୍ତ୍ତମାନ ସୁଦ୍ଧା ପରୀକ୍ଷାମୂଳକ ଅବସ୍ଥାରେ ରହିଛି । ଇତିମଧ୍ୟରେ ବ୍ରାଜିଲ, ହଙ୍ଗେରୀ ଓ ଇଂଲଣ୍ଡର କେତେକ ବିଖ୍ୟାତ ଟିମ୍ ଏ ପଦ୍ଧତିରେ ଖେଳିବାକୁ ଲାଗିଲେଣି । ୧୯୬୬ ମସିହାରେ ଇଂଲଣ୍ଡର F.A Cup ଫାଇନାଲ୍‍ରେ ସେଫିଲ୍‍ଡ ଉୟେଡେନସଡେ (Sheffield Wednesday) ଦଳ ଏ ପଦ୍ଧତିରେ ଖେଳି ପ୍ରାୟ ଜିଣୁ ଜିଣୁ ଅଳ୍ପକ ଲାଗି ଏଭର୍‍ଟନ୍‍(Everton) ଦଳ ପାଖରୁ ୩–୨ ଗୋଲ୍ ବ୍ୟବଧାନରେ ହାରିଗଲା । ଫାଇନାଲ୍ ଖେଳର ପ୍ରଥମ ୫୭ମିନିଟ୍ ଭିତରେ ସେଫିଲ୍‍ଡ ଦଳ ଏଭର୍‍ଟନ୍‍କୁ ଏକବାରେ କାବୁ କରି ୨–୦ ଗୋଲ୍‍ରେ ଅଗ୍ରଣୀ ହୋଇଥିଲା । କିନ୍ତୁ ଶେଷ ୩୩ ମିନିଟ୍‍ରେ ୪–୨–୪ ପଦ୍ଧତିରେ ଖେଳୁଥିବା ଏଭର୍‍ଟନ୍‍ଦଳ ବିସ୍ମୟକର ଖେଳ ଖେଳି କେବଳ ଯେ ଗୋଲ୍‍ଦୁଇଟି ଶୁଝାଇଲା ତାହା ନୁହଁ ଶେଷ ମୂହୂର୍ତ୍ତରେ ବିଜୟସୂଚକ ଗୋଲ୍ ଦେଇ F.A.Cup ବିଜୟୀ ହେଳା ଏବଂ ଇଂଲଣ୍ଡର ଶ୍ରେଷ୍ଠ ଫୁଟ୍‍ବଲ ଟିମ୍ ବୋଲି ନିଜକୁ ପ୍ରମାଣିତ କଲା-। ଏ ଖେଳରେ ଉଭୟ ଦଳର ଖେଳାଳୀମାନେ ଯେପରି ମୁହୁର୍ମୁହୁ ସ୍ଥାନ ପରିବର୍ତ୍ତନ କରି ଖେଳୁଥିଲେ ତାହା ଦେଖି ଦର୍ଶକମାନେ ହତବାକ୍ ହୋଇଥିଲେ । ଫାଇନାଲ୍ ଖେଳରେ ୪–୨–୪ ପଦ୍ଧତିର ବିଜୟ ହେଲା ସତ, କିନ୍ତୁ ୩–୩–୪ ପଦ୍ଧତିର କାର୍ଯ୍ୟକାରିତା କିପରି ହୋଇପାରେ ତାହା ସେଫିଲ୍‍ଡ ଦଳ ସୂଚାଇ ଦେଲା । କିଛିଦିନ ମଧ୍ୟରେ ୩–୩–୪ ପଦ୍ଧତି ୪–୨–୪ ପଦ୍ଧତିଠାରୁ ଉତ୍କୃଷ୍ଟତର ପ୍ରମାଣିତ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିବ ।

 

୪–୩–୩ ପଦ୍ଧତି–

 

୪–୨–୪ ଓ ୩–୩–୪ ସଂଗଠନ ନେଇ ପୃଥିବୀର ବିଶିଷ୍ଠ ଫୁଟବଲ୍ ଖେଳାଳୀ ଦେଶମାନେ ମତ୍ତ ଥିଲାବେଳେ ଇଂଲଣ୍ଡ ୪–୩–୩ ନାମକ ଏକ ନୂଆ ପଦ୍ଧତି ଆବିଷ୍କାର କରି ଦୁନିଆକୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଇଛି । ୧୯୬୬ ମସିହାରେ ବିଶ୍ୱ କପ୍ ପ୍ରତିଯୋଗିତାରେ ଇଂଲଣ୍ଡ ଏହି ପଦ୍ଧତିରେ ଖେଳି ଯେ କେବଳ ବିଶ୍ୱକପ୍ ବୀଜୟୀ ହେଲା ତାହା ନୁହେଁ; ଏହାର ରକ୍ଷଣ ବ୍ୟୁହକୁ ଭେଦ କରିବା ପର୍ତ୍ତୁଗାଲ ଓ ପଶ୍ଚିମ ଜର୍ମାନୀ ଭଳି ଦୁର୍ଦ୍ଦର୍ଷ ଟିମ୍‍ମାନଙ୍କ ପକ୍ଷରେ ପ୍ରାୟ ଅସାଧ୍ୟ ହୋଇଥିଲା । ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ଇଂଲଣ୍ଡକୁ ସର୍ବମୋଟ ୬ଟି ମ୍ୟାଚ୍ ଖେଳିବାକୁ ପଡ଼ିଥିଲା । ଏହି ମ୍ୟାଚ୍‍ଗୁଡ଼ିକରେ ଇଂଲଣ୍ଡ ଦେଇଥିଲା ମୋଟ ୧୧ଟି ଗୋଲ୍ ଏବଂ ଖାଇଥିଲା ମାତ୍ର ୨ଟି ଗୋଲ୍ ଏବଂ ତାହା ମଧ୍ୟ ଫାଇନାଲ୍ ଖେଳରେ ପଶ୍ଚିମ ଜର୍ମାନୀଠାରୁ । ଫାଇନାଲ୍ ଖେଳରେ ଇଂଲଣ୍ଡ ପଶ୍ଚିମ ଜର୍ମାନୀକୁ ୪–୨ ଗୋଲ ବ୍ୟବଧାନରେ ପରାଜିତ କରିଥିଲା-। ଏଥିରୁ ଇଂଲଣ୍ଡ ରକ୍ଷଣ ବ୍ୟୁହ ଯେ କିଭଳି ଦୁର୍ଭେଦ୍ୟ ହୋଇଥିଲା ଅନୁମାନ କରି ହେବ-। ୪–୩–୩ ସଂଗଠନର ଆବିଷ୍କର୍ତ୍ତା ହେଲେ ଇଂଲଣ୍ଡର ଜାତୀୟ କୋଚ୍ ଶ୍ରୀ ଆଲଫ ରାମସେ (Alf Ramsey) ସଂଗଠନର ନାମରୁ ଖେଳାଳୀମାନଙ୍କୁ କିପରି ସଜାଯାଏ ଧାରଣା କରି ପାରୁଥିବ । ଏହି ପଦ୍ଧତିରେ ଚାରିଜଣ ବ୍ୟାକ୍‍, ତିନିଜଣ ହାଫ୍‍ବ୍ୟାକ୍‍ଏବଂ ତିନିଜଣ ଫରଓ୍ୟାର୍ଡ ଖେଳନ୍ତି । ବ୍ୟାକ୍‍ଚାରିଜଣଙ୍କର ପ୍ରଧାନ କାମ ହେଲା ବିପକ୍ଷର ଆକ୍ରମଣ ପ୍ରତିରୋଧ କରିବା । ଏ କାମରେ ସେମାନଙ୍କ ସାହାଯ୍ୟ କରନ୍ତ ହାଫ୍‍ ବ୍ୟାକ୍ ତିନିଜଣ । ତେଣୁ ଦେଖାଯିବ ଯେ ବିପକ୍ଷର ଆକ୍ରମଣ ପ୍ରତିରୋଧ କରିବାଲାଗି ଗୋଲ୍‍ କିପର୍ ସମେତ ଆଠଜଣ ଖେଳାଳୀ ରତ ଅଛନ୍ତି । ସେହିପରି ଆକ୍ରମଣ କଲାବେଳେ ହାଫବ୍ୟାକ୍ ତିନିଜଣ ନିଜର ଫରଓ୍ୟାର୍ଡମାନଙ୍କ ସହିତ ବିପକ୍ଷ ଉପରେ ଚଢ଼ଉ କରନ୍ତି । ଏଥିରୁ ଦେଖାଯିବ ଯେ ହାଫବ୍ୟାକ୍ ତିନିଜଣ–ରକ୍ଷଣ ଓ ଆକ୍ରମଣ ଉଭୟ କାର୍ଯ୍ୟରେ ବିଶେଷ ଭାବରେ ଭାଗ ନିଅନ୍ତି । ସେମାନଙ୍କର ଦକ୍ଷତା ଓ ଅନ୍ୟମାନଙ୍କ ସହିତ ସମନ୍ୱୟ ରଖିବାର କ୍ଷମତା ଉପରେ ଏହି ସଂଗଠନର ସାଫଲ୍ୟ ନିର୍ଭର କରେ । ୧୯୬୬ ମସିହାର ବିଶ୍ୱକପ୍ ପ୍ରତିଯୋଗିତାରେ ୪–୩–୩ ସଂଗଠନ ଯେ ୪–୨–୪ ସଂଗଠନଠାରୁ ଉତ୍କୃଷ୍ଟ ତାହା ପ୍ରମାଣିତ ହୋଇଛି । କିନ୍ତୁ ଫୁଟବଲ୍ ଖେଳର ଖେଳାଳୀ ସକ୍କାର ଏହା ଯେ ଶେଷ କଥା–ଏପରି ଧାରଣା କରିବା ଠିକ୍ ହେବ ନାହିଁ ।

 

ଖେଳାଳୀମାନଙ୍କର ଶାରୀରିକ ଦକ୍ଷତା ଓ ପଟୁତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଖେଳାଳୀ ସଂଗଠନର ପରିବର୍ତ୍ତନ ହେଉଛି । ଫୁଟବଲ୍ ଖେଳର ଉନ୍ନତି ହେବା ଯୋଗୁଁ ଆଜି ଗୋଲ୍‍ କିପର୍ ଛଡ଼ା ଅନ୍ୟ କୌଣସି ଖେଳାଳୀ ପକ୍ଷରେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ (Position) ଜାବୁଡ଼ି ଧରି ଖେଳିବାର ନୀତି ଅଚଳ ହେଲାଣି । ଖେଳର ଗତି ସଙ୍ଗେ ତାଳ ରଖି ଖେଳାଳୀମାନଙ୍କ ପକ୍ଷରେ ଦ୍ରୁତ ସ୍ଥାନ ପରିବର୍ତ୍ତନ କରି ଖେଳାଳୀମାନଙ୍କୁ ବିଶେଷଭାବେ ତାଲିମ ମଧ୍ୟ ଦିଆଯାଉଛି । ଆଜିକାଲି ବିଭିନ୍ନ ଦେଶରେ ବୈଜ୍ଞାନିକ ଉପାୟରେ ଖେଳାଳୀମାନଙ୍କୁ ତାଲିମ ଦେବା ଉପରେ ବିଶେଷ ଜୋର ଦିଆଯାଉଛି ।

 

ସ୍ୱାଧୀନତାଲାଭ ପରଠାରୁ ଆମ ଦେଶରେ ମଧ୍ୟ ଏ ଦିଗରେ କାମ ଆରମ୍ଭ ହେଲାଣି । ପଟିଆଲାଠାରେ ଥିବା National Institute of Sports ଏବଂ ଗୋଆଲିୟର ଠାରେ ଥିବା Laxmibai College of Physics Education ରେ ଖେଳାଳୀ ଏବଂ ଖେଳ ଶିକ୍ଷାଦାତା (Coach) ମାନଙ୍କୁ ବୈଜ୍ଞାନିକ ଉପାୟରେ ତାଲିମ ଦିଆଯାଉଛି । ତାହାଛଡ଼ା ବିଦେଶର ବିଖ୍ୟାତ ଟିମମାନଙ୍କର ଭାରତ ଗ୍ରସ୍ତ ଓ ଭାରତୀୟ ଦଳର ବିଦେଶ ଭ୍ରମଣ ଯୋଗୁଁ ଆମ ଦେଶର ଖେଳାଳୀମାନେ ଆଧୁନିକ ପଦ୍ଧତିରେ କି ଭଳି ଫୁଟବଲ୍ ଖେଳାଯାଏ, ତାହା ଅଳ୍ପ ବହୁତ ଶିଖିଲେଣି । ବିଦେଶରେ ପ୍ରଚଳିତ ଅନେକ ନୂଆ ନୂଆ ଖେଳାଳୀ ସଂଗଠନ ଆମ ଦେଶରେ ଚାଲୁ ହେଲାଣି । ଏସବୁ ହେବା ଯୋଗୁଁ ଆମ ଦେଶରେ ଫୁଟବଲ୍ ଖେଳର ମାନ (Standard) ବଢ଼ିବାରେ ଲାଗିଛି । କିନ୍ତୁ ଅନ୍ୟାନ୍ୟ ଦେଶ ବିଶେଷକରି ୟୁରୋପ ଏବଂ ଦକ୍ଷିଣ ଆମେରିକାର ଦେଶମାନଙ୍କ ତୁଳନାରେ ଆମର ଅଗ୍ରଗତି ଉଲ୍ଲେଖଯୋଗ୍ୟ ନୁହେଁ । ରାଷ୍ଟ୍ର ଏବଂ ବିଭିନ୍ନ ଫୁଟବଲ୍ ସଂସ୍ଥାଗୁଡ଼ିକ ଖେଳାଳୀମାନଙ୍କୁ ଆଧୁନିକ ଉପାୟରେ ତାଳିମ କରିବା ଦିଗରେ ଉଦ୍ୟମ କରୁଛନ୍ତି ସତ; କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଆମ ଦେଶର ଖେଳାଳୀମାନେ ଏ ସବୁ ସୁଯୋଗର ସଦ୍‍ବ୍ୟବହାର କରି ନିଜକୁ ଦକ୍ଷ ଓ ପଟୁ ନ କରିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଭାରତ ଫୁଟବଲ ଖେଳରେ ପଛେଇ ରହିଥିବ । ଶିକ୍ଷା, ଚର୍ଚ୍ଚା, ଅନୁଶୀଳନ ଓ ଅଧ୍ୟବସାୟ ଜରିଆରେ ଆମ ଦେଶର ଖେଳାଳୀମାନେ ନିଜକୁ ଗଢ଼ି ନ ତୋଳିଲେ ଦେଶରେ ଫୁଟବଲ୍ ଖେଳର ଅଭିବୃଦ୍ଧି ହେବ ନାହିଁ । ତେଣୁ ଭାରତରେ ଫୁଟବଲ୍ ଖେଳର ଅଭିବୃଦ୍ଧି ପାଇଁ ଖେଳାଳୀମାନେ ଯେ ମୁଖ୍ୟତଃ ଦାୟୀ ତାହା କହିବା ନିଷ୍ପ୍ରୟୋଜନ ହେଲେ ।

 

ଫୁଟବଲ ଖେଳରେ ଖେଳାଳୀ ସଂଗଠନ ବିଷୟରେ ତୁମ୍ଭମାନଙ୍କୁ କହିଲି । କିନ୍ତୁ ଏସବୁ ସଂଗଠନ ପ୍ରୟୋଗ କରିବା ପୂର୍ବରୁ ନିଜକୁ ଯଥାର୍ଥ ଭାବରେ ଗଢ଼ିବା ଯେ ତୁମ୍ଭମାନଙ୍କର ଅସଲ କାମ ତାହା ବୁଝି ପାରୁଥିବ ।

 

ଆମ ଆଲୋଚନା ଏହିଠାରେ ଶେଷ ହେଲା । ସଞ୍ଜ ହେଲାଣି । ଚାଲ ଘରକୁ ଯିବା । ଏତକ କହି ସାର୍ ନିଜ ବସିବା ସ୍ଥାନରୁ ଉଠି ଛିଡ଼ା ହେଲେ । ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ଉଠି ପଡ଼ିଲେ । ସମସ୍ତେ ଘରକୁ ଯିବାକୁ ଉପକ୍ରମ କରୁଛନ୍ତି, ଏହି ସମୟରେ ଅନିରୁଦ୍ଧ କହିଲା, ‘‘ସାର୍‍, ଯଦି କିଛି ମନେ ନ କରିବେ, ତେବେ ଗୋଟିଏ ପ୍ରଶ୍ନ ପଚାରିବି ।’’

 

ଅନିରୁଦ୍ଧର କଥା ଶୁଣି ସମସ୍ତେ ଅଟକି ଗଲେ । ସାର୍ କହିଲେ ‘‘ପୁଣି ପ୍ରଶ୍ନ ? କିହୋ ଆଜି ‘‘ପୁଣ ପ୍ରଶ୍ନ’’ କିହୋ ଆଜି କଅଣ ଘରକୁ ଯିବ ନାହିଁ ? ଏମିତି ଆଲୋଚନା କରୁ କରୁ ତ ରାତି ପାହିଯିବ । ଆଚ୍ଛା, ତୁମ ପ୍ରଶ୍ନଟା କଅଣ ଶୁଣେ । ତେବେ ମନେ ରଖ, ଏହା ହେଲା ଶେଷ ପ୍ରଶ୍ନ । ଏହାପରେ କୌଣସି ପ୍ରଶ୍ନ ପଚାରିଲେ ମୋଠାରୁ ଉତ୍ତର ପାଇବ ନାହିଁ ।’’

 

ଅନିରୁଦ୍ଧ–ସାର୍‍, ‘‘ବିଶ୍ୱ କପ୍‍’’ ପ୍ରତିଯୋଗିତା ବିଷୟରେ ଗୋଟିଏ କଥା ଜାଣିବାକୁ ଚାହୁଁଛି । ଯେଉଁ ଖେଳାଳୀମାନେ କୁଆଡ଼େ ‘‘ବିଶ୍ୱକପ୍‍’’ ପ୍ରତିଯୋଗିତାରେ ଭାଗ ନିଅନ୍ତି, ସେମାନଙ୍କୁ କୁଆଡ଼େ ଅଲିମ୍ପିକ୍‍ସ୍‍ର ଫୁଟବଲ ପ୍ରତିଯୋଗିତାରେ ଭାଗ ନେବାକୁ ଦିଆଯାଏ ନାହିଁ । କଥାଟା କଅଣ ସତ ?

 

ସାର୍‍–ହଁ, ୧୯୬୬ ମସିହା ପର୍ଯ୍ୟନ୍ତ ଏହା ସତ ଥିଲା । ତେବେ ବର୍ତ୍ତମାନ ନୁହେଁ । ଯେଉଁ କଥା ପଚାରିଛ ତା ସହିତ ନିୟମର କୌଣସି ସମ୍ପର୍କ ନାହିଁ । ତେବେ ଏଥିରୁ ଫୁଟବଲ୍ ଖେଳାଳୀ ସମ୍ପର୍କରେ ଗୋଟିଏ କଥା ଉଠୁଛି । ବିଷୟଟା ବୁଝାଇ କହେ ।

 

ପେଶାଦାର ଓ ଅପେଶାଦାର ଖେଳାଳୀ

 

ଯିଏ ଫୁଟବଲ୍ ଖେଳିଲା ସେ ହେଲା ଖେଳାଳୀ–ଏହା ହେଉଛି ସମସ୍ତଙ୍କର ଧାରଣା । କିନ୍ତୁ ଫୁଟବଲ୍ ଖେଳାଳୀଙ୍କ ଭିତରେ ଯେ ଦୁଇଟି ସୁସ୍ପଷ୍ଟ ବର୍ଗ (Class) ଅଛି, ସେ କଥା ଖୁବ୍ କମ ଲୋକଙ୍କୁ ଜଣା । ଗୋଟିଏ ବର୍ଗ ହେଲା ଅପେଶାଦାର ବା ଆମେଚର (Amateur) ଖେଳାଳୀ ଓ ଅନ୍ୟ ବର୍ଗଟି ହେଲା ପେଶାଦାର ବା ପ୍ରଫେସନାଲ (Professional)

ଖେଳାଳୀ ।

 

ଯେଉଁମାନେ ନିଚ୍ଛକ ଆନନ୍ଦ ପାଇଁ ଖେଳନ୍ତି, ନିଜ ଖେଳାଳୀପଣରୁ କୌଣସି ଆର୍ଥିକ ଲାଭ ଉଠାନ୍ତି ନାହିଁ, ସେମାନଙ୍କୁ କୁହାଯାଏ ଆମେଚର୍ ବା ଅପେଶାଦାର ଖେଳାଳୀ । ଆଉ ଯେଉଁମାନେ ଖେଳକୁ ପେଶା ରୂପେ ନିଅନ୍ତି, କିମ୍ବା ନିଜ ଖେଳାଳୀପଣରୁ ବିଭିନ୍ନ ପ୍ରକାରର ଆର୍ଥିକ ଲାଭ ଉଠାନ୍ତି ସେମାନେ ହେଲେ ପ୍ରଫେସନାଲ୍ ବା ପେଶାଦାର ଖେଳାଳୀ ।

 

ଫିଫାର୍ ଦୃଷ୍ଟିରେ ଉଭୟ ବର୍ଗର ଖେଳାଳୀ ସମାନ; କିନ୍ତୁ ବିଶ୍ୱ ଅଲିମ୍ପିକ ସଂସ୍ଥା (International Olympic Committee)ର ବିଚାର ଅନ୍ୟ ପ୍ରକାର । ଏହା ଯେ କେବଳ ପେଶାଦାର ଖେଳାଳୀଙ୍କୁ ହୀନ ଚକ୍ଷୁରେ ଦେଖେ ତାହା ନୁହେଁ, ଅପେଶାଦାର ଖେଳାଳୀ ପେଶାଦାର ଖେଳାଳୀ ସହିତ ଖେଳିଲେ ତାହା ଏକ ଗର୍ହିତ ଅପରାଧ ବୋଲି ମନେକରେ, ଏବଂ ସେଥିଯୋଗୁଁ ଅପେଶାଦାର ଖେଳାଳୀ ତାହାର ଅପେଶାଦାର ଗଣ ହରାଇଲା ବୋଲି ରାୟ ଦିଏ । ଏହି ସଂସ୍ଥା ଦ୍ୱାରା ପରିଚାଳିତ କିମ୍ୱା ଅନୁମୋଦିତ ପ୍ରତିଯୋଗିତା ଗୁଡ଼ିକ କେବଳ ଅପେଶାଦାର ଖେଳାଳୀଙ୍କ ପାଇଁ ଉଦ୍ଦିଷ୍ଟ । ସେ ସବୁ ପ୍ରତିଯୋଗିତାରେ ପେଶାଦାର ଖେଳାଳୀର କୌଣସି ସ୍ଥାନ ନାହିଁ । ବିଶ୍ୱ ଅଲିମ୍ପିକ୍‍ସଂସ୍ଥାର ଏହା ହେଲା ସୁସ୍ପଷ୍ଟ ନୀତି ।

 

ଏହି ନୀତି ଯୋଗୁଁ ଗତ କେତେବର୍ଷ ହେଲା ବିଶ୍ୱ ଅଲିମ୍ପିକ୍‍ସରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥିଲା । କମ୍ୟୁନିଷ୍ଟ ଶାସିତ ଦେଶରେ ପେଶାଦାର ବୋଲି କୌଣସି ଖେଳାଳୀ ନାହାନ୍ତି । ସେଠାରେ ସମସ୍ତେ ହେଲେ ଖେଳାଳୀ । ପେଶାଦାର ଖେଳାଳୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ୱକପ୍ ପ୍ରତିଯୋଗିତାରେ ସେ ସବୁ ଦେଶର ଜାତୀୟ ଟିମ୍ ଭାଗ ନିଅନ୍ତି । ୧୯୫୮ ମସିହାରେ ରୁଷର ଜାତୀୟ ଫୁଟବଲ ଟିମ୍‍ ‘ବିଶ୍ୱ କପ୍‍’ ପ୍ରତିଯୋଗିତାରେ ଭାଗ ନେଇଥିଲା । ୧୯୬୦ ମସିହାରେ ରୋମଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଅଲମ୍ପିକ୍‍ସ ଫୁଟବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରୁଷ ଯେଉଁ ଜାତୀୟ ଟିମ୍ ପଠାଇଥିଲା, ତାହାର ଅନେକ ଖେଳାଳୀ ୧୯୫୮ ‘‘ବିଶ୍ୱକପ୍‍’’ ପ୍ରତିଯୋଗିତାରେ ଖେଳିଥିଲେ । ଏଥିପାଇଁ ରୋମ୍ ଅଲମ୍ପିକ୍‍ସରେ ସେ ଖେଳାଳୀମାନଙ୍କୁ ଖେଳିବାକୁ ଦିଆଯିବ ନାହିଁ ବୋଲି କୁହାଗଲା । ଏହାର ପ୍ରତିବାଦ ସ୍ୱରୂପ ରୁଷ ଜାତୀୟ ଫୁଟବଲ ଦଳ ସେ ପ୍ରତିଯୋଗିତାରେ ଅଂଶଗ୍ରହଣ କଲା ନାହିଁ । ସେହି ଦିନଠାରୁ ବିଶ୍ୱ ଅଲମ୍ପିକ୍‍ସ ସଂସ୍ଥାର ଏହି କଠୋର ନୀତି ବିରୁଦ୍ଧରେ ଗୋଟିଏ ଆନ୍ଦୋଳନ ଚାଲିଲା । ଏହି ଆନ୍ଦୋଳନ ଯୋଗୁ ୧୯୬୭ ମସିହାରେ ଅଲିମ୍ପିକ୍ ସଂସ୍ଥା ତାହାର ନୀତିକୁ କେତେକାଂଶରେ କୋହଳ କରି ଫିଫାକୁ ଜଣାଇଲ ଯେ ‘‘ବିଶ୍ୱ କପ୍‍’’ରେ ଭାଗ ନେଇଥିବା କୌଣସି ଅପେଶାଦାର ଖେଳାଳୀ ଯଦି ‘‘ବିଶ୍ୱ କପ୍‍’’ ପ୍ରତିଯୋଗିତା ପରେ ପରେ ମଧ୍ୟ ନିଜର ଅପେଶାଦାର ଗୁଣ ଅକ୍ଷୁର୍ଣ୍ଣ ରଖେ, ତେବେ ସେ ବିଶ୍ୱ ଅଲିମ୍ପିକ୍‍ସର ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପାରିବ । ଏଭଳି ଖେଳାଳୀକୁ ଜାତୀୟ ଟିମ୍ ରେ ଅନ୍ତର୍ଭୁକ୍ତ କରାଗଲା ବିଶ୍ୱ ଅଲିମ୍ପିକ୍‍ସ ସଂସ୍ଥା କୌଣସି ଆପତ୍ତି କରିବ ନାହିଁ । ଏହି କୋହଳ ନୀତି ଯୋଗୁଁ କମ୍ୟୁନିଷ୍ଟ ଶାସିତ ଦେଶର ଖେଳାଳୀମାନଙ୍କର ସାମନାରୁ ଗୋଟିଏ ବାଧା ଦୂର ହେଲା ।

 

ଭାରତବର୍ଷରେ ଆଜି ସୁଦ୍ଧା ପେଶାଦାରୀ ପ୍ରଥା ଖୋଲା ଖୋଲି ଭାବେ ଚାଲୁ ହୋଇନାହିଁ । ତେଣୁ ଆମ ଦେଶର ସବୁ ଖେଳାଳୀ ଆମେଚର ଅର୍ଥାତ୍ ଅପେଶାଦାର । ଫୁଟବଲ ଖେଳରେ ଅଗ୍ରଣୀ ଅନେକ ଦେଶରେ ପେଶାଦାରୀ ପ୍ରଥା ଖୋଲାଖୋଲି ଭାବେ ଚାଲୁ ରହିଛି । ସେ ସବୁ ଦେଶରେ ପେଶାଦାର ଓ ଅପେଶାଦାର ଖେଳାଳୀମାନଙ୍କ ଲାଗି ଅଲଗା ଅଲଗା ସଂସ୍ଥା ରହିଛି ଓ ସେମାନଙ୍କ ଲାଗି ପୃଥକ୍ ପୃଥକ୍ ପ୍ରତିଯୋଗିତାମାନ ଅଛି । ‘‘ବିଶ୍ୱ କପ୍‍’’ ପ୍ରତିଯୋଗିତାରେ ଯେଉଁ ଜାତୀୟ ଦଳମାନ ଭାଗ ନିଅନ୍ତି ସେଗୁଡ଼ିକ ମୁଖ୍ୟତଃ ପେଶାଦାର ଖେଳାଳୀମାନ ନେଇ ଗଠିତ ହୋଇଥିଲେ ହେଁ ସ ସବୁ ଦଳରେ ଅପେଶାଦାର ଖେଳାଳୀମାନଙ୍କର ସ୍ଥାନ ପାଇବାରେ କୌଣସି ବାରଣ ନାହିଁ ।

 

ଏତକ କହି ସାର୍‍ଘରକୁ ଗଲେ ଓ ତାଙ୍କ ପଛେ ପଛେ ପିଲାମାନେ ମଧ୍ୟ ଯେ ଯାହାର ଘରକୁ ଲେଉଟିଲେ ।

 

କେତୋଟି ମନେ ରଖିବା ବିଷୟ

 

କେଉଁ କାରଣ ଯୋଗୁଁ ଖେଳ ଆରମ୍ଭ ହୋଇପାରିବ ନାହିଁ ।

 

୧ । ଯଦି ଗୋଟିଏ ଟିମ୍‍ ପଡ଼ିଆରେ ଅନୁପସ୍ଥିତ ରହେ ତାହାହେଲେ ଆରମ୍ଭ ନାହିଁ । ଏଭଳି ଅବସ୍ଥାରେ ଉପସ୍ଥିତ ଟିମ୍‍ଦ୍ୱାରା ‘‘କିକ୍‍ ଅଫ୍‍’’ କରାଇ ଅନୁପସ୍ଥିତ ଟିମ୍‍ ବିରୁଦ୍ଧରେ ଗୋଲ୍‍ ଦେବାର ବ୍ୟବସ୍ଥା କରିବା ଏକ ହାସ୍ୟାସ୍ପଦ ଘଟଣା । ଗୋଟିଏ ଦଳ ଅନୁପସ୍ଥିତ ହେଲେ ରେଫରୀ ଖେଳ ଆରମ୍ଭ ନ କରି ସେ ବିଷୟରେ ପରିଚାଳନା ସମିତିକୁ ଏକ ରିପୋର୍ଟ ଦେବେ । ଖେଳର ହାରଜିତ୍‍ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବାର ଦାୟିତ୍ୱ ପରିଚାଳନା ସମିତିର ।

 

୨ । ଯଦି କୌଣସି ଟିମ୍‍ ରେ ୭ ଜଣରୁ କମ୍‍ ବା ୧୧ ଜଣରୁ ବେଶୀ ଖେଳାଳୀ ଥାନ୍ତି ତେବେ ଖେଳ ଆରମ୍ଭ ହୋଇପାରିବ ନାହିଁ ।

 

୩ । ପ୍ରତ୍ୟେକ ଦଳରେ ପୃଥକ୍‍ ରଙ୍ଗର କୁର୍ତ୍ତା ବା ଜର୍ସି ପିନ୍ଧି ପିନ୍ଧିଥିବା ଜଣେ ଲେଖାଏଁ ଗୋଲ୍‍କିପର୍‍ ନ ଥିଲେ ଖେଳ ଆରମ୍ଭ ହୋଇ ପାରିବ ନାହିଁ ।

 

୪ । ଯଦି ଦୁଇ ଦଳର ୟୁନିଫର୍ମର ରଙ୍ଗ ସମାନ ହୁଏ, ତେବେ ଖେଳ ଆରମ୍ଭ ହୋଇପାରିବ ନାହିଁ ।

 

୫ । ଯଦି କୌଣସି ଦଳ ନିୟମ ବହିର୍ଭୂତ ପୋଷାକ ପିନ୍ଧି ବା ଖାଲି ଦେହରେ ଖେଳିବାକୁ ଆସେ, ତେବେ ଖେଳ ହୋଇପାରିବ ନାହିଁ ।

 

୬ । ଯଦି ଦୁଇଜଣ ଲାଇନ୍‍ସମ୍ୟାନ୍‍ ନ ଥାଆନ୍ତି ବା ଯଦି କୌଣସି ଖେଳାଳୀ ଯାହାକୁ ଦଣ୍ଡ ସ୍ୱରୂପ ଖେଳିବାକୁ ମନା କରାଯାଇଛି ଲାଇନ୍‍ସ୍‍ମ୍ୟାନ୍‍ ହୋଇଥାଏ, ତେବେ ଖେଳ ଆରମ୍ଭ ହୋଇପାରିବ ନାହିଁ ।

 

୭ । ଯଦି ପଡ଼ିଆର ମାପଚୂପସୂଚକ ରେଖା (Line)ମାନ ନ ଥାଏ, ତାହାହେଲେ ଖେଳ ଆରମ୍ଭ ହୋଇପାରିବ ନାହିଁ ।

 

୮ । ଯଦି କର୍ଣ୍ଣର ପତାକା ଲଗାଯାଇ ନଥାଏ, ତାହାହେଲେ ଖେଳ ଆରମ୍ଭ ହୋଇପାରିବ ନାହିଁ ।

 

୯ । ଯଦି କ୍ରଶ୍‍ବାର୍‍ ସ୍ଥାନରେ ଦଉଡ଼ି ବନ୍ଧାଯାଇଥାଏ ତେବେ ଖେଳ ଆରମ୍ଭ ହୋଇପାରିବ ନାହିଁ ।

 

୧୦ । ଯଦି ବଲ୍‍ ନିୟମ ଅନୁଯାୟୀ ନ ହୋଇଥାଏ, ତାହାହେଲେ ଖେଳ ଆରମ୍ଭ ହୋଇପାରିବ ନାହିଁ ।

 

୧୧ । ଝଡ଼ ବତାସ ଆଦି ପ୍ରାକୃତିକ ଦୁର୍ଯୋଗ ଯୋଗୁଁ ଖେଳ ଆରମ୍ଭ କଲେ ଯଦି ଖେଳାଳୀମାନଙ୍କ ପକ୍ଷରେ ବିପଦର ଆଶଙ୍କା ଥାଏ, ତେବେ ଖେଳ ଆରମ୍ଭ କରାଯିବ ନାହିଁ ।

 

୧୨ । ଯଦି ଆଲୁଅ କମ୍‍ଥାଏ, ତେବେ ଖେଳ ଆରମ୍ଭ କରାଯିବ ନାହିଁ ।

 

୧୩ । ପଡ଼ିଆର ଅବସ୍ଥା ଖେଳ ଉପଯୋଗୀ ନ ଥିଲେ ଖେଳ ଆରମ୍ଭ କରାଯିବ ନାହିଁ ।

 

କେତେବେଳେ ଖେଳ ବନ୍ଦ କରିଦେବା ଉଚିତ

 

୧ । ପ୍ରାକୃତିକ ଦୁର୍ଯୋଗ ଯୋଗୁଁ ଖେଳ ପରିଚାଳନା କରିବା ଅସମ୍ଭବ ହେଲେ ଖେଳ ବନ୍ଦ କରିଦେବା ଉଚିତ ।

 

୨ । ଖେଳ ଲାଗି ଯଥାର୍ଥ ଆଲୁଅ ନ ରହିଲେ ଖେଳ ବନ୍ଦ କରିଦେବା ଉଚିତ ।

 

୩ । ଦୁଇ ଦଳର ଖେଳାଳୀଙ୍କ ଭିତରେ ମାଡ଼ପିଟ ଲାଗି ଖେଳ ରେଫରୀଙ୍କର ଆୟତ୍ତ ବାହାରକୁ ଚାଲିଗଲେ ଖେଳ ବନ୍ଦ କରିଦେବା ଉଚିତ ।

 

୪ । ଦର୍ଶକମାନେ ପଡ଼ିଆରେ ପଶି ଉଚ୍ଛୃଙ୍ଖଳ ଆଚରଣ କଲେ ଏବଂ ସେଥିପାଇଁ ଶାନ୍ତିଭଙ୍ଗ ହେବାର ଆଶଙ୍କା ଦେଖାଗଲେ ଖେଳ ବନ୍ଦ କରିଦେବା ଉଚିତ ।

 

୫ । ଦଣ୍ଡିତ ଖେଳାଳୀ ପଡ଼ିଆରୁ ବାହାରିଯିବା ଆଦେଶକୁ ଯଦି ଅମାନ୍ୟ କରେ ଏବଂ ଏ ସମ୍ପର୍କରେ ଦଳୀୟ କ୍ୟାପଟେନକୁ କହିବା ସତ୍ତ୍ୱେ ଅବସ୍ଥାର କୌଣସି ପରିବର୍ତ୍ତନ ନ ହେଲେ ଖେଳ ବନ୍ଦ କରିଦେବା ଉଚିତ ।

 

କେତେବେଳେ ଖେଳ ବନ୍ଦ କରି ପୁଣି ‘ଡ୍ରପ୍‍’ ଦେଇ ଖେଳ ଆରମ୍ଭ କରାଯାଏ ।

 

୧ । ଯେତେବେଳେ ବାହାରର କୌଣସି ଲୋକ ରେଫରୀଙ୍କ ବିନାନୁମତିରେ ପଡ଼ିଆରେ ପଶେ ।

 

୨ । ଯେତେବେଳେ ଦର୍ଶକମାନେ ପଡ଼ିଆରେ ପଶିଯାଆନ୍ତି ।

 

୩ । ଯେତେବେଳେ ବଲ୍‍ ଫାଟିଯାଏ ବା ତାହାର ଓଜନ କିମ୍ୱା ଆକାର ଆଇନସମ୍ମତ ନ ରହେ ।

 

୪ । ଯେତେବେଳେ କୌଣସି ଖେଳାଳୀ, ଲାଇନ୍‍ସ୍‍ମ୍ୟାନ୍‍ ବା ରେଫରୀ କୌଣସି ଅପରାଧ ନ ଘଟିବା ସତ୍ତ୍ୱେ ଆହତ ହୁଅନ୍ତି ।

 

୫ । ଖେଳ ଚାଲିଥିବାବେଳେ କୌଣସି ଖେଳାଳୀ ପଡ଼ିଆ ବାହାରେ କୌଣସି ଅପରାଧ କଲେ ।

 

୬ । ଯେତେବେଳେ ବଲ୍‍ ପଡ଼ିଆ ଭିତରକୁ ପଶି ଆସିଥିବା କୌଣସି ବ୍ୟକ୍ତି ବା ପ୍ରାଣୀ (ଯଥା–ଗାଈ, କୁକୁର ଇତ୍ୟାଦି)

 

୭ । ଯେତେବେଳେ ବାହାରର କୌଣସି ଗୋଳମାଳ ବା ବାଧା ରେଫରୀ ବା ଖେଳାଳୀମାନଙ୍କୁ ଅସୁବିଧାରେ ପକାଏ । ଯଥା ଜାଣିଶୁଣି ଦର୍ଶକମାନେ ପାଟିତୁଣ୍ଡ ବା ଗାଳିଗୁଲଜ କରି ଜଣେ ଖେଳାଳୀକୁ ହଇରାଣ କଲେ ବା ଅଇନା ସାହାଯ୍ୟରେ ସୂର୍ଯ୍ୟ କିରଣ ରେଫରୀ ବା କୌଣସି ଖେଳାଳୀ ମୁହଁ ଉପରେ ପକାଇଲେ ଖେଳରେ ବାଧା ଉପୁଜେ । ସେଭଳି କ୍ଷେତ୍ରରେ କିଛି ସମୟ ଖେଳ ବନ୍ଦ ରଖି ପୁଣି ‘ଡ୍ରପ୍‍’ ଦେଇ ଖେଳ ଆରମ୍ଭ କରାଯିବ ।

 

୮ । ବଲ୍‍ କଢ଼ାକଢ଼ି କଲାବେଳେ ବିପଦର ଆଶଙ୍କା ଥିଲେ, ସାମୟିକ ଭାବେ ଖେଳ ବନ୍ଦ କରି ଶୁଣି ‘‘ଡ୍ରପ୍‍’’ ଦେଇ ଖେଳ ଆରମ୍ଭ କରାଯିବ ।

 

୯ । ଯେତେବେଳେ ଖେଳାଳୀର ପୋଷାକ ହଠାତ୍‍ ଖସିପଡ଼େ ।

 

୧୦ । ଯେତେବେଳେ ରେଫରୀ ନିଜ ଭୁଲ ନିଷ୍ପତ୍ତି କଥା ତତ୍‍କ୍ଷଣାତ୍‍ ବୁଝିପାରନ୍ତି ସେତେବେଳେ ସେ ଖେଳ ବନ୍ଦ କରି ପୁଣି ଡ୍ରପ୍‍ ଦେଇ ଖେଳ ଆରମ୍ଭ କରାଇବେ ।

 

କେଉଁ କେଉଁ ଅବସ୍ଥାରେ ଖେଳ ଚାଲୁ ହେଲା ବୋଲି ଧରାଯିବ ନାହିଁ–

 

୧ । ‘‘କିକ୍‍ଅଫ୍‍’’ରୁ ବଲ୍‍ପ ପ୍ରତିପକ୍ଷର ପଡ଼ିଆ ଭିତରକୁ ନିଜର ପରିଧି ସମାନ ଦୂରତ୍ୱ ଅର୍ଥାତ୍‍ ୨୭ରୁ ୨୮ ଇଞ୍ଚ ନ ଗଲା ପର୍ଯ୍ୟନ୍ତ ଖେଳ ଚାଲୁ ହେଲା ବୋଲି ଧରାଯିବ ନାହିଁ ।

 

୨ । ଯେ କୌଣସି ଫ୍ରି କିକ୍‍ରୁ ବଲ୍‍ ନିଜ ପରିଧି ସମାନ ଦୂରତ୍ୱ ଅତିକ୍ରମ ନ କଲା ପର୍ଯ୍ୟନ୍ତ ଖେଳ ଚାଲୁ ହେଲା ବୋଲି ଧରାଯିବ ନାହିଁ ।

 

୩ । ଗୋଲ୍‍କିକ୍‍ ଏବଂ ନିଜ ପେନାଲ୍‍ଟି ଏରିଆ ଭିତରୁ ମରାଯାଉଥିବା ଫ୍ରି କିକ୍‍ରୁ ବଲ୍‍ ଯେତେବେଳଯାଏ ପେନାଲଟି ଏରିଆର ସୀମା ଅତିକ୍ରମ ନ କରିଛି ସେତେବେଳ ପର୍ଯ୍ୟନ୍ତ ଖେଳ ଚାଲୁ ହେଲା ବୋଲି ଧରାଯିବ ନାହିଁ ।

 

୪ । ଥ୍ରୋ ଇନ୍‍ରୁ ବଲ୍‍ପଡ଼ିଆ ଭିତରକୁ ନ ଆସିବା ଯାକେ ଖେଳ ଚାଲୁ ହେଲା ବୋଲି ଧରାଯିବ ନାହିଁ ।

 

୫ । ରେଫରୀଙ୍କ ଡ୍ରପ୍‍ରୁ ବଲ୍‍ ଭୂମି ସ୍ପର୍ଶ ନ କଲାଯାକେ ଖେଳ ଚାଲୁ ହେଲା ବୋଲି ଧରାଯିବ ନାହିଁ ।

 

କେତେବେଳେ ପୁଣି ଆଉ ଥରେ କିକ୍‍ ମାରିବାକୁ ବା ଥ୍ରୋ ଇନ୍‍ କରିବାକୁ ଆଦେଶ ଦିଆଯିବ–

 

୧ । ଯେତେବେଳେ ଗୋଲ୍‍କିକ୍‍ରୁ ବଲ୍‍ ପେନାଲ୍‍ଟି ଏରିଆ ଅତିକ୍ରମ କରିବା ପୂର୍ବରୁ (କ) କେହି ତାକୁ ସ୍ପର୍ଶ କରେ, (ଖ) ଆକ୍ରମଣକାରୀ ଦଳର କୌଣସି ଖେଳାଳୀ ପେନାଲ୍‍ଟି ଏରିଆ ଭିତରକୁ ପଶି ଆସେ, (ଗ) କିକ୍‍ରୁ ଯଦି ବଲ୍‍ ପେନାଲ୍‍ଟି ଏରିଆ ବାହାରକୁ ନ ଯାଏ;

 

୨ । ଯେତେବେଳେ କିକ୍‍ଅଫ୍‍ରୁ (କ) ବଲ୍‍ ତାହାର ପରିଧି ସମାନ ଦୂରତ୍ୱ ପ୍ରତିପକ୍ଷ ଅଞ୍ଚଳକୁ ନ ଯାଏ, (ଖ) କିକ୍‍ଅଫ୍ ହେବା ପୂର୍ବରୁ ପ୍ରତିପକ୍ଷର କୌଣସି ଖେଳାଳୀ କେନ୍ଦ୍ର ବୃତ୍ତ ଭିତରକୁ ପଶିଆସେ;

 

୩ । ଯେତେବେଳେ ପ୍ରତିରୋଧକାରୀ ଦଳ ନିଜ ପେନାଲ୍‍ଟି ଏରିଆ ଭିତରୁ ମାରୁଥିବା କୌଣସି ଫ୍ରି କିକ୍‍ରୁ ବଲ୍‍(କ) ସିଧାସଳଖ ପେନାଲ୍‍ଟି ଏରିଆ ଅତିକ୍ରମ କରି ପଡ଼ିଆ ଭିତରକୁ ନ ଯାଏ, (ଖ) ପେନାଲ୍‍ଟି ଏରିଆ ଅତିକ୍ରମ କରିବା ପୂର୍ବରୁ କେହି ସେ ବଲ୍‍କୁ ଖେଳେ;

 

୪ । ଯେତେବେଳେ କୌଣସି ଫ୍ରି କିକ୍‍ରୁ ବଲ୍‍ ତାହାର ପରିଧି ସମାନ ଦୂରତ୍ୱ ଅତିକ୍ରମ ନ କରେ ବା ପରିଧି ସମାନ ଦୂରତ୍ୱ ଅତିକ୍ରମ କରିବା ପୂର୍ବରୁ କେହି ଯଦି ସେ ବଲ୍‍କୁ ଖେଳେ;

 

୫ । ପେନାଲ୍‍ଟି କିକ୍‍ ମରାଗଲାବେଳେ ଯଦି ପ୍ରତିରୋଧକାରୀ ଦଳର କୌଣସି ଖେଳାଳୀ ନିୟମଭଙ୍ଗ କରେ ଏବଂ ସେ କିକ୍‍ରୁ ଯଦି ଗୋଲ୍‍ ନ ହୁଏ;

 

୬ । ପେନାଲ୍‍ଟି କିକ୍‍ ମରାଗଲା କିକ୍‍ ମାରୁଥିବା ଖେଳାଳୀ ଦଳର କୌଣସି ଖେଳାଳୀ ଯଦି ନିୟମଭଙ୍ଗ କରେ ଏବଂ ଯଦି କିକ୍‍ରୁ ଗୋଲ୍‍ହୁଏ;

 

୭ । ଯେତେବେଳେ ଗୋଲ୍‍ କିକ୍‍ ବା ନିଜ ପେନାଲ୍‍ଟି ଏରିଆ ଭିତରୁ ମରାଯାଉଥିବା କୌଣସି ଫ୍ରି କିକ୍‍ରୁ ବଲ ଯଦି ପେନାଲ୍‍ଟି ଏରିଆ ଭିତରେ ଥିବା ରେଫରୀ କିମ୍ୱା ଅନ୍ୟ କାହାରି ଦେହରେ ବାଜି ବା ପବନ ଯୋଗୁଁ ଓଲଟା ଦିଗରେ ଗତି କରି ପେନାଲ୍‍ଟି ଏରିଆର ସୀମା ସୂଚକ ଗୋଲ୍‍ ଲାଇନ୍‍କୁ ଅତିକ୍ରମ କରି ପଡ଼ିଆ ବାହାରକୁ ଯାଏ;

 

୮ । ଯେତେବେଳେ ରେଫରୀ ସଙ୍କେତ ଦେବା ପୂର୍ବରୁ କୌଣସି ଫ୍ରି କିକ୍‍ ମରାଯାଏ;

 

୯ । ଯେତେବେଳେ କର୍ଣ୍ଣର କିକ୍‍ ମାରିବାକୁ ଯାଉଥିବା ଖେଳାଳୀ କର୍ଣ୍ଣର ପତାକାକୁ କାଢ଼ିଦିଏ ବା ତାହାକୁ ବଙ୍କାଇ ଦିଏ;

 

୧୦ । ଯେତେବେଳେ କୌଣସି ଫ୍ରି କିକ୍‍ ବା ଥ୍ରୋ ଇନ୍‍ କରିବା ସଙ୍ଗେ ସଙ୍ଗେ ବଲ୍‍ ଫାଟିଯାଏ;

 

୧୧ । ଯେତେବେଳେ ଠିକ୍‍ ସ୍ଥାନରୁ ଥ୍ରୋ–ଇନ୍‍ରୁ ବଲ୍‍ ଉପରବାଟେ ପଡ଼ିଆରେ ପ୍ରବେଶ ନ କରେ, ସେତେବେଳେ ଆଉ ଥରେ କିକ୍‍ ମାରିବାକୁ କିମ୍ୱା ଥ୍ରୋ ଇନ୍‍ କରିବାକୁ ନିର୍ଦ୍ଦେଶ ଦିଆଯିବ;

 

୧୨ । ପେନାଲ୍‍ଟି କିକ୍‍ରୁ ବଲ କାମୀ ଅବସ୍ଥା (in play)କୁ ଆସିବା ପୂର୍ବରୁ ଯଦି ଉଭୟ ପକ୍ଷର ଜଣେ ବା ଅଧିକ ଖେଳାଳୀ ପେନାଲ୍‍ଟି ଏରିଆ ଭିତରକୁ କିମ୍ୱା ପେନାଲ୍‍ଟି କିକ୍‍ଲାଗି ନିର୍ଦ୍ଦିଷ୍ଟ ଚିହ୍ନଠାରୁ ୧୦ ଗଜ ଦୂରରେ ରହିବା ପରିବର୍ତ୍ତେ ନିକଟକୁ ଚାଲିଆସନ୍ତି ତାହାହେଲେ ରେଫରୀ ପୁଣି ଆଉ ଥରେ ପେନାଲ୍‍ଟି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେବେ ।

 

କେତେବେଳେ ଖେଳାଳୀକୁ ସାବଧାନ କରାଯାଏ–

 

୧ । ବିପଜ୍ଜନକଭାବେ ଖେଳିଲେ;

 

୨ । ଅଖେଳାଳୀ ମନୋବୃତ୍ତିର ପରିଚୟ ଦେଲେ ବା ଖେଳରେ ବାଧା ସୃଷ୍ଟି କଲେ;

 

୩ । ଜାଣି ଶୁଣି ଖେଳର ସମୟ ନଷ୍ଟ କଲେ;

 

୪ । ଅଶୋଭନୀୟ ଆଚରଣ ଦେଖାଇଲ;

 

୫ । ଖେଳ ଚାଲିଥିଲାବେଳେ ରେଫରୀଙ୍କର ଅନୁମତି ନ ନେଇ ପଡ଼ିଆରୁ ବାହାରିଗଲେ ବା ପଡ଼ିଆରେ ପ୍ରବେଶ କଲେ;

 

୬ । କଥାରେ ବା କାର୍ଯ୍ୟରେ ରେଫରୀଙ୍କର ସିଦ୍ଧାନ୍ତ ବିରୁଦ୍ଧରେ ମତ ପ୍ରକାଶ କଲେ;

 

୭ । ବାରମ୍ୱାର ଖେଳର ନିୟମ ଭଙ୍ଗକଲେ;

 

୮ । ଖେଳ ଭିତରେ ଅଭଦ୍ର ବ୍ୟବହାର କଲେ;

 

୯ । ଗୋଲ୍‍ କିପର୍‍ ପ୍ରତିପକ୍ଷ ଖେଳାଳୀ ମୁହଁକୁ ବଲ୍‍ ଫିଙ୍ଗିଲେ;

 

୧୦ । ଗୋଲ୍‍ କିପର୍‍ ଦରକାରରୁ ଅଧିକ ସମୟ ବଲ୍‍ ଉପରେ ଶୋଇ ରହିଲେ;

 

୧୧ । ନିଜ ଦଳର ଖେଳାଳୀ ଉପରେ ଆଶ୍ରା କରି ଉପରକୁ ଡେଇଁ ହେଡ୍‍ କଲେ;

 

୧୨ । ହାତକୁ ମେଲାଇ ବିପକ୍ଷ ଖେଳାଳୀର ଗତିରେ ବାଧା ସୃଷ୍ଟି କଲେ;

 

୧୩ । ଖେଳ ଚାଲିଥିଲାବେଳେ କ୍ରଶ୍‍ ବାର୍‍କୁ ଧରି ଓହଳିଲେ;

 

୧୪ । ଖେଳ ଚାଲିଥିବାବେଳେ ରେଫରୀଙ୍କର ବିନାନୁମତିରେ ବଲ୍‍ ବଦଳାଇଲେ, ଖେଳାଳୀକୁ ସାବଧାନ ବା ତାଗିଦ୍‍ (Caution)କରି ଦିଆଯିବ ।

 

୧୫ । ପେନାଲ୍‍ଟି କିକ୍‍ରୁ ବଲ୍‍ କାମୀ ଅବସ୍ଥା (In play)କୁ ଆସିବା ପୂର୍ବରୁ କିକ୍‍ ମାରୁଥିବା ଖେଳାଳୀର ସ୍ୱପକ୍ଷୀୟ କୌଣସି ଖେଳାଳୀ ପେନାଲ୍‍ଟି ଏରିଆ ଭିତରକୁ ପଶିଆସେ କିମ୍ୱା ପେନାଲ୍‍ଟି କିକ୍‍ଲାଗି ନିର୍ଦ୍ଦିଷ୍ଟ ଚିହ୍ନଠାରୁ ଦଶଗଜ ଦୂରରେ ରହିବା ପରିବର୍ତ୍ତେ ପାଖେଇ ଆସେ, ତାହାହେଲେ ସେ ଖେଳାଳୀକୁ ସାବଧାନ କରି ଦିଆଯିବ । ଏ କ୍ଷେତ୍ରରେ ପେନାଲ୍‍ଟି କିକ୍‍ରୁ ଯଦି ବଲ୍‍ ଗୋଲ୍‍ ପୋଷ୍ଟ, କ୍ରଶ୍‍ବାର କିମ୍ୱା ଗୋଲ୍‍ କିପରର ଦେହରେ ବାଜି ପଡ଼ିଆ ଭିତରକୁ ଫେରିଆସେ ତାହାହେଲେ ରେଫରୀ ତତ୍‍କ୍ଷଣାତ୍‍ ସାମୟିକ ଭାବେ ଖେଳ ବନ୍ଦ ରଖି ଉକ୍ତ ଖେଳାଳୀକୁ ତାଗିଦ କରିଦେବେ ଏବଂ ଯେଉଁ ସ୍ଥାନରେ ଏହି ତ୍ରୁଟୀ ଘଟିଲା ସେହି ସ୍ଥାନରୁ ବିପକ୍ଷକୁ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେଇ ଖେଳ ପୁଣି ଚାଲୁ କରାଇବେ ।

 

କେତେବେଳେ ଖେଳାଳୀକୁ ପଡ଼ିଆରୁ ବାହାର କରିଦିଆଯାଏ

 

୧ । ରେଫରୀଙ୍କର ଆଦେଶ ଅମାନ୍ୟ କଲେ;

 

୨ । ଖେଳରେ ମରାମରି ବା ମରାମରି କରିବାର ଉପକ୍ରମ କଲେ;

 

୩ । ଖେଳ ଚାଲିଥିଲାବେଳେ ଗାଳିଗୁଲଜ କଲେ;

 

୪ । ମାରାତ୍ମକ ଧରଣର ଫାଉଲ କଲେ;

 

୫ । ସତର୍କିତ ହେବା ସତ୍ତ୍ୱେ ପୁଣି ଖରାପ ଆଚରଣ କଲେ; ଖେଳାଳୀକୁ ପଡ଼ିଆରୁ ବାହାର କରି ଦିଆଯିବ;

 

କେଉଁ ଅପରାଧ ଲାଗି ପେନାଲ୍‍ଟି କିକ୍‍ ବା ଡାଇରେକ୍‍ଟ ଫ୍ରି କିକ୍‍ ଦିଆଯାଏ–

 

୧ । ବିପକ୍ଷର ଖେଳାଳୀକୁ ଗୋଇଠା ମାରିଲେ ବା ଗୋଇଠା ମାରିବାକୁ ଚେଷ୍ଟା କଲେ;

 

୨ । ବିପକ୍ଷର ଖେଳାଳୀକୁ ଗୋଡ଼ ଛନ୍ଦି ବା ବେନିୟମ ଭାବେ ଧକ୍‍କା ମାରି ପକାଇଲେ;

 

୩ । ବିପକ୍ଷର ଖେଳାଳୀ ଉପରକୁ କୁଦିଲେ;

 

୪ । ମାରାତ୍ମକ ବା ବିପଜ୍ଜନକଭାବେ ପ୍ରତିପକ୍ଷର ଖେଳାଳୀ ସହ କାୟିକ ସଂଘର୍ଷ (Gharge) କଲେ;

 

୫ । ବିପକ୍ଷର ଖେଳାଳୀ ବାଧା ନ ଦେଉଥିବା ସତ୍ତ୍ୱେ ତାହାକୁ ପଛଆଡ଼ୁ ଚାର୍ଯ କଲେ;

 

୬ । ବିପକ୍ଷର ଖେଳାଳୀକୁ ଆଘାତ କଲେ କିମ୍ୱା ଆଘାତ କରିବାକୁ ଚେଷ୍ଟା କଲେ;

 

୭ । ବିପକ୍ଷର ଖେଳାଳୀକୁ ଧରି ଅଟକାଇଲେ;

 

୮ । ବିପକ୍ଷର ଖେଳାଳୀକୁ ଧକ୍କା ମାରିଲେ;

 

୯ । ହ୍ୟାଣ୍ଡବଲ୍‍ କଲେ, ପେନାଲ୍‍ଟି କିକ୍‍ ବା ଡାଇରେକ୍ଟ ଫ୍ରି କିକ୍‍ ଦିଆଯାଏ । ଏହି ଅପରାଧଗୁଡ଼ିକ ସ୍ୱପକ୍ଷର ଖେଳାଳୀ ନିଜ ପେନାଲ୍ଟି ଏରିଆ ଭିତରେ କଲେ, ସେ ଦଳ ବିରୁଦ୍ଧରେ ପେନାଲ୍‍ଟି କିକ୍‍ ଦିଆଯିବ ଏବଂ ପେନାଲ୍‍ଟି ଏରିଆ ବାହାରେ କଲେ ଡାଇରେକ୍ଟ ଫ୍ରି କିକ୍‍ ଦିଆଯିବ ।

 

କେଉଁ ଅପରାଧ ଲାଗି ଇନ୍‍ଡାଇରେକ୍‍ଟ ଫ୍ରି କିକ୍‍ ଦିଆଯାଏ–

 

୧ । ବଲ୍‍ ହାତରେ ଧରି ଗୋଲ୍‍ କିପର୍‍ ୪ ପାହୁଣ୍ଡରୁ ଅଧିକ ବାଟ ଗଲେ;

 

୨ । ଗୋଲ୍‍ କିପର୍‍ ହାତରେ ବଲ୍‍ ଥିଲାବେଳେ ସେ ବଲ୍‍କୁ କିକ୍‍ ମାରିଲେ କିମ୍ୱା କିକ୍‍ ମାରିବାକୁ ଚେଷ୍ଟା କଲେ;

 

୩ । ଗୋଲ୍‍କିପର୍‍ ହାତରେ ବଲ୍‍ ନାହିଁ ଏବଂ ସେ ପ୍ରତିପକ୍ଷ ଖେଳାଳୀର ବାଧା ସୃଷ୍ଟି କରୁନାହିଁ, ଏଭଳି ଅବସ୍ଥାରେ ଗୋଲ୍‍ ଏରିଆ ଭିତରେ ତାହାକୁ ନ୍ୟାୟସଙ୍ଗତ ଚାର୍ଯ କଲେ;

 

୪ । ଗୋଲ୍‍କିପର୍‍ ବିପକ୍ଷର ଖେଳାଳୀ ମୁହଁକୁ ବଲ୍‍ ଫିଙ୍ଗିଲେ କିମ୍ୱା ବଲ୍‍ ଉପରେ ଦରକାରରୁ ଅଧିକ ସମୟ ଶୋଇ ରହିଲେ କିମ୍ୱା ବିପକ୍ଷର ଖେଳାଳୀକୁ ବିଦ୍ରୁପ କଲେ;

 

୫ । ବଲ୍‍ ବିପକ୍ଷ ଖେଳାଳୀର ଆୟତ୍ତରେ ନ ଥିଲାବେଳେ ତାହାକୁ ନ୍ୟାୟସଙ୍ଗତ ଚାର୍ଯ କଲେ;

 

୬ । ବଲ୍‍ ନିଜ ଆୟତ୍ତରେ ଥିଲାବେଳେ ନିଜ ଦେହଦ୍ୱାରା ବିପକ୍ଷ ଖେଳାଳୀର ଖେଳରେ ବାଧା ସୃଷ୍ଟି କଲେ;

 

୭ । ନିଜ ଦଳର ଖେଳାଳୀକୁ ଜାଣିଶୁଣି ଆଘାତ କଲେ;

 

୮ । ନିଜ ଖେଳାଳୀର ଦେହ ଉପରେ ଭାରା ଦେଇ ଉପରକୁ ଡେଇଁ ହେଡ୍‍ କଲେ କିମ୍ୱା ହେଡ୍‍ କରିବାକୁ ଚେଷ୍ଟା କଲେ;

 

୯ । ପେନାଲ୍‍ଟି କିକ୍‍ ସାମନାକୁ ନ ମାରିଲେ;

 

୧୦ । ଅଫ୍‍ସାଇଡ୍‍ ପୋଜିସନରେ ରହି ଖେଳରେ ଭାଗ ନେଲେ କିମ୍ୱା ବିପକ୍ଷର ଖେଳରେ ବାଧା ସୃଷ୍ଟି କଲେ;

 

୧୧ । ବିପଜ୍ଜନକ ଭାବେ ଖେଳିଲେ;

 

୧୨ । ଅଭଦ୍ର ଆଚରଣ ଯଥା ରେଫରୀ କିମ୍ୱା ସ୍ୱପକ୍ଷର ବା ବିପକ୍ଷର ଖେଳାଳୀଙ୍କୁ ଗାଳିଗୁଲଜ କଲେ;

 

୧୩ । ବାରମ୍ୱାର ଖେଳର ନିୟମ ଭଙ୍ଗ କଲେ;

 

୧୪ । କଥାରେ ବା କାର୍ଯ୍ୟରେ ରେଫରୀଙ୍କର ସିଦ୍ଧାନ୍ତ ବିରୁଦ୍ଧରେ ମତ ପ୍ରକାଶ କଲେ;

 

୧୫ । ପାଟିତୁଣ୍ଡ କରି ବିପକ୍ଷର ଖେଳାଳୀକୁ ଭ୍ରମରେ ପକାଇଲେ;

 

୧୬ । ନିୟମାନୁସାରେ କିକ୍‍ ଅଫ୍‍, ଫ୍ରି କିକ୍‍, ପେନାଲ୍‍ଟି କିକ୍‍, କର୍ଣ୍ଣର୍‍ କିକ୍‍, ଗୋଲ୍‍ କିକ୍‍ ଏବଂ ଥ୍ରୋ ଇନ୍‍ କଲାପରେ ଅନ୍ୟ କୌଣସି ଖେଳାଳୀ ସେଥିରୁ ବଲ୍‍କୁ ସ୍ପର୍ଶ କରିବା ପୂର୍ବରୁ କିକ୍‍ ମାରିଥିବା ଖେଳାଳୀ ସେ ବଲ୍‍କୁ ଦ୍ୱିତୀୟ ବାର ଖେଳିଲେ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ଦିଆଯିବ ।

 

୧୭ । ଖେଳ ଆରମ୍ଭ ହେବାପରେ ଯଦି କୌଣସି ଖେଳାଳୀ ରେଫରୀଙ୍କର ବିନା ଅନୁମତିରେ ପଡ଼ିଆରେ ପ୍ରବେଶ କରି ଖେଳରେ ପ୍ରଥମଥର ପାଇଁ ବା ପୁନରାୟ ଯୋଗଦିଏ କିମ୍ୱା ରେଫରୀଙ୍କୁ ନ ଜଣାଇ ପଡ଼ିଆରୁ ବାହାରି ଯାଏ, ତାହାହେଲେ ରେଫରୀ ଆବଶ୍ୟ ମନେକଲେ ସାମୟିକଭାବେ ଖେଳ ବନ୍ଦ ରଖି ସେ ଖେଳାଳୀକୁ ତାଗିଦ୍‍(Caution) କରିଦେବେ । ସେ ଖେଳାଳୀ ଯେଉଁ ସ୍ଥାନରେ ଥିଲାବେଳେ ଖେଳ ବନ୍ଦ ରଖାଗଲା, ସେହି ସ୍ଥାନରୁ ବିପକ୍ଷ ଦଳକୁ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମାରିବାକୁ ନିର୍ଦ୍ଦେଶ ଦେଇ ରେଫରୀ ପୁଣି ଖେଳ ଚାଲୁ କରିବେ-। ଖେଳାଳୀ ଆହତ ହୋଇ ରେଫରୀଙ୍କର ସଙ୍କେତ ନ ପାଇ ପଡ଼ିଆରୁ ବାହାରି ଯାଇଥିଲେ ତା ପ୍ରତି ଏ କଟକଣା ପ୍ରୟୋଗ କରାଯିବ ନାହିଁ ।

 

କେତେବେଳେ ଅଫ୍‍ସାଇଡ୍‍ ହେବ–

 

୧ । ବିପକ୍ଷର ପଡ଼ିଆ ପଟେ ତୁମେ ବଲ୍‍ ଆଗରେ ରହିଛି ଏବଂ ବିପକ୍ଷର ଗୋଲ୍‍ଲାଇନ୍‍ ଏବଂ ତୁମ ମଧ୍ୟରେ ବିପକ୍ଷର ଦୁଇ ଜଣ ଖେଳାଳୀ ନାହାନ୍ତି, ସେଭଳି ଅବସ୍ଥାରେ ତୁମେ ଅଫ୍‍ସାଇଡରେ ଅଛ ବୋଲି ଧରାଯିବ;

 

୨ । ଉପରୋକ୍ତ ଅବସ୍ଥାରେ ଯଦି ବିପକ୍ଷର ଦୁଇ ଜଣ ଖେଳାଳୀଙ୍କ ମଧ୍ୟରୁ ଜଣେ ତୁମ ସହ ଏକ ଲାଇନରେ ଥାଏ, ତେବେ ତୁମର ଅଫ୍‍ସାଇଡ୍‍ ହେବ ।

 

୩ । ଅଫ୍‍ସାଇଡ୍‍ ପୋଜିସନରୁ ପଛେଇ ଆସି ଯଦି ଅନ୍‍ସାଇଡ୍‍ ପୋଜିସନରେ ତୁମେ ସ୍ୱପକ୍ଷୀୟ ଖେଳାଳୀର ପାଶ୍‍ ଧର ତେବେ ତୁମର ଅଫ୍‍ସାଇଡ୍‍ ହେବ ।

 

କେତେବେଳେ ଅଫସାଇଡ୍‍ ହେବ ନାହିଁ–

 

୧ । ଖେଳାଳୀ ପଡ଼ିଆର ନିଜ ଅର୍ଦ୍ଧାଂଶରେ ଥିଲାବେଳେ ତାହାର ଆଦୌ ଅଫ୍‍ସାଇଡ୍‍

ହେବ ନାହିଁ;

 

୨ । ବଲ୍‍ ପଛରେ ଖେଳାଳୀ ଥିଲାବେଳେ ତାହାର ଅଫ୍‍ସାଇଡ୍‍ ହେବ ନାହିଁ;

 

୩ । ବଲ୍‍ ସହ ସମ ଲାଇନରେ ଥିଲାବେଳେ ଖେଳାଳୀର ଅଫ୍‍ସାଇଡ୍‍ ହେବ ନାହିଁ;

 

୪ । ବିପକ୍ଷର ଦୁଇ ଜଣ ଖେଳାଳୀ ସାମନାରେ ଥିଲେ ଖେଳାଳୀର ଅଫ୍‍ସାଇଡ୍‍ ହେବ ନାହିଁ;

 

୫ । ଗୋଲ୍‍ କିକ୍‍, କର୍ଣ୍ଣର କିକ୍‍, ଥ୍ରୋ ଇନ୍‍ ଓ ରେଫରୀଙ୍କର ଡ୍ରପ୍‍ରୁ ଖେଳାଳୀ ସିଧାସଳଖ ବଲ୍ ପାଇଲେ ତାହାର ଅଫ୍‍ସାଇଡ୍‍ ହେବ ନାହିଁ;

 

୬ । ଅଫ୍‍ସାଇଡ୍‍ ପୋଜିସନ୍‍ ରେ ଥିଲାବେଳେ ଯଦି ବଲ୍‍ ବିପକ୍ଷ ଖେଳାଳୀ ଦେହରେ ବାଜି ତାହା ନିକଟରେ ପହଞ୍ଚେ ଓ ସେ ତାହାକୁ ଖେଳେ ତାହାହେଲେ ତାହାର ଅଫ୍‍ସାଇଡ୍‍ ଧରାଯିବ ନାହିଁ;

 

୭ । ଅଫ୍‍ସାଇଡ୍‍ ପୋଜିସନରେ ଥିଲାବେଳେ ସ୍ୱପକ୍ଷର ଖେଳାଳୀ ଆଗେଇ ଯେଉଁ ପାଶ୍‍ ଦେଲା ବା ଯେଉଁ ସଟ୍‍ମାରିଲା, ସେ ପାଶ୍‍ ବା ସଟ୍‍ରୁ ବଲ୍‍କୁ ଖେଳାଳୀ ଯଦି ଆଗେଇ ଯାଇ ଅଫ୍‍ସାଇଡ୍‍ ପୋଜିସନରେ ଧରେ, ତେବେ ତାହାର ଅଫ୍‍ସାଇଡ୍‍ ହେବ ନାହିଁ;

 

୮ । ଅଫ୍‍ସାଇଡ୍‍ ପୋଜିସନରେ ରହିବା ପରେ ଯଦି ଖେଳାଳୀ ସାମୟିକ ଭାବେ ଖେଳରେ ଭାଗ ନ ନିଏ; ବା ବିପକ୍ଷର ଖେଳରେ ବାଧା ସୃଷ୍ଟି ନ କରେ, ବା ନିଜ ଅବସ୍ଥାନର କୌଣସି ଫାଇଦା ଉଠାଇବାକୁ ଚେଷ୍ଟା ନ କରେ, ତେବେ ତାହାର ଅଫ୍‍ସାଇଡ୍‍ ଧରାଯିବ ନାହିଁ ।

 

ଥ୍ରୋ ଇନ୍‍ କେତେବେଳେ ଭୁଲ୍‍ ବୋଲି ଧରାଯିବ–

 

୧ । ଥ୍ରୋ ଇନ୍‍ କଲାବେଳେ ଥ୍ରୋ ଇନ୍ କରୁଥିବା ଖେଳାଳୀର ମୁହଁ ଅନ୍ତତଃ ପଡ଼ିଆ ଆଡ଼କୁ ନ ରହିଲେ ଥ୍ରୋ ଇନ୍‍ ଭୁଲ ହେଲା ବୋଲି ବିବେଚିତ ହେବ;

 

୨ । ମୁଣ୍ଡ ଉପରବାଟେ ବଲ୍‍ ନ ଫିଙ୍ଗିଲେ ଥ୍ରୋ ଇନ୍‍ ଭୁଲ ହେବ ।

 

୩ । ସେହିପରି ଦୁଇ ହାତରେ ସମାନ ଜୋର ଖଟାଇ ବଲ୍‍ ନ ଫିଙ୍ଗିଲେ ଥ୍ରୋ ଇନ୍‍ ଭୁଲ ହେବ;

 

୪ । ଦୁଇ ହାତର ପାପୁଲିରେ ବଲ୍‍ ଧରି ତାହାକୁ ଫିଙ୍ଗିବା ବଦଳରେ କେବଳ ତଳକୁ ଛାଡ଼ିଦେଲେ ଥ୍ରୋ ଇନ୍‍ ଭୁଲ ହେବ;

 

୫ । ଥ୍ରୋ ଇନ୍‍ କଲାବେଳେ ଦୁଇ ପାଦର ପଞ୍ଛାର କିଛି ନା କିଛି ଅଂଶ ଟଚ୍‍ ଲାଇନ୍‍ କିମ୍ୱା ଟଚ୍‍ ଲାଇନ୍‍ର ବାହାର ପଟ ଭୂମିକୁ ସ୍ପର୍ଶ ନ କଲେ ଥ୍ରୋ ଇନ୍‍ ଭୁଲ ହେବ;

 

୬ । ଥ୍ରୋ ଇନ୍‍ କଲାବେଳେ ଫିଙ୍ଗାଳି ପଡ଼ିଆ ଭିତରକୁ ପଶି ଆସିଲେ, ଥ୍ରୋ ଇନ୍‍ ଭୁଲ ହେବ ।

 

ବଲ୍‍ ପୋଷ୍ଟ ଭିତରକୁ ଗଲେ ମଧ୍ୟ କେତେବେଳେ ଗୋଲ୍‍ ହେବ ନାହିଁ–

 

୧ । ଯେତେବେଳେ ଗୋଲ୍‍ କିକ୍‍, କିକ୍‍ ଅଫ୍‍, ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ଏବଂ ଥ୍ରୋ–ଇନ୍‍ରୁ ବଲ୍‍ କାହାକୁ ସ୍ପର୍ଶ ନ କରି ସିଧା ସଳଖ ବିପକ୍ଷର ଗୋଲରେ ପ୍ରବେଶ କରେ ସେତେବେଳେ ଗୋଲ୍‍ ହେଲା ବୋଲି ଧରାଯିବ ନାହିଁ;

 

୨ । ଯେତେବେଳେ ଗୋଲ୍‍ କିକ୍‍, ଡାଇରେକ୍ଟ ଓ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ଓ ଥ୍ରୋ ଇନ୍‍ରୁ ବଲ୍‍ ଅନ୍ୟ କାହାକୁ ନ ଛୁଇଁ ସିଧାସଳଖ ନିଜ ଗୋଲରେ ପଶେ, ସେତେବଳେ ଗୋଲ୍‍ ହେଲା ବୋଲି ଧରାଯିବ ନାହିଁ;

 

୩ । ଯେତେବେଳେ କୌଣସି ଦର୍ଶକ, ପ୍ରାଣୀ ବା ବାହାରର କିଛି ପଦାର୍ଥ ଦେହରେ ବାଜି ବଲ୍‍ ଗୋଲରେ ପ୍ରବେଶ କରେ, ସେତେବେଳେ ଗୋଲ୍‍ ହେବ ନାହିଁ ।

 

କେତେବେଳେ ଖେଳର ସମୟ ବଢ଼ାଇବା ଦରକାର ହୁଏ–

 

୧ । ପେନାଲ୍‍ଟି କିକ୍‍ ଠିକ୍‍ଭାବେ ମରାଯିବା ଲାଗି ଦରକାର ହେଲେ ଖେଳର ସମୟ ବଢ଼ାଯିବ ।

 

୨ । ଖେଳାଳୀକୁ ସତର୍କ କରିବା ପାଇଁ ବା ପଡ଼ିଆରୁ ବାହାର କରିଦେବା ପାଇଁ ପ୍ରୟୋଜନ ହେଲେ ଖେଳର ସମୟ ବଢ଼ାଇ ଦିଆଯାଇପାରେ ।

 

୩ । ଖେଳାଳୀ ଆହତ ହେଲେ ବା ଅନ୍ୟ କୌଣସି କାରଣରୁ ଖେଳର ସମୟ ନଷ୍ଟ ହେଲେ, ଆହତ ଖେଳାଳୀକୁ ପଡ଼ିଆରୁ କାଢ଼ି ନେବାପାଇଁ ଯେତିକି ସମୟ ଲାଗିଥିବ ବା ଅନ୍ୟ କାରଣରୁ ଯେତିକି ସମୟ ନଷ୍ଟ ହୋଇଥିବ, ସେହି ପରିମାଣର ସମୟ ଖେଳର ନିର୍ଦ୍ଧାରିତ ସମୟ ସହିତ ଯୋଗ କରି ଖେଳର ସମୟ ବଢ଼ାଇ ଦିଆଯିବ ।

Image

 

ପରିଶିଷ୍ଟ

 

ପେନାଲ୍‍ଟି କିକ୍‍ ଜରିଆରେ ଅମୀମାଂସିତ ଖେଳର ନିଷ୍ପତ୍ତି ।

 

୧୯୬୦ ମସିହା ଜୁନ୍‍ମାସ ପୂର୍ବ ପର୍ଯ୍ୟନ୍ତ କୌଣସି ଫୁଟ୍‍ବଲ୍‍ ପ୍ରତିଯୋଗିତାରେ ଯଦି ଗୋଟିଏ ଖେଳ ଏକାଧିକବାର ଖେଳାଯିବା ସତ୍ତ୍ୱେ ଅମୀସାଂସିତ ରହୁଥିଲା, ତେବେ ଧର୍ମଗୁଳା (Drawing of lots from a hat) ପକାଇ ସେ ଖେଳର ଜୟ ପରାଜୟ ନିଷ୍ପତ୍ତି କରାଯାଉଥିଲା । କେତେକ କ୍ଷେତ୍ରରେ ଧର୍ମଗୁଳା ପରିବର୍ତ୍ତେ ଟସ୍‍ (Toss) ବା ମୁଦ୍ରା ନିକ୍ଷେପ କରି ସେ ଖେଳର ନିଷ୍ପତ୍ତି କରାଯାଉଥିଲା । ଏହା ଫଳରେ ଭାଗ୍ୟ ଜୋରରେ ଗୋଟିଏ ଦଳ ଜିଣୁଥିଲା ଏବଂ ଅନ୍ୟ ଦଳ ଅନେକ ସମୟରେ ଖେଳରେ ପାରଦର୍ଶିତା ଦେଖାଇ ମଧ୍ୟ ପରାଜୟ ବରଣ କରୁଥିଲା । ଏଭଳି ପଦ୍ଧତିରେ ଖେଳର ସୀମାଂସା କରାଯାଉଥିବାରୁ ଗୋଟିଏ ଦଳ ମନରେ ଅସନ୍ତୋଷ ତ ଦେଖା ଦେଉଥିଲା, ତାହା ଛଡ଼ା ଦେଖଣାହାରିଏ ମଧ୍ୟ ମନ କ୍ଷୁର୍ଣ୍ଣ କରି ଘରକୁ ଫେରୁଥିଲେ । ଏହି ବ୍ୟବସ୍ଥାର ପରିବର୍ତ୍ତନ କରିବାଲାଗି ପୃଥିବୀର ସର୍ବୋଚ୍ଚ ଫୁଟ୍‍ବଲ୍‍ ସଂସ୍ଥା ଫିଫା (FIFA) ଟସ୍‍ (toss) କିମ୍ୱା ଧର୍ମ୍ମଗୁଳା ପରିବର୍ତ୍ତେ ଗୋଟିଏ ନିର୍ଦ୍ଦିଷ୍ଟ କ୍ରମରେ ପେନାଲ୍‍ଟି ମରାଯାଇ ଖେଳର ନିଷ୍ପତ୍ତି କରାଯାଉ ବୋଲି ଏକ ପ୍ରସ୍ତାବ ଦେଇଥିଲେ । ବିଶ୍ୱର ଫୁଟ୍‍ବଲ ଆଇନ୍‍ପ ପ୍ରଣୟନକାରୀ ସର୍ବୋଚ୍ଚ ସଂସ୍ଥା ଆନ୍ତର୍ଜାତିକ ଫୁଟବଲ୍‍ ଆସୋସିଏସନ୍‍ ବୋର୍ଡ ୧୯୭୦ ମସିହା ଜୁନ୍‍ ୨୭ ତାରିଖରେ ଏହି ପ୍ରସ୍ତାବକୁ ମଞ୍ଜୁର କରି ତାହାକୁ ବିଶ୍ୱ ସାରା ପ୍ରୟୋଗ କରିବାକୁ ଅନୁମତି ଦେଲେ । ୧୯୭୦ ମସିହା ସେପ୍ଟେମ୍ୱର ୧୨ ତାରିଖରେ ପୁରୀଠାରେ ନିଖିଳ ଭାରତ ଫୁଟବଲ୍‍ ଫେଡେରେସନର ୩୨ଶ ବାର୍ଷିକ ଅଧିବେଶନରେ ଆନ୍ତର୍ଜାତିକ ଫୁଟବଲ ଆସୋସିଏସନ୍‍ ବୋର୍ଡର ଉପରୋକ୍ତ ସିଦ୍ଧାନ୍ତକୁ ଗ୍ରହଣ କରାଯାଇ ଆମ ଦେଶର ପ୍ରତିଯୋଗିତାମୂଳକ ଫୁଟବଲ ଖେଳରେ ତାହା ପ୍ରୟୋଗ କରାଯିବ ବୋଲି ନିଷ୍ପତ୍ତି ଅନୁସାରେ ୧୯୭୦ ଅକ୍ଟୋବର ମାସରେ ଜଳନ୍ଧରଠାରେ ଅନୁଷ୍ଠିତ ଜାତୀୟ ଫୁଟବଲ୍‍ ଚାମ୍ପିୟନ୍‍ସିପ୍‍(ସନ୍ତୋଷ ଟ୍ରଫି) ପ୍ରତିଯୋଗିତାରେ ଏହାକୁ ପ୍ରଥମ ଥର ପାଇଁ ପ୍ରୟୋଗ କରାଗଲା । ଏହି ନୂତନ ସିଦ୍ଧାନ୍ତର ପ୍ରୟୋଗ ଫଳରେ ପଞ୍ଜାବ ସେମିଫାଇନାଲରେ ପଶ୍ଚିମ ବଙ୍ଗଳା ଦଳକୁ ପରାଜିତ କରି ଫାଇନାଲକୁ ଯିବାର ସୁବିଧା ପାଇଲା ।

 

ବର୍ତ୍ତମାନ ପେନାଲ୍‍ଟି କିକ୍‍ ସଂପର୍କୀୟ ଏହି ନୂତନ ସିଦ୍ଧାନ୍ତର ବିଷଦ ବ୍ୟାଖ୍ୟା ନିମ୍ନରେ ଦିଆଯାଉଛି । ଏପ୍ରକାର ପେନାଲ୍‍ଟି କିକ୍‍ ମରାଯିବାର ପଦ୍ଧତି ହେଲା–

 

୧ । ଫୁଟବଲ୍‍ ପଡ଼ିଆର କେଉଁ ପଟର ଗୋଲ୍‍ ପୋଷ୍ଟକୁ ଏହି କିକ୍‍ ଗୁଡ଼ିକ ମରାଯିବ, ତାହା ରେଫରୀ ସ୍ଥିର କରିବେ ।

 

୨ । ପ୍ରତ୍ୟେକ ଦଳ ୫ଟି ଲେଖାଁଏ ପେନାଲ୍‍ଟି କିକ୍‍ ମାରିବେ । ତେବେ ଏହି କିକ୍‍ଗୁଡ଼ିକ ଗୋଟିକ ପରେ ଗୋଟିଏ ମରା ନ ଯାଇ ଦଳ ପାଳି କରି ମାରିବେ । ଅର୍ଥାତ୍‍ ପ୍ରଥମ ଦଳ ଗୋଟିଏ ପେନାଲ୍‍ଟି କିକ୍‍ ମାରିବା ପରେ ଦ୍ୱିତୀୟ ଦଳ ଗୋଟିଏ ପେନାଲ୍‍ଟି କିକ୍‍ ମାରିବେ । ଏଭଳି ଭାବେ ପାଳି କରି ଉଭୟ ଦଳ ପାଞ୍ଚଟି ଲେଖାଏଁ ପେନାଲ୍‍ଟି କିକ୍‍ ମାରିବେ ।

 

୩ । ରେଫରୀ ଟସ୍‍ପକାଇ କେଉଁ ଦଳ ପ୍ରଥମ ପେନାଲ୍‍ଟି କିକ୍‍ ମାରିବେ, ତାହା ସ୍ଥିର କରିବେ । ଯେଉଁ ଦଳର ଅଧିନାୟକ ଟସ୍‍ ଜିଣିବେ, ସେହି ଦଳ ପେନାଲ୍‍ଟି କିକ୍‍ ମରାଯିବାର କ୍ରମ ଆରମ୍ଭ କରିବେ ।

 

୪ । ପାଞ୍ଚଟି ଲେଖାଏ ପେନାଲ୍‍ଟି କିକ୍‍ ମରାଯିବା ପରେ ଯେଉଁ ଦଳ ସବୁଠାରୁ ଅଧିକ ଗୋଲ ଦେଇଥିବ, ସେହି ଦଳକୁ ବିଜୟୀ ଘୋଷଣା କରାଯିବ ।

 

୫ । ଖେଳ ଶେଷ ସୁଦ୍ଧା ଉଭୟ ପକ୍ଷର ଯେଉଁ ଖେଳାଳୀମାନେ ଖେଳରେ ଅଂଶଗ୍ରହଣ କରିଥିବେ, ସେହିମାନେ ହିଁ କେବଳ ଏହି ପେନାଲ୍ଟି କିକ୍‍ ମାରିବାକୁ ସୁବିଧା ପାଇବେ । ଏଠାରେ ଖେଳ ଶେଷ କହିଲେ ଅତିରିକ୍ତ ସମୟ (Extra time)କୁ ମଧ୍ୟ ବୁଝାଇବ, ଅବଶ୍ୟ ଯଦି ଏ ପ୍ରକାର ଅତିରିକ୍ତ ସମୟ ଖେଳାଯିବାର ବିଧାନ ପ୍ରତିଯୋଗିତାର ନିୟମାବଳୀରେ ଥିବେ । ଏଠାରେ ବିଷୟଟି ବୁଝାଇ କହିବା ଆବଶ୍ୟକ । ପ୍ରତିଯୋଗିତାର ପରିଚାଳନା କମିଟି ପ୍ରତିଯୋଗିତାର ପରିଚାଳନା ପାଇଁ କେତେକ ନିୟମ ପ୍ରଣୟନ କରିଥାନ୍ତି ଏବଂ ସେହି ନିୟମାନୁସାରେ ପ୍ରତିଯୋଗିତାଟି ପରିଚାଳିତ ହୁଏ । ମନେ କରାଯାଉ ଯେ କୌଣସି ଏକ ପ୍ରଥମଶ୍ରେଣୀ ପ୍ରତିଯୋଗିତାର ପରିଚାଳନା କମିଟି ନିୟମ କରିଛନ୍ତି ଯେ ପ୍ରଥମ ଦିନ ଖେଳ ଅମୀମାଂସିତ ରହିଲେ ଦ୍ୱିତୀୟ ଦିନ ଖେଳଟି ଧାର୍ଯ୍ୟ ସମୟ ୯୫ ମିନିଟ୍‍ ଖେଳାଯିବ । ଦ୍ୱିତୀୟ ଦିନର ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ନିଷ୍ପତ୍ତି ନ ହୋଇ ପାରିଲେ ଅତିରିକ୍ତ ୧୫ ମିନିଟ୍‍ ଖେଳାଯିବ । ଏହି ଅତିରିକ୍ତ ସମୟ ମଧ୍ୟରେ ଜୟ ପରାଜୟର ନିଷ୍ପତ୍ତି ନ ହୋଇ ପାରିଲେ ଉପରୋକ୍ତ ପ୍ରକାରର ପେନାଲ୍‍ଟି କିକ୍‍ ସାହାଯ୍ୟରେ ଖେଳର ନିଷ୍ପତ୍ତି କରାଯିବ । ଏ କ୍ଷେତ୍ରରେ ଅତିରିକ୍ତ ସମୟର ଶେଷ ପର୍ଯ୍ୟନ୍ତ ଯେଉଁ ଖେଳାଳୀମାନେ ଖେଳରେ ଭାଗ ନେଇଥିବେ, ସେହିମାନେ ହିଁ କେବଳ ଏ ପ୍ରକାର ପେନାଲ୍‍ଟି କିକ୍‍ ମାରିବାକୁ ହକ୍‍ଦାର ହେବେ । କିନ୍ତୁ ମନେ କରାଯାଉ ଯେ ଅନ୍ୟ ଏକ ପରିଚାଳନା କମିଟିର ନିୟମ ଅନୁସାରେ ଦ୍ୱିତୀୟ ଦିନ ଧାର୍ଯ୍ୟ ସମୟ ମଧ୍ୟରେ ଖେଳର ନିଷ୍ପତ୍ତି ନ ହୋଇ ପାରିଲେ, ଧାର୍ଯ୍ୟ ସମୟ ପରେ ଏ ପ୍ରକାର ପେନାଲ୍‍ଟି କିକ୍‍ ଯିବ ବୋଲି କୁହାଯାଇଛି । ତାହା ହେଲେ ଦ୍ୱିତୀୟ ଦିନର ଧାର୍ଯ୍ୟ ସମୟ ଶେଷସୁଦ୍ଧା ଯେଉଁ ଖେଳାଳୀମାନେ ଖେଳରେ ଭାଗ ନେଇଥିବେ, ସେହିମାନେ ହିଁ କେବଳ ଏ ପ୍ରକାର ପେନାଲ୍‍ଟି କିକ୍‍ ମାରିବାର ସୁଯୋଗ ପାଇବେ । ତେଣୁ ଅତିରିକ୍ତ ସମୟ (extra time) ଖେଳାଯିବ କି ନାହିଁ ତାହା ପରିଚାଳନା କମିଟି (Tournament Committee) ପ୍ରଣୀତ ନିୟମ ଉପରେ ନିର୍ଭର କଲେ ।

 

୬ । ଉଭୟ ଦଳ ପାଞ୍ଚୋଟି ଲେଖାଏ ପେନାଲ୍‍ଟି କିକ୍‍ ମାରିବା ପରେ ଯଦି ଗୋଲ୍‍ର ସଂଖ୍ୟା ସମାନ ହୁଏ, ତେବେ ଗୋଟିଏ ଦଳର ଗୋଲ୍‍ସଂଖ୍ୟା ଅନ୍ୟ ଦଳଠାରୁ ଗୋଟିଏ ଅଧିକ ନ ହେବା ପର୍ଯ୍ୟନ୍ତ ପେନାଲ୍‍ଟି କିକ୍‍ ମରାଯିବାର କାର୍ଯ୍ୟକ୍ରମ ଚାଲୁ ରହିବ । ଉଭୟ ଦଳ ସମାନ ସଂଖ୍ୟକ ପେନାଲ୍‍ଟି କିକ୍‍ ମାରିବା ପରେ ଗୋଲ୍‍ ସଂଖ୍ୟା ବିଚାରକୁ ନିଆଯିବ । ଉଦାହରଣ ସ୍ୱରୂପ, ମନେ କରାଯାଉ ଯେ ପ୍ରଥମ ୫ଟି ଲେଖାଏଁ ପେନାଲ୍‍ଟି କିକ୍‍ ମରାଯିବା ପରେ ଦେଖାଗଲା ଯେ ଏଥିରୁ ଉଭୟ ଦଳ ପରସ୍ପରକୁ ୨ଟି ଲେଖାଏଁ ଗୋଲ୍‍ ଦେଇଛନ୍ତି । ତାହାହେଲେ ରେଫରୀ ଉଭୟ ଦଳକୁ ଆଉ ଗୋଟିଏ ଲେଖାଏଁ ପେନାଲ୍‍ଟି କିକ୍‍ ମାରିବାକୁ ସୁଯୋଗ ଦେବେ । ଉଭୟ ଦଳ କିକ୍‍ ମାରିବା ପରେ ଯଦି ଦେଖାଯିବ ଯେ ଗୋଲ୍‍ ସଂଖ୍ୟାରେ ତାରତମ୍ୟ ଘଟିଲା, ତେବେ ଅଧିକ ଗୋଲ୍‍ ଦେଇଥିବା ଦଳକୁ ରେଫରୀ ବିଜୟୀ ବୋଲି ଘୋଷଣା କରିବେ । କିନ୍ତୁ ଯଦି ଗୋଲ୍‍ ସଂଖ୍ୟା ସମାନ ରହେ, ତେବେ ରେଫରୀ ଉଭୟ ଦଳକୁ ପୁଣି ଗୋଟିଏ ଲେଖାଏଁ କିକ୍‍ ମାରିବାକୁ ସୁଯୋଗ ଦେବେ ।

୭ । ପ୍ରତ୍ୟେକ ପେନାଲ୍‍ଟି କିକ୍‍ ଅଲଗା ଅଲଗା ଖେଳାଳୀ ମାରିବେ ଏବଂ ଗୋଟିଏ ଦଳର ସବୁ ଖେଳାଳୀ ଥରେ ଲେଖାଏଁ ପେନାଲ୍‍ଟି କିକ୍‍ ନ ମାରିବା ପର୍ଯ୍ୟନ୍ତ ସେ ଦଳର କୌଣସି ଦ୍ୱିତୀୟବାର ପେନାଲ୍‍ଟି କିକ୍‍ ମାରି ପାରିବେ ନାହିଁ ।

 

୮ । ଏ ପ୍ରକାର ପେନାଲ୍‍ଟି କିକ୍‍ ମରାଯାଉଥିବାବେଳେ ଗୋଟିଏ ଦଳ ଇଚ୍ଛାକଲେ, ନିଜର ନିୟମିତ ଗୋଲ୍‍ କିପରଙ୍କୁ ବଦଳାଇ ତାଙ୍କ ସ୍ଥାନରେ ନିଜର ଯୋଗ୍ୟ ବିବେଚିତ (eligible) ଆଉ ଜଣେ ଖେଳାଳୀକୁ ଖେଳାଇ ପାରିବେ ।

୯ । ପେନାଲ୍‍ଟି କିକ୍‍ ମରାଗଲାବେଳେ ବିପକ୍ଷର ଗୋଲ୍‍କିପର୍‍ ଓ କିକ୍‍ ମାରୁଥିବା ଖେଳାଳୀଙ୍କ ଛଡ଼ା ଉଭୟ ଦଳର ବାକୀ ଖେଳାଳୀମାନେ କେନ୍ଦ୍ରବୃତ୍ତି ମଧ୍ୟରେ ରହିବେ ।

 

ଏହା ସହିତ ଆଉ ଗୋଟିଏ କଥା ମଧ୍ୟ କହି ରଖିବା ଆବଶ୍ୟକ । ଯଦି କୌଣସି ଅନିବାର୍ଯ୍ୟ କାରଣ ଯଥା ଅତ୍ୟଧିକ ବୃଷ୍ଟିପାତ କିମ୍ୱା ଆଲୋକର ସ୍ୱଳ୍ପତା କିମ୍ୱା ଅନ୍ୟ କୌଣସି କାରଣ ଯୋଗୁଁ ପେନାଲଟି କିକ୍‍ର ପୂରା ପର୍ଯ୍ୟାୟଟି ଶେଷ ହେବା ପୂର୍ବରୁ ରେଫରୀ ଖେଳ ବନ୍ଦ କରିଦେବାକୁ ବାଧ୍ୟ ହୁଅନ୍ତି, ତେବେ ରେଫରୀଙ୍କ ଠାରୁ ରିପୋର୍ଟ ପାଇଲାପରେ ପ୍ରତିଯୋଗିତାର ପରିଚାଳନା କମିଟି ଆଉ ଗୋଟିଏ ଦିନ ସ୍ଥିର କରିବେ, ଯେଉଁ ଦିନ କି ପର୍ଯ୍ୟାୟର ବାକି ଅଂଶତକ ଶେଷ କରି ଜୟ ପରାଜୟର ନିଷ୍ପତ୍ତି କରାଯିବ । ଉଦାହରଣ ସ୍ୱରୂପ, ମନେ କରାଯାଉ ‘କ’ ଓ ‘ଖ’ ଦଳ ମଧ୍ୟରେ ଏକ ଅମୀମାଂସିତ ଖେଳର ଜୟ ପରାଜୟ ନିଷ୍ପତ୍ତି ଲାଗି ଉପରୋକ୍ତ ପ୍ରକାରର ପେନାଲଟି କିକ୍‍ର ବ୍ୟବସ୍ଥା ହେଲା । ‘କ’ ଦଳ ୩ଟି କିକ୍‍ ଏବଂ ‘ଖ’ ଦଳ ୨ଟି କିକ୍‍ ମାରିବା ପରେ ଆଲୋକର ସ୍ୱଳ୍ପତା ଯୋଗୁଁ ରେଫରୀ ଖେଳ ବନ୍ଦ କରିବାକୁ ବାଧ୍ୟ ହେଲେ ଏବଂ ପ୍ରକୃତ ଅବସ୍ଥା ଜଣାଇ ପରିଚାଳନା କମିଟିକୁ ଏକ ରିପୋର୍ଟ ଦେଲେ । ରିପୋର୍ଟକୁ ବିଚାର କରି ପରିଚାଳନା କମିଟି ପରଦିନ ପେନାଲ୍‍ଟି କିକ୍‍ ପର୍ଯ୍ୟାୟତ୍ତ ବାକି ଅଂଶତକ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ । ଏହି ନିର୍ଦ୍ଦେଶ ଅନୁସାରେ ‘କ’ ଦଳ ବାକି ୨ଟି ଏବଂ ‘ଖ’ ଦଳ ୩ଟି ପେନାଲ୍‍ଟି କିକି୍‍ ମାରି ଏହି ପର୍ଯ୍ୟାୟ ଶେଷ କଲେ । ପର୍ଯ୍ୟାୟ ଶେଷରେ ଦେଖାଗଲା ଯେ ‘ଖ’ ଦଳ ୩–୨ ଗୋଲ ଗୋଲ ବ୍ୟବଧାନରେ ଆଗେଇ ରହିଛି । ତେଣୁ ରେଫରୀ ‘ଖ’ ଦଳକୁ ବିଜୟୀ ବୋଲି ଘୋଷଣା କଲେ ।

 

ପେନାଲ୍‍ଟି କିକ୍‍ ଜରିଆରେ ଅମୀମାଂସିତ ଖେଳର ନିଷ୍ପତ୍ତି କରିବା ସିଦ୍ଧାନ୍ତଟି ଆମ ଦେଶରେ ପ୍ରଥମେ ୧୯୭୦ ମସିହାର ସନ୍ତୋଷ ଟ୍ରଫି ପ୍ରତିଯୋଗିତାରେ ପ୍ରୟୋଗ କରାଯାଇଥିଲା ବୋଲି ପୂର୍ବେ କୁହାଯାଇଛି । କିଭଳିଭାବରେ ଏହା ପ୍ରୟୋଗ କରାଯାଇଥିଲା, ଏଠାରେ ତାହାର ଏକ ବିବରଣୀ ଦେଲେ ଏହି ନୂତନ ନିୟମଟି ସହଜରେ ବୁଝିହେବ । ଜାତୀୟ ପ୍ରତିଯୋଗିତା (ସନ୍ତୋଷ ଟ୍ରଫି) ରେ ସେମିଫାଇନାଲ ଖେଳ ଡବଲ୍‍ ଲିଗ୍‍ (Double League) ପଦ୍ଧତିରେ ଅନୁଷ୍ଠିତ ହୁଏ । ଏହି ପଦ୍ଧତି ଅନୁସାରେ, ସେମିଫାଇନାଲ୍‍ ରେ ଖେଳୁଥିବା ଦଳମାନଙ୍କୁ ପରସ୍ପର ସହିତ ଦୁଇଥର ଖେଳିବାକୁ ପଡ଼େ ଏବଂ ଏହି ଦୁଇ ଖେଳର ହିସାବ ନିଆଯାଇ ଜୟ ପରାଜୟ ନିଷ୍ପତ୍ତି କରାଯାଏ । ୧୯୭୦ ମସିହା ସନ୍ତୋଷ ଟ୍ରଫି ପ୍ରତିଯୋଗିତାର ସେମିଫାଇନାଲ୍‍ ରେ ପଞ୍ଜାବକୁ ପଶ୍ଚିମ ବଙ୍ଗଳା ସହିତ ଏବଂ ମହୀଶୂରକୁ ମହାରାଷ୍ଟ୍ର ସହିତ ଖେଳିବାକୁ ପଡ଼ିଥିଲା । ପ୍ରଥମ ଖେଳଟି ଗୋଲଶୂନ୍ୟ ହୋଇଥିଲା ଏବଂ ଦ୍ୱିତୀୟ ଖେଳରେ ଉଭୟ ପରସ୍ପରକୁ ଗୋଟିଏ ଗୋଟିଏ ଲେଖାଏଁ ଗୋଲ ଦିଅନ୍ତେ ଜୟ ପରାଜୟର ନିଷ୍ପତ୍ତି ଲାଗି ଦ୍ୱିତୀୟ ଦିନର ଖେଳ ଶେଷରେ ଏହି ପେନାଲ୍‍ଟି କିକ୍‍ ନିୟମଟି ପ୍ରୟୋଗ କରାଗଲା ପଞ୍ଜାବ ଦଳର ଅଧିନାୟକ ଚରଞ୍ଜିତ ସିଂହ ଟସ୍‍ ରେ ଜିଣିବାରୁ ପଞ୍ଜାବ ଦଳ ପେନାଲ୍‍ଟି କିକ୍‍ ମାରିବା ପର୍ଯ୍ୟନ୍ତ ଆରମ୍ଭ କରିବାର ସୁଯୋଗ ପାଇଲା । ପେନାଲ୍ଟି କିକ୍‍ ମାରିବା ଲାଗି ପଞ୍ଜାବ ନିଜ ଦଳର ଯେଉଁ ପାଞ୍ଚ ଜଣ ଖେଳାଳୀକୁ ବାଛିଲା, ସେମାନେ ହେଲେ ଜର୍ଣ୍ଣେଲ୍‍ ସିଂହ, ମନ୍‍ଜିତ୍‍ ସିଂହ, ଯୋଗୀନ୍ଦ୍ର ସିଂହ ସଂଘା, କେଶୋକୃପାଳ ସିଂହ ଏବଂ ଅଜୈବ ସିଂହ । ବଙ୍ଗଳା ଦଳ ପକ୍ଷରୁ ପେନାଲ୍‍ଟି କିକ୍‍ ମାରିବାକୁ ମନୋନୀତ ହେଲେ–ନୟିମ, ଅଲତାଫ୍‍, ଲତିଫ୍‍, ଘୋଷ–ଦସ୍ତିଦାର ଏବଂ ଥଙ୍ଗରାଜ ।

 

ଜର୍ଣ୍ଣେଲ୍‍ ସିଂହ ପ୍ରଥମେ ପେନାଲ୍‍ଟି କିକ୍‍ ମାରି ଗୋଟିଏ ଗୋଲ୍‍ ଦେଲେ । ତା ପରେ ପାଳି ପଡ଼ିଲା ବଙ୍ଗଳାର ନୟିମଙ୍କର । ନୟିମଙ୍କର କିକ୍‍ରୁ ଗୋଲ ହେଲା ନାହିଁ । ପଞ୍ଜାବର ୨ୟ ପେନାଲ୍‍ଟି କିକ୍‍ ମାରୁଥିବା ଖେଳାଳୀ ମନଜିତ୍‍ ସିଂହ କିକ୍‍ ମାରି ଗୋଟିଏ ଦେଲେ । କିନ୍ତୁ ବଙ୍ଗଳାର ଲତିଫଙ୍କର ଅନୁରୂପ ଚେଷ୍ଟା ବ୍ୟର୍ଥ ହେଲା । ପଞ୍ଜାବର ୩ୟ ଖେଳାଳୀ ଯୋଗୀନ୍ଦ୍ର ସିଂହ ସଂଘାଙ୍କର ପାଳି ଆସନ୍ତେ, ସେ କିକ୍‍ମାରି ଆହୁରି ଗୋଟିଏ ଗୋଲ୍‍ ଦେଲେ । କିନ୍ତୁ ବଙ୍ଗଳାର ୩ୟ ଖେଳାଳୀ ଲତିଫଙ୍କର ସଟ୍‍କୁ ପଞ୍ଜାବର ଗୋଲ୍‍କିପର୍‍ ଚରଞ୍ଜିତ ସିଂହ ଅଟକାଇ ଦେବାରୁ ତାଙ୍କର ଚେଷ୍ଟା ବିଫଳ ହେଲା । ପଞ୍ଜାବର ୪ର୍ଥ ଖେଳାଳୀ କେଣୋକୃପାଳ ସିଂହ ପୁଣି ଗୋଟିଏ ଗୋଲ୍‍ ଦେଲେ । ତାପରେ ଆସିଲା ବଙ୍ଗଳାର ୪ର୍ଥ ଖେଳାଳୀ ଘୋଷ–ଦସ୍ତିଦାରଙ୍କ ପାଳି । ତାଙ୍କର ସଟ୍‍ ବିପକ୍ଷର ଗୋଲ କିପର୍‍କୁ ପରାସ୍ତ କରି ଗୋଲ୍‍ ରେ ପ୍ରବେଶ କରନ୍ତେ ଦୁଇଦଳ ମଧ୍ୟରେ ଗୋଲର ବ୍ୟବଧାନ ହେଲା ୫–୨ । ପଞ୍ଜାବର ଶେଷ ଖେଳାଳୀ ଅଜୈବ ସିଂହଙ୍କ କିକ୍‍ରୁ ବଲ୍‍ ପଡ଼ିଆ ବାହାରକୁ ଚାଲି ଯାଇଥିଲା; କିନ୍ତୁ ବଙ୍ଗଳାର ଶେଷ ଖେଳାଳୀ ଥଙ୍ଗରାଜଙ୍କ କିକ୍‍ରୁ ଗୋଟିଏ ଗୋଲ୍‍ ହୁଅନ୍ତେ ଖେଳର ଶେଷ ଫଳାଫଳ ହୋଇଥିଲା ୫–୩ ଏବଂ ପଞ୍ଜାବ ବିଜୟୀ ବୋଲି ରେଫରୀ ଘୋଷଣା କରିଥିଲେ । ଉପରୋକ୍ତ ଘଟଣାରୁ ଜଣାଯିବ ଯେ ପଞ୍ଜାବ ଦଳ ୫ଟି ପେନାଲ୍ଟି କିକ୍‍ରୁ ୪ଟି ଗୋଲ ଦେବାକୁ ସକ୍ଷମ ହୋଇଥିଲାବେଳେ ପଶ୍ଚିମ ବଙ୍ଗଳା ମାତ୍ର ଦୁଇଟି ଗୋଲ୍‍ ଦେବାକୁ ସକ୍ଷମ ହୋଇଥିଲା ।

 

ଏହି ପେନାଲ୍‍ଟି କିକ୍‍ ବିଷୟରେ ଆଉ ଗୋଟିଏ କଥା କହିବା ଆବଶ୍ୟକ । ଫୁଟବଲ୍‍ ଖେଳର ଧାର୍ଯ୍ୟ ସମୟ ମଧ୍ୟରେ ନିଆଯାଉଥିବା ପେନାଲ୍‍ଟି କିକ୍‍ଠାରୁ ଏହା ପୃଥକ୍‍ । ପ୍ରଥମାର୍ଦ୍ଧର ଶେଷ ମୁହୂର୍ତ୍ତ ବା ଧାର୍ଯ୍ୟ ସମୟର ଶେଷ ମୁହୂର୍ତ୍ତର ଯଦି କୌଣସି ମାରାତ୍ମକ ତ୍ରୁଟି ଲାଗି ରେଫରୀ ପେନାଲ୍ଟି କିକ୍‍ ଦିଅନ୍ତ ଏବଂ ଏହି କିକ୍‍ ମାରିବାକୁ ଯଦି ସମୟ ନ ଥାଏ, ତେବେ ରେଫରୀ ଖେଳର ସମୟ ବଢ଼ାଇ ଏହି ପେନାଲ୍‍ଟି କିକ୍‍ ମାରିବାକୁ ନିର୍ଦ୍ଦେଶ ଦିଅନ୍ତି ଏବଂ ଯେଉଁ ମୁହୂର୍ତ୍ତରେ କିକ୍‍ ମରା ଶେଷ ହୁଏ, ସେହି ମୁହୂର୍ତ୍ତରେ ଖେଳ ଶେଷ ହେଲା ବୋଲି ଘୋଷଣା କରନ୍ତି । ଏହି କିକ୍‍ରୁ ଯଦି ଗୋଲ୍‍ହୁଏ ତ ଭଲ । କିନ୍ତୁ ଯଦି ତାହା ଗୋଲ ପୋଷ୍ଟ କିମ୍ୱା ଗୋଲ୍‍କିପର ଦେହରେ ବାଜି ପଡ଼ିଆ ଭିତରକୁ ଫେରିଆସେ, ତେବେ ପେନାଲ୍‍ଟି କିକ୍‍ ମାରୁଥିବା କିମ୍ୱା ଅନ୍ୟ କୌଣସି ଖେଳାଳୀ ତାହା ଖେଳି ପାରନ୍ତି ନାହିଁ, କାରଣ ସେମାନେ ଖେଳିଲାବେଳକୁ ଖେଳ ଶେଷ ହୋଇ ଯାଇଥାଏ; କିନ୍ତୁ ଖେଳର ଧାର୍ଯ୍ୟ ସମୟ ମଧ୍ୟରେ ଯଦି ପେନାଲ୍‍ଟି କିକ୍‍ରୁ ବଲ୍‍ ଗୋଲ୍‍କିପରଙ୍କ ଦେହରେ ବାଜି ପଡ଼ିଆ ଭିତରକୁ ଫେରିଆସେ ଏବଂ କିକ୍‍ ମାରୁଥିବା ଖେଳାଳୀ ବା ତାଙ୍କ ଦଳର ଅନ୍ୟ କେହି ତାହାକୁ ମାରି ଗୋଲ୍‍ ଦିଅନ୍ତି, ତେବେ ତାହା ଗୋଲ୍‍ ବୋଲି ଗୃହୀତ ହୁଏ । କିନ୍ତୁ ଗୋଲ୍‍ ପୋଷ୍ଟରେ ବାଜି ବଲ୍‍ ପଡ଼ିଆ ଭିତରକୁ ଫେରି ଆସିଲେ, ପେନାଲ୍‍ଟି କିକ୍‍ ମାରୁଥିବା ଖେଳାଳୀ ଯଦି ତାହାକୁ ଖେଳନ୍ତି, ତେବେ ତାଙ୍କର ତ୍ରୁଟି ହେଲା ବୋଲି ଧରାଯାଏ ଏବଂ ସେଥିଲାଗି ଯେଉଁ ସ୍ଥାନରେ ଏ ଘଟଣା ଘଟିଲା,ସେହି ସ୍ଥାନରୁ ତାଙ୍କ ଦଳ ବିରୁଦ୍ଧରେ ଗୋଟିଏ ଇନ୍‍ଡାଇରେକ୍ଟ ଫ୍ରି କିକ୍‍ ମରାଯାଏ

 

ଖେଳର ଜୟପରାଜୟ ନିର୍ଦ୍ଧାରଣକାରୀ ଏ ପ୍ରକାର ପେନାଲ୍‍ଟି କିକ୍‍ ଦ୍ୱିତୀୟ କିସମର–ଅର୍ଥାତ୍‍ପ ପ୍ରଥମାର୍ଦ୍ଧର ଶେଷ ବା ଧାର୍ଯ୍ୟ ସମୟର ଶେଷ ମୁହୂର୍ତ୍ତରେ ଦରକାର ହେଲେ ଯେଉଁ ପେନାଲ୍‍ଟି କିକ୍‍ ଦିଆଯାଏ ଏବଂ ଯାହାକୁ ମାରିବା ଲାଗି ସମୟ ବଢ଼ାଯାଏ, ଏହା ସେହି ପ୍ରକାରର-। କିକ୍‍ ମରାଯିବା ସଙ୍ଗେ ସଙ୍ଗେ କିକ୍‍ର ପର୍ଯ୍ୟାୟ ଶେଷ ହୁଏ, ସେଥିରୁ ଯଦି ଗୋଲ୍‍ ହେଲା ତ ଭଲ, ନଚେତ୍‍ ଅନ୍ୟ ଖେଳାଳୀଙ୍କର ପେନାଲ୍‍ଟି କିକ୍‍ ମାରିବାର ପାଳି ଆସେ ।

Image